Unknown

 

 

 

 

 

 

 

 

 

 

ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ସୂଚୀପତ୍ର

 

ଛାନ୍ଦ

ବିଷୟ

୨୭ଶ ଛାନ୍ଦ

ବିଜୟୀ ଜଗତରେ କାତର ବିମନେ

୨୮ଶ ଛାନ୍ଦ

ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା

୨୯ଶ ଛାନ୍ଦ

ବିରୋଧାଭାଷ ପ୍ରକଟାଇ କବିରେ

୩୦ଶ ଛାନ୍ଦ

ବରଷାକାଳ ଅନ୍ତକରେ ଶରଦ ବହି ଶିବ ଆଡ଼ମ୍ବର

୩୧ଶ ଛାନ୍ଦ

ଚକେ ବସିଥିଲା ଧ୍ରୁବ ଉପରେ

୩୨ଶ ଛାନ୍ଦ

ବିକ୍ରମି ଲକ୍ଷ୍ମଣ ମିଳେ କିସ୍କିନ୍ଧ୍ୟା କାନନ

୩୩ଶ ଛାନ୍ଦ

ବିଭୂଷା ଜଟା ମୁକୁଟ ବିଜେ ମାଲ୍ୟବନ୍ତ କୂଟ

୩୪ଶ ଛାନ୍ଦ

ବସନ୍ତ ସମୟ ଅତି ରସମୟ ରଭସ ପ୍ରବେଶ ଆସି ଯେ

୩୫ଶ ଛାନ୍ଦ

ବୁଧେ ଶୁଣିବା ହେଉ ସୁମତି

୩୬ଶ ଛାନ୍ଦ

ବସତି ସେ ବସନ୍ତର ସକଳ କାଳରେ

୩୭ଶ ଛାନ୍ଦ

ବୁଧେ ଶୁଣ ଏକ ଲୟେ

୩୮ଶ ଛାନ୍ଦ

ବଦନ ପୂରିଅଛି ହାସ ହରଷେ

୩୯ଶ ଛାନ୍ଦ

ବାତସୁତ ଶୁଭ୍ର ପକ୍ଷ ଉତ୍ତର

 

ସପ୍ତବିଂଶ ଛାନ୍ଦ

(ରାଗ – ଭୈରବ)

 

ବିଜୟୀ ଜଗତରେ କାତର ବିମନେ ।

ବିଜୟି ପଥେ ତୋଳିଲେ କଦମ୍ବ ସୁମନେ ।

ବୀର ହେଜେ କେଉଁ ଦିନ କରିବି ଦର୍ଶନ ।

ବିରହେ ଯେ ହୋଇଥିବ କପୋଳେ ଏସନ । । ୧ ।

 

ବିବସନ କରି ନଖ ଚାଳନ୍ତେ କିଞ୍ଚିତ ।

ବିବସରୁ ହେବ କି ଏ ରୂପେ ରୋମାଞ୍ଚିତ ?

ବଙ୍କିଳ ହରି ଖୋଜିଲେ ନ ପାଇ ବିମତି ।

ବଙ୍କିମ ନୟନା ମୋ ହୋଇଲା ଏହିମତି । । ୨ ।

 

ବିଚକ୍ଷଣ ହୋଇଲେ କି ହେବ ପରମ୍ପରା ।

ବିଚଳିତ ଦମ୍ଭ ଠାବ ନ କରିବି ପରା ।

ବିବେକ ଜାତରେ ପୁଷ୍ପ ପକାଇ ବେଗରେ ।

ବିବେଚନା କଲେ ଅଛି କର୍ବୁର ନଗରେ । । ୩ ।

 

ବହିଲେ କୋପ ଛେଦି ପକାଇ ଦେବି ଶିର ।

ବହିଲେ ପଥେ ଝମକ ପ୍ରକାଶି ଅସିର ।

ବିରାଧପର ଲକ୍ଷ୍ମଣ ଧୃତ ଧନୁଶର ।

ବିରାଜିଲେ ଋଷ୍ୟମୂକ ଗିରି ପାରୁଶର । । ୪ ।

 

ବବରଗତ ସୁଗ୍ରୀବ ଦେଖି ସେ ଉଭୟ ।

ବି-ବର ଲୋକନେ ଯଥା ପନ୍ନଗ ସଭୟ ।

ବଳିଷ୍ଠ କରି ପେଷିଛି ପାଞ୍ଚି ବେନିଚାର ।

ବଳିମୁଖରାଜେ ଯେଣୁ ଗିରି ଅପ୍ରଚାର । । ୫ ।

 

ବଧିବେ ମୋତେ ବିଚାରି ବେପଥୁ ରଚନ ।

ବଧିର ପ୍ରାୟେ ନ ଶୁଣେ ମନ୍ତ୍ରୀଙ୍କ ବଚନ ।

ବାଳିଶ କି ତୁମ୍ଭେ ତାକୁ କହେ ହନୁମାନ ।

ବାଳି ବିନା ପରାକ୍ରମେ କେ ଆମ୍ଭ ସମାନ ? ।। ୬ ।

 

୧ମ ପଦ :- ବିଜୟି -ଯାଉ ଯାଉ ।

୧ମ ପଦ :- ଏହି ଜଗତର ଏକମାତ୍ର ବିଜୟୀ ରାମଚନ୍ଦ୍ର ସୀତାଙ୍କ ଯୋଗୁଁ ମନଦୁଃଖରେ ବାଟରେ ଯାଉଁ ଯାଉଁ ଗୋଟିଏ କଦମ୍ବ ଫୁଲ ତୋଳିଲେ । ତାହାକୁ ହାତରେ ଧରି ମନେ ମନେ ଭାବିବାକୁ ଲାଗିଲେ, ‘ଆହା ! କେଉଁଦିନ ପ୍ରିୟାକୁ ଦେଖିବି ? ବିରହ ହେତୁ ତାଙ୍କର ଗଣ୍ତସ୍ଥଳ ତ ଏହି କଦମ୍ବଫୁଲ ପରି ହୋଇଥିବ, ଅର୍ଥାତ୍‌ ଲୋମରାଶି ଟାଙ୍କୁରି ଉଠିଥିବ ।’

୨ୟ ପଦ :- ବିବସନ- ଉଲଗ୍ନ । ବିବସ - ବିହ୍ୱଳା । ବଙ୍କିଳ – କଦମ୍ବ, ନାଡ଼ । ବିମତି - ବିଚଳିତମନା । ବଙ୍କିମ ନୟନା - ବାମାକ୍ଷୀ, ବକ୍ରନୟନା ।

୨ୟ ପଦ:- ରାମଚନ୍ଦ୍ର ପୁଣି ଭାବିବାକୁ ଲାଗିଲେ, ପ୍ରିୟାକୁ ଉଲଗ୍ନ କରି ତାର ଦେହରେ ଧୀରେ ଧୀରେ ନଖଦ୍ୱାରା ଆଘାତ କଲେ ସେ ବିହ୍ୱଳିତ ହୋଇ ଏହି କଦମ୍ବଫୁଲ ପରି ରୋମାଞ୍ଚିତ ହେବ କି ?’ ଏହିପରି ଭାବୁ ଭାବୁ ସେହି ଫଳରୁ ନାଡ଼ଟିକୁ ଛିଣ୍ତାଇ ଦେଇ ସେହି ଛିଣ୍ତାସ୍ଥାନକୁ ଖୋଜି ଖୋଜି ନ ପାଇବାରୁ ଅତିଶୟ ଦୁଃଖିତ ହୋଇ ଭାବିଲେ, ‘ମୋର ବକ୍ରଲୋଚନା ସୀତା ଏହିପରି ହେଲା । ଅର୍ଥାତ୍‌ ଏହିପରି ମୁଁ ତାକୁ ହରାଇ ଖୋଜୁ ଖୋଜୁ ଆଉ ମିଳିଲା ନାହିଁ ।

୩ୟ ପଦ :- ବିଚକ୍ଷଣ - ବୁଦ୍ଧିମାନ୍‌ ବା ସୁଚତୁର । ପରଂପରା - ପରିପାଟୀ । କର୍ବୁରନଗର –ରାକ୍ଷସପୁରୀ ।

୩ୟ ପଦ :- ‘ମୁଁ ଖୁବ୍‌ ବୁଦ୍ଧିମାନ୍‌ ହେଲେ ସୁଦ୍ଧା କଣ ହେବ ? ବର୍ତ୍ତମାନ ମୋର ଧୈର୍ଯ୍ୟଚ୍ୟୁତ ହୋଇଥିବାରୁ ପ୍ରତ୍ୟେକ ସ୍ଥାନ ଖୋଜି ତାଙ୍କୁ ଠାବ କରି ପାରିବି ନାହିଁ ପରା !’ ଏହି ସମୟରେ ତାଙ୍କର ସଦ୍‌ବୁଦ୍ଧି ଉଦୟ ହେବାରୁ ହଠାତ୍‌ ସେହି ଫୁଲକୁ ଫିଙ୍ଗିଦେଇ ବିଚାର କଲେ, ପ୍ରିୟା ତ ରାକ୍ଷସପୁରୀ ଲଙ୍କାରେ ଅଛି ।’

୪ର୍ଥ ପଦ :- ସଙ୍ଗେ ସଙ୍ଗେ କୋପାନ୍ୱିତ ହୋଇ ‘ତାହାର ମସ୍ତକ ଛେଦନ କରିବି’ - ଏହା କହି ଖଣ୍ତାକୁ ଖୋଳରୁ ବାହାର କରି ଅତି ଶୀଘ୍ର ବାଟ ଚାଲିବାକୁ ଲାଗିଲେ । (ସେଠାରୁ ଗମନ କଲେ ) । ଏହିପରି ଯାଉଁ ଯାଉଁ ସେହି ଧନୁଶରଧାରୀ ରାମ ଲକ୍ଷ୍ମଣ ଦୁହେଁ ଋଷ୍ୟମୁକ ପର୍ବତର ନିକଟରେ ପ୍ରବେଶ ହେଲେ ।

୫ମ ପଦ :- ବିବରଗତ - ଗାତରେ ପ୍ରବେଶ କରିବା । ବି-ବର - ପକ୍ଷୀଶ୍ରେଷ୍ଠ ଅର୍ଥାତ ଗରୁଡ଼ । ପନ୍ନଗ - ସର୍ପ । ବଳିମୁଖରାଜେ - ବାନରପତି ବାଳିର । ଅପ୍ରଚାର - ଅଗମ୍ୟ ।

୬ଷ୍ଠ ପଦ :- ବେପଥୁ - କମ୍ପନ । ବାଳିଶ -ମୁର୍ଖ ।

୫ମ ଓ ୬ଷ୍ଠ ପଦ :- ସାପମାନେ ଗରୁଡ଼କୁ ଦେଖି ଯେପରି ଭୟରେ ଅସ୍ଥିର ହୋଇ ଗାତ ଭିତରେ ପ୍ରବେଶ କରନ୍ତି, ସୁଗ୍ରୀବ ସେହିପରି ରାମ ଲକ୍ଷ୍ମଣଙ୍କୁ ଦେଖି ଭୟରେ ଅସ୍ଥିର ହୋଇ ଗାତ ଭିତରେ (ପର୍ବତ ଗୁମ୍ଫାରେ) ପ୍ରବେଶ କଲା । କାରଣ ସେ ମନେ କଲା, ‘ବାନର ରାଜା ବାଳୀ ଏହି ପର୍ବତରେ ପ୍ରବେଶ କରି ନ ପାରିବାରୁ ବନଶାଳୀ ଦୁଇଗୋଟି ଦୂତଙ୍କୁ ପଠାଇଅଛି; ଏ ଦୁହେଁ ମତେ ମାରି ପକାଇବେ ।’ ଏହି କଥା ଭାବି କମ୍ପିବାକୁ ଲାଗିଲା ଏବଂ କାଲପରି ମନ୍ତ୍ରୀମାନଙ୍କର କଥା ଶୁଣିଲା ନାହିଁ । ହନୁମାନ ତାକୁ କହିଲା, ‘‘ତୁମେ କଣ ମୁର୍ଖ ? ବାଳୀ ଛଡ଼ା ଆଉ କିଏ ଆମ୍ଭମାନଙ୍କ ସମାନ ଅଛି ଯେ ତୁମ୍ଭେ ଭୟ କରୁଛ ?’’

 

ବିଧୁରେ ଏ ପ୍ରଭା ଥିବ ଲକ୍ଷ୍ୟ ଯୋଖିବାରେ ।

ବିଧୁରେ ଏ ପ୍ରଭା ନାହିଁ ପୂର୍ଣ୍ଣେ ଦେଖିବାରେ ।

ବାନପ୍ରସ୍ଥ-ବେଶଧାରୀ ମନକୁ ନ ପାଇ ।

ବାନରପତିର ଚାର ହେବେ ଏ କିପାଇଁ ? । ୭ ।

 

ବଶୀଭୂତ ନୋହି ନଭମାର୍ଗେ ସ୍ୟନ୍ଦନରେ ।

ବସି ଯାଉଥିଲା ରାମା ଯୁକ୍ତ କ୍ରନ୍ଦନରେ ।

ବଲ୍ଲରୀ ପଶୁ-ପକ୍ଷୀଙ୍କି କରୁଥିଲା ସାକ୍ଷ୍ୟ ।

ବଲ୍ଲଭ ସେ ନାରୀର ହେବେ କି ସାରସାକ୍ଷ । । ୮ ।

 

ବିରହୀ ହେଲା ପରାୟ ଦିଶଇ ତନୁ ତ ।

ବିରଞ୍ଚି ରଚିବାରେ ସୁନ୍ଦରେ ଏହି ନୁତ ।

ବାଡ଼ବେୟସୁତ ଭାଷେ ସତ ଏ ତରକ ।

ବାର ଏତେ କନ୍ୟା ଯେଉଁ ନାମ ଉଚ୍ଚାରକ । । ୯ ।

 

ବିହି କଙ୍କବେଶେ ଯାଇ କେ ତୁମ୍ଭେ ପଚାର ।

ବିହିବ ସେ ତାହି ଯେବେ ହୋଇବ ପ୍ରଚାର ।

ବାହାର ହେବ ବଚନ ପ୍ରାକ୍ରମ ଭରସା ।

ବାହା ଧନୁ ଦେଖି ମଣି ଜିଣିପାରେ ରସା । । ୧୦ ।

 

୭ମ ପଦ :- ବିଧୁରେ – ବିଷ୍ଣୁଙ୍କଠାରେ, ଚନ୍ଦ୍ରଠାରେ । ବାନପ୍ରସ୍ଥ ବେଶଧାରୀ -ବନବାସୀ ବେଶଧାରୀ ବା ମୁନି ବେଶଧାରୀ ।

୭ମ ପଦ :- ‘‘ତୁଳନା କଲେ ଜଣାଯାଏ, ଏହିପରି ତେଜ କେବଳ ବିଷ୍ଣୁଙ୍କଠାରେ ଥାଇପାରେ କିନ୍ତୁ ପୂର୍ଣ୍ଣଚନ୍ଦ୍ରଠାରେ ସୁଦ୍ଧା ଦେଖାଯାଏ ନାହିଁ । ଏମାନେ ମୁନିବେଶ ଧାରଣ କରିଅଛନ୍ତି, କାହିଁକି ବାଳିର ଦୂତ ହେବେ ? ଏମାନେ ବାଳୀର ଦୂତ ଏହା ମୋର ମନକୁ ପାଉନାହିଁ ।’’

୮ମ ପଦ :- ବଶୀଭୁତ - ଅନୁରକ୍ତ । ନଭୋମାର୍ଗେ - ଆକାଶମାର୍ଗରେ । ସ୍ୟନ୍ଦନରେ - ରଥରେ । ବଲ୍ଲରୀ - ଲତା । ସାରସାକ୍ଷ- ରାଜୀବଲୋଚନ ।

୮ମ ପଦ :- ‘‘ସେଦିନ ନେଇ ଯାଉଥିବା ପୁରୁଷ ପ୍ରତି ‘ବଶୀଭୂତ’ ରାଜି ନ ହୋଇ ଆକାଶମାର୍ଗରେ ରଥରେ ବସି କାନ୍ଦି କାନ୍ଦି ଯାଉଥିବା ସୁନ୍ଦରୀ ସ୍ତ୍ରୀ ଲୋକଟି ଲତା, ପଶୁ, ପକ୍ଷୀମାନଙ୍କୁ ସାକ୍ଷୀ କରୁଥିଲା । ଏହି କମଳଲୋଚନ ସେହି ସ୍ତ୍ରୀର ବର ହେବେ କି ?’’

୯ମ ପଦ :- ବିରଞ୍ଚି - ବିଧାତା । ନୁତ - ପ୍ରଶଂସିତ । ବାଡ଼ବେୟସୂଚ - ନଳ ନାମକ ବାନର । ବାର -ବିଚାର ପୂର୍ବର ସ୍ଥିର କର ।

୯ମ ପଦ :- ‘‘ଏହାଙ୍କର ଦେହରୁ ଏ ବିରହୀ ହେଲାପରି ଦେଖା ଯାଉଛନ୍ତି ଏବଂ ବିଧାତା ରଚନା କରିବା ସୁନ୍ଦର ପୁରୁଷମାନଙ୍କ ମଧ୍ୟରେ ଏ ପ୍ରଶଂସିତ (ପ୍ରଧାନ) ଅଟନ୍ତି ।’’ ହନୁର ଏହିପରି ବିଚାର ଶୁଣି ନଳ କହିଲା, ‘‘ତୁମ୍ଭର ଏହି ‘ତର୍କ’ ବିଚାର ସତ୍ୟ ଅଟେ । ମାତ୍ର ଏତିକି ବାର (ଉଣ୍ତ), ସେ କନ୍ୟା ଯେଉଁ ନାମ କହୁଥିଲା, ଏମାନେ ସେହି ନାମଧାରୀ ଅଟନ୍ତି କି ନାହିଁ । ’’

୧୦ମ ପଦ :- କଙ୍କବେଶ - କପଟ ବ୍ରାହ୍ମଣ ବେଶ । ରସା - ପୃଥିବୀ । ବିହିବ -ବିଧାନ କରିବ ଅର୍ଥାତ କହିବ ।

୧୦ମ ପଦ :- ‘‘ହେ ହନୁମାନ, ତୁମ୍ଭେ ବ୍ରାହ୍ମଣ ବେଶ ଧାରଣ କରି ତାଙ୍କ ନିକଟକୁ ଯାଇ ‘ତୁମ୍ଭେ କିଏ’ ବୋଲି ପଚାର। ସେ ଯଦି ସେହି କଥା କହିବେ (ମୋର ସ୍ତ୍ରୀ ଚୋରି ଯାଇଛି; ମୁଁ ରାମ ଇତ୍ୟାଦି ) ତାହାହେଲେ ପ୍ରକାଶ ପାଇବ । ଏହାଙ୍କର ବାହୁ ଓ ଧନୁ ଦେଖି ମୁଁ ମନେ କରୁଛି, ଏ ପୃଥିବୀ ଜିଣି ପାରନ୍ତି ।’’

 

ବହନ କରି କପଟ ମୂରତି ବିଧାନ ।

ଚହତୁ ସେ କରୁଣାନିଧାନ ସନ୍ନିଧାନ ।

ବଦତି ବିହରୁଅଛ ଘୋର କାନନର ।

ବଦରିକା ତେଜି କିପା ନାରାୟଣ ନର । । ୧୧ ।

 

ବାହୁଜମୂର୍ତ୍ତି ତ ଜଟା ମୁକୁଟ ମଣ୍ଡନ ।

ବାହୁ ବହ ଶସ୍ତ୍ର ଇଚ୍ଛି କାହାର ଖଣ୍ଡନ ?

ବାଚକ ହୋଇଣ ପୁଚ୍ଛା କରୁଁ ରଘୁରାଣ ।

ବାଚସ୍ପତିକି ବ୍ରହ୍ମା କି ବୁଝାଇ ପୁରାଣ । । ୧୨ ।

 

ବହୁତ ବିଧାନେ ଦଶରଥଙ୍କ ତନୟ ।

ବହୁଁ ରାମ ଲକ୍ଷ୍ମଣ ନାମକୁ ସବିନୟ ।

ବିଶ୍ୱାମିତ୍ର ଆସି ନେଲେ ଯାଗକୁ ପଚାରି ।

ବିଶ୍ୱାମିତ୍ର ସୁବାହୁର ବିନାଶ ବିଚାରି । । ୧୩ ।

ବିଭାବସୁ-କୋଟି-ପ୍ରଭା ଶିବଧନୁ ଧରି ।

ବିଭା ହେଲୁଁ ସୀତା କି ଶୋଭିତା ବିମ୍ବାଧରୀ ।

ବନ୍ଦାରୁ ପରଶୁରାମ ଦର୍ପ ବିଭଞ୍ଜନ ।

ବନ୍ଦାନ୍ତେ ପ୍ରାତେ ଜନକ କରିଣ ରାଜନ । । ୧୪ ।

 

ବିଧାୟକ ବନଗତି ମନ୍ଥରା ମନ୍ଥିଲା ।

ବିଧାତା ଭାଲ ଲେଖନ ପ୍ରିୟା ଦୂର ଥିଲା ।

ବଞ୍ଚୁଥିଲୁଁ ଦିନ ପଞ୍ଚବଟୀରେ ବିହରି ।

ବଞ୍ଚକ ହରି ବଲ୍ଲଭୀ ଏ ଅଦ୍ଭୁତ ହରି । । ୧୫ ।

 

୧୧ଶ ପଦ :- ବହତୁ -ପଥିକ । ନରନାରାୟଣ -ବଦରିକାଶ୍ରମସ୍ଥ ଋଷିହୟ ।

୧୧ଶ ପଦ :- ଏହା ଶୁଣି ହନୁମାନ ଶୀଘ୍ର କପଟରୁପ ଧାରଣ କରି ସେହି ପଥିକ କରୁଣାସାଗର ରାମଚନ୍ଦ୍ରଙ୍କର ନିକଟବର୍ତ୍ତୀ ହୋଇ କହିଲା, ‘‘ହେ ନର, ହେ ନାରାୟଣ ! ତୁମ୍ଭେ ଦୁହେଁ ବଦରିକାଶ୍ରମ ଛାଡ଼ି କାହିଁକି ଏ ଘୋର ଅରଣ୍ୟରେ ଭ୍ରମଣ କରୁଅଛ ?’’

୧୨ଶ ପଦ :- ବାହୁଜ ମୂର୍ତ୍ତି - କ୍ଷତ୍ରିୟ ରୂପ । ବାଚସ୍ପତି - ବୃହସ୍ପତି ।

୧୨ଶ ପଦ :- ତୁମ୍ଭେ ଜଟା ଓ ମୁକୁଟ ଧାରଣ କରିଥିଲେ ମଧ୍ୟ କ୍ଷତ୍ରୀୟ ତ, ଅର୍ଥାତ ନିଶ୍ଚୟ କ୍ଷତ୍ରୀୟ । କାହାକୁ ମାରିବା ନିମିତ୍ତ ହସ୍ତରେ ଶସ୍ତ୍ର ଧାରଣ କରି ଅଛ, ମୁଁ ଏହି କଥା ପଚାରୁଅଛି ।’’ ବ୍ରହ୍ମା ବୃହସ୍ପତିଙ୍କୁ ପୁରାଣ ବୁଝାଇଲା ପରି ରାମଚନ୍ଦ୍ର କହିବାକୁ ଲାଗିଲେ, -

୧୩ଶ ପଦ :- ବିଶ୍ୱାମିତ୍ର -ଜଗତର ଶତ୍ରୁ ।

୧୩ଶ ପଦ :- ‘‘ରାଜା ଦଶରଥ ବେଦର ନିୟମାନୁସାରେ ଯାଗ ଆଦି ବହୁତ କାର୍ଯ୍ୟ କରିବାରୁ ତାହାଙ୍କର ପୁତ୍ର ରୂପରେ ଆମ୍ଭେ ଜନ୍ମଲାଭ କରି ରାମ ଓ ଲକ୍ଷ୍ମଣ ଏହି ଦୁଇ ନାମକୁ ଧାରଣ କରିଅଛୁ । ଯାଗ ବିନାଶକାରୀ ଜଗତର ଶତ୍ରୁ ସୁବାହୁ ରାକ୍ଷସର ବିନାଶ ଆମ୍ଭଦ୍ୱାରା ସାଧିତ ହେବ ଏହି କଥା ବିଚାର କରି ଆମ୍ଭର ପିତା ଦଶରଥକୁ ପଚାରି ବିଶ୍ୱାମିତ୍ର ଋଷି ଆମ୍ଭଙ୍କୁ ଯାଗସ୍ଥାନକୁ ନେଇ ଯାଇଥିଲେ । [ଅର୍ଥାତ୍‌ ଆମ୍ଭେ ସେଠାରେ ଉପସ୍ଥିତ ହୋଇ ଅସୁରକୁ ମାରି ଯାଗରକ୍ଷା କଲୁ ] ।

୧୪ଶ ପଦ :- ବିଭାବସୁ-କୋଟି- ପ୍ରଭା - କୋଟି ସୂର୍ଯ୍ୟକାନ୍ତି । ବନ୍ଦାରୁ - ସ୍ତୁତିପାଠକ ।

୧୫ଶ ପଦ :- ବଞ୍ଚକ ବିଲୁଆ - ପ୍ରତାରକ । ହରିବଲ୍ଲଭୀ - ସିଂହୀ ।

୧୪ଶ ଓ ୧୫ଶ ପଦ :- ‘‘ତତ୍ପରେ କୋଟିସୂର୍ଯ୍ୟବିନିନ୍ଦିତ କାନ୍ତି ଶିବଧନୁ ଧାରଣ କରି ପରମାସୁନ୍ଦରୀ ବିମ୍ୱୋଷ୍ଠୀ ସୀତାଙ୍କୁ ବିବାହ କଲୁଁ । ସୀତାଙ୍କୁ ଘେନି ଆସିବା ସମୟରେ ବାଟରେ ପର୍ଶୁରାମଙ୍କର ଦର୍ପଦଳନ କରିବାରୁ ସେ ଆମ୍ଭମାନଙ୍କୁ ସ୍ତୁତି କଲେ । ଦିନେ ପ୍ରଭାତ ସମୟରେ ପିତା ଆମ୍ଭଙ୍କୁ ରାଜା କରି ବନ୍ଦାଇବାକୁ ଇଚ୍ଛା ପ୍ରକାଶ କରନ୍ତେ, କୈକେୟୀଙ୍କର ଦାସୀ ମନ୍ଥରା ସେ କଥା ଭାଙ୍ଗି ଆମ୍ଭଙ୍କୁ ବନବାସ କରିବା ପାଇଁ ଆଦେଶ କରାଇଦେଲା । ଅର୍ଥାତ କୈକେୟୀ ଦାସୀଦ୍ୱାରା ପ୍ରେରିତ ହୋଇ ପିତାଙ୍କୁ ମନାଇ ଆମ୍ଭଙ୍କୁ ବନକୁ ପଠାଇଦେଲେ । ବିଧାତା ମୋର କପାଳରେ ପ୍ରିୟା ଅନ୍ତର ହେବ ବୋଲି ଲେଖିଥିଲା । ଆମ୍ଭେମାନେ ପଞ୍ଚବଟୀ ବନରେ ଆନନ୍ଦରେ ବିହାର କରି ଦିନ କଟାଉଥିଲୁ, କିନ୍ତୁ ସିଂହର ଗୃହିଣୀକୁ ଶୃଗାଳ ହରି ନେଲା ପରି, କୌଣସି ଏକ ‘ବଞ୍ଚକ’ ଠକ ମୋର ପ୍ରିୟତମାକୁ ହରଣ କରି ନେଲା, ଏହାହିଁ ଆଶ୍ଚର୍ଯ୍ୟ କଥା ।’’

 

ବିଲୋକନ କରାଇଲା ବିଚିତ୍ର କୁରଙ୍ଗ ।

ବିଲୋଳ ହୋଇ ତା ସଙ୍ଗେ କରିବାରୁ ରଙ୍ଗ ।

ବେଦନା ଅଗୋଚରରୁ ଜାତ ଅକଥିତ ।

ବେଦଚୋର ଶଙ୍ଖ ପ୍ରାୟ ସିନ୍ଧୁ ମଧ୍ୟେ ସ୍ଥିତ । । ୧୬ ।

 

ବିଚ୍ଛେଦୀ ଜାନକୀ ଅଛି ବୋଲି ଲଙ୍କାଦେଶ ।

ବିଚ୍ଛେଦୁଁ କବନ୍ଧ ବାହୁ କହିଲା ସନ୍ଦେଶ ।

ବିଂଶ ସଂଖ୍ୟା କର ଦଶ ସଂଖ୍ୟା ତା ଲପନ ।

ବିଷମ ବିଶିଖେ ମୋତେ କରିଛି ତାପନ । । ୧୭ ।

 

ବିଷମ ବିଶିଖେ ତାକୁ କରିବି ଅବଶ ।

ବିଂଶଭୁଜ ଦଶମୁଣ୍ଡ ଛେଦିବି ଅବଶ୍ୟ ।

ବିଗ୍ରହୁଁ ମୋ ଜୀବ ଭିନ୍ନ କରି ସେ ପ୍ରକଟ ।

ବିଗ୍ରହୁଁ ତା ଜୀବ ଭିନ୍ନ କରିବି ନିକଟ । । ୧୮ ।

 

ବିଭିନ୍ନ ଶିରେ କବନ୍ଧ ନୃତ୍ୟନ୍ତ ସମରେ ।

ବିଭୀତେ ପ୍ରାଣ ବିହୀନେ ଭ୍ରମେ ସେ ସମରେ ।

ବିକା ମୋର ପ୍ରାଣ ମନ ଜାନକୀ ପାଶରେ ।

ବିକାଶ ତୁମ୍ଭେ କେ ଭ୍ରମ ଏ ବନ ଦେଶରେ । । ୧୯ ।

 

ବଳବୁଦ୍ଧି ହେଲା ଯେଣୁ ରାମ ଦରଶନୁ ।

ବଳରିପୁସୋଦରଜ କହେ ପରସନ୍ନୁ ।

ବଳିମୁଖଶ୍ରେଷ୍ଠ ବାଳି ସୁଗ୍ରୀବ ସୋଦର ।

ବଳି ନାହିଁ ବଳେ ତାଙ୍କୁ ବେନି ବିବାଦର । । ୨୦ ।

 

ବନବାସୀ ସୁଗ୍ରୀବ ଏ ଗିରି ଅନୁସରି ।

ବନଧିରେ ମଇନାକ ଲୁଚିଲାର ସରି ।

ବହିଣୀତନୁଜ ମୁହିଁ ନାମ ହନୁମାନ ।

ବହିଣ ତାହାରେ ପ୍ରୀତି ରହେ ସାନୁ ମାନ । । ୨୧ ।

 

କୁରଙ୍ଗ -ମୃଗ । ବିଲୋଳ - ଚଞ୍ଚଳ । ବିଚ୍ଛେଦୁଁ - ଛେଦିବାରୁ ।

୧୬ଶ ପଦ :- ‘‘ସେହି ଠକ ପ୍ରଥମେ ଆମ୍ଭମାନଙ୍କୁ ଗୋଟିଏ ନାନାବର୍ଣ୍ଣରେ ଚିତ୍ରିତ ମୃଗ ଦେଖାଇଲା । ମୁଁ ଅତିଶୟ ଚଞ୍ଚଳ ହୋଇ ତାର ସଙ୍ଗେ ସଙ୍ଗେ ବିହାର କରିବାରୁ (ତାର ପଛେ ପଛେ ଦୌଡ଼ିବାରୁ) ଏହା ହେଲା, ଅର୍ଥାତ୍‌ ପ୍ରିୟା ବିଯୋଗ ଘଟିଲା । ବେଦଚୋର ଶଙ୍ଖାସୁର ବେଦକୁ ଚୋରି କରି ସମୁଦ୍ର ମଧ୍ୟରେ ରଖିଲା ପରି ଏହି ଚୋର ମୋର ପ୍ରିୟାକୁ ସମୁଦ୍ର ମଧ୍ୟରେ ଲୁଚାଇ ରଖିଛି । ମାତ୍ର ଏହି କଥା ଭଲରୁପେ ଜଣା ନ ପଡ଼ିବାରୁ ଅସହ୍ୟ ଯନ୍ତ୍ରଣା ଜାତ ହେଉଅଛି ।’’

୧୭ଶ ପଦ :- ଲପନ - ମୁଖ । ବିଷମବିଶିଖ - କନ୍ଦର୍ପ । ବିଷମ ବିଷିଖ- ସୁତୀକ୍ଷ୍‌ଣ ଶର ।

୧୮ଶ ପଦ :- ବିଗ୍ରହୁଁ - ଦେହରୁ, ଯୁଦ୍ଧ କରି ।

 

୧୭ଶ ଓ ୧୮ଶ ପଦ :- ‘‘ ଆମ୍ଭେ ଏହି ସ୍ଥାନକୁ ଆସିବାର ପଥରେ କବନ୍ଧ ନାମକ ରାକ୍ଷସଦ୍ୱାରା ଧୃତ ହେବାରୁ ତାହାର ବାହୁହୟ ଚ୍ଛେଦନ କଲୁ, ତହୁଁ ଶାପମୁକ୍ତ ହୋଇ ଆକାଶ ମାର୍ଗରେ ଯିବାବେଳେ ଏହି ସମ୍ବାଦ ଦେଲା ଯେ, ବିରହିଣୀ ସୀତା ଲଙ୍କା ଦେଶରେ ଅଛନ୍ତି । ତାଙ୍କୁ ଯେଉଁ ଲୋକ ଚୋରାଇ ନେଇଅଛି, ତାର କୋଡ଼ିଏ ଗୋଟି ହାତ ଓ ଦଶ ଗୋଟି ମୁଖ ଅଛି । ତାହାହେଲେ ସେହି ଲୋକ ମୋତେ କନ୍ଦର୍ପବାଣମାନଙ୍କ ହାରା ସନ୍ତାପିତ କରାଉଅଛି । ଏଣୁ ମୁଁ ମଧ୍ୟ ତାକୁ ଅତିଶୟ ମୁନିଆଁ ଶରମାନ ମାରି ଅସ୍ଥିର କରିବି ଏବଂ ତାର ବିଂଶହାତ ଓ ଦଶମୁଣ୍ତ ଅବଶ୍ୟ ଛେଦନ କରିବି । ସେ ମୋର ଦେହରୁ (ଅଙ୍କରୁ ) ଜୀବନ ତୁଲ୍ୟ ସୀତାଙ୍କୁ ପ୍ରକାଶ୍ୟ ଭାବରେ ଭିନ୍ନ କରିଅଛି, ମୁଁ ତାହାର ଦେହରୁ ‘ଜୀବ’ ପ୍ରାଣକୁ ସେହିପରି ଅତି ନିକଟରେ ବିଭିନ୍ନ କରାଇ ଦେବି । (ଅର୍ଥାତ୍‌ ତାର ମରଣ ବିଧାନ କରିବି) ।’’

୧୯ଶ ପଦ :- କବନ୍ଧ - ମସ୍ତକହୀନ ଶରୀର । ବିଭୀତେ - ନିର୍ଭୟରେ ।

୧୯ଶ ପଦ :- ‘‘ଯୁଦ୍ଧ କ୍ଷେତ୍ରରେ ମୁଣ୍ତହୀନ କବନ୍ଧ ଯେପରି ନୃତ୍ୟ କରୁଥାଏ - ଅର୍ଥାତ୍‌ ଇତସ୍ତତଃ ଧାବମାନ ହେଉଥାଏ, ‘ସେ ସମରେ’ ସେହିପରି ମୁଁ ଜୀବନ ତୁଲ୍ୟ ସୀତାଙ୍କୁ ହରାଇ କନ୍ଦର୍ପଠାରୁ ଅତିଶୟ ଭୟ ପ୍ରାପ୍ତ ହୋଇ ଇତସ୍ତତଃ ଭ୍ରମଣ କରୁଅଛି। କାରଣ ମୋର ମନ ଓ ପ୍ରାଣ ସୀତାଙ୍କ ନିକଟରେ ବିକା ହୋଇଅଛି । ହେ ବିପ୍ର ! ତୁମ୍ଭେ କିଏ ? କାହିଁକି ଏହି ବନ ପ୍ରଦେଶରେ ଭ୍ରମଣ କରୁଅଛ ପ୍ରକାଶ କର ।’’

୨୦ଶ ପଦ :- ବଳରିପୁସୋଦରଜ - ଇନ୍ଦ୍ରଙ୍କର ଭ୍ରାତୁଷ୍ପୁତ୍ର ଅର୍ଥାତ୍‌ ପବନର ପୁଅ ହନୁମାନ । ବଳିମୁଖଶ୍ରେଷ୍ଠ - ବାନର ଶ୍ରେଷ୍ଠ ।    

୨୧ଶ ପଦ :- ବନଧି- ସମୁଦ୍ର । ବହିଣୀ ତନୁଜ - ଭଣଜା । ସାନୁୟାନ - ପର୍ବତ ।

୨୦ଶ ଓ ୨୧ଶ ପଦ :- ରାମଙ୍କୁ ଦେଖି ହନୁମାନର ବଳ ବଢ଼ିଯିବାରୁ ସେ ଆନନ୍ଦିତ ହୋଇ କହିଲା, ‘‘ବାନର ଶ୍ରେଷ୍ଠ ବାଳି ଓ ସୁଗ୍ରୀବ ଦୁହେଁ ସହୋଦର ଭାଇ ଅଟନ୍ତି, ମାତ୍ର ସେ ଦୁହିଁଙ୍କ ମଧ୍ୟରେ ବିବାଦ ହେବାରୁ ମୈନାକ ପର୍ବତ ସମୁଦ୍ରକୁ ଆଶ୍ରୟ କରି ରହିଲା ପରି, ସୁଗ୍ରୀବ ଏହି ପର୍ବତକୁ ଆଶ୍ରୟ କରି ରହିଅଛି । ଅର୍ଥାତ୍‌ ବାଳି ଭୟରେ ଏଠାରେ ଲୁଚିଅଛି । ମୁଁ ତାର ଭଉଣୀର ପୁତ୍ର (ଭଣଜା) ହନୁମାନ, ତାହାଠାରେ ସ୍ନେହ ବହି ତା ସହିତ ପର୍ବତରେ ରହିଅଛି ।’’

 

ବିଜେ କର ଘନଶ୍ୟାମ ସେ ହେଉ ସାରଙ୍ଗ ।

ବିଜେ ତୁମ୍ଭ କୃପାଜଳ ବଶେ କରୁ ରଙ୍ଗ ।

ବିଧୁକରେ ମହୋଜ୍ୱ୍ୱଳ ଯେମନ୍ତ ରଜନୀ ।

ବିଧୁପ୍ରଭା ଅଧିକ ରଜନୀ ହେଲେ ଜନି । । ୨୨ ।

 

ବ୍ୟବସ୍ଥିତେ ପଡ଼ିଅଛି ସେହି କାଳ ସାର ।

ବ୍ୟବହାରେ ହେବ ଏବେ ବିଖ୍ୟାତ ସଂସାର ।

ବିଲୋମେ ପଦ୍ମଲୋଚନ ଭାଷେ ଭାରତୀକି ।

ବିଲୋକ କରିବା ଧର ନିଜ ମୁରତିକି । । ୨୩ ।

 

ବହୁ ବୀର ଶାଖା ମୃଗ ତନୁ ତତ୍‌ପର ।

ବହୁତ ଆନନ୍ଦ ଚାହିଁ ହେଲେ ଖରପର ।

ବିଭୁ ଜଗତର ଚାହିଁ ପୁଚ୍ଛିଲେ ଝଟିତ ।

ବିଭୂଷଣ କପି ହୋଇ ଦିବ୍ୟ କିରୀଟି ତ । । ୨୪ ।

 

ବ୍ରହ୍ମାବରେ ପାଇଛି ମୁଁ ପବନତନୟ ।

ବ୍ରହ୍ମାଣ୍ଡନାଥ ଶୁଣ ହେ ବୋଲି ସବିନୟ ।

ବାର ବାର ପଦ୍ମପାଦେ ବିହି ଦଣ୍ଡବତ ।

ବାରଣତ୍ରାଣଙ୍କୁ ଘେନି ଗଲା ପରବତ । । ୨୫ ।

 

୨୨ଶ ପଦ :- ଘନଶ୍ୟାମ - ଶ୍ୟାମମୂର୍ତ୍ତି, ନୀଳମେଘ । ସାରଙ୍ଗ - ଚାତକପକ୍ଷୀ । ବି- ପକ୍ଷୀ । ବିଧୁକର - ଚନ୍ଦ୍ରକିରଣ । ରଜନୀ - ରାତ୍ରି । ଜନି - ଜାତହେବୀ ।

 

୨୩ଶ ପଦ :- ବିଲୋମେ- ଲୋମଶୂନ୍ୟ, ଛଦ୍ମ ଦ୍ୱିଜବେଶଧାରୀ ହନୁମାନକୁ । ଭାରତୀ -ବଚନ ବା କଥା ।

୨୨ଶ ଓ ୨୩ଶ ପଦ :- ‘‘ ହେ ଘନଶ୍ୟାମ ! ଆପଣ ‘ଶ୍ୟାମ ଘନ’ ସଦ୍ୟ ବର୍ଷଣକାରୀ କୃଷ୍ଣ ମେଘ ପରି ସେହି ପର୍ବତକୁ ବିଜେ କରନ୍ତୁ । (ବର୍ଷୁକ ମେଘ ହଠାତ୍‌ପର୍ବତ ଶିଖରକୁ ଆବୃତ କରିଥାଏ) । ସେହି ସୁଗ୍ରୀବ ଚାତକ ହେଉ । ଚାତକପକ୍ଷୀ ବର୍ଷାଜଳ ପାଇ ଯେପରି ଆନନ୍ଦରେ କ୍ରୀଡ଼ା କରେ, ଏହି ସୁଗ୍ରୀବଚାତକ ସେହିପରି ଆପଣଙ୍କର କୃପାରୂପ ଜଳକୁ ପ୍ରାପ୍ତ ହୋଇ ଆନନ୍ଦରେ କ୍ରୀଡ଼ା କରୁ । ଚନ୍ଦ୍ରକିରଣ ଯୋଗୁଁ ରାତ୍ରିରେ ଯେପରି ଉଜ୍ଜ୍ୱଳତା ଓ ରାତ୍ରି ଯୋଗୁ ଚନ୍ଦ୍ରକିରଣରେ ଯେପରି ଉଜ୍ଜ୍ୱଳତା ଜାତ ହୁଏ, ବର୍ତ୍ତମାନ ସେହିପରି ଶୁଭସମୟ ଉପସ୍ଥିତ ହୋଇଅଛି । ଏହି ଉତ୍ତମ ସମୟକୁ ବ୍ୟବହାର କଲେ [ସୁଗ୍ରୀବ ସହ ବର୍ତ୍ତମାନ ଆପଣଙ୍କର ମିଳନ ହେଲେ] ସଂସାରରେ ଖ୍ୟାତି ଲାଭ ହେବ । ଆପଣ ସୁଗ୍ରୀବ ସହିତ ‘ପୂର୍ଣ୍ଣ ପ୍ରାଣରେ’ ଖୋଲାମନରେ ମିଳିତ ହେଲେ ଜଗତରେ ଆପଣ ଦୁହେଁ ହିଁ ପ୍ରକୃତମିତ୍ର ବୋଲି ଖ୍ୟାତି ଲାଭକରିବେ] ।’’ ଏହା ଶୁଣି ରାମଚନ୍ଦ୍ର, କହିଲେ, ‘‘ହେ ‘ଲୋମଶୂନ୍ୟ’ ମନୁଷ୍ୟ ଦେହଧାରୀ ! ତୁମ୍ଭେ ନିଜର ରୁପକୁ [ମର୍କଟ ରୁପକୁ] ଧାରଣକର, ଦେଖିବା ।’’ ଅଥବା ପଦ୍ମଲୋଚନ ରାମଚନ୍ଦ୍ର ବ୍ୟଙ୍ଗ ଉକ୍ତିରେ କହିଲେ,‘‘ତୁମ୍ଭେମାନେ ନିଜ ନିଜର ସ୍ୱଭାବିକ ରୁପକୁ ଧର ଅର୍ଥାତ୍‌ ତୁମ୍ଭର ଏହି କପଟ ମନୁଷ୍ୟ ରୂପକୁ ଦେଖି ମନେ ହୁଏ, ତୁମ୍ଭର କଥା ମଧ୍ୟ କପଟରେ ପୂର୍ଣ୍ଣ ହୋଇଥିବ ଏବଂ ଯାହାଙ୍କ କଥା ପ୍ରକାଶ କରୁଅଛ ସେ ମଧ୍ୟ ତୁମ୍ଭପରି କପଟୀ ହୋଇଥିବେ । ଅତଏବ ତୁମ୍ଭେମାନେ ସମସ୍ତ କପଟ ତ୍ୟାଗକରି ସ୍ୱାଭାବିକ ଆକାର ଓ ପ୍ରକୃତି ଧାରଣ କର । ଦେଖିବା [ତୁମ୍ଭମାନଙ୍କର ରୂପକୁ ଦେଖିବା ] ବା ତୁମ୍ଭମାନଙ୍କସହ ମିତ୍ର ହେବା କଥା ବିଚାର କରିବା’’ ।

 

୨୪ଶ ପଦ :- ଶାଖାମୃଗ -ବାନର । ତନୁ - ଦେହ । ତପୁର - ଆସକ୍ତ । ଖରପର - ଖରାରାକ୍ଷସର ଶତ୍ରୁ ରାମଚନ୍ଦ୍ର । କିରୀଟି- ମୁକୁଟ ।

 

୨୪ଶ ପଦ :- ଏହା ଶୁଣି ସେହି ବୀର ହନୁମାନ ହଠାତ୍‌ ମର୍କଟ ଦେହକୁ ଧାରଣ କରନ୍ତେ, ଖର ରାକ୍ଷସର ଶତ୍ରୁ ଜଗତର ପ୍ରଭୁ ରାମ ତାକୁ ଦେଖି ଅତିଶୟ ଆନନ୍ଦିତ ହୋଇ ପଚାରିଲେ, ‘‘ତୁମ୍ଭେ ମର୍କଟ ହୋଇ ସ୍ୱର୍ଗୀୟ କିରୀଟିରେ କାହିଁକି ମଣ୍ଡିତ ହୋଇଅଛ । ଅର୍ଥାତ୍‌ ତୁମ୍ଭେ ମାଙ୍କଡ଼ ହୋଇ କୀରାଟି କାହିଁକି ପିନ୍ଧିଛ ?’’

 

୨୫ଶ ପଦ :- ପବନତନୟ - ହନୁମାନ । ବାରଣତ୍ରାଣଙ୍କୁ - ଗଜୋଦ୍ଧାରୀ ରାମଚନ୍ଦ୍ରଙ୍କୁ ।

 

୨୫ଶ ପଦ :- ଏହି ପ୍ରଶ୍ନର ଉତ୍ତରରେ ହନୁମାନ କହିଲା, ‘‘ହେ ବ୍ରହ୍ମାଣ୍ଡର ଅଧିପତି । ଶୁଣ, ମୁଁ ପବନଙ୍କର ପୁତ୍ର, ବ୍ରହ୍ମାଙ୍କବରରେ ଏହି ମୁକୁଟ ପାଇଅଛି । ତତ୍ପରେ ତାଙ୍କର ପଦ୍ମପାଦରେ ବାରମ୍ବାର ଦଣ୍ଡବତ କରି ଗଜ ଉଦ୍ଧାରକର୍ତ୍ତା ରାମଚନ୍ଦ୍ରଙ୍କୁ ୠଷ୍ୟମୂକ ପର୍ବତକୁ ଘେନିଗଲା ।

 

ବୋଧି ମାତୁଳକୁ ରାମ ପାଶେ ଭେଟାଇଲା ।

ବୋଧିଦ୍ରୁମ ତଳେ ପ୍ରବାଳରେ ବସାଇଲା ।

ବିକଶିତ କଲେ ରାମ ବେଗେ ସ୍ୱଚରିତ ।

ବିକର୍ତ୍ତନସୁତ ପୁନଃ କଥିତ ତ୍ୱରିତ । । ୨୬ ।

 

ବିଧିବଶେ ୠକ୍ଷରାଜା ପଶି ସ୍କନ୍ଦବନେ ।

ବିଧିରେ ହୋଇଣ ସ୍ତିରୀସ୍ୱରୂପ ଜବନେ ।

ବୃଷା, ଭାନ ଯାଉଁ ବିଧାତାକୁ ସଂଖୋଳିତ ।

ବୃଷାଳ ଉରୁକୁ ଦେଖି ରେତହିଁ ସ୍ଖଳିତ । । ୨୭ ।

 

ବାଳ ଗ୍ରୀବେ ପତନେ ପତନ ହେଲୁଁ ମହୀ ।

ବାଳ ବେନି ଖ୍ୟାତ ବାଳି ସୁଗ୍ରୀବ ନମହିଁ ।

ବନରୁ ଉଦ୍ଭବ ସମର୍ପିଲେ ଖଡ଼ଦରେ । । ୨୮ ।

 

ବସୁଁ ରାଜା ଯୁବରାଜପଦେ କିସ୍କିନ୍ଧ୍ୟାରେ ।

ବସୁଧାରେ ବାଳି ସମ ନାହିଁ କେ ଯୋଦ୍ଧାରେ ।

ବାରିକବନ୍ଧୁ ଉଦେକୁ ଏଡ଼େ ବୀରପଣ ।

ବାରିଧି ଚାରିରେ କରି ଆସଇ ତର୍ପଣ । । ୨୯ ।

 

ବାତକୀ ପରାୟେ ରିପୁ ଦର୍ଶନେ ଥରିତ ।

ବାତ ପୁଷ୍ପଗନ୍ଧ ପ୍ରାୟେ ବଳାର୍ଦ୍ଧ ହରିତ ।

ବାଦନ ନ କଲେ ସ୍ୱର୍ଗେ ଦେହତା ଦୁନ୍ଦୁଭି ।

ବାଦ ତରିବ ବିଚାରି ଶୁଣିଲେ ଦୁନ୍ଦୁଭି । । ୩୦ ।

 

୨୬ଶ ପଦ :- ମାତୁଳ - ମାମୁ । ବୋଧିଦ୍ରୂମ - ଅଶ୍ୱତ୍‌ଥ ବୃକ୍ଷ । ପ୍ରବାଳ - କଅଁଳିଆପତ୍ର । ବିକର୍ତ୍ତନ ସୁତ - ସୁଗ୍ରୀବ ।

 

୨୬ଶ ପଦ :- ହନୁମାନ ପର୍ବତ ଉପରିସ୍ଥ ଏକ ଅଶ୍ୱତ୍‌ଥ ବୃକ୍ଷ ତଳେ କେତେଗୁଡ଼ିଏ କଅଁଳିଆ ପତ୍ର ବିଛାଇ ରାମଚନ୍ଦ୍ରଙ୍କୁ ବସାଇ ମାମୁଁ ସୁଗ୍ରୀବକୁ ଉପରୋକ୍ତ କଥା ପ୍ରକାଶ ପୂର୍ବକ ବୁଝାଇ ତାଙ୍କ ନିକଟରେ ଭେଟାଇଲା । ଏହାପରେ ରାମଚନ୍ଦ୍ର ନିଜର ଚରିତ (ନିଜର ଜନ୍ମଠାରୁ ସୀତା ହରଣ ପର୍ଯ୍ୟନ୍ତ କଥା) ପ୍ରକାଶ କଲେ ଓ ସୁଗ୍ରୀବ ମଧ୍ୟ ନିଜର ଚରିତ କହିବାକୁ ଲାଗିଲେ ।

 

୨୭ଶ ପଦ :- ବିଧିବଶେ - ଦୈବଯୋଗେ । ଜବନା - ଶୀଘ୍ର । ବୃଷା - ଇନ୍ଦ୍ର । ଭାନୁ - ସୂର୍ଯ୍ୟ । ବୃଷାଳଉରୁ - ବିଶାଳ ଜଙ୍ଘ ।

୨୭ଶ ପଦ :- ‘‘ୠକ୍ଷ ନାମକ ଜଣେ ରାଜା ସ୍କନ୍ଦ ନାମକ ଏକ ବନ ମଧ୍ୟରେ ପ୍ରବେଶ କରିବାରୁ ନିୟମାନୁସାରେ ହଠାତ୍‌ ସ୍ତ୍ରୀ ରୂପ ଧାରଣ କଲେ । ପୂର୍ବ କାଳରେ ପାର୍ବତୀ ନିଜ ପୁତ୍ର କାର୍ତ୍ତିକେୟଙ୍କ ନାମରେ ଏକ ଉପବନ ପ୍ରତିଷ୍ଠା କରି ନିୟମ କରିଥିଲେ ଯେ, ବିନା ଅନୁମତିରେ ଏହି ଉପବନରେ ଯେ ପ୍ରବେଶ କରିବ, ସେ ସ୍ତ୍ରୀ ରୂପ ଧାରଣ କରିବ । ସେହି ସମୟରେ ଇନ୍ଦ୍ର ଓ ସୂର୍ଯ୍ୟ ବ୍ରହ୍ମାଙ୍କୁ ସଙ୍ଖୋଳିବା ପାଇଁ ଶୂନ୍ୟରେ ସେହି ବାଟ ଦେଇ ଯାଉ ଯାଉ ସେହି ସ୍ତ୍ରୀର ଅତି ଉନ୍ନତ ଉରୁ ଦ୍ୱୟକୁ ଦେଖିବାରୁ ତାହାଙ୍କର ବୀର୍ଯ୍ୟ ପତିତ ହେଲା ।’’

 

୨୮ଶ ପଦ :- ବାଳଗ୍ରୀବେ - ବାଳରେ ଓ ଗ୍ରୀବାରେ । ବନରୁ ଉଦ୍ଭବ - ବ୍ରହ୍ମା ।

 

୨୮ଶ ପଦ :- ସେହି ବୀର୍ଯ୍ୟ ଯଥାକ୍ରମେ ବାଳ ଓ ଗ୍ରୀବଦେଶରେ ପଡ଼ିବାରୁ ଅର୍ଥାତ୍‌ ଇନ୍ଦ୍ରଙ୍କର ବୀର୍ଯ୍ୟ ମୁଣ୍ଡବାଳରେ ଓ ସୂର୍ଯ୍ୟଙ୍କର ବେକରେ ପଡ଼ିଥିବାରୁ ଆମ୍ଭେ ଦୁଇଗୋଟି ବାଳକ ରୂପ ଧାରଣ କରି ସଙ୍ଗେ ସଙ୍ଗେ ପୃଥିବୀରେ ପତିତ ହେଲୁଁ ଏବଂ ବାଳି ଓ ସୁଗ୍ରୀବ ନାମରେ ଖ୍ୟାତ ହେଲୁଁ । ତତ୍ପରେ ବ୍ରହ୍ମା ପାର୍ବତୀଙ୍କର ସେହି ସ୍କନ୍ଦବନରୁ ଆମ୍ଭ ଦୁହିଁଙ୍କୁ ଅତି ଆଦରରେ ଉଦ୍ଧାର କରି ଖଡ଼ଦ ନାମକ କିସ୍କିନ୍ଧ୍ୟାରେ ରାଜାଙ୍କୁ ସମର୍ପଣ କଲେ ।’’

 

୨୯ଶ ପଦ :- ବାରଜବନ୍ଧୁ - ସୂର୍ଯ୍ୟ । ବାରିଧି - ସୁମଦ୍ର ।

 

୨୯ଶ ପଦ :- ‘‘କିଛିଦିନ ପରେ ଆମ୍ଭେ ଦୁହେଁ କିସ୍କିନ୍ଧ୍ୟାରେ ଯଥାକ୍ରମେ ରାଜା ଓ ଯୁବରାଜ ପଦରେ ବସିଲୁଁ ଅର୍ଥାତ ବାଳି ରାଜା ଓ ମୁଁ ଯୁବରାଜ ହେଲି । ଏହି ପୃଥିବୀରେ ବାଳି ସମାନ ବୀର କେହି ନାହାଁନ୍ତି । ସେ ଏପରି ବୀର ଯେ, ସୂର୍ଯ୍ୟ ଉଦୟ ହେବାବେଳକୁ ଚାରି ସମୁଦ୍ରର ଜଳରେ ତର୍ପଣ କରି ଫେରିଆସେ ।’’

 

୩୦ଶ ପଦ :- ବାତକୀ - ବାତରୋଗୀ ।

୩୦ଶ ପଦ :- ‘‘ତାହାକୁ ଦେଖିଲେ ଶତ୍ରୁମାନେ ବାତରୋଗୀ ଥରିଲା ପରି ଥରନ୍ତି ଏବଂ ପବନ ଯେପରି ଫୁଲକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ସେଥିରୁ ଗନ୍ଧ ହରଣ କରେ, ବାଳି ସେହିପରି ଶତ୍ରୁକୁ ଦେଖିବା ମାତ୍ରେ ତାଠାରୁ ଅଧେ ବଳ ହରଣ କରି ନିଏ । ପୂର୍ବକାଳରେ ଦୁନ୍ଦୁଭି ନାମରେ ଏକ ରାକ୍ଷସ ଥିଲା । ସେ ଦୁନ୍ଦୁଭି ନାମକ ବାଦ୍ୟର ଶବ୍ଦ ଶୁଣିବା ମାତ୍ରେ ଯୁଦ୍ଧକୁ ବାହାର ହେଉଥିଲା । ତେଣୁ ଦେବତାମାନେ ସ୍ୱର୍ଗରେ ଦୁନ୍ଦୁଭି ବଜାଉ ନ ଥିଲେ, କାରଣ ସେମାନେ ମଧ୍ୟ ଦୁନ୍ଦୁଭି ସହ ବିବାଦ କରିବାକୁ ଭୟ କରୁଥିଲେ ।’’

 

ବାହାସ୍ଫୋଟ ମାରିବାକୁ ସୁମେରୁ ପର୍ବତେ ।

ବାହାରୁ ସେ ଦୈତ୍ୟ ଭୟେ ସ୍ତୁତିରେ ପ୍ରବର୍ତ୍ତେ ।

ବିଭ୍ରାଟ ପାରିଲେ ରତ କପୀଶେ ସଂଗ୍ରାମ ।

ବିଭାବରୀଚର ଶୁଣି ଭାଙ୍ଗିଲା ଏ ଗ୍ରାମ । । ୩୧ ।

 

ବିଧାନେ ମଦାନ୍ଧକରୀ ସେ ଏ ହରିବର ।

ବିଧା ପ୍ରହାର ଉଚିତେ ପ୍ରକଟ ଭାବର ।

ବଳୀ ଗର୍ବ ଖର୍ବ ହୋଇ ଏତେକେ ଦଇତ ।

ବଳିବର୍ଦ୍ଦ ରୂପ ଧରି ହେଉଁ ପଳାୟିତ । । ୩୨ ।

 

ବାମ ଯାରେ ଇନ୍ଦ୍ରସୁତ କାହିଁ ତା ରକ୍ଷଣ ?

ବାମକରେ ପାଦ ଧରି ବୁଲାଉଁ ତତ୍‌କ୍ଷଣ ।

ବିସର୍ଜିଲା ପ୍ରାଣ ନାସାରନ୍ଧ୍ରେ ଜାତ ରକ୍ତ ।

ବିପତିତେ ମାତାଙ୍କ ଆଶ୍ରମେ ସେ ବିରକ୍ତ । । ୩୩ ।

 

ବିହିତ ମଣି ଅମହିତ ସେ ରୋଷିଲେ ।

ବିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ ।

ବହି ଶବ ତାହା ଜାଣି ଆଣି ଏ ନିକଟେ ।

ବହିତ୍ର ଯେମନ୍ତ ସ୍ଥିତ ସମୁଦ୍ରେ ପ୍ରକଟେ । । ୩୪ ।

 

ବଳାହକୁଁ ପୃଥୁ ତୁଙ୍ଗ ନ ଭେଦେ ଭିଦୁର ।

ବଳାତ୍କରେ ବାଳି କେଡ଼େ ବହି ଏତେ ଦୂର ।

ବଡ଼ କ୍ରୋଧେ ତା ଭ୍ରାତ ମାୟାବୀ ଆଗତରେ ।

ବଡ଼ଭୀ ପ୍ରସାଦ ଭାଙ୍ଗି ନଗରୁ ସତ୍ୱରେ । । ୩୫ ।

 

୩୧ଶ ପଦ :- ବିଭବରୀତର - ରାକ୍ଷସ ।

 

୩୧ଶ ପଦ :- ‘‘ସେହି ଦୁନ୍ଦୁଭି ଦୈତ୍ୟ ଦିନେ ସୁମେରୁ ପର୍ବତରେ ବାହାସ୍ଫୋଟ ମାରିବାକୁ ବାହାରିବାରୁ, ସେହି ସୁମେରୁ ଅତିଶୟ ଭୀତ ହୋଇ ସ୍ତୁତିପାଠପୂର୍ବକ କହିଲା;- ହେ ବୀର, ତୁମ୍ଭେ ଯଦି ସମର୍ଥ ଅଟ, ତାହାହେଲେ ବାନରରାଜ ବାଳିଙ୍କ ସଙ୍ଗରେ ତୁମୁଳ ଯୁଦ୍ଧ ଆରମ୍ଭ କର, (ମୋ ଭଳି - ଅସମର୍ଥ ସହ ଯୁଦ୍ଧ କଲେ ଯଶଃ ନ ମିଳି ନିନ୍ଦା ମିଳିବ) । ତାହାର ଏହିପରି କଥା ଶୁଣି ସେହି ରାକ୍ଷସ ଫେରି ଆସି କିସ୍କିନ୍ଧ୍ୟାକୁ ଭାଙ୍ଗିଲା ।’’

 

୩୨ଶ ପଦ :- ମଦା କାରୀ - ମଦମତ୍ତ ହସ୍ତୀ । ହରିବର - ସିଂହରାଜ । ବଳିବର୍ଦ୍ଧ - ବଳଦ ।

 

୩୨ଶ ଓ ୩୩ଶ ପଦ :- ‘‘ପ୍ରକୃତରେ ସେହି ରାକ୍ଷସ ମତ୍ତହସ୍ତୀ ତୁଲ୍ୟ ଓ ବାଳି ସିଂହ ତୁଲ୍ୟ ପରକ୍ରମଶାଳୀ ଅଟନ୍ତି, ସୁତରାଂ ବାଳି ତାହାକୁ ଏକମାତ୍ର ବିଧା ପ୍ରହାର କରିବାରୁ ସେ ଦୀର୍ଘରଡ଼ି ଛାଡ଼ିଲା ଏବଂ ସେହି ଗୋଟିକ ବିଧା ଦ୍ୱାରା ସେହି ବଳବାନ ରାକ୍ଷସର ଗର୍ବ ଖର୍ବ ହୋଇଯିବାରୁ ସେ ବଳଦ ରୂପ ଧରି ପଳାଇଗଲା । ଇନ୍ଦ୍ରପୁତ୍ର ବାଳି ଯାହାର ଶତ୍ରୁ ହେବ, ତାକୁ ରକ୍ଷା କରିବାକୁ ଆଉ କିଏ ଅଛି ? ରାକ୍ଷସ ଏହିପରି ପଳାଇବାର ଦେଖି ବାଳି ହଠାତ୍‌ ତାହାର ପାଦକୁ ବାମହସ୍ତରେ ଧରି ବୁଲାଇବାରୁ ସେ ପ୍ରାଣତ୍ୟାଗ କଲା । ଏହି ସମୟରେ ତାହାର ନାକପୁଡ଼ାରୁ ବାହାରୁ ଥିବା ରକ୍ତ ଛିଟିକି ମାତଙ୍କ ୠଷିଙ୍କ ଆଶ୍ରମରେ ପଡ଼ିବାରୁ ସେ କୁପିତ ହେଲେ ।’’

 

୩୪ଶ ପଦ :- ‘‘ସେହି ୠଷି ଦେବତାମାନଙ୍କର ହିତକର ଦୁନ୍ଦୁଭିର ମରଣକୁ ଅହିତ ମନେ କରି ବାଳିକୁ ‘ତୁ ଏହି ପର୍ବତକୁ ଆସିଲେ ତୋର ମରଣ ହେବ, ଏହି ଶାପ ପ୍ରଦାନ କଲେ । ବାଳି ଏହି ଶାପ ବୃତ୍ତାନ୍ତ ଜାଣିପାରି ସେହି ଦୁନ୍ଦୁଭିର ମୃତଦେହକୁ ବହି ଆଣି ଏହି ପର୍ବତର ନିକଟରେ ପକାଇ ଦେଲା । ସମୁଦ୍ରରେ ବୋଇତ ରହିଥିଲେ ଯେପରି ଦେଖାଯାଏ, ଦୁନ୍ଦୁଭିର ମୃତ ଦେହ ଏଠାକୁ ସେହିପରି ଦେଖାଯାଉଛି ।’’

 

୩୫ଶ ପଦ :- ବଳାହକ - ପର୍ବତ । ପୃଥୁ - ମୋଟା । ତୁଙ୍ଗ - ଉଚ୍ଚ । ଭିଦୁର - ବଜ୍ରାବଡଭୀ- ଚନ୍ଦ୍ରଶାଳା ପୁର । ପ୍ରାସାଦ – ଅଟ୍ଟାଳିକା ।

 

୩୫ଶ ପଦ :- ‘‘ଦୁନ୍ଦୁଭିର ଯେଉଁ ମୃତଦେହ ପର୍ବତଠାରୁ ଅଧିକ ମୋଟା ଓ ଉଚ୍ଚା, ଯାହାକୁ ବଜ୍ରସୁଦ୍ଧା ଭେଦ କରିପାରେ ନାହିଁ, ବାଳି ତାକୁ ବଳପୂର୍ବକ ଏଠାକୁ ବହି ଆଣିଅଛି, ସୁତରାଂ ସେ କେତେ ବୀର ଅନୁମାନ କରନ୍ତୁ । ପରେ ତାର ଭାଇ ମାୟାବୀ ଭ୍ରାତୃବଧ ବାର୍ତ୍ତା ଶୁଣି ଅତି କ୍ରୋଧରେ କିସ୍କିନ୍ଧ୍ୟା ଆକ୍ରମଣ କରି ନଗରରେ ଥିବା ରାଜାଙ୍କ ଚନ୍ଦ୍ରଶାଳାପୁର ଓ ଅନ୍ୟାନ୍ୟ ପକ୍‌କା ଘର ସବୁ ଭାଙ୍ଗି ପକାଇଲା ।’’

 

ବର ସେ ଯୋଦ୍ଧାରେ ମରାମରି ତଳେ ତଳେ ।

ବରଷେ ଯୁଝି କଢ଼ାଇ ନେଇ ରସାତଳେ ।

ବିଳଦ୍ୱାରେ ଦୈତ୍ୟ ନାଶେ ବାହାର ରୁଧିର ।

ବିକସେ ଚିତ୍ତରେ ବାଳି ବିନାଶ ଅଧୀର । । ୩୬ ।

 

ବସୁଧାଭୃତରେ ପାତି ଆସିଲୁଁ ବିବର ।

ବସୁଁ ଅଭିଷେକେ ମୁହିଁ ମିଳେ କପିବର ।

ବାଳାକୁ ମୋ କୋଳୁଁ ଧରି ରଚି ନିଧୁବନ ।

ବାଳାକର୍ଷିବାରେ ନେଉଥିଲା ମୋ ଜୀବନ । । ୩୭ ।

 

ବିକଳ ହୋଇ ପଳାଉଁ ଗୋଡ଼ାଇ ଚରମେ ।

ବିକଳେ ଲୋକାଲୋକ ଡ଼େଇଁଲି କି ଧରମେ ?

ବାହୁଡ଼ିଥିବ ସେଠାରୁ ନିଜ କଟକର ।

ବାହୁଜବର ମୁଁ ପଡ଼ୁ ସୁବର୍ଣ୍ଣ ପଙ୍କର । । ୩୮ ।

 

ବିହାୟସ ବାଣୀ ଶୁଣି ନୟନ ବୁଜିଲି ।

ବିହାର ଡ଼େଇଁ ପଡ଼ି ଏ ଗିରିରେ ସର୍ଜିଲି ।

ବିଲମ୍ବି ଛତ୍ର ଚାମର ଯାହା ଯାହା କରେ ।

ବିଲଟ କରି ରଖି ନ ଦେଲା କଟକରେ । । ୩୯ ।

 

ବୀର ଏକେ ଏକେ ଜିଣି ପାରନ୍ତି ଧରଣୀ ।

ବିଭଙ୍ଗ ତାହା ଯୁଦ୍ଧକୁ ଏହାଙ୍କ କରଣୀ ।

ବିଂଶକର ନେଲା ଦିନ ସ୍ୟନ୍ଦନେ ନଭରେ ।

ବିଷମ ବ୍ୟଥିତମତି ହେଲା ଶୋକଭରେ । । ୪୦ ।

 

ବାଳିକି ଛଡ଼ାଇଥାନ୍ତୁ ଆମ୍ଭେ ତୁଚ୍ଛ ରଣେ ।

ବାଳିମିତ୍ର ଭୟ ହେଲା ଗୁହାରି କରଣେ ।

ବିମାନ ଚାହିଁବାକୁ କିସ୍କିନ୍ଧ୍ୟା ପାଶେ ଥିଲା ।

ବାମାତୃଜ ନୋହେ ବ୍ୟର୍ଥେ ମୋ ଦର୍ପ ମନ୍ଥିଲା । । ୪୧ ।

 

୩୬ଶ ପଦ :- ବର - ଶ୍ରେଷ୍ଠ ବା ମହତ୍‌ । ରସାତଳ - ପାତାଳ । ରୁଧିର - ରକ୍ତ । ତଳେ ତଳେ - ଚାପୋଡ଼ ମରାମରି।

୩୬ଶ ପଦ :- ‘‘ସେହି ବାଳି ଓ ମାୟାବୀ ଦୁହେଁ ବୀରପଣରେ ଶ୍ରେଷ୍ଠ ହୋଇଥିବାରୁ କେବଳ ଚାପୁଡ଼ା ମରାମରି ହୋଇ ଏକବର୍ଷ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ । ତତ୍ପରେ ମାୟାବୀ ବାଳିକୁ ପାତାଳପୁରକୁ କୌଶଳକ୍ରମେ ନେଇଗଲା ଅର୍ଥାତ୍‌ ସେ ମାଡ଼ଖାଇ ଧୀରେ ଧୀରେ ପାତାଳ ଆଡ଼କୁ ଯିବାରୁ ବାଳି ମଧ୍ୟ ତାକୁ ଗୋଡ଼ାଇ ଗୋଡ଼ାଇ ପାତାଳକୁ ଗଲା । ସେହି ଦୈତ୍ୟ ବାଳିଦ୍ୱାରା ପାତାଳରେ ବିନାଶ ପ୍ରାପ୍ତ ହେବାରୁ ସେ ଦୁହେଁ ପାତାଳକୁ ଯାଇଥିବା ଗର୍ତ୍ତ ମୁଖରେ ରକ୍ତ ଦେଖାଗଲା । ତାହା ଦେଖି ବାଳି ମରିଗଲା- ଏହିକଥା ମନରେ ବିଚାର ଆମ୍ଭେମାନେ ଅଧୀର ହେବାକୁ ଲାଗିଲୁଁ ।’’

୩୭ଶ ପଦ :- ବସୁଧାଭୃତରେ - ପର୍ବତରେ । ବିବର - ଗର୍ତ୍ତ । ନିଧୂବନ - ରତି ।

୩୭ଶ ପଦ :- ‘‘ତତ୍ପରେ ସେହି ଦୈତ୍ୟଠାରୁ ଭୟର ଆଶଙ୍କା କରି, ସେହି ଗର୍ତ୍ତରେ ପର୍ବତ ପୋତି ଅର୍ଥାତ୍‌ ରାସ୍ତାକୁ ବନ୍ଦ କରି ଆସିଲୁ । କିଛିଦିନ ପରେ ମୁଁ ରାଜପଦରେ ଅଭିଷିକ୍ତ ହେବା ସମୟରେ ବଳି ଆସି ପହଞ୍ଚିଲା । ସେ କ୍ରୋଧାନ୍ଧ ହୋଇ ମୋର ସ୍ତ୍ରୀକୁ ମୋ କୋଳରୁ ଟାଣି ନେଇ ତା ସହିତ ରତି କରିବାକୁ ଲାଗିଲା ଏବଂ ମୋର ବାଳକୁ ଏତେ ଜୋରରେ ଟାଣିଲା ଯେ, ମୁଁ ମରି ଯାଉଥିଲି ।’’

୩୮ଶ ପଦ :- ଚରମ - ପୃଷ୍ଠଦେଶ । ବାହୁଜବର - କ୍ଷତ୍ରିୟଶ୍ରେଷ୍ଠ ।

୩୯ଶ ପଦ :- ବିହାୟସ ବାଣୀ - ଆକାଶ ବାଣୀ । ବିଲଗ - ପୃଥକ ।

୩୮ଶ ଓ ୩୯ଶ ପଦ :- ‘‘ହେ କ୍ଷତ୍ରିୟ ଶ୍ରେଷ୍ଠ, ତତ୍ପରେ ମୁଁ ବିକଳ ହୋଇ ପଳାୟନ କରିବାରୁ ସେ ମୋ ପଛେ ପଛେ ଗୋଡ଼ାଇବାକୁ ଲାଗିଲା । ମୁଁ ତାହା ଦେଖି ବିହ୍ୱଳରେ କେଉଁ ପୁଣ୍ୟ ବଶରୁ ଲୋକାଲୋକ ପର୍ବତକୁ ଡେଇଁପଡ଼ିଲି । ସେ ବୋଧହୁଏ ସେଠାରୁ ନିଜ ରାଜଧାନୀକୁ ଫେରି ଯାଇଥିବ l ଯେତେବେଳେ ମୁଁ ଲୋକାଲୋକର ପଶ୍ଚାତ୍‌ଭାଗରେ ଥିବା ସୁନାପଲଙ୍କରେ ପଡ଼ିଗଲି, ସେହି ସମୟରେ ଆକାଶବାଣୀ ହେଲା, - ତୁମ୍ଭେ ଆକ୍ଷି ବୁଜିଲେ ଏହି ପର୍ବତକୁ ଡେଇଁ ଯାଇପାରିବ । ଏହା ଶୁଣି ମୁଁ ସଙ୍ଗେ ସଙ୍ଗେ ଆକ୍ଷି ବୁଜି ତାହାକୁ ଡେଇଁ ଏହି ୠଷ୍ୟମୁକକୁ ଆସି ବାସ କରୁଅଛି । ମୁଁ ଅଭିଷେକ ହେବା ସମୟରେ ଯେଉଁମାନେ ଛତ୍ର ଚାମର ପ୍ରଭୃତି ଧରିଥିଲେ, ବାଳି ସେମାନଙ୍କୁ ମଧ୍ୟ କିସ୍କିନ୍ଧ୍ୟା ନଗରରୁ ବାହାର କରି ଦେଇ ଅଲଗା କରି ରଖିଅଛି ।’’

 

୪୦ଶ ଓ ୪୧ଶ ପଦ :- ‘‘ମୋ ସଙ୍ଗର ଥିବା ବୀରମାନଙ୍କ ମଧ୍ୟରୁ ଜଣେ ଜଣେ ବୀର ଏହି ପୃଥିବୀକୁ ଜୟ କରିପାରନ୍ତି କିନ୍ତୁ ବାଳି ସହିତ ଯୁଦ୍ଧ କରିବାକୁ ହେଲେ ସେମାନଙ୍କର ସାମର୍ଥ୍ୟ ନଷ୍ଟ ହୋଇ ଯାଉଅଛି । ଯେଉଁଦିନ ରାବଣ ଆପଣଙ୍କ ସ୍ତ୍ରୀ ସୀତାଙ୍କୁ ରଥରେ ବସାଇ ଆକାଶ ମାର୍ଗରେ ନେଲା, ସେହିଦିନ ତାଙ୍କୁ ଦେଖି ଆମ୍ଭେମାନେ ଅତିଶୟ ଦୁଃଖରେ କାନ୍ଦିବାକୁ ଲାଗିଲୁ। ସାମାନ୍ୟ ଯୁଦ୍ଧ କରି ଛଡ଼ାଇ ଆଣି ପାରିଥାନ୍ତୁ କିନ୍ତୁ ଆମ୍ଭମାନଙ୍କ ମନରେ ଭୟ ହେଲା, କାରଣ ସେ ତାର ମିତ୍ର ବାଳି ଆଗରେ ଗୁହାରି କରିପାରେ । ଏହିପରି ଭାବି ଚାହିଁଲାବେଳକୁ ରଥ କିସ୍କିନ୍ଧ୍ୟା ନିକଟବର୍ତ୍ତୀ ହୋଇଯାଇଥିଲା । ବାଳି ବୈମାତୃକ ଭାଇ ନ ହୋଇ ସୁଦ୍ଧା ବୃଥାରେ ମୋର ଦର୍ପ ଚୂନା କରିଦେଲା।’’

 

ବିଭୂତି ଜଟା-ଧାରଣ ଚିହ୍ନ ସେ କାହାର ।

ବିଭୂଷା ପକାଇଛି କେୟୁର ମଣିହାର ।

ବୋଲି ସେ ଗୁହାରୁ ଆଣି ଦେଲା ସେ ଭୂଷଣ ।

ବୋଳିଦେଲା କି ଚନ୍ଦନ ଶମ୍ବରଦୁଷଣ । । ୪୨ ।

 

ବସନେ ଅମ୍ଲାନ ହୋଇଥିଲା ସେ ବନ୍ଧନ ।

ବଶଚିତ୍ତ କବଚକୃତକୁ ଦେଲା ଧନ ।

ବୀଥି ବୀଥି ବାଣ ପ୍ରହାରିବାରେ ଅତନୁ ।

ଚିଥିର ହୋଇ ଏଥିରେ ଘୋଡ଼ାଇବି ତନୁ । । ୪୩ ।

 

ବାସଗଣ୍ଠି ଫିଟାଇ ଦେଖିଲେ ଅଳଙ୍କାର ।

ବାସଅଙ୍ଗୀ ପ୍ରଶଂସା କହିଲେ ଏ ପ୍ରକାର ।

ବାମନେତ୍ରାଟି ମଣ୍ଡନ ରତ୍ନମଣ୍ଡନକୁ ।

ବାମ ହେଲା ବିଧି ଏତେକାଳେ ଏମାନଙ୍କୁ । । ୪୪ ।

 

ବିହୀନବେଶ ସେ ନୋହି ଏ ହୋଇ ସମ୍ମତ ।

ବିହିତ ଶୋଭା ଅଶେଷ ପ୍ରିୟା ନଭ ମତ ।

ବିଭିନ୍ନ ଦୀନ ହେବାରେ ନକ୍ଷତ୍ରମାଳାରେ ।

ବିଭୀତ ଚିତ୍ତ ନୋହିବ ରଜନୀ ମେଳାରେ । । ୪୫ ।

 

୪୨ଶ ପଦ :- କେୟୁର - ତାଡ଼ । ଶମ୍ବରଦୁଷଣ - ବଟାହୋଇଥିବା ।

୪୨ଶ ପଦ :- ହେ ଜଟ ଭସ୍ମଧାରୀ ରାମ ! ସେହି ସ୍ତ୍ରୀ ତାଡ଼ ଓ ମୁକ୍ତାମାଳ ପ୍ରଭୃତି କେତେ ଅଳଙ୍କାର ପକାଇ ଦେଇଛି, ସେ କାହାର ଚିହ୍ନନ୍ତୁ ?’’ ଏହା କହି ପର୍ବତ ଗୁହାରୁ ସେହିସବୁ ଅଳଙ୍କାର ଆଣି ତାଙ୍କୁ ଦେଲା । ରାମ ସେଗୁଡ଼ିକ ପାଇ ଗ୍ରୀଷ୍ମସଂତପ୍ତ ଲୋକ ବଟାଚନ୍ଦନ ବୋଳି ହେଲେ ଯେଉଁପରି ଆନନ୍ଦ ଅନୁଭବ କରେ ସେହିପରି ଆନନ୍ଦିତ ହେଲେ ।

୪୩ଶ ପଦ :- କବଚକୃତକୁ - ସାଞ୍ଜ କରିବାକୁ । ବୀଥି ବୀଥି – ମାଳ ମାଳ । ଅତନୁ - କନ୍ଦର୍ପ । ବିଥିର - ଅତିଶୟସ୍ଥିର

୪୩ଶ ପଦ :- ସେହି ଅଳଙ୍କାରଗୁଡ଼ିକ ଅମ୍ଲାନ ବସ୍ତ୍ରରେ ତ ହୋଇଥିଲା; ତେଣୁ ରାମ ସେହି ବସ୍ତ୍ରକୁ ଦୁରରୁ ଦେଖିବା ମାତ୍ରେ ତାହାଙ୍କର ଚିତ୍ତ ସ୍ଥିର ହେବାକୁ ଲାଗିଲା (ବିରହୀ କାନ୍ତାର ବସ୍ତ୍ର ଦେଖି ଦୁଃଖ ଅପନୋଦନ କରେ, ଏହା କବି ପ୍ରସିଦ୍ଧ ) ‘ତହୁଁ ସେ ଏହିପରି ଭାବିବାକୁ ଲାଗିଲେ’ ଏହାକୁ ଦେଖି ମୋର ଚିତ୍ତ ସ୍ଥିର ହୋଇ ଯାଉଅଛି । ବୋଧହୁଏ ଧନୀ ଏହି ବସ୍ତ୍ରକୁ ସାଞ୍ଜୁ କରି ପିନ୍ଧିବାକୁ ଦେଇ ଯାଇଅଛି । ଯେତେବେଳେ କନ୍ଦର୍ପ ଗୋଛା ଗୋଛା ବାଣ ମାରିବ, ମୁଁ ସେହି ସମୟରେ ଏହି ବସ୍ତ୍ରଦ୍ୱାରା ଦେହକୁ ଘୋଡ଼ାଇ ହୋଇ ଅତିଶୟ ସ୍ଥୈର୍ଯ୍ୟ ଅବଲମ୍ବନ କରିବି ଅଥାର୍ତ ସ୍ଥିର ହେବି ।

 

୪୪ଶ ଓ ୪୫ଶ ପଦ :- ରାମଚନ୍ଦ୍ର ବସ୍ତ୍ର ଗଣ୍ଠି ଫିଟାଇ ସେହି ଅଳଙ୍କାର ଗୁଡ଼ିକୁ ଦେଖି ପଦ୍ମଗନ୍ଧା ସୀତାକୁ ପ୍ରଶଂସାକରି କହିଲେ, ସେହି ସୁନ୍ଦର ନୟନା ସୀତା ଏହି ରତ୍ନ ଅଳଙ୍କାରମାନଙ୍କର ଅଳଙ୍କାର ଅଟେ, ଅର୍ଥାତ୍‌ ଅଳଙ୍କାରମାନେ ସୀତାଙ୍କ ଦେହର ସୌନ୍ଦର୍ଯ୍ୟ ବୃଦ୍ଧି ନ କରି, ତାଙ୍କର ଦେହ ପ୍ରଭାଦ୍ୱାରା ନିଜେ ନିଜେ ସୁନ୍ଦର ଦେଖାଯାନ୍ତି । ବିଧାତା ଏତେକାଳରେ ଏହି ଏହି ଅଳଙ୍କାରମାନଙ୍କ ପ୍ରତି ପ୍ରତିକୂଳ ହେଲା । ଏମାନେ ତାଙ୍କ ଦେହରୁ ପୃଥକ ହୋଇ ଶୋଭାହୀନ ହେଲେ । ମାତ୍ର ସେ ଶୋଭାହୀନ ହୋଇ ନାହିଁ, ଏହା ମୋର ମତ ।’’ ଏହିପରି ଭାବନା କରିବା ମାତ୍ରେ ରାମଙ୍କର ଦୃଷ୍ଟି ମୁକ୍ତାମାଳା ଉପରେ ପଡ଼ିବାରୁ ସେ ଏହିପରି ଭାବିଲେ, ଦିବସକାଳୀନ ଆକାଶରୁ ତାରାଗୁଡ଼ିକ ଅନ୍ତର୍ହିତ ହୋଇଯିବାରୁ ସେ ଆକାଶ ଯେପରି ସମସ୍ତ ଶୋଭାରୁ ରହିତ ହୋଇଯାଏ, ପ୍ରିୟା ସେହିପରି ଏହି ନକ୍ଷତ୍ରମାଳା (ସତେଇଶ ଗୋଟି ମୁକ୍ତା ଥିବା ମାଳା)କୁ ଦୁଃଖର ସହିତ ତ୍ୟାଗ କରିବାରୁ ସମସ୍ତ ଶୋଭାକୁ ବଞ୍ଚିତ ହୋଇଥିବ । ମାତ୍ର ଦିବସ, ରାତ୍ରି ମିଳିତ ହେଲେ, ଅର୍ଥାତ୍‌ ଦିନପରେ ରାତ୍ରି ଆସିଲେ; ଆକାଶର ଚିତ୍ତରେ ଭୟ ପ୍ରବେଶ କରେ ନାହିଁ, କାରଣ ସେ ପୁନର୍ବାର ତାରକା ସମୁହ ଦ୍ୱାରା ମଣ୍ଡିତ ହୋଇ ଅତିଶୟ ଶୋଭା ଧାରଣ କରେ । କିନ୍ତୁ ଆହା! ମୋର ପ୍ରିୟାର ଚିତ୍ତ ସବୁବେଳେ ଭୟଯୁକ୍ତ ହୋଇଥିବାରୁ ‘‘ରଜନୀ ମେଳା’’ ହରିଦ୍ରା ସହିତ ମିଳିପାରିବ ନାହିଁ; ଅର୍ଥାତ ଆଉ ହଳଦୀ ଲଗାଇବ ନାହିଁ । ଅଥବା ପ୍ରିୟା ଦୁଃଖିତା ହୋଇ ମୁକ୍ତାମାଳା କାଢ଼ି ପକାଇଲେ ସୁଦ୍ଧା ତାରାବଳି ଶୂନ୍ୟ ଦିବସର ଆକାଶ ପରି ଶୋଭା ଧାରଣ କରିଥିବ । ଆକାଶ ରାତ୍ରି ସହିତ ମିଳିତ ହେଲେ ଯେପରି ଅତିଶୟ ଭୀତ ହୁଏ, ସେହିପରି ରାତ୍ରି ହେଲେ ସୀତା ଅତିଶୟ ଭୀତ ହେଉଥିବ ।’’

 

ବିଦୀପ୍ତ ହେବାରୁ କରି ତାପ ଘନକାଳ ।

ବିଦିତ କଲା କଙ୍କଣ ମୁଞ୍ଚିବା ତତ୍କାଳ ।

ବିଦ୍ୟୁତ୍‌ଗୋରୀ ମାନସର ସ୍ମରଶର ଦରେ ।

ବିଦୁରତା ହଂସକର ନିଶ୍ଚୟ ଆଦରେ । । ୪୬ ।

 

ବନ୍ଦୀ ହୋଇ ରକ୍ଷପୁରେ ଏମନ୍ତ ମତିରେ ।

ବନ୍ଦିଆ ରଖିଲା ପରା ତାହାର ଶ୍ରୁତିରେ ।

ବିଧବା ବେଶ ଶଙ୍କାରେ ରଖିଛି ଅତୁଲ ।

ବିଧ୍ୱଂସେ ଏ ଭାବ ଧୈର୍ଯ୍ୟ ସ୍ନେହୀ କାହିଁ ତୁଲ ? । ୪୭ ।

 

ବର୍ଣ୍ଣନ୍ତେ ଏରୂପ ସ୍ୱରଭଙ୍ଗ ପରଚରେ ।

ବର୍ଣ୍ଣମାନ ବ୍ୟକ୍ତ ହୋଇ ତହୁଁ ନ ଉଚ୍ଚରେ ।

ବତ୍ସର ସମ ଲବକ ନୋହିଲା ନିବାରି ।

ବତ୍ସସ୍ଥଳ ତିନ୍ତିଗଲା ପଡ଼ି ଅଶ୍ରୁବାରି । । ୪୮ ।

 

ବିଷାଦେ ନିଶ୍ୱାସ ତେଜି ହା ସୀତା ଭାଷିତ ।

ବିଷାବିଷ୍ଟ କାମକାଣ୍ଡେ ହେଲେ ଆକର୍ଷିତ ।

ବାନ୍ଧନ୍ତେ ଭୂଷା ଲକ୍ଷ୍ମଣ ଏହା ଦେଖି ହେଳେ ।

ବାନ୍ଧବି ରେ କି ଦଣ୍ଡ ହେଲାଟି କହି ହେଲେ । । ୪୯ ।

 

ବଡ଼ଭୀ ଶୟନେ ହୁଦୁଁ ହୃଦୟ ଅନ୍ତରେ ।

ବଡ଼ ଦୟାଳୁ ଚମକି ଭିଡ଼ଇ କାତରେ ।

ବିଲୋପ ଜୀବନ ନୋହି ଥିବ ନିକି ସତୀ ।

ବିଲୋକ ଦଶବଦନ ଭିଜହିଁ ବିଶତି । । ୫୦ ।

 

୪୬ଶ ପଦ :- ବିଦୀପ୍ତ - ଅତ୍ୟନ୍ତ ତାପିତ । ଘନକାଳ - ବର୍ଷା ସମୟ । କଙ୍କଣ - ଜଳବିନ୍ଦୁ ହସ୍ତଭୂଷଣ ବିଶେଷ । ମାନସର - ମାନସରୋବର । ସୁରଶର - କାମଶର । ଦରେ - ଭୟରେ । ହଂସକ - ହଂସପକ୍ଷୀ, ନୂପୁର ।

 

୪୬ଶ ପଦ :- ତତ୍ପରେ ‘କଙ୍କଣ’ ତାଡ଼କୁ ଦେଖି ଏହିପରି ଭାବିବାକୁ ଲାଗିଲେ - ହଁ ଜଣାଗଲା; ବର୍ଷା ସମୟ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଭୁପୃଷ୍ଠରେ ଜଳବିନ୍ଦୁ ନିକ୍ଷେପ କରିବାଦ୍ୱାରା ସେହି ଭୂମିର ଗ୍ରୀଷ୍ମକାଳ ଜନିତ ଅଧିକ ତାପକୁ ଶାନ୍ତି କରିଥାଏ; ସେହିପରି ପ୍ରିୟାର ଦେହରେ ବିଯୋଗ ଜନିତ ଅତ୍ୟଧିକ ତାପ ପ୍ରକାଶିତ ହେବାରୁ, ସେ ‘ଘନକାଳ’ ବର୍ଷାକାଳ ରୂପ ବାଳକୁ ପ୍ରକାଶ କରି ଅର୍ଥାତ୍‌ କାନ୍ଦିବା ଆରମ୍ଭ କରି ସଙ୍ଗେ ସଙ୍ଗେ ‘କଙ୍କଣ’ ହସ୍ତର ଅଳଙ୍କାରକୁ ‘କଙ୍କଣ’ ଜଳକଣା ଅର୍ଥାତ୍‌ ହସ୍ତରେ ଲାଗିଥିବା ଲୋତକ ବିନ୍ଦୁ ମନେକରି ତ୍ୟାଗ କରି ଶାନ୍ତି ଲାଭକଲା । (ସାଧାରଣତଃ ଲୋକମାନେ କାନ୍ଦି ସାରିଲା ପରେ ହାତରେ ଲୁହକୁ ପୋଛି ଶୋକରୁ ନିବୃତ୍ତ ହୋଇଥାନ୍ତି) l ସେହିପରି ନୂପୁରକୁ ଦେଖି ମନେ କଲେ, ହଂସମାନେ ଶରତ୍‌କାଳ ଉପସ୍ଥିତ ହେଲେ ମାନସରୋବରକୁ ଛାଡ଼ି ବହୁଦୂର ଗଲାପରି, ବିଦ୍ୟୁତବରଣା ସୀତା ନୂପୁରକୁ ତ୍ୟାଗ କରି ବହୁଦୂରକୁ ଗଲେ । ଅର୍ଥାତ ସତୀ ବିରହ ଯୋଗୁଁ ସମସ୍ତ ଅଳଙ୍କାର ତ୍ୟାଗ କରି ପ୍ରୋଷିତପତିକାର ଲକ୍ଷଣ ଧାରଣ କଲେ ।

 

୪୭ଶ ପଦ :- ରକ୍ଷପୁରେ - ଲଙ୍କାଠାରେ । ବନ୍ଦିଆ - କର୍ଣ୍ଣଭୂଷଣ ବିଶେଷ । ଅତୁଲ - ଅଳଙ୍କାର ବିଶେଷ ।

 

୪୭ଶ ପଦ :- ‘ମୁଁ ବନ୍ଦୀ ହେଲି’ ଏହା ଭାବି କାନରେ ବନ୍ଦିଆନାମକ ଅଳଙ୍କାରକୁ ଏବଂ ‘ସମସ୍ତ ଅଳଙ୍କାର ତ୍ୟାଗ କଲେ ବିଧବା ପରି ଦେଖାଯିବ’ ଏହା ଭାବି ହାତରେ ଅତୁଲକୁ ରଖିଲେ ପରା ! ଆହା ପ୍ରିୟାର ଏହିଭାବ ମୋର ଧୈର୍ଯ୍ୟକୁ ଧ୍ୱଂସ କରୁଛି। ଏ ଜଗତରେ ତାଙ୍କ ସହ ଆଉ କିଏ ସମାନ ହେବ ?

 

୪୮ଶ ପଦ :- ପରଚରେ - (ପ୍ରଚରେ) ପ୍ରସରିଲା । ବତ୍ସସ୍ଥଳ - ବକ୍ଷସ୍ଥଳ । ବର୍ଣ୍ଣମାନ - ଅକ୍ଷରମାନ ।

 

୪୮ଶ ପଦ :- ଏହିପରି ବର୍ଣ୍ଣନା କରୁ କରୁ ରାମଙ୍କର ସ୍ୱରଭଙ୍ଗ ହେବାରୁ କଣ୍ଠରୁ ବର୍ଣ୍ଣମାନେ ସ୍ପଷ୍ଟରୂପେ ଉଚ୍ଚାରିତ ହେଲେ ନାହିଁ । ମୁହୂର୍ତ୍ତ ମାତ୍ର ସମୟ ତାଙ୍କୁ ଏକବର୍ଷ ପରି ବୋଧ ହେଲା । ଲୋତକ ଧାରା ଚକ୍ଷୁରୁ ଅବାହିତ ହୋଇ ବକ୍ଷସ୍ଥଳ ଭିଜିଗଲା ।

 

୪୯ଶ ପଦ :- ବିଷାବିଷ୍ଟ - ବିଷାକ୍ତ । କାମକାଣ୍ଡେ - କାମ ବାଣଦ୍ୱାରା ଭୂଷା ଅଳଙ୍କାର ।

 

୪୯ଶ ପଦ :- ସେ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ‘‘ହା ସୀତା ! ହା ସୀତା !’’ ବୋଲି କହି କନ୍ଦର୍ପର ବିଷବୋଳା ବାଣରେ ବିଦ୍ଧ ହେବାକୁ ଲାଗିଲେ । (ଅର୍ଥାତ୍‌ ଉନ୍ମାଦିତ ହେଲେ ) । ଏହି ସମୟରେ ଲକ୍ଷ୍ମଣ ସେହି ଅଳଙ୍କାର ଗୁଡ଼ିକୁ ବାନ୍ଧିବାର ଦେଖି, ରାମ ଲଜ୍ଜାଶୂନ ହୋଇ କହିଲେ, ‘‘ରେ ବାନ୍ଧବି ! କି ଦଣ୍ଡ ଉପସ୍ଥିତ ହେଲା ।’’ (ଏହାଦ୍ୱାରା ବ୍ରୀଡ଼ାତ୍ୟାଗ ଦଶା ବର୍ଣ୍ଣନା କରାଗଲ)।

 

୫୦ଶ ପଦ :- ବଡ଼ଭୀ - ଚନ୍ଦ୍ରଶାଳାପୁର ।

 

୫୦ଶ ପଦ :- ‘‘ଚନ୍ଦ୍ରଶାଳା ପୁରରେ ଶୋଇଥିବା ବେଳେ ମୋର ବକ୍ଷରୁ ତୋର ବକ୍ଷ ଅନ୍ତର ହେଲେ ଭୟରେ ଚମକି ଉଠି କାତର ହୋଇ ମୋତେ କୋଳକରୁ । ହେ ସତୀ, ବର୍ତ୍ତମାନ ରାବଣର ଦଶଟା ମୁଣ୍ଡ ଓ କୋଡ଼ିଏ ଗୋଟା ହାତ ଦେଖି ତୁ ନ ମରି ବଞ୍ଚିଥିବୁ ଟିକି ?’’

 

ବଞ୍ଚକ ଆୟତ୍ତେ ଶଶ ପଡ଼ିଲା ପରିରେ ।

ବଞ୍ଚନ ତା ଜୀବେ ଥିଲେ ଦିବା ଶର୍ବରୀରେ ।

ବନ୍ଦୀ ବ୍ୟାଧଜାଲେ ହେଲା କପୋତୀ ଯେସନ ।

ବନ୍ଦିତା କବିରେ ଯେ ସୁନ୍ଦରୀ ସେ ଏସନ ।୫୧ ।

 

ବିନା ଦରଶନ ତାହା କଷଣ ଭାବନେ ।

ବିନାଶ ନୋହି ରହିଛି କାହିଁକି ଜୀବନେ ।

ବିରଚି ଆଦ୍ୟନ୍ତ ଅନୁପ୍ରାସ ଆସପଦେ ।

ବୀରବର ଉପଇନ୍ଦ୍ର ଛାନ୍ଦ ବାନପଦେ ।୫୨ ।

 

୫୧ଶ ପଦ :- ବଞ୍ଚକ - ଶୃଗାଳ । ଶଶ - ଠେକୁଆ ।

୫୧ଶ ପଦ :- ‘‘ମୋର ପ୍ରିୟା ଯଦିବା ବଞ୍ଚିଥିବ ତା ହେଲେ’ ଶୃଗାଳ ଆୟତ୍ତ ଶଶା ପରି ଦିନ ରାତ୍ରି ଯାପନ କରୁଥିବ । ଅଥବା ସେହି କବିବୃନ୍ଦ ବନ୍ଦନୀୟ ସୀତା ବ୍ୟାଧ ଜାଲରେ କପୋତୀ ବନ୍ଦୀ ହୋଇ ଭାବିଲା ପରି ରହିଥିବ ।’’

୫୨ଶ ପଦ :- ‘‘ମୁଁ ତାକୁ ନ ଦେଖି କେବଳ ତାର କଷ୍ଟ କଥା ଭାବି ଭାବି କାହିଁକି ନ ମରି ବଞ୍ଚି ରହିଛି ? ବୀରବର ଭଞ୍ଜ କବି ଆଦ୍ୟାନୁପ୍ରାସ ରଖି ଏ ଛାନ୍ଦକୁ ବାଉନ ପଦରେ ରଚନା କଲେ ।

 

Unknown

ଅଷ୍ଟାବିଂଶ ଛାନ୍ଦ

ରାଗ- ଦେଶାକ୍ଷ

ଚକ୍ରକେଳି ବାଣୀ

 

ବୋଲେ ସୁଗ୍ରୀବେ ରାମ କ୍ଲେଶଭାଷା

ବେନି ଜନେ ପଡ଼ିଛି ଏକଦଶା

।୧ ।

ବଭାବସୁବଂଶେ ଜାତ ଆମ୍ଭର

ବିଧିରେ ତ ତୁମ୍ଭେ ତାଙ୍କ କୁମର

।୨ ।

ବସୁ ଅଯେଧ୍ୟା କିସ୍କିନ୍ଧ୍ୟା ରାଜନ

ବିଭୂତିରେ ବନେ ହେଲା ସଦନ

।୩ ।

ବାମା ବିଚ୍ଛେଦ ପର ଧରକ୍ଷଣେ

ବିଞ୍ଚି ଦିନ ଫଳ ମୂଳ ଭକ୍ଷଣେ

।୪ ।

ବଞ୍ଚି ଅନୁଜ ମନ୍ତ୍ରୀ ପ୍ରବୋଧନେ

ବୋଧ ହୋଇ ରହିଥାଇଁ ଜୀବନେ

।୫ ।

ବାଧା ମାତା ଭ୍ରାତାରେ ଉପୁଜିଛି

ବଇରିକି ସାଧିବା ଇଚ୍ଛା ଅଛି

।୬ ।

ବ୍ୟବହାରେ ମିତ୍ର ହେବା ଉଚିତ

ବୋଲେ ସୁଗ୍ରୀବ ଶୁଣ ରଘୁ ସୁତ

।୭ ।

ବୁଲ ଧରଣୀ ନିର୍ଭୟରେ ତୁମ୍ଭେ

ବାଳି ଡରେ ଗିରିରେ ଲୁଚୁ ଆମ୍ଭେ

।୮ ।

ବଳବନ୍ତ ହେଲେ ଯଥା କେଶରୀ

ବଧେ ଗଜାଦି ଶରଭକୁ ଡରି

।୯ ।

ବିହି ପାରିବି କେଉଁ ଉପକାର

ବୋଲେ ମିତ୍ର ହେବା ତୁମ୍ଭ ଆମ୍ଭର

।୧୦।

 

୧ମ ଓ ୨ୟ ପଦ :- ରାମଚନ୍ଦ୍ର ସୁଗ୍ରୀବଙ୍କୁ ନିଜ ଦୁଃଖର କଥା କହିବାକୁ ଲାଗିଲେ । ସେ କହିଲେ, ‘‘ଆମ୍ଭେ ସୂର୍ଯ୍ୟବଂଶ ଜାତ, ତୁମ୍ଭେ ସୂର୍ଯ୍ୟଙ୍କର ପୁତ୍ର । ସୁତରାଂ ଆମ୍ଭେ ଦୁହେଁ ଏକବଂଶୀୟ ।’’

୩ୟ ପଦ :- ବିଭୂତି - ଭସ୍ମ, ଉତ୍କର୍ଷଶୂନ୍ୟ । ବି - ଭୂତି - ଧନହୀନ ।

୩ୟ ପଦ :- ‘‘ଆମ୍ଭେ ଅଯୋଧ୍ୟାର ଏବଂ ତୁମ୍ଭେ କିସ୍କିନ୍ଧ୍ୟାର ସିଂହାସନରେ ବସୁବସୁ ଏପରି ଦଶା ପଡ଼ିଲା ଯେ; ଆମ୍ଭେ ‘ବିଭୂତି’ ଭସ୍ମ ବୋଳି ହୋଇ ଅର୍ଥାତ୍‌ ୠଷି କେଶ ଧାରଣ କରି ଏବଂ ତୁମ୍ଭେ ‘ବିଭୂତି’ ସମ୍ମାନହୀନ ହୋଇ (ଲୁଚିକରି ବନରେ ବାସ କରୁଥାଇଁ । (ଅଥବା ଧନହୀନ ହୋଇ ବନରେ ବାସ କରୁଥାଇଁ) ।’’

୪ର୍ଥ ପଦ :- ପରଧରଷଣ - ଶତ୍ରୁର ଉପଦ୍ରବ ବା ଦୌରାତ୍ମ୍ୟ ।

୪ର୍ଥ ପଦ :- ‘‘ଶତ୍ରୁର ଦୌରାତ୍ମ୍ୟ ଯୋଗୁଁ ଦୁହିଁଙ୍କର ପ୍ରିୟା ବିଚ୍ଛେଦ ଘଟିଅଛି ଏବଂ ଦୁହେଁ ମଧ୍ୟ ଫଳ ମୂଳ ଖାଇ ପ୍ରାଣ ଧାରଣ କରିଥାଇଁ ।’’

୫ମ ପଦ :- ଅନୁଜ - ସାନ ଭାଇ ! ପ୍ରବୋଧନ - ସାନ୍ତ୍ୱନା ।

୫ମ ପଦ :- ‘‘ମୁଁ ସାନ ଭାଇର ପ୍ରବୋଧ ବାକ୍ୟରେ ଜୀବନ ଧାରଣ କରିଅଛି, ସେହିପରି ତୁମ୍ଭେ ମଧ୍ୟ ମନ୍ତ୍ରୀର ପ୍ରବୋଦ ବାକ୍ୟରେ ଜୀବନ ଧାରଣ କରିଅଛି ।’’

୬ଷ୍ଠ ପଦ :- ‘‘ମୋର ମାତାଙ୍କ ଦ୍ୱାରା ଏବଂ ତୁମ୍ଭର ଭାଇଙ୍କ ଦ୍ୱାରା ରାଜ୍ୟ ପ୍ରାପ୍ତିରେ ବାଧା ଘଟିଛି । ଆମ୍ଭ ଦୁହିଙ୍କର ମଧ୍ୟ ଶତ୍ରୁ ସାଧିବା ଇଚ୍ଛା ଅଛି ।’’

୭ମ ପଦ :- ‘‘ଉପରୋକ୍ତ କାରଣଗୁଡ଼ିକ ଦୁହିଙ୍କ ପ୍ରତି ସମାନ ଭାବରେ ଘଟିଥିବାରୁ ଆମ୍ଭ ଦୁହିଁଙ୍କର ମିତ୍ର ହେବା ଉଚିତ ।’’ ସୁଗ୍ରୀବ କହିଲା, ‘‘ହେ ରାମଚନ୍ଦ୍ର ! ମୋ କଥା ଶୁଣନ୍ତୁ ।’’

୮ ପଦ :- ‘‘ଆପଣ ଭୟ ଶୂନ୍ୟ ହୋଇ ପୃଥିବୀ ପର୍ଯ୍ୟଟନ କରୁଛନ୍ତି, ମୁଁ ବାଳିକୁ ଭୟ କରି ପର୍ବତ ଗୁମ୍ଫାରେ ଲୁଚି ରହିଛି।’’

୯ମ ପଦ :- କେଶରୀ - ସିଂହ । ଶରଭ - ଅପଦ ବିଶିଷ୍ଟ ମୃଗ ।

୯ମ ପଦ :- ‘‘ବଳଶାଳୀ ସିଂହ ହାତୀ ପ୍ରଭୃତି ବଡ଼ ବଡ଼ ପ୍ରାଣୀମାନଙ୍କୁ ବିନାଶ କଲେ ସୁଦ୍ଧା ଅଷ୍ଟାପଦ ନାମକ ମୃଗକୁ ଯେପରି ଭୟ କରେ, ମୁଁ ସେହିପରି ବାଳିକୁ ଭୟ କରୁଛି ।’’

୧୦ମ ପଦ :- ‘‘ଏପରି ଅବସ୍ଥାରେ ମୁଁ ଆପଣଙ୍କର କି ଉପକାର କରି ପାରିବି ଯେ, ଆପଣ ମିତ୍ର ହେବାକୁ କହୁଛନ୍ତି ।’’

 

ବୋଲେ ରଘୁବୀର ଶୁଣି ଉତ୍ସୁକେ

ବିନ୍ଧି ପକାଇବି ବାଳି ବାଣକେ

।୧୧ ।

ବ୍ରହ୍ମଲୋକେ ଥିଲେ ସୀତା ଖୋଜାଇ

ବାଦ ରଚନେ ଆଣିକି ସେ କହି

।୧୨ ।

ବୀର ଏରୂପ ମୋର ସଙ୍ଗେ ଅଛି

ବାଳଭାନୁ ଜନ୍ତୁ ଡେଇଁ ଧରିଛି

।୧୩ ।

ବୋଲାବୋଲି ସେ ହୋଇ ଏତେ ମାତ୍ର

ବହ୍ନି ସାକ୍ଷୀ କରଇ ହେଲେ ମିତ୍ର

।୧୪ ।

ବୋଲୁଁ ଶତ୍ରୁକୁ ଦେଖାଅ ରାଘବ

ବୋଲୁଅଛି ସବିନୟେ ସୁଗ୍ରୀବ

।୧୫ ।

ବିନ୍ଧିବାକୁ ଇଚ୍ଛା ଯେବେ ବାଳି କି

ବଳ କଷ ଦୁନ୍ଦୁଭି ଅସ୍ଥି ଟେକି

।୧୬ ।

ବିଜେ ରାମ ଶୁଣି ସେ ସନ୍ନିଧିର

ବୃଦ୍ଧାଙ୍ଗୁଳି କି ବାମ ଚରଣର

।୧୭ ।

ବିନ୍ୟସ୍ତ ଯେ କଲେ ଅସ୍ଥି ଗିରିରେ

ବନରୁହେ କରୀକର ପରିରେ

।୧୮ ।

ବେଗେ ତୋଳି ସେ କଳିସେ ଯେମନ୍ତେ

ବିହାୟସେ ଫିଙ୍ଗିଦେଲେ ତେମନ୍ତେ

।୧୯ ।

ବରେ ଶୁଭନ୍ତେ ଶବଦ ତାହାର

ବ୍ୟୋମେ ଦୃଷ୍ଟି କିସ୍କିନ୍ଧ୍ୟାବାସିଙ୍କର

।୨୦ ।

ବିତର୍କିଲେ ସେ ମଇନାକ ଉଡ଼ି

ବଜ୍ରଘାଏ ବହୁତ ଦୂରେ ପଡ଼ି

।୨୧ ।

 

୧୧ଶ ପଦ :- ଏହା ଶୁଣି ରାମ ଆନନ୍ଦିତ ହୋଇ କହିଲେ, ‘‘ଗୋଟିଏ ମାତ୍ର ବାଣ ବିନ୍ଧି ବାଳିକୁ ମାରି ପକାଇବି ।’’

୧୨ଶ ପଦ :- ତହୁଁ ସୁଗ୍ରୀବ କହିଲା, ‘‘ସୀତା ବ୍ରହ୍ମଲୋକରେ ଥିଲେ ସୁଦ୍ଧା ମୁଁ ତାଙ୍କୁ ଦୂତମାନଙ୍କଦ୍ୱାରା ଖୋଜାଇ, ନେଇଥିବା ଲୋକସହ ଯୁଦ୍ଧ କରି ଆଣିବି ।’’

୧୩ଶ ପଦ :- ବାଳଭାନୁ - ନବୋଦିତ ସୂର୍ଯ୍ୟ ।

୧୪ଶ ପଦ :- ବହ୍ନି - ଅଗ୍ନି ।

୧୩ଶ ପଦ ୧୪ଶ ପଦ :- ‘‘ଏପରି ଜଣେ ବୀର ମୋର ନିକଟରେ ଅଛି; ଯେ କି ଜନ୍ମ ହେବା ସଙ୍ଗେ ସଙ୍ଗେ ଡେଇଁ ଉଇଁ ଆସୁଥିବା ସୂର୍ଯ୍ୟଙ୍କୁ ଧରିଅଛି । ରାମ ଓ ସୁଗ୍ରୀବ ଦୁହେଁ ଏପରି କଥାବାର୍ତ୍ତା ହୋଇ (ଅର୍ଥାତ୍‌ ରାମ ବାଳିକୁ ବିନାଶ କରିବେ; ସୁଗ୍ରୀବ ସୀତାଙ୍କୁ ଖୋଜି ଦେବେ ଏହି କଥା ନିଶ୍ଚୟ କରି) ଅଗ୍ନିକୁ ସାକ୍ଷି ରଖି ମିତ୍ରତା ସୂତ୍ରରେ ଆବଦ୍ଧ ହେଲେ ।

୧୫ଶ ଓ ୧୬ଶ ପଦ :- ତତ୍ପରେ ରାମଚନ୍ଦ୍ର ତୁମ୍ଭ ଶତ୍ରୁ ବାଳି କେଉଁଠାରେ ଅଛି ଦେଖାଅ; ଏହି କଥା କହିବାରୁ; ସୁଗ୍ରୀବ ବିନୟାନ୍ୱିତ ହୋଇ କହିଲା, ‘‘ଆପଣ ଯଦି ବାଳିକୁ ମାରିବାକୁ ଇଚ୍ଛା କରନ୍ତି, ତେବେ ଦୁନ୍ଦୁଭି ଦୈତ୍ୟର ହାଡ଼କୁ ଟେକି ନିଜର ବଳ ପରୀକ୍ଷା କରନ୍ତୁ ।’’

୧୭ଶ ପଦ :- ସନ୍ନିଧ - ନିକଟ ।

୧୮ଶ ପଦ :- ବିନ୍ୟସ୍ତ - ସ୍ଥାପନ । ବନରୁହ - ପଦ୍ମ ।

୧୭ଶ ଓ ୧୮ଶ ପଦ :- ସୁଗ୍ରୀବଙ୍କଠାରୁ ଏହି କଥା ଶୁଣି ପର୍ବତ ତୁଲ୍ୟ ଉନ୍ମତ୍ତ ସେହି ଦୁନ୍ଦୁଭି ଦୈତ୍ୟର ପଡ଼ିରହିଥିବା ଅସ୍ଥି ନିକଟକୁ ଯାଇ ହସ୍ତୀ ତାହାର ଶୁଣ୍ଢକୁ ପଦ୍ମ ଉପରେ ରଖିଲା ପରି, ରାମ ତାହା ଉପରେ ବାମ ପାଦର ବୃଦ୍ଧ ଅଙ୍ଗଳିକୁ ରଖିଲେ।

୧୯ଶ ପଦ :- ସେ କଳି - ପଦ୍ମ କଳିକା ।

୧୯ଶ ପଦ :- ହାତୀ ଯେଉଁ ପରି ପଦ୍ମ କଢ଼କୁ ତୋଳି ଫିଙ୍ଗିଦିଏ, ରାମଚନ୍ଦ୍ର ସେହିପରି ଦୁନ୍ଦୁଭିର ଅସ୍ଥିକୁ ଆକାଶକୁ ଫିଙ୍ଗି ଦେଲେ ।

୨୧ଶ ପଦ :- ବରେ - ଉଚ୍ଚଶବ୍ଦରେ । ବ୍ୟୋମ - ଆକାଶ ।

୨୦ଓ ୨୧ଶ ପଦ :- ରାମ ସେହି ଅସ୍ଥିକୁ ଫିଙ୍ଗିଦେବା ସମୟରେ ଭୟଙ୍କର ଶବ୍ଦ ହୋଇଥିଲା । କିସ୍କିନ୍ଧ୍ୟାବାସୀମାନେ ସେହି ଶବ୍ଦ ଶୁଣି ଆକାଶକୁ ଚାହିଁ କିଛି ନ ଦେଖିବାରୁ ବିଚାର କଲେ, ‘‘ବୋଧହୁଏ ଇନ୍ଦ୍ରଙ୍କ ବଜ୍ରାଘାତରେ ମୈନାକ ପର୍ବତ ଉଡ଼ି ବହୁ ଦୂରରେ ପଡ଼ିଲା ।’’

 

ବିକଳ୍ପତା ଉପୁଜିଲା ସୁଗ୍ରୀବେ

ବଡ଼ ଚାରୁ ଏ ହୋଇଥିଲା ପୂର୍ବେ

।୨୨ ।

ବସା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ

ବିନାଶତ ପୂତିବଶେ ସେମାନ

।୨୩ ।

ବିବସ୍ୱାନ କିରଣେ ଶୁଷ୍କଭାବ

ବହେ ବାଳି ତେବେ ଏବେ ରାଘବ

।୨୪ ।

ବୋଲେ କଥା ଏକ ଅଛି ଆହୁରି

ବଜ୍ରୁଁ ଆଣ୍ଟ ସପ୍ତଶାଳ ମାଧୁରୀ

।୨୫ ।

ବାଳି ଜାତେ ଭାରା ମଣୁ ବସୁଧା

ବଳ ଅଧେ ରଖିଛି ତହିଁ ବେଧା

।୨୬ ।

ବହେ ତୁଳପାତ୍ର ରହେ ସମାନେ

ବିଭାଗରେ ଗୁରୁଦ୍ରବ୍ୟ ଯେସନେ

।୨୭ ।

ବିନ୍ଧି ଭେଦି ନ ପାରନ୍ତି ରୁଦ୍ରାଦି

ବାଣ କରେ ପାରିବ ଯେବେ ଛେଦି

।୨୮ ।

ବିରାଧାର ବୋଇଲେ କାହିଁ କାହିଁ

ବଳିମୁଖଶ୍ରେଷ୍ଠ ନେଇ ଦେଖାଇ

।୨୯ ।

 

୨୩ଶ ପଦ :- ବସା - ମେଦ ବା ଚର୍ବି । ପୂତିବସେ – ଦୁର୍ଗନ୍ଧ ହେତୁରୁ ।

୨୪ଶ ପଦ :- ବିବସ୍ୱାନ - ସୂର୍ଯ୍ୟ ।

୨୨ଶ - ୨୪ଶ ପଦ :- ରାମ ସେହି ଅସ୍ଥିକୁ ଏପରି ଫିଙ୍ଗି ଦେବାର ଦେଖି ସୁଗ୍ରୀବ ମନେ ମନେ ଭାବିଲା, ପୂର୍ବେ ଏହି ଅସ୍ଥି ମେଦ, ମାଂସ ଓ ଚର୍ମ ପ୍ରଭୃତି ଦ୍ୱାରା ପୂର୍ଣ୍ଣ ହୋଇଥିବାରୁ ଅତିଶୟ ଓଜନ ହୋଇଥିଲା । ଏବେ ସେ ସବୁ ପଚିଯାଇ ନଷ୍ଟ ହୋଇଗଲାଣି ଏବଂ ଏହି ହାଡ଼ ମଧ୍ୟ ସୂର୍ଯ୍ୟ କିରଣରେ ଶୁଖି ଗଲାଣି ସୁତରାଂ ଓଜନ କମିଗଲାଣି । ଏହା ଓଜନ ଥିବା ସମୟରେ ବାଳି ବୋହି ଆଣିଥିଲା, ଏବେ ରାମଚନ୍ଦ୍ର ଟେକି ଫିଙ୍ଗିଦେଲେ । ଅତଏବ ବାଳିଠାରୁ ଏହାଙ୍କର ବଳ ଅଧିକ କି କମ୍‌ ଜଣାଗଲା ନାହିଁ ।’’

୨୫ଶ ପଦ :- ଏହା ଭାବି ସୁଗ୍ରୀବ ପୁନର୍ବାର କହିଲା, ‘‘ଆହୁରି ଗୋଟିଏ କଥା ଅଛି, ଶୁଣନ୍ତୁ ଏହିଠାରେ ସାତଗୋଟି ଶାଳ ବୃକ୍ଷ ବେଷ୍ଟିତ ଗୋଟିଏ କ୍ଷୁଦ୍ରବନ ଅଛି । ସେ ସପ୍ତଶାଳ ବୃକ୍ଷର ମାଧୁରୀ (ଗୁଣ) ଏହି ଯେ, ତାହା ବଜ୍ରଠାରୁ ଅଧିକ କଠିନ ଅଟେ ।’’

୨୬ଶ ଓ ୨୭ଶ ପଦ :- ‘‘ବାଳି ଜନ୍ମହେବା ଦ୍ୱାରା ପୃଥିବୀ ଭାର ବୋଧ କରିବାରୁ ବିଧାତା ବାଳି ବଳର ଅଧେ ବଳ ଏହି ବୃକ୍ଷରେ ରଖିଅଛନ୍ତି । କାରଣ ଗୁରୁ ପଦାର୍ଥକୁ ସମାନ ରୂପେ ଦୁଇ ଭାଗ କରି ନିକିତିର ଦୁଇ ପାଖରେ ରଖିଲେ ତାହା ଯେପରି କୌଣସି ଆଡ଼କୁ ନ ଢଳି ସମାନ ଭାବରେ ରହେ, ପୃଥିବୀ ସେହିପରି ଏହି ବୃକ୍ଷଦ୍ୱାରା କୌଣସି ଦିଗକୁ ନଢ଼ଳି ସମାନ ଭାବରେ ରହିଅଛି ।’’

୨୮ଶ ପଦ :- ‘‘ସେହି ବୃକ୍ଷକୁ ଇନ୍ଦ୍ରାଦି ଦେବତାମାନେ ବାଣଭେଦ କରି ପାରିନାହାନ୍ତି । ଯଦି ଆପଣ ବାଣମାରି ଛେଦନ କରିପାରିବେ, ତାହାହେଲେ ବାଳିକୁ ମାରି ପାରିବେ ।’’

୨୯ଶ ପଦ :- ବିରାଧାରି - ରାମଚନ୍ଦ୍ର । ବଳିମୁଖଶ୍ରେଷ୍ଠ - ମର୍କଟ ଶ୍ରେଷ୍ଠ, ସୁଗ୍ରୀବ ।

୨୯ଶ ପଦ :- ରାମଚନ୍ଦ୍ର ଏହି କଥା ଶୁଣି ‘‘ସେହି ସପ୍ତଶାଳ ବୃକ୍ଷ କାହିଁ ? କେଉଁଠାରେ ଅଛି ? ଏପରି କହିବାରୁ ବାନର ଶ୍ରେଷ୍ଠ ସୁଗ୍ରୀବ ତାଙ୍କୁ ସଙ୍ଗତରେ ନେଇ ସେହି ବୃକ୍ଷ ଦେଖାଇ ଦେଲେ ।

 

ନାଗବନ୍ଧ

 

ବିଶାଳତା ପବି ଦୃଢ଼ ସେ ବନ

ବୃକ୍ଷବୃତ ଶତପତ୍ର ରଞ୍ଜନ

।୩୦ ।

ବକ୍ରେ ରହି ସଶୋଭା ଧତା ସେହି

ବହି ନାଗ ଗାଢ଼ ତରୁ ଦିଶଇ

।୩୧ ।

ବିପ୍ର ତାରତର ସାର ନବୀନ

ବିଷ ସପ୍ରଭାରେ ବିହଗହୀନ

।୩୨ ।

ବନରୁହପଦ ପ୍ରତଳ ବଳ

ବିନୟରତ ସର୍ପ ସପ୍ତଶାଳ

।୩୩ ।

ବ୍ୟାଳ ସଳଖି ହେଉଁ ରଘୁବୀର

ବାଣ ପ୍ରୟୋଗ କଲେ ସେ ସତ୍ୱର

।୩୪ ।

ବୃକ୍ଷ ସାତ ଭେଦି ଭେଦି ପର୍ବତେ

ବାହୁଡ଼ିଲା ସେ ମାର୍ଗଣ ତ୍ୱରିତେ

।୩୫ ।

ବିଷ୍ଣୁ ମଣି ଚକ୍ରବନ୍ଧେ ସୁଗ୍ରୀବ

ବିନତ ସେ ଅଦ୍ଭୁତ ଦେଖି ଜବ

।୩୬ ।

 

୩୦ଶ ପଦ :- ପବି-ବଜ୍ର । ଶତପତ୍ର - ପଦ୍ମ ।

୩୦ଶ ପଦ :- ସେହି ସପ୍ତଶାଳା ବେଷ୍ଟିତ ବନ ଅର୍ଥାତ୍‌ ସେହି ସପ୍ତଶାଳା ବୃକ୍ଷ ଅତି ଉନ୍ନତ ବଜ୍ରତୁଲ୍ୟ କଠିନ ଓ ଅଧିକ ମୋଟା ଅଟେ । ସେହି ସାତଗୋଟି ଯାକ ବୃକ୍ଷ ଶାଖାପ୍ରଶାଖାଯୁକ୍ତ ହୋଇ ମଣ୍ଡଳାକାରରେ ଥିବାରୁ ଶତଦଳ ପଦ୍ମ ପରି ମନୋହର ଦେଖାଯାଉ ଅଛନ୍ତି ।

୩୨ଶ ପଦ :- ବପ୍ର - ପ୍ରାଚୀର । ତାରତର - ଦେଦୀପ୍ୟମାନ । ବିହଗହୀନ - ପକ୍ଷୀଶୂନ୍ୟ ।

୩୧ଶ ଓ ୩୨ଶ ପଦ :- ସେହି ବୃକ୍ଷଗୁଡ଼ିକ ଗୋଟିଏ ନାଗସର୍ପ ଦ୍ୱାରା ବେଷ୍ଟିତ ହୋଇଥିବାରୁ ଅଳ୍ପ ବଙ୍କା ହୋଇ ପ୍ରାଚୀର ବେଷ୍ଟିତ ଦୁର୍ଗର ଶୋଭାକୁ ଧାରଣ କରିଅଛନ୍ତି ଏବଂ ଉକ୍ତୃଷ୍ଟ ସାର (ପିଡ଼ିଆ ପ୍ରଭୃତି) ସରସ ଖାଦ୍ୟ ପାଇ ଗଜା ଗଛ ପରି ଦେଖାଯାଉ ଅଛନ୍ତି ! ସେହି ନାଗସାପର ଅତି ଉତ୍କଟ ବିଷ, ବିଷ ପ୍ରଭାବରୁ ପକ୍ଷୀଶୂନ୍ୟ ହୋଇ ଅଛନ୍ତି ।

୩୩ଶ ପଦ :- ବନରୁହନଦ ପ୍ରତଳ - ପଦ୍ମପାଦର ତଳିପା ।

୩୩ଶ ପଦ :- ରାମଚନ୍ଦ୍ର ତାହାଙ୍କର ପଦ୍ମପାଦରେ ସେହି ବୃକ୍ଷରେ ଗୁଡ଼ାଇ ହୋଇଥିବା ସାପଟାକୁ ମାଡ଼ି ଚିପି ଧରିବାରୁ, ସେ ବଳଶୂନ୍ୟ ହୋଇ ବିନତି କରିବାକୁ ଲାଗିଲା ।

୩୪ଶ ପଦ :- ବ୍ୟାଳ - ସର୍ପ ।

୩୪ଶ ପଦ :- ପଦାଘାତ ସହି ନ ପାରି ସେହି ସାପ ସିଧା ହୋଇଯିବାରୁ; ରାମ ସେମାନଙ୍କ ପ୍ରତି ଅତିଶୀଘ୍ର ବାଣ ପ୍ରୟୋଗ କଲେ ।

୩୫ଶ ପଦ :- ସେହି ବାଣ ସାତଗୋଟିଯାକ ଶାଳ ବୃକ୍ଷକୁ କ୍ରମାନ୍ୱୟରେ (ଗୋଟାକ ପରେ ଅନ୍ୟ ଗୋଟାକୁ) ଭେଦ କରି ୠଷ୍ୟମୁକ ପର୍ବତ ଉପରେ ବସିଥିବା ରାମଙ୍କ ନିକଟକୁ ଶୀଘ୍ର ଫେରି ଆସିଲା ।

୩୬ଶ ପଦ :- ସୁଗ୍ରୀବ, ରାମଙ୍କଦ୍ୱାରା ଏହି ଅଦ୍ଭୁତ କାର୍ଯ୍ୟ ସାଧିତ ହେବାର ଦେଖି ବିଷ୍ଣୁ ମନେ କରି ଚକ୍ରବନ୍ଧରେ ବିନୀତ ହୋଇ, ସ୍ତୁତି କରିବାକୁ ଲାଗିଲା ।

 

ଚକ୍ରବନ୍ଧ

 

ବିଭୁ ଖରପର ମେଳ ସାଧବୀ

ବିଦ୍ଧଶାଳ ମେଘତନୁ ଭା-ରବି

।୩୭ ।

ବିରଭା-ନୁତ କ ସ୍ୱ ଭୂପ୍ରସବି

ବୀଶପ୍ରଭୁ ସ୍ୱତରେ କି ବିଭାବି

।୩୮ ।

ବିଭାବିକରେ ଖେଦ ଭେଦ ପବି

ବିପଦ ଭେଦନ ତାର ପଦବୀ

।୩୯ ।

ବିଦପର ତା ସମ ଦତ୍ତ ହବି

ବିହ ତ ଦଶରୂପ ରଖ ଭୂବି

।୪୦ ।

ବୋଲି ଓଳଗି ହୋଇଲା ବାହାର

ବେନି ସୋଦର ମନ୍ତ୍ରୀଏ ସଙ୍ଗର

।୪୧ ।

ବାଟେ ଯୋଉଁ ଦେଖିଲେ ଦିବ୍ୟ ସରେ

ବାଦ୍ୟ ନାଦ ଶୁଭେ ଜଳ ଭିତରେ

।୪୨ ।

ବିଚିତ୍ର ତ ବୋଇଲେ ରାମଚନ୍ଦ୍ର

ବକ୍ତା ଶୁଣି ପ୍ଲବଗକୁଳଚନ୍ଦ୍ର

।୪୩ ।

ବନୌକାଏ ନାମ ତା ମନ୍ଦକର୍ଣ୍ଣ

ବିରଚଇ ତପସ୍ୟା ବସି ବନ

।୪୪ ।

ବଳାତ୍କରେ ଏ ଇନ୍ଦ୍ରପଦ ନେବ

ବାର ବାର ଶତ୍ରୁ ଭୟ ସମ୍ଭବ

।୪୫ ।

ବାର ବାର ବଧକୁ ପେଷି ଦେଇ

ବାରକୀର ବୁଦ୍ଧି ସେ ତାଙ୍କୁ ଚାହିଁ

।୪୬ ।

ବାର ମଧ୍ୟେ ପୁର ସୁରଶିଳ୍ପୀ ଯେ

ବାରସ୍ୱତୀ ଲକ୍ଷ୍ୟ କରି କଳ୍ପି ଯେ

।୪୭ ।

ବଶ କରି ନୃତ୍ୟ ଗୀତେ ମନ

ବାଜେ ମର୍ଦ୍ଦଳ ତାଳ ତାଳୀମାନ

।୪୮ ।

ବୁଧ କ୍ଷତ୍ରିୟବର ବୋଲି ଯାଇ

ବନପତି ହାରରେ ସ୍ଥିତ ହୋଇ

।୪୯ ।

ବୀରଡ଼ାକ ସର୍ଜିଲା ଅତି ଟାଣ

ବର୍ଷା ବିନା କି ଗର୍ଜ୍ଜେ ମେଘ ଦ୍ରୋଣ

।୫୦ ।

 

୩୭ଶ ପଦ :- ବିଭୁ - ପରମେଶ୍ୱର । ଖରପର - ଖର ରାକ୍ଷସର ଶତ୍ରୁ (ରାମଚନ୍ଦ୍ର) । ଭା - ରବି - ସୂର୍ଯ୍ୟଙ୍କପରି ତେଜସ୍କର । ସାଧବୀ - ସ୍ୱାଧି ବା ପତିବ୍ରତ । ମେଘତନୁ - ମେଘପରି ଶ୍ୟାମଳ ସୁନ୍ଦର ଦେହ ।

 

୩୭ ପଦ :- ‘‘ହେ ରାମଚନ୍ଦ୍ର ! ଆପଣ ଏହି ଜଗତର ପ୍ରଭୁ ଅଟନ୍ତି । ଆପଣ ଖର ରାକ୍ଷସକୁ ନାଶ କରିଅଛନ୍ତି । ସାଧ୍ୱୀ ସୀତାଙ୍କ ସହ ମିଳିତ ହୋଇଅଛନ୍ତି, ଅର୍ଥାତ୍‌ ତାହାଙ୍କୁ ବିବାହ କରିଅଛନ୍ତି, ସପ୍ତଶାଳକୁ ଶର ଦ୍ୱାରା ଭେଦ କରିଅଛନ୍ତି, ଆପଣ ମେଘପରି ଶ୍ୟାମଳବର୍ଣ୍ଣ ଅଟନ୍ତି ଓ ସୂର୍ଯ୍ୟଙ୍କ ପରି ତେଜସ୍ୱୀ ଅଟନ୍ତି ।’’

 

୩୮ଶ ପଦ :- ବୀରଭା - ବିରତ । ନୁତ - ପୂଜିତ । କ - ନାରାୟଣ । ବୀଶପ୍ରଭୁ - ପକ୍ଷୀରାଜ ଗରୁଡ଼ର ପ୍ରଭୁ । କ - ବ୍ରହ୍ମା । ବିଭାବି - ଧ୍ୟାନ କରି ।

 

୩୮ଶ ପଦ :- ‘‘ଆପଣ ବୀରତ୍ୱରେ ପୃଥିବୀରେ ଖ୍ୟାତିଲାଭ କରିଅଛନ୍ତି । ଏହି ଜଗତରେ ଏକମାତ୍ର ପୁଜ୍ୟ ଅଟନ୍ତି - ଅର୍ଥାତ୍‌ ଆପଣଙ୍କୁ ସମସ୍ତେ ପୂଜା କରନ୍ତି ମାତ୍ର ଆପଣ ଯାହାଙ୍କୁ ପୂଜା କରିବେ ଏପରି ବ୍ୟକ୍ତି କେହି ନାହିଁ । ଆପଣ ସ୍ୱଂୟ ନାରାୟଣ ଅଟନ୍ତି । ନିଜକୁ ନିଜେ ଜନ୍ମ କରିଅଛନ୍ତି ଅର୍ଥାତ୍‌ ସ୍ୱୟଂଭୁ ଅଟନ୍ତି । ଗରୁଡ଼ଙ୍କର ପ୍ରଭୁ ଅଟନ୍ତି । ବ୍ରହ୍ମା ନିଜ ଇଚ୍ଛାରେ ଆପଣଙ୍କୁ ଚିନ୍ତା କରୁଅଛନ୍ତି ଅର୍ଥାତ୍‌ ଆପଣ ବ୍ରହ୍ମାଙ୍କର ଆରାଧ୍ୟ ଅଟନ୍ତି ।’’

 

୩୯ଶ ପଦ :- ପଦ :- ବିଭାବିକରେ - ବିଶେଷ ଭାବୁକ ଅର୍ଥାତ୍‌ ଭକ୍ତ । ଖେଦ - ଦୁଃଖ । ପବି - ବଜ । ତାର - ଖ୍ୟାତ । ପଦବୀ - ଉପାଧି ।

 

୩୯ଶ ପଦ :- ‘‘ଭକ୍ତମାନଙ୍କ ଦୁଃଖ ଖଣ୍ଡନ କରିବା ବିଷୟରେ ଆପଣ ବଜ୍ରପରି ଶକ୍ତିଶାଳୀ ଅଟନ୍ତି ସୁତରାଂ ଆପଣ ବିପଦଭଞ୍ଜନ ଏହି ଉପାଧିକୁ ଧାରଣ କରିଅଛନ୍ତି ।’’

୪୦ଶ ପଦ :- ବିପଦର - ଜ୍ଞାନଶ୍ରେଷ୍ଠ । ହବି - ଘୃତ ।

୪୦ଶ ପଦ :- ‘‘ଆପଣ ଯଜ୍ଞ କରିବା ନିମିତ୍ତ ଜ୍ଞାନୀଶ୍ରେଷ୍ଠ ୠଷିମାନଙ୍କୁ ଘୃତଦାନ କରୁଅଛନ୍ତି ଅର୍ଥାତ୍‌ ଆପଣ ଯଜ୍ଞ ଅଟନ୍ତି ଏବଂ ମୀନ କୂର୍ମ ପ୍ରଭୃତି ଦଶବିଧରୂପ ଧାରଣ କରି ଜଗତକୁ ରକ୍ଷା କରି ଅଛନ୍ତି ।’’

୪୧ଶ ପଦ :- ସୁଗ୍ରୀବ ରାମଚନ୍ଦ୍ରଙ୍କୁ ଏହିପରି ସ୍ତୁତି ଓ ପ୍ରଣାମ କରି ବାହାର ହେଲା । ରାମଚନ୍ଦ୍ର, ଲକ୍ଷ୍ମଣ ଓ ମନ୍ତ୍ରୀମାନେ ତାହାର ସଙ୍ଗେ ସଙ୍ଗେ ଯିବାକୁ ଲାଗିଲେ ।    

୪୨ଶ ପଦ :- ଦିବ୍ୟସର - ସୁନ୍ଦର ପୁଷ୍କରିଣୀ ।

୪୨ଶ ପଦ :- ବାଟରେ ଯାଉଁ ଯାଉଁ ସେମାନେ ଗୋଟିଏ ମନୋହର ପୁଷ୍କରିଣୀ ଦେଖିଲେ ଏବଂ ସେହି ପୁଷ୍କରିଣୀର ଜଳ ମଧ୍ୟରେ ବାଦ୍ୟ ବାଜୁଥିବାର ଶୁଣିଲେ ।

୪୩ଶ ପଦ :- ପ୍ଲବଗକୁଳଚନ୍ଦ୍ର - ମର୍କଟକୁଳ ଚନ୍ଦ୍ରମା ସୁଗ୍ରୀବ ।

୪୪ଶ ପଦ :- ବନୌକାଏ - ଜଣେ ୠଷି ବା ତପତ୍ସ୍ୱୀ ।

୪୫ଶ ପଦ :- ଶନ୍ତ୍ର- ଇନ୍ଦ୍ର ।

୪୬ଶ ପଦ :- ବାରବଧୁ - ବେଶ୍ୟା । ବାରକୀ - ପାପୀ ।

୪୩ଶ - ୪୬ପଦ :- ରାମଚନ୍ଦ୍ର ସେହି ବାଦ୍ୟନାଦ ଶୁଣି, ଏହା ଅତି ଆଶ୍ଚର୍ଯ୍ୟ ବୋଲି କହିବାରୁ, ବାନର କୁଳଚନ୍ଦ୍ରମା ସୁଗ୍ରୀବ କହିଲେ, ‘‘ମନ୍ଦକର୍ଣ୍ଣ ନାମକ ଜଣେ ୠଷି ଏହି ବନମଧ୍ୟରେ ବସି ତପସ୍ୟା କରୁଥିଲେ । ଏହି ୠଷି ତପସ୍ୟା ଦ୍ୱାରା ସିଦ୍ଧି ଲାଭ କଲେ ବଳପୂର୍ବକ ମୋର ଇନ୍ଦ୍ରପଦ ହରଣ କରିବେ - ଏହି ଆଶଙ୍କା ଇନ୍ଦ୍ରଙ୍କ ମନରେ ଜାତ ହେବାରୁ, ସେ ୠଷିଙ୍କର ତପସ୍ୟା ଭଙ୍ଗ କରିବା ନିମିତ୍ତ ବାରଜଣ ସ୍ୱର୍ଗବେଶ୍ୟାଙ୍କୁ ପ୍ରେରଣ କଲେ । ୠଷି ସେମାନଙ୍କୁ ଦେଖିବା ସଙ୍ଗେ ସଙ୍ଗେ ତାଙ୍କ ମନରେ ପାପବୁଦ୍ଧି ଜାତ ହେଲା । (ଅର୍ଥାତ୍‌ ୠଷି ସେମାନଙ୍କୁ ଦେଖି କାମଶରରେ ଜର୍ଜରିତ ହେବାରୁ, ତପସ୍ୟା ଛାଡ଼ି ସେମାନଙ୍କ ସହ ରତି କରିବାରେ ଲାଗିଲେ)’’ ।

୪୭ଶ ପଦ :- ବାରମଧ୍ୟେ - ଜଳମଧ୍ୟରେ । ସୁରଶିଳ୍ପୀ - ବିଶ୍ୱକର୍ମା । ବାରସ୍ୱତୀ - ବ୍ରହ୍ମାଙ୍କ ପୁର । କଳ୍ପି- ନିର୍ମାଣ କରି ।

୪୭ଶ ଓ ୪୮ଶ ପଦ :- ‘‘ତତ୍ପରେ ଇନ୍ଦ୍ରଙ୍କ ଆଦେଶନୁସାରେ ସ୍ୱର୍ଗଶିଳ୍ପୀ ବିଶ୍ୱକର୍ମା ଆସି ବ୍ରହ୍ମାଙ୍କ ପୁରକୁ ଲକ୍ଷ୍ୟ କରି ଏକ ପୁର ଏହି ଜଳ ମଧ୍ୟରେ ନିର୍ମାଣ କଲେ । ସେହି ପୁରରେ ନୃତ୍ୟ ଗୀତ କରି ସ୍ୱର୍ଗବେଶ୍ୟାମାନେ ୠଷିଙ୍କର ମନକୁ ବଶ କରିଅଛନ୍ତି, ଏଣୁ ମୃଦଙ୍ଗ ଝାଞ୍ଜ ଓ ଗିନି ପ୍ରଭୃତି ବାଜୁଅଛି ।’’

୪୯ଶ ପଦ :- ବନପତିହାର - ସିଂହଦ୍ୱାର ।

୪୯ଶ ପଦ :- ‘‘ହେ କ୍ଷତ୍ରିୟ ଶ୍ରେଷ୍ଠ ! ଏହାର କାରଣ ଏହି’’ ଏହାକହି ସୁଗ୍ରୀବ ସଙ୍ଗେ ସଙ୍ଗେ ଯାଇ ବାଳିର ସିଂହାସନରେ ଉପସ୍ଥିତ ହେଲା ।

୫୦ଶ ପଦ :- ସୁଗ୍ରୀବ ବାଳିର ସିଂହଦ୍ୱାରରେ ଠିଆ ହୋଇ ଅତି ଟାଣରେ ଗୋଟାଏ ବୀରରଡ଼ି ଦେଲା । ତାହା ଶୁଣି ମନେ ହେଲା, ଦ୍ରୋଣମେଘ ବିନା ବୃଷ୍ଟି ଗର୍ଜ୍ଜନ କଲା କି ?

 

ବଣା ବିବେକ ହେଲେ ପୁରଜନେ

ବାଳିଥିଲା ଯେ ମଧ୍ୟାହ୍ନ ଶୟନେ

।୫୧ ।

ବାରୁଣୀକି ପାନହିଁ କରିଥିଲା

ବାରୁଣୀରେ ଶବ୍ଦ ଶୁଣି ଧାଇଁଲା

।୫୨ ।

ବଜ୍ରମୁଥେ ସୁଗ୍ରୀବ ଦମ୍ଭଶୃଙ୍ଗ

ବିଭଞ୍ଜନେ ବାହୁଡ଼ି ଗଲା ବେଗ

।୫୩ ।

ବିଲୋକିଲେ ଏତିକି ଚାପଧାରି

ବିଦ୍ୟୁ ଝଟକି ଲୀନ ହେଲା ପରି

।୫୪ ।

ବିପଥ ଯେ ଶୁଷ୍କନଦୀ ଭାନୁଜ

ବଢ଼ି ଜଳ ପଡ଼ି ଶୀଘ୍ର ସହଜ

।୫୫ ।

ବିଶ୍ରାମକୁ ନ ପାଇ କେଉଁଠାରେ

ବିଲୀନ ସେ ଗିରି ଗୃହା ସାଗରେ

।୫୬ ।

ବାହୁଡ଼ାବିଜେ ଦାଶରଥି କହି

ବଳ କିଛି ନାହିଁ ତ ମିତ୍ର ଦେହି

।୫୭ ।

ବାତାତ୍ମଜ ବାଣୀ କଲା ପ୍ରକାଶ

ବ୍ରହ୍ମପ୍ରଳୟଜଳେ ମେରୁ ନାଶ

।୫୮ ।

ବୁଲି ୠଷ୍ୟମୁକେ ଖୋଜି ନ ପାଇ

ବିବରକେ ସେ ଠାବ କଲେ ଯାଇଁ

।୫୯ ।

ବୃକ୍ଷବିଂଶ ଭୟେ ଯଥା ଇନ୍ଦୁର

ବାହାରଇ ନାହିଁ ନିଜ ବିବର

।୬୦ ।

 

୫୧ଶ ପଦ :- ସେହି ବୀରରଡ଼ି ଶୁଣି କିସ୍କିନ୍ଧ୍ୟାପୁରବାସୀ ଲୋକମାନଙ୍କର ବୁଦ୍ଧି ବଣା ହୋଇଗଲା - ଅର୍ଥାତ୍‌ ସେମାନେ ଏଇଟା କି ରଡ଼ି ବୋଲି ଜାଣିପାରିଲେନାହିଁ । ବାଳି ସେହି ସମୟରେ ଦିପ୍ରହରଆ ନିଦ୍ରାରେ ନିଦ୍ରିତ ଥିଲା ।

୫୨ଶ ପଦ :- ବାରୁଣୀ - ମଦ୍ୟ, ପଶ୍ଚିମ ଦିଗ ।

୫୨ ଓ ୫୩ଶ ପଦ :- ବାଳି ମଦ ପିଇ ଘରର ପଶ୍ଚିମ ଭାଗରେ ଶୋଇଥିଲା । ପଶ୍ଚିମ ଦିଗରୁ ଶବ୍ଦ ହେବାର ଶୁଣି ଉଦ୍ଧତ ଓ ବିରକ୍ତ ହୋଇ ଧାଇଁ ଆସି ବଜ୍ରତୁଲ୍ୟ ଏକ ବିଧା ମାରି ସୁଗ୍ରୀବର ଗର୍ବରୂପ ପର୍ବତର ଶୃଙ୍ଗକୁ ଚୁନା କରି ଦେଇ ଅର୍ଥାତ୍‌ ସୁଗ୍ରୀବକୁ ପରାସ୍ତ କରି ସେଠାରୁ ସଙ୍ଗେ ସଙ୍ଗେ ବାହୁଡ଼ିଗଲା ।

୫୪ଶ ପଦ :- ଧନୁର୍ଦ୍ଧାରୀ ରାମ କେବଳ ଏତିକି ଦେଖିଲେ ଯେ, ବିଜୁଳି ଝଟକ ସଙ୍ଗେ ସଙ୍ଗେ ଲୀନ ହେଲା ପରି ବାଳି ଓ ସୁଗ୍ରୀବ ଦୁହେଁ ସେ ସ୍ଥାନକୁ ଚାଲିଗଲେ ।

୫୫ଶ ପଦ :- ବିପଥ - ଅବାଟ । ଭାନୁଜ - ସୁଗ୍ରୀବ ।

୫୬ଶ ପଦ :- ବିଲୀନ - ଗୁପ୍ତ ।

୫୫ ଓ ୫୬ଶ ପଦ :- ଶୁଖିଲା ନଦୀରେ ହଠାତ୍‌ ବଢ଼ି ଜଳ ପଡ଼ିଲେ ସେହି ଜଳ ଯେପରି ବାଟ ଅବାଟ ନମାନି ବହିଯାଏ, ସେହିପରି ସୁଗ୍ରୀବ ମାଡ଼ ଖାଇ ବିକଳରେ ବାଟ ଅବାଟ ନ ବାରି ଅତିଶୀଘ୍ର କେଉଁଆଡ଼େ ଚାଲିଗଲା । ନଦୀ ଜଳ ଯେପରି ବହି ଯାଉଁ ଯାଉଁ ବାଟରେ କୌଣସି ସ୍ଥାନରେ ନ ଅଟକି ଶେଷରେ ସୁମଦ୍ରରେ ଲୀନ ହୋଇଯାଏ, ସେହିପରି ସୁଗ୍ରୀବ ଯିବା ସମୟରେ କୌଣସିଠାରେ ନ ଅଟକି ଅର୍ଥାତ୍‌ ବିଶ୍ରାମ ନ କରି ଏକାବେଳକେ ଯାଇ ଗୋଟିଏ ପର୍ବତ ଗୁମ୍ଫାରେ ପଶି ଲୁଚିଲା।

୫୭ଶ ପଦ :- ସୁଗ୍ରୀବ ପରାଜିତ ହୋଇ ଫେରି ଆସିବାର ଦେଖି, ରାମଚନ୍ଦ୍ର କହିଲେ ‘‘ମିତ୍ରଙ୍କ ଦେହରେ କିଛିମାତ୍ର ବଳ ନାହିଁ ।’’

୫୮ଶ ପଦ :- ବାତାତ୍ମଜ - ହନୁମାନ ।

୫୮ଶ ପଦ :- ଏହା ଶୁଣି ହନୁମାନ କହିଲା, ‘‘ଯେଉଁ ପ୍ରଳୟ କାଳୀନ ଜଳରେ ବ୍ରହ୍ମା ନାଶ ହୁଅନ୍ତି, ସେହି ବ୍ରାହ୍ମୀପ୍ରଳୟ ଜଳରେ ମେରୁ ପର୍ବତ ନାଶ ହୁଏ । ( ଅର୍ଥାତ୍ ବାଳୀସହ ଯୁଦ୍ଧକଲେ ସୁଗ୍ରୀବ ନିଶ୍ଚୟ ପରାସ୍ତ ହେବ ଏବଂ ବାଳୀ ଭିନ୍ନ ଅନ୍ୟ ସହ ଯୁଦ୍ଧ କଲେ ନିଶ୍ଚୟ ଜୟ ଯୁକ୍ତ ହେବ ) ।’’

୫୯ଶ ପଦ :- ତାହାପରେ ରାମଚନ୍ଦ୍ର ପ୍ରଭୃତି ଋଷ୍ୟମୁକ ପର୍ବତଯାକ ବୁଲି ଖୋଜି ଖୋଜି ସୁଗ୍ରୀବକୁ ନ ପାଇ ଶେଷରେ ଅନ୍ୟ ଏକ ପର୍ବତର ଗୁହା ଭିତରେ ରହିଥିବାର ଜାଣି ପାରିଲେ ।

୬୦ଶ ପଦ :- ବୃକ୍ଷଦଂଶ-ବିରାଡ଼ି । ଇନ୍ଦୁର-ମୂଷା । ବିବର-ଗର୍ତ୍ତ ।

୬୦ଶ ପଦ :- ମୂଷା ବିରାଡ଼ି ଭୟରେ ଯେପରି ଗାତ ଭିତରୁ ବାହାରକୁ ବାହାରେ ନାହିଁ, ସୁଗ୍ରୀବ ସେହିପରି ବାଳି ଭୟରେ ଲୁଚିଥିବା ଗୁମ୍ଫା ଭିତରୁ ବାହାର ହେଲାନାହିଁ ।

 

ବୋଧ ନ ଘେନି ସେ ଏମନ୍ତ ବୋଲି

ବୁକୁ ଚମକେ ଆଉ ଗଲେ ମଲି

।୬୧ ।

ବ୍ୟର୍ଥେ ନ ଅରଜ ପଶୁପାତକ

ବେଳେ ଗଲି ନ ବୁଝି ଯେଣୁ ବାକ

।୬୨ ।

ବିଷ ଖାଇଛି ଜାଣୁ ଜାଣୁ କେହି

ବର୍ତ୍ତିଥିଲେ ସମ୍ପତ୍ତି ଭୋଗ ହୋଇ

।୬୩ ।

ବିଚେଷ୍ଟାକୁ ଦେଖି ରଘୁନନ୍ଦନ

ବଳ ଦେଲେ କରିଣ ଆଲିଙ୍ଗନ

।୬୪ ।

ବ୍ୟାଘ୍ର ବିପିନେ ଯଥା ଛପିଥାଇ

ବାହାରର କ୍ଷୁଧାର୍ତ୍ତେ ରଡ଼ି ଦେଇ

।୬୫ ।

ବେନି ଭ୍ରାତ ଏକ ମୂର୍ତ୍ତି ବହନ୍ତି

ବାରି ନୋହିଲେ ବୋଲି ରଘୁପତି

।୬୬ ।

ବନମଲ୍ଲୀମାଳା କରି ରଚନ

ବିଲମ୍ବାଇ କଣ୍ଠରେ କଲେ ଚିହ୍ନ

।୬୭ ।

ବତାସର ପରାୟେ ଧ୍ୱନିମନ୍ତେ

ବେଗେ ଯାଇଁ ନଗର ପାଶେ ସ୍ଥିତ

।୬୮ ।

ବୃକ୍ଷାନ୍ତରେ ରହିଲେ ରଘୁରାଣ

ବସାଇଣ କୋଦଣ୍ଡ ଗୁଣେ ବାଣ

।୬୯ ।

ବ୍ୟାଧ ଜଗି ଯେମନ୍ତେ ଜଳଘାଟ

ବାତାସନ ଆଗମରେ ଲମ୍ପଟ

।୭୦ ।

 

୬୧ଶ ପଦ :- ରାମଚନ୍ଦ୍ର ତାକୁ ବୋଧ ଦେଇ ଡାକିଲେ, ‘‘ଆସ, ଆଉ ଥରେ ଯାଇ ବାଳିକୁ ନିଶ୍ଚୟ ମାରିବ ।’’ କିନ୍ତୁ ସୁଗ୍ରୀବ ତାଙ୍କର ଏହି ପ୍ରବୋଧ ବାକ୍ୟକୁ ଗ୍ରହଣ ନ କରି କହିଲା, ‘‘ମୋର ଛାତି ଥରୁଛି, ଆଉ ଥରେ ଗଲେ ନିଶ୍ଚୟ ମରିବି ।’’

 

୬୨ଶ ପଦ :- ପୁଣି କହିଲା, ‘‘ମୁଁ ଆପଣଙ୍କର କଥା ବୁଝି ନ ପାରି ଥରେ ଗଲି, ଆଉ ଥରେ ମୋତେ ପଠାଇ ବୃଥାରେ ପଶୁହତ୍ୟା ପାପ ଅର୍ଜନ କରନ୍ତୁ ନାହିଁ ।’’

 

୬୩ଶ ପଦ :- ‘‘କୌଣସି ଲୋକ ଜାଣୁ ଜାଣୁ ବିଷ ଖାଇଅଛି କି ? (ନା କେହି ଏପରି ବିଷ ଖାଏନାହିଁ) । ଜୀବନ ଥିଲେ ସିନା ସମ୍ପତ୍ତି ଭୋଗ ହୁଏ ।

୬୪ଶ ପଦ :- ସୁଗ୍ରୀବ ଏହିପରି କହି ନିଷ୍ପୃହ ହେବାର ଦେଖି ରଘୁକୁଳର ଆନନ୍ଦ ବର୍ଦ୍ଧନକାରୀ ରାମ ତାହାଙ୍କୁ ଆଲିଙ୍ଗନ କରି ବଳଦାନ କଲେ ( ଅର୍ଥାତ୍ ରାମ ତାଙ୍କୁ ସ୍ପର୍ଶ କରି ନିଜ ଦେହକୁ ବଳ ପ୍ରଦାନ କଲେ ) ।

 

୬୫ଶ ପଦ :- ବାଘ ଯେପରି ଜଙ୍ଗଲ ମଧ୍ୟରେ ଲୁଚି ରହିଥାଏ, କିନ୍ତୁ ଭୋଖିଲା ହେଲେ ରଡ଼ି କରି ସେ ମଧ୍ୟରୁ ବାହାରି ପଡ଼େ, ସେହିପରି ସୁଗ୍ରୀବ ରାମଙ୍କଠାରୁ ବୈଷ୍ଣବ ତେଜ (ବଳ) ପାଇବା ମାତ୍ରେ ବୀର ରଡ଼ି ଦେଇ ଯୁଦ୍ଧକୁ ବାହାର ହେଲା ।

୬୬ଶ ଓ ୬୭ଶ ପଦ :- ‘‘ସୁଗ୍ରୀବ ଓ ବାଳି ଦୁଇ ଭାଇଙ୍କର ଶରୀର ଗଠନ ସମାନ ହୋଇଥିବାରୁ, ପ୍ରଥମଥର ଯୁଦ୍ଧବେଳେ କିଏ ସୁଗ୍ରୀବ ଓ କିଏ ବାଳି ବୋଲି ବାରି ପାରିଲିନାହିଁ, ଏହି କଥା ପ୍ରକାଶ କରି ରାମଚନ୍ଦ୍ର ବଣମଲ୍ଲୀ ଫୁଲରେ ମାଳା ଗୁନ୍ଥି ଚିହ୍ନ ସ୍ୱରୁପ ସୁଗ୍ରୀବର ଗଳାରେ ଲମ୍ବାଇ ଦେଲେ ।

 

୬୮ଶ ପଦ :- ତାହାପରେ ସୁଗ୍ରୀବ ବତାସ ପବନ ପରି ଘୋର ଗର୍ଜନ କରି ଅତି ଶୀଘ୍ର ଯାଇ ନଗର ନିକଟରେ ଉପସ୍ଥିତ ହେଲା । ଅର୍ଥାତ୍ ପବନ ଯେପରି ପ୍ରତିବନ୍ଧକ ପାଇଲେ ଅଟକି ଯାଏ, ସୁଗ୍ରୀବ ସେହିପରି ବାଳିକୁ ପ୍ରତିବନ୍ଧକ ପାଇ ନଗର ପାଖରେ ଅଟକିଲା ।

 

୬୯ଶ ପଦ :- ରାମଚନ୍ଦ୍ର ବୃକ୍ଷ ଉହାଡ଼ରେ ଲୁଚି ରହି ଧନୁର ଗୁଣରେ ଶରକୁ ବସାଇଲେ । କାରଣ ତାଙ୍କୁ ଜଣାଥିଲା ଯେ ବାଳି ଶତ୍ରୁକୁ ଦେଖିବା ମାତ୍ରେ ତାହା ଦେହକୁ ଅଧେ ବଳ ହରଣ କରିନିଏ ।

 

୭୦ଶ ପଦ :- ବାତାସନ-ମୃଗ ।

 

୭୦ଶ ପଦ :- ବ୍ୟାଧ ଜଳ ଘାଟରେ ଜଗି ରହି ଯେପରି ମୃଗ ଆସିବାକୁ ଅପେକ୍ଷା କରିଥାଏ, ରାମ ସେହିପରି ସେହି ବୃକ୍ଷର ଅନ୍ତରାଳରେ ଲୁଚି ବସି ବାଳିର ଆଗମନକୁ ଅପେକ୍ଷା କରିଥିଲେ ।

 

ବିସ୍ମୟ ଯେ କିସ୍କିନ୍ଧ୍ୟାବାସୀ ଚାହିଁ

ବୋଲେ ପୀତବାସ ହେଲା କି ତହିଁ

।୭୧ ।

ବୋଲେ କେ ଖଗବହ ପକ୍ଷ ଥିବ

ବିଶେଷରେ ତେଜଚକ୍ର ସମ୍ଭବ

।୭୨ ।

ବୋଲେ ଅପୂର୍ବ ଶିବ ହେବ କେହି

ବିଭୂଷଣେ ଫୁଲ ମାଳୀ ସେବଇ

।୭୩ ।

ବୋଲେ କେ କର୍ମ ଉଦୟହିଁ ଖ୍ୟାତ

ବିଧିରେ ହଂସ ତୋଷଦାନେ ସ୍ୱତ

।୭୪ ।

ବୋଲେ କେହି ବନୌକାସାର ଏହି

ବାଞ୍ଛା ଭସ୍ମ ଚିତାରେ କି କରଇ

।୭୫ ।

ବିକର୍ତ୍ତନସୁତ ଏହି ସମୟେ

ବାଳି ଆସରେ ବୋଲି ଡାକ ଦିଏ

।୭୬ ।

ବୋଲାଉ ତୁ ମହୀଶ ଏ ଭୂବନ

ବକ୍ଷଭେଦ ଷକାର ଏବେ ଘେନ

।୭୭ ।

ବିଭେଦ ନ ରହିବ ଚରମରେ

ବୀରଶାର୍ଦ୍ଦୂଳ ମୁଖ-ପତନରେ

।୭୮ ।

ବର୍ଣ୍ଣ ଅଧିକ ମହୀଶ ପଦରେ

ବିହାଇବା ଯେ ମହୀଶୟନରେ

।୭୯ ।

ବର୍ଷାମୁଖଷ ଶୁଣି ଯଥା ସ୍ତନିତ

ବହି ଗରବ ଶରଭ ପ୍ରମତ୍ତ

।୮୦ ।

 

୭୧ଶ ପଦ :- କିସ୍କିନ୍ଧ୍ୟାବାସୀମାନେ ସୁଗ୍ରୀବଙ୍କୁ ପୁନର୍ବାର ଆସିବାର ଦେଖି ବସ୍ମିତ ହେଲେ । ସେମାନଙ୍କ ମଧ୍ୟରୁ କେହି କେହି ମନେ କଲେ, ‘‘ଏହାର ତେଜ ( ଦେହରକାନ୍ତି ) ‘ପୀତବାସ’ ବିଷ୍ଣୁଙ୍କ ତେଜ ପରି ଦେଖାଯାଉଅଛି ।’’ ଏହିପରି କହୁଥିବା ଲୋକଙ୍କ କଥା ଶୁଣି; ପୁଣି କେହି କେହି କହିଲେ ‘‘ଆପଣମାନେ ଯାହା କହୁଛନ୍ତି ତାହା ନୁହେଁ; ତାହାର ପିତ୍ତାଧିକ୍ୟ ହେବାରୁ ସେ ପାଗଳ ହେଲାଣି ।’’

୭୨ଶ ପଦ :- ଖଗବହ-ନାରାୟଣ । ତେଜଚକ୍ର-ତେଜୋମୟ, ସୁଦର୍ଶନ ଚକ୍ର ।

୭୨ଶ ପଦ :- ପୁଣି କେହି କେହି ସେହି ପୀତବାସ ଶବ୍ଦର ଅନ୍ୟ ପ୍ରକାର ଅର୍ଥ କରି କହିଲେ, ‘‘ତାହାର ‘ଖଗବହ’ ଶରୀର ସଞ୍ଚାର ବାୟୁ ‘ପିତ୍ତବାସ’ ପିତ୍ତର ବଶ ହୋଇଥିବ, ତେଣୁ ଏହା ଦେହର ତେଜ ସମୂହ ଅତିଶୟ ଭାବରେ ବୃଦ୍ଧି ପାଇଥିବାର ସମ୍ଭବ ହେଉଅଛି ।’’ ଆହୁରି ମଧ୍ୟ କେହି କେହି କହିଲେ, ‘‘ଗରୁଡ଼ ରୋହଣକାରୀ ବିଷ୍ଣୁ ସହାୟ ହୋଇଥିବାରୁ ଏହାର ଦେହରେ ତେଜ ସମୂହ ବିଶେଷ ଭାବରେ ପ୍ରକାଶିତ ହୋଇଅଛନ୍ତି ।’’

 

୭୩ଶ ପଦ :- ପୁଣି କେହି କହିଲେ, ‘ଏହାର ଅପୂର୍ବ ‘ଶିବ’ ମଙ୍ଗଳ ଅର୍ଥାତ୍ ଅମଙ୍ଗଳ ହେବ । ତେଣୁ ‘ଫୁଲ ବିଭୂଷଣେ’ ଫୁଲମାଳା ବେକରେ ପିନ୍ଧିବା ଦ୍ୱାରା ଏହା ସୂଚିତ ହେଉଛି ଯେ, ଏହି ସୁଗ୍ରୀବ ( ‘ମା’ ଚଣ୍ଡୀ -‘ଆଳୀ’ ସମୂହ ) ଚଣ୍ଡୀମାନଙ୍କୁ ସେବା କରିବ ଅର୍ଥାତ୍ ବଳି ପଡ଼ିବ ( ହାଣ ଖାଇ ମରିବ ) ଅନ୍ୟମାନେ କହିଲେ, ‘‘ଅଳ୍ପ ସମୟ ପରେ ବାଳିଠାରୁ ମାଡ଼ ଖାଇ ପ୍ରାଣ ବିକଳରେ ବାହାରି ଯାଇଥିବା ସୁଗ୍ରୀବ ଯେ ପୁନର୍ବାର ସଙ୍ଗେ ସଙ୍ଗେ ଯୁଦ୍ଧ କରିବାକୁ ଆସିଛି, ଏହା ଅପୂର୍ବ-ଅର୍ଥାତ୍ ଆଶ୍ଚର୍ଯ୍ୟ କଥା । ତେଜରୁ ଅନୁମିତ ହୁଏ; ଏ ନିଶ୍ଚୟ ‘ଶିବ’ ମହାଦେବ ହେବେ । କାରଣ ଶିବଙ୍କୁ ଯେପରି ‘ମାଳୀ’ ମାଳାକାର ସେବା କରେ ଏବଂ ସେ ଫୁଲମାନଙ୍କ ହାର ‘ବିଭୂଷିତ’ ମଣ୍ଡିତ ହୋଇଥାନ୍ତି, ଏହି ଆଗନ୍ତୁକ ସେହିପରି ‘ଫୁଲ’ ବଣମଲ୍ଲୀ ଫୁଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ମାଳାରେ ବିଭୂଷିତ ହୋଇଅଛନ୍ତି । ଅଥବା ଏ ଆଶ୍ଚର୍ଯ୍ୟ ଶିବ ହେବେ ଇତ୍ୟାଦି ।

୭୪ଶ ପଦ :- ହଂସ-ସୂର୍ଯ୍ୟ, ଭଗବାନ, ପ୍ରାଣ । ବିଧିରେ-ନିୟମାନୁସାରେ । ସ୍ୱତ-ଆପଣା ଇଚ୍ଛାରେ ।

୭୪ଶ ପଦ :- କେହି କେହି ବା କହିଲେ, ‘‘ଏ ଆପଣା ଇଚ୍ଛାରେ ‘ବିଧିରେ’ ଉପଯୁକ୍ତ କାର୍ଯ୍ୟରେ ପ୍ରାଣଦାନ କରୁଥିବାରୁ ଜଣାପଡ଼ୁଛି ଯେ, ଏହାର କର୍ମ ନିଶ୍ଚୟ ଉଦୟ ହେବ ଅର୍ଥାତ୍ ଏ ବାଳି ହାତରେ ମଲେ, ଏକ ପ୍ରକାର ଭାଗ୍ୟର ଉଦୟ ହେବ । ଯଦିବା ବାଳିକୁ ମାରିଲା; ତାହାହେଲେ ମଧ୍ୟ ରାଜା ହେବା ଦ୍ୱାରା ଭାଗ୍ୟ ଉଦୟ ହେବ । ଅଥବା- ଏ ‘ବିଧିରେ’ ଅଧୀର ହୋଇ ସ୍ୱଇଚ୍ଛା ପୂର୍ବକ ସନ୍ତୁଷ୍ଟ ହୋଇ ପ୍ରାଣଦାନ କରୁଥିବାରୁ, ଏହାର କର୍ମ ନିଶ୍ଚୟ ଉଦୟ ହୋଇ ଖ୍ୟାତି ଲାଭ କରିବ । ଅର୍ଥାତ୍ ପ୍ରାଣଦାନ ହିଁ ସାର ହେବ ମରିବା । ଅଥବା କେହି କେହି କହିଲେ, ‘‘ଏ ସ୍ୱତଃ ପ୍ରବୃତ୍ତ ହୋଇ ନିୟମାନୁସାରେ ନିଜ ପିତା ସୂର୍ଯ୍ୟଙ୍କୁ ସନ୍ତୋଷ ପ୍ରଦାନ କରୁଅଛି, ଏଣୁ ଏହାର ଭାଗ୍ୟରେ ନିଶ୍ଚୟ ଉଦୟ ହେବ ।’’

୭୫ଶ ପଦ :- ବନୌକାସାର-ପ୍ରଧାନ ଋଷି । ଚିତା-ଶ୍ମଶାନାଗ୍ନି ।

୭୫ଶ ପଦ :- ଅନ୍ୟମାନେ କହିଲେ, ‘‘ଏ ତ ଜଣେ ବନବାସିମାନଙ୍କ ମଧ୍ୟରେ ପ୍ରଧାନ ଅର୍ଥାତ୍ ମର୍କଟ ଶ୍ରେଷ୍ଠ ନୁହେଁ ଯେ ଋଷିଶ୍ରେଷ୍ଠ । ବର୍ତ୍ତମାନ ମଶାଣି ପାଉଁଶ ବୋଳି ହେବାକୁ ଇଚ୍ଛା କରୁଛି କି ?’’ ( ଏହାର ମରଣ ନିଶ୍ଚୟ )

୭୬ଶ ପଦ :- ବିକର୍ତ୍ତନ ସୂତ-ସୁଗ୍ରୀବ ।

୭୬ଶ ପଦ :- ‘‘ଲୋକମାନେ ଏହିପରି କଥାବାର୍ତ୍ତା ହେବା ସମୟରେ ସୁଗ୍ରୀବ ‘ରେ ବାଳି ଆ’ ବୋଲି ଡାକଦେଲା ।’’

୭୭ଶ ପଦ :- ସୁଗ୍ରୀବ କହିଲା, ‘‘ରେ ବାଳି ତୁ ଏହି କିସ୍କିନ୍ଧ୍ୟା ପୁରରେ ଆଜି ପର୍ଯ୍ୟନ୍ତ ମହୀଶ ( ରାଜା ) ବୋଲାଉ ଥିଲୁ, ଏବେ ସେହି ମହୀଶ ଶବ୍ଦରେ ଥିବା ଶକାରକୁ ମଧ୍ୟରେ ଗାର ପଡ଼ିଥିବା ‘ଷକାର’ ମନେ କର । ଅର୍ଥାତ୍ ଗୋଟିଏ ମହିଷ ପଶୁ ବୋଲି ଜାଣ ।’’

୭୮ଶ ପଦ :- ଶାର୍ଦ୍ଦୁଳ-ବ୍ୟାଘ୍ର । ଚରମ-ପୃଷ୍ଠଦେଶ । ବିଭେଦନ - କ୍ଷତ ବିକ୍ଷତ । ବୀରଶାର୍ଦ୍ଦୁଳ - ବୀରଶ୍ରେଷ୍ଠ । ଚରମ-ଚର୍ମ । ବିଭେଦ-ପ୍ରଭେଦ ।

୭୮ଶ ପଦ :- ‘‘ମହିଷ ମହାବଳ ବ୍ୟାଘ୍ରର ମୁଖରେ, ପଡ଼ିଲେ ବ୍ୟାଘ୍ର ତାହାର ପୃଷ୍ଠଦେଶକୁ କ୍ଷତ ବିକ୍ଷତ କରି ଯେପରି ପ୍ରାଣ ନାଶ କରିଥାଏ, ବୀରଶ୍ରେଷ୍ଠ ମୁଁ ଆଜି ତୋର ଦର୍ଶନ ପାଇବାମାତ୍ରେ ତୋର ଶରୀରରୁ ଚର୍ମ ରାଶିକୁ ଛିଣ୍ଡାଇ ପ୍ରାଣନାଶ କରିବି ।’’ ଅଥବା ସେ ବ୍ୟଙ୍ଗ ଉକ୍ତି କରି କହିଲା, ‘‘ତୁ ଆଜି ମୋର ସମ୍ମୁଖରେ ପଡ଼ିଲେ ବୀରଶ୍ରେଷ୍ଠ ରାମଚନ୍ଦ୍ରଙ୍କର ଶର ତୋର ଛାତିରେ ଫୁଟି ପିଠିପଟେ ବାହାରିବ ।’’

୭୯ଶ ପଦ :- ଆହୁରି କହିଲା, ‘‘ସେହି ମହୀଷ ପଦରେ’’ ୟ ନ ‘ଏହି ଦୁଇଟି ଅକ୍ଷର ଅଧିକା ଯୋଗ କରି ଅର୍ଥାତ୍ ତୋତେ ମାରି ମହୀରେ ଶୟନ କରାଇ ତୋର ସେହି ‘ମହୀଶ ପଦ’ ରାଜପଦକୁ ହରଣ କରିନେବି ।’’

୮୦ଶ ପଦ :- ବର୍ଷାମୁଖେ-ବର୍ଷାକାଳର ଆରମ୍ଭରେ । ସ୍ତନିତ-ମେଘ ଗର୍ଜନ । ଶରଭ - ଅଷ୍ଟାପଦ ମୃଗ ।

୮୦ଶ ପଦ :- ଅଷ୍ଟାପଦ ମୃଗ ବର୍ଷାକାଳର ଆରମ୍ଭରେ ମେଘ ଗର୍ଜନ ଶୁଣି ଯେପରି ଗର୍ବରେ ଉନ୍ମତ୍ତ ହୋଇଥାଏ, ସେହିପରି ବାଳି ସୁଗ୍ରୀବର ଗର୍ଜନ ଶୁଣି ଗର୍ବରେ ଉନ୍ମତ୍ତ ହେବାକୁ ଲାଗିଲା ।

 

କଡ଼ାଇରେ କେ ମୋ ଆଗେ ଗର୍ଜଇ

ବିଦାରଣେ ନ ଜାଣି ମୃତ୍ୟୁ ଡେଇଁ

।୮୧ ।

ବାଳୀଶ ତ ତଥା କୋପେ ଗମିତ

ବଳୀ ଶତପ୍ରକାରେ ନିଷେଧିତ

।୮୨ ।

ବାଳୀଶ ତ ନୁହ ଘେନି ସୁଚିତ

ବାଳୀବରାଟ ଦ୍ୟୁତେ ସଦା ଜିତ

।୮୩ ।

ବାଦେ ସହାୟ ସେ କାର ପାଇଛି

ବାସରଦେ ବେନି ଧର ଧାଇଁଛି

।୮୪ ।

ବିଡ଼ିଥିବ ପରୀକ୍ଷା କରି ସେହି

ବଡ଼ ଶବ୍ଦ ଶୁଭିଲା ଆଜ କାହିଁ

।୮୫ ।

ବ୍ୟୋମେ ଦୁନ୍ଦୁଭି ଅସ୍ଥି ଉଡ଼ାଇଲା

ବିନ୍ଧି ଅବା ସପ୍ତାଶାଳ ଥୋଇଲା

।୮୬ ।

ବଦନ ମୋ ଚନ୍ଦ୍ରପରି ତାଟଙ୍କ

ବୃହସ୍ପତି ଶୁକ୍ର ପରି ଝଟକ

।୮୭ ।

ବିଧୁ ଥାଉଁ ସେ ତାରା ନୋହୁ ଅସ୍ତ

ବାସ ପ୍ରସାରି ମାଗୁଅଛି କାନ୍ତ

।୮୮ ।

ବଲ୍ଲଭୀର ବଚନ ନ ଘେନିଲା

ବାୟୁବେଗେ ଦୁର୍ଗ ଦ୍ୱାରେ ମିଳିଲା

।୮୯ ।

ବରାହବର ଦ୍ୱୀପୀ ଭେଟାଭେଟି

ବରାହବ ରଚିଣ ଯଥା ରଟି

।୯୦ ।

 

୮୧ଶ ପଦ :- ଅଷ୍ଟାପଦ ମୃଗ ମେଘ ଗର୍ଜନ ଶୁଣି ‘‘କିଏ ମୋ ଆଗରେ ବଡ଼ାଇ ଦେଖାଇ ଗର୍ଜୁଛି, ତାକୁ ଚିରି ପକାଇବି’’ ଏହିପରି ଭାବି ପର୍ବତ ଉପରୁ ଡେଇଁବା ଦ୍ୱାରା ଯେପରି ମରଣ ହେବ ବୋଲି ଜାଣିପାରି ନଥିଲା, ବାଳି ଠିକ୍ ସେହିପରି ମନେ କରି ଡିଆଁ ମାରି ଚାଲିଆସିଲା ।

୮୨ଶ ପଦ :- ଏହି ସମୟରେ ତାରା ତାକୁ ଅନେକ ପ୍ରକାର ବୁଝାଇ ନିଷେଧ କରିବାକୁ ଲାଗିଲା କିନ୍ତୁ ସେ ତାର ମନ ଘେନିଲା ନାହିଁ, ଯେହେତୁ ସେ ମୁର୍ଖ ଏବଂ କ୍ରୋଧାନ୍ଧ ହୋଇଥିଲା ।

୮୩ଶ ପଦ :- ବାଳୀଶ-ମୁର୍ଖ । ବାଳୀ-ବରାଟ-କ୍ଷୁଦ୍ର କଉଡ଼ି । ଦ୍ୟୁତ-ଜୁଆଖେଳ ।

୮୩ଶ ପଦ :- ତାରା କହିଲା, ‘‘ହେ ନାଥ । ଆପଣ ତ ମୁର୍ଖ ନୁହନ୍ତି, ସ୍ଥିର ଚିତ୍ତରେ ବିଚାର କରି ଦେଖନ୍ତୁ । ଛୋଟ ଛୋଟ କଉଡ଼ିମାନଙ୍କ ଦ୍ୱାରା ଯେଉଁ ଜୁଆଖେଳ ହୁଏ, ସେ ଖେଳରେ କଣ ସବୁବେଳେ ଜିତ୍ ହେଉଥାଏ ? ଏହା କଦାପି ନୁହେଁ । ( ଅତଏବ ଆପଣଙ୍କର ସେ ସବୁଥର ଜୟ ହେଉଥିବ ଏହା ବିଚାରନ୍ତୁ ନାହିଁ ) ।’’

୮୪ଶ ପଦ :- ବାସରକେ-ଏକଦିନରେ ।

୮୪ଶ ପଦ :- ‘‘ସେ କାହାଠାରୁ ସାହାଯ୍ୟ ପାଇଥିବାରୁ ଯୁଦ୍ଧ କରିବାକୁ ଆସୁଛି, ନଚେତ୍ ଏକାଦିନକେ ଦୁଇଥର ଆସନ୍ତା କାହିଁକି ?’’

୮୫ଶ ପଦ :- ସେ ନିଶ୍ଚୟ ତାହାର ସହାୟକାରୀ ଲୋକକୁ ପରୀକ୍ଷା କରି ବିଡ଼ିଛି । ତାହା ନ ହୋଇଥିଲେ ଆଜି ଏତେ ବଡ଼ ଶବ୍ଦ ଶୁଣାଗଲା କାହିଁକି ?’’

୮୬ଶ ପଦ :- ବ୍ୟୋମ-ଆକାଶ ।

୮୬ଶ ପଦ :- ‘‘ମୁଁ ସେହି ଶବ୍ଦ ଶୁଣି ମନେ କରୁଛି ଯେ, ସେହି ସାହାଯ୍ୟକାରୀ ଦୁନ୍ଦୁଭିର ଅସ୍ଥିକୁ ଉଡ଼ାଇଲା ଅଥବା ସପ୍ତଶାଳକୁ ଶର ମାରି ଭେଦ କଲା ।’’

୮୭ଶ ଓ ୮୮ଶ ପଦ :- ‘‘ହେ ନାଥ ! ମୋର ମୁଖ ଚନ୍ଦ୍ରପରି ଝଟକୁ ଅଛି ଏବଂ ତାର ନିକଟରେ ତାଟଙ୍କ ( ତଡ଼କା ) ଦୁଇଗୋଟି ବୃହସ୍ପତି ଓ ଶୁକ୍ରଙ୍କ ପରି ଝଟକୁ ଅଛନ୍ତି । ଅତଏବ ମୋର ସେହି ମୁଖରୂପ ଚନ୍ଦ୍ର ଥାଉଁ ଥାଉଁ ତାହାର ନିକଟରେ ବୃହସ୍ପତି ଓ ଶୁକ୍ର ନାମକ ତାରା ଦୁଇଟି ପରି ରହିଥିବା ‘ତାରା’ ଅତି ଉଜ୍ଜଳ ତାଟଙ୍କ ଦୁଇଟି ‘ଅସ୍ତ’ ଦୁର ନ ହୁଅନ୍ତୁ ଅର୍ଥାତ୍ ମୁଁ ବିଧବା ହୋଇ କାନରୁ ତାଟଙ୍କ ନ କାଢ଼େ,-ଏହି କଥା କାନି ପତେଇ ମାଗୁଛି ।

୮୯ଶ ପଦ :- ବାଳି, ତାରାର କଥା ନ ଶୁଣି, ପବନ ବେଗରେ ଯାଇ ଗଡ଼ଦ୍ୱାରରେ ଉପସ୍ଥିତ ହେଲା ।

୯୦ଶ ପଦ :- ବରାହବର-ବଳବାନ୍ ବରାହ । ଦ୍ୱୀପୀ-ହସ୍ତୀ । ବରାହବ-ଘୋର ଯୁଦ୍ଧ ।

୯୦ଶ ପଦ :- ଭୀଷଣକୃତ ବରାହ ଓ ହାତୀ ଭେଟାଭେଟି ହେଲେ ଯେପରି ଘୋର ଗର୍ଜ୍ଜନ କରି ଯୁଦ୍ଧ କରନ୍ତି, ସୁଗ୍ରୀବ ଓ ବାଳି ଭେଟାଭେଟି ହୋଇ ସେହିପରି ଘୋର ରଡ଼ି କରି ଯୁଦ୍ଧ କରିବାକୁ ଲାଗିଲେ ।

 

ବିବାଦୀ କି ସଉରୀ କୁଜ ଦୁଇ

ବିଶ୍ୱମ୍ଭରା ଭାରବଶେ କମ୍ପଇ

।୯୧ ।

ବ୍ୟାଳଯୁଗ୍ମ କି ଖେଳି ଗଡ଼ାଗଡ଼ି

ବୃକ୍ଷ ପାଷାଣ ତନୁ ଲାଗି ଛିଡ଼ି

।୯୨ ।

ବାଳି ସୁଗ୍ରୀବ ଉପରେ ଦିଶିଲା

ବାଜ ଶୁକକୁ କି ମାଡ଼ି ବସିଲା

।୯୩ ।

ବାଣ ପ୍ରହାରେ ଦେଖି ଦୁଷଣାରି

ବୁକୁ ଫୁଟି ପୁଷ୍ଠେ ମୁନ ବାହାରି

।୯୪ ।

ବିବୁଧାଦ୍ରିରେ ଯେସନେକ ହୋଇ

ବାରଣେନ୍ଦ୍ର ଦଶନ ଭେଦ ରହି

।୯୫ ।

ବୋଲି ଅଙ୍ଗଦ ତକ୍ଷଣେ ଢଳିଲା

ବିନା କାରଣେ ଅଙ୍ଗଦତ୍ତ ହେଲା

।୯୬ ।

ବିଘ୍ନରାଜ ମୂଷିକ କରି ଯମ

ବନ୍ଧନରେ ପାଶରେ ଯଥା କ୍ଷମ

।୯୭ ।

ବାହୁ ଟେକି ହସ୍ତରେ ପେଲି ଦେଇ

ବିରୋଚନନ୍ଦନ ଉଭା ହୋଇ

।୯୮ ।

ବାହାରିଲେ ଲକ୍ଷ୍ମଣ ରାମ ଘେନି

ବୃକ୍ଷାନ୍ତରୁଁ ଯେ ସମଙ୍ଗ ସେନାନୀ

।୯୯ ।

ବ୍ୟାଘ୍ର ବିନ୍ଧ ପକାଇ କିଛି ଦୂରେ

ବେଢ଼ି ଦେଖନ୍ତି ଯାଇ ଯଥା ନରେ

।୧୦୦ ।

 

୯୧ଶ ପଦ :- ସଉରୀ-ଶନି । କୁଜ-ମଙ୍ଗଳ ।ବିଶ୍ଵମ୍ଭରା-ପୃଥିବୀ ।

୯୨ଶ ପଦ :- ବ୍ୟାଳ-ସର୍ପ । ଯୁଗ୍ମ-ଦୁଇ ।

୯୧ଶ ଓ ୯୨ଶ ପଦ :- ସେହି ଦୁହିଁଙ୍କର ଯୁଦ୍ଧ ଦେଖି ମନେ ହେଲା, ଶନି ଓ ମଙ୍ଗଳ ଯୁଦ୍ଧରେ ପ୍ରବୃତ୍ତ ହୋଇ ଅଛନ୍ତି କି ? ପୃଥିବୀ ସେହି ଦୁହିଁଙ୍କର ଭାରରେ କମ୍ପିବାକୁ ଲାଗିଲା । ଦୁଇଗୋଟି ସାପ ଗଡ଼ାଗଡ଼ି ହୋଇ ଖେଳିଲା ପରି ସେ ଦୁହେଁ ତଳେ ପଡ଼ି ଗଡ଼ାଗଡ଼ି ହେବାକୁ ଲାଗିଲେ, ଏଣୁ ଦୁହିଁଙ୍କର ଦେହ ଗଛ ଓ ପଥରରେ ବାଜି ଛିଡ଼ିଗଲା ( ଅର୍ଥାତ୍ ତୁମୁଳ ବାହୁଯୁଦ୍ଧ ଲାଗିଲା ।)’’

୯୩ଶ ପଦ :- ଏହିପରି ଗଡ଼ାଗଡ଼ି ହେଉ ହେଉ ବାଳି ସୁଗ୍ରୀବକୁ ମାଡ଼ି ବସିବାର ଦେଖାଗଲା । ତାହାଦେଖି ମନେ ହେଲା, ବାଜପକ୍ଷୀ ଶୁଆକୁ ମାଡ଼ି ବସିଲା କି ? ( ବାଜ ଶୁଆକୁ ଧରିଲେ ସୁଦ୍ଧା ତାହାର ଚଞ୍ଚୁଭୟରେ ଅଳ୍ପ ଦୁରକୁ ହଟି ବସିଥାଏ, ବାଳି ସେହିପରି ବିଷ୍ଣୁ ତେଜ ଭୟରେ ସୁଗ୍ରୀବଠାରୁ ଅଳ୍ପ ଦୁରରେ ବସି ହାତ ବଢ଼ାଇ ତାକୁ ମାଡ଼ି ବସିଥିଲା । )

୯୪ଶ ପଦ :- ରାମଚନ୍ଦ୍ର ଏହି ଅବସ୍ଥା ଦେଖି ବାଣ ପ୍ରହାର କଲେ । ସେହି ବାଣର ମୁନ ବାଳିର ବକ୍ଷ ଭେଦ କରି ପିଠିରେ ବାହାରିଲା ।

୯୫ଶ ପଦ :- ବାରଣେନ୍ଦ୍ର-ଐରାବତ । ବିବୁଧାତି-ମେରୁ ପର୍ବତ ।

୯୫ଶ ପଦ :- ଐରାବତ ଦାନ୍ତ ଯେପରି ମେରୁ ପର୍ବତରେ ଲାଗି ରହିଥିଲା, ସେହିପରି ରାମଚନ୍ଦ୍ରଙ୍କ ଶର ବାଳି ଦେହରେ ଲାଗି ରହିଲା । (ଗଙ୍ଗା ମର୍ତ୍ତ୍ୟଲୋକକୁ ମେରୁ ପର୍ବତ ଦେଇ ଆସୁ ଆସୁ ଏକ ଗହ୍ୱରରେ ଅଟକ ଯାଇଥିଲେ, ଐରାବତ ଦନ୍ତାଘାତ କରି ସେହି ଗହ୍ୱରକୁ ଭେଦ କଲାବେଳେ ତାହାର ଦନ୍ତ ଲାଖି ରହିଥିଲା) ।

୯୬ଶ ପଦ :- ବାଳି ଏହିପରି ଅବସ୍ଥାରେ ପଡ଼ି ନିଜ ପୁତ୍ର ଅଙ୍ଗଦକୁ ଡାକି କହିଲା, ‘‘ମୋର ‘ଅଙ୍ଗ’ ଦେହ ବିନା କାରଣରେ ନଷ୍ଟ ହେଲା ।’’ ଏହା କହି ସେ ସଙ୍ଗେ ସଙ୍ଗେ ମୂର୍ଚ୍ଛିତ ହେଲା ।

୯୭ଶ ପଦ :- ବିଘ୍ନରାଜ-ଗଣେଶ ।

୯୮ଶ ପଦ :- ବିରୋଚନ ନନ୍ଦନ-ସୁଗ୍ରୀବ ।

୯୭ ଓ ୯୮ତମ ପଦ :- ଗଣେଶ ଯମଙ୍କୁ ମୂଷା କରି ଫାଶରେ ଯେପରି ବନ୍ଧନ କରିବାକୁ ସମର୍ଥ ହୋଇଥିଲେ, ସୁଗ୍ରୀବ ସେହିପରି ସମର୍ଥ ହୋଇ ହାତ ଟେକି ବାଳିକୁ ଠେଲି ଦେଇ ଠିଆହେଲା ।

୯୯ଶ ପଦ :- ଗଣେଶ ଯମକୁ ମୂଷା କରି ବାନ୍ଧି ସାରିବା ପରେ କାର୍ତ୍ତିକେୟ ଯେପରି ସଙ୍ଗିମାନଙ୍କ ସହ ସେଠାରେ ଉପସ୍ଥିତ ହୋଇଥିଲେ, ସେହିପରି ରାମ ଓ ଲକ୍ଷ୍ମଣ ବୃକ୍ଷ ଉହାଡ଼ରୁ ବାହାରି ବାନର ସେନାପତିମାନଙ୍କ ସହ ସେହି ସ୍ଥାନରେ ଉପସ୍ଥିତ ହେଲେ ।

୧୦୦ ପଦ :- ମନୁଷ୍ୟମାନେ ବାଘକୁ ଶର ବିନ୍ଧି ମାରି ତାହାର ଚାରିପଟରେ ଅଳ୍ପ ଦୂରରେ ବେଢ଼ି ରହି ଯେପରି ଦେଖନ୍ତି, ସେହିପରି ରାମଚନ୍ଦ୍ରାଦିମାନେ ବାଳିକୁ ବେଢ଼ି କିଛି ଦୂରରେ ରହି ଦେଖିବାକୁ ଲାଗିଲେ ।

 

ବାନରେଶ ପାଶେ ଥିଲେ ଦେଖିଲା

ବପୁବନ୍ତ ଦର୍ପକ ଏ ଯୋଖିଲା

।୧୦୧ ।

ବିଚାରିଲା ଦର୍ପକ ଏ ଅଗ୍ରତେ

ବଳବାନ ସୁନ୍ଦର ଯେ ଜଗତେ

।୧୦୨ ।

ବସୁନ୍ଧରା ଚୂଡ଼ାମଣି ମର୍କତ

ବିରାଜିବା ଜ୍ୟୋତି ଏବେ ବ୍ୟକତ

।୧୦୩ ।

ବୋଲୁଁ କେ ତୁମ୍ଭେ ବୋଇଲେ ଶ୍ରୀରାମ

ବଂଶେ ରଘୁ ନୃପତିର ଜନମ

।୧୦୪ ।

ବସୁମତୀରେ ଭାରା ହେଲେ ଦୁଷ୍ଟେ

ବସୁଁ ମତିରେ ଏହି କଥା ପୁଷ୍ଟେ

।୧୦୫ ।

ବୁଲି ବନରେ ବିରାଧ କବନ୍ଧ

ବଳ ସହିତେ ଖର କଲୁଁ ବଧ

।୧୦୬ ।

ବାତାୟଏ ହୋଇ ଆସୁଁ ମାରୀଚ

ବିନ୍ଧୁଁ ତାହାକୁ ଗୋଡ଼ାଇ ନାରାଚ

।୧୦୭ ।

ବିସର୍ଜୁ ସେ ପ୍ରାଣ ତ୍ରାହି ଲକ୍ଷ୍ମଣ

ବଚ କଲା ଭ୍ରାତ ଗଲା ତତ୍‌କ୍ଷଣ

।୧୦୮ ।

ବାମା ସେନେହେ ସଙ୍ଗେ ଆସିଥିଲା

ବୈଶ୍ରଗଣ ଏକା ଦେଖି ହରିଲା

।୧୦୯ ।

ବନିତାକୁ ଖୋଜୁ ୠଷ୍ୟମୁକର

ବଡ଼ ଦୀନ ଦିନବନ୍ଧୁ କୁମର

।୧୧୦ ।

ବହି କରୁଣା ମିତ୍ର ଯେ ହୋଇଲୁଁ

ବୈରୀ ମିତ୍ରର ବୋଲିଣ ମାଇଲୁଁ

।୧୧୧ ।

 

୧୦୧ଶ ପଦ :- ବପୁବନ୍ତ-ମୂର୍ତ୍ତିମନ୍ତ । ଦର୍ପକ-କନ୍ଦର୍ପ ।

୧୦୧ଶ ପଦ :- ରାମଚନ୍ଦ୍ର ସେହି ସମୟରେ ବାଳିର ନିକଟରେ ଠିଆ ହୋଇଥିଲେ । ବାଳି ତାଙ୍କୁ ଦେଖି ମନେ କଲା ‘‘ଏହି କନ୍ଦର୍ପସୁନ୍ଦର ପୁରୁଷ ମୋତେ ଶର ଯୋଖିଲା ଅର୍ଥାତ୍ ବାଣ ମାଇଲା ।’’

 

୧୦୨ୟ ପଦ :- ପୁଣି ମନେକଲା, ‘‘ଏହି ଜଗତରେ ଯେଉଁମାନେ ‘ଦର୍ପକ’ ଦାମ୍ଭିକ; ବଳବାନ୍ ଓ ସୁନ୍ଦର ଅଟନ୍ତି, ସେମାନଙ୍କ ମଧ୍ୟରେ ଏ ଅଗ୍ରଗଣ୍ୟ ଅଟେ ।’’

୧୦୩ୟ ପଦ :- ସେ ରାମଚନ୍ଦ୍ରଙ୍କର ଶ୍ୟାମଳ କାନ୍ତିକୁ ଦେଖି ମନେକଲା, ‘‘ପୃଥିବୀ ଦେବୀଙ୍କର ଇନ୍ଦ୍ରନୀଳମଣିରେ ନିର୍ମିତ ହୋଇଥିବା ମଥାମଣି ଏହିଠାରେ ସ୍ୱଷ୍ଟରୂପେ ଦେଖାଦେଇ ନିଜର ଜ୍ୟୋତିହାର ଶୋଭିତ ହୋଇଅଛି କି ?’’

୧୦୪ର୍ଥ ପଦ :- ବାଳି ରାମଚନ୍ଦ୍ରଙ୍କୁ, ତୁମ୍ଭେ ‘କିଏ’ ବୋଲି ବିଚାରିବାରୁ ସେ କହିଲେ, ‘‘ଆମ୍ଭେ ରଘୁବଂଶରେ ଜନ୍ମଗ୍ରହଣ କରିଅଛୁ ।’’

୧୦୫ମ ଓ ୧୦୬ଷ୍ଠ ପଦ :- ‘‘ଦୁଷ୍ଟମାନେ ପୃଥିବୀର ‘ଭାର’ ଭାରତୁଲ୍ୟ ଦୁଃଖଦାୟକ ହେଲେ । ଅର୍ଥାତ୍ ସେମାନଙ୍କଦ୍ୱାରା ପୃଥ୍ୱୀ ଦୁଃଖିତା ହେଲେ । ଏହି କଥାକୁ ମନରେ ଗୁରୁତର ବୋଲି ସ୍ଥିର କରି; ଏହି ପୃଥିବୀରେ ‘ବସୁ’ ବାସ କରୁଅଛୁଁ ଅର୍ଥାତ୍ ଅବତୀର୍ଣ୍ଣ ହୋଇଅଛୁ ଏବଂ ବନରେ ବୁଲି ବିରାଧ; କବନ୍ଧ ଓ ସୈନ୍ୟମାନଙ୍କ ସହ ଖର ନାମକ ରାକ୍ଷସକୁ ବଧ କରିଅଛୁ ।’’

୧୦୭ମ ପଦ :- ବାତାୟୁ-ହରିଣ । ନାରାଚ-ପର ।

୧୦୭ମ ଓ ୧୦୮ମ ପଦ :- ‘ମାରୀଚ ମୃଗରୂପ ଧାରଣ କରି ଆମ୍ଭର କୁଟୀର ନିକଟକୁ ଆସିବାକୁ ମୁଁ ତାହା ଗୋଡ଼ାଇ ଶର ମାରିଲି । ସେ ଆଘାତ ପ୍ରାପ୍ତ ହୋଇ ପ୍ରାଣତ୍ୟାଗ କରିବା ସମୟରେ ‘ହେ ଲକ୍ଷ୍ମଣ’ ! ମୋତେ ରକ୍ଷା କର; ଏହି କଥା ପ୍ରକାଶ କରିବାରୁ ଭାଇ ଲକ୍ଷ୍ମଣ ସଙ୍ଗେ ସଙ୍ଗେ ମୋ ନିକଟକୁ ଗଲେ ।’’

୧୦୯ମ ପଦ :- ବୈଶ୍ରବଣ-ରାବଣ ।

୧୦୯ମ ପଦ :- ମୋର ସ୍ତ୍ରୀ ସ୍ନେହବଶରୁ ମୋ ସଙ୍ଗରେ ବନକୁ ଆସିଥିଲା । ଏହି ସମୟରେ ଏକା ଦେଖି ବିଶ୍ରବାପୁତ୍ର ରାବଣ ତାକୁ ହରଣ କରି ନେଇଗଲା ।’’

୧୧୦ଶ ପଦ :- ବନିତା-ସ୍ତ୍ରୀ । ଦୀନ-ଦୁଃଖୀ । ଦିନବନ୍ଧୁ କୁମର-ସୂର୍ଯ୍ୟ ତନୟ, ସୁଗ୍ରୀବ ।

୧୧୦ଶ ଓ ୧୧୧ଶ ପଦ :- ‘‘ଆମ୍ଭେ ପ୍ରିୟାକୁ ଖୋଜୁଁ ଖୋଜୁଁ ଋଷ୍ୟମୂକ ପର୍ବତରେ ପହଞ୍ଚିଲୁ । ସେଠାରେ ସୂର୍ଯ୍ୟ ପୁତ୍ର ସୁଗ୍ରୀବଙ୍କୁ ଅତି ଦୁଃଖରେ ବାସ କରୁଥିବାର ଦେଖିଲୁ । ଆମ୍ଭେ ଦୟା ପ୍ରକାଶ କରି ତାହାଙ୍କ ସହ ମିତ୍ର ହେଲୁ ଓ ତୁମ୍ଭଙ୍କୁ ତାଙ୍କର ଶତ୍ରୁ ବୋଲି ଜାଣି ବିନାଶ କଲୁଁ ।’’

 

ବାଳି ବୋଇଲା ତୁ ଦାଶରଥି କି

ବୃଦ୍ଧ ବାନରେ ନାଶିଲୁ ଏଥିକି

।୧୧୨ ।

ବପ୍ତା ଜିଣି ଯାହାର ଗ୍ରହ ଖଞ୍ଜ

ବିସ୍ତାରିଛି ଜୀରତିକି ସହଜ

।୧୧୩ ।

ବିମର୍ଦ୍ଦନ କ୍ଷତ୍ରିୟ ଭୁଗୁ ବର

ବାଦେ କ୍ଷମ ନୋହିଲା ତ ତାହାର

।୧୧୪ ।

ବିଂଶବାହୁ ତୋର ଦାରା ବଇରୀ

ବାଦ ତା ସଙ୍ଗରେ ଆଗ ନ କରି

।୧୧୫ ।

ବୃକ୍ଷଦଂଶ ରୂପରେ ଗୁପ୍ତେ ରହି

ବାଣେ ବିନ୍ଧିଲୁ ଦେହେ ରହେ ସେହି

।୧୧୬ ।

ବଡ଼ାଇକି ରକ୍ଷଣେ ଆପଣାର

ବୋଲି ଦେଲେ ରାମଚନ୍ଦ୍ର ଏ ଗିର

।୧୧୭ ।

ବଳ କୋଟି ସିଂହର କି ବାନରେ

ବହେ ବସେ ରାଜନ ପଦବୀରେ

।୧୧୮ ।

ବହେ ସିନ୍ଧୁରେ କି ନିତି ତର୍ପଣ

ବାମା ଅନୁଜ ଭ୍ରାତାର ହରଣ

।୧୧୯ ।

ବୃଜିନକୁ ଛେଦ କଙ୍କପତ୍ରେ

ବଧି ଜଣକୁ ଋଣ ଦେଲୁ ମତ୍ରେ

।୧୨୦ ।

ବୃଦ୍ଧି କଳନ୍ତର ହୋଇ ପ୍ରବର୍ତ୍ତି

ବଧିବେ ସେ ରାବଣ ପୁତ୍ର ନାତି

।୧୨୧ ।

 

୧୧୨ଶ ପଦ :- ବାଳି ଉପବାସ କରି କହିଲା, ‘‘ତୁ ଦଶରଥ ପୁତ୍ର କି ? ଏହି ଯୋଗୁଁ ବୁଢ଼ାମାଙ୍କଡ଼ଟାଏ ମାଇଲୁ ।’’

୧୧୩ଶ ପଦ :- ବପ୍ତ-ପିତା ବା ବାସ ।

୧୧୩ଶ ପଦ :- ‘‘ତୁ ସେହି ଦାଶରଥି ଟିକି ? ଯାହାର ପିତା ଛୋଟା ଗ୍ରହଟାକୁ ( ଶନିକୁ ) ପରାସ୍ତ କରି, ଅତି ସହଜରେ ଜଣେ ଯୋଦ୍ଧା ବୋଲି କୀର୍ତ୍ତି ବିସ୍ତାର କରିଅଛି ।’’

୧୧୪ଶ ପଦ – ବିମର୍ଦ୍ଦନ-ନାଶକର୍ତ୍ତା ।

୧୧୪ଶ ପଦ :- ‘‘ତାହାର କ୍ଷତ୍ରିୟକୁଳ ବିନାଶକାରୀ ପର୍ଶୁରାମଙ୍କ ସହ ଯୁଦ୍ଧ କରିବାକୁ ଶକ୍ତି ନ ଥିଲା । ତୁ ତ ସେହି ବାମା କବଚ ଦଶରଥର ପୁତ୍ର, ( ବୃକ୍ଷ କବଚ କରି ବୁଢ଼ାମାଙ୍କଡ଼ ମାରନ୍ତୁ ନାହିଁ ତ ଆଉ କ’ଣ କରନ୍ତୁ ? ) ।’’

୧୧୫ଶ ଓ ୧୧୬ଶ ପଦ :- ‘‘ରାବଣ ତୋର ସ୍ତ୍ରୀକୁ ହରଣ କରିଥିବାରୁ ( ଦାରା ଯୋଗୁଁ ବଇରୀ-ଦାରା ବଇରୀ ) ଶତ୍ରୁ ଅଟେ । ଆଗ ତାକୁ ନ ମାରି, ‘ବୃଷଦଂଶ ରୂପରେ’ ବିରାଡ଼ି ପରି ଲୁଚି ରହି, ଗୋଟାଏ ବାଣ ବିନ୍ଧିଲୁ ଯେ ସେ ଫୁଟି ବାହାରି ନ ଯାଇ ଦେହରେ ଲାଗି ରହିଅଛି ।’’

୧୧୯ଶ ପଦ :- ବାମା-ସ୍ତ୍ରୀ ।

୧୨୦ଶ ପଦ :- ବୃଜିନ-ପାପ । କଙ୍କପତ୍ର-କଙ୍କନାମକ ପକ୍ଷୀର ପକ୍ଷଯୁକ୍ତ ଶର ।

୧୧୭ଶ -୧୨୧ଶ ପଦ :- ରାମଚନ୍ଦ୍ର ନିଜର ବଡ଼ିମା ରଖିବା ପାଇଁ କହିଲେ, ‘‘ବାନରାଟାଏ କୋଟିଏ ସିଂହର ବଳ ଧାରଣ କରି ସିଂହାସନରେ ବସି ରାଜକାର୍ଯ୍ୟ ନିର୍ବାହ କରିପାରେ କି ? ପ୍ରତିଦିନ ସାତ ସମୁଦ୍ରର ଜଳ ତର୍ପଣ କରିପାରେ କି ? ଏଥିରୁ ଜଣାଯାଉଛି ତୁମେ ମାଙ୍କଡ ନୁହେଁ ଜଣେ ବୀର । ରାଜନୀତିଜ୍ଞ ଓ ଧାର୍ମିକ ହୋଇ ସାନଭାଇର ସ୍ତ୍ରୀକୁ ଅପହରଣ କରି ପାପୀ ହୋଇଥିଲ । ଆମ୍ଭେ ତୁମ୍ଭର ସେହି ପାପକୁ ଶର ଦ୍ୱାରା ଚ୍ଛେଦନ କରି ତୁମ୍ଭର ସେହି ବଳ ଓ ରାଜପଦ ଜଣେ ମିତ୍ରଙ୍କୁ ଋଣ ଦେଲୁଁ । ସେହି ଋଣ ମୂଳ ଧନ କଳନ୍ତର ସହ ‘ପ୍ରବର୍ତ୍ତି’ ପରିବର୍ତ୍ତନ ପ୍ରାପ୍ତ ହେବ ( ଅର୍ଥାତ୍ ଚକ୍ର ବୃଦ୍ଧି କ୍ରମରେ ବଢ଼ିବ ) ଏବଂ ତାହାର ପରିଶୋଧ ପାଇଁ ସେ ମିତ୍ର ମୋର ଶତ୍ରୁ ରାବଣର ପୁଅ ଓ ନାତିମାନଙ୍କୁ ମାରିବେ ।’’

 

ବୋଲିଛନ୍ତି ସୀତା ଆଣି ଦେବାର

ବାଳି ବୋଇଲା କ୍ଳେଶରେ ହେବାର

।୧୨୨ ।

ବିକ୍ଳେଶରେ କେ ମୋ ବିନା କରତା

ବ୍ରହ୍ମାଣ୍ଡେ ସେ ଏକା ମୋର ବିନତା

।୧୨୩ ।

ବିଭାକର ତେଜସ୍ୱୀ ଯଥା ହେଲେ

ବିଧୁ ନ୍ତୁଦ କେବଳ ଗ୍ରାସେ ଭଲେ

।୧୨୪ ।

ବିଶଲ୍ୟକୁ କରିବା ରାମ ଭାଷି

ବଇକୁଣ୍ଠକୁ ମୋତେ ବାଟ ଦିଶି

।୧୨୫ ।

ବଇକୁଣ୍ଠ ତୁ ଦେଲୁ ନାଶହେତୁ

ବର୍ଷ୍ମବନ୍ତେ ଅବଧି ହୋଏ ମୃତ୍ୟୁ

।୧୨୬ ।

ବୋଲୁଁ କପିଈଶ ଆସେ ଅଙ୍ଗଦ

ବାର୍ତ୍ତା ପାଇ କହେ ଲଭି ବିଷାଦ

।୧୨୭ ।

ବିଚିତ୍ରେକ ପୂର୍ବରେ ହୋଇଥିଲା

ବିନ୍ଧ୍ୟାକରୋଧୀ ସମୁଦ୍ର ପିଇଲା

।୧୨୮ ।

ବିଚିତ୍ରେକ ଏବେ ତୋହ ଶରୀରେ

ବିଭେଦିତ ହୋଇଲା ତୀକ୍ଷ୍‌ଣଶରେ

।୧୨୯ ।

ବିଷ୍ଣୁ ମଧୁକଇଟଭ ପାତାଳେ

ବିନାଶରୁ ଏ କୀର୍ତ୍ତି ବଳାଇଲେ

।୧୩୦ ।

 

୧୨୩ଶ ପଦ :- ବିକ୍ଳେଶରେ-ଅନାୟାସରେ ।

୧୨୪ଶ ପଦ :- ବିଭାକର-ସୂର୍ଯ୍ୟ । ବିଧୁନ୍ତୁଦ-ରାହୁ ।

୧୨୨ଶ -୧୨୪ଶ ପଦ :- ‘‘ସେ ଆମ୍ଭଙ୍କୁ ସୀତା ଆଣି ଦେବେ ବୋଲି କହିଛନ୍ତି ।’’ ‘ଏହାଶୁଣି ବାଳି କହିଲା, ‘‘ଏହା ସୁଗ୍ରୀବ ଦ୍ୱାରା ଅତି କଷ୍ଟରେ ହେବ । ମୋ ବିନା ଆଉ କେହି ଅନାୟାସରେ ଏହି କାର୍ଯ୍ୟ କରିପାରିବ ନାହିଁ । ଏହି ବ୍ରହ୍ମାଣ୍ଡରେ ସେ କେବଳ ମୋ ଦ୍ୱାରା ପରାସ୍ତ ହୋଇଅଛି । ( ଛନ୍ଦ ଭଙ୍ଗ ଭୟରେ କବି ବିନତ ସ୍ଥାନରେ ବିନତା କରିଛନ୍ତି ) । ସୂର୍ଯ୍ୟତେଜସ୍ୱୀ ହେଲେ ସୁଦ୍ଧା ଏକମାତ୍ର ରାହୁ ଅନାୟାସରେ ତାହାକୁ ଯେପରି ଗ୍ରାସକରେ ସେହିପରି ଏକମାତ୍ର ମୁଁ ତାକୁ ପରାସ୍ତ କରି ପାରେଁ ।’’

୧୨୫ଶ ପଦ :- ବାଳିଠାରୁ ଏହି ସମସ୍ତ କଥା ଶୁଣି ରାମ କହିଲେ, ‘‘ତୁମ୍ଭଙ୍କୁ ‘ବିଶଲ୍ୟ’ ଶର ବିଯୁକ୍ତ କରି ଦେବା ( ଅର୍ଥାତ୍ ତୁମ୍ଭ ଦେହରୁ ଶର ବାହାର କରିଦେବା ) ।’’ ବିଶଲ୍ୟ ଶବ୍ଦରୁ ବିଶଲ୍ୟକରଣୀ ନାମକ ଔଷଧ ଦେଇ ପୀଡ଼ା ଶୂନ୍ୟ କରି ଦେବେ, ଏହି ଅର୍ଥ ସ୍ଥିର କରି ବାଳି କହିଲା, ‘ମୋତେ ବୈକୁଣ୍ଠକୁ ଯିବାକୁ ବାଟ ଦେଖାଗଲାଣି ( ଅର୍ଥାତ୍ ମୁଁ ଆଉ ଏ ପାପ ସଂସାରରେ ରହିବି ନାହିଁ ) ।’’

୧୨୬ଶ ପଦ :- ତୁମେ ସ୍ୱୟଂ ବୈକୁଣ୍ଠ ( ନାରାୟଣ ) ମୋର ମରଣର କାରଣ ହେଲ, ଅତଏବ ମୋର ବୈକୁଣ୍ଠପୁରକୁ ଯିବା ନିଶ୍ଚିତ । ଦେହ ଧାରଣ କଲେ ନିଶ୍ଚୟ ମରଣ ହୁଏ । ସୁତରାଂ ମୁଁ ଜୀବନ ରଖି କାହିଁକି ଏହି ସାଂସାରିକ କାର୍ଯ୍ୟରେ ଲିପ୍ତ ହେବି ବା ପାପରେ ଘାଣ୍ଟି ହେବି ?’’

୧୨୭ଶ ପଦ :- କପିଈଶ-କପିସମ୍ରାଟ, ବାଳି । ବିଷାଦ-ଦୁଃଖ ।

୧୨୭ଶ ପଦ :- ବାନରରାଜ ବାଳି ଏହିପରି କହିବା ସମୟରେ ତାର ପୁତ୍ର ଅଙ୍ଗଦ ଖବର ପାଇ ସେହି ସ୍ଥାନରେ ଉପସ୍ଥିତ ହେଲା । ପିତାଙ୍କୁ ଏପରି କଷ୍ଟରେ ପଡ଼ିଥିବାର ଦେଖି ଦୁଃଖିତ ହୋଇ କହିଲା, -

୧୨୮ଶ ପଦ :- ବିନ୍ଧ୍ୟକରୋଧି-ଅଗସ୍ତି ଋଷି ।

୧୨୮ଶ ଓ ୧୨୯ଶ ପଦ :- ‘‘ବିନ୍ଧ୍ୟପର୍ବତର ଗତିରୋଧ କର୍ତ୍ତା ଅଗସ୍ତିଋଷି ସମୁଦ୍ର ପାନକରିଥିଲେ, -ପୂର୍ବକାଳରେ ଏହି ଆଶ୍ଚର୍ଯ୍ୟ କଥା ଘଟିଥିଲା । ବର୍ତ୍ତମାନ ଅତି ମୁନିଆ ଶର ତୁମ୍ଭର ଶରୀରରେ ପ୍ରବେଶ କଲା, ଏହି ଆଶ୍ଚର୍ଯ୍ୟ କଥା ଘଟିଲା ।’’ ( ଅଗସ୍ତିଋଷି ଯେପରି ସମୁଦ୍ରପାନ କରି ଅସମ୍ଭବକୁ ସମ୍ଭବ କରିଥିଲେ, ତୁମ୍ଭର ମୃତ୍ୟୁ ବି ସେହିପରି ହେଲା ) ।

୧୩୦ଶ ପଦ :- ପୁନର୍ବାର କହିଲା, ‘‘ବିଷ୍ଣୁ ପାତାଳପୁରରେ ମଧୁକୈଟଭକୁ ମାରି ଯେଉଁ କୀର୍ତ୍ତି ଲାଭ କରିଥିଲେ, ତାହାଠାରୁ ଏ କୀର୍ତ୍ତି ବଳି ପଡ଼ିଲା ।’’

 

ବର ବଗହ ମୂରତି ଧରିବା

ବଡ଼ ନୋହେ ହିରଣାକ୍ଷ ମାରିବା

।୧୩୧ ।

ବଳି ହିରଣ୍ୟ ଦାରଣୁ ଏ ଯଶ

ବଳି ପାତାଳେ ରଖିବା ରହସ୍ୟ

।୧୩୨ ।

ବଳି ଭୂତ ଭବିଷ୍ୟ ବର୍ତ୍ତମାନେ

ବତିମୁଖେଶ ସମା କେ ଭୁବନେ

।୧୩୩ ।

ବଳି ଦଶଦିଗକୁ ଦଶିର

ବଳିଅଛି ମନ ଏବେ ଦେବାର

।୧୩୪ ।

ବିଷ୍ଣୁ ଏହି ବୋଲିଣ କପୀଶୁର

ବିଳମ୍ବାଇ ସୁଗ୍ରୀବ ସୁଗ୍ରୀବର

।୧୩୫ ।

ବାସ୍ତୋସ୍ପତି ଦେଲା ରତ୍ନମାଳାକୁ

ବାହୁ ଧରି ସମର୍ପି ଅଙ୍ଗଦକୁ

।୧୩୬ ।

ବାହୁଳେୟ କି ଶର କ୍ରୌଞ୍ଚୁ

ବାହୁଜେଶ ଉତ୍ପାଟ ଶରରଚୁଁ

।୧୩୭ ।

ବିଶେଷତ ତପ ପ୍ରଭା ହୋଇଲା

ବିନିର୍ଗତ ଜୀବନରେ ରହିଲା

।୧୩୮ ।

ବଚଞ୍ଚଳ ନେତ୍ରମୀନ ସ୍ତବଧ

ବିକଶିଲା ନାହିଁ ହାସକୁମୁଦ

।୧୩୯ ।

ବାଳି-ବେର ଯେମନ୍ତ ଶୁଷ୍କ ହ୍ରଦ

ବାର୍ତ୍ତାବହୁଁ ତାରା ଶୁଣି ବିଷାଦ

।୧୪୦ ।

ବାଳ ଫିଟି ଲୋଟେ ପୃଷ୍ଠେ ଧାବନ୍ତେ

ବାରିଦ କି ଖେଳେ ହେମ ପର୍ବତେ

।୧୪୧ ।

 

୧୩୧ଶ ପଦ :- ‘‘ବିଷ୍ଣୁ ଦୀର୍ଘକାୟ ବରାହ ମୂର୍ତ୍ତି ଧରି ହରିଣାକ୍ଷକୁ ମାରିବା ଏହାଠାରୁ ଅଧିକ ନୁହେଁ ।’’

୧୩୨ଶ ପଦ :- ବଳି-ଅଧିକ ।

୧୩୩ଶ ପଦ :- ବଳି-ବଳିରାଜା, ବଳିଷ୍ଠ । ବଳିମୁଖେଶ-ବାଳି ।

୧୩୨ଶ ଓ ୧୩୩ଶ ପଦ :- ଆଉ ମଧ୍ୟ ହିରଣ୍ୟକଶିପୁକୁ ବିଦାରିବାଠାରୁ ଏହି ସଶ ବଳି ପଡ଼ିଲା ଏବଂ ବଳି ଦୈତ୍ୟକୁ ପାତାଳରେ ଚାପିବା କୌତୁକଠାରୁ ଏହି କୌତୁକ ଅଧିକ ହେଲା । କାରଣ ଭୂତ, ଉବିଷ୍ୟ, ବର୍ତ୍ତମାନ ଏହି ତିନି କାଳରେ ବାଳି ସହିତ ସମାନ ହେବାକୁ ଏ ଜଗତରେ କିଏ ଅଛି ?’’

୧୩୪ଶ ପଦ :- କପୀଶ୍ୱର-ବାଳି । ସୁଗ୍ରୀବର-ମନେ ହର ଗଳାର ।

୧୩୬ଶ ପଦ :- ବାସ୍ତୋସ୍ପତି-ଇନ୍ଦ୍ର । ବଳି-ଉପହାର ।

୧୩୪ଶ-୧୩୬ଶ ପଦ :- ଅଙ୍ଗଦଠାରୁ ଏହିସବୁ କଥା ଶୁଣି ବାଳି କହିଲା, ‘ତୁ ଯେଉଁ ବିଷ୍ଣୁଙ୍କର କଥା କହିଲୁ, ଏ ସେହି ବିଷ୍ଣୁ ରାମରୂପ ଧାରଣ କରି ବର୍ତ୍ତମାନ ଦଶଶିର ରାବଣର ଦଶମୁଣ୍ଡକୁ ଦଶଦିଗରେ ବଳିଦେବାକୁ ମନବଳାଇ ଅଛନ୍ତି ।’’ ଏହାକହି ଇନ୍ଦ୍ର ଦେଇଥିବା ରତ୍ନମାଳାକୁ ସୁଗ୍ରୀବର ମନୋହର କଣ୍ଠରେ ଲମ୍ବାଇ ଦେଇ ଅଙ୍ଗଦର ବାହୁକୁ ଧରି ସେହି ସୁଗ୍ରୀବର ନିକଟରେ ସମର୍ପଣ କରିଦେଲା ।

୧୩୭ଶ ପଦ :- ବାହୁଳେୟ-କାର୍ତ୍ତିକେୟ । କ୍ରୌଞ୍ଚୁ-କ୍ରୌଞ୍ଚନାମା ପର୍ବତରୁ । ବାହୁଳେୟ-କ୍ଷତ୍ରିୟଶ୍ରେଷ୍ଠ ।

୧୩୭ଶ ପଦ :- ଏହାପରେ କ୍ଷତ୍ରିୟଶ୍ରେଷ୍ଠ ରାମଚନ୍ଦ୍ର ବାଳି ଦେହରୁ ଶରକୁ ବାହାର କରିଥିଲେ । ସେହି ସମୟରେ ତାଙ୍କୁ ଦେଖି ମନେ ହେଲା, ‘‘କାର୍ତ୍ତିକେୟ କ୍ରୌଞ୍ଚ ପର୍ବତରୁ ଶର ବାହାର କରୁଅଛନ୍ତି କି ?’’

୧୩୮ଶ ପଦ :- ତପ-ଗ୍ରୀଷ୍ମକାଳ, ତପସ୍ୟା । ଜୀବନ-ଜଳ, ପ୍ରାଣ ।

୧୩୮ଶ ପଦ :- ବାଳିର ‘ତପ’ ତପସ୍ୟାର ତେଜ ‘ତପପ୍ରଭା’ ଗ୍ରୀଷ୍ମ କାଳୀନ ସୂର୍ଯ୍ୟତେଜ ପ୍ରାୟ ହେଲା । ତେଣୁ ଗ୍ରୀଷ୍ମକାଳରେ ଯେପରି ଜଳାଶୟରୁ ‘ଜୀବନ’ ଜଳ ବାହାରିଯାଏ, ସେହିପରି ଏହାର ପିଣ୍ଡରୁ ‘ଜୀବନ’ ପ୍ରାଣ ।

୧୩୯ଶ ପଦ :- ଜଳାଶୟରୁ ଜଳ ଶୁଷ୍କ ହେଲେ ମୀନମାନେ ମରି ନିଶ୍ଚଳ ହୋଇ ପଡ଼ିଥାନ୍ତି ଓ କଇଁ ଫୁଲ ଫୁଟେ ନାହିଁ, ସେହିପରି ଏହାର ଚକ୍ଷୁ ରୂପ ମୀନ ଗତି ନ କରି ଅର୍ଥାତ୍ ଡୋଳା ନ ଖୋଲି ନିଶ୍ଚଳ ହୋଇରହିଲା ଏବଂ ହସରୂପୀ କଇଁଫୁଲ ଆଉ ଫୁଟିଲା ନାହିଁ ଅର୍ଥାତ୍ ତାହାର ମୁଖ ହାସଶୂନ୍ୟ ହେଲା ।

୧୪୦ଶ ପଦ :- ବାଳି ବେର-ବଳିର ଦେହ । ବାର୍ତ୍ତାବହୁ-ଦୂତଠାରୁ ।

୧୪୧ ପଦ :- ବାରିଦ-ମେଘ । ହେମପର୍ବତ-ମେରୁପର୍ବତ ।

୧୪୦ଶ ଓ ୧୪୧ଶ ପଦ :- ‘‘ବାଳିର ଦେହ ଶୁଷ୍କହ୍ରଦ ତୁଲ୍ୟ ହେଲା ଅର୍ଥାତ୍ ବାଳି ମଲା, -ଏହି ଖବର ଦୂତଠାରୁ ଶୁଣି ତାରା ଅତି ଦୁଃଖିତା ହୋଇ ବାଳିର ସେହି ମୃତଦେହ ନିକଟକୁ ଦଉଡ଼ିଲା । ସେ ଦୌଡ଼ିବା ସମୟରେ ତାହାର ବାଳ ଫିଟି ପିଠି ଉପରେ ପଡ଼ି ଦୋହଲିଲା । ତାହା ଦେଖି ମନେ ହେଲା, ମେରୁ ପର୍ବତ ଉପରେ ମେଘ ଖେଳୁଛି କି ?

 

ବଳ ଖସିଲା ପରି ପୁଷ୍ପ ପଡ଼େ

ବାଷ୍ପଜଳ ନୟନଯୁଗୁଁ ଗଡ଼େ

।୧୪୨ ।

ବିଲେଚନୁ ଦ୍ରବି ବହେ କଳଙ୍କ

ବକ୍ର ପାଶେ ଚଞ୍ଚଳିତ ତାଟଙ୍କ

।୧୪୩ ।

ବିକାରେ କି ବାତର ଶୋଭାଜଳେ

ବେନି ନିର୍ମଳତର ତାର ଚଳେ

।୧୪୪ ।

ବକ୍ଷୋଜରୁ ଖସେ ହାର ମୁକୁତା

ବସୁନ୍ଧରା ନୀରବିନ୍ଦୁ ଶୋଭିତା

।୧୪୫ ।

ବୈବସ୍ୱତ ପରେ ଗଲା ଏ ସ୍ୱର

ବିଧବା କରି ମୋତେ ପ୍ରାଣେଶ୍ୱର

।୧୪୬ ।

ବେଳ ଅସ୍ତ ହୋଇଲା ପ୍ରଭାତରେ

ବୋଲି ପଡ଼ିଲା ବାଳିର ଉପରେ

।୧୪୭ ।

ବଳାହକୁଁ ଛିଡ଼ିପଡ଼ି ବିଜୁଳୀ

ବଳାହକ ଉପରେ କିବା ଖେଳି

।୧୪୮ ।

ବିଲୋକନ କରିଣ ରଘୁବୀର

ବିଚାରିଲେ ବାନରୀ ଅସୁନ୍ଦର

।୧୪୯ ।

ବୋଲନ୍ତି ଯେ ଜନମାନେ ସଂସାରେ

ବିଲକ୍ଷିତ କେଉଁ ରମ୍ଭା ଏହାରେ

।୧୫୦ ।

 

୧୪୨ଶ ପଦ :- ମେଘକୁ ଦେଖି ବଗମାନେ ନିମ୍ନ ଆକାଶରେ ଉଡ଼ିଲା ପରି, ତାହାର ଜୁଡ଼ା ଫିଟି ଫୁଲ ସବୁ ଖସି ପଡ଼ିଲା । ମେଘରୁ ଜଳଧାର ପ୍ରବାହିତ ହେଲାପରି ତାର ନେତ୍ର ଦୁଇଟିରୁ ଲୋତକଧାର ପ୍ରବାହିତ ହେଲା ।

୧୪୩ଶ ପଦ :- ବିଲୋଚନୁ-ନେତ୍ରରୁ । ବକ୍ର-ମୁଖ ।

୧୪୩ଶ ଓ ୧୪୪ଶ ପଦ :- ତାହାର ବିଷର୍ଣ୍ଣ ନେତ୍ର ଦୁଇଟିରୁ ଅଶ୍ରୁଜଳ ଦ୍ୱାରା ‘ଦ୍ରବି’ ଧୋଇ ହୋଇ କଜ୍ଜ୍ୱଳ ବହିଲା ଏବଂ ମୁଖ ନିକଟରେ ତଡ଼କା ଦୋହଲିଲା । ଏହା ଦେଖି ମନେ ହେଲା, ବାୟୁ ଯୋଗେ ସଞ୍ଚାଳିତ ହୋଇଥିବା ସ୍ୱଚ୍ଛ ଜଳ ମଧ୍ୟରେ ( ଅର୍ଥାତ୍ ଲହରୀ ମଧ୍ୟରେ ଅତି ନିର୍ମଳ ତାରା ଦୁଇଗୋଟି ) ।

୧୪୫ଶ ପଦ :- ବକ୍ଷୋଜ-ସ୍ତନ । ବସୁନ୍ଧରା-ପୃଥିବୀ ।

୧୪୫ଶ ପଦ :- ତାର ସ୍ତନ ଉପରେ ଥିବା ମୁକ୍ତାମାଳ ଛିଣ୍ଡି ମୁକ୍ତା ସବୁ ଗୋଟି ଗୋଟି ହୋଇ ପୃଥିବୀ ଉପରେ ପଡ଼ିଥିବାର ଦେଖି ମନେ ହେଲା; ପୃଥିବୀ ଜଳକଣାରେ ଆଚ୍ଛାଦିତ ହୋଇ ଶୋଭା ପାଉଛି କି ?

୧୪୬ଶ ପଦ :- ବୈବସ୍ୱତପୁର-ଯମପୁର ।

୧୪୮ଶ ପଦ :- ବଳାହକୁଁ-ମେଘରୁ । ବଳାହକ-ପର୍ବତ ।

୧୪୬ଶ-୧୪୮ଶ ପଦ :- ତାରା ଉଚ୍ଚସ୍ୱରରେ କହିଲା, ‘‘ହେ ପ୍ରାଣେଶ୍ୱର ! ମୋତେ ବିଧବା କରି ଯମପୁରକୁ ଗଲ ପ୍ରଭାତ ସମୟରେ ସନ୍ଧ୍ୟା ଆସି ଉପସ୍ଥିତ ହେଲା ।’’ ଏହା କହି ସେ ବାଳିର ଉପରେ ପଡ଼ିଲା । ସେ ପଡ଼ିବାର ଦେଖି ଦର୍ଶକମାନଙ୍କର ମନେ ହେଲା ବିଜୁଳି ମେଘରୁ ଛିଡ଼ି ପଡ଼ି ପର୍ବତ ଉପରେ ଖେଳୁଛି କି ?

୧୪୯ଶ ଓ ୧୫୦ଶ ପଦ :- ରାମଚନ୍ଦ୍ର ତାରାକୁ ଦେଖି ବିଚାରିଲେ, ‘‘ଏହି ସଂସାରେ ଥିବା ଲୋକମାନେ ବାନରୀଗୁଡ଼ାକ ବଡ଼ ଅସୁନ୍ଦରୀ ବୋଲି କହନ୍ତି । ଆଚ୍ଛା ଏହାର କେଉଁ ଗୁଣକୁ ରମ୍ଭା ସରି ହେବ ?’’

 

ବୋଲାଇଲା ଏଥିକି ନାମ ତାରା

ବିହି ବହୁଁ ହୋଇଲା ନେତ୍ରତାରା

।୧୫୧ ।

ବାଳିବାଳୀ ଶ୍ରୀରାମ ଅନାଇଲା

ବାଣୀବାଣ ବ୍ୟାକୁଳେ ଯୋଗ କଲା

।୧୫୨ ।

ବିଚ୍ଛେଦ ସେ କଲା ମୋ ବଲ୍ଲଭର

ବାଳାଭୋଗ ସମ୍ପୂର୍ଣ୍ଣ ନୋହୁ ତାର

।୧୫୩ ।

ବ୍ୟଥା ଉପଜାଇ ରଘୁ ନାୟକେ

ବାଳି-ବିନ୍ଧିବା କାଣ୍ଡରୁ ଅଧିକେ

।୧୫୪ ।

ବିଧବା ତୁ କିମ୍ପାଇ ହେବୁ ଲୋକେ

ବସ ସୁଗ୍ରୀବ କୋଳେ ଅଭିଷେକେ

।୧୫୫ ।

ବସୁଁ ପ୍ରହ୍ଳାଦ ଇନ୍ଦ୍ରପଦ ଲଭି

ବୃକ୍ଷା ଥାଉଁ ଶଚୀ ତାର ବଲ୍ଲଭୀ

।୧୫୬ ।

ବଧୁ ଅଧିକ କି ଶାଶୁଠାବରୁ

ବୋଧି ତାକୁ ବାଣୀ ଏହି ନ୍ୟାସରୁ

।୧୫୭ ।

ବାନରେନ୍ଦ୍ର ମିତ୍ରକୁ କରି ମୋତେ

ବିହି ଯୁବରାଜ ପଦ ଅଙ୍ଗଦେ

।୧୫୮ ।

ବିଦ୍ୟ ପଟ୍ଟମହିଷୀ ତାରା ହୋଇ

ବନ୍ଦ୍ୟା ସାଧ୍ୱୀପଦରେ ବର ପାଇ

।୧୫୯ ।

ବଦନକୁ ମିତ୍ରର ଚାହିଁ ଭାଷେ

ବଡ଼ ଦୁଃଖୀ ହୋଇଛ ବନବାସେ

।୧୬୦ ।

ବିଚ୍ଛେଦିତ ହୋଇ ପ୍ରିୟବତୀରେ

ବିଚ୍ଛେଦିତ ନିତିରେ ସୁରତିରେ

। ୧୬୧ ।

ବଞ୍ଚି ବରଷାଯାକ ରହି ପୁରେ

ବାଦୀ ହେବା ଲଙ୍କେଶେ ତଦୁତ୍ତାରେ

।୧୬୨ ।

 

୧୫୧ଶ ପଦ :- ନେତ୍ରତାରା-ଆକ୍ଷି ଡୋଳା ।

୧୫୧ଶ ପଦ :- ବିଧାତା ଏହାକୁ ତିଆରି କରୁ କରୁ ଏ ତାଙ୍କର ଡୋଳା ପିତୁଳା ହୋଇଗଲା ଅର୍ଥାତ୍ ତାଙ୍କ ଆକ୍ଷିରେ ସବୁବେଳେ ଦେଖାଗଲା । ତେଣୁ ଏହାର ନାମ ତାରା ହେଲା କି ?’’

୧୫୨ ପଦ :- ବାଳିବାଳୀ-ବାଳିର ସ୍ତ୍ରୀ ବା ତାରା । ବାଣୀବାଣ - ବାକ୍ୟ ବାଣ ।

୧୫୨ ପଦ :- ରାମଚନ୍ଦ୍ର ଏହିପରି ବିଚାରୁଥିବା ସମୟରେ ତାରା ରାମଚନ୍ଦ୍ରଙ୍କୁ ଚାହିଁ ଅତିଶୟ ଦୁଃଖିତା ହୋଇ ତାଙ୍କ ପ୍ରତି ବଚନରୂପେ ଶର ଅର୍ଥାତ୍ ଶର ଯେଉଁପରି ଲୋକଙ୍କୁ କଷ୍ଟ ଦିଏ, ସେହିପରି କଷ୍ଟଦାୟକ କଥା ‘ଯୋଗକଲା’ ପ୍ରକାଶ କଲା ( ତାଙ୍କୁ ଅଭିଶାପ ଦେଲା ),-

୧୫୩ଶ ପଦ :- ‘‘ଯେଉଁ ଲୋକ ମୋଠାରୁ ମୋ ବରକୁ ଅନ୍ତର କରାଇଲା, ତାର ସ୍ତ୍ରୀଭୋଗ ସମ୍ପୂର୍ଣ୍ଣ ନ ହେଉ ଅର୍ଥାତ୍ ସେ ତାର ସ୍ତ୍ରୀଠାରୁ ଅନ୍ତର ହେଉ ।’’

୧୫୪ଶ ପଦ :- ବାଳି ଶରବିଦ୍ଧ ହୋଇ ସେପରି ଦୁଃଖ ଅନୁଭବ କରିନଥିବ, ରାମଚନ୍ଦ୍ର ତାରାର ଏହି ବାଣୀ ଶୁଣି ତାହାଠାରୁ ଅଧିକ ଦୁଃଖ ଅନୁଭବ କରିଥିଲେ ।

୧୫୫ଶ ପଦ :- ରାମଚନ୍ଦ୍ର ତାରାକୁ କହିଲେ, ‘‘ଏହି ଜଗତରେ ତୁମ୍ଭେ ବିଧବା କାହିଁକି ହେବ ? ସୁଗ୍ରୀବଙ୍କ କୋଳରେ ଅଭିଷେକ ସମୟରେ ବସ ।’’

୧୫୬ଶ ପଦ :- ବୃଷୀ-ଇନ୍ଦ୍ର ।

୧୫୭ଶ ପଦ :- ବିନ୍ୟାସ-ଅର୍ପଣ, ଏଠାରେ ବିହିବା ।

୧୫୬ଶ ଓ ୧୫୭ଶ ପଦ :- ‘ତାରାକାଳେ କହିବ ମୁଁ ପତିବ୍ରତା ଅନ୍ୟ ପ୍ରତି ଗ୍ରହଣ କରିବି ନାହିଁ’- ଏହି ଆଶଙ୍କା କରି ରାମ କହୁଛନ୍ତି, ‘‘ପ୍ରହ୍ଲାଦ ଇନ୍ଦ୍ରପଦ ଲାଭକରି ବସନ୍ତେ ( ଇନ୍ଦ୍ର ହୁଅନ୍ତେ ) ଶଚୀ ଇନ୍ଦ୍ର ଥାଉଁ ଥାଉଁ ତାର ସ୍ତ୍ରୀ ହେଲେ । ଶାଶୁଠାରୁ ବୋହୁ ଅଧିକ କି ? ( ବାଳି ଇନ୍ଦ୍ରଙ୍କ ପୁତ୍ର ତେଣୁ ତାରା ଶଚୀର ବୋହୁ ଅଟେ ) । ଏଣୁ ତୁ ସୁଗ୍ରୀବର ସ୍ତ୍ରୀ ହେଲେ ମଧ୍ୟ ଶଚୀପରି ସତୀ ହେବୁ ।’’ ଏହିପରି କଥା କହି ତାକୁ ପ୍ରବୋଧ କଲେ ।

୧୫୮ଶ ପଦ :- ତତ୍ପରେ ରାମଚନ୍ଦ୍ର, ମିତ୍ର ସୁଗ୍ରୀବଙ୍କୁ ବାନରରାଜ ପଦରେ ଅଭିଷିକ୍ତ କରି ଅଙ୍ଗଦକୁ ଯୁବରାଜ ପଦ ପ୍ରଦାନ କଲେ ।

୧୫୯ଶ ପଦ :- ତାରା ପୂଜ୍ୟା ପାଟରାଣୀ ପଦ ପ୍ରାପ୍ତ ହୋଇ ରାମଚନ୍ଦ୍ରଙ୍କ ବରରେ ସତୀ ବୋଲି ଜଗତରେ ପୂଜା ପାଇଲେ ।

୧୬୧ଶ ପଦ :- ସୁର-ତୀରେ-କାମଶରରେ ।

୧୬୦ଶ - ୧୬୨ଶ ପଦ :- କିଛିଦିନ ପରେ ରାମଚନ୍ଦ୍ର ସୁଗ୍ରୀବଙ୍କ ମୁଖକୁ ଚାହିଁ କହିଲେ, ‘‘ତୁମ୍ଭେ ବନରେ ବାସକରି ଅତ୍ୟନ୍ତ ଦୁଃଖ ଅନୁଭବ କରିଅଛ ଏବଂ ପ୍ରିୟାଠାରୁ ଅନ୍ତର ହୋଇଥିବାରୁ ପ୍ରତିଦିନ କନ୍ଦର୍ପ ବାଣମାନଙ୍କ ଦ୍ୱାରା ଆଘାତପ୍ରାପ୍ତ ହେଉଅଛ । ଅତଏବ ଏହି ବର୍ଷା ସମୟତକ ଘରେ ରହିଥାଅ । ଏହାପରେ ରାବଣ ସହ ଯୁଦ୍ଧ କରିବା ।’’

 

ବର୍ଷା ବଞ୍ଚୁ ଆମ୍ଭେ ମାଲ୍ୟବନ୍ତରେ

ବୋଡ଼ି ବିଜେ ଲକ୍ଷ୍ମଣ ସଙ୍ଗତରେ

।୧୬୩ ।

ବୃତ ସେନାନୀରେ ହୋଇ ସୁଗ୍ରୀବ

ବାହୁଡ଼ାଇ ଦେଲେ ପଥୁଁ ରାଘବ

।୧୬୪ ।

ବଳ ସାଜି ଆସ ନ ବଳ କଣ୍ଟ

ବୋଲି ସୌମିତ୍ରେୟ ବାଣୀ ପ୍ରକଟ

।୧୬୫ ।

ବିଭାବସୁବଂଶିକ ତ୍ୱାରା ହୋଇ

ବସା ମାଲ୍ୟବନ୍ତରେ କଲେ ଯାଇ

।୧୬୬ ।

ବିଶ୍ୱଧାତ୍ରୀରୁ ହତ ହେଲେ କୀର୍ତ୍ତି

ବିଖ୍ୟାତିବେ ଅସୁରନାଶ କୀର୍ତ୍ତି

।୧୬୭ ।

ବସୁମତୀଧରେ ଶ୍ରେଷ୍ଠ ସାର

ବୋଲାଇଲା ରଚୁଁ ରାମ ବିହାର

।୧୬୮ ।

ବିଗତ ଦୁଃଖ ସୁଗ୍ରୀବ ସୁରଙ୍ଗେ

ବିଳସିତ ଯେ ତାରା ରୁମା ସଙ୍ଗେ

।୧୬୯ ।

ବିମଳିନ ଛତ୍ର ଚାମର ପୁଂଜ

ବିରାଜିତ ଭ୍ରମଣରେ ସହଜ

।୧୭୦ ।

ବୁଧେ ବୁଝ ଏ ଗୀତ ହୋଇ ତୋଷ

ବିଂଶ ଅଷ୍ଟ ଅଧିକ ଛାନ୍ଦ ଶେଷ

।୧୭୧ ।

ବାସ୍ତରି ଅଧିକ ଶତଶପଦ

ବହୁ ସକଳ ହୃଦୟେ ପ୍ରମୋଦ

।୧୭୨ ।

ବନ୍ଦେ ବୀରବର ଭଞ୍ଜ ଆନନ୍ଦେ

ବଇଦେହୀଶ ଚରଣରବିନ୍ଦେ

।୧୭୩ ।

 

୧୬୩ଶ ପଦ :- ‘‘ଆମ୍ଭେ ମାଲ୍ୟବନ୍ତ ପର୍ବତରେ ରହି ଏହି ବର୍ଷାକାଳକୁ କଟାଇବୁଁ ଏହା କହି ଲକ୍ଷ୍ମଣଙ୍କ ସହ ମାଲ୍ୟବନ୍ତକୁ ଗମନ କଲେ ।

୧୬୪ଶ ପଦ :- ସେନାପତିମାନଙ୍କ ସହ ମିଳିତ ହୋଇ ପାଛୋଟି ଆସୁଥିବା ସୁଗ୍ରୀବଙ୍କୁ ରାମଚନ୍ଦ୍ର ବାଟରୁ ଫେରାଇଦେଲେ ।

୧୬୫ଶ ପଦ :- ସୌମିତ୍ରେୟ-ଲକ୍ଷ୍ମଣ ।

୧୬୫ଶ ପଦ :- ମାଲ୍ୟବନ୍ତକୁ ଯିବା ବାଟରେ ଲକ୍ଷ୍ମଣ, ସୁଗ୍ରୀବଙ୍କୁ କହିଲେ, ‘‘କଣ୍ଟ ( ନିର୍ଦ୍ଧାରିତ ଦିନ ) ବଳି ନ ଯାଉଣୁ ଶୀଘ୍ର ସୈନ୍ୟ ସାଜି ଆସ ।’’

୧୬୬ଶ ପଦ :- ରାମଚନ୍ଦ୍ର ଅତିଶୀଘ୍ର ଯାଇ ମାଲ୍ୟବନ୍ତରେ ବାସକଲେ ।

୧୬୭ଶ ପଦ :- ବିଶ୍ୱଧାତ୍ରୀ-ପୃଥିବୀ । କୀର୍ତ୍ତି-ପଙ୍କ, ଯଶ ।

୧୬୭ଶ ପଦ :- ପୃଥିବୀରୁ କାଦୁଅ ଶୁଖିଗଲେ ( ଶରତ୍ ଋତୁଆସି ରାସ୍ତା ପରିଷ୍କାର ହେଲେ ) ରାମଚନ୍ଦ୍ର ଅସୁରମାନଙ୍କୁ ନାଶକରି ପୃଥିବୀରେ କୀର୍ତ୍ତି ବିସ୍ଥାର କରିବେ ।

୧୬୮ଶ ପଦ :- ବସୁମତୀଧରରେ-ପର୍ବତମାନଙ୍କ ମଧ୍ୟରେ ।

୧୬୮ଶ ପଦ :- ରାମଚନ୍ଦ୍ର ମାଲ୍ୟବନ୍ତ ଗିରିରେ ବିହାର କରିବାରୁ ସେହି ଗିରି ପୃଥିବୀରେ ଶ୍ରେଷ୍ଠତର ପର୍ବତ ବୋଲି ଖ୍ୟାତିଲାଭ କଲା ।

୧୬୯ଶ ପଦ :- ସୁଗ୍ରୀବର ଦୁଃଖ ଦୂର ହୋଇଯିବାରୁ ସେ ତାରା ଓ ରୁମା ସହିତ ଆନନ୍ଦରେ ବିହାର କରିବାକୁ ଲାଗିଲା।

୧୭୦ଶ ପଦ :- ସେ ଧଳା ଛତି ଓ ବହୁତ ଧଳା ଚାମର ସଙ୍ଗରେ ନେଇ ବୁଲି ବାହାରୁଥିଲା । ( ଧଳା ଛତ୍ର ରାଜାର ରାଜାଚିହ୍ନ ଅଟେ ) ।

୧୭୧ଶ ପଦ :- ହେ ପଣ୍ଡିତମାନେ ଏହି ଗୀତକୁ ଆନନ୍ଦିତ ହୋଇ ବୁଝନ୍ତୁ । ଅଠାଇଶ ଛାନ୍ଦ ଏଠାରେ ଶେଷ ହେଲା।

୧୭୨ଶ ପଦ :- ଏହି ଛାନ୍ଦରେ ଥିବା ଏକ ଶହ ବାସ୍ତରୀ ପଦ ସମସ୍ତଙ୍କ ମନରେ ଆନନ୍ଦ ବିଧାନ କରୁ ।      ବୀରବର ଉପେନ୍ଦ୍ରଭଞ୍ଜ ଆନନ୍ଦରେ ରାମଚନ୍ଦ୍ରଙ୍କର ପାଦପଦ୍ମକୁ ବନ୍ଦନ କରୁଅଛନ୍ତି ।

 

ଊନତ୍ରିଂଶ ଛାନ୍ଦ

ରାଗ- କଲ୍ୟାଣ ଆହାରୀ

 

ବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରୀସେ ଘନାଘନ ହରି

ବିସର୍ଜଇ ଯେ ! ବଡ଼ ଆନନ୍ଦରେ ଜୀବନ

ବିଧିରେ କାଳିକା ମହିଷସନ୍ତାପ ନାଶି ପ୍ରମୋଦ କରେ ଦାନ

।୧ ।

 

 

ବିଜନିତ କଲା ଶ୍ୱା(ସ୍ୱା)ନ ଅବିରତେ ଚମକ ରଚିଲା ଶରଭେ

ବିହିତା ଦ୍ୱିଜବ୍ରଙ୍କର କଷଣକୁ କରକେ ପୁଣ ସେ ଆରମ୍ଭେ

ବୃଦ୍ଧଶ୍ରବାର ! ବାଣାସ(ଶ)ନ ଯେ ହୋଇ ଜାତ

ବିହିତ ରୋହିତ ସ୍ୱରୂପ ତ୍ୱରିତ ନାକରେ ରଙ୍ଗେ ବିହରିତ

।୨ ।

 

 

ବିଷ୍ଣୁ-ପଦ ଲୀନ ହେବାରେ ଚଞ୍ଚଳା ଜ୍ୟୋତି ପ୍ରକାଶି କଲା ଲୀଳା

ବିଷକଣ୍ଠ ସୁଖେ ବିଳସେ କୁଳିଶେ ଗିରିଜା ସଂଘାତି ହୋଇଲା

ବିଲୋକନେ ଯେ ! ବିରସ ଯୋଗିଏ ନୋହିଲେ ।

 

ବିକାଶ ପୁଷ୍ପେ ସୁଜାତି ସୁମନାଏ ମଧୁପ ମନକୁ ମୋହିଲେ

।୩ ।

 

 

ବ୍ରହ୍ମପୁତ୍ରକୁ ଭକ୍ଷିବା ଇଚ୍ଛା କଲେ ବିଚ୍ଛେଦୀ ହୋଇଥିଲା ଜନେ

ବିଚାରି ପଥିକ ପଦ ବିସରିଲେ ଅତି ଉତ୍ସୁକ ଜାତ ମନେ

ବିହେ ଅଗତି ! ବହେ ତହିଁରେ ସଦା ଗତି

ବିପଟ ବିନାଶେ ସୁମନରେ ହସେ ଗଣିକାପନ୍ତି ଦିବାରାତି

।୪ ।

 

 

ବିମଳ କକୁଭ କଦମ୍ବ କକୁଭ କଦମ୍ବ ମଳିନ ରଭସେ

ବିଦିତ ଉଡୂପ ପୁଷ୍ପରେ ଉଡୂପ ଆଉ ଯେ ନ ଦିଶେ

ବନେ କଲେ ଯେ ! ବରହୀ ଶିଖା ଟେକି ନୃତ୍ୟ

ବନେ ହେଲେ ଯେ ବରହି ଶିଖା ତହିଁ ସମସ୍ତ ପରକାରେ ହତ

।୫ ।

 

୧ମ ପଦ :-ଦିଶେ-ପ୍ରତିଦିଗରେ । ଘନାଘନ-ମତ୍ତହସ୍ତୀ, ଘୋରମେଘ । ହରି-ସିଂହ, ଚନ୍ଦ୍ର ସୂର୍ଯ୍ୟ । ଜୀବନ-ପ୍ରାଣ, ଜଳ । କାଳିକା-ଦୁର୍ଗା, ମେଘ । ମହିଷ-ମହିଷପଶୁ, ମହିଷାସୁର ।

 

୧ମ ପଦ :-ଏହି ସମୟରେ ବର୍ଷାକାଳ ଜଗତରେ ପ୍ରକାଶିତ ହୋଇ କବିଙ୍କର କଳ୍ପନା ଜଗତରେ ବିରୋଧପରି ଜଣାପଡ଼ିଥିବା ବାକ୍ୟଗୁଡ଼ିକ ପ୍ରକାଶ କରାଇଲା । (ଯେଉଁ ବାକ୍ୟରେ ପଦମାନଙ୍କ ମଧ୍ୟରେ କୌଣସି ମାତ୍ର ‘ବିରୋଧ’ ଅସଙ୍ଗତ ନଥିଲେ ସୁଦ୍ଧା ଶୁଣିବା ସଙ୍ଗେ ସଙ୍ଗେ ବିରୋଧ ଜଣାଯାଏ, ସେହିଠାରେ ବିରୋଧାଭାଷ ନାମକ ଅଳଙ୍କାର ବୋଲି ଧରାଯାଏ ।)

 

୧ମ ପଦ ବିରୋଧାର୍ଥ :-ବର୍ଷାକାଳ ପ୍ରକାଶିତ ହେବାରୁ ଏହି ଜଗତର ସମସ୍ତ ଅଂଶରେ ଶୋଭା ବିଞ୍ଚି ହୋଇଗଲା । ଅର୍ଥାତ୍ ଜଳ ସ୍ଥଳ ଆକାଶ ସମସ୍ତେ ସୁନ୍ଦର ଦେଖାଗଲେ ଏବଂ ଭୟଙ୍କର ମଧ୍ୟ ଦେଖାଗଲା । ମତ୍ତହସ୍ତୀ ସିଂହକୁ ଗ୍ରାସ କରିବାରୁ ସିଂହ ଆନନ୍ଦରେ ପ୍ରାଣତ୍ୟାଗ କଲା । କାଳିକା ଠାକୁରାଣୀ ମହିଷାସୁରର ଦୁଃଖ ହରଣ କରି ତାକୁ ଆନନ୍ଦ ଦାନକଲେ । ( ଯେ ସୁନ୍ଦର ସେ ଭୟଙ୍କର ହୋଇନପାରେ । ହାତୀ, ସିଂହକୁ ଗିଳିପାରେ ନାହିଁ କି ମରୁଥିବା ପ୍ରାଣୀ ଆନନ୍ଦିତ ହୁଏ ନାହିଁ ଏବଂ କାଳୀ ମହିଷାସୁରର ଦୁଃଖ ନାଶକରି ତାକୁ ସୁଖ ଦେଇନଥିଲେ । ଏହି ସବୁ ବିରୋଧ କଥା କବି ପ୍ରକାଶ କଲେ ଓ ପ୍ରତ୍ୟେକ ପଦରେ ଏହିପରି କରିବେ । ଏହାକୁ ଲକ୍ଷ୍ୟ ରଖି ପ୍ରକୃତାର୍ଥ କିପରି ବିରୋଧ ଶୂନ୍ୟ ହେଉଅଛି, ଅନୁସନ୍ଧାନ କରିବା ପାଇଁ ‘ବିରୋଧାଭାଷା ପ୍ରକଟାଇ କବିରେ’ ଛାନ୍ଦ ପ୍ରଥମରେ ପ୍ରକାଶ କରି ଅଛନ୍ତି) ।

୨ୟ ପଦ :-ବିଜନିତ - ଜାତ । ଶ୍ୱାନ - କୁକୁର, ଶବ୍ଦ । ଅବିରତେ - ମେଷଠାରେ ରତହୋଇ, ସର୍ବଦା । ଶରଭ - ଅଷ୍ଟପଦବିଶିଷ୍ଟ ମୃଗ । ଦ୍ୱିଜବ୍ରଜର - ବ୍ରାହ୍କଣମାନଙ୍କର, ପକ୍ଷୀମାନଙ୍କର । କଚକେ - କମଣ୍ଡଳୁ, କୁଆପଥରରେ । ବୃଦ୍ଧଶ୍ରବାର - ଇନ୍ଦ୍ରଙ୍କର । ବାଣାସନ - ବାଣରେ ଭକ୍ଷଣ, ଧନୁ । ନାକରେ - ସ୍ୱର୍ଗରେ, ଆକାଶରେ ।

 

୨ୟ ପଦ :- ପ୍ରକୃତାର୍ଥ –‘ଘନାଘନ’ ହଠାତ୍‌ ବର୍ଷା କରିବା ଉପଯୋଗୀ ମେଘ ଚାରିଆଡ଼େ ଘୋଟିବାରୁ ନିଜେ (ସେହି ଘନ ଘନ ସୁନ୍ଦର ଦେଖାଗଲା । ଅର୍ଥାତ୍‌ ତାର ରୂପର ମାଧୁରୀ ଲୋକମାନଙ୍କ ମନରେ ଆନନ୍ଦ ଆଣିଦେଲା । ଦିଗମାନେ ଭୟଙ୍କର ଦେଖାଗଲା । ଅର୍ଥାତ୍‌ ଅନ୍ଧାର ବ୍ୟାପିଯିବାରୁ ଲୋକମାନେ କେଉଁ ଦିଗକୁ ଯିବେ ବା ଯାଉଛନ୍ତି ଠିକ୍‌ କରିନପାରି ଭୀତ ହେଲେ । ସେହି ସାନ୍ଦ୍ର ମେଘ ଚନ୍ଦ୍ରଙ୍କୁ ବା ସୂର୍ଯ୍ୟଙ୍କୁ ଗ୍ରାସକଲା, ଘୋଡ଼ାଇ ପକାଇଲା) ଏବଂ ଅତିଶୟ ଆନନ୍ଦରେ ଜଳ ବିସର୍ଜନ କଲା (ବର୍ଷିଲା) । ଦୈବବଶରୁ ଅଥବା ବିଧାତାର ନିୟମାନୁସାରେ ‘କାଳିକା’ ମେଘ ବର୍ଷିବାରୁ ମଇଁଷିମାନଙ୍କର ଦୁଃଖ ନାଶ ହେଲା ଓ ସେମାନେ ଆନନ୍ଦିତ ହେଲେ ।

 

୨ୟ ପଦ :- ବିରୋଧାର୍ଥ :-ବର୍ଷା ହେବାରୁ କୁକୁର ମେଣ୍ଢୀ ସହ ରତି କରି ଯେଉଁ ଖଚଡ଼ ଜୀବ ଜନ୍ମକଲା ଅଥବା ଯେଉଁ ‘ବି’ ପକ୍ଷୀ ଜନ୍ମକଲା ସେ ଅଷ୍ଟାଦଶ ମୃଗ ବା ଗଧକୁ ଚମକାଇଲା । ପୁଣି ସେହି ଜୀବ ବା ପକ୍ଷୀ କମଣ୍ଡଳୁଦ୍ୱାରା ବ୍ରାହ୍ମଣମାନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଏବଂ ଆଉଥରେ ରୋହି ମାଛର ରୂପ ଧାରଣ କରି ଜନ୍ମ ହୋଇ ଇନ୍ଦ୍ରଙ୍କର ‘ବାଣ’ ଇନ୍ଦ୍ର ତାହା ପ୍ରତି ମାରୁଥିବା ଶରକୁ ଖାଇ ସ୍ୱର୍ଗରେ ନାନାରଙ୍ଗରେ ବିହାର କରିବାକୁ ଲାଗିଲା ।

 

୨ୟ ପଦ :- ପ୍ରକୃତାର୍ଥ :-ମେଘ ବର୍ଷିବା ସଙ୍ଗେ ସଙ୍ଗେ ଅନବରତ ଘଡ଼ଘଡ଼ି ଶବ୍ଦ ପ୍ରକାଶିତ ହେବାରୁ ‘ଶରଭ’ ଅଷ୍ଟାପଦ ମୃଗ କମ୍ପିବାକୁ ଲାଗିଲା । ଅଥବା ସେହି ଶବ୍ଦ ଶୁଣି ଗଧ ଚମକିବାକୁ ଲାଗିଲା । ପୁଣି ସେହି ମେଘରୁ କୁଆପଥର ବୃଷ୍ଟି ଆରମ୍ଭ ହେବାରୁ ପକ୍ଷୀମାନେ ଆଘାତ ପାଇ ବହୁ କଷ୍ଟ ପାଇଲେ । ଅଥବା ଭିକ୍ଷା ମାଗି ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଫେରୁଥିବା ବ୍ରାହ୍ମଣମାନେ କଷ୍ଟ ପାଇଲେ । ଇନ୍ଦ୍ରଧନୁ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ରୋହିତ ରୂପକୁ ଧାରଣ କରି (ନାନା ବର୍ଣ୍ଣରେ ରଞ୍ଜିତ ହୋଇ) ଆକାଶରେ ନାନା ରଙ୍ଗରେ (କେତେବେଳେ ବକ୍ର ବା କେତେବେଳେ ରୁଜୁଭାବରେ) ବିହାର କଲା ।

 

୩ୟ ପଦ :-

ପଦ :- ସ୍ଥାନ । ଚଞ୍ଚଳା-ଲକ୍ଷ୍ମୀ, ବିଦ୍ୟୁତ୍‌ । ବିଷକଣ୍ଠ-ମହାଦେବ, ବକ ଓ ଚାତକ । କୁଳିଶ-ବଜ୍ର । ଗିରିଜା-ପାର୍ବତୀ; ପର୍ବତ ଦେହସ୍ଥିତ ଶୃଙ୍ଗ ଓ ବୃକ୍ଷଲତାଦି । ସଂଘାତି-ବିନଷ୍ଟ । ସୁମନା-ପଣ୍ଡିତା ସ୍ତ୍ରୀ’ ଜାଈଲତା । ମଧୁପ-ମଦ୍ୟପାୟୀ ଭ୍ରମର।

 

୩ୟ ପଦ :- ବିରୋଧାର୍ଥ :- ‘ବିଷ୍ଣୁ’ ଏହି ପଦ ଲୋପ ହେବାରୁ ଲକ୍ଷ୍ମୀ ନିଜର ଶୋଭା ପ୍ରକାଶ କରି ଏଣେ ତେଣେ ବୁଲିବାକୁ ଲାଗିଲେ । ପାର୍ବତୀ ‘କୁଳିଶ’ ନାମକ ମାଛଦ୍ୱାରା ଆଘାତପ୍ରାପ୍ତ ହେବାରୁ ମହାଦେବ ମନସୁଖରେ ବୁଲିବାକୁ ଲାଗିଲେ । ଏହି କଥା ଦେଖି ଅନ୍ୟ ତପସ୍ୱୀମାନେ ଅଥବା ଯୋଗୀମାନେ ଦୁଃଖିତ ହେଲେ ନାହିଁ । କୁଳୀନ ଘରର ସ୍ତ୍ରୀମାନେ ରଜୋବତୀ ହୋଇ ମଦୁଆଙ୍କ ମନକୁ ମୋହିତ କଲେ (ତାଙ୍କ ସଙ୍ଗେ ରତି କଲେ) ।

 

୩ୟ ପଦ :- ପ୍ରକୃତାର୍ଥ :- ଆକାଶ ମେଘଦ୍ୱାରା ଆଚ୍ଛନ୍ନ ହେବାରୁ (ଦେଖା ନ ଯିବାରୁ) ବିଜୁଳି ନିଜର ତେଜ ପ୍ରକାଶ କରି ଖେଳିଲା । ଚାତକମାନେ ଆନନ୍ଦରେ ବିହାର କଲେ । ‘ଗିରିଜା’ ପର୍ବତରେ ଜନ୍ମିଥିବା ଶୃଙ୍ଗ କିମ୍ବା ବୃକ୍ଷଲତା ପ୍ରଭୃତି ବଜ୍ରାଘାତରେ ବିନଷ୍ଟ ହେଲେ । ଅଥବା ‘ଗିରିଜା’ ଗିରି ନଦୀ ସବୁ ନାନାପ୍ରକାର ମାଛରେ ପୂର୍ଣ୍ଣହୋଇ ଯିବାରୁ ବଗମାନେ ଆନନ୍ଦରେ ନଦୀ ମଧ୍ୟରେ ବୁଲିବାକୁ ଲାଗିଲେ । ଏହି ବର୍ଷାକାଳକୁ ଦେଖି ‘ଯୋଗିଏ’ ସ୍ତ୍ରୀ ସହ ଏକତ୍ର ବାସ କରୁଥିବା ଲୋକମାନେ ଦୁଃଖିତ ହେଲେ ନାହିଁ, (କିନ୍ତୁ ବିଯୋଗିମାନେ ଦୁଃଖିତ ହେଲେ) । ଜାଈ ଓ ମାଳତୀ ଲତାଗୁଡ଼ିକ ପୁଷ୍ପିତା ହୋଇ ଭ୍ରମର ମନକୁ ମୋହିତ କଲେ ।

 

୪ର୍ଥ ପଦ :- ବ୍ରହ୍ମପୁତ୍ର - ନାରଦ ବା ବଶିଷ୍ଠ, କାଳକୂଟ ବିଷ । ବିଚ୍ଛେଦୀ - ଦୁଇ ବା ତତୋଽଧିକ ଖଣ୍ଡରେ ହଣା ହୋଇଥିବା ଲୋକ, ବିସୋରୀ । ବିଚାରି - ଦେବତାମାନେ । ବିସରିଲେ - ପାସୋରିଲେ । ଅଗତି - ଅମୁକ୍ତି; ଅସ୍ତବ୍ୟସ୍ତ । ସଦାଗତି - ବାୟୁ । ବିଟପ - ବିଟପୁରୁଷ, ପତ୍ର । ସୁମନରେ - ଆନନ୍ଦରେ, ପୁଷ୍ପରେ । ଗଣିକାପନ୍ତି - ବେଶ୍ୟାମାନେ, ଯୁଇଲତାମାନେ ।

 

୪ର୍ଥ ପଦ :- ବିରୋଧାର୍ଥ :-ହଣାହୋଇଥିବା ଲୋକମାନେ ନାରଦ ବ ବିଶିଷ୍ଠ ମହର୍ଷିଙ୍କୁ ଖାଇବାକୁ ଇଚ୍ଛାକଲେ । ଦେବତାମାନେ ଅତି ଆନନ୍ଦିତ ମନରେ ବାଟୋଇମାନଙ୍କର ‘ପଦ’ ସ୍ତୁତିବାକ୍ୟଗୁଡ଼ିକୁ (ବାଟୋଇମାନେ ନିଜ ନିଜର ଇଷ୍ଟଦେବତାମାନଙ୍କୁ ସର୍ବଦା ନିରାପଦରେ ଫେରିଯିବା ପାଇଁ ସ୍ତୁତି କରୁଥାନ୍ତି, କିନ୍ତୁ ବର୍ଷାକାଳ ହେବାରୁ ସେମାନେ ଶୋଇପଡ଼ିବାରୁ) ଆଉ ଶୁଣିଲେ ନାହିଁ । ଅଥବା ‘ବିଚାରି’ ଆକାଶ ଭ୍ରମଣକାରୀ (ବିଷ୍ଣୁ) ‘ପଥିକ’ ଭଜନ ମାର୍ଗରେ ନିରତ ବୈଷ୍ଣବମାନଙ୍କର ‘ପଦ’ ସ୍ଥାନ (ମୁକ୍ତି)କୁ ଆନନ୍ଦିତ ମନରେ ଉତ୍ପନ୍ନ କରନ୍ତେ - ଅର୍ଥାତ୍‌ ସେମାନଙ୍କୁ ଉତ୍କୃଷ୍ଟସ୍ଥାନ ଦେବାକୁ ଇଚ୍ଛା କରନ୍ତେ, ସେମାନେ ‘ବିସରିଲେ’ ମଲେ । ‘ଅଗତି’ ଚାଲି ନ ପାରିବା ଲୋକମାନେ (ଛୋଟାମାନେ) ସେହି ସମୟରେ ଭାର କିମ୍ବା ବୋଝ ବହି ସବୁବେଳେ ଯିବାକୁ ଲାଗିଲେ । ଜାର ପୁରୁଷମାନେ ମରି ଯିବାରୁ ବେଶ୍ୟାମାନେ ଆନନ୍ଦ ମନରେ ଦିନ ରାତି ହସିବାକୁ ଲାଗିଲେ ।

 

୪ର୍ଥ ପଦ :- ପ୍ରକୃତାର୍ଥ :- ଏହି ସମୟରେ ବିରହୀ ଲୋକମାନେ ବ୍ରହ୍ମପୁତ୍ର ନାମକ ବିଷ ଖାଇବାକୁ ଇଚ୍ଛାକଲେ, ବାଟୋଇମାନେ କିପରି ଶୀଘ୍ର ଘରକୁ ଯିବେ - ଏହିକଥା ବିଚାରି ମନେ ମନେ ଅତିଶୟ ଆନନ୍ଦିତ ହୋଇ ‘ପଦ’ ବାଟ ଭୁଲିଲେ ଅଥବା ସରିଗଲା ବୋଲି ମନେକଲେ । ଅଥବା ନିଜ ନିଜର ସ୍ତ୍ରୀକୁ ମନେ ମନେ ବିଚାରି ଅତିଶୟ ଆନନ୍ଦିତ ହେବାରୁ ‘ପଦ’ ମୁଁ ବାଟୋଇ ଏ କଥାକୁ ପାଶୋରିଲା । ପବନ ସେହି ସମୟରେ ବହି ଲୋକମାନଙ୍କର ଯିବା ଆସିବା ବନ୍ଦ କରିଦେଲା । ଯୁଇ ଗଛମାନଙ୍କରୁ ପତ୍ରସବୁ ଝଡ଼ି ପଡ଼ିଲେ ଏବଂ ସେମାନେ ପୁଷ୍ପ ମଣ୍ଡିତ ହୋଇଥିବାରୁ ଦିନରାତି ସବୁବେଳେ ହସୁଥିଲା ପରି ଦେଖାଗଲେ ।

 

୫ମ ପଦ :- କକୁଭ - ଅର୍ଜ୍ଜୁନଗଛ ଓ କଦମ୍ବଗଛ । କକୁଭ - ଦିଗସମୂହ । ରଭସେ - ବେଗରେ, ସଙ୍ଗେ ସଙ୍ଗେ । ଉଡ଼ପ - ଭେଳା । ପୁଷ୍କରେ -ଜଳରେ, ଆକାଶରେ । ଉଡ଼ୁପ - ଚନ୍ଦ୍ର । ବରହୀ - ମୟୁର । ବନେ - ଜଳରେ । ବରହି - ବନାଗ୍ନି।

 

୫ମ ପଦ :- ବିରୋଧାର୍ଥ :- ‘କକୁଭକଦମ୍ବ’ ଦିଗମାନେ ନର୍ମଳ ଦେଖାଗଲେ ଏବଂ ସଙ୍ଗେ ସଙ୍ଗେ ସେହି ‘କକୁଭକଦମ୍ବ’ ଦିଗମାନେ ମଳିନ ହେଲେ । ‘ପୁଷ୍କରେ’ ଆକାଶରେ ‘ଉଡ଼ୁପ’ ଚନ୍ଦ୍ର ପ୍ରକାଶିତ ହେଲେ ଏବଂ ସେହି ପୁଷ୍କରେ ଆକାଶରେ ଉଡ଼ୁପ’ ଚନ୍ଦ୍ର ଦେଖାଗଲାନାହିଁ । ମୟୁରମାନେ ପୁଚ୍ଛ ଟେକି ବନରେ ନୃତ୍ୟ କଲେ । ପୁଣି ସେହି ସମୟରେ ବନରେ ମୟୁର ପୁଚ୍ଛଯାକ ସମସ୍ତ ପ୍ରକାରେ ଅର୍ଥାତ୍‌ ଭାଙ୍ଗି, ଛିଣ୍ଡି ବା ଖସିପଡ଼ି ନଷ୍ଟହେଲେ ।

 

୫ମ ପଦ :- ପ୍ରକୃତାର୍ଥ :- ବର୍ଷାକାଳ ଆସିବାରୁ କଦମ୍ବ ଓ ଅର୍ଜ୍ଜୁନ ବୃକ୍ଷମାନେ ପରିଷ୍କୃତ ଦେଖାଗଲେ ଅର୍ଥାତ୍‌ ନୂତନ ପତ୍ର ଓ ଫୁଲରେ ମଣ୍ଡିତହୋଇ ସୁନ୍ଦର ଦେଖାଗଲେ । ଦିଗମାନେ ମେଘାଚ୍ଛନ୍ନ ହୋଇ ମଳିନ ଦେଖାଗଲେ । ‘ପୁଷ୍କରେ’ ଜଳରେ ‘ଉଡ଼ୁପ’ ଭେଳାସବୁ ଭାସିଲେ । ଚନ୍ଦ୍ର ଆଉ ଆକାଶରେ ଦେଖା ଦେଲେ ନାହିଁ । ମୟୁରମାନେ ପୁଚ୍ଛ ଟେକି ବନରେ ନୃତ୍ୟ କଲେ । ଖରା ସମୟରୁ ବନରେ ବ୍ୟାପ୍ତହୋଇ ଜଳୁଥିବା ବନଅଗ୍ନିଶିଖା ଚାରିଆଡ଼ୁ ବାଧା ପାଇ ସେହି ବନରେ ସଂପୂର୍ଣ୍ଣରୂପେ ନଷ୍ଟ ହେଲା।

 

ବାହାରୁ କନ୍ଦଳୀ ଭକ୍ଷିଲେ କନ୍ଦଳୀ ହୋଇ ଅତିଶୟ ଲାଳସ

ବିପୁଳ କାମଦର ଦୂର ନୋହିଲା କାମେ ଦରଦୁର ହରଷ

ବର କୋଳରେ । ବସି ଗନ୍ଧବତୀ ଶୋଭନ

ବର କୋଳରେ ଗନ୍ଧବତୀ ଅଶୋଭା ସହଜେ ହୋଇଲା ଜନନ

।୬ ।

 

 

ବିଯୋଗୀ ସାରସେ ସଂଯୋଗୀ ସାରସେ ହୋଇ ଯେ ରହିଲେ ସରସୀ

ବିଗତ ହେଲେ ଦିନଚକ୍ର ଆଗତ ହୋଇଲେ ଦୀନଚକ୍ର ଆସି

ବାଳିନାଶନ ! ବାଳୀପ୍ରୀତିମନ୍ତ ଶ୍ରବଣ

ବନଦନିନଦ କରୁ ପଚାରିଲେ ଶୁଣ ସୁଲକ୍ଷଣ ଲକ୍ଷ୍ମଣ

।୭ ।

 

 

ବୋଲେ ଘଟ ଘଟ କେଉଁ ଘଟକାର ଏହି କି ଘଟ ଘଟ ନେବ

?

ବିଦୁର ଧନ ଯାହାର ତାକୁ ଘୋଟ ଲଗାଇ କି କଲା ଦଇବ

ବୁଲେ ତା ଚାର ! ବୃତ୍ତ ଏଣୁ କାଳ କଣ୍ଟକେ

ବେଭାରେ ମୁଁ ବୋଲି ଚିହ୍ନ ନ ପାରିଟି ପୁଚ୍ଛନ୍ତି କୋବା କୋବା ଡାକେ

। ୮ ।

 

 

ବଳାତ୍କାରେ ଘଟ ଘେନିଲେ ଅଛି ତ ମନ୍ଦେ ମନ୍ଦେ ଭଲ କଷ୍ଟୁ ଚରଣେ

ବାର୍ତ୍ତା ପାଇ ପ୍ରାଣେଶ୍ୱରୀ ଅନୁସରି ସୁଗତି ଅଛି ତା ଚରଣେ

ବନ୍ଧୁ ସେ ପୁଣି ! ବାରିଦାନ ନେତ୍ରୁ କରଣେ

ବାକ୍ୟ ହା ନାଥ ଯୁକ୍ତେ ହେବ ସୁଗତି ଧାତା ବନ୍ଦିବା ଏ କାରଣେ

। ୯ ।

 

 

ବାହାରି ପର୍ଣ୍ଣବାସୁ ଚାହିଁ ବୋଇଲା ବିଭ୍ରମେ ସରାବୁଁ ରାବଣ

ବୈଦେହୀ ହରଣେ ଜଟାୟୁ ମାରଣେ ଗରୁଡ଼ ଡରେ ପକ୍ଷୀଗଣ

ବେଢ଼ିଛନ୍ତି ଯେ ! ବିକାଶି କେ ଶିଖା କେ ଡାକେ

ବସିଣ ମରୁତରଥେ ଶର ବୃଷ୍ଟି କରେ ଯୁକ୍ତ ହୋଇ କାର୍ମୁକେ

।୧୦ ।

 

୬ଷ୍ଠ ପଦ :- କନ୍ଦଳୀ - ଏକକଜାତୀୟ ଘାସ । କନ୍ଦଳୀ - ମୃଗ । କାମଦର - କାମଭୟ । ଦରିଦୁର (ଦର୍ଦୁର) - ଭେକ। ବର କୋଳରେ - ମନୋହର ଭେଳାରେ, କାନ୍ତ କୋଳରେ । ଗନ୍ଧବତୀ - କେଉଟୁଣୀ, ଅନୁଲିପ୍ତା ରମଣୀ । ବରକୋଳରେ - ବରାହଶ୍ରେଷ୍ଠମାନଙ୍କରେ । ଗନ୍ଧବତୀ - ପୃଥିବୀ ।

 

୬ଷ୍ଠ ପଦ :- ବିରୋଧାର୍ଥ :- କନ୍ଦଳୀମାନେ ବାହାରୁ ବାହାରୁ ସେହି କନ୍ଦଳୀମାନେ ଲୋଭ ପରବଶ ହୋଇ ସେମାନଙ୍କୁ ଖାଇଗଲେ । ଅତି ଭୀଷଣ କନ୍ଦର୍ପର ଭୟ ଦୂରହେଲା ନାହିଁ, କିନ୍ତୁ କନ୍ଦର୍ପଠାରେ ଥିବା ଭୟ ଦୂର ହୋଇ ଆନନ୍ଦ ଜାତ ହେଲା । ଗନ୍ଧବତୀ ବର କୋଳରେ ବସି ଶୋଭାପାଇଲା । ଗନ୍ଧବତୀ କୋଳରେ ବସିବାରୁ ସ୍ୱାଭାବିକ ଅସୁନ୍ଦରତା ପ୍ରକାଶ ପାଇଲା ଅର୍ଥାତ୍‌ କୁତ୍ସିତ ଦେଖାଗଲା ।

 

୬ଷ୍ଠ ପଦ :- ପ୍ରକୃତାର୍ଥ :- ‘କନ୍ଦଳୀ’ ଏକ ପ୍ରକାର ଘାସରୁ ବାହାରୁ ବାହାରୁ ମୃଗମାନେ ଅତିଶୟ ଆନନ୍ଦରେ ସେମାନଙ୍କୁ ଖାଇଲେ । କଷ୍ଯଦାୟକ କନ୍ଦର୍ପ ଭୟ ଦୂର ହେଲାନାହିଁ । ବେଙ୍ଗମାନେ ଆନ୍ଦିତ ହୋଇ ରଡ଼ି କରିବାରେ ଲାଗିଲେ । ରସିକା ରମଣୀମାନେ କାନ୍ତ କୋଳରେ ବସି ନିଜର ସୌଭାଗ୍ୟ ପ୍ରକାଶ କଲେ । ଅଥବା ‘ଗନ୍ଧବତୀ’ ଆମିଷଗନ୍ଧିନୀ କେଉଟୁଣୀମାନେ ‘ବରକୋଳ’ ଭଲ ଭଲ ଭେଳା (ଡଙ୍ଗା)ମାନଙ୍କରେ ବସି ଅତିସୁନ୍ଦର ଦେଖାଗଲେ । ‘ବରକୋଳରେ’ ବଡ଼ ବଡ଼ ବରାହମାନଙ୍କର ‘ଗନ୍ଧବତୀ’ ପୃଥିବୀ ସ୍ୱାଭାବିକ ଅସୁନ୍ଦର ଦେଖାଗଲା । (ସେମାନେ ଓଦାମାଟିକୁ ଅନାୟାସରେ ଦାନ୍ତଦ୍ୱାରା ଖୋଳି ପୃଥିବୀକୁ ଅସୁନ୍ଦର କରିପକାଇଲେ ।

 

୭ମ ପଦ :- ସାରସ-ହଂସ । ସାରସ-ପଦ୍ମ । ସାରସ- ପୁଷ୍କରିଣୀ । ଦୀନଚକ୍ର -ଦିନସବୁ । ଦିନଚକ୍ର-ଦୁଃଖିତ -ଚକ୍ରବାକ ପକ୍ଷୀ । ବାଳିନାଶନ - ବାଳିନାଶକ । ବାଳିପ୍ରୀତିମନ୍ତ-ସ୍ତ୍ରୀଠାରେ ଅତିଶୟ ଅନୁରକ୍ତ । ବନଦ ନିନଦ-ମେଘଧ୍ୱନି ।

 

୭ମ ପଦ :- ବିରୋଧାର୍ଥ :- ପୁଷ୍କରିଣୀମାନେ ପଦ୍ମଶୂନ୍ୟ ହେଲେ ଏବଂ ସେହି ପୁଷ୍କରିଣୀମାନେ ପଦ୍ମରେ ପୂର୍ଣ୍ଣ ହୋଇ ରହିଲେ । ଦୁଃଖୀମାନେ ମଲେ ପୁଣି ଦୁଃଖୀମାନେ ଆସିଲେ । ବାଳି ନାଶକାରୀ ରାମ ପୁଣି ବାଳିଠାରେ ସ୍ନେହ ପ୍ରକାଶ କରି ମେଘଗର୍ଜନ ଶ୍ରବଣ କରୁ କରୁ ସୁଲକ୍ଷଣ ଲକ୍ଷ୍ମଣଙ୍କୁ ପଚାରିଲେ ।

 

୭ମ ପଦ :- ପ୍ରକୃତାର୍ଥ :- ପୁଷ୍କରିଣୀଗୁଡ଼ିକ ପଦ୍ମଶୁନ୍ୟ ହେଲେ ଅର୍ଥାତ୍‌ ସେଗୁଡ଼ିକ ଜଳପୁର୍ଣ୍ଣ ହେବାରୁ ପଦ୍ମମାନେ ପଚି ସଢ଼ି ଯାଇ ନଷ୍ଟ ହେଲେ ଅର୍ଥାତ୍‌ ସାରସପକ୍ଷୀମାନଙ୍କଦ୍ୱାରା ପୂର୍ଣ୍ଣ ହେଲେ । ‘ଦିନଚକ୍ର’ ଦିନସବୁ ନଷ୍ଟ ହେଲେ ଅର୍ଥାତ୍ ମେଘ ଘୋଡ଼ାଇବାରୁ ଅନ୍ଧାରୁଆ ଦେଖାଗଲେ । ଆଗତ ଚକ୍ରବାକ ପକ୍ଷୀମାନେ ପ୍ରଥମରୁ ଦୁଃଖୀ ହେଲେ, ଅର୍ଥାତ୍‌ ଚକ୍ରବାକ ପକ୍ଷୀମାନେ ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବାକୁ ଲାଗିଲେ । ବାଳି ବିନାଶକର୍ତ୍ତା ରାମଚନ୍ଦ୍ର ମେଘ ଘଡ଼ଘଡ଼ି ଶ୍ରବଣ କରୁ କରୁ ସୀତାଙ୍କ ପ୍ରତି ସ୍ନେହୀ ହୋଇ ଅର୍ଥାତ୍‌ ତାଙ୍କୁ ସ୍ମରଣ କରି ଶ୍ରୀମାନ ଳକ୍ଷ୍ମଣ ଏ କଣ ଶୁଭୁଛି ?’ ବୋଲି ପଚାରିଲେ ଏବଂ କହିଲେ ତୁମ୍ଭେ ଶୁଣ, ଏ ଜଣେ କୌଣସି ଘଟନା ଘଟାଇବା ବ୍ୟକ୍ତି, ଘଟ ଘଟ- ଅର୍ଥାତ୍‌ ହେ ଘଟନା ତୁ ଘଟ ବୋଲି କହୁଛି, ଏ କଣ ମୋର ‘‘ଘଟ’’ ଦେହରୁ ତ ‘‘ଘଟ’’ ପ୍ରାଣ ନେବ କି ? ଯାହାର ‘ଧନ’ ସ୍ତ୍ରୀ ନିକଟରେ ନାହିଁ, ତାଙ୍କୁ ଘୋଟ ଆକ୍ରମଣ କର ବୋଲି କହି ଦଇବ ଏହାକୁ ଲଗାଇ ଦେଇ କି କଲା ! ଏଣୁ ସେହି ଘଟନା ଘଟନକାରୀର ଚାର ଡାହୁକମାନେ ଚାରିଆଡ଼େ ବ୍ୟାପି ବୁଲୁଛନ୍ତି । ଅର୍ଥାତ୍‌ ବିରହୀମାନଙ୍କୁ ଚାରିଆଡ଼େ ଖୋଜି ବୁଲୁଛନ୍ତି । ପ୍ରକୃତରେ ମତେ ବିରହୀ ବୋଲି ଚିହ୍ନି ନ ପାରି ‘କୋବା କୋବା’’ କିଏ ପ୍ରିୟାବିଯୋଗୀ, କିଏ ପ୍ରିୟାବିଯୋଗୀ ବୋଲି ଡାକି ପଚାରୁଅଛନ୍ତି ।’’

 

୯ମ ପଦ :- ଏହି ଘଟକାର ବଳତ୍କାରରେ ଜୀବନ ନେଲେ ମନ୍ଦ ହେଲେ ମଧ୍ୟ ଭଲ ହେବ । କାରଣ କଷ୍ଟରୁ ତରିଯିବ, ପୁଣି ପ୍ରାଣେଶ୍ୱରୀ ସୀତା ମୁଁ ମରିଯିବା ସମ୍ବାଦ ପାଇଲେ ମଧ୍ୟ ମୋର ଭଲ ହେବ । କାରଣ ତାହାର ପାଦତଳକୁ ମୋରୁ ସୁଗତି ଅନୁସରି ଅଛି ଏବଂ ସେ ମୋର ବନ୍ଧୁ । ସେ ଯଦି ତାର ଚକ୍ଷରୁ ଜଳଦାନ କରି ‘‘ହା ନାଥ’’ ଏହି ବାକ୍ୟ ସହିତ ଯୋଗ କରିବି, ତାହେଲେ ମୋର ଉତ୍ତମଗତି ହେଲା ଅର୍ଥାତ୍‌ ସେ ମୋତେ ଲୋତକରୂପ ତର୍ପଣଜଳ ଦାନ କରି ତୃପ୍ତ କରିବ, ଏଣୁ ମୁଁ ପିତୃଲୋକରେ ସ୍ଥାନ ପାଇବି, (ପିତୃ ତର୍ପଣ କର୍ତ୍ତାମାନେ ତର୍ପଣ ଜଳକୁ ପିତୃମାନଙ୍କ ନାମ ଉଚ୍ଚାରଣ କରି ଦାନ କରନ୍ତି ଏବଂ ତାଙ୍କର ପିତୃମାନେ ତୃପ୍ତ ହୋଇ ପିତୃ ଲୋକରେ ବାସ କରନ୍ତି । ଅତଏବ ବିଧାତାଙ୍କୁ ସ୍ତୁତି କରିବା ଦରକାର ।’’

 

୧୦ମ ପଦ :- ପର୍ଣ୍ଣବାସୁଁ - ପତ୍ରକୁଡ଼ିଆରୁ । ମରୁତରଥେ - ପବନରୁପ ରଥରେ ।

 

୧୦ମ ପଦ :- ପବନ ଯୋଗୁଁ ମେଘମାନେ ସଂଚାଳିତ ହେଉଛନ୍ତି, ଆକାଶରେ ଇନ୍ଦ୍ରଧନୁ ପଡ଼ିଅଛି, ମୟୁର ନୃତ୍ୟ କରୁଅଛି, ଡାହୁକ ଡାକୁଛି ଏବଂ ମେଘ ଗର୍ଜନ କରି ବର୍ଷୁଅଛି । ଏହି ସମୟରେ ରାମ ପତ୍ରକୁଟୀରରୁ ବାହାରି ଉପରକୁ ଚାହିଁବାମାତ୍ରେ ମେଘ ଗର୍ଜନ ଶୁଣି ଭ୍ରମବଶତଃ କହିଲେ, ‘‘ଏ ରାବ କରୁଛି, ଅତଏବ ରାବଣ କି ? (ରାବଣ ଜନ୍ମ ହେବା ସମୟରେ ଘୋର ରାବ କରୁଥିବାର ତାର ନାମ ରାବଣ ଦିଆଯାଇଥିଲା) । ସୀତାଙ୍କୁ ଚୋରାଇ ନେଇ ଯିବାବେଳେ ଜଟାୟୁକୁ ମାରିବାକୁ ଗରୁଡ଼ ଭୟରେ ପକ୍ଷୀମାନେ ଯୁଦ୍ଧ କରିବାକୁ ବେଢ଼ିଛନ୍ତି (ଜଟାୟୁ ଗରୁଡ଼ର ଭାଇ) । ସେମାନଙ୍କ ମଧ୍ୟରୁ କେହି(ମୟୁର) ପୁଚ୍ଛ ଟେକି ରହିଅଛି, କେହି (ଡାହୁକ) ଯୁଦ୍ଧ କରିବାକୁ ଡାକି ପକାଉଛି । ରାବଣ ମଧ୍ୟ ପବନ ରୂପ ରଥରେ ବସି ଧନୁ(ଇନ୍ଦ୍ରଧନୁରେ ଯୁକ୍ତ ହୋଇ (ଧରି)) ଜଳାଧାରାରୂପି ଶରବୃଷ୍ଟି କରୁଅଛି ।

 

ବାଳାକୁ ମୋର ଚରମେ ଲୁଚାଇଛି ନ ଦିଶେ ତେଣୁ ଶଶୀ ମୁଖ

ବିଦ୍ୟୁତକାନ୍ତି ଦିଶି ନ ଦିଶି ଯାଉଛି ଅଙ୍ଗ ପ୍ରଚଳେ ତାର ଦେଖ

ବାଣୀ କୋକିଳ ! ବହିଛି ଗଦ୍‌ଗଦ ଶୋକରୁ

ବଢ଼ାଇ ସମର ଛଡ଼ାଇ ଘେନିବା ସାର ନାହିଁ ଏହା ବିଚାରୁ

।୧୧ ।

 

ବରଷା ହେଲାଣି ଘନ ନଭେ ଖେଳେ ଭାଷିଲେ ଶତ୍ରୁଘନ ଜ୍ୟେଷ୍ଠ

ବିନତ ହେଲେ ଛାଡ଼ି ଦୂତ ହୁଅ ବୋଲିଣ ହୋଇ ହୃଷ୍ଟ

ବାରିବାହ ହେ ! ବିନାସିଛ ଦଳବିକଳ

ବନରାମର ମୁହିଁ ରାମ ବିନାଶ କାମାନଳତାପ ଚପଳ

।୧୨ ।

 

ବୀରହରେ କ୍ଷୀଣ ଭୀରୁମଣି ଧନ ନ ନିଅ ପ୍ରଖର ପବନ

ବଜ୍ରପତନ ସ୍ତନିତ ନ କରିବ ପ୍ରବେଶ ହେବ ସନ୍ନିଧାନ

ବାରିବାହ ହେ ! ବନ୍ଧୁ ନବାନୁଭବୀ ସତ

ବୋଲିବ ଯେମନ୍ତେ ଶିବ ଶିବ ନିତ୍ୟେ ସେ ରୂପେ ମନାଇବ ଚିତ୍ତ

।୧୩ ।

 

ବୁଝାଅ ତୁ ପରା ପରାଣ କାନ୍ତର ତୋ ହତେ ସେ ତ ନ ଜୀଇଁବ

ବରରସିକା ସ୍ନେହାଧୀନା ଏ ଶଙ୍କା ବହିଟି ଜୀବନେ ରହିବ

ବାରିବାହ ହେ ! ବଚନେ ରଚିବି ଏତେକ

ବିଚ୍ଛେଦେ ଅନେକ ଦିଶୁ ତୁ ତ ଏକ ଏ ପୁଣି କେଉଁ କଉତୁକ ?

୧୪ ।

 

ବୁଜୁଁ ନୟନ ଶୟନେ ଲୀଳାମାନ ଦିଶୀଯାଇ ତେଣୁ ତୋହର

ବେଳ ତେତେକ ସୁଖ ଭୋଗ ଯେତେକ କଉତୁକ ଜାତୁଁ ମାତର

ବାରିବାହ ହେ ! ବୋଲ ଦୁଃଖୀ ସଦା ନୋହିଲେ

ବାହାରେ ତୋହର ଆହା କରିବାକୁ ସାହା ନାହିଁ ଯହୁଁ ଅଖିଳେ

।୧୫ ।

 

୧୧ଶ ପଦ:- ଶତ୍ରୁଘ୍ନ-ଜ୍ୟେଷ୍ଠ-ଲକ୍ଷ୍ମଣ । ବାରିବାହ-ମେଘ ।

୧୧ଶ ଓ ୧୨ଶ ପଦ :- ‘‘ମୋର ବାଳା ସୀତାକୁ ପଛଆଡ଼େ ଲୁଚାଇ ଅଛି । ତେଣୁ ତାର ମୁଖଚନ୍ଦ୍ର ଦେଖା ଯାଉନାହିଁ (ଚନ୍ଦ୍ର ମେଘ ଉଡାଡ଼ରେ ଲୁଚି ଯାଇଅଛି) । ସେହି ରାବଣ ସଂଚାଳିତ ହେଲେ କେତେବେଳେ ଅବା ଦିଶିଯାଉଛି ପୁଣି କାନ୍ଦୁଥିବାରୁ ତାର କୋକିଳ ସ୍ୱର ତୁଲ୍ୟ ସ୍ୱର ଗଦ୍‌ଗଦ ଶୁଣାଯାଉଛି, ଅତଏବ ଏତିକିବେଳେ ଯୁଦ୍ଧ କରି ସୀତାଙ୍କୁ ଘେନିଯିବା । ଏହାଠାରୁ ଉତ୍କୃଷ୍ଟ ସମୟ ଆଉ ମିଳିବ ନାହିଁ ।’’ ଏହିପରି ବିଚାର କରିବା ସମୟରେ ଶତ୍ରୁଘ୍ନଙ୍କର ବଡ଼ ଭାଇ ଲକ୍ଷ୍ମଣ କହିଲେ, ‘‘ବର୍ଷାକାଳ ଉପସ୍ଥିତ ହେବାରୁ ମେଘମାନ ଆକାଶରେ କ୍ରୀଡ଼ା କରୁଅଛନ୍ତି ।’’ ଏହା ଶୁଣି ପ୍ରଥମେ ମେଘ ଉପରେ ଜାତ ହୋଇଥିବା କ୍ରୋଧ ସମ୍ବରଣ କରି ରାମଚନ୍ଦ୍ର ଆନନ୍ଦ ମନରେ ବିନୀତ ଭାବରେ ମେଘକୁ ଦୂତ କରିବା ଇଚ୍ଛାରେ କହିଲେ,- ‘‘ହେ ମେଘ ! ତୁମ୍ଭେ ଯେପରି ‘ବନରାମ’ ବନବାସୀ ମୃଗମାନଙ୍କର ବନାଗ୍ନୀ ଜନିତ ବିକଳ ନାଶ କରିଅଛ, ସେହିପରି ମୁଁ ଗୋଟିଏ ବନବାସୀ ରାମ, ମୋର କାମାଗ୍ନୀଜନିତ ସଂତାପକୁ ବିନାଶ କର । (ଅର୍ଥାତ୍‌ ତୁମ୍ଭେ ଦୂତ ହୋଇ ପ୍ରିୟାକୁ ମୋର କଥା ଓ ମୋତେ ତାର କଥା ଶୁଣାଇଁ ଦୁଃଖ ମୋଚନ କରାଅ) ।’’

୧୩ଶ ପଦ :- ‘‘ମୋର ପ୍ରିୟା ବିରହରେ କ୍ଷୀଣ ହୋଇଥିବ । ସେ ପୁଣି ଅତିଶୟ ଭୟଶୀଳା ଅଟେ । ତୁମ୍ଭେ ପ୍ରବଳ ପବନକୁ ସଙ୍ଗରେ ନିଅନାହିଁ (ସେ ପବନରେ ଉଡ଼ିଯିବ) ବଜ୍ରାଘାତ ଓ ଗର୍ଜନ ମଧ୍ୟ କରିବ ନାହିଁ ( ଏହି ସବୁ ଶବ୍ଦ ଶୁଣି ସେ ଭୟ କରିବେ । ଧୀରେ ଧୀରେ ତୁମ୍ଭେ ନିକଟରେ ପ୍ରବେଶ କରିବ । ହେ ମେଘ ! ସେ ନୂଆ କରି ବିରହ ବିରହଦୁଃଖ ଅନୁଭବ କରୁଅଛି, ଏହାସତ୍ୟ । ସେ ପ୍ରତିଦିନ ଯେପରି ଶିବ ଶିବ ବୋଲିବ, ସେହିପରି ତାର ଚିତ୍ତକୁ ମନାଇବ । (ଶିବ ନାମ ଧଇଲେ କାମ ବାଧା ଦୂର ହୁଏ) ।’’

୧୪ ଶ ପଦ :- ବରରସିକା - ଉତ୍ତମ ରସିକା ।

୧୪ ଶ ପଦ :- ‘‘ହେ ମେଘ ! ତୁମ୍ଭେ ତାହା ନିକଟରେ ଉପସ୍ଥିତ ହୋଇ ତାକୁ ଏହି କଥା ବୁଝାଅ - ତୁ ପରା ବରର ଜୀବନ ଅଟୁ । ଅତଏବ ତୁ ମଲେ ସେ ଆଉ ଜୀଇବ ନାହିଁ । ଏହି କଥା ଶୁଣି ସେହି ଉତ୍ତମ ରସିକା ମୋର ସ୍ନେହର ଅଧୀନା ସୀତା ଭାବିବ, ହଁ ମତେ ତ ସେ ନିଜର ଜୀବନଠାରୁ ଅଧିକ ସ୍ନେହ କରନ୍ତି, ମୁଁ ମଲେ କାଳେ ସେ ମୋ ଚିନ୍ତାରେ ପ୍ରାଣତ୍ୟାଗ କରିବେ । ଏହି ଶଙ୍କା କରି ନ ମରି ବଞ୍ଚି ରହିବ । ମାତ୍ର ତୁମ୍ଭେ ଏତକ କଥା ନିଜେ ଫାନ୍ଦି କରି କହିବ (ମୁଁ କହି ପଠାଇଛି ବୋଲି କହିବ ନାହିଁ ) । ତୁ ତ ଜଣେ; ମାତ୍ର ଏହି ବିରହ ସମୟରେ ଅନେକ ପରି ବେଖାଯାଉଛୁ; ଏ ପୁଣି କି କୌତୁକ ? (ଏହା ମୁଁ କହିଛି ବୋଲି କହିବ) ।’’

୧୫ଶ ପଦ :- ‘‘ହେ ମେଘ ! ଶୀଘ୍ର ତା ନିକଟରେ ଉପସ୍ଥିତ ହୋଇ ଏହି କଥା କହ- ଶୟନକାଳରେ ଆକ୍ଷି ବୁଜିଲାକ୍ଷଣି ତୋର ପୂର୍ବ କୌତୁକ କଥାମାନ ଯେତେବେଳେ ସ୍ୱପ୍ନର ଦେଖାଯାଏ ସେହି ସ୍ୱପ୍ନଜନିତ ସୁଖ ଯେତିକି ସମୟ ହୃଦୟରେ ଆନନ୍ଦ ଦାନକରେ, ସେତିକି ସମୟ ମଧ୍ୟରେ ଯେ ସୁଖ ମିଳିବା କଥା ତା ମିଳେ । ଏଣୁ ସେ ସଦାଦୁଃଖୀ ନୁହଁନ୍ତି । (ମୋ ସ୍ୱପ୍ନ କାହିଁକି ତାଙ୍କ ସୁଖ ପ୍ରଦାନ କରୁଥିବ, ଅନ୍ୟ ଆଡ଼ୁ ମଧ୍ୟ ଅନୁଭବ କରି ପାରୁଥିବେ- ଏହି ଆଶଙ୍କା ସୀତାଙ୍କ ମନରେ ହୋଇପାରେ, ଏଣୁ କହୁଛନ୍ତି) ଅଖିଳ ବ୍ରହ୍ମାଣ୍ଡରେ ତୁମ୍ଭ ବ୍ୟତୀତ ‘ଆହା’ କରିବାକୁ ତାଙ୍କର ଆଉ କେହି ସାହା ନାହିଁ । (ତୁ ଏକମାତ୍ର ତାଙ୍କର ପ୍ରିୟା ଆଉ ଅନ୍ୟ କେହି ନାହିଁ ଏହି ଭାବ) ।

 

ବେଶ କରେ ମାନସିକେ କେଶ ବାନ୍ଧୁଁ ଅଳତା ଲେଖନ ପର୍ଯ୍ୟନ୍ତେ

ବିଚାର ମାନସ ମୁଁ ପ୍ରିୟାର ଦାସ ସେବା ବିଘ୍ନ ନୋହେ ଯେମନ୍ତେ

ବାରିବାହ ହେ ! ବିସ୍ମରିବ ନାହିଁ ଏ ବାଣୀ

ବର୍ତ୍ତନ ରତିରତନ ଲେଖି ଦେବ ଭେଟେ ତରୁଣୀ ନୋହି ଋଣୀ

।୧୬ ।

 

ବିନିଦ୍ରେ ରଜନୀ ନିଏ ଯୋଗଧ୍ୟାନୀ ଜପେ ତୋ ନାମ ମନ୍ତ୍ର କରି

ବାସରେ କ୍ଷୁଧା ନାହିଁ ଅନ ରୁଚିବ ଯେ ତୋ ଓଷ୍ଠ ସୁଧା-ଆହାନୀ

ବାରିବାହ ହେ ! ବିନିମିଷ ନେତ୍ର କହିବ

ବିଚିତ୍ର ଦର୍ପଣ ହେଲା ସେ ଅନ୍ତରେ ଧରିଛି ଟିକି ପ୍ରତିବିମ୍ବ

।୧୭ ।

 

ବିଗ୍ରହ ରମଣୀ ମୁହିଁ ଛାଇ ପୁଣି ନ ଛାଡ଼ଇ ଅନବରତ

ବେଦବର ଭିନ୍ନ ଭିନ୍ନ କରାଇଲା ଅନ୍ଧାର କରାଇ ଜଗତ

ବାରିବାହ ହେ ! ବିକାଶ ହୋଇ ନିଶି ଦିନ

ବିଧୁମୁଖ ହାସ ଅରୁଣ ଅଧର ତାମ୍ବୁଳ କିରଣ ପ୍ରସନ୍ନ

।୧୮ ।

 

ବିଚ୍ଛେଦ ତମଗ୍ରସ୍ତେ ସିନା ପତନ ହେଉଅଛି ମୋର ଭରସା

ବିଶିଷ୍ଟରେ ମୁକ୍ତି ହେବ ମହାଦର ନାହିଁ ନିର୍ମଳ ହେବ ଆଶା

ବାରିବାହ ହେ ! ବପୁଯୁକ୍ତ ହେବି ପୁଣି ତ

ବିଧାନ ଚକୋର ପଦ୍ମ ଲକ୍ଷ ନେତ୍ରେ ସେ ଦେଖି ହେବେ ଉଲ୍ଲସିତ

। ୧୯ ।

 

ବୈଦ୍ୟ ଯୋଷା ହେବ ଆହୁରି ଉତ୍ସବ ଅନଙ୍ଗବ୍ୟାଧି ତୁଟିଯିବ

ବଚନ ଔଷଧିଈଶ ଓଷ୍ଠ ଉଦେ ଭାସ୍କରରସ ଯହୁଁ ହେବ

ବାରିବାହ ହେ ! ବନ୍ଧକୁ ଏତେ ଘେନାଇବ

ବସି ଏ ଭାବନା କରେ ଉଦଯୋଗ ଯେମନ୍ତେ ତ୍ୱରିତେ ହୋଇବ

।୨୦ ।

 

୧୬ଶ ପଦ :- ‘‘ମୁଁ ପ୍ରିୟାର ସେବାକାରୀ । ଯେପରି ମୋର ସେବାରେ ବାଧା ନ ଘଟେ, ଏହି କଥା ମନରେ ବିଚାର କରି ମୁଁ ମନେ ମନେ ତାର ଜୁଡ଼ା ବାନ୍ଧି ଦେବାଠାରୁ ଆରମ୍ଭ କରି ପାଦରେ ଅଳତା ଦେବା ପର୍ଯ୍ୟନ୍ତ ବେଶ କରୁଅଛି । ହେ ମେଘ ! ଏ କଥା ବିସ୍ମିତ ହେବ ନାହିଁ (ପାସୋରି ନ ଦେଇ ନିଶ୍ଚୟ କହିବ) । କାରଣ ସେହି ଯୁବତୀ ଋଣୀ ନ ହୋଇ ଭେଟ ହେବାମାତ୍ରେ ମୋର ବର୍ତ୍ତନ(ମୁଲ) ରତି ଧନକୁ ହିସାବ କରି ଦେବ ।’’

 

୧୭ଶ ପଦ :- ‘‘ ହେ ମେଘ ! କହିବ, ତୋର କାନ୍ତ ଯୋଗୀପରି ଅଥବା ‘ଯୋଗ’ ତୁମ୍ଭ ସହିତ ସଂଯାଗକୁ ଧ୍ୟାନ କରି ଅନିଦ୍ରା ରହି ରାତ୍ରିକୁ ଅତିବାହିତ କରେ ଏବଂ ମନ୍ତ୍ର ପ୍ରାୟ ତୋହର ନାମ ଜପ କରେ । ଦିନରେ ତାଙ୍କୁ କ୍ଷୁଧା ହୁଏ ନାହିଁ; କାରଣ ଯେ ତୁମ୍ଭର ଅଧରାମୃତ୍ତ ପାନ କରି କ୍ଷୁଧା ନିବାରଣ କରିଛି, ତାକୁ ଅନ୍ୟ ପଦାର୍ଥ ରୁଚିବ କି ? ସେ ତୋତେ ଚାହିଁ ଅପଲକନେତ୍ର ହୋଇଅଛନ୍ତି । କାରଣ କୁ ଦୂରରେ ଥିଲେ ମଧ୍ୟ ତୋ କାନ୍ତ ଗୋଟିଏ ଆଶ୍ଚର୍ଯ୍ୟ ଦର୍ପଣ ହୋଇ ତୋର ପ୍ରତିକୃତିକୁ ଧରିଛନ୍ତି । ଅର୍ଥାତ୍‌ ସେ ନିଶ୍ଚଳ ଭାବରେ ବସି ନାମ ସ୍ମରଣ ପୂର୍ବକ ତୋତେ ଭାବିବାରୁ ତାଙ୍କ ହୃଦୟରେ ତୋର ଛବି ଦେଖାଯାଉଛି, ତେଣୁ ସେ ଭୋକ ଶୋଷ ଭୁଲି ଯାଇ ଅପଲକ ନେତ୍ରରେ ତୋର ଚାହିଁବାରେ ଲାଗିଛନ୍ତି ।

 

୧୮ଶ ପଦ :- ବିଗ୍ରହ-ଦେହ । ବେଦବର -ବ୍ରହ୍ମା ।

୧୮ଶ ପଦ :- ‘‘ହେ ମେଘ ! ସେହି ରମଣୀ ମୋର ଦେହ ଓ ମୁଁ ସେହି ଦେହର ଛାୟା ଅଟେ । ଯେପରି ଛାଇ ଦେହକୁ ଛାଡ଼େ ନାହିଁ, ମୁଁ ସେହିପରି ତାକୁ କେବେ ହେଲେ ଛାଡ଼େ ନାହିଁ । ବିଧାତା ଜଗତକୁ ଅନ୍ଧକାର କରାଇ ଛାଇ ଓ ଦେହକୁ ଭିନ୍ନ ଭିନ୍ନ କରାଇଲା । ହେ ମେଘ ! ରାତ୍ରିରେ ତାହାର ଚନ୍ଦ୍ରତୁଲ୍ୟ ମୁଖରେ ହାସରୁପ ନିର୍ମଳ କିରଣ ଓ ଦିନରେ ବାଳ ସୂର୍ଯ୍ୟଙ୍କ ତୁଲ୍ୟ ଓଷ୍ଠରେ ନିର୍ମଳ ତାମ୍ବୁଳ ବୋଳରୂପ କିରଣ ପ୍ରକାଶିତ ହୁଏ ।’’

୧୯ଶ ପଦ :- ତମ-ରାହୁ । ମହାଦର-ବିଶେଷ ଭୟ । ଆଶା-ଦିଗ ।

୧୯ଶ ପଦ :- ‘‘ବିଚ୍ଛେଦ ରୁପ ରାହୁ ଗ୍ରାସ କରିବାରୁ ସିନାସେହି ମୁଖଚନ୍ଦ୍ର ଓ ଓଷ୍ଠସୁର୍ଯ୍ୟଙ୍କୁ କିରଣରେ ପତନ ଘଟିଛି । ମୋର ଆଶା ହେଉଛି ‘ଆଶା ନିର୍ମଳ ହେବ’ ମୋର ଆଶା ସଫଳ ହେବ, ନିଶ୍ଚୟ ମୁକ୍ତି ମିଳିବ ଆଉ ସେ ମହାଭୟ ନାହିଁ । ଅଥବା ରାହୁର ‘ମହୋଦର’ ବଡ଼ ପେଟ ନାହିଁ, ପେଟ ଥିଲେ ସମସ୍ତେ ଜୀର୍ଣ୍ଣ ହୋଇଯାନ୍ତେ । ଦେଖିବାକୁ ମିଳେ ରାହୁଗ୍ରସ୍ତ ପରେ ‘ଆଶା’ ଦିଗ ନିର୍ମଳ ହୁଏ ଓ ଚନ୍ଦ୍ର ବା ସୂର୍ଯ୍ୟଙ୍କୁ ମୁକ୍ତି ମିଳେ) । ହେ ମେଘ ! ପୁନର୍ବାର ପ୍ରିୟାରୂପ ଦେହରେ ଛାଇ ରୂପୀ ମୁଁ ମିଳିତ ହେବି, ମୋର ସେହି ଚକୋର ଓ ପଦ୍ମ ତୁଲ୍ୟ ନେତ୍ରଦୁହେଁ ମୁଖଚନ୍ଦ୍ର ଓ ଓଷ୍ଠ ସୂର୍ଯ୍ୟଙ୍କୁ ଦେଖି ଆନନ୍ଦରେ ମତ୍ତ ହେବେ ।

୨୦ଶ ପଦ :- ବଦନ ଔଷଧୀଶ-ମୁଖଚନ୍ଦ୍ର । ଔଷଧୀଶ-ଶ୍ରେଷ୍ଠ ଔଷଧ । ଭାସ୍କର- ସୂର୍ଯ୍ୟ ।

୨୦ ଶ ପଦ :- ‘‘ମୋର ପ୍ରିୟା ବୈଦ୍ୟ ହୋଇ ତାହାର ମୁଖଚନ୍ଦ୍ରକୁ ଔଷଧୀଶ ନାମକ କ୍ୱାଥ ଓ ‘ଉଦେ’ ସ୍ଫୁରିତ ଓଷ୍ଠ ସୂର୍ଯ୍ୟକୁ ଉଦୟ ଭାସ୍କର ନାମକ ବଟିକା କରି ଯେତେବେଳେ ଦେବ, ସେହି ସମୟରେ କାମଜ୍ୱର ଛାଡ଼ିଯିବ ଏବଂ ସେତେବେଳେ ମୋର ଅନଙ୍ଗୋତ୍ସବ ଅନୁଷ୍ଠିତ ହେବ । ହେ ମେଘ । ମୋର ପ୍ରିୟାକୁ ବୁଝାଇ କହିବଯେ, ତୁମ୍ଭ ସ୍ୱାମୀ ବସି ଏହି ଭାବନା କରୁଅଛନ୍ତି ଏବଂ ଏହି ଭାବନା ଯେପରି ଶୀଘ୍ର ସଫଳ ହୁଏ, ସେଥିପାଇଁ ଉଦ୍‌ଯୋଗ କରୁଅଛନ୍ତି ।’’

୨୧ଶ ପଦ :- ‘‘ହେ ମେଘ ! ଶାଣଦ୍ୱାରା ପରିଷ୍କୃତ ହୀରା କୌଣସି ଲୋକର ଗଣ୍ଠିରୁ ଖସି ଭୂମି ଉପରେ ପଡ଼ିଥିଲେ ଯେପରି ଦେଖାଯାଏ, ସେହିପରି ଅତି କ୍ଷୀଣ ଓ ଉଜ୍ଜ୍ୱଳ ବର୍ଣ୍ଣ ଧାରଣ କରି ଭୂମିରେ ଶୋଇଥିବା ଅଥବା ମନ୍ତ୍ର ଧୂଳି ପଡ଼ିଥିଲେ ଯେପରି କଳା ନାଗ ସ୍ଥିର ହୋଇ ରହିଥାଏ, ସେହିପରି ପିଠି ଉପରେ ବେଣୀ ସ୍ଥିର ଭାବରେ ପଡ଼ି ବସିଥିବ - ଏପରି ଯେ ରମଣୀ, ତାକୁ ମୋର ସ୍ତ୍ରୀ ବୋଲି ଚିହ୍ନିବ । (ଚିନ୍ତା ହେତୁ ବେଣୀ ହଲୁ ନ ଥିବ, ଏହି ଭାବ) ।

୨୨ଶ ପଦ :- ‘‘ହେ ମେଘ । ତୁମ୍ଭେ ମୋର ବାର୍ତ୍ତା କହି ତାଠାରୁ ବାର୍ତ୍ତା ଆଣିଲେ, ପ୍ରିୟାର ଭେଟ ହେଲାଦିନଠାରୁ ମୁଁ ତୁମ୍ଭର ସମ୍ମାନ ବଢ଼ାଇ ପ୍ରତିଦିନ ତାକୁ ଘନକେଶୀ ବୋଲି ଡାକିବି ।’’ ଏହିପରି କହୁ କହୁ ମେଘ ପବନ ଯୋଗୁଁ ଦକ୍ଷିଣଦିଗକୁ ଚାଲିଗଲା । ଏହା ଦେଖି ରାମଚନ୍ଦ୍ର ଅତିଶୟ ସନ୍ତୁଷ୍ଟ ହେଲେ । ଉପେନ୍ଦ୍ର ଏ ଛାନ୍ଦକୁ ବାଇଶ ପଦରେ ଶେଷ କଲେ ।

 

Unknown

ତ୍ରିଂଶ ଛାନ୍ଦ

(ରାଗ-ବଙ୍ଗଳା ଶ୍ରୀ)

ଚକ୍ରସିଂହାବଲୋକନ

 

ବରଷାକାଳ ଅନ୍ତ କରେ ଶରଦ ବହ ଶିବ ଆଡ଼ମ୍ବର

ବରଧୁତ ଘନାଘନ ଖଣ୍ଡକୃତେ କେଶରୀ ସରି ଆବର

।୧ l

 

ବର ପରାୟେ ନବକନ୍ୟାଲିଙ୍ଗନେ ବଢ଼ାଇ ଶୋଭା ପ୍ରବର

ବରଣକୃତ ଭଜକପ୍ରଭାବବକୁ ନିର୍ମଳକାରୀ ଅମ୍ବର

।୨ ।

 

ବରଷଣ ଶ(ସ)ରେ କୃଷ୍ଣସାର ହତେ ଯଥା ଲୁପ୍‌ଧକ-ଶବର

ବରଧନ ଲୀଳା ପୁଷ୍କରେ ତରଣୀ କରାଇ ସେ କି ଧୀବର

।୩ ।

 

ବରଉଜ୍ଜ୍ୱଳ ଚନ୍ଦ୍ର ଶିରୀ ଜନ୍ମାଇ ଯେମନ୍ତ ସରିତବର

ବରଗ ବରଗ ସୁମନା ଉତ୍‌ଫୁଲ୍ଲକାରକେ କି ପିତାମ୍ବର

।୪ ।

 

ବରହେ ମଳିନ ଶିଖୀକି କରାଇ ହିମନ୍ତ ଅନୁଭାବର

ବରଣ ଭୂବନ ନିର୍ମଳ ରଚନେ ତୁଳ ସେ ପଦ୍ମଭବର

।୫ ।

 

୧ମ ପଦ :- କାଳ-ମୃତ୍ୟୁ, ସମୟ । ଅନ୍ତ-ନାଶ, ଶେଷ । ଆଡ଼ମ୍ବର-ଆଟୋପ । ବରଧୂତ-ଅତିଶୟ କମ୍ପିତ ।

୧ମ ପଦ :- ଶିବ ଯେପରି ଆଟୋପ ବହନ କରି ମୃତ୍ୟୁକୁ ନାଶ କରିଥିଲେ, ଶରତ୍‌କାଳ ସେହିପରି ଆଡ଼ମ୍ବର ଦେଖାଇ ବର୍ଷାକାଳକୁ ନାଶ କଲା । ଆଉ ମଧ୍ୟ ‘କେଶରୀ’ ସିଂହ ଯେପରି ‘ଘନାଘନ’ ମତ୍ତହସ୍ତିକୁ ବିଦାରି ମାରି ପକାଇବା ପାଇଁ କମ୍ପି ଉଠେ, ସେହିପରି ଶରତ୍‌ ନିବିଡ଼ ମେଘ ସମୁହକୁ ଛିନ୍ନ ଭିନ୍ନ କରିବା ପାଇଁ ଚମକି ଉଠିଲା, ଅର୍ଥାତ୍‌ ସଙ୍ଗେ ସଙ୍ଗେ ଜଗତରେ ବ୍ୟାପ୍ତ ହୋଇଗଲା । (ଶରତ ପ୍ରବେଶ କରିବାରୁ ଆକାଶ ମେଘଶୂନ୍ୟ ହେଲା ) ।

୨ୟ ପଦ :- ପ୍ରବର- ଅତିଶୟ । ରଜକ- ଧୋବା । ଅମ୍ବର-ଲୁଗା, ଆକାଶ ।

୨ୟ ପଦ :- ବର ଯେପରି ନୂତନ ବିବାହିତା କନ୍ୟାକୁ ଆଲିଙ୍ଗନ କରି ନିଜର ଶୋଭାକୁ ଅତିଶୟ ଭାବରେ ବଢ଼ାଇଥାଏ, ଶରତକାଳ ସେହିପରି ସିଂହମାସ ପରେ ନୂଆ କରି ପୃଥିବୀକୁ ଆସୁଥିବା କନ୍ୟା ମାସକୁ ଆଲିଙ୍ଗନ କରି ଅତିଶୟ ଶୋଭା ବଢ଼ାଇବାକୁ ଲାଗିଲା । ପୁଣି ଧୋବା ଯେଉଁ ଶକ୍ତି ଦ୍ୱାରା ‘ଅମ୍ବର’ ଲୁଗା ସଫା କରିବାକୁ ଉପଯୁକ୍ତ ହୁଏ, ଶରତ ଧୋବାର ସେହି ଶକ୍ତିକୁ ଧାରଣ କରି ଆକାଶର ନିର୍ମଳକର୍ତ୍ତା ହେଲା । (ଧୋବା ବସନ ନିର୍ମଳ କଲାପରି ଶରତ ଆକାଶକୁ ନିର୍ମଳ କଲା) ।

୩ୟ ପଦ :- କୃଷ୍ଣସାର -ମୃଗବିଶେଷ । କୃଷ୍ଣ-କଳା । ସାର-ମଜ୍ଜା । ଶରେ-ଶରଦ୍ୱାର, ଜଳଦ୍ୱାରା । ଲୁବ୍‌ଧକ - ଲୋଭୀ । ପୃଷ୍ଠରେ-ଜଳରେ, ଆକାଶରେ । ତରଣୀ-ସୂର୍ଯ୍ୟ, ନୌକା । ଧୀବର-କେଉଟ ।

୩ୟ ପଦ :- ଲୋଭୀ ଶବର ଶରବୃଷ୍ଟି କରି ଯେପରି କୃଷ୍ଣସାର ମୃଗକୁ ନାଶ କରେ, ଶରତ ସେହିପରି ଜଳ ଦ୍ୱାରା କୃଷ୍ଣବର୍ଣ୍ଣ ହୋଇଥିବା ମେଘକୁ ନାଶକରି ଆକାଶରେ ସୂର୍ଯ୍ୟଙ୍କର କ୍ରୀଡ଼ା ବିସ୍ତାରିତ କରାଇଲା । ଅତଏବ ସେ କଣ କେଉଟ କି ? କାରଣ କେଉଟତ ଏହିପରି ଜଳରେ ନୌକାରେ କ୍ରୀଡ଼ା ବିସ୍ତାରିତ କରିଥାଏ । (ଶରତ ପ୍ରବେଶରେ ଆକାଶ ମେଘଶୂନ୍ୟ ହେବାରୁ ସୂର୍ଯ୍ୟ ପରିଷ୍କାର ଦେଖାଗଲା ) ।

୪ର୍ଥ ପଦ :- ବରସ୍ୱଜ୍ଜଳ-ଅତି ଉଜ୍ଜ୍ୱଳ । ସରିତବର -ସମୁଦ୍ର । ଶିରୀ ବା ଶ୍ରୀ-ଲକ୍ଷ୍ମୀ, ଶୋଭା । ସୁମନା- ଗୋପସ୍ତ୍ରୀ, ଫୁଲସବୁ । ଉତ୍‌ଫୁଲ୍ଲାକାରକେ-ପ୍ରଫୁଲ୍ଲକାରୀ । ବରଗ ବା ବର୍ଗ - ସମୂହ ।

୪ର୍ଥ ପଦ :- ସମୁଦ୍ର ଅତି ଉଜ୍ଜ୍ୱଳ ଚନ୍ଦ୍ର ଓ ଲକ୍ଷ୍ମୀଙ୍କୁ ଜନ୍ମ କରିଥିଲା । ଶରତ ଅତି ଉଜ୍ଜ୍ୱଳ ଚନ୍ଦ୍ରଙ୍କର ଶୋଭାକୁ ଜାତ କରିବାରୁ, ସେ ଯେ ସେହିପରି ହେଲା । ‘‘ପୀତାମ୍ବର’’ ଶ୍ରୀକୃଷ୍ଣ ‘ବର୍ଗ’ ଗୋପ ସ୍ତ୍ରୀ ବା ଦେବସ୍ତ୍ରୀମାନଙ୍କର ହୃଦୟକୁ ଆନନ୍ଦିତ କଲାପରି ଶରତ ନାନା ଜାତୀୟ ପୁଷ୍ପମାନଙ୍କୁ ବିକଶିତ କଲା । ଏଣୁ ମନେ ହେଲା ଏ କ’ଣ ଶ୍ରୀକୃଷ୍ଣ କି ?

୫ମ ପଦ :- ବରହେ-ବର୍ହେ-ପୁଚ୍ଛରେ, ଶିଖାରେ । ଶିଖି-ଅଗି, ମୟୁର । ହିମନ୍ତ-ହିମବନ୍ତ, ହେମନ୍ତ-ଋତୁ । ପଦ୍ମଭବ-ବ୍ରହ୍ମା । ଭବନ- ଜଗତ୍‌ । ଅନୁଭବ-ପ୍ରଭାବ ।

୫ମ ପଦ :- ହେମନ୍ତକାଳ ନିଜର ପ୍ରଭାବରେ ଅଗ୍ନି ଶିଖାକୁ ମଳିନ କରାଇଲା ପରି, ଶରତ ନିଜର ପ୍ରଭାବରେ ମୟୁରକୁ ପୁଚ୍ଛହୀନ କରାଇଲା । ବ୍ରହ୍ମା ଜଗତକୁ ନିର୍ମଳଭାବରେ ସର୍ଜନା କରିବାପାଇଁ ‘ବରଣି’ ନିଜକୁ ନିଯୁକ୍ତି କଲାପରି, ଶରତ ଜଳକୁ ନିର୍ମଳ କରିବାପାଇଁ ନିଜେ ନିଯୁକ୍ତି ହୋଇ ବ୍ରହ୍ମାଙ୍କର ‘ତୁଲ’ ସମତା ଲାଭ କଲା ।

 

ବରଜବରଦ ରାମ ଏ ସମୟେ ବିଳମ୍ବରୁ ସୁଗ୍ରୀବର

ବରଗି ଦେଇ ସତ୍ଵରେ ଆଣ ଯାଇ ଗମନ୍ତେ ସୀତା-ଦେବର

l ୬ ।

ବରଛାଘାତିକ ପରି ବ୍ୟାକୁଳରେ ବୁଲନ୍ତି ଗିରିବିବର

ବରବରନାକୁ ଖୋଜନ୍ତି ପୁଚ୍ଛନ୍ତି ଅଛନ୍ତି ଯେତେ ସ୍ଥାବର

।୭ ।

ବରଦ ହୋଇବା ଦେଖିଥିଲେ କହ ଏମନ୍ତ ସୁନ୍ଦରୀବର

ବରଜବରଜ ଯହିଁ ଶୋଭାବତୀ ନାହିଁ ସେ ସୁରନବର

।୮ ।

ବରନୀୟ କି ବହୁମୂଲ୍ୟ ଦୁକୂଳ ବନ୍ଧୁ ଅନ୍ୟ ସ୍ତିରୀବର

ବରବର୍ଣ୍ଣିନୀ ହରିଦ୍ରା ବୋଲାଇଲା ଛୁଇଁ ଯାହା କଳେବର

।୯ ।

ବରନେ ନିଉନ ହେମଭୂଷାମାନ ନୂହଁଇ କ୍ଷୀଣ ପୀବର

ବର ଚୀନ ଜଡ଼ି ଅଙ୍ଗେ ବ୍ୟକ୍ତ ଧଡ଼ି ଥିବାରୁ ପୀତ ଅମ୍ବର

।୧୦ ।

 

୬ଷ୍ଠ ପଦ :- ବରଜବରଦ-ଗୋପାଳକୁ ବର ଦେଇଥିବା ରାମଚନ୍ଦ୍ର । ସୀତାଦେବର - ଲକ୍ଷ୍ମଣ ।

୭ମ ପଦ :- ବରଚ୍ଛାଘାତିକ -ବର୍ଚ୍ଛା । ଘାତ ପାଇଥିବା ଲୋକ । ବରବର୍ଣ୍ଣ-ଗୌରାଙ୍ଗୀ ।

୬ଷ୍ଠ ଓ ୭ମ ପଦ :- ଏହି ସମୟରେ ବାଟରେ କ୍ଷୀରଦାତା ଗୋପାଳକୁ ବରଦାନ କରିଥିବା ରାମଚନ୍ଦ୍ର ସୁଗ୍ରୀବର ଆସିବାର ବିଳମ୍ବ ହେବାରୁ ଲକ୍ଷ୍ମଣଙ୍କୁ ‘ଶୀଘ୍ର ଯାଇ ତାକୁ ଆଣ’ ଏହା କହି ପଠାଇଦେଲେ । ରାମଚନ୍ଦ୍ର ଏକା ରହି ବର୍ଚ୍ଛାଘାତ ପାଇଥିବା ଲୋକପରି ଅତି ଦୁଃଖରେ ପର୍ବତ ଗୁହାମାନଙ୍କରେ ବୁଲି ସୁନ୍ଦରୀ ସୀତାଙ୍କୁ ଖୋଜିଲି ଓ ସେହି ସ୍ଥାନରେ ଯେତେ ବୃକ୍ଷ ଅଛନ୍ତି ସେମାନଙ୍କୁ ପଚାରିବାକୁ ଲାଗିଲେ ।

୮ମ ପଦ :- ସୁରନବର-ଦେବଭବନ । ବରଜବରଜ-ବହୁସଂଖ୍ୟକ ।

୮ମ ପଦ :- ରାମଚନ୍ଦ୍ର ପଚାରିଲେ, ‘‘ହେ ବୃକ୍ଷମାନେ ! ଯେଉଁ ସ୍ୱର୍ଗପୁରରେ ଗୋଷ୍ଠ ଗୋଷ୍ଠ ଅର୍ଥାତ୍‌ ବହୁତ ସୁନ୍ଦରୀ ଅଛନ୍ତି ସେଠାରେ ମଧ୍ୟ ନ ଥିବ, ଏପରି ସୁନ୍ଦରୀଶ୍ରେଷ୍ଠା ମୋର ସୀତାକୁ ଦେଖିଥିଲେ କହ, ତୁମ୍ଭଙ୍କୁ ବରଦେବା ।’’

୯ମ ପଦ :- ଦୁକୁଳ-ପଟ୍ଟବସ୍ତ୍ର । ସ୍ତ୍ରୀବର-ସୁନ୍ଦରୀ ଶିରୋମଣି । ହରିଦ୍ରା-ହଳଦୀ । କଳେବର-ଦେହ ।

୯ମ ପଦ :- ‘‘ମୋ ପ୍ରିୟା ଅନ୍ୟ ସ୍ତ୍ରୀ ମାନଙ୍କପରି ଦାମିକା ଲୁଗା ପିନ୍ଧି ସୁନ୍ଦରୀ ପଦକୁ ବରଣ କରିନାହିଁ ବା ସୁନ୍ଦରୀ ବୋଲି ବର୍ଣ୍ଣିତ ହୋଇନାହିଁ । ହଳଦୀ ତାହାର ଦେହକୁ ଛୁଇଁ ଅର୍ଥାତ୍‌ ଯାହା ଦେହ କାନ୍ତିର ଆଭାସମାତ୍ର ଧାରଣ କରି ‘ବରବର୍ଣ୍ଣିନୀ’ ଶ୍ରେଷ୍ଠ ବର୍ଣ୍ଣ ଧାରଣୀ ବୋଲାଉଛି ।’’

୧୦ମ ପଦ :- ହେମଭୂଷାମାନ - ସ୍ୱର୍ଣ୍ଣାଳଙ୍କାର ମାନ । ପୀବର-ପୃଥୁଳ । ବରଚୀନ-ଉତ୍କୃଷ୍ଟ ଚୀନଦେଶ ଲୁଗା । ପ୍ରୀବର-ପୁଥୁଳ । ବରଚୀନ-ଉତ୍କୃଷ୍ଟ ଚୀନଦେଶ ଲୁଗା । ପୀତ ଅମ୍ବର - ହଳଦିଆ ଲୁଗା ।

୧୦ମ ପଦ :- ‘‘ତାହାର ଦେହରେ ଥିବା ସୁବର୍ଣ୍ଣ ଅଳଙ୍କାରସବୁ ଦେହର କାନ୍ତିଠାରୁ ‘ନିଉନ’ ନିଷ୍ପ୍ରଭ ଦେଖାଯାନ୍ତି । ସେ ଅତିଶୟ କୁଶ ବା ସ୍ଥୁଳ ନୁହେଁ । ଅତି ଉତ୍କୃଷ୍ଟ ଚୀନ ଦେଶ ତିଆରି ହଳଦିଆ ଶାଢ଼ୀ ତାର ଦେହରେ ମିଶିଯାଏ, କିନ୍ତୁ ଧଡ଼ି ଥିବାରୁ ଜଣାପଡ଼େ ।’’ (ଚୀନଦେଶରେ ଭଲ ଲୁଗା ଆମଦାନି ହେଉଥିବା କଥା ପ୍ରାଚୀନ ସାହିତ୍ୟରୁ ମିଳେ) ।

 

ବରଟା ଗତିରେ ଶରଣ ପଶିଛି ସେ ଲାବଣ୍ୟ ସରୋବର

ବରନିତମ୍ବା ବତନ ତାମରସ ବିକାଶ ରାତ୍ରୀ ଦିବର

।୧୧ ।

ବରଧମାନ ହେଉଥାଇ ନ ତୁଟି ସର୍ବଦା ପ୍ରେମଶମ୍ବର

ବରତମାନରେ ତାହା ଅସ୍ଵାଦନବିହିନେ ଆନ ତୁବର

।୧୨ ।

ବରତିବି କେହି ତା ବିଚ୍ଛେଦେ ମୁହିଁ ହେଉଅଛି ହରବର

ବରଳ ସମାନ ଘାତ କରୁଅଛି ଫୁଲଶରେ ରତିବର

।୧୩ ।

ବରତ ପାଳନା ମୋ ଏକ ଲଳନା ହେଲାଦିନୁ ସ୍ଵୟମ୍ବର

ବରତନ ଭାବରତନ ମୁଁ ଦାସ ରତନ ଅର୍ଥେ କବର

।୧୪ ।

ବରତୀ ବାଳାମୂରତି ନେତ୍ର ରୋଗେ ଜୀବନ ସେ ମୋ ଜୀବର

ବରହିଣ-ପୁଚ୍ଛ ଢୁଚ୍ଛକ-କୁନ୍ତଳା ଲଭୋ ଦିଅନ୍ତେ କେ ବର

।୧୫ ।

 

୧୧ଶ ପଦ :- ବରଟା - ହଂସୀ । ବଦନତାମରସ-ମୁଖପଦ୍ମ ।

୧୧ଶ ପଦ :- ‘‘ମୋର ପ୍ରିୟା ଲାବଣ୍ୟର ପୁଷ୍କରିଣୀ ଅଟେ । ଏଣୁ ହଂସୀ ତାର ଗମନରେ ଶରଣ ପଶିଛି (ସେ ହଂସୀ ଗମନୀ ଅଟେ) । ପୁଷ୍କରିଣୀ ହଂସୀ ଗମନ କରିବାର ଏକମାତ୍ର ସ୍ଥାନ ଅଟେ । ପୁଷ୍କରିଣୀରେ କେବଳ ଦିନରେ ପଦ୍ମ ଫୁଟିଥାଏ, ମାତ୍ର ଏହି ଲାବଣ୍ୟ ସରୋଜରେ ପୃଥୁଳ ନିତମ୍ବାର ମୁଖରୂପୀ ପଦ୍ମ ଦିନ ଓ ରାତ୍ରି (ଅହୋରାତ୍ର) ବିକଶିତ ହୋଇଅଛି । (ତାର ମୁଖ ପ୍ରସ୍ଫୁଟିତ ପଦ୍ମତୁଲ୍ୟ ମନୋରମ ଅଟେ) ।’’

୧୨ଶ ପଦ :- ପ୍ରେମଶମ୍ବର-ପ୍ରେମଜଳ । ତୂବର-କଷାୟ ।

୧୨ଶ ପଦ :- ‘‘ସେହି ଲାବଣ୍ୟ ପୁଷ୍କରିଣୀରେ ପ୍ରେମରୂପ ଜଳ ସର୍ବଦା ବୃଦ୍ଧି ଲାଭ କରୁଥାଏ (ବଢ଼ୁଥାଏ) । ମୁଁ ବର୍ତ୍ତମାନ ତାହା ପାନ କରିବାକୁ ନ ପାଇବାରୁ, ମୋତେ ଅନ୍ୟ ପିଇବା ଜଳ କଷା ଲାଗୁଛି । (ସେ ଯିବା ଦିନରୁ ଖାଇବା ଦୂରେ ଥାଉ ପିଇବାକୁ ମଧ୍ୟ ଭଲ ଲାଗୁ ନାହିଁ) ।’’

୧୩ଶ ପଦ :- ରତିବର-କନ୍ଦର୍ପ । ଫୁଲଶର - ଫୁଲବାଣ, କନ୍ଦର୍ପର ବାଣ ।

୧୩ଶ ପଦ :- ‘‘ତାର ବିଚ୍ଛେଦରେ ମୁଁ ବ୍ୟାକୁଳିତ ହେଉଅଛି । ହେ ବୃକ୍ଷମାନେ ! ମୁଁ କିପରି ରକ୍ଷା ପାଇବି କହ, କନ୍ଦର୍ପ ଫୁଲଶରରେ ବିରୁଡ଼ି ପରି ମୋତେ ଆଘାତ କରୁଛି ।’’

୧୪ଶ ପଦ :- କବର ରଚନ - କେଶ ବିନ୍ୟାସ ।

୧୪ଶ ପଦ :- ‘‘ପ୍ରିୟା ମୋତେ ବରିଲାଦିନୁ ମୁଁ ଏକ ପତ୍ନୀବ୍ରତ ପାଳନ କରିଅଛି । ତାହାର ଜଡ଼ା ବାନ୍ଧି ଦେବା ନିମିତ୍ତ ମୁଁ ଦାସ ହୋଇ ବେତନ ସ୍ୱରୁପ ତାଠାରୁ ଭାବରୂପ ରତ୍ନ ପାଏଁ ।’’

୧୫ଶ ପଦ :- ବରହିଣ-ପୁଚ୍ଛ-କୃଚ୍ଛିକା-କୁନ୍ତଳା-ମୟୁର ପୁଚ୍ଛ ବିନିନ୍ଦିତ-କେଶୀ । ବରତୀ-ଅଞ୍ଜନ ।

୧୫ଶ ପଦ :- ‘‘ସେହି ବାଳାର ମୂର୍ତ୍ତି ମୋ ଚକ୍ଷୁ ରୋଗର ଅଞ୍ଜନ ଅଟେ । ପୁଣି ସେ ମୋ ଜୀବନର ଜୀବନ ଅଟେ । ଆହା ! ସେହି ମୟୂରଗୁଚ୍ଛ ବିନିନ୍ଦିତ କେଶୀକୁ ପାଇବା ପାଇଁ କେଉଁ ଦେବତା ହେଲେ ବର ଦିଅନ୍ତେ ?

 

ବର ଏତେ ଦେହ ମନେ ରହୁ ମନ ଯେମନ୍ତ ଅବୟବର

ବରବର୍ଣ୍ଣିନୀପାଶରେ ପରବେଶ ହୁଅନ୍ତି ଏକ ଲବର

।୧୬ ।

ବରହୀରୁପ ବିରହ ହୃଦୟବନେ ଜାଳିବା କାମଦେବର

ବରଷି ଆହା ବାଣୀ ଭାବଜଳକୁ ଲିଭାନ୍ତା କାନ୍ତା ଜବର

।୧୭ ।

ବରତିକ ଆଦି ପକ୍ଷୀ ଅଛ ପକ୍ଷ ଦେଲେ ଉଡ଼ନ୍ତି ଦିବର

ବରଷ ମଧ୍ୟେ ଲୁଚାଇଥିବ କେହି ମିଳନ୍ତି ବନ୍ଧୁ ଠାବର

।୧୮ ।

ବରଆରୋହା ତନୁ ଭିନ୍ନ, ବରେଟି ହର ହେଲେ ଦିଗମ୍ବର

ବରଷକ କ୍ଷଣ ହେବା ତାହା ଭିନ୍ନେ ବଡ଼ ନିକି ମାନବର

।୧୯ ।

ବରତି ପ୍ରଆଦ୍ୟେ ମୋ ଦୁର୍ଦ୍ଦଶା ରତି ବିଛେଦେ ହୋଇ ସମ୍ବର

ବରଜନ କିପା ଅତନୁ ହେବାର କଲା ଜଡ଼ ବେଦବର

।୨୦ ।

ବରଅଙ୍ଗୀ-ଅଙ୍ଗେ ମିଶନ୍ତି ପୁଣି ତା କରି ଭାବେ ସ୍ଵଭାବର

ବରତ କି କରି କାହିଁ ଝାସିଥିଲ ଅଜଣା ସେ ପୁରବର

।୨୧ ।

ବର ଶବ୍ଦ ପାଦ ଆଦ୍ୟ ପ୍ରାନ୍ତ ଛାନ୍ଦ ବୁଧରଞ୍ଜନଭାବର

ବରତେ ଚକ୍ରସିଂହାବଲୋକେ କହେ ଉପଇନ୍ଦ୍ର ବୀରବର

।୨୨ ।

୧୬ଶ ପଦ :- ‘‘ଯେପରି ହସ୍ତ, ପଦ ପ୍ରଭୃତି ଅବୟବରେ ମନ ରହେ, ସେହିପରି ମନରେ ଦେହ ରହୁ, ଏହି ବର କିଏ ହେଲେ ଦିଅନ୍ତା । ତାହାହେଲେ ମୁଁ କ୍ଷଣକ ମଧ୍ୟରେ ସେହି ପରମାସୁନ୍ଦରୀର ନିକଟରେ ପ୍ରବେଶ ହୁଅନ୍ତି । (ଦେହ ଯଦି ମନ ପରି ସର୍ବତ୍ରଗାମୀ ହୋଇପାରନ୍ତା, ତେବେ ମୁଁ ସୀତା ନିକଟରେ ପହଞ୍ଚିପାରନ୍ତି) । ମନ ସମସ୍ତ ଅବୟବରେ ବ୍ୟାପ୍ତ ହୋଇ ରହେ, ଏହା ତାର୍କିକଙ୍କର ମତ ।

୧୭ଶ ପଦ :- ବିରହୀ (ବହ୍ନୀ)- ଅଗ୍ନି ।

୧୭ଶ ପଦ :- ‘‘ପ୍ରିୟା ନିକଟରେ ମୁଁ ଉପସ୍ଥିତ ହୁଅନ୍ତେ, ସେ ମୋର ହୃଦୟ ବନରେ କନ୍ଦର୍ପ ଲଗାଇ ଦେଇଥିବା ବିରହାଗ୍ନି ଜଳୁଥିବାର ଦେଖି, ‘ଆହା’ ଏହି କଥାରୂପ ପ୍ରେମଜଳକୁ ବରଷି ସଙ୍ଗେ ସଙ୍ଗେ ତାହା ଲିଭାଇ ଦିଅନ୍ତା ।’’

୧୮ଶ ପଦ :- ବରତିଳଆଦି-ବଣି ଆଦି । ଦିବର-ଆକାଶ । ବରଷେ(ବର୍ଷ)- ଭାରତବର୍ଷ ।

୧୮ଶ ପଦ :- ‘‘ବଣି ଆଦି ପକ୍ଷୀମାନେ ଏଠାରେ ଅଛ ଯଦି ତୁମ୍ଭମାନଙ୍କ ମଧ୍ୟରୁ କେହି ମତେ ପକ୍ଷ ଦିଅନ୍ତି, ତାହାହେଲେ ମୁଁ ଆକାଶରେ ଉଡ଼ନ୍ତି ଏବଂ ମୋର ପ୍ରିୟା ଥିବା ସ୍ଥାନରେ ପହଞ୍ଚନ୍ତି । ତାକୁ ଏହି ଭାରତବର୍ଷ ମଧ୍ୟରେ ତ କିଏ ଲୁଚାଇଛି ? (ବେଶୀ ଦୂରରେ ନୁହେଁ, ଏଣୁ ଶୀଘ୍ର ତୁମ୍ଭଙ୍କୁ ତୁମ୍ଭର ପକ୍ଷ ଫେରାଇ ଦିଅନ୍ତି) ।’’

୧୯ଶ ପଦ :- ବରାରୋହା-ପରମାସୁନ୍ଦରୀ । ଦିଗମ୍ବର-ଉଲଗ୍ନ ।

୧୯ଶ ପଦ :- ’’ସୁନ୍ଦରୀ ପାର୍ବତୀଙ୍କ ଦେହ ମୋ ଦେହରୁ ଅଲଗା ହୋଇଯିବ, - ଶିବ ଏହା ଭାବି ଲଙ୍ଗଳା ହେଲେ । ଏଣୁ ସେହିପରି ନିଜର ସୁନ୍ଦରୀ ସ୍ତ୍ରୀଠାରୁ ଅଲଗା ହୋଇ ରହିଥିବା ମନୁଷ୍ୟ ପକ୍ଷରେ ଏକକ୍ଷଣ ଏକବର୍ଷ ପରି ବୋଧ ହେବା କଥା କି ?’’

୨୦ଶ ପଦ :- ସମ୍ବର - ସମ୍ବରାସୁର । ଅତନୁ -ଦେହହୀନ ।

୨୦ଶ ପଦ :- ‘‘ରତିଦେବୀଙ୍କର କନ୍ଦର୍ପ ସହ ବିଯୋଗ ଘଟନ୍ତେ ସମ୍ବରାସୁର ଯେପରି ତାଙ୍କର ଦୁର୍ଦ୍ଦଶା ହୋଇ ପ୍ରବର୍ତ୍ତି ଥିଲା, ସେହିପରି ମୋର ସୀତାସହ ପ୍ରୀତିର ଅଭାବ ଘଟିବାରୁ ଦୁର୍ଦ୍ଦଶା ସମ୍ବରାସୁର ହୋଇ ପ୍ରବର୍ତ୍ତିଲା । (ରତି କନ୍ଦର୍ପଠାରୁ ବିଯୁକ୍ତ ହେବାରୁ ସମ୍ବର ତାଙ୍କୁ ହରଣ କରି ନେଇଥିଲା । ମୁଁ ସୀତାଙ୍କଠାରୁ ବିଯୁକ୍ତ ହେବାରୁ ଦୁର୍ଦ୍ଦଶା ସୀତାଙ୍କୁ ହରଣ କରି ନେଲା) । କିନ୍ତୁ ରତିଠାରୁ ଅନ୍ତର ହୋଇ କନ୍ଦର୍ପ ଶରୀର ଶୁନ୍ୟ ହୋଇଥିଲା । ମୁର୍ଖ ବିଧାତା ମୋ ପାଇଁ ସେହି ଶରୀର ଶୂନ୍ୟ ହେବା ପ୍ରଥା କାହିଁକି ପରିତ୍ୟାଗ କଲା ? (ମୁଁ କାହିଁକି ନ ମଲି) ।’’

୨୧ଶ ପଦ :- ‘‘ମୁଁ ପୂର୍ବଜନ୍ମରେ କେଉଁ ବ୍ରତ କରିଥିଲି ବା କେଉଁ ତୀର୍ଥରେ ଝାସ ଦେଇଥିଲି, ସେ କଥା ଜାଣିପାରୁ ନାହିଁ । ( ଏପରି କରି ନ ଥିଲେ ସୀତା ବିବାହ ହୋଇନଥାନ୍ତା ।) ବର୍ତ୍ତମାନ ଭାବୁଛି, ପୁଣି ଏହି ଜନ୍ମରେ ସେହି କଥା କରି ସୁନ୍ଦରୀର ଦେହରେ ହେଲେ ମିଶନ୍ତି ।’’

୨୨ଶ ପଦ :- ଏହି ଛାନ୍ଦର ପ୍ରତ୍ୟେକ ପାଦର ଆଦ୍ୟ ପ୍ରାନ୍ତରେ ବର ଶବ୍ଦ ରହିଅଛି, ଆଉ ମଧ୍ୟ ଏହି ଛାନ୍ଦର ଭାବ ପଣ୍ଡିତମାନଙ୍କୁ ଆନନ୍ଦିତ କରୁଅଛି । ଚକ୍ର ସଂହାବଲୋକନ ନ୍ୟାୟରେ ଏହି ଛାନ୍ଦ ପ୍ରବର୍ତ୍ତିତ ହୋଇଅଛି । ବୀରବର ଉପେନ୍ଦ୍ର ଏହା ରଚନା କରି ଅଛନ୍ତି ।

 

ଏକତ୍ରିଂଶ ଛାନ୍ଦ

ରାଗ - ବରାଡ଼ୀ

ଆଷାଢ଼ ଶୁକ୍ଳବାଣୀ

 

ବକେ ବସିଥିଲ ଧ୍ରୁବ ଉପରେ

ବିଷ୍ଣୁ ପଦକୁ ଭଜିଲା ଉତ୍ତାରେ

ବଳକ୍ଷପକ୍ଷକୁ ଅଙ୍ଗରେ ବହି

ବହନ ସେ ତମନାଶନ ବିହି

ବକତା ଏ ଗିର ।

 

ବିଶ୍ରାମ ବାର୍ତ୍ତା କହିବା ସୁନ୍ଦର ।୧।

ବଧୁଁ କାମ ଧର୍ମେ ଅଛି ଜୀବନେ

ବଧୁକାମବଶେ ଭ୍ରମ ଏ ବନେ

ବାଉନୁ ଅଛ ଯେଉଁ ରମଣୀୟେ

ବିଶେଷ ଶୋଭା ତହୁଁ ରମଣୀଏ

ବିଂଶବାହୁ ରଥେ ।

 

ବିଲୋକିଛି ଗଲା ଦକ୍ଷିଣ ପଥେ ।୨।

 

ବିଷପ୍ରସୂନ ଇନ୍ଦୁ ନିତି ଦେଖେଁ

ବିଲକ୍ଷ୍ୟ ପ୍ରସନ୍ନ ନ ଥିଲା ମୁଖେ

ବାଷ୍ପ ହେଉଛି ନୟନୁ ଜନିତା

ବୋଲନ୍ତି ମୀନ ଉଦଗାରେ ମୁକୁତା

ବଡ଼ ଊଣା ସେହି ।

ବାରିରେ ଲୁଚେ ଧରି ଭକ୍ଷେ ମୁହିଁ ।୩।

ବାସ ଚହଟି ଅଙ୍ଗ ଯାଉଥିଲା

ବେଢ଼଼ିଥିଲା ରଥ ଭ୍ରମରମାଳା

ବର୍ଣ୍ଣ ଝଟକ ବିଜୁଳିରେ ନାହିଁ

ବାରିଦ ନିକଟେ ଦେଖିଛି ମୁହିଁ

ବୀଣା କି ମଧୁର ?

ବାହାରୁଥିଲା ଯେଉଁ ରାମସ୍ୱର ।୪।

ବୋଲିବ ତୁ ବୀଣା ଶୁଣିଲୁ କାହୁଁ

ବଜାଇ ସପତସ୍ୱରରେ ସେହୁ

ବର୍ଷାଭୁ ଧୈବତ ମୟୁର ଷଡ଼୍‌ଜ

ବନପ୍ରିୟାରେ ପଞ୍ଚମ ସହଜ

ବାଜୁଛି ମୋ କର୍ଣ୍ଣେ ।

ବିଧିରେ ଏହିପରି ଆଉମାନେ ।୫।

 

୧ମ ପଦ :- ଧ୍ରୁବ-ଲଣ୍ଡାଗଛ । ବିଷ୍ଣୁପଦ :- ଆକାଶ । ଭଜିଲା ଉଭାରେ - ଉଡ଼ିଗଲାପରେ । ବଳକ୍ଷପକ୍ଷ-ଧଳାପକ୍ଷ । ଗିର-କଥା । ତମ-ଶୋକ ।

୧ମ ପଦ :- ରାମଚନ୍ଦ୍ର ପୂର୍ବୋକ୍ତ ପ୍ରକାରେ ପକ୍ଷୀମାନଙ୍କୁ କହିବା ସମୟରେ ଆକାଶରେ ଉଡ଼ିସାରିଲା ପରେ ଶୁକ୍ଳବର୍ଣ୍ଣ ପକ୍ଷକୁ ପିଠିରେ ବୋହି ଲଣ୍ଡାଗଛ ଉପରେ ବସିଥିବା ବଗ ହଠାତ୍‌ ରାମଚନ୍ଦ୍ରଙ୍କୁ ଶୋକର ନିବର୍ତ୍ତାଇ ଏହି କଥା କହିଲା, ‘‘ହେ ସୁନ୍ଦର! ସ୍ଥିର, ହୁଅ, ପଚାରୁଥିବା ବୃତ୍ତାନ୍ତ କିଛି କହିବା । ’’

୨ୟ ପଦ :- ‘‘ହେ ସୁନ୍ଦର ! ତୁମ୍ଭ ସ୍ତ୍ରୀ ପ୍ରାପ୍ତ କାମନାରେ ଏହି ବନରେ ଭ୍ରମଣ କରୁଅଛି ଏବଂ ତୁମ୍ଭେ ତୁମ୍ଭ ସ୍ତ୍ରୀର ଯେପରି ସୌନ୍ଦର୍ଯ୍ୟ କାନ୍ଦି କାନ୍ଦି ପ୍ରକାଶ କରୁଅଛ, ତାହାଠାରୁ ଅଧିକ ସୁନ୍ଦରୀ ଗୋଟିଏ ସ୍ତ୍ରୀକୁ ରାବଣ ରଥରେ ବସାଇ ଦକ୍ଷିଣଦିଗକୁ ନେଇଗଲା, ତାହା ମୁଁ ଦେଖିଅଛି । ତାହାକୁ କନ୍ଦର୍ପ ବଧ କରୁଥିଲେ ସୁଦ୍ଧା ସେ ଧର୍ମବଳରୁ ଜୀବନରେ ଅଛି । ଅଥବା ‘‘କାମବଧ’’ ଇଚ୍ଛାପୂର୍ବକ ମରଣରୁ ଧର୍ମ ଦ୍ୱାରା ନିବୃତ୍ତ ହୋଇ (ଆତ୍ମହତ୍ୟା ମହାପାପ ଭାବି) ଜୀବନରେ ଅଛି ।’’

୩ୟ ପଦ :- ବିଷପ୍ରସୂନ-ପଦ୍ମ । ଇନ୍ଦ୍ର-ଚନ୍ଦ୍ର ।

୩ୟ ପଦ :- ‘‘ପଦ୍ମ ଓ ଚନ୍ଦ୍ରକୁ ମୁଁ ପ୍ରତିଦିନ ଦେଖୁଅଛି । ସେ ସ୍ତ୍ରୀର ମୁଖ ପ୍ରସନ୍ନ ନଥିଲା, ତଥାପି ସେ ପଦ୍ମ ଓ ଚନ୍ଦ୍ର ଦୁହେଁ ତାହା ସହିତ ଲକ୍ଷ୍ୟ ହେବେ ନାହିଁ । ତାହାର ଆକ୍ଷିରୁ ଲୁହ ବିଗଳିତ ହେଉଥିଲା । ତାହା ଦେଖି ମାଛ ମୁକ୍ତା ବାନ୍ତି କରୁଛି ବୋଲି ବା ମୁଁ କହନ୍ତି; କିନ୍ତୁ ସେ ମୀନ ତାଠାରୁ ସୌନ୍ଦର୍ଯ୍ୟରେ ଊଣା, ସେହି ହେତୁରୁ ସେ ଡରି ପାଣିରେ ଲୁଚେ ଏବଂ ମୁଁ ତାକୁ ଧରି ଖାଏଁ।’’

୪ର୍ଥ ପଦ :- ‘‘ତାର ଦେହରୁ ମନୋହର ଗନ୍ଧ ବାହାରୁଥିବାରୁ ସେ ବସିଥିବା ରଥର ଚାରିଆଡ଼େ ଭ୍ରମରମାନେ ବେଢ଼ିଥିଲେ । ତା ଦେହରେ ଝଟକ ବିଜୁଳିଠାରେ ନାହିଁ । ମୁଁ ମେଘର ନିକଟରେ ରହି ବିଜୁଳିକୁ ଦେଖିଛି । ତାର କଣ୍ଠରୁ ‘ରାମ’ ‘ରାମ’ ଯେଉଁ ସ୍ୱର ବାହାରୁଥିଲା, ତା ଆଗରେ ବୀଣା ସ୍ୱର ବା କି ମଧୁର ? (ମଧୁର ନୁହେଁ) ।’’

୫ମ ପଦ :- ବର୍ଷାଭୁ - ଭେକ । ବନପ୍ରିୟ-କୋକିଳ ।

୫ମ ପଦ :- ‘‘ତୁମ୍ଭେ କହିବ, ତୁ ବଗୁଟାଏ ହୋଇ ବୀଣା କିପରି ଶୁଣିଲୁ ? ମାତ୍ର ମୁଁ ଶୁଣିଛି,- ସେ ସାତଗୋଟି ସ୍ୱରରେ ବାଜେ । ବେଙ୍ଗଠାରେ ଧୈବତସ୍ୱର, ମୟୂରଠାରେ ଷଡ଼୍‌ଜସ୍ୱର ଓ କୋକିଳଠାରେ ପଞ୍ଚମସ୍ୱର ସ୍ୱଭାବତଃ ଅଛି । ଏହିପରି କ୍ରମରେ ଆଉମାନେ ମଧ୍ୟ ମୋ କାନରେ ବାଜୁଛନ୍ତି ।’’ (ସପ୍ତମସ୍ୱର ଯଥା-ନିଷାଦ’ ଋଷଭ, ଗାନ୍ଧାର, ଷଡ଼୍‌ଜ; ମାଧ୍ୟମ ଧୈବତ ଓ ପଞ୍ଚମ )।

 

 

ବାର୍ତ୍ତା ଣୁଣି କରି ଯାଚୁଁ କୃପାଳୁ

ବସାରେ ବର୍ଷାରେ ଆହାର ମିଳୁ

ବଳାକା ଭାଷୁ ଆଜ୍ଞାଦେଲେ ହେଉ

ବକୀ ଚତୁରମାସ ଆଣି ଦେଉ

ବଲ୍ଲଭୀ ଉଚ୍ଛିଷ୍ଟ ।

ବୋଲୁଁ ବୋଇଲେ ପାନ କରି ଓଷ୍ଠ ।୬ ।

ବୁଲି ପୁଣି ମନେ ବାରତା

ବିକାଶ କାଶ ହା ସିତା ହା ସୀତା

ବକ୍ଷପଲ୍ୟଙ୍କ ମୋ ତୋ ଶୟନକୁ

ବ୍ୟଥା ଦେଲା କି କୋମାଳ ଅଙ୍ଗକୁ

ବିଦୁର ଏ ଦୋଷୁଁ ।

ବସୁ ନାହୁଁ କୋଳେ ଦିଶେ ତ ଦିଶୁ ।୭ ।

ବୋଳି ହୋଇ ଏବେ ବହୁ ବନ୍ଦନ

ବିଞ୍ଚିଥିବି ତହିଁ କର୍ପୂର ଚୂର୍ଣ୍ଣ

ବିଗୁଣ ନ ଘେନିବ ଦେବୁ ଲେଖି

ବଳେ ଶ୍ରୀହସ୍ତରୁ ଆଜନ୍ମସୁଖୀ

ବକ୍ଷୋଜ ଯେ ନିନ୍ଦୁ ।

ବନ୍ଧୁ ଆଲିଙ୍ଗନେ ବିଲଗ ହୃଦୁ ।୮ ।

ବୋଇଲା କୁକୁଟ ଶୁଣି ସେକ୍ଷଣି

ବତିଶଲକ୍ଷଣୀ ଚାରୁଈକ୍ଷଣୀ

ବିହାୟସ ପଥେ ଗଲାଣି ରଥେ

ବସାଇ ନେଉଥିଲା ରକ୍ଷନାଥେ

ବିଳସେ କେ ଆଗ ।

ବିବେକ ହୋଇ ତା କଥାପ୍ରସଙ୍ଗ ।୯ ।

ବିଚାର କର ନା ବନ ପର୍ବତେ

ବୁଲି ସୁକୁମାରୀ ଶ୍ରବ ପ୍ରବର୍ତ୍ତେ

ବିମାନେ ତା ସଙ୍ଗେ ସୁଖାର୍ଥେ ଯାଇ

ବୁଝିବାରେ ମୋ ଅନୁରାଗ ନାହିଁ

ବାରିଧାର ଆକ୍ଷି ।

ବକ୍ଷଦେଶକୁ ପଙ୍କିଳ କରିଛି ।୧୦।

 

୬ଷ୍ଠ ପଦ :- ତାହାଠାରୁ ଏହିପରି ସମ୍ବାଦ ଶୁଣି ଦୟାଳୁ ରାମଚନ୍ଦ୍ର ବର ଯାଚିବାରୁ ବଗ କହିଲା, ‘‘ମୋତେ ବର୍ଷା ସମୟରେ ବସାରେ ଆହାର ମିଳୁ ।’’ ତହୁଁ ରାମଚନ୍ଦ୍ର ଆଜ୍ଞାଦେଲେ, ‘ବାକୀ ବର୍ଷା ଚାରିମାସଯାକ ତୋତେ ଆହାର ଆଣି ଦେଉ ।’ ବଗ କହିଲା, ‘ତା ହେଲେ ତ ସ୍ତ୍ରୀ ଅଇଁଠା ହେବ ।’ ରାମଚନ୍ଦ୍ର କହିଲେ, ‘ସ୍ତ୍ରୀର ଓଷ୍ଠ ଆସ୍ୱାଦନ କରାଯାଏ ଯେ ।’ (ସ୍ତ୍ରୀ ଅଇଁଠାରେ ଦୋଷ ନାହିଁ ) ।

୭ମ ପଦ :- କାଶହାସିତା-କାଶହାସିନୀ । ଦିଶେ-ଦିଗମାନଙ୍କରେ ।

୭ମ ପଦ :- ରାମଚନ୍ଦ୍ର ସୀତାଙ୍କ ସମ୍ୱାଦ ସଂଗ୍ରହ କରିବା ପାଇଁ ପୁନର୍ବାର ବନରେ ବୁଲି ବୁଲି କହିଲେ, ‘‘ହେ ପ୍ରସ୍ଫୁଟିତ କାଶକୁସୁମହାସିନୀ ସୀତେ ! ମୋର ବକ୍ଷରୂପ ପଲଙ୍କରେ ତୁ ଶୟନ କରିବାରୁ ତୋର ସୁକୁମାର ଦେହରେ ପୀଡ଼ା ଜାତ ହେଲା କି ? ଏହି ଦୋଷରୁ ମୋ ନିକଟରୁ ଅନ୍ତର ହୋଇ ଦିଗମାନଙ୍କରେ ଦେଖା ଦେଉଛୁ, ମାତ୍ର ମୋର କୋଳରେ ବସୁନାହୁଁ ।’’

୮ମ ପଦ :- ବକ୍ଷୋଜ-ସ୍ତନ । ବିଲଗ-ଅଲଗା ।

୮ମ ପଦ :- ‘‘ହେ ଆଜନ୍ମସୁଖିନି ! ଇଚ୍ଛାପୂର୍ବକ ଯଦି ତୋର ଶ୍ରୀହସ୍ତରେ ‘ବିମନା ହେବି ନାହିଁ’ ଏତିକି ଲେଖିଦେବୁ; ତେବେ ମୁଁ ମୋର କଠୋର ବକ୍ଷରେ ବହୁତ ଚନ୍ଦନ ବୋଳି ହୋଇ ସେହି ଚନ୍ଦନ ଉପରେ କର୍ପୂରଗୁଣ୍ଡା ସିଞ୍ଚିଦେବି । ରେ ବନ୍ଧୁ ! ଆଲିଙ୍ଗନ ସମୟରେ ତୋ ଦେହ ମୋ ଦେହରୁ ଅଲଗା ହେବାରୁ, ତୁ ତୋର ସ୍ତନକୁ ନିନ୍ଦାକରୁ (ତୁ ତ ତୋର ସ୍ତନକୁ କଠିନ ବୋଲି ନିନ୍ଦା କରୁ; ଚନ୍ଦନ ଲିପ୍ତ ମୋର ବକ୍ଷକୁ ଯେ ନିନ୍ଦା ନ କରିବୁ ଏହା ବିନା ଲେଖାରେ ମୁଁ ସ୍ୱୀକାର କରିନପାରେ ।

୯ମ ପଦ :- ବିହାୟସ ପଥେ-ଆକାଶ ମାର୍ଗରେ । କଥା ପ୍ରସଙ୍ଗ-ବାତୁଳ ।

୯ମ ପଦ :- ରାମଚନ୍ଦ୍ର ଏହିପରି କହୁଥିବାର ଶୁଣି, ସଙ୍ଗେ ସଙ୍ଗେ କୁକୁଟ କହିଲା, ‘ବତିଶଲକ୍ଷଣଯୁକ୍ତା ସୁନ୍ଦରନେତ୍ରା ତୁମ୍ଭ ସ୍ତ୍ରୀ ଆକାଶମାର୍ଗରେ ଗଲାଣି । ତାକୁ ରାକ୍ଷସରାଜ ରାବଣ ରଥରେ ବସାଇ ନେଉଥିଲା । ବର୍ତ୍ତମାନ ତୁମ୍ଭ ଆଗରେ କିଏ ଦେଖା ଦେଉଛି ? ତୁମ୍ଭେ ବିବେକୀ ହୋଇ ଏପରି ବାତୁଳ ପ୍ରାୟ ହେଉଅଛ ?’’

୧୦ମ ପଦ :- ପଙ୍କିଳ-କର୍ଦମଯୁକ୍ତ, ଏଠାରେ କଳୁଷିତ ।

୧୦ମ ପଦ :- ‘‘ସୁକୁମାରୀ ପ୍ରିୟା ତୁମ୍ଭସହ ବନ ଓ ପର୍ବତରେ ବୁଲି ଦୁଃଖ ପାଇବାରୁ ସୁଖ ପାଇବାପାଇଁ ଯେ ରାବଣ ସଙ୍ଗରେ ରଥରେ ଗଲା;- ତୁମ୍ଭେ ଏ କଥା ଭାବ ନାହିଁ । ମୁଁ ବୁଝିଛି, ତାଙ୍କର ତାଠାରେ ସ୍ନେହ ନାହିଁ; ଯେ ହେତୁ ତାଙ୍କ ଆଖିରୁ ଅଶ୍ରୁଧାରା ବହି ବକ୍ଷଦେଶ ରୂପ ଭୂମିକୁ କଳୁଷିତ କରିଥିଲା ।’’

 

ବିଧିରେ ପ୍ରଜାପତି - ନପ୍ତା ଅର୍ଥୀ

ବ୍ୟାକୁଳ ବଲିବର୍ଦ୍ଦ ଯୋଚି ତଥି

ବଳେ ହରଷ ପ୍ରଜାଙ୍କୁ ଘଉଡ଼ି

ବୁଣିବାକୁ ପ୍ରେମରାଶିକି ଲୋଡ଼ି

ବଳ ଥିଲେ ତୁମ୍ଭେ ।

ବିଚ୍ଛେଦ (ଶି) ସୀରକୁଚ ଦ୍ୱନ୍ଦ୍ୱ ଆରମ୍ଭେ।୧୧।

ବୀରଭଦ୍ର ଭଣି ଚରଣାୟୁଧ

ବିହାୟସେ ସେ କ୍ଷତ୍ରିୟ ପ୍ରସିଦ୍ଧ

ବହ ମୁକୁଟ କହିଲୁ ସନ୍ଦେଶ

ବୋଲୁ ହେମଚର୍ମେ ହେଲା ଲାଳସ

ବୃକ୍ଷରେ କୋପନ ।

ବଚରେ ଯୁକ୍ତ ନ କହ ବଚନ ।୧୨।

ବାଣୀ ନ ଶୁଣ ପ୍ରଶ୍ରବଣ ଥାଇ

ବୋଲାଅ ଶାଖାବନ୍ତ ଶାଖା ନାହିଁ

ବିକାଶ କୁସୁମେ ହାସ ରଚନ

ବସନ ଉଚ୍ଚରେ ହୁଅ ପତନ

ବୋଲନ୍ତେ ଖସିଲେ ।

ବିବର୍ଣ୍ଣତା ମହୀଭୁତ ଦିଶିଲେ ।୧୩।

ବେଦର୍ଭୀପତି ଅଇଲେ ଶଙ୍ଖୋଳି

ଦିହରୁଁ ମାର୍କଣ୍ଡେୟ ୠଷି ମିଳି

ବାସାଞ୍ଚଳେ ଅଶ୍ରୁ ପୋଛି ଶ୍ରୀରାମ

ବେନି ମୁନିଙ୍କି ବିହିଲେ ପ୍ରଣାମ

ବୋଲନ୍ତି କୁମ୍ବୁଜ ।

ବିବେକିଶେଖର ହୋଇ ଅଧୈର୍ଯ୍ୟ ।୧୪।

ବୋଇଲେ ରାମ କାମ ଭସ୍ମ ଗଲା

ବଲ୍ଲଭୀକି ତାର ସମ୍ବର ନେଲା

ବସିଛି ଜୀବେ ଆନ ନେଲା ଭୀରୁ

ବଳି କ୍ଷତ ବଡ଼ ଅଛି ଏଥିରୁ

ବୋଧେ ମୁନିବର ।

ବସନ୍ତା ନାହିଁ ଦ୍ୱାଃସ୍ଥ ନିରୋଧର । ।୧୫।

୧୧ଶ ପଦ :- ଅର୍ଥୀ-ଧନୀଲୋକ ବା ଧନଲିପ୍‌ସୁ । ବଳିବର୍ଦ୍ଦ-ବଳଦ । ସୀର-ଲଙ୍ଗଳ । ପ୍ରଜାପତିନପ୍ତା-ରାବଣ ।

୧୧ଶ ପଦ :- ‘‘ଗ୍ରାମଧିକାରୀ ଲୋଭ ପରବଶ ହୋଇ ଅଥବା ବହୁ ଧନ ପାଇବାର ଇଚ୍ଛା କରି ‘ବିଧିରେ’ ଦୁର୍ବୁଦ୍ଧି ବଶତଃ ପ୍ରଜାର ଭୂମିରେ ତରତର ଭୂମିରେ ତରତର ହୋଇ ବଳଦ ଯୋଚି ହଳ କରି ବଳ ପ୍ରୟୋଗ ପୂର୍ବକ ପ୍ରଜାଙ୍କୁ ଘଉଡ଼ି ଯେପରି ଆନନ୍ଦରେ ଧାନ, ମୁଗ ବା ତିଳ ପ୍ରଭୃତି ବୁଣିବାକୁ ଇଚ୍ଛାକରେ; ସେହିପରି ବ୍ରହ୍ମାଙ୍କ ନାତି ରାବଣ ‘ବିଧିରେ’ ନିଜର ଦୁର୍ବୁଦ୍ଧିରୁ ଅଥବା ବିଧାତାର ନିୟମାନୁସାରେ, ତାହାଙ୍କ ନିକଟରେ ଭିକ୍ଷାର୍ଥୀ ହୋଇ ତାହାଙ୍କର ହୃଦୟ ରୂପ ଭୂମିରେ ! ବ୍ୟାକୁଳ ବଳିବର୍ଦ୍ଦ’ ଅତିଶୟ ଦୁଃଖ ରୂପୀ ବଳଦକୁ ଯୋଚି ଅର୍ଥାତ୍‌ ତାଙ୍କୁ ଭୟ ଦେଖାଇ ତାଙ୍କ ହୃଦୟରେ ଥିବା ଆନନ୍ଦ ରୂପ ପ୍ରଜାମାନଙ୍କୁ ବଳପୂର୍ବକ ଘଉଡ଼ି ଅନୁରାଗ ରୂପ ତିଳକୁ ବୁଣିବାକୁ ଇଚ୍ଛା କରୁଛି । ତୁମ୍ଭର ଯଦି ବଳ ଅଛି, ତା ହେଲେ ବଳଶାଳୀ ପ୍ରଜା ଯେପରି ମାରପିଟ୍‌ କରି ଗ୍ରାମଧିକାରୀର ‘ସୀର’ ହଳକୁ ଭାଙ୍ଗି ଗୁଣ୍ଡା କରିଦିଏ, ସେହିପରି ତୁମ୍ଭେ ଯୁଦ୍ଧ କରି ରାବଣର ‘ଶିର’ ମୁଣ୍ଡକୁ ‘ବିଚ୍ଛେଦ କର’ ହାଣି ପକାଅ ।’’

୧୨ଶ ପଦ :- ବୀରଭଦ୍ର-ବୀରଶ୍ରଷ୍ଠ । ଚରଣାୟୁଧ-କୁକ୍‌କୁଟ । ବିହାୟସେ-ପକ୍ଷୀମାନଙ୍କ ମଧ୍ୟରେ । ହେମକୁଟ-ସ୍ୱର୍ଣ୍ଣମୁକୁଟ । ବଚରେ-ଶୁକପକ୍ଷୀ ଦ୍ୱାରା ।

୧୨ଶ ପଦ :- ବୀରଶ୍ରେଷ୍ଠ ରାମଚନ୍ଦ୍ର କହିଲେ, ‘‘ହେ କୁକ୍‌କୁଟ ! ତୁ ପକ୍ଷୀମାନଙ୍କ ମଧ୍ୟରେ ରାଜା ଅଟୁ । ତୁ ମୋତେ ପ୍ରିୟାର ସମ୍ୱାଦ କହିଲୁ; ଏଣୁ ଆମ୍ଭ ବରରେ ତୁ ସୁନାର ମୁକୁଟ ଧାରଣ କର ।’’ ରାମଚନ୍ଦ୍ର ଏହା କହନ୍ତେ କୁକ୍‌କୁଟ ଚର୍ମ ମୁକୁଟରେ ଆଗ୍ରହ ପ୍ରକାଶ କରିଥିଲା । (ସେହିଦିନଠାରୁ ରାମଙ୍କ ବରରେ କୁକ୍‌କୁଟ ଚର୍ମ ମୁକୁଟ ଧାରଣ କରିଅଛି । ତତ୍ପରେ ରାମଚନ୍ଦ୍ର ବୃକ୍ଷମାନଙ୍କ ଉପରେ କ୍ରୋଧ ବହି କହିଲେ, ‘‘ତୁମ୍ଭେମାନେ ‘ବଚ’ ଶୁକପକ୍ଷୀ ରୂପ ବଚନରେ ଯୁକ୍ତ ହୋଇ (ତୁମ୍ଭର କଥା କହିବା ଶକ୍ତି ଥାଉଁ ଥାଉଁ) ମୋତେ ବଚନ କାହିଁକି କହୁ ନାହଁ ?’’

୧୩ଶ ପଦ :- ପ୍ରଶ୍ରବଣ-ବଡ଼ କାନ । ବିବର୍ଣ୍ଣ-ଅସୁନ୍ଦର । ମହୀଭୃତ-ପର୍ବତ ।

୧୩ଶ ପଦ :- ‘‘ତୁମ୍ଭମାନଙ୍କର କୋରଡ଼ ରୂପ ବଡ଼ ବଡ଼ କାନ ଥାଉଁ ଥାଉଁ ମୋର କଥା ଶୁଣୁ ନାହଁ । ମୋର କେହି ସହାୟ ନାହିଁ କିନ୍ତୁ ତୁମ୍ଭେମାନେ ‘ଶାଖାବନ୍ତ’ ବହୁଡାଳଯୁକ୍ତ ଅର୍ଥାତ୍‌ ସହାୟଯୁକ୍ତ ହୋଇଅଛ । (ସହାୟଶାଳୀ ହୋଇ ନିଃସହାୟକୁ ସାହାଯ୍ୟ ଦାନ କରୁନାହିଁ) । ତୁମ୍ଭେମାନେ ଫୁଟିଥିବା ଫୁଲମାନଙ୍କଦ୍ୱାରା ମଣ୍ଡିତ ହୋଇନାହଁ ଯେ, ବୋଧହୁଏ ମତେ ଦେଖି ହସୁଛ । ଅତଏବ ତୁମ୍ଭେମାନେ ପର୍ବତ ଉପରେ ନ ରହି ତାର ତଳକୁ ଖସିପଡ଼ ।’’ ରାମଚନ୍ଦ୍ର ଏହା କହିବାରୁ ବୃକ୍ଷମାନେ ତଳକୁ ଖସି ପଡ଼ିଲେ ଏବଂ ପର୍ବତମାନେ ଅସୁନ୍ଦର ଦେଖାଗଲେ ।

୧୪ଶ ପଦ :- ବୈଦର୍ଭୀପତି-ଅଗସ୍ତିଋଷି । ବାସାଞ୍ଚଳେ-ଲୁଗା କାନିରେ । କୁମ୍ଭଜ-ଅଗସ୍ତି ଋଷି ।

୧୪ଶ ପଦ :- ଏହି ସମୟରେ ଅଗସ୍ତ୍ୟମୁନି ରାମଚନ୍ଦ୍ରଙ୍କୁ ଶଙ୍ଖୋଳିବା ପାଇଁ ଆସିଲେ । ମାର୍କଣ୍ଡେୟ ଋଷି ମଧ୍ୟ ମନ ଇଚ୍ଛାରେ ବୁଲୁ ବୁଲୁ ସେହି ସ୍ଥାନରେ ଆସି ମିଳିଲେ । ରାମ ଲୁଗା କାନିରେ ଲୁହ ପୋଛି ସେହି ମୁନି ଦୁହିଁଙ୍କୁ ପ୍ରଣାମ କଲେ । ଅଗସ୍ତ୍ୟ ମୁନି କହିଲେ, ‘‘ହେ ରାମ ! ଆପଣ ବିବେକୀ ହୋଇ ଏପରି ଅଧୈର୍ଯ୍ୟ ହେଉଛନ୍ତି କାହିଁକି ?’    

୧୫ଶ ପଦ :- ଭୀରୁ-ସ୍ତ୍ରୀ, ଭୟାଳୁ । ଦ୍ୱାସ୍ଥ-ଦ୍ୱାରୀ । ନିରୋଧ-ମନାକରିବା ଲୋକ, ଅନ୍ତଃପୁର ।

୧୫ଶ ପଦ :- ରାମଚନ୍ଦ୍ର କହିଲେ, ‘‘କନ୍ଦର୍ପ ହର କୋପାନଳରେ ଭସ୍ମ ହେବାରୁ ସମ୍ୱରାସୁର ତାର ସ୍ତ୍ରୀକୁ ନେଲା, ମାତ୍ର ମୁଁ ବଞ୍ଚି ରହିଛି, ଅନ୍ୟ ଜଣେ ଲୋକ ମୋର ସ୍ତ୍ରୀକୁ ନେଇଗଲା । ଏଥିରୁ ବଡ଼ ଆଘାତ ଆଉ କଣ ଅଛି ?’’ ରାମ ଏହିପରି କହିବାରୁ ମୁନିଶ୍ରେଷ୍ଠ ଅଗସ୍ତ୍ୟ ବୋଧ ଦେଇ କହିଲେ, ‘‘ତୁମ୍ଭ ପର୍ଣ୍ଣକୁଟୀର ଦ୍ୱାରରେ ମନା କରିବା ପାଇଁ ଦ୍ୱାରୀ ନ ଥିଲା ଅର୍ଥାତ୍‌ମନା କରିବା ଲୋକ କେହି ନ ଥିବାରୁ ସେ ସୀତାଙ୍କୁ ନେଇଗଲା । ଅଥବା ‘ନିରୋଧର’ ଅନ୍ତଃପୁରର ଦ୍ୱାରୀ ରାବଣ ଆଉ ଦ୍ୱାରରେ ବସନ୍ତା କାହିଁକି ? (ତୁମ୍ଭ ବୈକୁଣ୍ଠପୁର ଦ୍ୱାରୀ ଜୟ ଶାପଗ୍ରସ୍ତ ହୋଇ ରାବଣ ରୂପରେ ଜନ୍ମଗ୍ରହଣ କରିଛି, ସେ କଣ ଆଉ ତୁମ୍ଭର ବୈକୁଣ୍ଠପୁରଚାରିଣୀ ସୀତାଙ୍କୁ ଜଗି ବସନ୍ତା ନାହିଁକି ? ନିଶ୍ଚୟ ଜଗିବସିବ) ।’’

 

ବିଦେହ ଯେ ଦେହ ପାଇବ ପୁଣି

ବଧି ସମ୍ବର ତା ରଖିବ ଆଣି

ବଳବନ୍ତ ସ୍ୱୟଂ ଅଛ ପରାଣେ

ବାଳି ବଧ ହେଲା ଯେ ଏକାବାଣେ

ବଇରୀ ତୁମ୍ଭର ।

ବନ୍ଦୀ ହୋଇଥିଲା ତାହା କକ୍ଷର ।୧୬

ବେଦନାସହ ତୋହେ ରାମ ଭାଷେ

ବନ୍ଦୀ ସେ ବଡ଼ ଦୟାଳୁ ରାକ୍ଷସେ

ବିପି(ପୀ)ନେ ବିଚ୍ଛେଦ ଭୟରୁ କଳି

ବିରହାନଳ ଦେଉଥିବ ଜାଳି

ବସି ଏକା ଘୋଷି ।

ବଞ୍ଚିଥିବ ନିକି ପ୍ରୀତିଲାଳସୀ ?।୧୭।

ବୋଧ ଦେଲେ ତତକାଳ ଅଗସ୍ତି

ବିଶ୍ୱଧାତ୍ରୀ ପୁତ୍ରୀ କନକଗାତ୍ରୀ

ବାରଣ ନାମ ଆଦ୍ୟ ପ୍ରାନ୍ତକ୍ଷରେ

ବ୍ୟକ୍ତ ମହାସୁର ନାମ ମଧ୍ୟରେ

ବଞ୍ଚିଛି ଏ ନାମ ।

ବାମା ବିଚ୍ଛେଦ ଅତି ପ୍ରାତିଧାମା।୧୮।

ବାହୁଡ଼ୁଁ ବୋଧି ମାର୍କଣ୍ଡେୟ ପୁଚ୍ଛି

ବିଷ୍ଣୁ ପରା ପରାକ୍ରମ କାହି ଛି

ବହି ନାହାନ୍ତି ତ ଦରଅରିକି

ବହିଛନ୍ତି ଏକା ଦର ଅରିକି

ବିପତି ବିହୀନ ।

ବିପତ୍ତିଭଞ୍ଜନେ ହୋଇ ମଉନ ।୧୯।

ବିଶ୍ୱକେତୁ ଏ ପରତେ ହୁଅଇ

ବାଳୀ ବିଚ୍ଛେଦ ଜନ୍ମାନ୍ତେ ନ ଯାଇ

ବହିଛି ଶରିଷାଙ୍ଗୀ ଶିରୀ ଶିରୀ

ବ୍ୟର୍ଥ ପ୍ରତୀତି ରାଗଲତା ପରି

ବନ୍ଦୀ ସେ ଦୈତ୍ୟରେ।

ବିଧାନ ହୋଇଲା ଜନମାନ୍ତରେ।୨୦।

 

୧୬ଶ ପଦ :- ବିଦେହ-କନ୍ଦର୍ପ । ଅଣି-ଟେକ ବା ବଡ଼ାଇ । ବଇରୀ-ଶତ୍ରୁ(ରାବଣ) । କକ୍ଷର-କାଖରେ ।

୧୬ଶ ପଦ :- ଅଗସ୍ତ୍ୟ କହିଲେ, ‘‘କନ୍ଦର୍ପ ପୁନର୍ବାର ଦେହ ଧାରଣ କରିବ ଓ ସମ୍ୱରକୁ ମାରି ନିଜର ମହତ୍ୱ ରଖିବ । ଅଥବା ତାକୁ ତା’ର ସ୍ତ୍ରୀ ରତିକୁ ଆଣି ରଖିବ (ସମ୍ୱରବଧ ରତିହରଣ ମୂଳ କାରଣ) ଯାହାଙ୍କର ଏକମାତ୍ର ବାଣରେ ବାଳି ବିନାଶ ହେଲା, ସେହି ବଳଶାଳୀ ତୁମ୍ଭେ ନିଜେ ଜୀବିତ ଅଛ । ତୁମ୍ଭର ଶତ୍ରୁ ସେହି ବାଳିର କାଖରେ ବନ୍ଦୀ ହୋଇଥିଲା ପରା ? (ତୁମ୍ଭେ ବାଳିକୁ ଯେତେବେଳେ ମାରିଛ, ରାବଣକୁ ଅନାୟସରେ ମାରି ପାରିବ) ।’’

୧୭ଶ ପଦ :- ରାମଚନ୍ଦ୍ର କହିଲେ, ‘‘ସେ ସୀତା ‘ବେଦନାସହ, ଦୁଃଖ ସହିବା ଭଳି ନୁହେଁ ଅର୍ଥାତ୍‌ ଅତି ସୁକୁମାରୀ ଏବଂ ଭୟାଳୁ; ପୁଣି ରାକ୍ଷସମାନଙ୍କ ଦ୍ୱାରା ବନ୍ଦୀ ହୋଇଅଛି । (ଯେଉଁ ରାକ୍ଷସମାନଙ୍କୁ ଦେବତାମାନେ ଭୟ କରନ୍ତି; ଏହି ଭୟଶୀଳା ରମଣୀ ତାଙ୍କୁ ଦେଖି ବଞ୍ଚିବା ଅସମ୍ଭବ) । ମୋଠାରୁ ବିଚ୍ଛିନ୍ନ ହୋଇ ରହିବ, ଏହି ଭୟ ହେତୁରୁ ବନକୁ ଆସିଥିଲା । ତେଣୁ ମୁଁ କଳ୍ପନା କରୁଛି, ବିରହାଗ୍ନି ତାକୁ ଜାଳି ଦେଉଥିବ, ଅଥବା ଦୀର୍ଘ ବିଚ୍ଛେଦ (ଯେଉଁ ବିଚ୍ଛେଦଦ୍ୱାରା ଆଉ ମିଳିବାର ଆଶା ନାହିଁ, କାରଣ ମୁଁ ବନବାସୀ ଓ ଲଙ୍କା ସମୁଦ୍ର ବେଷ୍ଟିତ ଅଟେ), ଭୟଜାତ ବିରହାନଳ, ସ୍ୱଜନ ବିରହ, ପତି ବିଚ୍ଛେଦ,- ଏହା ତାକୁ ପୋଡ଼ି ଦେଉଥିବ । ଏହି ସବୁ କାରଣରୁ ‘ପ୍ରୀତିଲାଳସୀ ଆଉ କଣ ବଞ୍ଚିଥିବ ?’ ଏହି କଥା ଏକାକୀ ବସି ଘୋଷୁଛି ।’’

୧୮ଶ ପଦ :- ଅଗସ୍ତି ସଙ୍ଗେ ସଙ୍ଗେ ବୋଧ ଦେଇ କହିଲେ; ‘ସୀତା ସର୍ବଂସହା (ଯେ ସମସ୍ତ ସହିପାରେ ଅର୍ଥାତ୍‌ ପୃଥିବୀ)ର କନ୍ୟା (ଯାହାର ମାତା ସମସ୍ତ ସହିପାରେ ସେ ପୁଣି ‘ବେଦନାସହ ନୁହେଁ’ ଏହା ଭାବିବା ଭୁଲ) ଏବଂ କନକଗାତ୍ରୀ ମଧ୍ୟ ଅଟନ୍ତି । ସୁନାକୁ ଅଗ୍ନି ପୋଡ଼ିପାରେ ନାହିଁ କି ମ୍ଳାନ କରିପାରେନାହିଁ; ମାତ୍ର ଅଗ୍ନିରେ ପଡ଼ିଲେ ସୁନା ଉଜ୍ଜ୍ୱଳ ଦିଶେ; ଅତଏବ ‘ବିରହାନଳ ଦେଉଥିବ ଜାଳି’ ଏପରି ଭାବିବା ଠିକ୍‌ ନୁହେଁ; ବରଂ ଏହି ବିରହ ତାଙ୍କର ଉଜ୍ଜ୍ୱଳ ଯଶ ବିସ୍ତାର କରିବ । ଆଦ୍ୟରେ ଗୋଟିଏ ଓ ପ୍ରାନ୍ତରେ ଗୋଟିଏ, ଏହିପରି ଦୁଇଗୋଟି ଅକ୍ଷରରେ ‘ବାରଣ’ ହସ୍ତୀର ନାମ ପ୍ରକାଶିତ ହୋଇଥିବ; ଯଥା ଦନ୍ତୀ ଅଥବା ଆଦ୍ୟ ଓ ପ୍ରାନ୍ତ’ ଏ ଦୁଇ ପଦର ଯେଉଁ ପ୍ରାନ୍ତାକ୍ଷର ଅର୍ଥାତ୍‌ ବଓନ୍ତ; ଏହି ଶବ୍ଦରେ ବାରଣ ନାମ ଖ୍ୟାତିଲାଭ କରିଥିବ ଅର୍ଥାତ୍‌ ହସ୍ତୀର ବଡ଼ ବଡ଼ ଦନ୍ତ ଥିବାରୁ ତାର ନାମ ଦନ୍ତ ଅଟେ । ସେହିପରି ଆଦ୍ୟ ଓ ପ୍ରାନ୍ତ ଦୁଇ ଅକ୍ଷରରେ ମହାସୁର ନାମ ପ୍ରକାଶିତ ହୋଇଥିବ; ଯଥା ମୟ ଏହି ନାମ ସେହି ଦନ୍ତୀ ଶବ୍ଦ ମଧ୍ୟରେ ବ୍ୟକ୍ତହେବ; ଯଥା ଦମୟନ୍ତୀ । ଏହି ଦମୟନ୍ତୀ ନାମ୍ନୀ ସୁନ୍ଦରୀ ପ୍ରାଣପ୍ରିୟ ନଳଙ୍କ ବିରହରେ ବଞ୍ଚିଥିଲା । ଅତଏବ ‘ବର୍ତ୍ତୀଥିବ ନିକି ପ୍ରୀତିଲାଳସୀ, ଏହା କହିବା ଠିକ୍‌ ନୁହେଁ । (ସୀତା ନିଶ୍ଚୟ ବଞ୍ଚିଥିବେ)’’

୧୯ଶ ପଦ :- ଦର-ଭୟ, ଶଙ୍ଖ । ଅରି-ଶତ୍ରୁ, ଚକ୍ର ।

୧୯ଶ ପଦ :- ଅଗସ୍ତ୍ୟ ରାମଙ୍କୁ ଏହିପରି ବୋଧ ଦେଇ ଫେରିବା ବେଳେ ତାଙ୍କ ସଙ୍ଗେ ଆସୁଥିବା ମାର୍କଣ୍ଡେୟ ପଚାରିଲେ, ‘‘ହେ ମୁନେ ! ଏ ବିଷ୍ଣୁ ପରା ? ଏହାଙ୍କର ବିଷ୍ଣୁଙ୍କପରି ପରାକ୍ରମ କାହିଁ ? ଶଙ୍ଖ ଚକ୍ର ତ ଧରି ନାହାନ୍ତି କିନ୍ତୁ ଦର ଅରି’ ଶତ୍ରୁ ଭୟକୁ ଧରି ଅଛନ୍ତି । ‘ବିପତି’ ଗରୁଡ଼ ଏହାଙ୍କ ନିକଟରେ ତ ନାହିଁ ବରଂ ନିଜର ବିପତ୍ତି ଖଣ୍ଡନ କରିନପାରି ମୁକହୋଇ ରହିଛନ୍ତି (ଲୋକମାନେ ବିଷ୍ଣୁଙ୍କୁ ଭଞ୍ଜନ ବୋଲି କହନ୍ତି, ଯଦି ଏ ବିଷ୍ଣୁ ହୋଇଥାନ୍ତେ, ଅନ୍ୟମାନଙ୍କ ବିପତ୍ତି ଦୂରେ ଥାଉ ନିଜର ବିପତ୍ତି ଖଣ୍ଡନ କରିପାରନ୍ତେ ନାହିଁ କି ?’’ )

୨୦ଶ ପଦ :- ବିଶ୍ୱକେତୁ-କନ୍ଦର୍ପ । ରାଗଲତା-ରତି ।

୨୦ଶ ପଦ :- ‘‘ଯେହେତୁ ଅତି ସୁନ୍ଦର ଦେଖା ଯାଉଅଛନ୍ତି ତେଣୁ ଏ କନ୍ଦର୍ପ ବୋଲି ମୋର ପ୍ରତୀତ ହୁଏ । ଅତଏବ ଜନ୍ମାନ୍ତରରେ ସୁଦ୍ଧା ଏହାଙ୍କର ପ୍ରିୟା ବିଛେଦ ଯାଉନାହିଁ । (ପୂର୍ବ ଜନ୍ମରେ ମହାଦେବଙ୍କ କୋପାନଳରେ ଦଗ୍‌ଧ ହୋଇଥିବାରୁ ପ୍ରିୟା ବିଚ୍ଛେଦ ଘଟିଥିଲା, ଏବେ ମଧ୍ୟ ଘଟିଛି) କୋମଳାଙ୍ଗୀ ସୀତା ଲକ୍ଷ୍ମୀଙ୍କର ଶୋଭା ଧାରଣ କରିଅଛନ୍ତି ଅର୍ଥାତ୍‌ ଲକ୍ଷ୍ମୀ ଅଟନ୍ତି, ଏହା କହିବା ବୃଥା । ସେ ରତି ହେଲା ପରି ମୋତେ ବୋଧହୁଏ, କାରଣ ରତି ସମ୍ୱରାସୁର ଦ୍ୱାରା ବନ୍ଦୀ ହୋଇଥିଲେ । ଏହି ଜନ୍ମାନ୍ତରେ ମଧ୍ୟ ସେହିପରି ବନ୍ଦୀ ହୋଇଥିଲେ ।

 

ବୋଲେ ଅଗସ୍ତି ହୋଇଣ ଚତୁର

ବଣା ହୁଅ ଥିଲା ଭୁଜ ଚତୁର

ବଟେ ପ୍ରଳୟକାଳେ ଦେଖିଅଛ

ବାଳମୂରତି ହୋଇଥିଲେ ସୁର

ବିଭୂତି ଦେଖିବ ।

ବ୍ରହ୍ମାଥିବେ ଅଭିଷେକ ହେବ ।୨୧ ।

ବାମନ ହୋଇ ଯଥା ତ୍ରିବିକ୍ରମ

ବୁଦ୍ଧି ଐଶ୍ଚର୍ଯ୍ୟ ହେବ ସେହି କ୍ରମ

ବେଗେ ମୁନି ବେନି ଆଶ୍ରମେ ସ୍ଥିତ

ବିଖ୍ୟାତ ହେମନ୍ତ କି ଐରାବତ

ବର୍ଣ୍ଣ କୁଜ୍‌ଝଟିତ ।

ବ୍ୟାପିଗଲା ଜଗତୀରେ ଝଟିତ ।୨୨ ।

ବିଭ୍ରାଜିତ ହୋଇ କୁନ୍ଦଦନ୍ତରେ

ବିଳାସ ରଚି ବନ ପର୍ବତରେ

ବୃଷ୍ଟି ତୃଷ୍ଣାର ମଦକଣ କରେ

ବଳାଇଲା ଅତି ଆଦର ସୁ (ସୂ) ରେ

ବାସବର ସ୍ନେହୀ ।

ବଳ ମାନସକମ୍ପନ କରାଇ ।୨୩ ।

ବିରସ ଦି(ବୀ)ନ ନିରତେ ନ- ମୁଚି

ବିସ୍ତାର ଐନ୍ଦ୍ରିର ଚିତ୍ତ ସୁରୁଚି

ବହି ହିରଣାକ୍ଷଛବି ଶରଦ

ବରାହଦାଢ଼ ଭେଦରେ ରୁଚିଦ

ବିଶୋଧିତ ଘନ ।

ବିରବ ରହିଲା ମହୀ କମ୍ପନ ।୨୪ ।

ବିଦେଶରେ ହେଲା ମଙ୍ଗଳ ଜାତ

ବରୁଣ ସୁମନେ ହେଲା ରଞ୍ଜିତ

ବ୍ୟାଧ ସମ କରି ପୁଣି ସେ କାଳ

ବନରୁ ନାଶିଲା ଖୋଜି କମଳ

ବାହୁବନ୍ଧେ ରଖେ ।

ବେଳେ ବେଳେ ଜନ ସେ ପାଶେ ଯୋଖେ ।୨୫ ।

 

୨୧ଶ ପଦ :- ମାର୍କଣଣ୍ଡେୟଙ୍କଠାରୁ ଏହିପରି ଶୁଣି ଅଗସ୍ତ୍ୟ କହିଲେ, ‘‘ତୁମ୍ଭେ ଚତୁର ହୋଇ ବଣା ହେଉଛ । ପ୍ରଳୟ କାଳରେ କଳ୍ପବଟରେ ପତ୍ରପୁଟରେ ଚାରିଗୋଟି ହାତ ଥିଲା କି ? (ଅର୍ଥାତ୍‌ ତୁମ୍ଭେ ସାତକଳ୍ପ ବଞ୍ଚିବାକୁ ଶିବଙ୍କଠାରୁ ବର ପାଇଥିବାରୁ ଅବଶ୍ୟ ଜୀବରେ କେତୋଟି କଳ୍ପର ଶେଷକାଳୀନ ପ୍ରଳୟ ଦେଖିଲଣି । ସେହିସବୁ ପ୍ରଳୟ କାଳରେ ବଟପୁଟଶାୟୀ ଚତୁର୍ଭୁଜ ବିଷ୍ଣୁଙ୍କୁ ଦେଖିଛ କି ?) ସେ କେବଳ ଅତି ନିର୍ମଳ, ବାଳମୁକୁନ୍ଦ ମୂର୍ତ୍ତି ଧାରଣ କରିଥିଲେ ପରା ! (ଅତଏବ ଏବେ ରାମରୂପରେ ଦ୍ୱିଭୁଜ ହୋଇଅଛନ୍ତି) । ଯେତେବେଳେ ବ୍ରହ୍ମାଦି ଦେବତାମାନେ ଥାଇ ଅଭିଷେକ ହେବ, ସେତେବେଳେ ତାଙ୍କର ବୈଷ୍ଣବେଶ୍ୱର୍ଯ୍ୟ ଦେଖିବ।’’

 

୨୨ଶ ପଦ :- ‘‘ଯେପରି ବାମନ ହେବ ତ୍ରିବିକ୍ରମ ହେଲେ ଅର୍ଥାତ୍‌ କ୍ରମେ କ୍ରମେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳକୁ ଅଧିକାର କରିଥିଲେ, ସେହିପରି ଏହାଙ୍କର ଐଶ୍ୱର୍ଯ୍ୟ କ୍ରମେ ବୃଦ୍ଧି ହେବ । (ଅର୍ଥାତ୍‌ କ୍ରମେ ବାନର, ରାକ୍ଷସ ଓ ଦେବତାମାନେ ଏହାଙ୍କ ସେବାରେ ନିଯୁକ୍ତ ହେବେ ବା ବିଷ୍ଣୁ ବୋଲି ଜାଣି ପାରିବେ ) ।’’ ମୁନି ଦୁହେଁ ଏହିପରି କଥାବାର୍ତ୍ତା ହୋଇ ଯାଉଁ ଯାଉଁ ଅଳ୍ପସମୟ ମଧ୍ୟରେ ନିଜ ନିଜ ଆଶ୍ରମରେ ପହଞ୍ଚିଲେ । ପ୍ରସିଦ୍ଧ ହେମନ୍ତ ଋତୁ ନିଜର ବର୍ଣ୍ଣ ରୂପ କୁହୁଡ଼ି ଦ୍ୱାରା ସଂସାରକୁ ହଠାତ୍‌ ବ୍ୟାପିଗଲା । ଏହା ଦେଖି ମନେ ହେଲା, ଏ ଐରାବତ ହସ୍ତୀ କି ? କାରଣ ସେ ମଧ୍ୟ ‘ବର୍ଣ୍ଣକୁଜ୍‌ଝଟୀ’ ଧୂସର ବର୍ଣ୍ଣ ଧାରଣ କରି ଜନ୍ମଗ୍ରହଣ କରିବା ସଙ୍ଗେ ସଙ୍ଗେ ଅତିବେଗରେ ‘ଜଗତୀ’ ଜଳକୁ ଆକ୍ରମଣ କରିଥିଲା ଅର୍ଥାତ୍‌ ସମୁଦ୍ରର ଚାରିଆଡ଼େ ପହଁରିବାରେ ଲାଗିଥିଲା।

 

୨୩ଶ ପଦ :- ବିଭ୍ରାଜିତ-ବିରାଜିତ । ସୁରେ-ଦେବତାଙ୍କଠାରେ, ସୂର୍ଯ୍ୟଙ୍କଠାରେ । ବାସବ-ଇନ୍ଦ୍ର, ଉତ୍ତମଗୃହ, ଉତ୍ତମ ବସ୍ତ୍ର । ବାଳମାନସ-ବଳିଷ୍ଠ ଲୋକମାନଙ୍କର ହୃଦୟ । ମଦକଣ-ମତ୍ତହସ୍ତୀଠାରୁ ନିର୍ଗତ ଜଳ ।

 

୨୩ଶ ପଦ :- ଐରାବତ ହସ୍ତୀର କୁନ୍ଦଫୁଲ ପରି ଶୁଭ୍ରଦାନ୍ତ ଥିବାରୁ ସେ ଅତିଶୟ ସୁନ୍ଦର ଦେଖାଯାଏ ଏବଂ ସୁନ୍ଦର ପର୍ବତ ସୁମେରୁରେ କ୍ରୀଡ଼ା କରେ । ତାହା ଦେହରୁ ବିନ୍ଦୁ ବିନ୍ଦୁ ହୋଇ ଦାନଜଳ (ମଜ୍ଜଳ) ବୃଷ୍ଟି ହେଉଥାଏ ଅର୍ଥାତ୍‌ ଖସି ପଡ଼ୁଥାଏ । ସେ ଦେବତାମାନଙ୍କ ପ୍ରତି ଆଦର ପ୍ରକାଶ କରିଥିଲା । ଇନ୍ଦ୍ର ତାହାକୁ ଅତିଶୟ ସ୍ନେହ କରନ୍ତି ଓ ସେ ବଳ ନାମକ ଅସୁରର ହୃଦୟରେ ଭୟ ଜାତ କରାଇଥିଲା । ସେହିପରି ହେମନ୍ତକାଳ କୁନ୍ଦପୁଷ୍ପରୂପ ଦନ୍ତ ଧାରଣ କରି ସୁନ୍ଦର ଦେଖାଗଲା । (ଅର୍ଥାତ୍‌ ହେମନ୍ତ ଆସିବାରୁ କୁନ୍ଦ ଫୁଲମାନେ ଫୁଟିଲେ) ଏବଂ ଜଙ୍ଗଲ, ଗୃହ, ପର୍ବତମାନଙ୍କରେ ବିହାର କଲା ଅର୍ଥାତ୍‌ ଚାରିଆଡ଼େ ବ୍ୟାପିଗଲା । କାକର ବିନ୍ଦୁ ବିନ୍ଦୁ ହୋଇ ପଡ଼ିଲା, ସୂର୍ଯ୍ୟଙ୍କ ପ୍ରତି ଲୋକମାନଙ୍କର ଆଦର ବଢ଼ାଇଲା, ଭଲଲୁଗା ବା ଭଲଘର ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରାଇଲା ଓ ବଳବାନ ଲୋକମାନଙ୍କୁ ମଧ୍ୟ କମ୍ପାଇଲା । (ଦୁର୍ବଳମାନଙ୍କ କଥା କଣ ବା କହିବା ?)

 

୨୪ଶ ପଦ :- ନମୁଚି-ରାକ୍ଷସ ବିଶେଷ, ଛଡ଼ାଇ ନ ଦେଇ । ଐନ୍ଦ୍ରି-ଇନ୍ଦ୍ରପୁତ୍ର ଜୟନ୍ତ, କାକସମୂହ, କାମୁକ । ବିରବ-ଘୋର ଗର୍ଜନ । ଘନ-ମେଘ ।

 

୨୪ଶ ପଦ :- ଯେପରି ଐରାବତ ଯୋଗୁଁ ନମୁଚିନାମକ ଅସୁର ଦୁଃଖିତ ହୋଇ ବିରସତା ପ୍ରାପ୍ତ ହୋଇଥିଲା ଓ ଇନ୍ଦ୍ରପୁତ୍ର ଜୟନ୍ତଙ୍କ ଚିତ୍ତ ପ୍ରଫୁଲ୍ଲିତ ହୋଇଥିଲା, ସେହିପରି ହେମନ୍ତ ଯୋଗୁଁ ଦରିଦ୍ରମାନେ ଅଥବା ‘ଦିନ’ ଦିବସଗୁଡ଼ିକ ଅନବରତ ଶୁଷ୍କତା ବା କ୍ଷୀଣତାକୁ ତ୍ୟାଗ କଲେନାହିଁ । (ଅର୍ଥାତ୍‌ ଶୀତ ପବନ ବହିବା ଯୋଗୁଁ ମନୁଷ୍ୟମାନେ ଓ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଯୋଗୁଁ ଦିନସବୁ କ୍ଷୀଣ ହେବାକୁ ଲାଗିଲେ) । କାକରମାନଙ୍କର ଚିତ୍ତ ପ୍ରଫୁଲ୍ଲିତ ହେଲା ଅର୍ଥାତ୍‌ ସେମାନେ ସୁନ୍ଦର ଦେଖାଗଲେ । (ପୟା ଅମାବାସ୍ୟା ପରଦିନଠାରୁ କାକମାନେ ସୁନ୍ଦର ଦେଖାଯାନ୍ତି ବୋଲି ପ୍ରବାଦ ଅଛି, ଏଣୁ ସେହି ଦିନକୁ କାଉ ସୁନ୍ଦର ବୋଲି କହନ୍ତି) ଅଥବା ଐନ୍ଦ୍ରିୟ (ଇନ୍ଦ୍ରିୟ ବଶ) କାମୁକମାନଙ୍କର ମନରେ ଆନନ୍ଦ ପ୍ରକାଶିତ ହେଲା । ଏହି ସମୟରେ ଶରତ୍‌ ଋତୁ ହିରଣ୍ୟାକ୍ଷ ଅସୁରର ଶୋଭାକୁ ଧାରଣ କଲା । ହିରଣାକ୍ଷ ଯେପରି ଜଗତକୁ ଆକ୍ରମଣ କରିଥିଲା, ଶରତ୍‌ ସେହିପରି ଆକ୍ରମଣ କଲା । ହିରଣାକ୍ଷ ବରାହ ରୂପ ଧାରଣ କରିଥିବା ବିଷ୍ଣୁଙ୍କର ଅତି ମୁନିଆଁ ଦାନ୍ତରେ ଫୋଡ଼ିହେବା ଦ୍ୱାରା ଯେଉଁପରି ଶୋଭାଧାରଣ କରିଥିଲା, ଏହି ସମୟରେ ବାରିହାଦାଢ଼ ନାମକ ଫୁଲ ଫୁଟିବାରୁ ପୃଥିବୀ ସେହିପରି ଶୋଭା ଧାରଣ କଲା । ହିରଣାକ୍ଷ ମରି ଯିବାରୁ ପୃଥିବୀ ଯେପରି କମ୍ପ ଶୂନ୍ୟ ଓ ଗର୍ଜନ ଶୂନ୍ୟ ହୋଇଥିଲା, ଏହି ସମୟରେ ପୃଥିବୀ ସେହିପରି ‘ଘନବିରଦ’ ଘଡ଼ଘଡ଼ି ଶୂନ୍ୟ ଓ ଘଡ଼ଘଡ଼ି ଜନିତ କମ୍ପନ ଶୂନ୍ୟ ହେଲା ।

 

୨୫ଶ ପଦ :- ବିଦେଶ-ଆକାଶ ଦେଶ, ନାନାଦେଶ । ବନ-ଜଙ୍ଗଲ, ଜଳ । କମଳ-ପଦ୍ମ, ମୃଗ । ପାଶ-ଫାଶ, ନିକଟ।

 

୨୫ଶ ପଦ :- ହିରଣ୍ୟାକ୍ଷ ନାଶ ହେବାରୁ ଆକାଶ ଦେଶରେ ଅର୍ଥାତ୍‌ ସ୍ୱର୍ଗରେ ଯେପରି ନୃତ୍ୟ, ଗୀତ ପ୍ରଭୃତି ମଙ୍ଗଳ କାର୍ଯ୍ୟସବୁ ଅନୁଷ୍ଠିତ ହୋଇଥିଲା, ଶରତ ପରେ ଆସିଥିବା ହେମନ୍ତ ଋତୁରେ ସେହିପରି ‘ବିଦେଶ’ ନାନା ଦେଶରେ ଅର୍ଥାତ୍‌ ପ୍ରତ୍ୟେକ ଗ୍ରାମରେ ବିବାହ ପ୍ରଭୃତି ମଙ୍ଗଳ କାର୍ଯ୍ୟସବୁ ଅନୁଷ୍ଠିତ ହେଲା । ହିରଣ୍ୟାକ୍ଷ ମରିବାରୁ ବରୁଣ ପ୍ରଭୃତି ଦେବତାମାନେ ଯେପରି ଆନନ୍ଦିତ ହୋଇଥିଲେ, ଏହି ଋତୁରେ ବରୁଣ ବୃକ୍ଷ ସେହିପରି ପୁଷ୍ପମଣ୍ଡିତ ହେଲା । ଆଉ ମଧ୍ୟ ବ୍ୟାଧ ଯେପରି ଖୋଜି ଖୋଜି ବନରୁ ମୃଗମାନଙ୍କୁ ନାଶ କରେ ହେମନ୍ତକାଳ ସେହିପରି ଜଳରୁ ପଦ୍ମମାନଙ୍କୁ ନାଶ କଲା । ସେହି ବ୍ୟାଧ ସମୟ ସମୟରେ ଫାଶ ଯୋଖି ଯେପରି ମୃଗକୁ ବାନ୍ଧି ରଖେ, ଏହି ହେମନ୍ତରେ ସେହିପରି ସ୍ତ୍ରୀମାନେ ସମୟ ସମୟରେ ପୁରୁଷମାନଙ୍କୁ ବାହୁରେ ବାନ୍ଧି ନିକଟରେ ରଖିଲେ ।

 

ବିତତରୁ ରାମ କହେ ଆତୁରେ

ବୋଲାଉ ତୁ ୠତୁ ବାଧୁ ୠତୁରେ

ବିଧାତା ତୁହି (ହୀ)ନ ବୋଲିଛି ଜାଣି

ବିଦଗ୍‌ଧ କରୁ(ତୁ) ପଦ୍ମିନୀ ଶ୍ରେଣୀ

ବନ୍ଧୁ ମୋ ପଦ୍ମିନୀ ।

ବିନାଶ ନା ତାକୁ ଭ୍ରମକୁ ଘେନି ।୨୬ ।

ବୃକ୍ଷେ ବସି ହୁଁ ହୁଁ କରୁ କପୋତ

ବିଚାରିଲେ ଶୁଣି କଲା ସମ୍ମତ

 

ବୋଇଲେ ଉଚ୍ଚେ ତୁଷାର ତୁଷାର

ବ୍ରହ୍ମାଣ୍ଡେ ତ ହୋଇଥିଲୁ ତୁ ସାର

ବିପକ୍ଷର ତହିଁ ।

ବାଦ ଅନୁକୂଳ ସମୟ ତୁହି ।୨୭ ।

 

ବର୍ତ୍ତିଥିବ ଏକା ନାଗରୀବର

ବର୍ତ୍ତିଥିବ ସେ ତ ଜୀବନ ମୋର

ବର୍ତ୍ତିଥିବାରେ ମୋ ନାହିଁ ସଂଶୟ

ବଞ୍ଚାଇ ତ୍ରିକାଳେ ମୋତେ ତା ଦେହ

ବଞ୍ଚୁଥିବ ସେହି ।

ବର୍ଷ୍ମ ଉଷ୍ମ ଶୀତ ହିମତ ବହି ।୨୮ ।

ବାନ୍ଧବୀ ପରା ମୋ ନାହିଁ ସୁନ୍ଦରୀ

ବାସେ ଦେହ ସଜ ସରୋଜ ପରି ।

 

ବାମଦେବାରି ହୃଦେ ଯୋଖି ଶର

ବିନ୍ଧୁଁ ମୋହି ହୋଇ ଥରିବ କର ।

 

ବାଜିବ କି ଲାଖ ।

ବିଶୀର୍ଣ୍ଣ ହେବ ଗୁଣ ଶିଳୀମୁଖ ।୨୯ ।

 

ବିରହାନଳ ଜାଳୁଁ ତା ଶରୀର

ବୁଡ଼ିଥିବ ଭାବ ଭାବନା ନୀର ।

 

ବହୁତ ଜନ୍ମର ସୁକୃତରାଶି

ବିନୋଦ କଲେ ମୋ ଏଠାରେ ଆସି ।

 

ବଧି ବଧି ଭଲା ।

ବାରୁଣୀ ଶୋଭାରୀତି ତାକୁ ଦେଲା ।୩୦ ।

 

୨୬ଶ ପଦ :- ବିତତରୁ-ବିସ୍ତୃତି ଲାଭ କରିବାରୁ । ଋତୁରେ- ସ୍ତ୍ରୀ, ସ୍ତ୍ରୀମାନଙ୍କର ରଜୋରୂପରେ । ବାଧୁ-ପୀଡ଼ଦେଉ । ତୁହିନ-ଶିଶିର ।

୨୬ଶ ପଦ :- ଏହିପରି ହେମନ୍ତଋତୁ କ୍ରମେ ବିସ୍ତୃତି ଲାଭ କରିବାରୁ ରାମଚନ୍ଦ୍ର ଆତୁର ହୋଇ କହିଲେ, ‘‘ହେ ହେମନ୍ତ ! ତୁ ଋତୁ ନାମରେ ଅଭିହିତ ଅଟୁ, ଏଣୁ ସ୍ତ୍ରୀମାନେ ରଜସ୍ୱାଳା ହେବା ସମୟରେ ସ୍ତ୍ରୀ ଓ ପୁରୁଷମାନଙ୍କ ବାଧା ଦେଉ । ଏହା ଜାଣ ବିଧାତା ଷଡ଼୍‌ଋତୁମାନଙ୍କ ମଧ୍ୟରେ ତୁ ହୀନ ବୋଲି କହିଛି, (ହେମନ୍ତର ଅନ୍ୟନାମ ତୁହିନ ଅଟେ) । ତୁ ପଦ୍ମିନୀମାନଙ୍କୁ ନାଶକରୁ; ମୋ ପ୍ରିୟା ପଦ୍ମିନୀ ଜାତୀୟା ଅଟେ, ସୁତରାଂ ତାକୁ ଭୁଲବଶତଃ ଆଉ ନାଶ କର ନାହିଁ ।’’

୨୭ଶ ପଦ :- ଏହି ସମୟରେ ଗଛ ଉପରେ ବସି କପୋତ ପକ୍ଷୀ ହୁଁ ହୁଁ ଶବ୍ଦ କରିବାରୁ ରାମଚନ୍ଦ୍ର ମନେ କଲେ ହେମନ୍ତ ମୋ କଥା ଶୁଣି ସମ୍ମତି ପ୍ରକାଶ କଲା । ମୋ ସ୍ତ୍ରୀକୁ ମାରିବ ନାହିଁ ବୋଲି କହିଲା । ଏଣୁ ଆନନ୍ଦିତ ହୋଇ ଉଚ୍ଚସ୍ୱରରେ କହିଲେ ‘‘ହେ ତୁଷାର । ତୁଷାର ! ଏହି ବ୍ରହ୍ମାଣ୍ଡରେ ତୋର ନାମ ଉତ୍କୃଷ୍ଟ ଅଟେ । କାରଣ ତୁ ଶତ୍ରୁ ସହ ବିବାଦ ରଚନା କରିବାର ଅନୁକୂଳ ସମୟ ଅଟୁ ।’’

୨୮ଶ ପଦ :-ବର୍ଷ୍ମ-ଦେହ ।

୨୮ଶ ପଦ :- ‘‘ମୋର ନାଗରୀମଣି ଏକା ହୋଇ ବଞ୍ଚି ରହିଥିବ କି ? (ନିଶ୍ଚୟ ବଞ୍ଚିଥିବ) କାରଣ ସେ ତ ମୋର ଜୀବନ ଅଟେ । ମୁଁ ବଞ୍ଚିଥିବାରୁ ଏ ବିଷୟରେ ସନ୍ଦେହ କରିବା ଦରକାର ନାହିଁ । ତାର ଦେହ ମୋତେ ଗ୍ରୀଷ୍ମ, ବର୍ଷା ଓ ଶୀତ ଏହି ତିନି କାଳରେ ବଞ୍ଚାଇଥିଲା । (ଅର୍ଥାତ୍‌ ତା ଯୋଗୁଁ ମୁଁ ଏହି ତିନି ଋତୁରେ ଦୁଃଖ ଅନୁଭବ କରିନଥିଲି), ସେହି ପ୍ରିୟା ମଧ୍ୟ ନିଜ ଦେହରେ ଶୀତ କାଳରେ ଉଷ୍ମ, ଗ୍ରୀଷ୍ମରେ ଶୀତଳ ଓ ବର୍ଷାରେ ଶୀତୋଷ୍ଣଭାବ ବହନ କରି ବଞ୍ଚିଥିବ ।’’

୨୯ଶ ପଦ :- ସଜ ସରୋଜ-ସଦ୍ୟ ପ୍ରସ୍ଫୁଟିତ ପଦ୍ମ । ବାମଦେବାରି-କନ୍ଦର୍ପ । ଗୁଣ ଶିଳୀମୁଖ-ଗୁଣମୟ ଭ୍ରମରମାନେ।

୨୯ଶ ପଦ :- ‘‘ମୋର ବାନ୍ଧବୀ ପରି ଆଉ ସୁନ୍ଦରୀ କେହି ନାହାଁନ୍ତି । ତାର ଦେହ ସଜ ପଦ୍ମଫୁଲ ପରି ବାସେ । କନ୍ଦର୍ପ ଧନୁରେ ଶର ଯୋଖି ପ୍ରିୟାର ହୃଦୟକୁ ଲକ୍ଷ୍ୟ କଲା ବେଳେ ସେ ତାର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇଯିବ ଓ ତାର ହାତ ନିଶ୍ଚୟ ଥରିବ, ଏଣୁ ତାର ଲାଖ ବାଜିବ କି ? (ବାଜିବ ନାହିଁ) ମାତ୍ର ତାର ଧନୁର ଗୁଣ ଓ ଶର ଅଥବା ଗୁଣରୂପୀ ଭ୍ରମରମାନେ ଖସିଯାଇ ଇତସ୍ତତଃ ହୋଇ ପଡ଼ିବେ ବା ଉଡ଼ିବେ ।’’

୩୦ଶ ପଦ :- ବିନୋଦ-କ୍ରୀଡ଼ା । ବାରୁଣୀ-ବରୁଣ ସମ୍ୱନ୍ଧୀୟ ।

୩୦ଶ ପଦ :- ‘‘ବିରହାନଳ ତାର ଦେହକୁ ଅବା ପୋଡ଼ି ପକାନ୍ତା, କିନ୍ତୁ ତାହା ହୋଇ ନ ପାରେ; କାରଣ ସେ ମୋ ଭାବନାରୂପ ଜଳରେ ବୁଡ଼ି ରହିଥିବ । ଏଠାରେ ମୋର ବହୁତ ପୁଣ୍ୟସମୂହ ଆସି ଏକତ୍ରିତ ହୋଇ କ୍ରୀଡ଼ା କଲେ କି ? ବିଧାତାର ବିଧାନ ବିଚିତ୍ର ଅଟେ, ଯେ ହେତୁ ପ୍ରିୟାକୁ ବରୁଣଙ୍କ ସମ୍ୱନ୍ଧୀ ଶୋଭାର ଗତିକୁ ଦେଲା ଅର୍ଥାତ୍‌ ଜଳଦେବତା ବରୁଣ ଯେପରି ଜଳ ମଧ୍ୟରେ ବୁଡ଼ି ରହିଛନ୍ତି; ପ୍ରିୟାକୁ ସେହିପରି ମୋ ଭାବଜଳରେ ବୁଡ଼ାଇ ରଖିଲା । ଅଥବା ବାରୁଣୀ ଯୋଗରେ ସମୁଦ୍ରରେ ବା ପ୍ରୟାଗରେ ବୁଡ଼ ପକାଇ ଲୋକମାନେ ପୁଣ୍ୟ ଲାଭ କଲାପରି ପ୍ରିୟା ମୋ ଭାବରୁପ ଜଳାଧାରରେ ବୁଡ଼ି ପୁଣ୍ୟ ବଳରୁ ବିରହାନଳକୁ ଶାନତ କଲା ।’’

୩୧ଶ ପଦ :- ବହ୍ନିଶର-ଅଗ୍ନିଶର । ବଂଶ-ବାଉଁଶ ଗଛ । ବିଶ୍ରାମ-ନଗର-ବାସସ୍ଥାନ । ବିଶ୍ରମ ନଗ-ବିଶ୍ରାମ ପର୍ବତ ।

୩୧ଶ ପଦ :- ମୁଁ ମୋର ବିବାଦୀ ରାବଣ ଗ୍ରୀଷ୍ମକାଳ ପରି ହୋଇ ତାର ବହୁକାଳରୁ ବାଉଁଶ ଗଛପରି ବଢ଼ିଥିବା ବଂଶକୁ ଦାବାନଳ ତୁଲ୍ୟ ଅଗ୍ନିଶର ମାରି ପାଉଁଶ କରିଦେବି ଏବଂ ତାର ରହିବା ସ୍ଥାନ ଲଙ୍କା ନଗରୀକୁ ବାଉଁଶ ଗଛର ଆଶ୍ରୟସ୍ଥଳ ପର୍ବତ ପରି ପୋଡ଼ି ଦେଇ ସୈନ୍ୟରୂପ ପତଙ୍ଗମାନଙ୍କୁ ବଳପୂର୍ବକ ନେଇ ସେଥିରେ ପକାଇବି ।’’

୩୨ଶ ପଦ :- ବ୍ରହ୍ମପଦବୀ-ବ୍ରହ୍ମପଦ । ବାନରପତି- ସୁଗ୍ରୀବ ।

୩୨ଶ ପଦ :- ‘‘ରାବଣକୁ ରକ୍ଷା କରିବାପାଇଁ ବ୍ରହ୍ମା ଯଦି ତାର ପକ୍ଷ ଗ୍ରହଣ କରନ୍ତି, ତାହାହେଲେ ତାଙ୍କର ବ୍ରହ୍ମା ଉପାଧିକୁ ରଖିବି ନାହିଁ ଅର୍ଥାତ୍‌ ଜଗତରୁ ବ୍ରହ୍ମା ପଦ ଲୋପ କରିଦେବି ।’’ ଏହା କହି ରାମଚନ୍ଦ୍ର ତୁନି ହେଲେ ଏବଂ ସୁଗ୍ରୀବ କେବେ ଆସିବେ ମନେ ମନେ ଏହା ଭାବିବାକୁ ଲାଗିଲେ । ଏହି ମନୋହର ଛନ୍ଦକୁ ଉପେନ୍ଦ୍ର ବତିଶ ପଦରେ ରଚନା କଲେ ।

 

Unknown

ଦ୍ୱାତ୍ରିଂଶ ଛାନ୍ଦ

 

ବିକ୍ରମି ଲକ୍ଷ୍ମଣ ମିଳେ କିସ୍କିନ୍ଧ୍ୟାକାନନ

ବସନ୍ତ ମଳୟାଦ୍ରିରୁ କି ସେ ଆଗମନ ?

।୧।

ବଚନ କୋକିଳ ସଦାଗତି ମେଳ ହୋଇ

ବହୁତ ସୁମନାକୁ ସେ ଉତ୍‌ଫୁଲ୍ଲ କରାଇ

।୨ ।

ବିହୀବେ ଦକ୍ଷିଣଭାବେ ଯାତ୍ରା ଆରମ୍ଭିଣ

ବନୌକା ଖେଳିସବ ରଖେ ଅବୀ(କି) ର କରିଣ

। ୩ ।

ବିଜେ ରାଜା ସିଂହଦ୍ୱାରେ ରାମାନୁଜ ଯାଇ

ବନ୍ଧ ଲଭି ପ୍ରବୃଦ୍ଧ ସରିତ ସରି ରହି

।୪ ।

ବିଧିରେ ତ ଶରାଳୀରେ ଯୁକ୍ତ ହୋଇଛନ୍ତି

ବାରି ପୁର୍ଣ୍ଣ ଅପଘନେ ରୁଚିର ଦିଶନ୍ତି

।୫।

 

ରାଗ - ମଙ୍ଗଳଗୁଜ୍‌ଜରୀ

୧ମ ପଦ :- ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଅତି ଶିଘ୍ର ଯାଇ କିସ୍କିନ୍ଧ୍ୟା ପୁର ନାମକ ଜଙ୍ଗଲରେ ମିଳିଲେ । ସେହି ସମୟରେ ତାଙ୍କୁ ଦେଖି ମନେହେଲା, ବସନ୍ତ ମଳୟ ପର୍ବତରୁ ଆସୁଛି କି ? (ଏହା ଦ୍ୱାରା ଲକ୍ଷ୍ମଣଙ୍କର ନମନୀୟତା ପ୍ରକାଶିତ ହେଲା) ।

୨ୟ ପଦ :- ସଦାଗତି-ଅବିଶ୍ରାନ୍ତ ଗମନ, ପବନ । ବହୁତ ସୁମନା-ଅନେକ ପୁଷ୍ପ, ଦେବତାମାନେ । ଉତ୍‌ଫୁଲ-ପ୍ରସ୍ଫୁଟିତ।

୨ୟ ପଦ :- ବସନ୍ତ ସମୟ ଯେପରି କୋକିଳର କୁହୁରାବ ଓ ଦକ୍ଷିଣା ପବନରେ ମିଳିତ ହୋଇଥାଏ ଏବଂ ବହୁତ ଫୁଲ ସେହି ସମୟରେ ଫୁଟିଥାନ୍ତି, ସେହିପରି ଲକ୍ଷ୍ମଣ କୋକିଳ ତୁଲ୍ୟ ମଧୁର ବଚନ ଓ ଅବିଶ୍ରାନ୍ତ ଗମନରେ ନିଯୁକ୍ତ ହୋଇ ଦେବତାମାନଙ୍କୁ ଆନନ୍ଦିତ କରାଇଲେ । (ଅର୍ଥାତ୍‌ ତାଙ୍କର କଥାଶୁଣି, ଅବିଶ୍ରାନ୍ତ ଗତି ଦେଖି ଦେବତାମାନେ ଆନନ୍ଦିତ ହେଲେ)।

୩ୟ ପଦ :- ଯାତ୍ରା-ବସନ୍ତୋତ୍ସବ (ଦୋଳଯାତ୍ରା) । ବନୌକା-ବାନରମାନେ । ରକ୍ଷେ-ରାକ୍ଷସମାନଙ୍କୁ । ଅବୀର-ବୀର୍ଯ୍ୟହୀନା । ଅବିର-ଫଗୁ ।

୩ୟ ପଦ ;- ବସନ୍ତକାଳରେ ଯେପରି ଦୋଳଯାତ୍ରା ଆରମ୍ଭ କରି ଫଗୁ ଖେଳନ୍ତି, ସେହିପରି ଲକ୍ଷ୍ମଣ ଦକ୍ଷିଣ ଦିଗରେ ଥିବା ଲଙ୍କାକୁ ଯୁଦ୍ଧ ଯାତ୍ରା ଆରମ୍ଭ କରିବେ ଏବଂ ବାନରମାନେ ରାକ୍ଷସଙ୍କୁ ଯୁଦ୍ଧରେ ଅବୀର ଦୁର୍ବଳ କରି ସେମାନଙ୍କ ସହିତ ଖେଳିବେ ଅର୍ଥାତ୍‌ ଅନାୟାସରେ ସେମାନଙ୍କୁ ଜୟ କରିବେ ।

୪ର୍ଥ ପଦ :- ପ୍ରବୃଦ୍ଧ ସରିତ-ବଢ଼ିଲା ନଈ । ରାମାନୁଜ-ଲକ୍ଷ୍ମଣ ।

୪ର୍ଥ ପଦ :- ନଦୀ ବୃଦ୍ଧି ହେଉଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧରେ ଅଟକି ରହିଲା ପରି, ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେହିଠାରେ ବିଜେକଲେ, ଅର୍ଥାତ୍‌ ଅଟକି ରହିଲେ ।

୫ମ ପଦ :- ଶରାଳୀ-ପକ୍ଷୀବିଶେଷ, ସରସମୁହ । ଅପଘନ-ଦେହ ।

୫ମ ପଦ :- ବିଧାତାର ନିୟମାନୁସାରେ ବଢ଼ିଥିବା ନଦୀର ଗର୍ଭଦେଶ ନାନାପ୍ରକାର ପକ୍ଷୀମାନଙ୍କଦ୍ୱାରା ଯୁକ୍ତ ହୋଇ ଜଳପୂର୍ଣ୍ଣ ହୋଇଥିବାରୁ ଯେପରି ମନୋହର ଦେଖାଯାଏ, ସେହିପରି କ୍ଷତ୍ରିୟ ନିୟମାନୁସାରେ ଲକ୍ଷ୍ମଣଙ୍କର ଦେହ ବ୍ରହ୍ମାସ୍ତ୍ର ପ୍ରଭୃତି ବହୁବିଧ ଶରରେ ଯୁକ୍ତ ହୋଇ ଝାଳ ଜର୍ଜରିତ ହୋଇଥିବାରୁ ସୁନ୍ଦର ଦେଖା ଯାଉଥିଲା ।

 

ବସିଥିଲା ଦ୍ୱିବି ନାମରେ କପି ଦ୍ୱାରେ

ବୋଇଲେ କହି ଲକ୍ଷ୍ମଣ ଆଗତ ରାଜାରେ

। ୬ ।

ବୃଷଣ ବିଦାରି ଚକ୍ଷୁ ଚାଳି ସେ ରଦନ

ବିକୃତମୁଖ ଦେଖାଇ ଭାଷେ କେ ତୁ ପୁନ

। ୭ ।

ବୋଇଲେ କେତୁ ହୁଅନ୍ତୁ ଏ ଦେହରେ ନାହିଁ

ବିଳମ୍ବ ନ କରି ତୁ ଲକ୍ଷ୍ମଣ ହୁଅ କହି

। ୮ ।

ବଳୀ ବଳି ଦେଖେ ସେ ପ୍ଳବଗଚନ୍ଦ୍ର ଶୋଭା

ବ୍ୟୋମଦୋଳିରେ ଉଦୟ କୋଳେ ତାରା ପ୍ରଭା

। ୯ ।

ବେନି କର ଯୋଡ଼ି ଜଣାଇଲା ତତ୍‌କ୍ଷଣ

ବିଜୟ ପୁରୁଷେ ଦ୍ୱାରେ ବୋଲନ୍ତି ଲକ୍ଷ୍ମଣ

୧୦ ।

 

 

୬ଷ୍ଠ ପଦ :- ଏହି ସମୟରେ ଦ୍ୱିବିତ ନାମରେ ପରିଚିତ ଏକ ବାନର ସିଂହଦ୍ୱାରରେ ବସିଥିଲା । ଲକ୍ଷ୍ମଣ ତାକୁ କହିଲେ, ‘‘ତୋ ରାଜା ଆଗରେ କହ, ଲକ୍ଷ୍ମଣ ଆସି ଅଛନ୍ତି ।’’

 

୭ମ ପଦ :- ବୃଷଣ-ଅଣ୍ଡକୋଷ । ଉଦନ-ଦନ୍ତ । ବିକୃତମୁଖ-ବିକଟ ମୁଖ ।

 

୭ମ ପଦ :- ଏହା ଶୁଣି ସେହି ଦ୍ୱିବିଦ ବାନର ଅଣ୍ଡ କୋଷକୁ କୁଣ୍ଡାଇ ଆକ୍ଷି ବୁଲାଇ, ଦାନ୍ତ ରଗଡ଼ି ଭୟଙ୍କର ମୁଖକୁ ଦେଖାଇ କହିଲା, ‘‘ତୁ ପୁଣି କିଏ ?’’(ଏହାଦ୍ୱାରା ବାନର ସ୍ୱଭାବୋକ୍ତି ବର୍ଣ୍ଣନା କରାଗଲା) ।

 

୮ମ ପଦ :- ଦ୍ୱିବିଦ ‘କେତୁ’ ବୋଲି ଲକ୍ଷ୍ମଣଙ୍କୁ କହିବାରୁ ଲକ୍ଷ୍ମଣ ତାକୁ କହିଲେ, ତୁ ଏହିକ୍ଷଣି କେତୁ ରାକ୍ଷସ ପରି ଦୁଇଖଣ୍ଡ ହୁଅନ୍ତ; କିନ୍ତୁ ଏ ଦେହରେ ନାହିଁ, ଅର୍ଥାତ୍‌ ଏହା ଲକ୍ଷ୍ମଣ ଦେହ ଧାରଣ କରି ତେତେ ତାହା କରି ହେବ ନାହିଁ । ଦ୍ୱାପର ଯୁଗରେ ବଳରାମ ଦ୍ୱିବିଦକୁ ଭୈବତକ ପର୍ବତରେ ବଧ କରିବେ) । ଏଣୁ ବିଳମ୍ୱ ନ କରି ଲକ୍ଷ୍ମଣ ଆସିଛନ୍ତି ବୋଲି କହି ହୁଅ ଅର୍ଥାତ୍‌ ସମସ୍ତଙ୍କୁ କହ । ଅଥବା ରାଜାଙ୍କୁ କହି ମୋ ନିକଟରେ ଆସି ଉପସ୍ଥିତ ହୁଅ ।’’

୯ମ ପଦ :- ବଳି-ଅତିକ୍ରମ କରି । ପବଗଚନ୍ଦ୍ର-ବାନରପତି, ସୁଗ୍ରୀବ । ବ୍ୟୋମ-ଆକାଶ । ବ୍ୟୋମଦୋଳାରେ-ଆକାଶରେ ଝୁଲୁଥିବା ଦୋଳିରେ ।

 

୯ମ ପଦ :- ସେହି ବଳଶାଳୀ ଦ୍ୱିବିଦ ସିଂହଦ୍ୱାରକୁ ଅତିକ୍ରମ କରି ଦେଖିଲା, ଚନ୍ଦ୍ର ଯେପରି ଆକାଶରେ ଉଦୟ ହୋଇ ନିକଟରେ ଥିବା ନକ୍ଷତ୍ରମାନଙ୍କ କାନ୍ତିଦ୍ୱାରା ଶୋଭା ପାଉଥାନ୍ତି, ବାନରଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ ପ୍ରକାଶିତ ହୋଇ ଅର୍ଥାତ୍‌ ବସି କୋଳରେ ବସିଥିବା ତାରାର(ବାଳି ସ୍ତ୍ରୀ) କାନ୍ତିଦ୍ୱାରା ସେହିପରି ଶୋଭା ପାଉଛନ୍ତି ।

 

୧୦ମ ପଦ :- ସେହି ସମୟରେ ଦ୍ୱିବିଦ ଦୁଇହାତକୁ ଯୋଡ଼ି ଜଣାଇଲା, ‘‘ହେ ଦେବ ! ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି ।’’    

 

ବିଚିତ୍ର ମଣି ଭଣିଲା ଶଶିରୁ ଖସିଲ

ବହି ନରତନୁ କିମ୍ପା ଏଠାକୁ ଆସିଲା ?

।୧୧।

ବତିଶ ସଂଖ୍ୟା ସେ ଦେହେଁ ସହଜେ ମହତ୍ତ

ବୋଲ ଯା କେଉଁ ଲକ୍ଷଣ ଆସି କି ନିମିତ୍ତ ?

।୧୨ ।

ବାହୁଡ଼ି ଦ୍ୱାସ୍ଥ ପୁଚ୍ଛନ୍ତେ ବୋଲଇ ସେ ବୀର

ବୋଲ ସେ ରାମଅନୁଜ ଯେ ଶିରୀଦ ତୋର

। ୧୩ ।

ବାନର ଯାଉଁ ପାଞ୍ଚିଲେ ନ କହୁ ଏ ଭାଷ

ବାତାୟୁ ରାମ ତା ଅନୁଯାୟୀ ସିନା ଶଶ ।

। ୧୪ ।

 

୧୧ଶ ଓ ୧୨ଶ ପଦ :- ସୁଗ୍ରୀବ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଲକ୍ଷ୍ମଣ ଚନ୍ଦ୍ରଠାରେ ଥାଏ, ସେ କଣ ଚନ୍ଦ୍ରଠାରୁ ଖସି ପଡ଼ିଲା ? ଯଦିବା ଖସିପଡ଼ିଲା, ତାହାହେଲେ ମନୁଷ୍ୟ ଦେହ ଧରି ଏଠାକୁ ଆସିଲା କାହିଁକି ?’’ ପୁନର୍ବାର କହିଲା, ‘‘ବତିଶଗୋଟି ଲକ୍ଷଣ ଦେହରେ ଦେଖାଯାଏ । ସେ ତ ସ୍ୱଭାବତଃ ବଡ଼ଲୋକଙ୍କଠାରେ ଥାଏ ଯାଅ-ପଚାର ଏ କେଉଁ ଲକ୍ଷ୍ମଣ କି ନିମିତ୍ତ ଏଠାକୁ ଆସିଅଛ ?’’

 

୧୩ଶ ପଦ :- ରାମଅନୁଜ-ରାମଚନ୍ଦ୍ରଙ୍କର ସାନଭାଇ(ଲକ୍ଷ୍ମଣ) । ଶିରୀଦ-ସମ୍ପଦଦାତା । ଦ୍ୱାସ୍ଥ-ଦ୍ୱାରୀ ।

୧୩ଶ ପଦ :- ଦ୍ୱାରୀ ଦ୍ୱିବିଦ ବାହୁଡ଼ି ଆସି ପଚାରନ୍ତେ, ଲକ୍ଷ୍ମଣ କହିଲେ, ‘‘ଯା କହିବୁ, ଯେ ତୋତେ ଏହି ରାଜସମ୍ପଦ ଦେଇଅଛନ୍ତି, ସେହି ରାମଙ୍କ ସାନଭାଇ ଲକ୍ଷ୍ମଣ ଆସିଅଛନ୍ତି ।’’

୧୪ଶ ପଦ :- ବାତାୟୁ-ମୃଗ । ଅନୁଯାୟୀ-ସାନଭାଇ ।

୧୪ଶ ପଦ :- ଦ୍ୱିବିଦ ବାନର ଯିବାପରେ ଲକ୍ଷ୍ମଣ ଭାବିଲେ ମୃଗର ସାନ ଭାଇ ଶଶା ଆସିଛି’ ଏହି କଥା ଯାଇ ନ କହୁ । ଅର୍ଥାତ୍‌ ଯାହାର ‘ଲକ୍ଷ୍ମଣ’ ଶବ୍ଦରେ ଭ୍ରମ ଦେଖାଯାଉଅଛି, ତାର ରାମ ଶବ୍ଦରେ ମୃଗ ଭ୍ରମ ବା ନ ହେବ କାହିଁକି ?’

 

ବିନୋଦୀ ହସ୍ତରୁ ପୋଷା ମର୍କଟ ଫିଟଇ

ବିକୃତିମୁଖ ଦେଖାଇ ଗୁଣ ନ ମାନଇ

।୧୫ ।

ବଳିମୁଖ ସିନା ଏହି ସେ ବୁଦ୍ଧି ରଚିତ

ବାଳିନାଶାସ୍ତ୍ର ଧନୁରେ ଯୋଚି ତିଆରିତ

।୧୬ ।

ବସିବା ଦୋଳିସ୍ତମ୍ଭକୁ ଭେଦି ଦିଅ ତ୍ରାସ ।

 

ବୋଲୁଛି ସୁଗ୍ରୀବେ ଏ ସମୟେ ତାରା ଭାଷ

।୧୭ ।

ବିଭ୍ରମ ହେଲ କିପାଇଁ ରଘୁତ୍ତମଭ୍ରାତେ

 

ବଦାନ୍ୟ ସେ ସମ୍ପଦେ ସେହି ମଦମତ୍ତେ

।୧୮ ।

ବାଜେ ଆସି ସ୍ତମ୍ଭେ ଶର ପଡ଼େ କି ନିର୍ଘାତ

ବାଣ ତେଜଘାତେ ରବିସୁତ ମୂରୁଛିତ

।୧୯ ।

 

୧୫ଶ ପଦ :- ବଳିମୁଖ-ମର୍କଟ ।

୧୫ଶ ଓ ୧୬ଶ ପଦ :- ‘ଖେଳାଳି ହାତରୁ ତାର ପୋଷା ମାଙ୍କଡ଼ଟି ଫିଟି ଚାଲିଗଲେ, ସେହି ଖେଳାଳିର ପୋଷିଥିବା ଗୁଣକୁ ନ ମାନି ତାକୁ ବିକୃତ ମୁଖ ଦେଖାଯାଏ । ଏହି ସୁଗ୍ରୀବ ସେହିପରି ବୁଦ୍ଧି ଓ ଚରିତ ଦେଖାଉଛି । ଯେହେତୁ ଏ ମଧ୍ୟ ସେହିପରି ଗୋଟାଏ ମାଙ୍କଡ଼ ।’ ଏହିପରି ବିଚାର ଲକ୍ଷ୍ମଣ ବାଳିମରା ଶରକୁ ଧନୁରେ ଯୋଚି କହିଲେ;-

୧୭ଶ ଓ ୧୮ଶ ପଦ :- ‘‘ହେ ଶର, ତୁ ସୁଗ୍ରୀବ ବସିଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗି ତାକୁ ଭୟ ଦେଖା ।’’ ଏହି ସମୟରେ ତାରା ସୁଗ୍ରୀବକୁ କହିଲା, ‘‘ହେ ନାଥ ! ତୁମ୍ଭେ ରଘୁକୁଳ ଶ୍ରେଷ୍ଠ ରାମଙ୍କର ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେହି ରାମ ତୁମ୍ଭଙ୍କୁ ଏ ସମ୍ପତ୍ତି ଦାନ କରି ଅଛନ୍ତି ପରା ! ତୁମ୍ଭେ ସେହି ସମ୍ପତ୍ତିରେ ଏବେ ଭୋଳ ହେଉଅଛ ।’’

୧୯ଶ ପଦ :- ରବିସୁତ-ସୁଗ୍ରୀବ ।

୧୯ଶ ପଦ :- ତାରା ଏହିପରି କହୁଥିବା ସମୟରେ ଶର ଆସି ବଜ୍ର ପଡ଼ିଲା ପରି ଦୋଳି ସ୍ତମ୍ଭରେ ପଡ଼ିଲା । ସେହି ଶରର ତେଜ ସୁଗ୍ରୀବ ଦେହରେ ପଡ଼ିବାରୁ ସେ ମୂର୍ଚ୍ଛିତ ହେଲା ।

ବାସାନ୍ତରେ ଥିଲେ ଶାଖାମୃଗ ମନ୍ତ୍ରୀ ପାଞ୍ଚ

ବଜ୍ର ଇନ୍ଦ୍ର ବାଳିଛଳେ ମାଇଲା ଏ ପାଞ୍ଚ ।

। ୨୦ ।

ବଧ ପ୍ରାଣ ଯେବେ କରିଥିବ ସୁଗ୍ରୀବଙ୍କୁ

ବୁଡ଼ାଇବା ତା ସମ୍ପଦ କହି ରାଘବଙ୍କୁ

। ୨୧ ।

ବୋଲେ କେ କହିବାଯାଏ ରାଘବଙ୍କୁ କାହିଁ

ବାରି ସିଞ୍ଚି କର୍ଣ୍ଣ ଫୁଙ୍କେ ତାରା ମହାଦେଈ

। ୨୨ ।

ବସେ ଝାମ ଯାଇ ପିତ୍ତରୋଗୀ ପ୍ରାୟ ଛନ୍ନ

ବୁଝିଲେ ସମସ୍ତ କଥା ଉପାୟ ବିହୀନ

। ୨୩ ।

ବନ୍ଦାପନାସ୍ଥଳୀ ଘେନି ବାହାରିଲେ ରାଣୀ

ବାଡ଼ାନ୍ତରେ ମନ୍ତ୍ରୀ ଘେନି କପି ଚୂଡ଼ାମଣି

। ୨୪ ।

ବାଳିକା ଜାଙ୍ଗଳୀ ସ୍ତନ ପେଟୀ ବିଶାରଦ

ବନ୍ଦାଣ ତଣ୍ଡୁଳ ଧୂଳି ତନୁଗନ୍ଧ ଗଦ

। ୨୫ ।

ବିନୟ ପଦହିଁ ରାଗଯୋଗରେ ଉକତ

ବଶୀକୃତ ପୁନ୍ନାଗକୁ ବିହିତ ସ୍ଥକିତ

। ୨୬ ।

 

୨୦ଶ ପଦ :- ବାସାନ୍ତରେ-ଅନ୍ୟଗୃହରେ । ଶାଖାମୃଗମନ୍ତ୍ରୀ-ମର୍କଟ ମନ୍ତ୍ରୀ । ପାଞ୍ଚ-ବିଚାର ।

୨୦ଶ ପଦ :- ଏହି ସମୟରେ ଅନ୍ୟ ଘରେ ଥିବା ପାଞ୍ଚଜଣ ବାନର ମନ୍ତ୍ରୀ ମନେକଲେ, ସୁଗ୍ରୀବ ବାଳିକୁ ମରାଇଥିବାରୁ ଇନ୍ଦ୍ର ସେହି ରାଗରେ ବଜ୍ର ମାଇଲା କି ?

୨୧ଶ ପଦ :- ଯେବେ ଇନ୍ଦ୍ର ସୁଗ୍ରୀବଙ୍କ ପ୍ରାଣ ନାଶ କରିଥିବ, ତେବେ ରାମଚନ୍ଦ୍ରଙ୍କୁ କହି ତା ସମ୍ପତ୍ତିକୁ ବୁଡ଼ାଇବା ।

୨୨ଶ ଓ ୨୩ଶ ପଦ :- ସେମାନଙ୍କ ମଧ୍ୟରୁ ଜଣେ କହିଲା, ‘‘ରାମଚନ୍ଦ୍ରଙ୍କୁ କହିବାକୁ ଆଉ ସମୟ ନାହିଁ । ମହାଦେଈ ତାରା ପାଣି ସିଞ୍ଚି କାନ ଫୁଙ୍କିବାରୁ ସେ ବସି ପୁନର୍ବାର ପିତ୍ତରୋଗୀ ପରି ଶୀଘ୍ର ମୂର୍ଚ୍ଛା ଯାଇଅଛନ୍ତି ।’’ ମନ୍ତ୍ରୀମାନେ ଏହି ସମସ୍ତ କଥା ବୁଝି ଅର୍ଥାତ୍‌ଲକ୍ଷ୍ମଣଙ୍କ ଦ୍ୱାରା ଏହା ହୋଇଛି ଜାଣି ନିରୂପାୟ ହେଲେ ।

୨୪ଶ ପଦ :- ତତ୍ପରରେ ରାଣୀ ତାରା ବନ୍ଦାପନା ଥାଳୀ ଘେନି ଲକ୍ଷ୍ମଣଙ୍କୁ ବୋଧିବା ପାଇଁ ବାହାରିଲେ । ସୁଗ୍ରୀବ ମନ୍ତ୍ରୀମାନଙ୍କୁ ଘେନି ବାଡ଼ର ଅନ୍ତରାଳରେ ଲୁଚିଲେ ।

୨୫ଶ ପଦ :- ବିଶାରଦ-ଚତୁର । ଜାଙ୍କଳୀ-ବିଷବୈଦ୍ୟ, (ସାପୁଆ କେଳା) ।

୨୬ଶ ପଦ :- ପୁନ୍ନାଗ-ପୁରୁଷଶ୍ରେଷ୍ଠ, ପୁରୁଷ ନାଗସର୍ପ ।

୨୫ଶ ଓ ୨୬ଶ ପଦ :- ଚତୁର ବିଶବୈଦ୍ୟ ବା ସାପୁଆ କେଳା ଯେପରି ପେଡ଼ା ଦେଖାଇ ମନ୍ତ୍ରଧୂଳି ପକାଇ ଗଦ ସୁଙ୍ଘାଇ ଅତି ମଧୂର ସ୍ୱରରେ ପଦ୍ମତୋଳା ଗାନ କରି ଅଥବା ଆନନ୍ଦରେ ‘ପଦ’ ମନ୍ତ୍ରପଢ଼ି ପୁରୁଷ ନାଗସର୍ପକୁ ବଶୀଭୂତ କରି ବନ୍ଦୀକରେ, ସେହିପରି ଚତୁରୀ ଯୁବତୀ ତାରା ବିଷବୈଦ୍ୟା ସାଜି ସ୍ତନକୁ ପେଡ଼ି, ବନ୍ଦାଣ ତଣ୍ଡୁଳକୁ ମନ୍ତ୍ରଧୂଳି, ଦେହରେ ସୁଗନ୍ଧକୁ ଗଦ ଓ ମଧୁର କଣ୍ଠରେ କହୁଥିବା ସବିନୟ କଥାଗୁଡ଼ିକୁ ପଦ୍ମତୋଳା ବା ମନ୍ତ୍ର ପଦ ପରି ପ୍ରକାଶ କରି ପୁରୁଷଶ୍ରେଷ୍ଠ ବା କ୍ରୋଧାନିତ୍ୱ ଲକ୍ଷ୍ମଣଙ୍କୁ ବଶୀଭୂତ କରି ସେହି ସ୍ଥାନରେ ବସାଇଲା ।

 

ବାନରଈଶ ସମନ୍ତ୍ରୀ କରି ଭେଟାଇଲା

ବଚନ ରଚନ ତାଙ୍କ ଏମନ୍ତେ ହୋଇଲା

। ୨୭ ।

ବତ୍ସେ ଭକ୍ତ ପାଦଘାତେ ବିହିଲେ ମାଧବ

ବତ୍ସଳେ ସହିଲେ ଏତେ ବୋଇଲେ ସୁଗ୍ରୀବ

। ୨୮ ।

ବୋଇଲେ ମନ୍ତ୍ରୀଏ ପ୍ରହ୍ଲାଦକୁ ଇନ୍ଦ୍ର କଲେ

ବିଭୂତିମଦେ ସେ ନ ଚିହ୍ନିଲା କି କୋପିଲେ

। ୨୯ ।

ବାହୁଳେ ଘୃତ ଢାଳିଲେ ଯଥା ତେଜରାତି

ବିହିଲେ ଦୁଗ୍‌ଧ ଆହୁତି ତଥା ଶାନ୍ତି ଭଜି

। ୩୦ ।

 

୨୭ଶ ପଦ :- ତତ୍ପରେ ତାରା ମନ୍ତ୍ରୀମାନଙ୍କ ସହ ବାନର ରାଜା ସୁଗ୍ରୀବଙ୍କୁ ଲକ୍ଷ୍ମଣ ଛାମୁରେ ଭେଟ କରାଇଲା । ସେମାନେ ଏହିପରି ଲକ୍ଷ୍ମଣଙ୍କୁ ସ୍ତୁତି କଲେ ।

୨୮ଶ ପଦ :- ମାଧବ -ବିଷ୍ଣୁ । ବତ୍ସଳେ - ଛାତିରେ ।

୨୮ଶ ପଦ :- ସୁଗ୍ରୀବ କହିଲେ, ‘‘ଭକ୍ତ ଭୃଗୁଋଷି ବା ଶ୍ରବତ୍ସ ବିଷ୍ଣଙ୍କ ବକ୍ଷସ୍ଥଳରେ ପଦାଘାତ କରିଥିଲେ । ତାଙ୍କର ଏଡ଼େ ଅପରାଧ ସେହି ବିଷ୍ଣୁ ସ୍ନେହ ଭାବରେ ସହ୍ୟ କରିଥିଲେ । (ପ୍ରଭୁମାନେ ଭକ୍ତବତ୍ସଳ ହେବା ଉଚିତ ଏଣୁ ମୋ ପ୍ରତି ଆପଣ ସଦୟ ହୁଅନ୍ତୁ ) ।’’

୨୯ଶ ପଦ :- ମନ୍ତ୍ରୀମାନେ କହିଲେ, ‘‘ ଭଗବାନ ପ୍ରହ୍ମାଦକୁ ସ୍ୱର୍ଗରେ ଇନ୍ଦ୍ର କରିଥିଲେ, ସେ ମଧ୍ୟ ସମ୍ପତ୍ତି ଗର୍ବରେ ଉନ୍ନତ୍ତ ହୋଇ ଭଗବାନଙ୍କୁ ଚିହ୍ନି ପାରି ନ ଥିଲା । ଏଥିପାଇଁ ସେ କଣ ତା ପ୍ରତି କ୍ରୁଦ୍ଧ ହୋଇଥିଲେ କି ? (ଅତଏବ ସୁଗ୍ରୀବ ପ୍ରତି ଆପଣଙ୍କର କ୍ରୋଧ କରିବା ଉଚିତ ନୁହେଁ) ।’’

୩୦ଶ ପଦ :- ବହୁଳ ଅଗ୍ନି ।

୩୦ଶ ପଦ :- ଅଗ୍ନିରେ ଘିଅ ଢାଳିଲେ ସେ ତେଜ ସମୂହକୁ ପ୍ରକାଶ କରନ୍ତି ଏବଂ ଦୁଧ ଢାଳିଲେ ଶାନ୍ତି ହୁଅନ୍ତି । ସେହିପରି ଦ୍ୱାରା ଦ୍ୱିବିକର କଥାରେ କ୍ରୁଦ୍ଧ ହୋଇଥିବା ଲକ୍ଷ୍ମଣ ସୁଗ୍ରୀବ ଓ ମନ୍ତ୍ରୀମାନଙ୍କର ବିନୟ ବାକ୍ୟରେ ଶାନ୍ତି ହୋଇଥିଲେ।

 

ବିଜେ କର ପୁରେ ବୋଲୁଁ ବସି ତରୁତଳ

ବିଧାନ ଲଙ୍କାକୁ ସୁଗ୍ରୀବଙ୍କ ଅନୁକୂଳ ।

। ୩୧ ।

ବ୍ୟଥିତ ରାମର ସୈନ୍ୟ ଆଣି ଗଲା ଚାରେ

ବଞ୍ଚନ୍ତି ଯେ ନିଶିଥିନୀ କଥା ପରସ୍ପରେ

। ୩୨ ।

ବୋଲାଇତ କ୍ଷଣଦା ସେ କ୍ଷଣ ପ୍ରାୟେ ଗଲା

ବାସର ପ୍ରସରୁଁ ଦ୍ୱିଜ ଆନନ୍ଦ ବଢ଼଼ିଲା

। ୩୩ ।

ବିଶୁଦ୍ଧକର୍ମ ଉଦୟେ ସ(ଲି)ଲୀଳେ ଗମନ

ବିନାଶିଲା ତମ (ଦୀ) ଦିନବନ୍ଧୁ ଦରଶନ

। ୩୪ ।

ବଳ ଘେନି ଏ ସମୟେ ଅଙ୍ଗଦ ପ୍ରବେଶ

ବ୍ରହ୍ମାଣ୍ଡ ପୂରିତ ହେଲା କିଳିକିଳାଘୋଷ

।୩୫।

 

୩୧ଶ ପଦ :- ‘ନବରକୁ ବିଜେ କରନ୍ତୁ, ବୋଲି ସୁଗ୍ରୀବ ଲକ୍ଷ୍ମଣଙ୍କୁ କହିବାରୁ ସେ ନ ଯାଇ ଗୋଟିଏ ଗଛ ମୁଳରେ ବସିଲେ । ସୁଗ୍ରୀବ ପ୍ରଭୁତି ବାନରମାନେ ଯଥାବିଧାନରେ ଲଙ୍କାକୁ ଯିବାପାଇଁ ଅନୁକୁଳ କଲେ ।

୩୨ଶ ପଦ :- ‘ରାମଚନ୍ଦ୍ର ଦୁଃଖିତ ହେଉଛନ୍ତି’ ଏହି କଥା ଲକ୍ଷ୍ମଣ କହିବାରୁ ସୁଗ୍ରୀବ କହିଲେ, ସୈନ୍ୟ ଦୂତ ଆଣିବାକୁ ଗଲା ।’’ ସେ ଦୁହେଁ ନିଜ ନିଜ ମଧ୍ୟରେ ଏହି ପରି କଥାବାର୍ତ୍ତା କରି ରାତ୍ରି ଅତିବାହିତ କଲେ ।

୩୩ଶ ପଦ :- କ୍ଷଣଦା - ରାତ୍ରି । ବାସର- ଦିନ । ଦ୍ଵିଜ -ପକ୍ଷୀ, ବ୍ରାହ୍ମଣ ।

୩୩ଶ ପଦ :- ଏହିପରି କଥାବାର୍ତ୍ତା କରୁ କରୁ ରାତ୍ରି ଏକ ମୁହୁର୍ତ୍ତ ପରି ଚାଲିଗଲା । ତେଣୁ ସେହିଦିନଠାରୁ ରାତ୍ରି କ୍ଷଣଦା ନାମକୁ ଧାରଣ କଲା । ଦିନ ହେବାରୁ ବ୍ରାହ୍ମଣ ବା ପକ୍ଷୀମାନଙ୍କର ଆନନ୍ଦ ବଢ଼ିଲା ।

୩୪ଶ ପଦ :- ସଲୀଳେ - କ୍ରୀଡ଼ା ପ୍ରକାଶପୂର୍ବକ । ଦିନବନ୍ଧୁ- ସୂର୍ଯ୍ୟ । ତମ- ଅନ୍ଧକାର । ସଲିଳେ - ଜଳରେ । ଦୀନବନ୍ଧୁ- ଭଗବାନ୍‌ । ତମ - ଅଜ୍ଞାନତା ।

୩୪ଶ ପଦ :- ସୂର୍ଯ୍ୟ ଉଦୟ ହେବା ସମୟରେ ‘ବିଶୁଦ୍ଧ କର୍ମ’ ସନ୍ଧ୍ୟା ବନ୍ଦନାଦି କରିବା ନିମିତ୍ତ ବ୍ରାହ୍ମଣମାନେ ଜଳ ମଧ୍ୟକୁ ପ୍ରବେଶ କଲେ ଅର୍ଥାତ୍‌ ସ୍ନାନ କରିବାକୁ ଲାଗିଲେ (ସୂର୍ଯ୍ୟଙ୍କର ଅର୍ଦ୍ଧୋଦୟ ସମୟରେ ସନ୍ଧ୍ୟା କରାଯାଏ ) । ପକ୍ଷୀମାନେ ‘ବିଶୁଦ୍ଧ କର୍ମ’ ଭକ୍ଷଣାଦି କାର୍ଯ୍ୟ କରିବା ନିମିତ୍ତ କ୍ରୀଡ଼ା ପ୍ରକାଶପୂର୍ବକ ଗମନ କଲେ, ଅର୍ଥାତ୍‌ ଖାଦ୍ୟ ଖୋଜିବାପାଇଁ ଚାରିଆଡ଼େ ଆନନ୍ଦରେ ଡେଇଁ ଡେଇଁ ବୁଲିଲେ । ସୂର୍ଯ୍ୟ ଦେଖା ଦେଇ ଅର୍ଥାତ୍‌ ଉଦୟ ହୋଇ ଅନ୍ଧାରକୁ ନାଶ କଲେ । ଅଥବା ବ୍ରାହ୍ମଣମାନେ ସ୍ନାନ ପରେ ସୂର୍ଯ୍ୟଙ୍କୁ ବା ‘ଦୀନବନ୍ଧୁ’ ବିଷ୍ଣୁଙ୍କୁ ଦେଖିବାରୁ ସେମାନଙ୍କର ଅଜ୍ଞାନ ବା ଦୁଃଖ ବିନାଶ ହେଲା । (ଅସାବାଦିତ୍ୟୋ ବ୍ରହ୍ମ ଅର୍ଥାତ୍‌ ଏହି ସୂର୍ଯ୍ୟ ‘ବ୍ରହ୍ମ’ ପରମାତ୍ମା, ଏଣୁ ସୂର୍ଯ୍ୟ ଦର୍ଶନ ଅଜ୍ଞାନକୁ ଓ ବିଷ୍ଣୁ ଦୁଃଖର ବନ୍ଧୁ ଯୋଗୁଁ ଦୁଃଖକୁ ନାଶ କଲେ ) ।

୩୫ଶ ପଦ :- ଏହି ସମୟରେ ଅଙ୍ଗଦ ସୈନ୍ୟମାନଙ୍କୁ ଘେନି ସେଠାରେ ପ୍ରବେଶ ହେଲା । ସେହି ସୈନ୍ୟମାନଙ୍କର କିଳିକିଳା ଶବ୍ଦରେ ବ୍ରହ୍ମାଣ୍ତ ପୂରିଗଲା ।

 

ବୋଲି ଶ୍ରୀଜଗନ୍ନଙ୍ଗଳ ସୁଗ୍ରୀବ ଲକ୍ଷ୍ମଣ

ବାହାରିଲେ ସଙ୍ଗ କରି ସେନାପତିଗଣ

। ୩୬ ।

ବସୁଧାଭୄତରେ ଥାଇ ଭାଳେ ଦାଶରଥି

ବାହୁଡ଼ି ତ ନ ଆସିଲା ସୌମିତ୍ରେୟ ଏଥି

। ୩୭ ।

ବୈଦ୍ୟ ସେହି ରୋଗୀ ମୁହିଁ ତାହା ଉପଚାରେ

ବ୍ୟବହାର କରି ରହିଥିଲି ଜୀବନରେ

। ୩୮ ।

ବ୍ୟାଧି ଅସାଧ୍ୟ ଜାଣି କି ନ ଆସେ ସନ୍ନିଧି

?

ବିନାଶ ହୋଇବା କଥା ମୋର ହେଲା ସିଦ୍ଧି

। ୩୯ ।

ବାଣୀ ଶୁଭିଲା ଏ କାଳେ ଧାମ ରହ ଗମ

ବିଷୟ କି ଭାଳି ଅନାଇ ରଘୁତ୍ତମ

।୪୦ ।

 

୩୬ଶ ପଦ :- ତତ୍ପରେ ସୁଗ୍ରୀବ ଓ ଲକ୍ଷ୍ମଣ ଶ୍ରୀଜଗନ୍ମଙ୍ଗଳ (ଶ୍ରୀ ସୀତା, ଜଗନ୍ମଙ୍ଗଳ ଜଗତର ମଙ୍ଗଳକର୍ତ୍ତା) ରାମ ସୀତାରାମ ବୋଲି ସେନାପତିମାନଙ୍କ ସହ ରାମଙ୍କ ନିକଟକୁ ବାହାରିଲେ ।

୩୭ଶ ପଦ :- ବସୁଧାଭୃତ - ପର୍ବତ (ମାଲ୍ୟବାନ) । ସୌମତ୍ରେୟ - ଲକ୍ଷ୍ମଣ ।

୩୭ଶ ପଦ :- ତେଣେ ରାମଚନ୍ଦ୍ର ମାଲ୍ୟବାନ୍ତ ପର୍ବତରେ ଥାଇ ଭାବୁଛନ୍ତି, ‘‘ଲକ୍ଷ୍ମଣ କାହିଁକି ଏଠାକୁ ଏପର୍ଯ୍ୟନ୍ତ ଫେରିଲା ନାହିଁ ।

୩୮ଶ ପଦ :- ଉପଚାର - ଚିକିତ୍ସା । ବ୍ୟବହାର - କାର୍ଯ୍ୟ ।

୩୯ଶ ପଦ :- ସନ୍ନିଧି - ନିକଟ । ସିଦ୍ଧି - ନିଶ୍ଚିତରୂପେ, ସ୍ଥିର ।

୩୮ଶ ଓ ୩୯ଶ ପଦ :- ‘‘ସେ ବୈଦ୍ୟ, ମୁଁ ରୋଗୀ । ତାହାର ଚିକିତ୍ସାନୁସାରେ କାର୍ଯ୍ୟ କରି ମୁଁ ପ୍ରାଣରେ ବଞ୍ଚି ରହିଥିଲି । ବର୍ତ୍ତମାନ ମୋର ରୋଗ ଅସାଧ୍ୟ ଜାଣିପାରି ସେ ମୋ ନିକଟକୁ ଆସୁନାହିଁ କି ? ତାହା ହେଲେ ମୋର ମରିବା କଥା ନିଶ୍ଚିନ୍ତ ଅର୍ଥାତ୍‌ ଲକ୍ଷ୍ମଣ ନ ଆସିଲେ ମୁଁ ନିଶ୍ଚୟ ମରିବି ।’’

୪୦ ଶ ପଦ :- ଏହି ସମୟରେ ‘ଦୌଡ଼ନାହିଁ’ ଧୀରସ୍ଥିର ହୋଇ ଚାଲ’ ଏହି କଥା ଶୁଣାଯିବାରୁ ‘ଏହା କି ଶବ୍ଦ ବୋଲି ଭାବି ରାମଚନ୍ଦ୍ର ଚାରିଆଡ଼େ ଚାହିଁବାକୁ ଲାଗିଲେ ।

 

ବନ ଗିରି ବ୍ୟାପି ଆସେ ଅଲେଖ ପ୍ଲବଗ

ବାରୁଣୀ ସନ୍ଧ୍ୟା ଅରୁଣୀ ପ୍ରାୟ କେଉଁ ମାର୍ଗ ।

। ୪୧ ।

ବ୍ୟାପିଲା ପରି କେ ଦିଗେ ଧୂମ ପାଣ୍ଡୁରତା

ବିଧୂକର ନବୋଦୟେ ଆସିବା ଶୋଭିତା ।

। ୪୨ ।

ବିଦିତ କେଉଁ ଦିଗରେ କୁଜ୍‌ଝଟିକା ପରା

ବହେ କେଉଁ ପଥର କି ହରିତାଳଧାରା ?

। ୪୩ ।

ବିଷବୈଦ୍ୟ ପରା ଶୋଭା ଅଛନ୍ତି ସେ ପାଇ

ବିଳେଶୟ ଲଙ୍ଗୁଳକୁ ଆଣନ୍ତି ଖେଳାଇ ।

। ୪୪ ।

ବୀଚିଏ ବୀଚିଏ କି ନଦୀର ଆଳୀ ଆଳୀ

ବକ୍ର ନୀଳାବଜ କୈରବ କୋକନଦ ଝଳି ।

। ୪୫ ।

 

୪୧ଶ ପଦ :- ଅଲେଖ - ଅଗଣିତ । ପ୍ଳବଗ - ବାନର । ଅରୁଣୀ - ଲୋହିତବର୍ଣ୍ଣ । ବାରୁଣୀସନ୍ଧ୍ୟା - ସନ୍ଧ୍ୟାକାଳୀନ ପଶ୍ଚିମାକାଶ।

୪୧ଶ ପଦ :- ରାମଚନ୍ଦ୍ର ଦେଖିଲେ, ଅସଂଖ୍ୟ ବାନର ବନଗିରି ପୂର୍ଣ୍ଣକରି ଆସୁଅଛନ୍ତି । ସେମାନଙ୍କର ଆସିବା ବାଟମାନଙ୍କ ମଧ୍ୟରୁ କେଉଁ ବାଟ ସନ୍ଧ୍ୟାକାଳୀନ ପଶ୍ଚିମାକାଶପରି ଲୋହିତ ବର୍ଣ୍ଣ ଦେଖାଯାଉଛି ।

୪୨ଶ ପଦ :- ବିଧୂକର - ଚନ୍ଦ୍ର କିରଣ ।

୪୨ଶ ପଦ :- କେଉଁ ଦିଗ ଧୂମ୍ରବର୍ଣ୍ଣ ଓ ପାଣ୍ତୁର ବର୍ଣ୍ଣ ଦ୍ୱାରା ଆଚ୍ଛାଦିତ ହେଲା ପରି ଦେଖାଗଲା । ଚନ୍ଦ୍ର ନୂତନ ହୋଇ ଉଦୟ ହେଉଥିବା ସମୟରେ ଦିଗମାନେ ଯେଉଁପରି ଶୋଭାକୁ ଧାରଣ କରନ୍ତି, ବାନରମାନେ ଆସୁଥିବା ଯୋଗୁଁ କେଉଁ ଦିଗମଧ୍ୟ ସେହିପରି ଶୋଭାକୁ ଧାରଣ କଲା ।

୪୩ଶ ପଦ :- କୁଜ୍‌ଝଟିକା- କୁହୁଡ଼ି ।

୪୩ଶ ପଦ :- କେଉଁ ଦିଗ କୁହୁଡ଼ିରେ ବ୍ୟାପ୍ତ ହେଲାପରି ଜଣାଗଲା । କେଉଁ ରାସ୍ତାରେ ହରିତାଳ ସ୍ରୋତ ବହିଯାଉ ଥିବା ପରି ମନେହେଲା । (ଅତଏବ ଏଥିରୁ ଜଣାଗଲା ଯେ, ସୁଗ୍ରୀବ ରକ୍ତବର୍ଣ୍ଣ, ଧୂମ୍ରବର୍ଣ୍ଣ, ପାଣ୍ତୁବର୍ଣ୍ଣ, ଶୁକ୍ଲବର୍ଣ୍ଣ, କୁହୁଡ଼ିବର୍ଣ୍ଣ ଓ ହଳଦିଆ ବର୍ଣ୍ଣର ବାନରମାନଙ୍କସହ ଆଗମନ କରିଥିଲେ ।)

୪୪ଶ ପଦ :- ବିଷବୈଦ୍ୟ- ସାପୁଆକେଳା । ବିଳେଶୟ - ସର୍ପ ।

୪୪ଶ ପଦ :- ସେହି ବାନରମାନେ ଲାଙ୍ଗୁଳରୂପ ସାପକୁ ଖେଳାଇବା ପାଇଁ ସାପୁଆକେଳାପରି ଆସୁଥିବାର ଦେଖା ଯାଉଥିଲେ ।

୪୫ ଶ ପଦ :- ବୀଚିଏ ବୀଚିଏ - ଲହରୀ ପରେ ଲହରୀ । ଆଳୀ ଆଳୀ - ଧାଡ଼ି ଧାଡ଼ି । ବକ୍ତ୍ରଂ -ମୁଖ । ନୀଳାବ୍‌ଜ - ନୀଳପଦ୍ମ । କୈରବ - କୁମୁଦ ବା ଶ୍ୱେତକଇଁ । କୋଳନଦ - ରକ୍ତ ପଦ୍ମ ।

୪୫ଶ ପଦ :- ନୀଳକଇଁ, ଧଳାକଇଁ ଓ ରକ୍ତକଇଁଫୁଲ ପରି ମୁଖ ସବୁ ଦେଖାଇ ଦଳ ଦଳ ହୋଇ ମାଡ଼ି ଆସୁଥିବା ବାନରମାନଙ୍କୁ ଦେଖି ମନେ ହେଲା ଏ କଣ ନାନାବିଧ କୁମୁଦ ମଣ୍ତିତା ଲହରୀ ମାଳିନୀ ନଦୀ କି ?

 

ବୃଦ୍ଧଶ୍ରବାଦିଗୁଁ ସନ୍ଧ୍ୟା ତମ ଯଥା ଘୋଟି

ବିହରନ୍ତି କେଉଁ ପଥେ ୠକ୍ଷ କୋଟି କୋଟି ।

। ୪୬ ।

ବସୁଧାଭୃତ ଜଳରେ ରଖି କପିସୈନ୍ୟ

ବ୍ରଧ୍ନସୁତ ଲକ୍ଷ୍ମଣ ସୁଷେଣ ହନୁମାନ ।

। ୪୭ ।

ବାଳିପୁତ୍ର ଜାମ୍ବବ ତାରାକ୍ଷ ସାତେ ଯାଇ

ବିନତି ରାଘବେ ଉଚ୍ଚ ଆସନେ ବସାଇ ।

। ୪୮ ।

ବିଶ୍ରାମିଲା ରାମଚନ୍ଦ୍ରେ ରାମଚନ୍ଦ୍ର ବିଧି

ବିଦିତ ଉଦିତ ସପ୍ତୠଷି କି ସନ୍ନିଧି ?

। ୪୯ ।

ବେଢ଼ିବେ କ୍ରମକ୍ରମରେ ୠକ୍ଷପନ୍ତି ପୁଣି

ବାତାତ୍ମଜ ଯୁବରାଜ ଦୁହେଁ ଗଲେ ଆଣି ।

। ୫୦ ।

 

୪୬ଶ ପଦ :- ବୃଦ୍ଧଶ୍ରବା ଦିଗୁଁ - ପୂର୍ବଦିଗରୁ । ତମ - ଅନ୍ଧକାର । ଋକ୍ଷ - ଭଲ୍ଲୁକ ।

୪୬ଶ ପଦ :- ସନ୍ଧ୍ୟାସମୟରେ ପୂର୍ବଦିଗରୁ ଅନ୍ଧକାର ଯେପରି ମାଡ଼ିଆସେ, ସେହିପରି କେଉଁ ରାସ୍ତା ଦେଇ ଅସଂଖ୍ୟ ଭାଲୁ ଡେଇଁ ଡେଇଁ ଆସୁଥିବାର ଦେଖାଗଲା ।

୪୭ଶ ପଦ :- ବସୁଧାଭୃତ ତଳେ - ମାଲ୍ୟବନ୍ତ ପର୍ବତ ତଳରେ। ବ୍ରଧ୍ଣସୁତ - ସୁଗ୍ରୀବ ।

୪୮ଶ ପଦ :- ବାଳିପୁତ୍ର - ଅଙ୍ଗଦ । ତାରାକ୍ଷ - ଏହି - ନାମଧାରୀ ବାନର ବିଶେଷ ।

 

୪୭ଶ ୪୮ଶ ପଦ :- ମାଲ୍ୟବନ୍ତ ପର୍ବତତଳେ ବାନରସେନାମାନଙ୍କୁ ରଖି ସୁଗ୍ରୀବ, ଲକ୍ଷ୍ମଣ, ସୁଷେଣ, ହନୁମାନ, ଅଙ୍ଗଦ, ଜାମ୍ବବ, ତାରାକ୍ଷ, ଏହି ସାତଜଣ ଯାଇ ରାମଚନ୍ଦ୍ରଙ୍କୁ ଉଚ୍ଚ ଆସନରେ ବସାଇ ବନ୍ଦନା କଲେ । (ଶାଳଗ୍ରାମ, ରାଜା ଓ ଅତିଥି ଏମାନଙ୍କୁ ଆସନ ପ୍ରଦାନ କରି ଅଭିବାଦନ କରିବା ନିୟମ ) ।

୪୯ ଶ ପଦ :- ଏହି ସମୟରେ ରାମଚନ୍ଦ୍ରଙ୍କଠାରେ ‘ରାମଚନ୍ଦ୍ର’ ରମଣୀୟ ଚନ୍ଦ୍ର ( ପୂର୍ଣ୍ଣଚନ୍ଦ୍ର)ଙ୍କର ବିଧି ବିଶ୍ରାମ କଲା ଅର୍ଥାତ୍‌ ତାଙ୍କୁ ଦେଖି ଏ ପୂର୍ଣ୍ଣଚନ୍ଦ୍ର ବୋଲି ମନେ ହେଉଥିଲା । କାରଣ, ତାଙ୍କ ନିକଟରେ ଥିବା ଏହି ବିଖ୍ୟାତନାମା ସାତ ଜଣଙ୍କୁ ଦେଖି ବୋଧ ହେଉଥିଲା, ସେମାନେ ସେହି ଚନ୍ଦ୍ରଙ୍କ ନିକଟରେ ଥିବା ମରୀଚି ଆଦି ସପ୍ତର୍ଷି ନକ୍ଷତ୍ର ଉଦୟ ହୋଇଅଛନ୍ତି କି ?

୫୦ ଶ ପଦ :- ଋକ୍ଷପନ୍ତି - ତାରକା ସମୁହ, ଭଲ୍ଲୁକଶ୍ରେଣୀ । ବାତାତ୍ମଜ - ହନୁମାନ । ଯୁବରାଜ - ଅଙ୍ଗଦ ।

୫୦ ଶ ପଦ :- ପୁଣି ମଣ୍ତଳାକାରରେ ଭାଲୁମାନେ ନକ୍ଷତ୍ର ସମୁହପରି ଏହାଙ୍କୁ ବେଢ଼ିବେ, ଏଣୁ ହନୁମାନ ଓ ଅଙ୍ଗଦ ଦୁହେଁ ସେମାନଙ୍କୁ ଆଣିବାପାଇଁ ଗଲେ ।

 

ବିଭ୍ରାଜନ୍ତି ଚକ୍ରବର୍ତ୍ତୀ ପରା ଚାପଧାରୀ

ବାହିନୀ ପୁଚ୍ଛନ୍ତି ନାମ ବଳକୁ ଉଚ୍ଚାରି ।

। ୫୧ ।

ବସନ୍ତ ତୋଷବର୍ଦ୍ଧନ ସେ ନବ ମଦନ

ବନ୍ଦ୍ୟ ହେଲେ ଚନ୍ଦନେ ଜଗତପ୍ରାଣ ପୁନଃ ।

। ୫୨ ।

ବେଳେ ବେଳେ ଅନାଇଲେ ଗବାକ୍ଷ ବୋଲନ୍ତେ

ବିକ୍ରମି ସେପରି ଆସ୍ତେ ଗବୟ ଆସନ୍ତେ । ।

୫୩ ।

ବର୍ଷୁ ମଧୁରେ କଞ୍ଚନ ଡାଳିମ୍ବ ଉତ୍‌ଫୁଲ୍ଲ

ବ୍ୟବସ୍ଥିତେ ପନସକୁ ବରାଇ ସଫଳ ।

। ୫୪ ।

ବର୍ଦ୍ଧନକାରକ ପନଶୀଳରେ ସୁଶୀଳ

ବିକାଶି ମହୀନ୍ଦ୍ରଶିରୀ ମହୀନ୍ଦ୍ରେ ଚପଳ ।

। ୫୫ ।

 

 

୫୧ ଶ ପଦ :- ଚାପଧାରୀ - ଧନୁର୍ଦ୍ଧାରୀ । ଚକ୍ରବର୍ତ୍ତୀ - ସମ୍ରାଟ । ବାହିମା - ସୈନ୍ୟଦଳ । ବଳ - ସୈନିକ । ଉଚ୍ଚାରି - ଡାକି ।

୫୧ଶ ପଦ :- ଧନୁର୍ଦ୍ଧାରୀ ରାମଚନ୍ଦ୍ର ଏହି ସମୟରେ ସମ୍ରାଟ ପରି ଶୋଭା ପାଇଲେ ଏବଂ ସେନାପତିଙ୍କୁ ଡାକି ସେମାନଙ୍କର ନାମ ଓ ବଳ (ତାଙ୍କ ଅଧୀନରେ ଥିବା ସୈନିକଙ୍କ ସଂଖ୍ୟା ) ପଚାରିଲେ ।

୫୨ ଶ ପଦ :- ନବ ମଦନ - ନୂତନ କନ୍ଦର୍ପ । ଜଗତପ୍ରାଣ- ବାୟୁ । ସୃଷ୍ଟିରକ୍ଷକ - ରାମଚନ୍ଦ୍ର ।

୫୨ ଶ ପଦ :- ବସନ୍ତଋତୁ କନ୍ଦର୍ପର ଆନନ୍ଦ ବୃଦ୍ଧି କଲାପରି ବସନ୍ତ ନାମକ ସେନାପତି ସେହି ନୂତନ କନ୍ଦର୍ପ ରାମଚନ୍ଦ୍ରଙ୍କର ଆନନ୍ଦ ବୃଦ୍ଧିକଲା । ଆଉ ମଧ୍ୟ ଚନ୍ଦନ ବାସିତ ବାୟୁ ସମସ୍ତଙ୍କଦ୍ୱାରା ‘ବନ୍ଦ୍ୟ’ ଆଦରଣୀୟ ହେଲାପରି ରାମଚନ୍ଦ୍ର ଚନ୍ଦନନାମକ ସେନାପତିଦ୍ୱାରା ବନ୍ଦନୀୟ ହୋଇଥିଲେ ।

୫୩ଶ ପଦ :- ଗବାକ୍ଷ - ଝରକା, କପି ସେନାପତି ବିଶେଷ । ଗବୟ - ଗୟଳ, କପି ସେନାପତି ବିଶେଷ ।

୫୩ଶ ପଦ :- ଗବାକ୍ଷ ସେନାପତି ରାମଙ୍କ ନିକଟକୁ ଆସୁଥିବାର ଦେଖି କେହି ଏ ‘ଗବାକ୍ଷ’ ବୋଲି କହିଲା, ତେଣୁ ରାମଚନ୍ଦ୍ର ଝରକାରେ ବାରମ୍ବାର ଅନାଇଲା ପରି ତାକୁ ଅନାଇଲେ । ସେହିପରି ଗବୟ ଆସୁଛି ବୋଲି କେହି କହିବାରୁ, ଏ ପ୍ରକୃତରେ ଗୟଳ ପରି ଦ୍ରୁତଗତିରେ ଆସୁଛି ବୋଲି ରାମଚନ୍ଦ୍ର ଭାବିଲେ ।

୫୪ଶ ପଦ :- ମଧୁ - ବସନ୍ତକାଳ । ବର୍ଷ୍ମମଧୁରେ- ମନୋହର ରୂପରେ ।

୫୪ଶ ପଦ :- ଯେପରି ବସନ୍ତ ସମୟ କାଞ୍ଚନ ଓ ଡାଳିମ୍ବ ବୃକ୍ଷକୁ ପ୍ରଷ୍ଫୁଟିତ କରାଏ, ସେହିପରି କଞ୍ଚନ ଓ ଡାଳିମ୍ବ ନାମକ ସେନାପତି ଦୁହିଙ୍କୁ ରାମଚନ୍ଦ୍ରଙ୍କର ମନୋହର ଶରୀର ଆନନ୍ଦିତ କରାଇଲା ଅର୍ଥାତ୍‌ ରାମଚନ୍ଦ୍ରଙ୍କର ସୁନ୍ଦର ରୂପ ଦେଖି ଏ ଦୁହେଁ ଆନନ୍ଦିତ ହେଲେ । ଆଉ ମଧ୍ୟ ବସନ୍ତକାଳ ପଣସ ଗଛକୁ ଫଳମାନଙ୍କ ଦ୍ୱାରା ମଣ୍ତିତ କରାଇଲା ପରି, ରାମଚନ୍ଦ୍ରଙ୍କର ମନୋହର ଶରୀର ପନସ ନାମକ ସେନାପତିଙ୍କୁ ସଫଳ କରାଇଲା ଅର୍ଥାତ୍‌ ରାମଙ୍କୁ ଦେଖି ତାର ଜୀବନ ସଫଳ ହେଲା ।

୫୫ଶ ପଦ :- ସୁଶୀଳ - ସଦ୍‌ବ୍ୟବହାର । ଚପଳେ - ଶୀଘ୍ରେ । ମହୀନ୍ଦ୍ରଶ୍ରୀ - ରାଜଲକ୍ଷ୍ମୀ ।

୫୫ଶ ପଦ :- ରାମଚନ୍ଦ୍ର ପନଶୀଳ ସେନାପତିଠାରେ ସଦ୍‌ବ୍ୟବହାର ବଢ଼ାଇଲେ, ଅର୍ଥାତ୍‌ ତାକୁ ଅତିଶୟ ଆଦର କଲେ ଏବଂ ସେହିପରି ମହେନ୍ଦ୍ର ନାମକ ସେନାପତିଠାରେ ଇନ୍ଦ୍ର ସମ୍ପଦକୁ ପ୍ରକାଶ କଲେ ଅର୍ଥାତ୍‌ ସେ ଇନ୍ଦ୍ର ସମ୍ପତ୍ତି ପାଇଲା ପରି ଆନନ୍ଦିତ ହେଲା ।

 

ବିବଧସୁଖଦ ସେ ଦ୍ୱିବିଦ ନାମ ଯେଣୁ

ବଳ କଷି ଦାଶରଥି ଶଉରିର ଏଣୁ ।

। ୫୬ ।

ବର୍ଣ୍ଣ ଚାହୁଁ ନୀଳ ଦେଖି ସେ ନାମ ଉଦିତ

ବୋଲୁଁ ନଳ ବୋଇଲେ ଅବଧି ସଂଖ୍ୟାକୃତ ।

। ୫୭ ।

ବଲୋକି ଗନ୍ଧମାର୍ଦନ ସେହି ବୋଲି ସ୍ମରେ

ବିକାଶେ କୁମୁଦ ରାମଚନ୍ଦ୍ର ସହଜରେ ।

। ୫୮ ।

ବଳ ଗଲେ କେଶରୀ ଏହାକୁ କେ ସମାନ

ବର୍ଣ୍ଣ ବେନି କାଳିଞ୍ଜନୁ ଶୁଣି ମହାସ୍ୱନ ।

। ୫୯ ।

ବିଲ୍ୱବନେ ପୃଥ୍ୱୀ କପିଯାକ ନେଲେ ସ୍ଥାନ

ବିଷ୍ଣୁ ମାୟାରୁ କରି ସେ ହୋଇଲା ବର୍ଦ୍ଧନ ।

। ୬୦ ।

ବ୍ରହ୍ମାଣ୍ଡ ଯାହା ଉଦରେ ପ୍ରଳୟେ ସମ୍ଭାଇ

ବୁଲି ମାର୍କଣ୍ଡେୟ ୠଷି ଅନ୍ତ ପାଇ ନାହିଁ ।

। ୬୧ ।

ବାଷଠି ପଦରେ ସୈନ୍ୟଭେଟ ଛାନ୍ଦ ଶେଷ

ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।

। ୬୨ ।

 

୫୬ଶ ପଦ :- ତୟଳରେ ଦ୍ୱିବିଦ ନାମକ ସେନାପତିକୁ ବହୁବିଧ ସୁଖ ପ୍ରଦାନ କଲେ; ଯେହେତୁ ତାଙ୍କ ନାମ ଦ୍ୱିବିଦ । ଏହି ଦ୍ୱିବିଦ ଶବ୍ଦରୁ ସେ ସୁଖ ଓ ଦୁଃଖ ଦୁହିଁଙ୍କୁ ଜାଣନ୍ତି ବୋଲି ଜାଣିପାରି ଶ୍ରଦ୍ଧେୟକୁ ଦୁଃଖ ଦେବା ଉଚିତ ନୁହେଁ ଭାବି ସେ କେବଳ ସୁଖ ଜାଣିଥିବାରୁ ବହୁବିଧ ସୁଖ ପ୍ରଦାନ କଲେ । ସେ ଦାଶରଥି ଦଶରଥଙ୍କର ପୁତ୍ର, ତେଣୁ ଶଉରି ନାମକ ସେନାପତିର ବଳକୁ କଷିଲେ, କାରଣ ତାଙ୍କ ପିତା ଦଶରଥ ‘ଶଉରି’ ଶନିଙ୍କର ବଳ କଷିଥିଲେ ।

୫୭ଶ ପଦ :- ଶୌରି - ଶନିଶ୍ଚର, କପି ସେନାପତି ବିଶେଷ ।

୫୭ଶ ପଦ :- ନୀଳ ନାମକ ସେନାପତିର ବର୍ଣ୍ଣକୁ ଦେଖି ରାମ କହିଲେ, ‘‘ଏହାର ନାମ ନୀଳ କି ? ’’ ସେ ମଧ୍ୟ ‘ତାହିଁ ମୋର ନାମ’ ବୋଲି ପ୍ରକାଶ କଲା । ତତ୍ପରେ ନଳ ସେନାପତି ଉପସ୍ଥିତ ହୁଅନ୍ତେ କେହି ଜଣେ ଏ ନଳ ବୋଲି କହିବାରୁ ରାମଚନ୍ଦ୍ର କହିଲେ, ‘‘ଏ ନଳ ଅର୍ଥାତ୍‌ ପଦିକା, ଏଣୁ ଏହାଦ୍ୱାରା ‘ଅବଧି’ ଲଙ୍କା ଏଠାରୁ କେତେ କ୍ରୋଶ ଦୂର ଅଥବା ‘ଅବଧି’ ସମୁଦ୍ର କେତେ ଯୋଜନ ବିସ୍ତୀର୍ଣ୍ଣ ଏହା ମାପି ଠିକ୍‌କରି ହେବ ।’’

୫୮ଶ ପଦ :- ରାମଚନ୍ଦ୍ର ଗନ୍ଧମାର୍ଦନ ନାମକ ସେନାପତିକୁ ଦେଖି ‘ଏ ସେହି ଗନ୍ଧମାର୍ଦନ ପର୍ବତ କି ?’ ବୋଲି ଭାବିଲେ; ଯେ ହେତୁ ତାର ଦେହ ପର୍ବତ ପରି ଉନ୍ନତ ଓ ବିଶାଳ ଦେଖାଯାଉଥିଲା । ଚନ୍ଦ୍ରଙ୍କୁ ଦେଖି କଇଁଫୁଲ ଯେପରି ବିକଶିତ ହୁଏ, ସେହିପରି କୁମୁକ ନାମକ ସେନାପତି ରାମଙ୍କୁ ଦେଖି ହଠାତ୍‌ ଆନନ୍ଦିତ ହୋଇଥିଲେ ।

୫୯ଶ ପଦ :- ତତ୍ପରେ କେଶରୀ ସେନାପତିକୁ ଦେଖି କହିଲେ, ‘‘ ଏ ତ କେଶରୀ ଅର୍ଥାତ୍‌ ସିଂହ, ଏଣୁ ଏହାକୁ ଆଉ କିଏ ସମାନ ହେବ ? (ଏହାକୁ କେହି ସରିହେବେ ନାହିଁ ) ଏବଂ କାଳିଞ୍ଜନ ସେନାପତିର ଉତ୍କଟ ଶବ୍ଦକୁ ଶୁଣି ମନେ କଲେ, ‘‘ଏହା ନାମର ଆଦ୍ୟ ଦୁଇ ଅକ୍ଷରକୁ ‘ସମାନ’ ସାର୍ଥକ କରୁଛି ।’’ (ଅର୍ଥାତ୍‌ ଏ କାଳୀ ଦେବୀ ବା କଳା ମେଘ ଅଟେ ) ।

୬୦ଶ ପଦ :- ପୃଥିବୀ ଦେବୀ ବେଲବଣରେ ବାନରମାନଙ୍କୁ ରହିବାକୁ ସ୍ଥାନ ଦେଲେ ଅର୍ଥାତ୍‌ ସେମାନେ ସେହି ବେଲ ବୃକ୍ଷ ସଂକୁଳି ଭୂମିରେ ରହିଲେ । ବିଷ୍ଣୁ ମାୟାରୁ ସେ ସ୍ଥାନ ବୃଦ୍ଧି ପାଇଲା ।

୬୧ଶ ପଦ :- କେଉଁ ବିଷ୍ଣୁଙ୍କର ଗର୍ଭରେ ପ୍ରଳୟ ସମୟରେ ବ୍ରହ୍ମାଣ୍ତ ରହିଥିଲା, ଯେଉଁ ଗର୍ଭରେ ବୁଲି ବୁଲି ମାର୍କଣ୍ତ କେଉଁଠାରେ ଶେଷ ବୋଲି ଠିକ୍‌ କରିପାରି ନ ଥିଲେ, ତାଙ୍କର ମାୟାରେ ବହୁ ସଂଖ୍ୟକ କପି ସେନା ସାମାନ୍ୟ ବେଲ ବଣରେ ରହିଗଲେ, - ଏଥିରେ ଆଶ୍ଚର୍ଯ୍ୟ ବା କଣ ଅଛି ?

୬୨ଶ ପଦ :- ସୈନ୍ୟ ଭେଟ ଛାନ୍ଦ ବାଷଠି ପଦରେ ଶେଷ ହେଲା; ବୀରବର ଉପେନ୍ଦ୍ର ଭଞ୍ଜ ଏ ରସକୁ କହିଲେ ।

 

ତ୍ରୟତ୍ରିଂଶ ଛାନ୍ଦ

ରାଗ – ଘଣ୍ଟାରବ

 

ବିଭୁଷା ଜଟା ମୁକୁଟ

ବିଜେ ମାଲ୍ୟବନ୍ତ କୁଟ ।

ବେଢ଼ିଛନ୍ତି ଚଉକତି ଯୂଥପତି କି ଆଜ୍ଞା ଦେବେ ସମ୍ରାଟ ।୧ ।

ବାର ବେନି ଲୋକେ ସାର

ବିରଧୂ ଖ୍ୟାତ ଯାହାର ।

ବୋଲନ୍ତି ସୁଗ୍ରୀବେ ପ୍ରିୟା ଖୋଜି ଏବେ ଦିଗେ ଯାନ୍ତୁ ଚାର ।୨ ।

ବିଲ ବନ ଗିରି ପୁରେ

ବିଳସନ୍ତୁ ଲୋଡ଼ିବାରେ ।

ବିଳମ୍ବ ନ କରି ସନ୍ଦେଶ ସମସ୍ତ ଦେଶରୁ ଆଣନ୍ତୁ ଖରେ ।୩ ।

ବଡ଼ ଯେ ରାବକୁ ବିହି

ବୋଲାଇ ରାବଣ ସେହି ।

ବନ୍ଦୀ କରିଛି କେ ରମଣୀ ମଣି କି ସମୂଳ କରିବା ତହିଁ ।୪ ।

ବସିବା ସ୍ଥାନ ଆହୁରି

ବଣା ହେବ ସେହିପରି ।

ବାସ କୁଳଟାର ସ୍ଥିତି ଡାକିନୀର ରକ୍ଷଗ୍ରାମ ଲଙ୍କାପୁରୀ ।୫ ।

 

୧ମ ପଦ :- କୂଟ - ଶିଖର ।

 

୧ମ ପଦ :- ଜଟାରୂପ ମୁକୁଟରେ ଅଳଙ୍କୃତ ହୋଇ ରାମଚନ୍ଦ୍ର ମାଲ୍ୟବନ୍ତଗିରିର ଶିଖର ଦେଶରେ ବିଜେ କରି ଅଛନ୍ତି ଏବଂ ତାଙ୍କର ଚାରିପଟେ ଦଳପତିମାନେ ‘ମହାରାଜ କି ଆଦେଶ ପ୍ରଦାନ କରିବେ’ ବୋଲି ବେଢ଼ି ରହିଛନ୍ତି ।

 

୨ୟ ପଦ :- ବାରବେନି - ଚଉଦ । ଲୋକ - ଭୁବନ । ବୀରଧୂ - ବୀରତ୍ୱ ।

 

୨ୟ ପଦ :- ଚଉଦ ଭୁବନରେ ଯାହାଙ୍କର ବୀରତ୍ୱ ଉତ୍କୃଷ୍ଟ ବୋଲି କଥିତ ହୋଇଅଛି, ଅର୍ଥାତ୍‌ ଜଗତରେ ଏକମାତ୍ର ବୀର ବୋଲି ଯେ ବିବେଚିତ ହୋଇଅଛନ୍ତି, ସେହି ରାମଚନ୍ଦ୍ର ସୁଗ୍ରୀବଙ୍କୁ କହିଲେ, ‘‘ଦୂତମାନେ ପ୍ରିୟାଙ୍କୁ ଖୋଜିବାପାଇଁ ପ୍ରତ୍ୟେକ ଦିଗକୁ ଯାଆନ୍ତୁ ।’’

 

୩ୟ ପଦ :- ବିଳ- ଗୁହା । ଗିରି - ପୁରେ - ପର୍ବତ ଓ ଗ୍ରାମରେ ବା ପର୍ବତ କନ୍ଦରରେ । ସନ୍ଦେଶ - ଖବର ।

 

୩ୟ ପଦ :- ‘‘ଦୂତମାନେ ବନ, ଗିରି ଗୁହା ଓ ଘରମାନଙ୍କରେ ପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରବେଶ କରନ୍ତୁ ଏବଂ କୌଣସି ସ୍ଥାନରେ ବିଳମ୍ବ ନକରି ସମସ୍ତ ଦେଶରୁ ଅତିଶୀଘ୍ର ସମ୍ବାଦ ଆଣନ୍ତୁ ।’’

 

୪ର୍ଥ ପଦ :- ‘‘ଯେ ବଡ଼ ପାଟି କରେ ତାକୁ ରାବଣ କହନ୍ତି । ସେହି ବଡ଼ ପାଟିଆ ରାବଣ - ଯେ କି ସ୍ତ୍ରୀଶ୍ରେଷ୍ଠ ସୀତାଙ୍କୁ ବନ୍ଦିକରି ରଖିଛି, ତାକୁ ଉତ୍ତମରୂପେ ଜାଣିବା ଦରକାର ।’’

 

୫ମ ପଦ :- ‘‘ ସେହିପରି ମଧ୍ୟ ରାବଣର ରହିବା ସ୍ଥାନ ବିଷୟରେ ବଣା ହେବାକୁ ପଡ଼ୁଛି । କାରଣ ଅସତୀ ସ୍ତ୍ରୀ, ଡାହାଣୀ ଓ ରାକ୍ଷସମାନଙ୍କର ରହିବା ସ୍ଥାନକୁ ଲଙ୍କା କହନ୍ତି । ଅତଏବ କେଉଁ ଲଙ୍କାରେ ସୀତା ଚୋର ରାବଣର ଘର - ଏହା ଜାଣିବା ନିତାନ୍ତ ଦରକାର ।’’

 

ବାଦ କନକ ନଗରେ

ବିହନ୍ତାଇବା ବେଗରେ ।

 

ବିବୁଧାଚଳେ କି ସମୁଦ୍ର ସେ କୂଳେ ଯିବାକୁ ସଂଶୟ କରେ ।୬ ।

ବୈଦେହୀ ସୀତା ମୋ ରାମା

ବୈଦେହୀ ବଣିକ ବାମା ।

 

ବିଷ୍ଣୁପଦୀ ସୀତା ଗୁଡ଼କାର ଗୃହ ସିତାରେ ନୋହି ବିଭ୍ରାମା ।୭ ।

ବୁଝିବ ପୁଣି ସହଜେ

ବହେ ଷଡ଼ନାମ ସେ ଯେ ।

 

ବୈଦେହୀ ଜାନକୀ ମୈଥିଳୀ ପାର୍ଥିବୀ ଯୋଜନାଗନ୍ଧା ସୀତା ଯେ ।୮ ।

ବ୍ରହ୍ମାଣ୍ଡେ ନ ଥିଲା ସରି

ବିପାକ କର୍ମୁ ମୋହରି ।

 

ବିନିନ୍ଦ୍ୟରେ ନିନ୍ଦ୍ୟ ଉପମା ଦେବାକୁ ହୋଇଲା ସମାନ କରି ।୯ ।

ବିଧାତା ବିଧାନୀ ନୋହି

ବୁଧ କବି ଥିଲେ କହି ।

 

ବହି ଈରଷା ତା ସର୍ଜନା ଉପମା ଦିଅଇ ବିଚ୍ଛେଦ ବିହି ।୧୦ ।

 

୬ଷ୍ଠ ପଦ :- କନକ ନଗର - ସୁବର୍ଣ୍ଣପୁରୀ (ଲଙ୍କା) । ବିବୁଧାତଳ - ମେରୁ ପର୍ବତ ।

୬ଷ୍ଠ ପଦ :- ‘‘ଆମ୍ଭେମାନେ ଶୀଘ୍ର ଯାଇ ସ୍ୱର୍ଣ୍ଣପୁରୀ (ରାକ୍ଷସମାନଙ୍କ ରହିବା ସ୍ଥାନ) ଲଙ୍କାରେ ଯୁଦ୍ଧ କରନ୍ତେ, ମାତ୍ର ସେହି ସ୍ୱର୍ଣ୍ଣପୁରୀ ମେରୁ ପର୍ବତରେ କି ସମୁଦ୍ରର ଆରପଟ କୂଳରେ ଅଛି, ତାହା ଜଣା ନ ପଡ଼ିବାରୁ ସେଠାକୁ ଯିବାକୁ ସନ୍ଦେହ ଜାତ ହେଉଅଛି ।’’

୭ମ ପଦ :- ବିଷ୍ଣୁପଦୀ - ଗଙ୍ଗା । ଗୁଡ଼କାର - ଗୁଡ଼ିଆ ।

୭ମ ପଦ :- ‘‘ମୋର ସ୍ତ୍ରୀର ନାମ ବୈଦେହୀ ଏବଂ ସୀତା; କିନ୍ତୁ ବେପାରୀର ସ୍ତ୍ରୀକୁ ମଧ୍ୟ ବୈଦେହୀ କୁହାଯାଏ । ଆଉ ମଧ୍ୟ ଗଙ୍ଗାଙ୍କର ନାମ ସୀତା ଏବଂ ଗୁଡ଼ିଆ ଘରେ ଥିବା ଶାକରର ନାମ ସିତା । ସୁତରାଂ ନାମରେ ସମାନତା ଯୋଗୁଁ ତୁମ୍ଭମାନଙ୍କର ଏମାନଙ୍କଠାରେ ଯେପରି ଭ୍ରମ ନ ହୁଏ ।’’

୮ମ ପଦ :- ‘‘ତୁମ୍ଭେମାନେ ନିଃସନ୍ଦେହ ରୂପେ ଜାଣିବା ଦରକାର, ଯେ ବୈଦେହୀ, ଜାନକୀ, ମୈଥିଳୀ, ପାର୍ଥିବୀ, ଯୋଜନାଗନ୍ଧା ଓ ସୀତା ଏହି ଛ ନାମ ସୀତା ଏବଂ ଗୁଡ଼ିଆ ଘରେ ଥିବା ଶାକରର ନାମ ଧାରଣ କରିଥିବ ସେ ମୋର ସ୍ତ୍ରୀ ଅଟେ।’’

୯ମ ପଦ :- ବିପାକ କର୍ମୁ - ଦୁର୍ଭାଗ୍ୟ ହେତୁରୁ । ବିନିନ୍ଦ୍ୟ - ପ୍ରଶଂସନୀୟ ।

୯ମ ପଦ :- ‘‘ଏହି ବ୍ରହ୍ମାଣ୍ତରେ ମୋର ପ୍ରିୟା ସହିତ ସମାନ ହେବାକୁ କେହି ନ ଥିଲା, କିନ୍ତୁ ମୋର ଦୁର୍ଭାଗ୍ୟ ହେତୁ ସେହି ଅନିନ୍ଦ୍ୟା ସୀତାଙ୍କଠାରେ ସମାନ କରିବା ପାଇଁ ନିନ୍ଦନୀୟ ଉପମାମାନଙ୍କୁ ଦେବାକୁ ହେଲା ।’’

୧୦ମ ପଦ :- ବୁଧ - ପଣ୍ତିତ ।

୧୦ମ ପଦ :- ‘‘କବି ଓ ପଣ୍ତିତମାନେ କହିଲେ କି, ସୀତା ବିଧାତାଦ୍ୱାରା ନିର୍ମିତ ନୁହଁନ୍ତି, ତେଣୁ ବିଧାତା କ୍ରୋଧ ବହି ତାର (ବିଧାତାର ) ଅନ୍ୟ ଜିନିଷମାନଙ୍କ ସହ ତୁଳନା କରାଇବା ପାଇଁ ପ୍ରିୟାକୁ ମୋଠାରୁ ଅନ୍ତର କରାଇଲା କି ?’’

 

ବଢ଼ିଣ ଚୂର୍ଣ୍ଣ କୁନ୍ତଳ

ବଳିଥିବ ଅର୍ଦ୍ଧଭାଳ ।

 

ବକ୍ଷେ ରୁହେ ମୁଖ ମେଳ କରିଥିବ ଏ ଦୃଷ୍ଟି କୃତେ ସଫଳ।୧୧।

ବିଭାବରୀ ଅବଶେଷେ

ବିଧୁ ନ୍ତୁଦ ଅଳ୍ପ ଗ୍ରାସେ ।

 

ବାରୁଣୀ ଅଚଳ ଚୂଳେ ପୂର୍ଣ୍ଣଶଶୀ ପ୍ରଭାହୀନ ଯଥା ଦିଶେ।୧୨।

ବଳି ଶୋଭା ରୋମାବଳି

ବର୍ଣ୍ଣ କୁଚ ପାଣ୍ଡୁ ଝଳି ।

 

ବଲ୍ଲକୀ ଉରେ ଆଉଯାଇ ଶାରଦା ଚିନ୍ତା ରାଗ ଭାଳି ।୧୩।

ବିମଳନୟନୁ ଜଳ

ବହି ପଡ଼ୁଥିବ ତଳ ।

 

ବଜ୍ୱଳିତ ଶଙ୍ଖ ନୀଳ ହିଙ୍ଗୁଳରେ ଶାୟକୁଁ ଖସେ କି ଫଳ ? ।୧୪।

ବକ୍ରଚାହାଣୀ ସନ୍ଧାନ

ବିଫଳୁ ନ ଥିବ ଘେନ ।

 

ବାଣାସକଭୁରୁ ଗଭୀର ଅଞ୍ଜନ ସିଞ୍ଜିନୀ ହେବାରୁ ଶୀର୍ଣ୍ଣ ।୧୫।

 

୧୧ଶ ପଦ :- ଚୂର୍ଣ୍ଣଚୁନ୍ତଳ - କୁଞ୍ଚିତ କେଶ । ବକ୍ଷୋରୁହେ - ସ୍ତନରେ ।

୧୨ଶ ପଦ :- ବିଭାକରୀ – ରାତ୍ରି । ବିଧୁନ୍ତୁଦ – ରାହୁ । ବାରୁଣୀ ଅଚଳ - ଚୂଳେ - ପଶ୍ଚିମ ଦିଗସ୍ଥ ପର୍ବତ ଶିଖରରେ।

୧୧ଶ ଓ ୧୨ଶ ପଦ :- ‘‘ଯେଉଁ ସ୍ତ୍ରୀର ଅଳକା କପାଳର ଅଧକୁ ବଳି ପଡ଼ିଥିବ, କେଶ ବାନ୍ଧୁ ନ ଥିବାରୁ ଛୋଟ ଛୋଟ ବାଳସବୁ ଖସି କପାଳ ସ୍ପର୍ଶ କରୁଥିବ, ଯେଉଁ ସ୍ତ୍ରୀ ସ୍ତନଦ୍ୱୟରେ ମୁଖ ରଖିଥିବ, ଚିନ୍ତାଯୋଗୁଁ ମୁଖ ପୋତି ବସିଥିବ, ଏହିପରି ସ୍ତ୍ରୀକୁ ଦେଖିଲେ ତୁମ୍ଭ ପରିଶ୍ରମ ସଫଳ ହେବ (ଅର୍ଥାତ୍‌ ତାକୁ ମୋର ସ୍ତ୍ରୀ ବୋଲି ଜାଣିବ ) । ଶେଷରେ ରାହୁ ଅଳ୍ପ ଗ୍ରାସ କରିଥିଲେ ଅସ୍ତଗିରିର ଶିଖର ଦେଶରେ ପୂର୍ଣ୍ଣଚନ୍ଦ୍ର ଯେପରି ଦେଖାଯାଏ; ଚୂର୍ଣ୍ଣ କୁନ୍ତଳାଛନ୍ନ ପ୍ରିୟାର ମୁଖ ସେହିପରି ଦେଖାଯାଉଥିବ ।’’

୧୩ଶ ପଦ :- ଶାରଦା - ସରସ୍ୱତୀ । ବଲ୍ଲକୀ - ବୀଣା ।

୧୩ଶ ପଦ :- ‘‘ଆଉ ମଧ୍ୟ ପ୍ରିୟାର ‘ବର୍ଣ୍ଣ’ ରୂପ ତ୍ରିବଳୀଠାରୁ ଶୋଭା ବିସ୍ତାର କରି ପାଣ୍ତୁବର୍ଣ୍ଣ କୁଚ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ରୋମରାଜିରେ ଯୁକ୍ତ ହୋଇଥିବ ଅଥବା ପ୍ରିୟାର ‘ବର୍ଣ୍ଣ’ ରୂପ ତ୍ରିବଳୀଠାରୁ ଶୋଭାବିସ୍ତାର କରି (ଆରମ୍ଭ ହୋଇ ବା ଦେଖାଦେଇ) ପାଣ୍ତୁର- ବର୍ଣ୍ଣ କୁଚ ପର୍ଯ୍ୟନ୍ତ ବିସ୍ତୁତ ହୋଇଥିବା ରୋମରାଜି ଦ୍ୱାରା ଯୁକ୍ତ ହୋଇଥିବ ଏବଂ ସେ ଅନୁରାଗ ବଶତଃ ଗୁଣରୂପୀ ମୋର ଗୁଣମାନଙ୍କୁ ଭାଳି ଚିନ୍ତା କରୁଥିବ । ଏଣୁ ବୀଣାକୁ ଛାତିରେ ଆଉଯାଇ ସେହି ବୀଣାର ‘ଗୁଣ’ ତାରମାନଙ୍କୁ ଭାଳି ବିବେଚନା ପୂର୍ବକ ସଂଚାଳନ କରି ରାଗିଣୀମାନଙ୍କ ବିଷୟ ଚିନ୍ତା କରୁଥିବା ସରସ୍ୱତୀଙ୍କ ପରି ମଧ୍ୟ ଦେଖାଯାଉଥିବ ।’’ ଏଠାରେ ତ୍ରିବଳି ବାଣୀ ସାର, ରୋମାବଳି ଦଣ୍ତ, କୁଚ ତୁମ୍ଭୀ ଗୁଣ ବୀଣାତାର, ବର୍ଣ୍ଣ ଶୁଳ୍ଳ ହୋଇ ବର୍ଣ୍ଣିତ ହେବାରୁ ସରସ୍ୱତୀଙ୍କ ସହ ତୁଳନା କରାଗଲା । )

୧୪ଶ ପଦ :- ବିଜ୍ଜ୍ୱଳିତ - ଦୀପ୍ତିମନ୍ତ । ଶାୟକୁଁ- ଶରରୁ ।

୧୫ଶ ପଦ :- ବାଣାସନ- ଧନୁ । ଭୀରୁ- ସ୍ତ୍ରୀ । ଅଞ୍ଜନ- କଜ୍ଜ୍ୱଳ । ସିଞ୍ଜିନୀ- ଧନୁର ଗୁଣ । ଶୀର୍ଣ୍ଣ - ଛିଣ୍ତି ଯିବାରୁ ।

୧୬ଶ ପଦ :- ବିଭଙ୍ଗ - ରକ୍ତିମାହୀନ । ବିମ୍ବଫଳ - କରଞ୍ଚିକାକୁଡ଼ି ।

୧୪ଶ ପଦ :- ‘‘ପ୍ରିୟାର ଚକ୍ଷୁ ଦୁଇଟିରୁ ଜଳ (ଲୁହ) ବହି ତଳେ ପଡ଼ୁଥିବ । ତାହା ଦେଖିଲେ ମନେହେବ, ଶଙ୍ଖ, ନୀଳ ଓ ହେଙ୍ଗୁଳରେ ରଞ୍ଜିତ ଲୁହା ନିର୍ମିତ ଶରର ଅଗ୍ରଭାଗ ଶରରୁ ଖସିପଡ଼ୁଛି କି ?’’

୧୫ଶ ପଦ :- ‘‘ସେହି ଭୟଶୀଳା ପ୍ରିୟା ତାହାର ଭ୍ରୁଲତା ରୂପ ଧନୁରୁ କଜ୍ଜ୍ୱଳ ରୂପ ଗୁଣ ଛିଣ୍ଡି ଯାଇଥିବାରୁ, (ଅର୍ଥାତ୍ ଅନବରତ କାନ୍ଦିବା ଦ୍ୱାରା କଜ୍ଜ୍ୱଳ ଧୋଇ ହୋଇଯାଇଥିବାରୁ) ସେ ବିଫଳ ହେବାର ଜାଣି ବକ୍ର ଚାହାଁଣି ରୂପ ଶରକୁ ଯୋଗ କରୁ ନ ଥିବ,-ଏହା ମନେରଖ ।’’ ଅତଏବ କ୍ରନ୍ଦନାତୁରା କାମୋଦପନକାରିଣୀ ହେବା ଅସମ୍ଭବ । )

 

ବାଜି ଖରଶ୍ୱାନ ତାର

ବିଭଙ୍ଗ ଭଳି ଅଧର ।

 

ବିମ୍ବଫଳ ପାଚି ଶୁଖିଗଲା ରୁଚି କରିଥିବ ଅଙ୍ଗୀକାର ।୧୬।

ବିଶୀର୍ଣ୍ଣରେ ସୁକୁମାରୀ

ବହିଥିବ ମଧ୍ୟ ଶିରୀ ।

 

ବିଚାରୁଛି ଚାରୁମଧ୍ୟ ଅତି ସରୁ ହୋଇଥିବ କାହା ପରି।୧୭।

ବୋଲିବ ଯେତେ ଯୁବତୀ

ବିରହିଣୀ ଏହିମତି ।

 

ବିଗତ ଚନ୍ଦନେ ପଲ୍ଲବ ଶୟନେ ନ ଥିବ ଯେ ଘେନ ମତି।୧୮।

ବାମଦେବବାମା କେତେ

ବିଭାତି ସମ ଜଗତେ ।

 

ବନ୍ଧୁ ସଙ୍ଗତେ ମୋ ସେ ତ ଅର୍ଦ୍ଧଅଙ୍ଗୀ ବିରହୀ ହେବେ କେମନ୍ତେ ? ।୧୯।

ବାକ୍ୟ ମନ୍ଦ ହୋଇଥିବ

ବରଷା ପିକ ସ୍ୱଭାବ ।

 

ବୃକ୍ଷ ହେବ ତୁମ୍ଭେ ମୋ କଥା ଶ୍ରବଣ ଜମ୍ବୁ ପାନ କରାଇବ ।୨୦।

 

୧୬ଶ ପଦ :- ‘‘ତାର ଉତପ୍ତ ନିଶ୍ୱାସ ବାଜି ଓଷ୍ଠ ଅସୁନ୍ଦର ଦେଖାଯାଉଥିବ । ମନେ ହୁଏ, ବିମ୍ବଫଳ ପାଚି ଶୁଖିଗଲେ ଯେଉଁପରି ଶୋଭା ଧାରଣ କରେ, ଓଷ୍ଠ ସେହି ଶୋଭାକୁ ଧରିଥିବ ।’’

 

୧୭ଶ ପଦ :- ‘‘ସୁକୁମାରୀ ଅତିଶୟ କ୍ଷୀଣ ହେଇ ତାର କଟୀର ଶୋଭାକୁ ଧାରଣ କରିଥିବ । (ଅର୍ଥାତ୍ ତାର ଅଣ୍ଟା ଯେଡ଼େ ସରୁଥିଲା, ସେ ଏବେ ଚିନ୍ତା କରି କରି ସେତିକି ସରୁ ହୋଇଯିବଣି) । ମୁଁ ଭାବୁଛି, ତାର ଅତିସୁନ୍ଦର ସେହି ଅଣ୍ଟାଟି ଏବେ କାହାପରି ସରୁ ହୋଇଥିବ ?’’

 

୧୮ଶ ପଦ :- ‘‘ତୁମ୍ଭେମାନେ ଅବା କହିବ, ଯେତେ ସ୍ତ୍ରୀ ବିରହିଣୀ ହୁଅନ୍ତି, ସମସ୍ତେ ଏହିପରି କ୍ଷୀଣ ହୋଇଯାନ୍ତି, କିନ୍ତୁ ଯେ ଚନ୍ଦନ ବୋଳି ହୋଇ ନ ଥିବ କି କୋମଳ ପତ୍ରଶଯ୍ୟାରେ ଶୋଇ ନ ଥିବ, ତାକୁ ମୋର ସ୍ତ୍ରୀ ବୋଲି ଜାଣିବ ।’’

 

୧୯ଶ ପଦ :- ବାମଦେବବାମା-ମହାଦେବଙ୍କ ସ୍ତ୍ରୀ । ବିଭାତି-ସୌନ୍ଦର୍ଯ୍ୟ ।

 

୧୯ଶ ପଦ :- ‘‘ଏହି ଜଗତରେ ମୋର ସ୍ତ୍ରୀ ସହିତ ମହାଦେବଙ୍କ ସ୍ତ୍ରୀ ପାର୍ବତୀ କେତେକ ଅଂଶରେ ସମାନ ଅଟନ୍ତି । ମହାଦେବ ତ ଅର୍ଦ୍ଧାଙ୍ଗ ଅଟନ୍ତି ତେବେ ପାର୍ବତୀ କିପରି ବିରହିଣୀ ହେବେ ? କିନ୍ତୁ ମୋର ପ୍ରିୟା ସୀତା ସଙ୍ଗତରେ ଥିବାରୁ (ମହାଦେବଙ୍କ ପରି ମୁଁ ଅର୍ଦ୍ଧାଙ୍ଗ ହୋଇ ନ ଥିବାରୁ) ରାବଣ ନେଇଯିବା ଦ୍ୱାରା ସେ ବିରହିଣୀ ହେଲା ।’’

 

୨୦ଶ ପଦ :- ‘‘ବର୍ଷାକାଳରେ ସ୍ୱଭାବତଃ କୋକିଳର ସ୍ୱର ବନ୍ଦ ହେଲା ପରି ପ୍ରିୟାର ସ୍ୱର ବନ୍ଦ ହୋଇଥିବ, କିନ୍ତୁ ଜାମୁକୋଳିର ରସ ଆସ୍ୱାଦନ କଲେ କୋକିଳର ସ୍ୱର ମନୋହର ହୁଏ । ସେହିପରି ତୁମ୍ଭେମାନେ ଜାମୁଗଛପରି ହୋଇ ମୋର କଥା ରୂପ ଜାମୁଫଳ ତାଙ୍କୁ ଆସ୍ୱାଦନ କରାଇବ । (ଅର୍ଥାତ୍ ସେ ବିରହରେ ମୂକ ହୋଇ ବସିଥିଲେ ସୁଦ୍ଧା ମୋ କଥା ଶୁଣିଲେ ନିଶ୍ଚୟ କଥା କହିବ ) ।

 

ବରତା ଶୁଣିଲେ ମୋର

ବଦନେ ପ୍ରସନ୍ନ ତାର ।

 

ବହି ଆଣୁ ମନ୍ଦେ ଦୃଢ଼ କରି ଶିଳେ କଚାଡ଼ି ଦେବ ମୁକୁର ।୨୧।

ବହିବାକୁ ଶାତ ରଙ୍ଗେ

ବୀର ସାତ ସାତ ସଙ୍ଗେ ।

 

ବସନ୍ତେ ପୂର୍ବରେ ପଦ୍ମିନୀ କ୍ଷୀଣକୁ ନାଶ ଅର୍ଥେ ପେଶି ବେଗେ।୨୨।

ବିଭେଦନେ ଦୁଃଖରାଶି

ବାରୁଣୀକି ଶୌରି ପେଷି ।

 

ବର୍ଗେ ଉତ୍ତରେ ଶତବଳୀ ଅବଳା ବଳଦ ହେବା ମନାସି।୨୩।

ବାଳୀ ଆନନ୍ଦ କରଣେ

ବାଳିନନ୍ଦନ ଦକ୍ଷିଣେ ।

 

ବିଘ୍ନ ନାହିଁ ହନୁମାନ ଅନୁମାନ ମାନଘ୍ନ ହେବ ବୀକ୍ଷଣେ ।୨୪।

ବାର୍ତ୍ତା କହେ ରାମ ନେଇ

ବନ୍ଧୁ ଦେଖ ସିନ୍ଧୁ ଡ଼େଇଁ ।

 

ବିଶ୍ୱାସ ନ କଲେ ଆଶ୍ୱାସ କର ତୁ ଏହି ମୁଦ୍ରିକାକୁ ଦେଇ।୨୫।

 

୨୧ଶ ପଦ :- ମୁକୁର-ଦର୍ପଣ । ମନ୍ଦେ-ଧୀରେ । ଶିଳେ-ପଥରରେ ।

୨୧ଶ ପଦ :- ‘‘ମୋର କଥା ଶୁଣିବାକ୍ଷଣି ତାର ମୁଖ ଧୀରେ ଧୀରେ ପ୍ରସନ୍ନତାକୁ ବହି ଆଣିବ ଅର୍ଥାତ୍ ନିର୍ମଳ ଦେଖାଯିବ । ସେହି ନିର୍ମଳ ମୁଖ ଦର୍ପଣକୁ ତୁଚ୍ଛ ମନେ କରି ଜୋର ସହିତ ପଥରରେ କଚାଡ଼ି ଦେବ ।’’

୨୨ଶ ପଦ :- ରଙ୍ଗେ-ହର୍ଷରେ । ଶାତ-ସୁଖ !

୨୨ଶ ପଦ :- ରାମଚନ୍ଦ୍ର ପ୍ରତ୍ୟେକ ସେନାପତିମାନଙ୍କ ସଙ୍ଗରେ ସାତ ସାତ ଜଣ ବୀର ଦେଇ ବିଦାୟ କଲେ, କାରଣ ସେ ମନେ କଲେ,- ଏହିପରି ଗଲେ ଏମାନେ ସୁଖ ଓ ଆନନ୍ଦର ଉପଭୋଗ କରିବେ । ବସନ୍ତ ୠତୁ ପଦ୍ମିନୀର କ୍ଷୀଣତାକୁ ନାଶ କରେ, ଏହି ଅଭିପ୍ରାୟକୁ ପୋଷଣକରି, ବସନ୍ତ ନାମକ ସେନାପତିକୁ ପଦ୍ମିନୀ ସୀତାଙ୍କର ବିରହ ‘କ୍ଷୀଣତାକୁ’ ଦୁଃଖକୁ ଶୀଘ୍ର ନାଶ କରିବା ନିମିତ୍ତ ପୂର୍ବଦିଗକୁ ପଠାଇଲେ ।

୨୩ଶ ପଦ :- ବାରୁଣୀକି-ପଶ୍ଚିମ ଦିଗକୁ । ଶୌରି-ଭଗବାନ୍, ଶନିଗ୍ରହ । ଅବଳା-ସ୍ତ୍ରୀ ।

୨୩ଶ ପଦ :- ‘ଏ ମୋ ପ୍ରିୟାର ଦୁଃଖମାନଙ୍କୁ ଖଣ୍ଡନ କରିବ’ ଏହା ଭାବି ଶୌରି ସେନାପତିଙ୍କୁ ପଶ୍ଚିମ ଦିଗକୁ ପ୍ରେରଣ କଲେ । କାରଣ ପଶ୍ଚିମ ଦିକ୍‌ପତି ଶନି ଦୁଃଖ ବିନାଶ କରନ୍ତି । ଅଥବା ‘ଶୌରୀ’ ବିଷ୍ଣୁ ଦୁଃଖନାଶକ ଅଟନ୍ତି । ‘ମୋର ଦୁର୍ବଳା ସ୍ତ୍ରୀକୁ ବଳଦାନ କରିବ’ ଅର୍ଥାତ୍ ସହାୟ ହେବ ଏହି କଥା ବିଚାରି ଶତବଳୀ ନାମକ ସେନାପତିକୁ ଉତ୍ତର ଦିଗକୁ ପଠାଇଲେ ।

୨୪ଶ ପଦ :- ବାଳିନନ୍ଦନ-ଅଙ୍ଗଦ । ବାଳୀ-ସୀତା । ବୀକ୍ଷଣେ-ଦେଖାଦେବା ମାତ୍ରେ ।

୨୪ଶ ପଦ :- ‘ଏ ବାଳିକୁ ଆନନ୍ଦ ପ୍ରଦାନ କରିଥିଲା (ପୁତ୍ର ଜନ୍ମ ହେଲେ ପିତା ଆନନ୍ଦିତ ହୁଏ) ଅତଏବ ମୋର ବାଳୀ (ସୀତାଙ୍କୁ ଆନନ୍ଦ ପ୍ରଦାନ କରିବ’ । ଏହା ବିଚାରି ଅଙ୍ଗଦକୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ ଏବଂ ‘ଏହାକୁ ଦେଖିଲେ ବିଘ୍ନ ହେବନାହିଁ ଓ ଅଭିମାନୀର ଅଭିମାନ ନାଶ ହେବ’ (ସୀତାଙ୍କର ମୋ ପ୍ରତି ଥିବା ମାନ ତୁଟି ଯିବ)- ଏହା ଭାବି ହନୁମାନକୁ ଅଙ୍ଗଦ ସହିତ ପ୍ରେରଣ କଲେ ।

୨୫ଶ ପଦ :- ରାମଚନ୍ଦ୍ର ହନୁମାନକୁ ଡାକି ନେଇ ଏହି କଥା କହିଲେ, ‘‘ସମୁଦ୍ର ଡେଇଁ ପ୍ରିୟାକୁ ଦେଖ, ଯଦି ସେ ତୋତେ ବିଶ୍ୱାସ କରିବ ନାହିଁ, ତାହାହେଲେ ଏହି ମୁଦ୍ରିକାକୁ ଦେଇ ଆଶ୍ୱାସ କରାଅ ଅର୍ଥାତ୍ ବିଶ୍ୱାସ ଉତ୍ପାଦନ କର ।’’

 

ବିଶ୍ୱାସ ଏଣେ ନ କଲେ

ବୋଲ ଚିତ୍ରକୂଟ ଶୈଳେ ।

 

ବିଚିତ୍ର ଚିତ୍ରକ ଗଇରିକେ ପରା ଲେଖିଥିଲେ ତବ ଭାବେ ।୨୬।

ବିଳମ୍ବ ଯେ କୀଶଶିଶୁ

ବଡ଼ ଭୟେ କୋଳେ ପଶୁଁ ।

 

ବିରାଜେ ତୋ ଚିତା କାନ୍ତ ହୃଦେ କାନ୍ତ ତୋ ଭାଲେ ସେ ହୃଦପାଂଶୁ।୨୭।

ବାରୁଣୀ ପ୍ରାଚୀ ମାଧୁରୀ

ବେନି ସ୍ଥାନ ସନ୍ଧ୍ୟା ପରି ।

 

ବିମ୍ବ ସବିତାର ଚନ୍ଦ୍ର କର ତାର କଥା ହେଲେ ସ୍ନେହ ଭରି।୨୮।

ବତାଇ ଦେବୁ ପାବନି

ବିହୁଁ ମଧୁଶଯ୍ୟା ବେନି ।

 

ବହ୍ନି ସାକ୍ଷୀ କରି କଲା ନିୟମକୁ ଚିତ୍ତେ ଥିବ ଏକା ଘେନି।୨୯।

ବଡ଼ ଚତୁରୀ ସେ ସତ

ବୋଲନ୍ତେ କିସ କହ ତ ।

 

ବୋଲିବୁ ବୋଲିଛ ଆନ ଆନନକୁ ନ ଚାହିଁବ ଶ୍ରଦ୍ଧାଯୁକ୍ତ।୩୦।

 

୨୬ଶ ପଦ :- ‘‘ସେ ଏହି ମୁଦ୍ରିକାକୁ ଦେଖି ବିଶ୍ୱାସ ନ କଲେ କହିବ;- ଚିତ୍ରକୂଟ ପର୍ବତରେ ତୁମ୍ଭ କପାଳରେ ରାମ ଗୈରିକ ହାରା ମନୋହର ତିଳକ ଲେଖିଥିଲେ ପରା ।’’

 

୨୭ଶ ପଦ :- କୀଶଶିଶୁ-ବାନର ଶିଶୁ ବା ମାଙ୍କଡ଼ ଛୁଆ । ପାଂଶୁ-ଭସ୍ମ ବା ପାଉଁଶ ।

 

୨୭ଶ ପଦ :- ‘‘ସେହି ସମୟରେ ମାଙ୍କଡ଼ ଛୁଆସବୁ ନିକଟରେ ଆସି ଖେଳିବାକୁ ଲାଗିଲେ । ତୁମ୍ଭେ ଅତିଶୟ ଭୟ କରି କୋଳରେ ପଶିବାରୁ, ତୁମ୍ଭର ସେହି ଚିତା ରାମଚନ୍ଦ୍ରଙ୍କ ବକ୍ଷରେ ଓ ତାଙ୍କ ବକ୍ଷରେ ବୋଳା ହୋଇଥିବା ପାଉଁଶ ତୁମ୍ଭର କପାଳରେ ଲାଗି ଶୋଭା ପ୍ରକାଶ କରିଥିଲା ।’’

 

୨୮ଶ ପଦ :- ସବିତାବିମ୍ବ-ସୂର୍ଯ୍ୟମଣ୍ଡଳ । ବାରୁଣୀ-ପଶ୍ଚିମଦିଗ । ପ୍ରାଚୀ-ପୂର୍ବଦିଗ ।

 

୨୮ଶ ପଦ :- ‘‘ରାମଚନ୍ଦ୍ରଙ୍କୁ ସେହି ସମୟରେ ତୁମ୍ଭେ କହିଲ, ସନ୍ଧ୍ୟା ସମୟରେ ସୂର୍ଯ୍ୟମଣ୍ଡଳ ପଶ୍ଚିମଦିଗକୁ ପ୍ରାପ୍ତ ହେଲେ ସେ ପଶ୍ଚିମାକାଶ ଯେଉଁପରି ଶୋଭାକୁ ଧାରଣ କରେ, ହେ ନାଥ ! ତୁମ୍ଭର ବକ୍ଷସ୍ଥଳ ସେହି ଶୋଭାକୁ ଧାରଣ କରିଅଛି । ସେ କହିଲେ, ହେ ପ୍ରିୟେ ! ସନ୍ଧ୍ୟା ସମୟରେ ଉଜ୍ଜ୍ୱଳ ଚନ୍ଦ୍ର କିରଣ ପୂର୍ବ ଦିଗରେ ପଡ଼ିଲେ ପୂର୍ବାକାଶ ଯେପରି ଶୋଭାକୁ ପ୍ରାପ୍ତ ହୁଏ, ତୁମ୍ଭର ମୁଖ ସେହି ଶୋଭାକୁ ଧାରଣ କରିଅଛି । ଏହିପରି ଦୁହେଁ ସ୍ନେହପୂର୍ଣ୍ଣ କଥାବାର୍ତ୍ତା ହୋଇଥିଲେ ।’’

 

୨୯ଶ ପଦ :- ପାବନି-ପବନପୁତ୍ର (ହନୁମାନ) । ବହ୍ନି-ଅଗ୍ନି (ଦୀପନିଆଁ) ।

 

୨୯ଶ ପଦ :-ହେ ପବନପୁତ୍ର ! ସେ ଏହି ସବୁ କଥା ଦ୍ୱାରା ଯଦି ବିଶ୍ୱାସ ନ କରେ ତେବେ କହିବୁ ହେ, ମଧୁଶଯ୍ୟା ବିଧାନ ହେବା ସମୟରେ ଅର୍ଥାତ୍ ପ୍ରଥମ ମିଳନ ସମୟରେ ଦୁହେଁ ଅଗ୍ନିଙ୍କୁ ସାକ୍ଷୀକରି ନିୟମ କରିଥିଲ ପରା । ତୁମ୍ଭେ ନିଜେ ଏହି କଥା ମନେ ରଖିଥିବ ଯେ, କାରଣ ସେ ସମୟରେ ତୁମ୍ଭ ଛଡ଼ା ଆଉ କେହି ନ ଥିଲେ ।’’

 

୩୦ଏ ପଦ :- ‘‘ସେ ବଡ଼ ଚତୁରୀ । ତୋର ଏହିପରି କଥା ଶୁଣି ସେ କହିବ, ତୁମ୍ଭେ ଯାହା କହୁଛ; ଏହା କଣ ସତ ? ଆଚ୍ଛା ମୁଁ ଆଉ ନିୟମ କରିଥିଲି ? ଏପରି କହିଲେ,- କହିବୁ ମୁଁ ଆଦର ସହିତ ଆଉ କାହାର ମୁଖ ଚାହିଁବି ନାହିଁ; ତୁମ୍ଭେ ଏହି କଥା କହିଥିଲ ।’’

 

ବହ୍ନି ସ୍ୱରୂପ କନ୍ଦର୍ପ

ବଶୀକରଣକୁ ଆପ ।

 

ବସାଇ ଚାପରେ ଉନ୍ମାଦ ମୋହନ ରୋପି ମିଳିଲେ ସମୀପ ।୩୧ ।

 

ବୋଲିବ ଏଥକୁ ଯାହା

ବାନ୍ଧି ଗଣ୍ଠି କରି ତାହା ।

 

ବାଣିଜ୍ୟ କରିବା ସେହି ସୁବର୍ଣ୍ଣରେ ନାଶ ନୋହିବ ଉତ୍ସାହା ।୩୨ ।

 

ବରଷା ଯାଏ ନୋହିବ

ବିଯୋଗ ଭରସା ଦେବ ।

 

ବଲ୍ଲଭ ଜାନୁସିଂହାସନଭିଷେକୀ ଏଥି ଭିତରେ ହୋଇବ ।୩୩ ।

 

ବୋଲିବ ନ କର ଚିନ୍ତା

ବଧେ ରାବଣର ସୀତା ।

 

ବିରାଧ-ବଧ ପରଶୁରାମ ଗର୍ବ ଖର୍ବ ତବ ବିଲୋକିତା ।୩୪ ।

 

ବେଳ ହେଉ ଶୁଭ ସର୍ବ

l

ବରଦ ଦୁର୍ଗା ମାଧବ ।

 

ବାରିଧିସୁତା ନରସିଂହ ହୁଅନ୍ତୁ ଠାବ କରି ବାହୁଡ଼ିବ ।୩୫ ।

 

 

୩୧ଶ ପଦ :- ଚାପ-ଧନୁ । ରୋପି-ସନ୍ଧାନ କରି ।

୩୧ଶ ପଦ :- ‘‘ପୁଣି କହିବୁ,- ତୁମ୍ଭେ ଆହୁରି କହିଛ ଯେ, କନ୍ଦର୍ପ ବଶୀକରଣମନ୍ତ୍ରକୁ ଜପ, ନିଜର ରୂପକୁ ଧାରଣ କରି, ତାହାର ଧନୁରେ ଉନ୍ମାଦନ ଓ ସଂମୋହନ ନାମକ ଶରଦ୍ୱୟକୁ ସନ୍ଧାନ କରି ମୋର ନିକଟକୁ ଆସିଲେ ସୁଦ୍ଧା ମୁଁ ଅନ୍ୟ ପୁରୁଷର ମୁଖ ଚାହିଁବି ନାହିଁ ।’’

୩୨ଶ ପଦ :- ସୁବର୍ଣ୍ଣ-ଉତ୍ତମ ବର୍ଣ୍ଣ, ଉତ୍ତମ, ଅକ୍ଷର ସୁନା ।

୩୨ଶ ପଦ :- ‘‘ତୋହର ଏହି ସବୁ କଥା ଶୁଣି ସେ ଯାହା କହିବ, ତାହାକୁ ଗଣ୍ଠି ପକାଇ ବାନ୍ଧି ଆଣିବୁ । ସେହି ସୁବର୍ଣ୍ଣ ଅର୍ଥାତ୍ ଉତ୍ତମ ବର୍ଣ୍ଣ (ଅକ୍ଷର) ରୂପ ସୁନା ଦ୍ୱାରା ବାଣିଜ୍ୟ କରିବା (ବାରମ୍ବାର ସେହି ଅକ୍ଷରଗୁଡ଼ିକୁ ଘୋଷି ମନକୁ ଉଦୀପ୍ତ କରିବା) ଏଣୁ ଯୁଦ୍ଧ ପ୍ରତି ହତୋତ୍ସାହ ହେବା ନାହିଁ ।’’

୩୩ଶ ପଦ :- ‘‘ହେ ହନୁମାନ ! ତୁ ତାକୁ ଭରସା ଦେଇ କହିବୁ ଯେ, ବର୍ଷାକାଳ ପର୍ଯ୍ୟନ୍ତ ତୁମ୍ଭର ଏ ବିରହ ଦଶା ରହିବ ନାହିଁ । (ଅର୍ଥାତ୍ ବର୍ଷାକାଳ ଆସିବା ପୂର୍ବରୁ ତୁମ୍ଭର ସହିତ ନିଶ୍ଚୟ ମିଳନ ହୋଇ ସାରିଥିବ) । ଏହି ଶିଶିର କାଳଠାରୁ ଗ୍ରୀଷ୍ମକାଳ ମଧ୍ୟରେ ତୁମ୍ଭେ ତାଙ୍କ ଜାନୁ ସିଂହାସନରେ ବସି ଅଭିଷେକ ହେବ ।’’

୩୪ଶ ପଦ :- ‘‘ଆଉ ମଧ୍ୟ କହିବୁ, ହେ ସୀତା ! ତୁମ୍ଭେ ରାବଣର ବଧ ବିଷୟରେ କିଛି ଚିନ୍ତା କରନାହିଁ । ଯେ ହେତୁ ତୁମ୍ଭେ ବିରାଧର ବଧ ଓ ପର୍ଶୁରାମଙ୍କର ଗର୍ବ ଖର୍ବ ହେବାର ନେତ୍ରରେ ଦେଖିଅଛ ।’’

୩୫ଶ ପଦ :- ବାରିଧିସୁତା-ଲକ୍ଷ୍ମୀ ।

୩୫ଶ ପଦ :- ତତ୍ପରେ ରାମ ହନୁମାନ ପ୍ରଭୃତିଙ୍କର ମଙ୍ଗଳ କାମନା କରି କହିଲେ, ‘‘ସର୍ବଦା ତୁମ୍ଭମାନଙ୍କର ମଙ୍ଗଳ ହେଉ ଏବଂ ସୀତାଙ୍କୁ ଠାବ କରି କୁଶଳରେ ଫେରି ଆସିବା ନିମିତ୍ତ ଦୁର୍ଗାମାଧବ ଓ ଲକ୍ଷ୍ମୀ ନୃସିଂହ ବର ପ୍ରଦାନ କରନ୍ତୁ ।’’

 

ବାହାର ତାରାନନ୍ଦନ

ବାତକ ଗନ୍ଧମାର୍ଦନ ।

 

ବୈଦ୍ୟ କପିଙ୍କ ତାରାକ୍ଷ ଜାମ୍ବୁବାନ ନଳନୀଳ ବିଦ୍ୟମାନ ।୩୬ ।

 

ବିହରିଲେ ଦିଶେ ଦିଶେ

ବାନର ଦୁତ ରଭସେ ।

 

ବିଶେଷ କଟକ ଗ୍ରାମ ଘୋଷ ପକ୍ୱଣାଦି ତହିଁ ବାସେ ବାସେ ।୩୭ ।

 

ବସୁଧାଭୁତେ ନ ଛାଡ଼ି

ବଡ଼ ସାନ ଆଦି ଲୋଡ଼ି ।

 

ବିବରେ ବିବରେ ଶୃଙ୍ଗେ ରଙ୍ଗେ ଖୋଜିଗଲେ ଦୁଃଖ ପଡ଼ି ।୩୮ ।

 

ବନେ ବନେ ପୁଣି ଲୋଡ଼େ

ବୃକ୍ଷେ ବୃକ୍ଷେ କ୍ରୋଡ଼େ କ୍ରୋଡ଼େ ।

 

ବିଭାକର ଉଦେ ହୋଇବା ସ୍ଥାନରୁ ଯେଉଁ ସ୍ଥାନେ ଯାଇଁ ବୁଡ଼େ ।୩୯ ।

 

ବାରିଦ ଶୀତ ବସତି

ବିରଚିବା ଯାଏ ଗତି ।

 

ବାହୁଡ଼େ ତ୍ରିଦିଗ ଦୂତ ମାସ ପୂର୍ଣ୍ଣ କାହିଁ ନ ଦେଖିଣ ସତୀ ।୪୦ ।

 

 

୩୬ଶ ପଦ :- ବାତଜ-ହନୁମାନ । କପିଙ୍କ ବୈଦ-ସୁଷେଣ । ତାରାନନ୍ଦନ-ଅଙ୍ଗଦ ।

୩୬ଶ ପଦ :- ଏହି ସମୟରେ ଅଙ୍ଗଦ, ହନୁମାନ ଗନ୍ଧମାର୍ଦନ, ସୁଷେଣ, ତାରାକ୍ଷ, ଜାମ୍ବୁବାନ, ନଳ ଓ ନୀଳ ଏହି ସାତଜଣ ପ୍ରଧାନ ସେନାପତି ସୀତାଙ୍କୁ ଅନ୍ୱେଷଣ କରିବା ନିମିତ୍ତ ଅନୁକୂଳ କରି ବାହାରିଲେ ।

୩୭ଶ ପଦ :- ରଭସେ-ଶୀଘ୍ର ବା ବେଗରେ । କଟକ-ନଗର । ଘୋଷ-ଗଉଡ଼ପଲ୍ଲୀ । ପକ୍ୱଣାଦି-ଶବରଗୃହାଦି ।

୩୭ଶ ପଦ :- ବାନର ଦୂତମାନେ ଅତି ବେଗରେ ପ୍ରତ୍ୟେକ ଦିଗରେ ବୁଲିବାକୁ ଲାଗିଲା ଓ ସେହି ସେହି ଦିଗମାନଙ୍କରେ ଥିବା ସହର, ଗ୍ରାମ, ଗଉଡ଼ପଲ୍ଲୀ ଓ ଶବର ପଲ୍ଲୀମାନଙ୍କରେ ଥିବା ପ୍ରତ୍ୟେକ ଗୃହରେ ବିଶେଷ ଭାବରେ ଦୃଷ୍ଟି ନିକ୍ଷେପ କଲେ ।

୩୮ଶ ପଦ :- ବସୁଧାଭୃତେ-ପର୍ବତମାନଙ୍କୁ । ବିବରେ-ପର୍ବତ ଗହ୍ୱରରେ । ରଙ୍ଗେ-କୌତୁକରେ ।

୩୮ଶ ପଦ :- ସେମାନେ ଗୋଟିଏ ସୁଦ୍ଧା ସ୍ଥାନ ଛାଡ଼ି ଛୋଟ ବଡ଼ ଆଦି ସମସ୍ତ ପର୍ବତ ପ୍ରତ୍ୟେକ ଗୁମ୍ଫା ଓ ପ୍ରତ୍ୟେକ ଓ ଶୃଙ୍ଗ ଦୁଃଖ ସହ୍ୟ କରି ଆନନ୍ଦରେ ଖୋଜିଲେ ।

୩୯ଶ ପଦ :- ବିଭାକର-ସୂର୍ଯ୍ୟ ।

୩୯ଶ ପଦ :- ଆଉ ମଧ୍ୟ ପ୍ରତ୍ୟେକ ବନ, ପ୍ରତ୍ୟେକ ଗଛ ଓ ଗଛମାନଙ୍କରେ ଥିବା ପ୍ରତ୍ୟେକ କୋରଡ଼ ଖୋଜିଲେ । ପୂର୍ବଦିଗକୁ ଯାଇଥିବା ଦୂତମାନେ ମାଲ୍ୟବନ୍ତ ପର୍ବତଠାରୁ ସୂର୍ଯ୍ୟ ଉଦୟ ହେବା ସ୍ଥାନ ପର୍ଯ୍ୟନ୍ତ ଅର୍ଥାତ୍ ଉଦୟାଚଳ ପର୍ଯ୍ୟନ୍ତ ଓ ପଶ୍ଚିମଦିଗକୁ ଯାଇଥିବା ଦୂତମାନେ ସୂର୍ଯ୍ୟ ଯେଉଁ ସ୍ଥାନକୁ ଯାଇ ଅସ୍ତ ହୁଅନ୍ତି ଅର୍ଥାତ୍ ଅସ୍ତାଚଳ ପର୍ଯ୍ୟନ୍ତ ଯାଇ ଖୋଜିଲେ ।

୪୦ଶ ପଦ :- ବାରିଦ-ମେଘ ।

୪୦ଶ ପଦ :- ସେହିପରି ଉତ୍ତରଦିଗ ଦୂତମାନେ ବର୍ଷା ଓ ଶୀତଋତୁ ଦୁହେଁ ଏକତ୍ର ଯେଉଁଠାରେ ବାସ କରନ୍ତି ସେ ପର୍ଯ୍ୟନ୍ତ ଅର୍ଥାତ୍ ଉତ୍ତର ଦିଗର ଚକ୍ରବାଳ ପର୍ଯ୍ୟନ୍ତ ଯାଇ ଖୋଜିଲେ । ମାତ୍ର ଏହି ତିନିଦିଗର ଦୂତମାନେ କୌଣସିଠାରେ ସତୀ ସୀତାଙ୍କୁ ନ ଦେଖି ନିର୍ଦ୍ଧାରିତ ମାସ ପୂରିଯିବାରୁ ଫେରିଲେ ।

 

ବିଧିପୂର୍ବ କରି ପୂର୍ବ

ବାରତା କଥିତ ସର୍ବ

ରହିଲେ ଉତ୍ତର, ଉତ୍ତର କହିଲେ ପ୍ରତୀଚୀର ପ୍ରତିଠାବ ।୪୧ ।

 

ବୃକ୍ଷକ ନାମରେ ରମ୍ୟା

ବେନି ଫୁଲ ଜଳଧାମା

ବାମା-ନେତ୍ରସ୍ଥିତ, ଲତା ମୁଖ ଜାତ, ଠିକ ମହୀପତି ନାମା ।୪୨ ।

ବପୁସାର ଆଦିକରି

ବିଲୋକ ବାର୍ତ୍ତା ପ୍ରଚାରି

ବଳିଦାନ ଘେନା ଏକା ଦେଖି ନାହୁଁ କାହିଁ ଅଛି ସୁକୁମାରୀ ।୪୩ ।

ବିସ୍ମୟେ ରାମ ନିର୍ବାକ

ବୋଲେ ପୁବଗନାୟକ

ବଳାହକ ହୋଇ ଦକ୍ଷିଣ ଦୂତେ ସେ ତୋଷିବେ ଚିତ୍ତଚାତକ ।୪୪ ।

ବଜ୍ର ଅଙ୍ଗଚ ସମ୍ଭବ

ବିଦ୍ୟୁଜ୍ମରଚ୍ଚ ଜାମ୍ବବ

ବର୍ଣ୍ଣ ନିଳ ପଦମାନ ଜାତ ମେଳ ଘନ ରସ ଉପଜିବ ।୪୫ ।

 

୪୧ଶ ପଦ :- ବିଧିପୂର୍ବକ-ଯଥାବିଧି । ପ୍ରତୀଚୀ-ପଶ୍ଚିମ ଦିଗ ।

୪୧ଶ ପଦ ;- ପୂର୍ବଦିଗକୁ ଯାଇଥିବା ଦୂତମାନେ ବିଧିପୂର୍ବ କରି ଅର୍ଥାତ୍ କିପରି ଭାବରେ ଗଲେ, କେଉଁ କେଉଁ ସ୍ଥାନରେ ରହିଲେ ଓ କି ରୀତିରେ ଖୋଜିଲେ-ଏହି ସମସ୍ତ କଥା କହିଲେ । ଉତ୍ତର ଦିଗ ଦୂତମାନେ ମଧ୍ୟ ସେହିପରି (ପୂର୍ବଦିଗ ଦୂତମାନେ ଯେଉଁପରି କହିଥିଲେ, ସେହିପରି) ଉତ୍ତର ଦେଲେ । ପଶ୍ଚିମ ଦିଗର ଦୂତମାନେ କହିଲେ, ‘‘ଆମ୍ଭେମାନେ ପ୍ରତ୍ୟେକ ସ୍ଥାନ ସେମାନଙ୍କ ପରି ଖୋଜିଲୁଁ ।’’

୪୨ଶ ପଦ ;- ବୃକ୍ଷକ ନାମ-ନାରଙ୍ଗ, ଐରାବତ ।

୪୨ଶ ଓ ୪୩ଶ ପଦ :- ଶେଷରେ ସମସ୍ତେ ଏକତ୍ରିତ ହୋଇ କହିଲେ, ‘‘ଆମ୍ଭେମାନେ ରମଣୀୟ ପୂର୍ବଦିଗରେ କୌଣସି ଏକ ବୃକ୍ଷ (ନାରଙ୍ଗ ବୃକ୍ଷ)ର ନାମମାନଙ୍କ ମଧ୍ୟରୁ ଏକମାତ୍ର ନାମରେ ଅଭିହିତ ହସ୍ତୀ ଐରାବତକୁ, ଆଗ୍ନେୟ ଓ ନୈରୁତ ଦିଗରେ ଜଳଜାତ ଦୁଇଗୋଟି ପୁଷ୍ପର (ପଦ୍ମ ଓ କଇଁ) ପ୍ରଧାନ ନାମରେ ଅଭିହିତ ହୋଇଥିବା ହସ୍ତୀ । (ପୁଣ୍ଡରୀକ ଓ କୁମୁଦ) ଦୁହିଁକୁ, ପଶ୍ଚିମଦିଗରେ ସ୍ତ୍ରୀମାନେ ଆକ୍ଷିରେ ଯାହା ଲଗାଇଥାନ୍ତି ଅର୍ଥାତ୍ ଅଞ୍ଜନ ଏହି ନାମରେ ଅଭିହିତ ହସ୍ତୀକୁ, ବାୟବ୍ୟରେ ଲତାରୁ ଜାତ ଅର୍ଥାତ୍ ପୁଷ୍ପ ଓ ମୁଖରେ ଜାତ ଅର୍ଥାତ୍ ଦନ୍ତ ଏହି ଦୁଇଶବ୍ଦର ମିଳନରେ ନିଷ୍ପନ୍ନ ହେଲା ଯେଉଁ ଶବ୍ଦ ଅର୍ଥାତ୍ ପୁଷ୍ପଦନ୍ତ ଏହି ନାମରେ ଅଭିହିତ ହସ୍ତୀକୁ, ଉତ୍ତର ଦିଗରେ ରାଜାମାନଙ୍କ ମଧ୍ୟରେ ପ୍ରଧାନ ରାଜା ଯେଉଁ ନାମରେ ଅଭିହିତ ହୁଅନ୍ତି ଅର୍ଥାତ୍ ସାର୍ବଭୌମ ନାମରେ ବିଖ୍ୟାତ ହସ୍ତୀକୁ ଓ ଐଶାନ୍ୟରେ ସାର (ଉତ୍କୃଷ୍ଟ) ଏହି ଅର୍ଥକୁ ପ୍ରକାଶ କରୁଥିବା ସୁଶବ୍ଦକୁ ଆଦ୍ୟରେ ରଖି ବପୁ ଏହି ଅର୍ଥକୁ ପ୍ରକାଶ କରୁଥିବା ପ୍ରତୀକ ଶବ୍ଦକୁ ଶେଷରେ ରଖିଲେ ଯେଉଁ ଶବ୍ଦ ହେବ ଅର୍ଥାତ୍ ସୁପ୍ରତୀକ ଏହି ନାମରେ ପ୍ରସିଦ୍ଧ ହସ୍ତୀକୁ ଦେଖି; ସୀତା ହରଣ ବିଷୟ ପ୍ରଚାର କରି ଅର୍ଥାତ୍ ଦିଗନ୍ତବ୍ୟାପୀ ଅନ୍ୱେଷଣ ଓ ପ୍ରଚାର ଚଳାଇ ଆସିଲୁ; କିନ୍ତୁ ଏକମାତ୍ର ସେହି ‘ବଳି ଦାନଘେନା’ ବାମନ ନାମକ ହସ୍ତୀର ଦିଗକୁ ଓ ଏକମାତ୍ର ସହି ସୁକୁମାରୀ ସୀତା ଥିବା ସ୍ଥାନକୁ କେଉଁ ଦିଗରେ ଦେଖିଲୁ ନାହିଁ’’ (ପୂର୍ବଦିଗରେ ହସ୍ତୀ ଐରାବତ, ଆଗ୍ନେୟର ପୁଣ୍ଡରୀକ୍, ନୈରୁତର କୁମୁଦ, ପଶ୍ଚିମ ଦିଗର ଅଞ୍ଜନ, ବାୟବ୍ୟର ପୁଷ୍ପଦନ୍ତ, ଉତ୍ତର ଦିଗର ସାର୍ବଭୌମ, ଐଶାନର ସୁପ୍ରତୀକ, ଦକ୍ଷିଣ ଦିଗର ବାମନ) ।

୪୪ଶ ପଦ :- ପ୍ଲବଗନାୟକ-ସୁଗ୍ରୀବ । ବଳାହକ ମେଘ ।

୪୪ଶ ପଦ :- ରାମ ଦୁତମାନଙ୍କଠାରୁ ଏହି କଥା ଶୁଣି ବିସ୍ମୟବଶତଃ ନିରବ ହେଲେ । ତାଙ୍କର ଏହିପରି ଅବସ୍ଥା ଦେଖି ସୁଗ୍ରୀବ କହିଲେ, ଆପଣଙ୍କ ଚିତ୍ତରୂପ ଚାତକକୁ ଦକ୍ଷିଣ ଦିଗର ଦୂତମାନେ ମେଘପରି ହୋଇ ତୋଷିବେ । (ଅର୍ଥାତ୍ ମେଘ ଯେଉଁପରି ଚାତକକୁ ସନ୍ତୁଷ୍ଟ କରେ, ଦକ୍ଷିଣ ଦିଗର ଦୂତମାନେ ସେହିପରି ଆପଣଙ୍କ ଚିତ୍ତକୁ ସନ୍ତୁଷ୍ଟ କରିବେ) ।

୪୫ଶ ପଦ :- ଜରତ-ବୃଦ୍ଧ । ପବମାନ-ପବନ, ହନୁମାନ । ଘନରସ-ପ୍ରଗାଢ଼ ଆନନ୍ଦ, ମେଘ ଜଳ । ବ୍ରଜ-ହୀରକ, ବଜ୍ର । ବିଦ୍ୟୁତ ନିଷ୍ପ୍ରଭ- ବିଜୁଳୀ ।

୪୫ଶ ପଦ :- ବଜ୍ର, ବିଜୁଳି; ନୀଳବର୍ଣ୍ଣ ଓ ପବନ ଏକତ୍ର ମିଳିତ ହେଲେ ଯେପରି ‘ଘନରସ’ ବର୍ଷା ଜଳର ଉତ୍ପତ୍ତି ହୁଏ ଅର୍ଥାତ୍ ବୃଷ୍ଟି ହୁଏ, ସେହିପରି ବଜ୍ର ତୁଲ୍ୟ ଅପ୍ରତିହତ ଗତି ଅଙ୍ଗଦ, ବୃଦ୍ଧ ହୋଇଥିଲେ ସୁଦ୍ଧା ବିଜୁଳିପରି ଅତି ଅଳ୍ପ ସମୟ ମଧ୍ୟରେ ବହୁଦୂରଗାମୀ ଜାମ୍ବବ, (ବିଜୁଳି ଯେପରି ହଠାତ୍ ବହୁଦୂର ଗତି କରି ଅଦୃଶ୍ୟ ହୋଇଯାଏ, ଜାମ୍ବବ ବୃଦ୍ଧ ହୋଇଥିଲେ ମଧ୍ୟ ସେହିପରି ଅଳ୍ପ ସମୟରେ ବହୁଦେଶ ଗମନ କରିପାରନ୍ତି ) । ମେଘ ଯେପରି ସ୍ୱୀୟ ନୀଳିମା ଦ୍ୱାରା ଜଗତକୁ ଆଚ୍ଛନ୍ନ କରି ବୃଷ୍ଟି କରିବାରେ ଦକ୍ଷ, ସେହିପରି ନୀଳବର୍ଣ୍ଣ ନୀଳ ସମସ୍ତଙ୍କ ଦୃଷ୍ଟିକୁ ଅନ୍ଧକାରାଚ୍ଛନ୍ନ କରି ନିଜ କାର୍ଯ୍ୟ କରିବାରେ ପାରଙ୍ଗମ (ଅର୍ଥାତ୍ ପ୍ରଧାନ ଗୁପ୍ତଚର) ଏବଂ ପବନ ପରି ସର୍ବତ୍ର ସଞ୍ଚରଣଶୀଳ ତାହାଙ୍କର ପୁତ୍ର ହନୁମାନ ମେଳ ହୋଇଥିବାରୁ ‘ଘନରସ’ ପ୍ରଗାଢ଼ ଆନନ୍ଦ ଅର୍ଥାତ୍ ସୀତାଙ୍କ ସମ୍ୱାଦଜନିତ ହର୍ଷ ଉପୁଜିବ ବୋଲି ସମ୍ଭବ ହେଉଅଛି ।

୪୬ଶ ପଦ :- ସୁଗ୍ରୀବ ଏହିପରି ବୋଧ ଦେବାରୁ ରାମଚନ୍ଦ୍ର ହସିଲେ । ଏହି ସମୟରେ ଶିଶିର ଋତୁ ପ୍ରଭାଶୂନ୍ୟ ହୋଇଯିବାରୁ ଜାଡ଼ ବାଘପରି ଆସି ମାଡ଼ି ବସନ୍ତେ, ଲୋକମାନେ ମୋଡ଼ି ହୋଇ ଇଷି ଇଷି ଭାଷିଲେ ।

 

ବୋଧନ୍ତେ ଶ୍ରୀରାମ ହସି

ବିକାଶେ ଶିଶିର ଆସି

ବ୍ୟାଘ୍ର ପ୍ରିୟ ମାଡ଼ିବସୁଁ ଲୋକେ ମୋଡ଼ି ହୋଇ ଇଷି ଭାଷି ।୪୬ ।

ବାସର ଶିଶୁ ସମରେ

ବଢ଼ି ଆସଇ କ୍ରମରେ

ବାଣୀ ଶୁକପୋତ ରୁତ ପ୍ରକାଶିତ କଉତୁକ ସୁରମ୍ୟରେ ।୪୭ ।

ବିଗତ ଶଯ୍ୟା ପ୍ରାତରେ

ବୁଡ଼ କରେ ସାଧୁନୀରେ

ବୃଜିନ ଦୋଷ ନାହିଁ ବୋଲି ଆମ୍ଭର ମାଧବ ନାମ ଉଚ୍ଚାରେ ।୪୮ ।

ବର୍ତ୍ତୁଳ ଲାଙ୍ଗଳୀଫଳ

ବିଚିତ୍ର ଚିତ୍ରେ ଉଜ୍ଜ୍ୱଳ

ବଚନ ଏରୂପ ଧରିବା ବିଚାର ପୂଜିଲେ କିଶୋରକୁଳ ।୪୯ ।

ବାଲ୍ୟ ଅବସ୍ଥା ସେବତୀ

ବିସଜ କି ପୁଷ୍ପବତୀ

?

ବହେ ରାଗ ଅତି ତରୁଣ ଧାତୁକୀ ଅନୁସରିଣ ଝଟତି ।୫୦ ।

୪୭ଶ ପଦ :- ବସର-ଦିବସ । ଶୁକପୋତ-ଶୁକଶାବକ । ରୂତ-ଧ୍ୱନି ।

୪୭ଶ ପଦ :- ଶୀତକାଳ ଉପସ୍ଥିତ ହେବାରୁ ଦିନମାନେ ଛୋଟ ଛୋଟ ପିଲାମାନଙ୍କ ପରି ବଢ଼ିବାକୁ ଲାଗିଲେ । ପିଲାମାନେ ଦରୋଟି କଥା କହିଲା ପରି ଶୁକ ଶାବକସବୁ କୌତୁକଜନକ ମନୋହର ଧ୍ୱନି ପ୍ରକାଶ କଲେ ।

୪୮ଶ ପଦ :- ବିଗତଶଯ୍ୟା-ଶଯ୍ୟା ତ୍ୟାଗ କରି । ବୃଜିନ-ପାପ । ମାଧବ-ବିଷ୍ଣୁ ।

୪୮ଶ ପଦ :- ସାଧୁ ଲୋକମାନେ ପ୍ରଭାତରୁ ଶଯ୍ୟା ପରିତ୍ୟାଗ କରି ସ୍ନାନ କରି ସାରିବା ପରେ ‘ଆମ୍ଭଠାରେ ପାପ ବା ଅନ୍ୟ କୌଣସି ଦୋଷ ନରହୁ’ ବୋଲି ବିଷ୍ଣୁଙ୍କ ନାମ ଉଚ୍ଚାରଣ କରିବାକୁ ଲାଗିଲେ । (ଲୋକମାନେ ମାଘ ସ୍ନାନ କରି ବିଷ୍ଣୁଙ୍କ ଭାଜନରେ ରତହେଲେ) ।

୪୯ଶ ପଦ :- ଲାଳଙ୍ଗୀଫଳ-ନଡ଼ିଆ । ବିଚିତ୍ର-ବିଶେଷରେ ଚିତ୍ରିତ । ବକ୍ଷୋଜ-ସ୍ତନ । କିଶୋରକୁଳ-ଦଶଠାରୁ ପନ୍ଦର ବର୍ଷ ବୟସ୍କ ବାଳକଗଣ ।

୪୯ଶ ପଦ :- ଦଶବର୍ଷଠାରୁ ପନ୍ଦରବର୍ଷ ବୟସ୍କ ବାଳକମାନେ ଗୋଲାକାର ନଡ଼ିଆ ସବୁ ନାନାରଙ୍ଗରେ ଅତି ସୁନ୍ଦର ଭାବରେ ଚିତ୍ର କରି ‘‘ଗୁରୁଙ୍କ କଥାନୁସାରେ ଆମ୍ଭେ ଏହାକୁ ଧରିବା’’ ଏହି କଥା ବିଚାରି ପୂଜିବାକୁ ଲାଗିଲେ (କ୍ରମେ ବସନ୍ତ ପଞ୍ଚମୀ ଉପସ୍ଥିତ ହେଲା ) ।

୫୦ଶ ପଦ :- ତରୁଣ-ଯୁବା । ରାଗ-ସ୍ନେହ, ରକ୍ତିମା । ଧାତୁକୀ-ବୃକ୍ଷ ବିଶେଷ ।

୫୦ଶ ପଦ :- ସେବତୀ ଲତା ବାଲ୍ୟାବସ୍ଥା ତ୍ୟାଗ କରି ‘ପୁଷ୍ପବତୀ’ ପୁଷ୍ପବିମଣ୍ଡିତା ହେଲା କି ? ନା ତାହା ନୁହେଁ, ସେ ପୁଷ୍ପବତୀ ଅର୍ଥାତ୍ ରଜସ୍ୱଜା ହେଲା । ଯେପରି ଯୁବକ ହଠାତ୍ ପୁଷ୍ପବତୀ ହୋଇସାରିଥିବା ସ୍ତ୍ରୀକୁ ଅନୁସରଣ କରି ତା ପ୍ରତି ଅନୁରକ୍ତ ହୁଏ; ଯୁବକ ଧାତୁକୀ ବୃକ୍ଷ ଶୀଘ୍ର ତାହାକୁ ଅନୁସରଣ କରି (ସେ ଫୁଟିବାର ପରେ ପରେ) ଅତିଶୟ ‘ରାଗ’ ରକ୍ତିମା ଧାରଣ କଲା ଅର୍ଥାତ୍ ରକ୍ତବର୍ଣ୍ଣ କୁସୁମରେ ମଣ୍ଡିତ ହେଲା ।

 

            

ବିରହୀ ସୁମନାହତେ

ବିଟ ବଧୁଲିଟବ୍ରାତେ

ବ୍ୟଥିତ ତ୍ୟଜି ସମତ୍ତେ ରସେ ମଜ୍ଜି ଅନବରତରେ ମାତେ ।୫୧ ।

ବିହରୁ ଦକ୍ଷିଣଚାରେ

ବାଟେ ଏକ ମହାସୁରେ

ବିରୋଧୀ କେଶ ଭୁଜ ପାଦ ଧରିଣ ମାରେ କଫୋଣୀ ପ୍ରହାରେ ।୫୨ ।

ବୁଲି ବୁଲି ଶ୍ରମ ପାଇ

ବିଳେକ ଭେଟିଲେ ଯାଇ

ବ୍ୟାଳ ସାହସ ଗୁନ୍ଥାମାଳୀ ସଦୃଶ ପ୍ରବେଶ ତହିଁ ଝସାଇ ।୫୩ ।

ବୈକୁଣ୍ଠ ଖର୍ବଟ ପରି

ବିଲୋକିତ ଏକ ପୁରୀ

ବସିଛ ରାମାଏ ଲାବଣ୍ୟଧାମାଏ ନାନାରତ୍ନକୁଟ ସରି ।୫୪ ।

ବାଳ ଅକଳ ଗୋମାଳୀ

ବକ୍ରଡୋଳା ଭୁରୁବଲ୍ଲୀ

ବାର ବାର ନୀଳମଣି ମରକତ ଶ୍ରେଣୀରୁ ଦିଶିଲା ଝଳି ।୫୫ ।

 

୫୧ଶ ପଦ :- ସୁମନା- ପ୍ରିୟା, ମାଳତୀଫୁଲ । ବିଟ-ଲମ୍ପଟ ପୁରୁଷ । ମଧୁଲିଟବ୍ରାତ- ଭ୍ରମର ସମୂହ ।

୫୧ଶ ପଦ :- ପ୍ରିୟାର ବିନାଶ ଘଟିଲେ ଲମ୍ପଟ ପୁରୁଷମାନେ ଯେପରି ବିରହୀ ହୁଅନ୍ତି, ଶିଶିର ଋତୁରେ ମାଳତୀ ଫୁଲ ନାଶ ହେବାରୁ ଭ୍ରମରମାନେ ସେହିପରି ବିରହୀ ହେଲେ ଏବଂ ବିରହୀମାନେ ଅନ୍ୟ ସ୍ତ୍ରୀ ସହ ଶୃଙ୍ଗାରରେ ମଜ୍ଜିଲେ ଯେପରି ସେହି ପର୍ବ ଦୁଃଖକୁ ଛାଡ଼ି ଅନବରତ ନବପ୍ରାପ୍ତା ରମଣୀ ସହ ମାତନ୍ତି, ସେହିପରି ଭ୍ରମରମାନେ ମାଳତୀ ବିଯୋଗ ଦୁଃଖକୁ ପାଶୋରି ଅନ୍ୟ ଫୁଲମାନଙ୍କରୁ ରସ ଉପଭୋଗ କରିବାରେ ଲାଗିଲେ ।

୫୨ଶ ପଦ :- କଫୋଣୀ-କହୁଣି ।

୫୨ଶ ପଦ :- ଦକ୍ଷଣ ଦିଗର ଦୂତମାନେ ବାଟରେ ଯାଉଥିବା ସମୟରେ ଗୋଟାଏ ବଡ଼ ଅସୁର ସେମାନଙ୍କର ବିରୋଧ ହେଲା । ସେମାନେ ତାହାର କେଶ, ଭୂଜ ଓ ପାଦ ଧରି କହୁଣୀ ମାଡ଼ରେ ତାକୁ ମାରି ପକାଇଲେ ।

୫୩ଶ ପଦ :- ବିଳ-ଗର୍ତ୍ତ । ବ୍ୟାଳ-ସର୍ପ ।

୫୩ଶ ପଦ :- ସେମାନେ ବୁଲି ବୁଲି ପଥଶ୍ରାନ୍ତ ହୋଇ ଯାଉଥିବା ସମୟରେ ଗୋଟିଏ ଗାତ ଦେଖି ସାପ ପରି ସାହସ ଅବଲମ୍ବନ କରି ଗୁନ୍ଥା ହୋଇଥିବା ମାଳୀ ସଦୃଶ ଜଣକ ପରେ ଜଣେ ସେହି ଗାତରେ ବଳାତ୍କାର ପୂର୍ବକ ପ୍ରବେଶ କଲେ ।

୫୪ଶ ପଦ :- ଖର୍ବଟ-ପଡ଼ାଗ୍ରାମ । ନାନାରତ୍ନକୁଟ-ବିବିଧ-ରତ୍ନପୁଞ୍ଜ । ରାମା-ସ୍ତ୍ରୀ ।

୫୪ଶ ପଦ :- ସେମାନେ ସେହି ଗର୍ତ୍ତ ମଧ୍ୟରେ ପ୍ରବେଶ କରି ବୈକୁଣ୍ଠପୁରର ପଡ଼ାଗ୍ରାମ ପରି ଗୋଟିଏ ସୁନ୍ଦର ନଗରୀ ଦେଖିଲେ । ସେହି ପୁର ମଧ୍ୟରେ ନାନାବିଧ ରତ୍ନପୁଞ୍ଜ ତୁଲ୍ୟ ଗୋଟିଏ ଲାବଣ୍ୟମୟୀ ରମଣୀ ବସିଅଛି ।

୫୫ଶ ପଦ :- ଅଳକ-ଚୁର୍ଣ୍ଣକୁନ୍ତଳ । ରୋମାବଳି-ନାଭିର ଅଧୋ ଦେଶରୁ ବକ୍ଷ ପର୍ଯ୍ୟନ୍ତ ଲାଗିରହିଥିବା ଲୋମରାଜି ।

୫୫ଶ ପଦ :- ସେହି ରମଣୀର କେଶ, ଚୂର୍ଣ୍ଣ କୁନ୍ତଳ, ରୋମାବଳୀ, ବକ୍ର ଡୋଳା (ଅପାଙ୍ଗ ଦୃଷ୍ଟି), ଭ୍ରୂଲତା, ଏମାନଙ୍କୁ ଯେତେ ଦେଖୁଥିଲେ ସୁଦ୍ଧା ନୀଳମଣି ଓ ମରକତମଣି ସମୂହଠାରୁ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା ।

 

ବିଡ଼ମ୍ବ ଓଷ୍ଠ ନେତ୍ରାନ୍ତ

ବନଜ ଚରଣ ହସ୍ତ

ବିଦ୍ରୁମ ମାଣିକ୍ୟ ଅମୁଲ୍ୟ ଛବିରେ ଚିତ୍ତି ହୁଏ ଅନୁରକ୍ତ ।୫୬ ।

ବିକାଶ ହାସ ଦଶନେ

ବିଘଟେ ନଖ ପ୍ରସନ୍ନେ

ବଜ୍ରମଣି ମୋତିପନ୍ତ ଅପଘନ କାଞ୍ଚନେ ଜଡି ଯତନେ ।୫୭ ।

ବୋଲେ କେ ନୋହେ ଏ ରାମା

ବିଧାତା ଯୁକ୍ତା ପ୍ରତିମା

ବାଞ୍ଛିତ ତ୍ରିପୁର ମୋହେ ତିନି ପୁଷ୍ପ ଦେଇ କରିଛି ସୁଷମା ।୫୮ ।

ବାସୁଅଛି ମହମହ

ବଦନ ସରସୀରୁହ

ବିରଳ ଅଙ୍ଗୁଳି ନିଶ୍ଚେ ଚମ୍ପାକଳୀ ଶିରୀଷକୋମଳ ଦେହ ।୫୯ ।

ବୋଲେ କେ ମନ୍ତ୍ରେ ସ୍ୱଜୀବ

ବ୍ୟର୍ଥ ନୁହଇ ଏ ଧ୍ରୁବ

ବସେ ସ୍ଥାନେ ସ୍ଥାନେ ଖଞ୍ଜନ ମକ୍ଷିକା ଚକ୍ରବାକ ଅସମ୍ଭବ ।୬୦ ।

 

୫୬ଶ ପଦ :- ବିଡ଼ମ୍ବ-ଉପହସିତ । ଛବି-କାନ୍ତି । ବନଜ-ପଦ୍ମ । ବିଦ୍ରୂମ-ପୋହଳା ।

୫୬ଶ ପଦ :- ତାର ପଦ୍ମକାନ୍ତି ଜିଣା ଓଷ୍ଠ, ନେତ୍ରପ୍ରାନ୍ତ, ହାତ ଓ ପାଦ ପୋହଳା ଏବଂ ମାଣିକ୍ୟ ଏହି ଦୁଇ ଅମୂଲ୍ୟ ବସ୍ତୁର କାନ୍ତିକୁ ଧାରଣ କରିଥିବାରୁ ଦର୍ଶକର ଚିତ୍ତ ତାହା ପ୍ରତି ଆକୃଷ୍ଟ ହେଉଥିଲା ।

୫୭ଶ ପଦ :- ଦଶନ-ଦାନ୍ତ । ବିଘଟେ-ପ୍ରକାଶିକ ହେବାରେ । ପ୍ରସନ୍ନ-ନିର୍ମଳ । ବଜ୍ରମଣି-ହୀରା । ଅପଘନ-କାଞ୍ଚନ-ଦେହସୁବର୍ଣ୍ଣ । ଯତ୍ନେ-ମନୋହର ଭାବରେ ।

୫୭ଶ ପଦ :- ସେ ହସିଲେ ତାର ଦାନ୍ତରେ ହୀରାର ଶୋଭା ଦୃଶ୍ୟ ହେଉଥିଲା ଓ ନିର୍ମଳ ନଖପଂକ୍ତିରେ ମୋତିସମୂହର ଶୋଭା ପ୍ରକାଶିତ ହେଉଥିଲା । ଏହି ରତ୍ନତୁଲ୍ୟ ଅଙ୍ଗଗୁଡ଼ିକ ସୁବର୍ଣ୍ଣସମ ଦେହରେ ଯତ୍ନ ପୂର୍ବକ ଜଡ଼ିତ ହୋଇ ଅଛନ୍ତି ।

୫୮ଶ ପଦ :- ସୁଷମା-ଶୋଭା ।

୫୯ଶ ପଦ :- ସରସୀରୁହ-ପଦ୍ମ । ବିରଳ-ପୃଥକ ପୃଥକ୍ ।

୫୮ଶ ଓ ୫୯ଶ ପଦ :- ସେହି ସ୍ତ୍ରୀକୁ ଦେଖି ଦୂତମାନଙ୍କ ମଧ୍ୟରୁ କେହି କହିଲା, ‘‘ଏହି ସ୍ତ୍ରୀ ‘ରାମା’ ରାମଙ୍କ ସ୍ତ୍ରୀ ସୀତା ନୁହେଁ । ଅଥବା ଏ ସ୍ତ୍ରୀ ନୁହେଁ, ବିଧାତା ପୂଜା କରୁଥିବା ପ୍ରତିମା । ସୁତରାଂ ବିଧାତା ତ୍ରିପୁରକୁ ମୋହିବା ଇଚ୍ଛାରେ ତିନିଗୋଟି ଫୁଲ ଦେଇ ଏହାକୁ ଶୋଭାବତୀ କରିଅଛି । ଅର୍ଥାତ୍ ଏହାର ମୁଖ ସ୍ଥାନରେ ପଦ୍ମ, ଅଙ୍ଗୁଳି ସ୍ଥାନରେ ଚମ୍ପାକଢ଼ି ଓ ଦେହରେ ଶିରୀଷ ଫୁଲ ଖଞ୍ଜି ଶୋଭାକୁ ବଢ଼ାଇଛି । ସେହି ହେତୁରୁ ଏହାର ମୁଖ ପଦ୍ମଫୁଲପରି ମହ ମହ ବାସୁଛି । ଅଙ୍ଗୁଳିଗୁଡ଼ିକ ନ ବାସି ପୃଥକ୍ ପୃଥକ୍ ହୋଇ ରହିଥିବାରୁ ନିଶ୍ଚୟ ଚମ୍ପାକଢ଼ୀ ଓ ଦେହ ବାସୁ ନ ଥିଲେ ସୁଦ୍ଧା କୋମଳତାର ଅନ୍ତୁମାନରୁ ନିଶ୍ଚୟ ‘‘ଏହା ଶିରୀଷ ପୁଷ୍ପରେ ତିଆରୀ ବୋଲି ଜଣାଯାଉଛି ।’’ (ପୁଷ୍ପ କଢ଼ି ଅବସ୍ଥାରେ ବାସେ ନାହିଁ) ।

୬୦ଶ ପଦ :- ପୁଣି କେହି କହିଲା, ‘‘ଏହି ପୂଜା ପ୍ରତିମା ‘ମନ୍ତ୍ରଦ୍ୱାରା’ ବିଧାତା ନ୍ୟାସ କରିଥିବା ଜୀବନ୍ୟାସ ମନ୍ତ୍ରଦ୍ୱାରା ସଜୀବ ହୋଇଅଛି । ଏ କଥା ମିଥ୍ୟା ନୁହେଁ, ସତ୍ୟ । ଯେହେତୁ ଏହାର ଏକ ଏକ ଅଙ୍ଗରେ ଖଞ୍ଜନ ପକ୍ଷୀ, ମାଛି, ଚକୋର ପକ୍ଷୀ ସବୁ ବସିଥିବାରୁ ଅର୍ଥାତ୍ ଏହାର ମୁଖସ୍ଥ ନେତ୍ରରୂପୀ ଖଞ୍ଜନ, ଉଦରସ୍ଥ ରୋମାବଳୀ ରୂପୀ ମକ୍ଷିକ ଶ୍ରେଣୀ ଓ ବକ୍ଷସ୍ଥ ସ୍ତନରୂପା ଚକୋରଯୁଗଳକୁ ଦେଖିଲେ କିଏ କଳ୍ପନା ନ କରିବ ଯେ, ଏ ପ୍ରତିମା ‘ସଜୀବ’ ଜୀବମାନଙ୍କ ସହିତ ଯୁକ୍ତ ନୁହେଁ ।

 

ବିଚାରୁଁ ବୋଇଲେ ବାଳୀ

ବାନରେ କାହିଁରେ ମିଳି

ବୋଇଲେ ଶ୍ରୀରାମଦୁତ ଆମ୍ଭ ଖୋଜୁଅଛୁଁ ବନେ ମଇଥିଳୀ ।୬୧ ।

ବଡ଼ ତୃଷାର୍ତ୍ତୀ ହୋଇଲୁଁ

ବିବରକୁ ଚାହିଁ ଦେଲୁଁ

ବିଷ୍କିରେ ନୀରେ ଜରଜର ତହିଁରେ ବାହାରେ ଆମ୍ଭେ ପଶିଲୁଁ ।୬୨ ।

ବିନାଶ ହେ ତୃଷା କ୍ଷୁଧା

ବାନରେ ବୋଇଲା ମୁଗ୍‌ଧା

ବୁଜି ନେତ୍ର ଯାଅ ବିଦୃଶ୍ୟପୁରରୁ ସ୍ୱୟଂପ୍ରଭା ମୁହିଁ ସିଦ୍ଧା ।୬୩ ।

ବିଂଶଭୁଜ ପୁରେ ନେଇ

ବନ୍ଦୀ କରିଛି ବୈଦେହୀ

ବୋଲକୁ ତାହାର ଆଚରଣ କରି ବିନ୍ଧ୍ୟଗିରିପରେ ଶୋହି ।୬୪ ।

ବିଦୁଶ୍ୟନ୍ତେ ତହିଁ ଦିଶ

ବିହିଲେ ଖର ନିଃଶ୍ୱାସ

ବିହୁଁ କୁଶଶଯ୍ୟା ଅଙ୍ଗଦ ସମ୍ପାଦ ପାଞ୍ଚିଲା କରିବି ଗ୍ରାସ ।୬୫ ।

 

୬୧ଶ ପଦ :- କାହିଁର-କେଉଁସ୍ଥାନର ବା କେଉଁଠାରେ । ମଇଥିଳୀ ବା ମୈଥିଳୀ-ସୀତା ।

୬୧ଶ ପଦ :- ଦୂତମାନେ ଏହିପରି ବିଚାର କରୁଥିବା ସମୟରେ ସେହି ସ୍ତ୍ରୀ କହିଲା, ‘‘ରେ ବାନରମାନେ ! କେଉଁଠାରୁ ଆସି ଏଠାରେ ପହଞ୍ଚିଛ ? ବାନରମାନେ କହିଲେ, ‘‘ଆମ୍ଭେମାନେ ଶ୍ରୀରାମଙ୍କର ଦୂତ; ମିଥିଳା ରାଜକୁମାରୀ ସୀତାଙ୍କୁ ବନରେ ବୁଲି ଖୋଜୁଛୁ ।’’

୬୨ଶ ପଦ :- ବିଷ୍କିରେ-ପକ୍ଷୀମାନେ । ନୀରେ-ପାଣିରେ । ବାହାରେ-ଅର୍ଥାତ୍ ବାହାରିବାର ଦେଖି ।

୬୨ଶ ପଦ :- ‘‘ଆମ୍ଭେମାନେ ଅତିଶୟ ତୁଷାର୍ତ୍ତ ହୋଇ ଏହି ଗାତକୁ ଚାହିଁ ଦେଖିଲୁ ଯେ, ଏହା ମଧ୍ୟରୁ ପାଣି ସର ସର ହୋଇ ପକ୍ଷୀମାନେ ବାହାରୁ ଅଛନ୍ତି । ତେଣୁ ପାଣି ପାଇବା ଆଶାରେ ଭିତରକୁ ପ୍ରବେଶ କଲୁଁ ।’’

୬୩ଶ ପଦ :- ମୁଗ୍‌ଧା-ସୁନ୍ଦରୀ । ସିଦ୍ଧା-ତପସ୍ୱୀନୀ ।

୬୪ଶ ପଦ :- ବିଂଶଭୂଜ-ରାବଣ ।

୬୩ଶ ଓ ୬୪ଶ ପଦ :- ଏହା ଶୁଣି ସେହି ପରମା ସୁନ୍ଦରୀ କହିଲା, ‘‘ହେ ବାନରମାନେ ! ମୁଁ ସିଦ୍ଧା ଅର୍ଥାତ୍ ତପସ୍ୟାକରି ସିଦ୍ଧିଲାଭ କରିଅଛି । ମୋର ନାମ ସ୍ୱୟଂପ୍ରଭା ଅର୍ଥାତ୍ ମୁଁ ଏହି ଗାତ ମଝିରେ ଥାଇ ସୁଦ୍ଧା ସମସ୍ତ ବସ୍ତୁ ଦେଖିପାରେ । ତୁମ୍ଭେମାନେ ମୋ କଥାନୁସାରେ କ୍ଷୁଧାତୃଷାଶୂନ୍ୟ ହୋଇ ଆକ୍ଷି ବୁଜି ଏହି ଅଦୃଶ୍ୟ ପୂରରୁ ଫେରିଯାଅ । ରାବଣ ସୀତାଙ୍କୁ ନେଇ ତାର ପୁରୀରେ (ଲଙ୍କାରେ) ବନ୍ଦୀକରି ରଖିଛି ।’’ ଏହା ଶୁଣି ଦୂତମାନେ ତାର କଥା ଅନୁସାରେ ଆକ୍ଷି ବୁଜିବାରୁ ବିନ୍ଧ୍ୟ ପର୍ବତ ଉପରେ ଉପସ୍ଥିତ ହେଲେ ।

୬୫ଶ ପଦ :- ଦୂତମାନେ ସେହି ପର୍ବତ ଉପରେ ରହି ସମୁଦ୍ରର ଉତ୍ତାଳ ତରଙ୍ଗମାଳା ଆଲୋଡ଼ିତ ଦକ୍ଷିଣଦିଗକୁ ଦେଖି ଅତି ଦୀର୍ଘ ନିଶ୍ୱାସ ତ୍ୟାଗ କଲେ । ଅର୍ଥାତ୍ ‘କିପରି ଏହି ଦୁର୍ଦ୍ଧର୍ଷ ସମୁଦ୍ରକୁ ପାରି ହେବା’- ଏହିକଥା ଭାବି ଦୁଃଖିତ ହେବାକୁ ଲାଗିଲେ । ସମସ୍ତଙ୍କୁ ଭୀତ ହେବାର ଦେଖି, ଅଙ୍ଗଦ ପ୍ରାଣତ୍ୟାଗ କରିବା ନିମିତ୍ତ କୁଶଶଯ୍ୟା ବିଧାନ କଲା (କୁଶ ବିଛାଇ ଶୋଇଲା) । ଏହି ମସୟରେ ସମ୍ପାତି ତାକୁ ଖାଇବ ବୋଲି ଭାବିଲା ।

 

ବଦୁଁ ସେ ଆଉମାନଙ୍କୁ

ବାର୍ତ୍ତା କହ ଶ୍ରୀରାମଙ୍କୁ

ବିନାଶ ତାହାଙ୍କ କାର୍ଯ୍ୟରେ ଜଟାୟୁ ଲଭେ ପରମଧାମକୁ ।୬୬ ।

ବିହଗ ପଚାରେ ତାକୁ

ବଧିଲା କେ ଜଟାୟୁକୁ

?

ବ୍ୟବସ୍ଥିତେ ସର୍ବ କହୁଁ ବୋଲେ ଟେକି ନିଅ ହେ ମୋତେ ସ୍ନାନକୁ ।୬୭ ।

ବାଜ ପଲ୍ଲବିଲା ତାର

ବିକ୍ଳେଶେ ଛୁଇଁ ସେ ବୀର

ବସାଇ ପୃଷ୍ଠରେ ଲଙ୍କା ଦେଖାଗଲା ସୁମରୁଁ ଆସି ତୁମର ।୬୮ ।

ବେନି ଗଲେ ହିମାଳୟେ

ବଞ୍ଚେ ଅତି କଷ୍ଟମୟେ

ବିନିଦ୍ରେ ରଜନୀ ନିଏ ରଘୁପତି ଶୀତାର୍ତ୍ତେ ସୀତାର୍ଥେ ଲୟେ ।୬୯ ।

ବପୁ ଏକେ ଥର ଥର

ବାଜେ ପଞ୍ଚଶର ଶର

ବଳବନ୍ତକୁ ଏତେ ଦୂର କରଇ କି ନୋହିଲେ ଅବଳାର ? ୭୦ ।

ବେନି ବେନି ମେଳ ହୋଇ

ବାନ୍ଧେ କେ ପାଶ ନ ଥାଇ

ବିନ୍ଧେ କେ ଦେହ ବିହୀନେ କ୍ଷତ ବିନା ହୃଦୟ ମଧ୍ୟେ ଭେଦଇ ।୭୧ ।

ବିଚାରିଲେ ରାମଚନ୍ଦ୍ର

ବାସ୍ତରୀ ପଦେ ଏ ଛନ୍ଦ

ବୋଲେ ଉପଇନ୍ଦ୍ର ଲେଖି କୃଶ ବୈଦେହୀ ଶୋକରେ ସାନ୍ଦ୍ର ।୭୨ ।

 

୬୭ଶ ପଦ :- ବିହଗ-ପକ୍ଷୀ (ସଂପାତି) । ବ୍ୟବସ୍ଥିତେ-ଆମୁଳ ଚୂଳ ।

୬୬ଶ ଓ ୬୭ଶପଦ :- ‘‘ହେ ସୈନିକମାନେ ! ତୁମ୍ଭେମାନେ ଏଠାରୁ ଯାଇ ଶ୍ରୀରାମଙ୍କୁ କହ ଯେ, ଜଟାୟୁ ତାଙ୍କ କାର୍ଯ୍ୟରେ ଯେପରି ପ୍ରାଣତ୍ୟାଗ କରି ବୈକୁଣ୍ଠଧାମକୁ ଗମନ କଲା, ମୁଁ ସେହିପରି ତାହାଙ୍କ କାର୍ଯ୍ୟରେ ଅକୃତକାର୍ଯ୍ୟ ହୋଇ ପ୍ରାଣତ୍ୟାଗ କରୁଅଛି । ମାତ୍ର ଯେପରି ବୈକୁଣ୍ଠଧାମ ଲାଭ କରିବି ।’’ ଏହି କଥା ଅଙ୍ଗଦ ଅନ୍ୟମାନଙ୍କୁ କହିବାରୁ ନିକଟସ୍ଥ ସମ୍ପାତି ତାହା ଶୁଣିପାରି ପଚାରିଲା, ‘‘ଜଟାୟୁକୁ କିଏ ବଧ କଲା ?’’ ଅଙ୍ଗଦ ଆମୂଳଚୂଳ ସମସ୍ତ କଥା ବର୍ଣ୍ଣନା କରିବାରୁ, ସେ କହିଲା, ‘‘ହେ ବୀର ! ମୋତେ ସ୍ନାନ କରିବା ପାଇଁ ଟେକିନିଅ ।’’

୬୮ଶ ପଦ :- ବାଜ-ଡେଣା । ବିକ୍ଲେଶେ-ଅନାୟାସରେ ଏଠାରେ ହଠାତ୍ ।

୬୮ଶ ପଦ :- ବୀର ଅଙ୍ଗଦ ସମ୍ପାତିକୁ ଛୁଇଁବାରୁ ହଠାତ୍ ତାର ପକ୍ଷ କଅଁଳି ଗଲା । ତତ୍ପରେ ସମ୍ପାତି ତାର ପୁତ୍ରକୁ ସ୍ମରଣ କରିବାରୁ ସେ ଆସି ଦୂତମାନଙ୍କୁ ପିଠିରେ ବସାଇ ଲଙ୍କା ଦେଖାଇ ଦେଲା ।

୬୯ଶ ପଦ :- ଶୀତାର୍ତ୍ତେ-ଶୀତରେ କାତର ହୋଇ । ସୀତାର୍ଥେ-ସୀତା ନିମିତ୍ତ ।

୬୯ଶ ପଦ :- ସମ୍ପାତି ଓ ତାର ପୁତ୍ର ହିମାଳୟକୁ ଗଲେ ଏବଂ ଏହି ଅଷ୍ଟବୀର ଅତି ଦୁଃଖରେ ଦିନ ଯାପନ କରିବାକୁ ଲାଗିଲେ । ରାମଚନ୍ଦ୍ର ଶୀତରେ ଅତ୍ୟନ୍ତ ପୀଡ଼ିତହେବାରୁ ସୀତାଙ୍କ ବିଷୟ ଭାବନାପୂର୍ବକ ଅନିଦ୍ରା ହୋଇ ରାତ୍ରି ଯାପନ କଲେ ।

୭୦ଶ ପଦ :- ବୟ-ଦେହ । ପଞ୍ଚଶର-କନ୍ଦର୍ପ । ଶର-ବାଣ । ଅବଳାର-ସ୍ତ୍ରୀର (ସୀତାର) ।

୭୦ଶ ପଦ :- ରାମଚନ୍ଦ୍ର ଭାବିଲେ, ‘‘ଦେହ ତ ଶୀତ ଯୋଗୁଁ ଥରଥର ହେଉଅଛି, ସେଥିରେ ପୁଣି କନ୍ଦର୍ପର ଶର ବାଜିବାରୁ ମୋ ଭଳି ବଳବାନ୍ ଲୋକକୁ ମଧ୍ୟ ଏତେ ଦୂର କଷ୍ଟ ଅନୁଭବ କରିବାକୁ ହେଉଛି । ‘ଅବଳା’ ଦୂର୍ବଳା ସୀତାର କି ଦୁଃଖ ହେଉ ନ ଥିବ ?’’

୭୧ଶ ପଦ :- ‘‘ଏହି ଶୀତ ଋତୁରେ ସ୍ତ୍ରୀ ପୁରୁଷଙ୍କର ମିଳନ ହେବା ସମୟରେ ମନେ ହୁଏ, କିଏ ବିନା ପାଶରେ ବାନ୍ଧୁଛି କି ? ପୁଣି ବିରହ ହେବା ସମୟରେ ମନେ ହୁଏ, କେହି ଜଣେ ଦେହ ଶୂନ୍ୟ ଲୋକ କ୍ଷତ ନ କରି ହୃଦୟକୁ ଶରଦ୍ୱାରା ଭେଦ କରୁଛି କି ?’’

୭୨ଶ ପଦ :- ରାମଚନ୍ଦ୍ର ଏହିପରି ବିଚାରି ବିଚାରି କ୍ରମେ କ୍ଷୀଣ ଓ ଶୋକାକୁଳିତ ହୋଇ ସୀତା ଯେତେ ମାସ ହେଲା ଅନ୍ତର ହେଲେଣି ତାହା ସବୁ ଗଣନା କଲେ । ଉପଇନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାସ୍ତରୀ ପଦରେ ରଚନା କଲେ ।

 

Unknown

ଚତୁତ୍ରିଂଶ ଛାନ୍ଦ

ରାଗ-ବସନ୍ତ

 

ବସନ୍ତ ସମୟ ଅତି ରସମୟ ରଭସେ ପ୍ରବେଶ ଆସି ଯେ

ବିଦ୍ରୁମ ଛବି ସୁଦ୍ରୁମ ଲତା ଭାବି ପଲ୍ଲବେ ସରାଗ ଦିଶି ଯେ

ବିକଶି ! ବିକଶି କୁସୁମମାନ ଯେ ।

 

ବୋଲାଇଲେ ଜବ ନବ ପୁଷ୍ପବତୀ ଭାବରସ କଲେ ଦାନ ଯେ

।୧ ।

 

ବାସନ୍ତୀ ମଲ୍ଲୀ ନିଆଳୀ ଛୁରିଅନା ଯହିଁ ହେଲେ ଇଚ୍ଛାବତୀ ଯେ

ବାସକୁ ଆସି ଭ୍ରମରଜାରେ ରସି ମଧୁମାଦକରେ ମାତି ଯେ

ବସନ୍ତ ! ବାତ ବାସ ହରେ ଏକା ଯେ

ବସାଇ ନ ଦିଅ ପାଶେ ମଧୁପକୁ କେତକୀ ସତୀନାୟିକା ଯେ

।୨ ।

 

ବର୍ଯ୍ୟାନାରୀ ପରି ଫୁଲମାଳ ଧରି କେବଳ କିଂଶୁକ ଥାଇ ଯେ

ବେଶ୍ୟା ପରି ଚୂତ କୋଳେ ପରଭୃତ ବସାଇ ଗୀତ ଗୁଅଇ ଯେ

ବିହିତ ! ବିହି ପୁନ୍ନାଗ ସୁନାରୀ ଯେ

ବିଦେଶ ବାହୁଡ଼ା ସମୟେ ବସନ୍ତେ ପୁଲକ ଯାଇ ସଞ୍ଚରି ଯେ

।୩ ।

 

ବଞ୍ଜୁଳବନେ ମଞ୍ଜୁଳବତୀ ସୀତା ଏକାଳ ଅବସ୍ଥା ଧରି ଯେ

ବିକାଶିଲେ ମଲ୍ଲୀ ଫୁଟେ ତନୁଚମ୍ପା ମଦନରସରେ ପୁରି ଯେ

ବିଧୃତ ! ବିଧୁମୂଖ ଧୂଳି ମ୍ଳାନ ଯେ

ବୃଦ୍ଧି ହୋଇ ଦୀନଭାବ ଅତିଶୟ ସଂଯୋଗ ପାଣି-ନଳିନ ଯେ

।୪ ।

 

ବୋଇଲେ ମଧୁ ତୁ ମୋତେ ଡରାଉଛୁ ରମ୍ୟାପଦୁ ରମା ଘେନି ଯେ

ବସୁଧାଭୃତ ନୁହଇ ହୃଦୟକୁ ସ୍ଥାପୁ ତୁ ବିରହଅଗ୍ନି ଯେ

ବୁଧେ ଯେ ! ବିହନ୍ତି ଶମ୍ଭୁ ଉପମା ଯେ

ବିନାଶ ଚନ୍ଦ୍ରାର୍ଦ୍ଧ ବିପାକ କର୍ମରୁ ନୋହିବୁ କିପାଇଁ ଭ୍ରମା ଯେ

।୫ ।

 

୧ମ ପଦ :- ରଭସ-ଶୀଘ୍ର । ବିଦ୍ରୁମ-ପୋହଳା । ସୁଦ୍ରୂମ-ଉତ୍ତମ ବୃକ୍ଷ । ସରାଗ-ରକ୍ତବର୍ଣ୍ଣ । ବିକଶି-ଘଞ୍ଚାଘଞ୍ଚ ହୋଇ । ଜବ-ଶୀଘ୍ର ।

 

୧ମ ପଦ :- ଅତି ମନୋହର ବସନ୍ତ ସମୟ ହଠାତ୍ ଆସି ପୃଥିବୀରେ ଉପସ୍ଥିତ ହେବାରୁ ଉତ୍ତମ ବୃକ୍ଷ ଓ ଲତାମାନେ ବର୍ଣ୍ଣରେ ପୋହଳା ସହିତ ସମାନ ହେବାକୁ ଭାବି ନୂତନ ପତ୍ରମାନଙ୍କଦ୍ୱାରା ରକ୍ତବର୍ଣ୍ଣ ଧାରଣ କଲେ । ପୁଷ୍ପସବୁ ଘଞ୍ଚାଘଞ୍ଚ ହୋଇ ଫୁଟିଲେ । ‘ପୁଷ୍ପବତୀ’ ଯୁବତୀମାନେ ଯେଉଁପରି ଯୁବକମାନଙ୍କୁ ଶୃଙ୍ଗାରରସ ଦାନ କରନ୍ତି, ସେହିପରି ଲତାମାନେ ଶୀଘ୍ର ନୂତନ ପୁଷ୍ପରାଶି ଧାରଣ କରି ଭ୍ରମରମାନଙ୍କୁ ପୁଷ୍ପରସ ପ୍ରଦାନ କଲେ । (ବସନ୍ତ ଆଗମରେ ବୃକ୍ଷମାନେ ପଲ୍ଲବିତ, ଲତାମାନେ ପୁଷ୍ପିତ ଓ ଭ୍ରମରମାନେ ମଧୂପାନରେ ମତ୍ତ ହେଲେ ) ।

 

୨ୟ ପଦ :- ‘ବାସନ୍ତୀ’ ମାଧବୀ, ମଲ୍ଲୀ, ନିଆଳୀ ଓ ଛୁରୀଅନା ଏମାନେ ‘ଇଚ୍ଛାବତୀ ହେଲେ’ ଯଥେଷ୍ଟ ଫୁଲ ଧାରଣ କଲେ ଅଥବା କାମୁକୀ ସ୍ତ୍ରୀ ପରି ଆଚରଣ କଲେ । କାମୁକୀ ସ୍ତ୍ରୀର ଗୃହକୁ ଆସି ବିଟପୁରୁଷମାନେ ମଦ୍ୟର ମାଦକତା ବଶତଃ ରତିରସରେ ମାତିଲା ପରି ଭ୍ରମରମାନେ ସୁଗନ୍ଧ ହେତୁ ସେହି ବୃକ୍ଷମାନଙ୍କ ନିକଟକୁ ଆସି ପୁଷ୍ପରସର ମାଦକତାରେ ମାତିଲେ । ସତୀ ସ୍ତ୍ରୀ ମଦ୍ୟପାୟୀ ପୁରୁଷକୁ ପାଖରେ ବସାଇ ନ ଦେଲା ପରି କେତକୀ ‘ମଧୂପ’ ଭ୍ରମରକୁ ପାଖରେ ବସାଇ ଦେଲା ନାହିଁ । (କେତକୀ ଫୁଲର ଧୂଳିରେ ଭ୍ରମର ଆକ୍ଷୀ ଖରାପ ହୁଏ ଓ କଣ୍ଟା ଦ୍ୱାରା ପକ୍ଷ ଛିଡ଼ିଯାଏ) ସତୀର ବସ୍ତ୍ର ହରଣ କରିବାକୁ ତାର ସ୍ୱାମୀ ସମର୍ଥ ହେଲା ପରି, କେବଳ ବସନ୍ତ ପବନ କେତକୀର ବାସ, ଗନ୍ଧକୁ ହରଣ କଲା ।    

 

୩ୟ ପଦ :- ବର୍ଯାନାରୀ-ସ୍ୱୟଂ ବର ସ୍ତ୍ରୀ । କିଂଶୁକ-ପଳାଶବୃକ୍ଷ । ଚ୍ୟୁତ-ଆମ୍ବଗଛ । ପରଭୃତ-କୋଳିକ, ପରପୁରୁଷ । ପୁନ୍ନାଗ- ପୁରୁଷଶ୍ରେଷ୍ଠ, ପୋଲାଙ୍ଗଗଛ । ସୁନାରୀ-ଉତ୍ତମ ସ୍ତ୍ରୀ ବା ସୁନାରୀ ଗଛ ।

 

୩ୟ ପଦ :- ସ୍ୱୟଂବରା ସ୍ତ୍ରୀ ଫୁଲମାଳ ଧଇଲା ପରି ପଲାଶ ଫୁଲମାନଙ୍କୁ ଧଇଲା । (ବସନ୍ତ ସମୟରେ ପଲାଶ ଫୁଟେ କିନ୍ତୁ ସେଥିରେ ସେପରି ମଧୁ ନ ଥିବାରୁ ଭ୍ରମର ଯାଏନାହିଁ) । ବେଶ୍ୟା ପରପୁରୁଷକୁ କୋଳରେ ବସାଇ ଗୀତ ଗାନ ଳରାଇଲା ପରି ଆମ୍ବଗଛ ‘ପରଭୃତ’ ପରପାଳିତ ଅର୍ଥାତ୍ କୋକିଳକୁ ନିଜର ପତ୍ରାଚ୍ଛାଦିତ ମଝି ଡାଳରେ ବସାଇ ଗୀତ ଗାନ କରାଇଲା । ବିଦେଶ ପ୍ରତ୍ୟାବୃତ ପୁରୁଷ ସହିତ ସାକ୍ଷାତ ହେବା ସମୟରେ ସ୍ତ୍ରୀ ପୁରୁଷ ଦୁହିଙ୍କର ଦେହ ପୁଲକିତ ହେଲା ପରି, ବସନ୍ତାଗମରେ ପୁଲାଙ୍ଗ ଓ ସୁନାରୀ ବୃକ୍ଷର ଦେହରେ ପୁଲକ ସଞ୍ଚାରିଲା ଅର୍ଥାତ୍ ପୁଷ୍ପ ବିକଶିତ ହେଲା ।

 

୪ର୍ଥ ପଦ :- ବଞ୍ଜୁଳବନେ-ଅଶୋକବନରେ । ମଞ୍ଜୁଳବତୀ-ମନୋହାରିଣୀ । ବିଧୃତ-ଧରିବା । ପାଣି-ଜଳ, ହସ୍ତ । ନଳିନ-ପଦ୍ମ । ତନ୍ତୁ-ବିସ୍ତୁତରୂପରେ । ମଦନ-ଦୁଦୁରା ଗଛ ।

 

୪ର୍ଥ ପଦ :- ସୁନ୍ଦରୀ ସୀତା ଅଶୋକ ବନରେ ‘ଏକାଳ ଅବସ୍ଥାକୁ ଧରି’ ଅର୍ଥାତ୍ ଏହି କାଳରେ ବିରହିଣୀ ଯେଉଁ ଅବସ୍ଥାକୁ ଧାରଣ କରେ ସେହି ଅବସ୍ଥାକୁ ଧରି ମଲି ବୋଲି ପ୍ରକାଶ କଲେ । ତାହାଙ୍କର ଶରୀର ରୂପ ଚମ୍ପାଫୁଲ ଶୃଙ୍ଗାର ରସରେ ପୂରି ବିକଶିତ ହେଲା ଅର୍ଥାତ୍ ଲଜ୍ଜାତ୍ୟାଗ, ଉନ୍ମାଦ ପ୍ରଭୃତି କାମ ଦଶା ତାଙ୍କ ଦେହରେ ପ୍ରକାଶିତ ହେଲା । ତାର ମୁଖଚନ୍ଦ୍ର ଧୂଳି ଧୂସରିତ ହେଲା ପରି ମଳିନ ଦେଖାଗଲା, କାତରତା ଅଧିକ ବଢ଼ିଲା, ତେଣୁ ସେ ଗାଲରେ ହାତ ଦେଇ ବସିଲେ । ବସନ୍ତ ସମୟରେ ଅଶୋକ, ମଲ୍ଲୀ, ଚମ୍ପା ଓ ପଦ୍ମମାନେ ଫୁଟିଲେ । ‘ମଦନ’ ଦୁଦୁରା ଫୁଲ ମହୁରେ ପୂର୍ଣ୍ଣ ହେଲା, ଚନ୍ଦ୍ର ଧୂଳି ପଟଳଦ୍ୱାରା ମଳିନ ଦେଖାଗଲେ, ଦିନ କ୍ରମେ ଅଧିକ ବଢ଼ିଲା ।

 

୫ମ ପଦ :- ମଧୁ-ବସନ୍ତକାଳ, ମଧୁରାକ୍ଷସ । ରମା-ଲକ୍ଷ୍ମୀ । ବସୁଧାଭୃତ-ପର୍ବତ । ହୃଦୟକ-ସ୍ତନ । ବୁଧେ-ପଣ୍ଡିତମାନେ । ଶମ୍ଭୁ-ମହାଦେବ ।

 

୫ମ ପଦ :- ସୀତା ବସନ୍ତକାଳକୁ ଦେଖି କହିଲେ, ‘‘ରେ ‘ମଧୁ’ ବସନ୍ତ? ତୁ ମଧୁଦୈତ୍ୟ ପରି ମତେ ସୁନ୍ଦରୀ ଦେଖି ରମା’ ଲକ୍ଷ୍ମୀ ବୋଲି ଭାବି ଡରାଉଛୁ । (ଅର୍ଥାତ୍ ମଧୁଦୈତ୍ୟ ଲକ୍ଷ୍ମୀକୁ ଡରାଇଲା ପରି ତୁ ମତେ ଡରାଉଛୁ ।) ମୋର ସ୍ତନ ତ ପର୍ବତ ନୁହେ, ତୁ ତହିଁରେ ବିରହାଗ୍ନି କାହିଁକି ସ୍ଥାପନ କରୁଛୁ ? (ପର୍ବତ ଅଗ୍ନିର ଅଧିକରଣ ବୋଲି ଦାର୍ଶନିକମାନେ ସ୍ଥିର ଅଛନ୍ତି)। ପଣ୍ଡିତମାନେ ମୋର ସ୍ତନ ସହିତ ଶିବଙ୍କୁ ଉପମା ଦେଇଥାନ୍ତି, ମାତ୍ର କର୍ମଦୋଷରୁ ପତିଙ୍କଠାରୁ ଦୂରରେ ରହିବା ଯୋଗୁଁ ସେହି ସ୍ତନ ନଖ କ୍ଷତ ରୂପ ଅର୍ଦ୍ଧଚନ୍ଦ୍ର ଶୂନ୍ୟ ହୋଇଅଛି । ତେଣୁ ତୋର କାହିଁକି ବା ଭ୍ରମ ନ ହେବ ?’’

 

ବସିଣ ରସାଳେ ସଂଯୋଗୀ ରସଳେ ପଞ୍ଚମ ସ୍ୱରକୁ ତହିଁ ଯେ

ବିହନ୍ତେ କୋକିଳ ଅଶ୍ରୁରେ ପଙ୍କିଳ ଗଣ୍ଡ କରି ବଇଦେହୀ ଯେ

ବୋଲନ୍ତି ! ବୋଲାଉ ମନ୍ଦତନୟ ଯେ

ବିଶେଷରେ ମନ୍ଦ ତନୟ ନ କର ପରଭୃତ ନାମେ ବୟା ଯେ

।୬ ।

 

ବନେ ଅଇଲ ତିନି ବେନି ରହିଲ ଏକ ଗଲା ଏକା ହୋଇ ଯେ

ବୋଲିବାକୁ ଆହା, କେହି ନାହିଁ ସାହା ସେ ଜନ ବଞ୍ଚିବ କେହି ଯେ

ବଲ୍ଲଭେ ! ବନପ୍ରିୟ କହ ଏତେ ଯେ

ବ୍ରହ୍ମାଣ୍ଡନାଥ-ହାତ ଧରି ଅନାଥ କି ଶୁଭୁଅଛି ଜଗତେ ଯେ ?

।୭ ।

 

ବୋଲିବେ ଅବା ସେ ଛାଡ଼ିଗଲା ସିନା ଆୟତ୍ତେ ମୁଁ ଆସିନାହିଁ ଯେ

ବେନି ପିଣ୍ଡ ଏକ ଜୀବନ ବିଚ୍ଛେଦ ପାଇଁ ବିହି ଥିଲା ବିହି ଯେ

ବଲ୍ଲଭେ ! ବନପ୍ରିୟ କହ ଏତେ ଯେ ।

 

କିଗୁଣ ସେବକୀରେ ପ୍ରଭୁ ଘେନିଲେ ସେ ଭଲ ହେବ କେମନ୍ତେ ଯେ ?

।୮ ।

 

ବଂଶ ତପି କୋପାନଳେ ଦଗ୍‌ଧ ଜାଣି ଯେ କୁଳଜାତ ନୃପତି ଯେ

ବୁହାଇ ଗଙ୍ଗା ବିଷ୍ଣୁପଦୁଁ ବହୁତ କ୍ଳେଶ କରାଇଲେ ଶାନ୍ତି ଯେ

ବଲ୍ଲଭେ ! ବନପ୍ରିୟା କହ ଏତେ ଯେ

ବିରହ ତାପାନଳେ ପ୍ରିୟା ଦଗ୍‌ଧ ଶାନ୍ତି ନ ବିଚାର ଚିତ୍ତେ ଯେ

।୯ ।

 

ବନେ ଆସିଲାଦିନୁ ମନେ ବିଚାର ପଲ୍ୟଙ୍କଶୟନା ଏହି ଯେ

ବକ୍ଷବିହୀନରେ ନବପଲ୍ଲବର ଶେଯେ ନ ଦିଅ ଶୁଆଇ ଯେ

ବଲ୍ଲଭେ ! ବନପ୍ରିୟ କହ ଏତେ ଯେ

ବସୁମତୀ ଧୂଳି ଏବେ କରି ତୁଳୀ ନିଦ୍ରା ସେ ଯିବ କେମନ୍ତେ ଯେ

।୧୦ ।

 

୬ଷ୍ଠ ପଦ :- ରସାଳ-ଆନନ୍ଦଦାୟକ । ରସାଳେ-ଆମ୍ବବୃକ୍ଷରେ । ମନ୍ଦତନୟ-କାଳଦ୍ୱାରା ପ୍ରତିପାଳିତ ପୁତ୍ର (କୋକିଳ)।

୬ଷ୍ଠ ପଦ :- ସପତ୍ନୀକ ଲୋକମାନଙ୍କର ଆନନ୍ଦଦାୟକ ପଞ୍ଚମ ସ୍ୱରକୁ କୋକିଳ ଆମ୍ବଗଛ ଉପରେ ବସି ପ୍ରକାଶ କରନ୍ତେ, ସୀତା ତାହା ଶୁଣି ଗଣ୍ଡସ୍ଥଳକୁ ଅଶ୍ରୁସିକ୍ତ କଲେ ଏବଂ କହିଲେ, ‘‘ରେ କୋକିଳ ! ତୁ ‘ମନ୍ଦତନୟ’ କାକର ପାଳିତ ପୁତ୍ର ନୋହୁଁ ଯେ ପ୍ରକୃତରେ ଅତିଶୟ ‘ମନ୍ଦ’ ଖରାପ ପ୍ରାଣୀ ଅଟୁ । ଆଜିଠାରୁ ଆଉ ସେହି ମନ୍ଦ ‘ନୟ’ ନୀତି କରନାହିଁ ଏବଂ ତୋର ସେହି ‘ପରଭୃତ’ ଚାକର ନାମକୁ ପ୍ରକାଶିତ କର ଅର୍ଥାତ୍ ମୋର ଦୂତ ହୁଅ ।’’

୭ମ ପଦ :- ବଲ୍ଲଭେ-ସ୍ୱାମୀଙ୍କୁ । ବନପ୍ରିୟ-କୋକିଳ ।

୭ମ ପଦ :- ‘‘ବନକୁ ତିନି ଜଣ ଆସିଲ, ଦୁଇଜଣ ରହିଲ, ଜଣେ କେବଳ ଏକୁଟିଆ ହୋଇଗଲା । ତାକୁ ଆହା ବୋଲି କହି ସାହାଯ୍ୟ କରିବାକୁ କେହିନାହିଁ; ଏଣୁ ସେ କିପରି ବଞ୍ଚିବ ?’ ରେ କୋକିଳ ମୋର ପ୍ରିୟଙ୍କ ନିକଟରେ ଏତିକି ମାତ୍ର କହ । ସେ ବ୍ରହ୍ମାଣ୍ଡର ନାଥ, ମୁଁ ତାଙ୍କ ହାତ ଧରି ଅନାଥିନୀ ହେଲି, ଏଣୁ ବ୍ରହ୍ମାଣ୍ଡରେ ନିନ୍ଦା ଶୁଣାଯାଉଛି ।’’

୮ମ ପଦ :- ‘ଏହା ଶୁଣି ସେ ଅବା କହିବେ, ‘ସେ ସିନା ମତେ ଛାଡ଼ି ଚାଲିଗଲା ।’’ ମୁଁ ତାକୁ ମୋର ଆୟତ୍ତରେ ଥାଉଁ ଥାଉଁ ଛାଡ଼ି ଆସିନାହିଁ ।’ ମୁଁ ମନେ କରେ ବିଯୋଗ ଦୁଃଖ ଦେବା ପାଇଁ ବିଧାତା ଗୋଟିଏ ମାତ୍ର ଜୀବନକୁ ଦୁଇ ଗୋଟି ଦେହରେ ରଖି ଆମ୍ଭ ଦୁହିଁଙ୍କୁ ନିର୍ମାଣ କରିଥିଲା । ରେ କୋକିଳ ! ମୋର କାନ୍ତଙ୍କୁ କହିବୁ, ସେବକୀଠାରେ ଏପରି ବିରକ୍ତ ହେଲେ ତାର ମଙ୍ଗଳ କିପରି ହେବ ?’’

୯ମ ପଦ :- ବିଷ୍ଣୁପଦୁଁ-ସ୍ୱର୍ଗରୁ । ବିରହତାପାନଳେ-ବିରହତାପ ରୂପ ଅଗ୍ନିରେ ।

୯ମ ପଦ :- ‘‘ତୁମ୍ଭ ବଂଶରେ ଜନ୍ମ ଗ୍ରହଣ କରିଥିବା ଭଗୀରଥ ରାଜା ତପସ୍ୱୀ କପିଳଙ୍କର କୋପାନଳରେ ନିଜ ବଂଶୀୟ ରାଜାମାନେ ଦଗ୍‌ଧ ହେବାର ଜାଣି, ବହୁତ ଦୁଃଖ ସହି ଆକାଶରୁ ଗଙ୍ଗାଙ୍କୁ ବୁହାଇ ଆଣି ପୂର୍ବ ପୁରୁଷମାନଙ୍କ ଚିତାନଳର ଶାନ୍ତି ବିଧାନ କରିଥିଲେ । ବିରହାଅଗ୍ନିରେ ଦଗ୍‌ଧ ହେଉଥିବା ପ୍ରିୟାର ସେହି ତାପ ଶାନ୍ତି ନିମିତ୍ତ ତୁମ୍ଭେ ହୃଦୟରେ ବିଚାର କର ।’ ହେ କୋକିଳ ! ତୁ ଏହି କଥା ପ୍ରିୟଙ୍କୁ ଯାଇ କହ ।’’

୧୦ମ ପଦ :- ବସୁମତୀ-ପୃଥିବୀ । ତୁଳୀ-ତୁଳା ଶେଯ ।

୧୦ ପଦ :- ‘‘ପ୍ରିୟା ପଲଙ୍କରେ ଶୟନ କରୁଥିଲା; ଏହି କଥା ଭାବି, ବନକୁ ଆସିଲାଦିନୁ ସେ ମୋତେ ନିଜର ଛାତି ଉପରେ ଛଡ଼ା ନୂତନ ପତ୍ରଶଯ୍ୟାରେ ସୁଦ୍ଧା ଶୁଆଉ ନ ଥିଲେ । ଏବେ ସେହି ସୀତା ପୃଥିବୀସ୍ଥ ଧୂଳିମାନଙ୍କୁ ଶଯ୍ୟାକରି କିପରି ନିଦ୍ରା ଯିବ ? ହେ କୋକିଳ ! ଏହି କଥା ତାଙ୍କୁ କହିବୁ ।’’

 

ବସନ୍ତଦୂତ ଏମନ୍ତ କହୁଁ ଗତ ଭାଳିଲେ ସେ କହିଗଲା ଯେ

ବିନ୍ଧ୍ୟେ ଥିଲା ସେନା ବିମନା ଅଙ୍ଗଦ ପ୍ରାଣ ବିସର୍ଜିବା କଲା ଯେ

ବୋଇଲେ ! ବାରିଜୀବ ନୋହି ସର୍ବେ ଯେ

ବାହୁପ୍ଳବନରେ କେତେଦୂର ଯିବା ଅନ୍ତ ତ ନାହିଁ ଅର୍ଣ୍ଣବେ ଯେ

।୧୧ ।

 

ବାହୁଡ଼ିଲେ ପରାକ୍ରମହୀନ ଲାଜ ଘନ ଗର୍ଜନ ସହି ଯେ

ବିକ୍ରମୀ ଜଳେ ଡେଇଁ ପଡ଼ି ବୁଡ଼ିବା ଶରଭ ପରାୟେ ହୋଇ ଯେ

!

ବୁଦ୍ଧିକି ! ବୋଲେ ଶୁଣି ହନୁମନ୍ତ ଯେ

ବିଚାରଇ ମୁହିଁ ଯିବି ଚନ୍ଦ୍ରମୁହିଁଠାରୁ ଆଣିମି ଉଦନ୍ତ ଯେ

।୧୨ ।

 

ବୋଲେ ଜାମ୍ବବ ତୋହରେ କାର୍ଯ୍ୟ ହେବ ବିଚାରି ରଘୁନନ୍ଦନ ଯେ

ବେଦନା ନିବେଦନ କରି ସଙ୍କେତ ସମର୍ପି ଅଛନ୍ତି ପୁନଃ ଯେ

ବେଗରେ ! ବିଲଙ୍ଘନ କର ସିନ୍ଧୁ ଯେ

ବିୟତମାର୍ଗରେ ଯାବତ ପ୍ରକାରେ ମଙ୍ଗଳ କରନ୍ତୁ ବଧୂ ସେ

।୧୩ ।

 

ବୃକ୍ଷ ଦିବି ସ୍ଥିତି ଗିରି ଅଧୋଗତି ଭକ୍ଷଣେ ଉଦର ଫାଟି ଯେ

ବୀର ହନୁମାନ କରନ୍ତେ ଗମନ ବିଷମସମସ୍ୟା ଘଟି ଯେ

ବାହୁର ! ବାୟୁତେ ତରୁ ସଞ୍ଚାର ଯେ

ବିଶ୍ରାମୁଁ ମୈନାକ ବୁଡ଼ୁଁ ଭକ୍ଷୁଁ ଦାରି ଉଦରକୁ ସିଂହିକାର ଯେ

।୧୪ ।

 

ବଚନେ ଦେବଙ୍କ ରତନେ ବିଘ୍ନକୁ କହୁ ଗଲେ ବାଟ ଛାଡ଼ି ସେ

ବିଳୁଁ ବାହାର ନା ସର୍ପଙ୍କୁ ତିଆରି ପଡ଼ିଛି ବିଷମ ଧାଡ଼ି ଯେ

ବିଷ୍ଣୁ ଯେ ! ବହିଛନ୍ତି ରାମମୂର୍ତ୍ତି ଯେ

ବିଶିଖ ଧନ କରି ଚକ୍ର ଗଦାକୁ ହରି ଏ କୃତ ବିପତ୍ତି ଯେ

।୧୫ ।

 

୧୧ଶ ପଦ :- ଏହିପରି କହୁ କହୁ କୋକିଳ ଉଡ଼ିଯିବାରୁ ସୀତା ଭାବିଲେ, ତାଙ୍କର ଏହି କଥାସବୁ ରାମଙ୍କୁ କହିବା ପାଇଁ ସେ ଉଡ଼ିଗଲା ।’ ଏଣେ ବିନ୍ଧ୍ୟ ପର୍ବତରେ ସୈନ୍ୟମାନଙ୍କ ସହିତ ରହିଥିବା ଅଙ୍ଗଦ କାର୍ଯ୍ୟ ସାଧନ କରି ନ ପାରିବାରୁ ବିମନା ହୋଇ ପ୍ରାଣତ୍ୟାଗ କରିବାକୁ ସ୍ଥିର କରନ୍ତେ ଅନ୍ୟମାନେ କଥାବର୍ତ୍ତା ହେଲେ, ‘‘ସମୁଦ୍ରର ଅନ୍ତନାହିଁ । ଆମ୍ଭେମାନେ ତ ଜଳଜୀବ ହୋଇ ନ ଥାଇଁ । ବାହୁଦ୍ୱାରା ପହଁରି କେତେ ଦୂର ଯିବା ?’’

୧୨ଶ ପଦ :- ଶରଭ-ଅଷ୍ଠପାଦବିଶିଷ୍ଟ ମୃଗ ।

୧୨ଶ ପଦ :- ‘‘ଯଦି ଆମ୍ଭେମାନେ ଏହିଠାରୁ ଫେରିଯିବା, ତାହା ହେଲେ ଦୁର୍ବଳତାର ପରିଚୟ ଦେଇ ଲଜ୍ଜିତ ହେବା । ଅତଏବ ଏପରି ବଞ୍ଚି ରହିବା ଅପେକ୍ଷା ମେଘ ଗର୍ଜ୍ଜନ ଶୁଣି ଅଷ୍ଟାପଦ ମୃଗ ଜଳରେ ବୁଡ଼ି ମଲାପରି ଆମର ମରିବା ଶ୍ରେୟସ୍କର ।’’ ସେମାନଙ୍କର ଏହି ବିଚାରକୁ ଶୁଣି ହନୁମାନ କହିଲା, ‘‘ମୁଁ ବିଚାର କରୁଛି, ନିଜେ ଯାଇ ସୀତାଙ୍କଠାରୁ ସମ୍ବାଦ ଆଣିବି ।’’

୧୩ଶ ପଦ :- ବେଦନା-ଦୁଃଖ । ସଙ୍କେତ-ଚିହ୍ନ । ବିୟତମାର୍ଗରେ-ଆକାଶମାର୍ଗରେ । ବିଧୂ-ନାରାୟଣ ।

୧୩ଶ ପଦ :- ହନୁମାନଠାରୁ ଏହି କଥା ଶୁଣି ଜାମ୍ବବ କହିଲେ, ‘‘ତୁମ୍ଭଦ୍ୱାରା ଏହି କାର୍ଯ୍ୟ ହେବ,-ଏହା ବିଚାରି ରାମଚନ୍ଦ୍ର ତୁମ୍ଭଙ୍କୁ ତାଙ୍କର ଦୁଃଖ କହି ସଙ୍କେତ ଦେଇଅଛନ୍ତି । ଏଣୁ ଶୀଘ୍ର ସମୁଦ୍ର ଲଙ୍ଘନ କରିଯାଅ । ଆକାଶମାର୍ଗରେ ବିଷ୍ଣୁ ତୁମ୍ଭର ସମସ୍ତ ପ୍ରକାର ମଙ୍ଗଳ କରନ୍ତୁ ।’’

୧୪ଶ ପଦ :- ଦିବି-ଆକାଶ । ଅଧୋ-ପାତାଳ । ସିଂହିକା-ରାହୁ ମାତା । ଉଦର ଦାରି-ଉଦରକୁ ବିଦାରଣ କରି ।

୧୪ଶ ପଦ :- ବୀର ହନୁମାନ ଯିବା ସମୟରେ ବିଷମ ସମସ୍ୟା ବା ଅତ୍ୟାଶ୍ଚର୍ଯ୍ୟ ଘଟଣା ଘଟିଲା ।

ବିରୋଧାର୍ଥ- ବୃକ୍ଷମାନେ ‘ସ୍ୱର୍ଗ’ ଆକାଶରେ ରହିଲେ ଓ ପର୍ବତମାନେ ପାତାଳକୁ ଗଲେ । ଖାଇବା ଲୋକମାନଙ୍କର ପେଟ ଫାଟିଗଲା ।

ପ୍ରକୃତାର୍ଥ- ଯିବା ସମୟରେ ହନୁମାନର ବାହୁ ପବନରେ ବୃକ୍ଷମାନେ ଆକାଶରେ ଉଡ଼ିଲେ । ସେ ଯାଉଁ ଯାଉଁ ମେନାକ ରାହୁମାତା ସିଂହିକା ହନୁକୁ ଗିଳି ଦେବାରୁ ହନୁ ତାର ପେଟ ଫଟାଇ ବାହାର ହେଲା ।

୧୫ଶ ପଦ :- କଦ୍ରୁ-ନାଗମାତା । ବିଶିଖଧନୁ-ଧନୁଶର । ବିପତି-ଗରୁଡ଼ । ହରି-ମାଙ୍କଡ଼ ।

୧୫ଶ ପଦ :- ‘କଦ୍ରୁ’ ନାଗ ମାତା ବାଟମଝିରେ ବିଘ୍ନ ଘଟାଇବାକୁ ଆସି ଦେବତାମାନଙ୍କ କଥାରେ ବାଟ ଛାଡ଼ିଗଲେ ଓ ନିଜର ପୁତ୍ରମାନଙ୍କୁ ସତର୍କ କରାଇ କହିଲେ, ‘‘ଗାତରୁ ବାହାର ନାହିଁ, ବିଷମ ସମୟ ଉପସ୍ଥିତ ହୋଇଅଛି । କାରଣ ବିଷ୍ଣୁ ରମାରୂପ ଧାରଣ କରି ତାହାଙ୍କର ଚିତ୍ର ଓ ଗଦାକୁ ଧନୁଶର କରି ଗରୁଡ଼କୁ ମର୍କଟ କରିଅଛନ୍ତି । ସେ ବର୍ତ୍ତମାନ ବାହାରରେ ସୀତାଙ୍କୁ ଖୋଜି ବୁଲୁଛି ।’’

 

ବିଭାବସୁ ପରି ଗଗନେ ସଞ୍ଚରି ତାରାଏ ଖସିଲା ପରି ଯେ

ବିପତିତ ଯେ ପତିତତ୍ରାହିହତ ସୁବେଳେ ସୁବଳଗିରି ଯେ

ବିଲୋକି ! ବରଣ ଶୋଭା ଲଙ୍କାର ଯେ

ବରଣ କଲା ମନେ ମର୍ତ୍ତ୍ୟଭୁବନେ ସର୍ବପୁର ଅଳଙ୍କାର ଯେ

।୧୬ ।

 

ବଳୟ ଏକ ପୃଥ୍ୱୀଦେବୀ କିପାଇଁ କେଉଁ କୁଣ୍ଡଳୀ ନିର୍ମାଣି ଯେ

ବୋଲାଇ ଏଥିକି କନକକଟକ ଏଠାରୁ ହୋଇଲା ଜାଣି ଯେ

ବିନ୍ଧାଣି ! ବିସ୍ତାରି ମୁଖକବାଟୀ ଯେ

ବାଦ୍ୟନାଦ ଛଳେ ବୋଲେ ଲଗା ଲଗା ଆଉ ପଟେ ନାହିଁ ହଟି ଯେ

।୧୭ ।

 

ବିରୋଧାଭାଷ ଉଦୟେ ଏ ସମୟେ ଦିନ ଅହସାନ ହୋଇ ଯେ

ବଳାଗତି ନାକ ବିହାରକୁ ମତି ସୁର ତ୍ୱରିତେ ପଳାଇ ଯେ

ବିଳସେ ! ବହନ ଐନ୍ଦ୍ରିନୀଡ଼ରେ ଯେ

ବରୁଣଦିଶି ଛକ୍ତମୟ ଆଉଁସି ଶୁକ ବି ତୁଣ୍ଡ ସତ୍ୱରେ ଯେ

।୧୮ ।

 

ବିସର୍ଜ୍ଜେ ଚକ୍ର ଅନନ୍ତ ପାଣି ରଙ୍ଗ ତମ ବାହୁଡ଼ାକୁ ଡରି ଯେ

ବିଧାୟକ ଦରଧ୍ୱନିକି ପଞ୍ଚାସ୍ୟ ସଦ୍ମେ ପ୍ରଦୀପକ କରି ଯେ

ବିକ୍ରମେ ! ବିଦିତ ନୋହି ମାରୁତି ଯେ

ବତ୍ସ-ଧେନୁ-ସଙ୍ଗେ ପୁଣ୍ୟଜନପତି-ଦିଗୁ ପୁଣ୍ୟଜନପତି ଯେ

।୧୯ ।

 

ବଞ୍ଚକ ବିଡ଼ାଳ ଶ୍ୱାନ ଏହି ସ୍ୱନ କେ ଗଲା କେ ଗଲା ବିହି ଯେ

ବଳିମୁଖ ପରା ମୁଖ ତ ଦିଶିଲା କପାଟ କିଳିଲେ କହି ଯେ

ବାୟୁଜ ! ବିଚାରଇ ତାର ମତି ଯେ

ବାସୁକିବିଷ କାଳନ୍ଦିଜଳ ଭ୍ରମେ ପିଇ ବାଞ୍ଛା କରେ ଶାନ୍ତି ଯେ

।୨୦ ।

 

୧୬ଶ ପଦ :- ପତିତତ୍ରାହି ଦୂତ-ପତିତପାବନ ରାମଚନ୍ଦ୍ରଙ୍କ ଦୂତ (ହନୁମାନ) । ବିଭାବସୁ-ସୂର୍ଯ୍ୟ । କାରଣ-ପ୍ରାଚୀର । ବରଣ କଲା- ସ୍ଥିରକଲା ।

୧୬ଶ ପଦ :- ହନୁମାନ ସୂର୍ଯ୍ୟଙ୍କ ପରି ଆକାଶରେ ଗତିକରି ତାରା ଖସିଲାପରି ସେହି ଆକାଶରୁ ଖସି ଉତ୍ତମବେଳାରେ ସୁବଳୟା ପର୍ବତରେ ଉପସ୍ଥିତ ହେଲା । ତତ୍ପରେ ଲଙ୍କାଗଡ଼ର ପାଚେରିକୁ ଦେଖି, ‘ଏହା ପୁରୀ ଭୁଲୋକରେ ଥିବା ସମସ୍ତ ପୁରୀମାନଙ୍କର ଅଳଙ୍କାର’ ବୋଲି ମନରେ ସ୍ଥିର କଲା ।

୧୭ଶ ପଦ :- କୁଣ୍ଡଳୀ-ସ୍ୱର୍ଣ୍ଣକାର । ବଳୟ-କଙ୍କଣ ।

୧୭ଶ ପଦ :- ହନୁମାନ ସେହି ଚୁର୍ଣ୍ଣ ପ୍ରାଚୀରକୁ ଦେଖି ମନେକଲା, ‘ଜଣେ କେହି ବଣିଆଁ ପୃଥିବୀ ଦେବୀଙ୍କ ପାଇଁ ଏହି କଙ୍କଣକୁ ତିଆରି କରିଛି କି ? ଏହି ହେତୁରୁ ଏହାର ନାମ ‘କନକ କଟକ’ ସୁବର୍ଣ୍ଣ ପୁରୀ ବା ସୁନା କଙ୍କଣ ହୋଇଅଛି । ମୁଁ ଏହା ଜାଣିପାରୁଛି, ସେହି କାରିଗର କଙ୍କଣର ମୁଖରୂପ କବାଟକୁ ବିସ୍ତାରକରି ଏହି ଶୁଣାଯାଉଥିବା ବାଦ୍ୟଧ୍ୱନି ଛଳରେ କହୁଅଛି, ‘‘ହେ ପୃଥ୍ୱୀ ? ଏହାକୁ ଲଗାଅ ଲଗାଅ ।’’ ଏବଂ ସେହି ପୃଥ୍ୱୀଦେବୀ ଆଉ ପଟେ ନ ଥିବାରୁ ଦୂର ହୋଇ ରହିଛନ୍ତି ? (ପଟେ ଲଗାଇଲେ ଲୋକେ ହସିବେ) ।

୧୮ଶ ପଦ :- ବଳାରାତି-ଇନ୍ଦ୍ର, ପେଚା । ନାକ-ସ୍ୱର୍ଗ, ଆକାଶ । ସୁର-ଦେବତାମାନେ, ସୂର୍ଯ୍ୟ । ଐହି-ଇନ୍ଦ୍ରପୁତ୍ର ଜୟନ୍ତ, କାକ । ନୀଡ଼-ପକ୍ଷୀବସା, ନିର୍ଭୟରେ । ବରୁଣଦଶି-ପଶ୍ଚିମଦିଗରେ । ଶୁକ ବି-ଶୁଆ ନାମକ ପକ୍ଷୀ ।

୧୮ଶ ପଦ :- ଏହି ସମୟରେ ଦିନ ଶେଷ ହେବାରୁ ବିରୋଧାଭାଷ ପ୍ରକାଶ ପାଇଲା ।

ବିରୋଧାର୍ଥ- ଇନ୍ଦ୍ର ସ୍ୱର୍ଗରେ ବିହାର କରିବାକୁ ଇଚ୍ଛା କରିବାରୁ ସୂର୍ଯ୍ୟ ଶୀଘ୍ର ସେହି ସ୍ଥାନ ଛାଡ଼ି ଗଲେ । ଅତଏବ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ନିର୍ଭୀକ ଭାବରେ ସେଠାରେ କ୍ରୀଡ଼ା କରୁଅଛନ୍ତି । ଆଉ ମଧ୍ୟ ବରୁଣ ବୃକ୍ଷ ରକ୍ତମୟ ଦେଖାଦେବାରୁ ଶୁକପକ୍ଷୀମାନେ ଶୀଘ୍ର ମୁହଁକୁ ଆଉଁସିଲେ ।

ପ୍ରକୃତାର୍ଥ- ସୂର୍ଯ୍ୟ ଆକାଶରୁ ଅସ୍ତ ହୋଇଯାନ୍ତେ ପେଚାମାନେ ଆକାଶରେ ବିହାର କରିବାକୁ ଇଚ୍ଛାକଲେ । କାକମାନେ ଶୀଘ୍ର ଯାଇ ବସାମାନଙ୍କରେ ରହିଲେ । ପଶ୍ଚିମ ଦିଗ ରକ୍ତବର୍ଣ୍ଣ ଦେଖାଯିବାରୁ ‘ସୁକବି’ ଉତ୍ତମ କବିମାନେ ତୁଣ୍ଡକୁ ଆଉଁସିଲେ ଅର୍ଥାତ୍ ସନ୍ଧ୍ୟା ଦେବାରୁ ଶାସ୍ତ୍ରଚର୍ଚ୍ଚା ବନ୍ଦକଲେ । ଅଥବା-ଶୁକ ପକ୍ଷୀମାନେ ପକ୍ଷପୁଟରେ ମୁଖରଖି ଶୋଇବା ପାଇଁ ମୁଖକୁ ଆଉଁସିଲେ ।

୧୯ଶ ପଦ :- ରଙ୍ଗ-ପୀଡ଼ା । ତମ-ରାହୁ, ଅନ୍ଧକାର । ଦର ଧ୍ୱନି-ଶଙ୍ଖଧ୍ୱନି, କାତର ସ୍ୱର । ପଞ୍ଚାସ୍ୟ-ସିଂହ, ମହାଦେବ । ସଦ୍ମ-ଗୃହ । ମାରୁତି-ହନୁମାନ । ପୁଣ୍ୟଜନମତି-ଦିଗୁଁ-କୁବେରଙ୍କ ଦିଗରୁ ଅର୍ଥାତ୍ ଉତ୍ତର ଦିଗରୁ । ପୁଣ୍ୟଜନମତି-ଧାର୍ମିକଶ୍ରେଷ୍ଠ । ଅନନ୍ତ-ଭଗବାନ । ଚକ୍ର-ସୁଦର୍ଶନ ଚକ୍ର । ପାଣି-ହସ୍ତ । ପୁଣ୍ୟଜନପତି-ଦ୍ଵାରପାଳ, ରାକ୍ଷସ ।

୧୯ଶ ପଦ :- ବିରୋଧାର୍ଥ- ସୁଦର୍ଶନ ଚକ୍ର ‘ରାହୁକାଳେ ଫେରିଆସିବ’ ଏହି କଥା ଭାବି ଭୀତହୋଇ ‘ଅନନ୍ତ ରଙ୍ଗପାଣି’ ବିଷ୍ଣୁଙ୍କ ହାତରେ ରହି ଯେଉଁ କ୍ରୀଡ଼ା କରୁଥିଲା ତାକୁ ତ୍ୟାଗକଲା । ସିଂହ ତାର ରହିବା ସ୍ଥାନ (ଗୁମ୍ଫା)ରେ ଦୀପ ଜାଳି ଭୟଙ୍କର ଶବ୍ଦକଲା ।

ପ୍ରକୃତାର୍ଥ- ଅନ୍ଧକାର ପ୍ରତ୍ୟାବୃତ୍ତ ହେବାରୁ ଦେଖି ଚକ୍ରବାକ ପକ୍ଷୀ ବହୁତ ସମୟରୁ ଆରମ୍ଭ କରିଥିବା ଜଳକ୍ରୀଡ଼ାକୁ ପରିତ୍ୟାଗ କଲା । ସେବକମାନେ ‘ପଞ୍ଚାସ୍ୟ’ ମହାଦେବଙ୍କ ଦେଉଳରେ ଦୀପ ଲଗାଇଲେ । ଏହି ସମୟରେ ହନୁମାନ ଗୁପ୍ତବେଶ ଧାରଣ କରି ଉତ୍ତରଦିଗରୁ ଆସୁଥିବା ଗାଈ ଓ ବାଛୁରୀମାନଙ୍କ ସଙ୍ଗେ ମିଶି ପୁରମଧ୍ୟକୁ ପ୍ରବେଶକଲା । ସେହି ସମୟରେ ଦ୍ଵାରୀମାନେ ତାକୁ ଦେଖିଲେ ।

୨୦ଶ ପଦ :- ବଞ୍ଚକ-ବିଲୁଆ । ଶ୍ୱାନ-କୁକୁର । ବଳିମୁଖ-ମାଙ୍କଡ଼ । ବାୟୁଜ-ହନୁମାନ ।

୨୦ଶ ପଦ :- ‘ଗାଈମାନଙ୍କ ସାଙ୍ଗରେ ବିଲୁଆ ବିରାଡ଼ି ବା କୁକୁର କେଉଁ ଜୀବ ଗଲା, ଦେଖ ଦେଖ’ ଦ୍ଵାରୀମାନେ ଏହିପରି ଗୋଳକଲେ । କିଏ କହିଲା, ‘ତା ମୁହଁ ତ ମାଙ୍କଡ଼ ମୁହଁ ପରି ଦେଖାଗଲା ।’ ସେମାନେ ଏହିପରି କଥାବର୍ତ୍ତା ହୋଇ ଉତ୍ତରଦ୍ଵାର ବନ୍ଦ କରିଦେଲେ । ଏହା ଦେଖି ହନୁମାନ ଭାବିଲା, ‘ଏମାନେ ଯମୁନା ବୋଲି ମନେ କରି ସର୍ପରାଜ ବାସୁକିର ବିଷ ପାନକରି ସୁସ୍ଥ ହେବାକୁ ଇଚ୍ଛା କରୁଅଛନ୍ତି । (ମୁଁ ବିଷପରି ଏମାନଙ୍କ ପ୍ରାଣ ନାଶ କରିବି) ।

 

ବିଶ୍ୱ ପ୍ରଳୟ କଜ୍ଜ୍ୱଳଜଳେ ହେଲା ପ୍ରାୟ ଧ୍ୱାନ୍ତ ନିଶା ଘୋଟି ଯେ

ବାଜଇ କିଙ୍କିଣୀ ଭ୍ରମଇ ଲଙ୍କିନୀ ବାଟେ ହନୁମାନ ଭେଟି ଯେ

ବୋଇଲା ! ବାନର ତୁ ଯାଉ କେଣେ ରେ

ବିଧା ବିଧାନେ ଅରକ୍ଷିତ ପରାୟେ ମୂର୍ଚ୍ଛିତ ହୋଇଲା କ୍ଷଣେ ଯେ

।୨୧ ।

 

ବହି ଚେତା କହି ଗ୍ରାମଦେବୀ ମୁହିଁ ତୋରେ ହେଲି ପରାଭବୀ ଯେ

ବେଧା କହିଛି ଦଶମୁର୍ଦ୍ଧ। ଅଶୁଭସୂଚକ ଲୋଡ଼ ପାର୍ଥିବୀ ଯେ

ବାୟୁଜ ! ବଣିକମାନଙ୍କୁ ଚାହିଁ ଯେ

ବିଚାରେ କୁବେର ନବନିଧି ଘେନି ଠାବେ ଠାବେ ଅଛି ରହି ଯେ

।୨୨ ।

 

ବିପଣି ଚାହିଁ ପୁଣି ପୁଣି ଭାଳଇ କିପାଁ ସିନ୍ଧୁ ରତ୍ନାକର ଯେ

ବେଦାଧ୍ୟନ ଶୁଣି ମନେ ମନେ ଗୁଣି ଏହି ମୁଖ ବିଧାତାର ଯେ

ବଡ଼ଭୀ ! ବିଲୋକି ଭ୍ରମ ଉପୁଜେ ଯେ

ବିବୁଧପପର୍ବତ ଶତ ଶତ ନାନା ରତ୍ନଶୃଙ୍ଗେ ରାଜେ ଯେ

।୨୩ ।

 

ବୃଷା ଅଶ୍ୱକୁ ହୟଚୟ ହ୍ରେଷାରେ ପ୍ରଶଂସା ନ କରନ୍ତି ଯେ

ବାରଣଗଣ ଅନୁକ୍ଷଣ ଦନ୍ତରେ ଦିଗନନ୍ତିଙ୍କି ହସନ୍ତି ଯେ

ବିମାନ ! ବାଛି କି ସ୍ୱର୍ଗ ମଣ୍ଡପ ଯେ

ବଇଜୟନ୍ତ ଅସମ କହେ ଚକ୍ରଚଳନେ ରଥକଳାପ ଯେ

।୨୪ ।

 

ବିୟଦ୍‌ଗଙ୍ଗା ବୀଚି ରୁଚିକ ଧରିବା ପାଞ୍ଚି ଚିରାଳ ବିଳସି ଯେ

ବିଶାଳ କକୁଦ ଉଷ୍ଟ୍ରଙ୍କର ଚାହିଁ ଶୈଳୁଁ ଗଣ୍ଡଶୈଳ ଖସି ଯେ

ବାୟଜ ! ବାସେ ବାସେ ପଶି ଖୋଜି ଯେ

ବୁଲି ଆସେ ପାତ୍ର ସାମନ୍ତ ଉଆସ ସୀତା ଆଶେ ଚିତ୍ତ ମଜ୍ଜି ଯେ

।୨୫ ।

 

୨୧ଶ ପଦ :- କଜ୍ଜ୍ୱଳ ଜଳ-କଳାପାଣି । ଧାନ୍ତ-ଅନ୍ଧକାର । ଲଙ୍କିନୀ-ଲଙ୍କଦେବୀ ।

୨୧ଶ ପଦ :- ନୈଶ ଅନ୍ଧକାର ଘୋଟି ଯିବାରୁ ସଂସାର କୃଷ୍ଣବର୍ଣ୍ଣ ଜଳରେ ବ୍ୟାପ୍ତହୋଇ ପ୍ରଳୟର ନିକଟବର୍ତ୍ତୀ ହେଲାପରି ଦେଖାଗଲା । ହନୁମାନ ଯାଉଯାଉ ବାଟରେ ଅଣ୍ଟାବନ୍ଧା ଘଣ୍ଟି ବଜାଇ ଲଙ୍କଦେବୀ ବୁଲୁଥିବାର ଦେଖିଲା । ସେ ମଧ୍ୟ ହନୁମାନକୁ ଦେଖି କହିଲେ, ‘‘ରେ ମାଙ୍କଡ଼ । ତୁ କେଉଁଆଡ଼େ ଯାଉଛୁ ?’’ ତତ୍ପରେ ହନୁମାନ ଲଙ୍କାଦେବୀଙ୍କୁ ବିଧାଏ ମାରିବାରୁ ସେ ମୂର୍ଚ୍ଛିତ ହୋଇ ନିଃସହାୟ ଲୋକ ପରି ତଳେ ପଡ଼ିଗଲେ ।

୨୨ଶ ପଦ :- ଲଙ୍କଦେବୀ ଚେତନା ପାଇ ହନୁକୁ କହିଲେ, ‘‘ମୁଁ ଏହି ପୁରୀର ଅଧିଷ୍ଠାତ୍ରୀ ଦେବତା ହୋଇ ତୋହଠାରୁ ଅପମାନ ପାଇଲି । ମୋର ଅପମାନ ରାବଣର ଅମଙ୍ଗଳସୂଚକ ବୋଲି ମୋତେ ବିଧାତା କହିଅଛି । ବର୍ତ୍ତମାନ ଯାଇ ସୀତାଙ୍କୁ ଖୋଜ ।’’ ତାହାପରେ ହନୁମାନ ବଣିକମାନଙ୍କୁ ଦେଖି ଭାବିଲା, ‘ଏହିଠାରେ କୁବେର ଶଙ୍ଖ, ପଦ୍ମାଦି ଅଷ୍ଟନିଧିମାନଙ୍କୁ ଘେନି ସ୍ଥାନେ ସ୍ଥାନେ ରହିଛି କି ?’’

୨୩ଶ ପଦ :- ବିପଣୀ-ବଜାର । ବଡ଼ଭୀ-ଅଟ୍ଟାଳିକା । ବିବୁଧ ପର୍ବତ- ମେରୁ ପର୍ବତ ।

୨୩ଶ ପଦ :- ସେହିପରି ସେହି ନଗରୀରେ ଥିବା ଦୋକାନମାନଙ୍କୁ ବାରମ୍ବାର ଦେଖି ଭାବିଲା, ‘ଲୋକେ ସମୁଦ୍ରକୁ କାହିଁକି ରତ୍ନାକର ବୋଲି କହନ୍ତି ? ସେ ରତ୍ନାକର ନୁହେଁ, ଏହି ପୁରୀ ନିଶ୍ଚୟ ରତ୍ନାକର ।’ ବେଦ ଧ୍ୱନି ଶୁଣି ଭାବିଲା; ‘ଏହି ନଗରୀ ବିଧାତାର ମୁଖ କି ?’ ବଡ଼ ବଡ଼ ପକ୍କା ଘରମାନଙ୍କୁ ଦେଖି ଭ୍ରାନ୍ତ ହୋଇ ଭାବିଲା, ‘ଏସବୁ ନିଶ୍ଚୟ ନାନା ରତ୍ନବିମଣ୍ଡିତ ମେରୁ ପର୍ବତର ଶୃଙ୍ଗ ସମୂହ ।’

୨୪ଶ ପଦ :- ହୟଚୟ-ଘୋଟକସମୂହ । ବୃଷାଅଶ୍ୱ-ଉଚ୍ଚୈଃଶ୍ରବା । ବାରଣଗଣ-ହସ୍ତିମାନେ । ରଥକଳାପ ରଥସମୂହ । ବଇଜୟନ୍ତ (ବୈଜୟନ୍ତ)-ଇନ୍ଦ୍ରଙ୍କ ପ୍ରାସାଦ ।

୨୪ଶ ପଦ :- ପୁନର୍ବାର ଲଙ୍କାସ୍ଥ ଘୋଟକମାନଙ୍କୁ ଦେଖି ମନେକଲା, ‘ଏମାନେ କଣ ହ୍ରେଷା ପ୍ରକାଶ କରି ଇନ୍ଦ୍ରଙ୍କ ଘୋଡ଼ା ଉଚ୍ଚୈଃଶ୍ରବାକୁ ଉପହାସ କରୁଅଛନ୍ତି କି ?’ ହାତୀମାନଙ୍କୁ ଦେଖି ଭାବିଲା; ‘ଏମାନେ ଦାନ୍ତର ଶୋଭା ଦ୍ଵାରା ଐରାବତକୁ ହସୁଛନ୍ତି କି ?’ ସେଠାରେ ଥିବା ବିମାନମାନଙ୍କୁ ଦେଖି ଭାବିଲା, ‘ସ୍ୱର୍ଗ ମଣ୍ଡପକୁ ଏହା ସହ ତୁଳନା କରିବା ଦ୍ୱାରା କି ଲାଭ ? ଅର୍ଥାତ୍ ସ୍ୱର୍ଗ ଏହା ସହ କୌଣସି ଗୁଣରେ ସମାନ ନୁହେଁ ।’ ଅନବରତ ଗମ୍ଭୀରଧ୍ୱନି ପ୍ରକାଶ କରି ଗମନାଗମନ କରୁଥିବା ରଥମାନଙ୍କୁ ଦେଖି ମନେକଲା; ‘‘ଏମାନେ କଣ ଏହି ଶବ୍ଦ ଛଳରେ-ଇନ୍ଦ୍ରପୂରୀ ଆମ୍ଭର ଏହି ପୁରୀର ସମାନ ନୁହେଁ,-ଏହି କଥା କହୁଅଛନ୍ତି କି ?’

୨୫ଶ ପଦ :- ବିୟଦ୍‌ଗଙ୍ଗା-ସ୍ୱର୍ଗଙ୍ଗା । ବୀଚି-ଲହରୀ । ଚିରାଳ-ପତାକା ।

୨୫ଶ ପଦ :- ହନୁମାନ ସେହି ପୁରୀର ଗୃହମାନଙ୍କ ଉପରେ ଉଡ଼ୁଥିବା ପତାକାମାନଙ୍କୁ ଦେଖି ମନେକଲା, ‘ଆକାଶ ଗଙ୍ଗାରେ ଲହରୀ ଯେଉଁପରି ଶୋଭାଧାରଣ କରେ, ଏମାନେ କଣ ସେହି ଶୋଭାଧାରଣ କରିବାକୁ ଶିକ୍ଷା କରୁଛନ୍ତି କି ? ଅର୍ଥାତ୍ ନିଜର ଶୋଭାରେ ସ୍ୱର୍ଗଗଙ୍ଗା ଲହରୀକୁ ଧିକ୍‌କାର କରୁଛନ୍ତି ।’ ସେହି ପୁରୀସ୍ଥ ଓଟମାନଙ୍କର କୁଜକୁ ଦେଖି ମନେକଲା, ‘ପର୍ବତରୁ ବଡ଼ ବଡ଼ ପଥର ଖଣ୍ଡସବୁ ଖସିପଡ଼ୁଛି କି ?’ ଏହିପରି ଭାବି ଭାବି ସୀତାଙ୍କୁ ଦେଖିବା ଆଶାରେ ହନୁମାନ ଲଙ୍କାବାସୀମାନଙ୍କର ଗୃହ ଖୋଜି ଖୋଜି ଯାଇ ପାତ୍ର, ମନ୍ତ୍ରୀ ଓ ସାମନ୍ତମାନଙ୍କ ଉଆସ ସବୁ ମନ ଲଗାଇ ଖୋଜିଲା ।

 

ବଲ୍ଲିକା ପାଦପ ଜଡ଼ିତ ସ୍ୱରୂପ ଭିଡ଼ାଭିଡ଼ି ଜାୟାପତି ଯେ

ବିଭୂଷିତ ପୁଷ୍ପଗୁଚ୍ଛେ ହୋଇଛନ୍ତି ମଧୁ ଗର୍ଭରେ ଦୀପତି ଯେ

ବାୟୁଜ ! ବିଳମ୍ବ ନ କରି ଯାଇ ଯେ

ବାତ ଯେମନ୍ତ ସରଭି ଘେନି ମନ୍ଦଗତିକି ପ୍ରଚାରି ଥାଇ ଯେ

।୨୬ ।

 

ବାସବଜିତ କୁମ୍ଭକର୍ଣ୍ଣ ଇତ୍ୟାଦି ବାସବରେ ଭ୍ରମି ଗଲା ଯେ

ବାସରମୁଖ ଯୋଖ ଶୋଭା ରତନପ୍ରଭାରେ ସେ ହୋଇଥିଲା ଯେ

ବାୟୁଜ ! ବିଳାସିନୀଙ୍କୁ ଲୋକନେ ଯେ

ବିବେକ ଏ ସ୍ୱର୍ଗେ ନଥିବେ ନୋହିବେ ରାମବଲ୍ଲଭୀ ସମାନେ ଯେ

।୨୭ ।

 

ବାସେ ପୂର୍ଣ୍ଣ ଜାତି ମାଳତୀ ସେବତୀ କେତକୀ ତୁଲେ କି ସରି ଯେ

ବାସନିକରେ ଅତ୍ୟନ୍ତ ମନୋହରେ ଯେମନ୍ତ ପ୍ରକାରେ ଜରି ଯେ

ବାୟୁଜ । ବକ୍ରମାଳୀ ପୁରେ ମିଳି ଯେ

ବିରଚନ ଶଯ୍ୟାମାନ ସ୍ଥାନେ ସ୍ଥାନେ ଶୋଇଛନ୍ତି ଦିବ୍ୟବାଳୀ ଯେ

।୨୮ ।

 

ବାରଣ ପଦ୍ମିନୀବନ ମନ୍ଥିଛି କି ଶେଯସରୋବରେ ଆସି ଯେ

ବାଳ ଶୈବାଳ ଅସ୍ତବ୍ୟସ୍ତ ଜଘନ ପୁଳିନ ଅଳପ ଦିଶି ଯେ

ବିଦୀପ୍ତ ! ବାତାୟୁ ମଦକର୍ଦ୍ଦମ ଯେ

ବିଛିନ୍ନ ହାରମୁ କୁତା ହସୁଅଛି କଳୀ ତହ୍ଳାର କୁସୁମ ଯେ

।୨୯ ।

 

ବାହୁ ଟେକି ହସ୍ତ ଛନ୍ଦୁ କେ ଅଳସେ ଅବଶେ ସେଭାବେ ମୋହି ଯେ

ବାତେ ଉପୁଡ଼ି ସନାଳ ପଦ୍ମ ଦିଶେ କୁଚ ପୃଥୁ କନ୍ଦ ଦୁଇ ଯେ

ବାମା କେ ! ବିଜୃମ୍ଭିତ ହୋଇ ବସେ ଯେ

ବିକଶି ଆସିଲା କୋକନଦ ଛବି ଅଙ୍ଗୀକାର କରିଆସେ ଯେ

।୩୦ ।

 

୨୬ଶ-ପଦ :- ବଲ୍ଲିକା-ଲତା । ପାଦପ-ବୃକ୍ଷ । ଜାୟପତି-ସ୍ତ୍ରୀ ଓ ପୁରୁଷ । ମଧୁ-ପୁଷ୍ପରସ, ମଦ୍ୟ । ସୁରଭି-ସୁଗନ୍ଧ ।

୨୬ଶ ପଦ :- ବୃକ୍ଷରେ ଲତା ଗୁଡ଼ାଇ ହୋଇ ରହିଲା ପରି ସ୍ତ୍ରୀ ପୁଂସମାନେ ଭିଡ଼ାଭିଡ଼ି ହୋଇ ଶୟନ କରିଅଛନ୍ତି ଏବଂ ଲତା ଓ ବୃକ୍ଷ ଦୁହେଁ ଯେପରି ମଧୁଯୁକ୍ତ ପୁଷ୍ପରାଶିରେ ବିମଣ୍ଡିତ ହୋଇଥାନ୍ତି, ଏମାନେ ସେହିପରି ମଦ୍ୟାପାନ କରି ବହୁ ସଂଖ୍ୟକ ଫୁଲମାଳରେ ମଣ୍ଡିତ ହୋଇଅଛନ୍ତି । ହନୁମାନ ଏହା ଦେଖି ପବନ ଯେପରି ପୁଷ୍ପମାନଙ୍କଠାରୁ ସୁଗନ୍ଧ ହରଣ କରିବା ନିମିତ୍ତ ଧୀରେ ଧୀରେ ବହେ, ସେହିପରି ଧୀରେ ଧୀରେ ବୁଲି ଦେଖିବାକୁ ଲାଗିଲା ।

୨୭ଶ ପଦ:- ବାସବଜିତ-ଇନ୍ଦ୍ରଜିତ । ବାସବରେ-ରମଣୀୟ ଗୃହମାନଙ୍କରେ । ବାସର ମୁଖ-ପ୍ରଭାତ । ବିଳାସିନୀଙ୍କୁ-ସ୍ତ୍ରୀମାନଙ୍କୁ । ରାମବଲ୍ଲଭୀ-ସୀତା ।

୨୭ଶ ପଦ :- ହନୁମାନ କ୍ରମେ ଇନ୍ଦ୍ରଜିତ, କୁମ୍ଭକର୍ଣ୍ଣ ପ୍ରଭୃତି ରାକ୍ଷସମାନଙ୍କର ଗୃହରେ ବୁଲି ଦେଖିଲା ଯେ, ସେ ସବୁ ଗୃହ ନାନାରତ୍ନମାନଙ୍କ ତେଜରେ ପ୍ରଭାତକାଳ ପରି ମନୋହର ହୋଇଅଛି । ଆଉ ମଧ୍ୟ ସେହିସବୁ ଗୃହମଧ୍ୟରେ ଶୋଇଥିବା ରସିକା ରମଣୀମାନଙ୍କୁ ଦେଖି ମନେକଲା, ‘ସ୍ୱର୍ଗରେ ଏପରି ରମଣୀ ନ ଥିବେ; ମାତ୍ର ସୀତାଙ୍କ ସହ ଏମାନେ ସମାନ ହେବେ ନାହିଁ ।’

୨୮ଶ ପଦ :- ‘ଯେପରି ଜାଈ, ଯୁଈ, ମାଳତୀ, ସେବତୀ ପ୍ରଭୃତି ଫୁଲ ଗନ୍ଧ ପୂର୍ଣ୍ଣହେଲେ ସୁଦ୍ଧା ସୀତାଙ୍କ ସଙ୍ଗେ ସମାନ ନୁହଁନ୍ତି । ଆଉମଧ୍ୟ ଲୁଗାମାନଙ୍କ ମଧ୍ୟରେ ଜରୀଦିଆ ଲୁଗା ଯେପରି ସୁନ୍ଦର, ସେହିପରି ଏମାନଙ୍କ ମଧ୍ୟରେ ସୀତା ଅତ୍ୟନ୍ତ ସୁନ୍ଦର ଅଟନ୍ତି ।’ ଏହିପରି ବିଚାରି ହନୁ ରାବଣ ଗୃହରେ ପହଞ୍ଚି ଦେଖିଲା ଯେ, ସ୍ଥାନେ ସ୍ଥାନେ ସୁସଜ୍ଜିତ ଶଯ୍ୟାମାନଙ୍କରେ ଦିବ୍ୟ ସୁନ୍ଦରୀ ସ୍ତ୍ରୀମାନେ ଶୋଇ ଅଛନ୍ତି ।

୨୯ଶ ପଦ :- ବାରଣ-ହସ୍ତୀ । ପୁଳିନ-ତଟ ବା କୂଳ । ଜଘନ-ଜାନୁ । କର୍ଦ୍ଦମ-କାଦୁଅ । କହ୍ଲାର-କଇଁ । କଳୀ-କଢ଼ି ।

୨୯ଶ ପଦ :- ହନୁମାନ ସେହି ସୁନ୍ଦରୀ ସ୍ତ୍ରୀମାନଙ୍କୁ ଶୋଇଥିବା ସମୟରେ ଦେଖି ମନେକଲା ‘ହାତୀ ପୁଷ୍କରିଣୀରେ ପ୍ରବେଶ କରି ପଦ୍ମବନକୁ ଦଳି ପକାଇଲା ପରି ରାବଣ ଏହି ସ୍ତ୍ରୀମାନଙ୍କର ଶଯ୍ୟାରୂପ ପୁଷ୍କରିଣୀରେ ପ୍ରବେଶ କରି ରତି ଛଳରେ ଏହି ପଦ୍ମିନୀମାନଙ୍କୁ ଦଳି ପକାଇଛି କି ?’ କାରଣ, ହାତୀ ପ୍ରବେଶ କରିଥିଲେ ପୁଷ୍କରିଣୀର ଯେପରି ଦଶା ହୁଏ, ସେହିପରି ଏହି ଶଯ୍ୟା ପୁଷ୍କରିଣୀରେ ବାଳରୂପ ଶିଉଳି ସବୁ ଛିଣ୍ଡି ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଓ ଜଘନ (ଅଣ୍ଟା ଆଗପଟ) ରୂପ ବାଲୁକାମୟ ପ୍ରବେଶ ଅଳ୍ପ ଦେଖାଯାଉଛି, କସ୍ତୁରୀରୂପ ପଙ୍କ ପ୍ରକାଶିତ ହୋଇଅଛି ଏବଂ ମୁକ୍ତାମାଳା ଛିଣ୍ଡିଯାଇ ଗୋଟି ଗୋଟି ହୋଇ ପଡ଼ିଥିବା ମୁକ୍ତା ସବୁ କଇଁଫୁଲର କଢ଼ପରି ଦେଖା ଯାଉଅଛନ୍ତି ।

୩୦ଶ ପଦ :- କୋକନଦ – ରକ୍ତପଦ୍ମ । ପୃଥୁ – ପୃଥୁଳ । କନ୍ଦ – ପଦ୍ମମୂଳ । ବିଜୃମ୍ଭିତ – ହାଇ ମାରିବା ।

୩୦ଶ ପଦ :- ସେହି ସ୍ତ୍ରୀମାନଙ୍କମଧ୍ୟରୁ କୌଣସି ସ୍ତ୍ରୀ ଆଳସ୍ୟ ବଶରୁ ବାହୁଦ୍ୱୟକୁ ଟେକି ଛନ୍ଦୁଥିବାର ଦେଖି ମନେକଲା, ‘ପବନଯୋଗୁଁ ପଦ୍ମ ନାଡ଼ି ସହିତ ଉପୁଡ଼ି ପଡ଼ୁଛି କି ? ଏଣୁ ତାହାର ପୃଥୁଳ ମୂଳରୂପ କୂଚ ଦୁଇଟି ଦେଖାଯାଉଛି ।’ ପୁଣି କୌଣସି ସ୍ତ୍ରୀ ହାଇମାରି ବସିବାର ଦେଖି ମନେକଲା, ‘ଏହାର ମୁଖ ଶୋଭାକୁ ଫୁଟି ଆସୁଥିବା ଲାଲ କଇଁର ଶୋଭା ସହିତ ସମାନ ବୋଲି ସ୍ୱୀକାର କରିବା ଉଚିତ ।’

 

ବନିତା କେ ରତିଶ୍ରମେ ଖରଶ୍ୱାସ ମୁଞ୍ଚିବାରେ ନାସା ଫୁଲି ଯେ

ବଲ୍ଲଭୀ ଯନ୍ତ୍ର ତାଉଛି କି କାମର ଲୌହଶର ଗଢ଼ା ବୋଲି ଯେ

ବକ୍ଷୋଜେ ! ବସି ନଖଚିହ୍ନ ଚାହେଁ ଯେ

ବଡ଼ଭରେ ରଙ୍ଗ ସୁଚିରକେତୁ କି ରୁଚି ଚାଞ୍ଚଲ୍ୟ ନ ବହେ ଯେ

।୩୧ ।

ବକ୍ଷଭେଦ ଚିତ୍ର କଲା ପ୍ରାୟ କେଉଁ କେଉଁ ଶେଯ ସୁରଞ୍ଜନ ଯେ

 

ବରବର୍ଣ୍ଣିନୀ ସଞ୍ଚା ଲାକ୍ଷା ଅଙ୍କିତ ଘନସାର ସୁଅଞ୍ଜନ ଯେ

ବ୍ୟକ୍ତି କେ ! ବ୍ୟକ୍ତ କେ ରାମା ଏ ତହିଁ ଯେ

ବିଶ୍ୱସୃକ ଚିତ୍ରକାର ହୋଇଛି କି ରାବଣ ବନକେ ଲହି ଯେ

।୩୨ ।

ବର୍ଣ୍ଣେ ଶ୍ୟାମା ହୋଇ ସମସ୍ତେ ଗୋଟିଏ ନାହିଁ ତ ଆଣିଛି ବାଛି ଯେ

 

ବସୁଧା ସ୍ୱର୍ଗରେ ସ୍ୱର୍ଗଯୋଗମାନଙ୍କୁ କରିଛି ଛି ଛି ଯେ

ବାୟୁଜ ! ବିଚାରେ କି ଭାଗ୍ୟବନ୍ତ ଯେ

ବୃନ୍ଦକ ଧେନୁରେ ଏକ ଷଣ୍ଢ ପରି ବିଭୋଗେ ହୋଇଛି ମତ୍ତ ଯେ

।୩୩ ।

 

ବିଞ୍ଚଣୀ ଚାମର ପାଣିରେ ଚରଣେ କରିଣ କରକୁ ନ୍ୟାସ ଯେ

ବୋଳେ ଚନ୍ଦନ ଦଳେ ଘନସାରକୁ ଦୀପିତ କରେ ସ୍ନେହାଶ ଯେ

ବାମାଏ ! ବିଚେତନ ନିଦ୍ରାବଶେ ଯେ

ବାରି ପରିଚାରୀ ବାରୀଜଗନ୍ଧାଙ୍କୁ ହସ୍ତିନୀ କରି ମାନସେ ଯେ

।୩୪ ।

 

ବାଡ଼େ ବାଡ଼େ ଲେଖା ମଧୁସୂଦନ ସେ ଦାଶରଥି ନାମ ଯେହି ଯେ

ବିଦେହରାଜନ ପାଳନ୍ତା ଯେ ସୂତା ସୀତା ଚୋରି ବିନା କେହି ଯେ

ବଧେ ମୋ ! ବ୍ରହ୍ମାଣ୍ଡେ ନୋହିବ କ୍ଷମ ଯେ

ବଢ଼ିଲା ବିବେକ ପଢ଼ ପାବନିର ଏ ଜାଣ ପଶୁ ଜନମ ଯେ

।୩୫ ।

୩୧ଶ ପଦ :- ବଲ୍ଲଭୀ-ସ୍ତ୍ରୀ । ବକ୍ଷୋଜ-ସ୍ତନ । ବଡ଼ଭୀ-ଅଟ୍ଟାଳିକା । ସୁଚିରକେତୁ-ପାଟପତାକା । ରୁଚି-ସୁନ୍ଦର ।

୩୧ଶ ପଦ :- କୌଣସି ଏକ ରମଣୀ ରତିଜନିତ ପରିଶ୍ରମ ବଶରୁ ଦୀର୍ଘ ନିଃଶ୍ୱାସ ପରିତ୍ୟାଗ କରନ୍ତେ ତାହାର ନାକପୁଡ଼ା ଫୁଲି ଉଠିଲା । ତାହା ଦେଖି ହନୁମାନ ମନେ କଲା, ‘ଏହି ରମଣୀ‘‘ରେ କାମ ! ଫୁଲଶର ଦ୍ୱାରା ମୋର କିଛି କରିପାରିବୁ ନାହିଁ; ବର୍ତ୍ତମାନ ଲୁହା ଶର ତିଆର କର’’ ଏହା କହି, ସେହି ଲୁହା ଶର ତିଆରି କରିବା ପାଇଁ ଭାତି ତାଉଛି କି ?’’ କୌଣସି ସ୍ତ୍ରୀ ତାହାର ସ୍ତନ ଉପରେ ଥିବା ନଖକ୍ଷତକୁ ଦେଖୁଛି; ଏହା ଦେଖି ହନୁମାନ ମନେ କଲା, ଅଟ୍ଟାଳିକା ଅଶୋଭା ଓ ଚଞ୍ଚଳତାକୁ ଧାରଣ କରିନାହିଁ । (ପତାକାର ସୌନ୍ଦର୍ଯ୍ୟ ସର୍ବଦା ରହେ ନାହିଁ ଓ ଚଞ୍ଚଳତା ମଧ୍ୟ ବର୍ଷାଦିନରେ ରହେ ନାହିଁ । ନଖ ଚିହ୍ନରୂପ ପତାକା ସର୍ବଦା ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ନିଶ୍ଚଳ ) ।

୩୨ଶ ପଦ :- ବରବର୍ଣ୍ଣିନୀ-ହଳଦୀ । ଘନସାର-କର୍ପୂର । ଲାକ୍ଷା-ଅଳତା ।

୩୨ଶ ପଦ :- ହନୁମାନ ଦେଖିଲା, କୌଣସି ଗୋଟିଏ ଶଯ୍ୟା ରତି ଶାସ୍ତ୍ରୋକ୍ତ ବନ୍ଧମାନଙ୍କଦ୍ୱାରା ଚିତ୍ରିତ ହୋଇଥିଲା ପରି ଦେଖାଯାଉଛି ଏବଂ ସେହି ଶଯ୍ୟାରେ ହଳଦି, ଅଳତା ଘେନି ମୁଣ୍ଡରେ କର୍ପୂର ଗୁଣ୍ଡ ପକାଇ ଓ ଆକ୍ଷିରେ ମେଘ ପରି ଗାଢ଼ କଳା କଜ୍ଜ୍ୱଳ ଲଗାଇ ସ୍ତ୍ରୀମାନେ ଶୋଇଅଛନ୍ତି । ତାହା ଦେଖି ମନେକଲା, ‘ବିଧାତା ଚିତ୍ରକର ହୋଇ ରାବଣ ରୂପ ରଙ୍ଗରେ ଏମାନଙ୍କୁ ଚିତ୍ର କରିଛି କି ?’ ରମଣୀମାନେ ରାବଣ ସହ କେଳି କରିବାରୁ ସେମାନଙ୍କ ଶରୀରସ୍ଥ ହଳଦୀ ପ୍ରଭୃତି ଶେଯରେ ଲାଗି ତାହା ଚିତ୍ରିତ ହୋଇଅଛି ।

୩୩ଶ ପଦ :- ବିରୋଧାର୍ଥ- ସମସ୍ତେ ‘ବର୍ଣ୍ଣରେ’ ଶରୀର କାନ୍ତିରେ ‘ଶ୍ୟାମା’ କଳା ହୋଇଛନ୍ତି ଅର୍ଥାତ୍‌ ସମସ୍ତେ କାଳିଆ ଦେଖାଯାଉ ଅଛନ୍ତି, ମାତ୍ର ସେମାନଙ୍କ ମଧ୍ୟରେ ଗୋଟିଏ ସୁଦ୍ଧା କାଳିଆ ହୋଇନାହିଁ ।

ପ୍ରକୃତାର୍ଥ- ସେମାନେ ସମସ୍ତେ ‘ବର୍ଣ୍ଣରେ’ ରୂପରେ ଗୌରାଙ୍ଗୀ ଅଟନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ କେହି ହେଲେ ବର୍ଣ୍ଣରେ ଜଣେ ‘ଶ୍ୟାମା’ ଯୌବନ ମଧ୍ୟବର୍ତ୍ତିନୀ- ଅର୍ଥାତ୍ ଷୋଡ଼୍‌ଶବର୍ଷିୟା ନାହିଁ । ଅଥବା କୃଷ୍ଣାଙ୍ଗୀ (କାଳୀ) ନାହିଁ । ରାବଣ ସେମାନଙ୍କୁ ଭୁଲୋକର ସ୍ୱର୍ଗତୁଲ୍ୟ ଲଙ୍କାରେ ରଖି ସ୍ୱର୍ଗ ରମଣୀମାନଙ୍କୁ ଛି ଛି କରୁଛି କି ? ଏହା ଦେଖି ହନୁମାନ ବିଚାର କଲା, ‘ଆହା’ ! ରାବଣ କେଡ଼େ ଭାଗ୍ୟବାନ ! ଗାଈପଲ ମଧ୍ୟରେ ଏକମାତ୍ର ଷଣ୍ଢ ପରି ସମ୍ଭୋଗରେ ମତ୍ତ ହୋଇଅଛି ।’

୩୪ଶ ପଦ :- ପାଣିରେ-ହସ୍ତରେ । ଘନସାର-କର୍ପୂର । ସ୍ନେହାଶ-ଦୀପ ।

୩୪ଶ ପଦ :- ଯେଉଁମାନେ ନିଦ୍ରାରେ ଅଚେଷ୍ଟ ହୋଇଅଛନ୍ତି, ସେମାନଙ୍କୁ ଆଉ କେତେଗୁଡ଼ିଏ ସ୍ତ୍ରୀ ବିଞ୍ଚଣା ଓ ଚାମର ଧରି ବିଞ୍ଚୁଅଛନ୍ତି । କେହି କେହି ବା ଗୋଡ଼ରେ ହାତକୁ ଦେଇଛନ୍ତି ଅର୍ଥାତ୍ ଗୋଡ଼ ଘଷୁଛନ୍ତି ଏବଂ କେହି ଚନ୍ଦନ ବୋଳି ଦେଉଛି, କେହି ବା କର୍ପୂର ଗୁଣ୍ଡ କରୁଅଛନ୍ତି ଓ କେହି କେହି ଦୀପ ଜାଳୁଅଛନ୍ତି । ସେମାନଙ୍କୁ ଦେଖି ହନୁମାନ ‘ଏହି ହସ୍ତିନୀ ସ୍ତ୍ରୀମାନେ ସେହି ସୁପ୍ତା ପଦ୍ମିନୀମାନଙ୍କର ଦାସୀ ବୋଲି ମର୍ମରେ ଜାଣିଲା ।

୩୫ଶ ପଦ :- ‘ଜନକଙ୍କ ପାଳିତାକନ୍ୟା ସୀତାଙ୍କୁ ଚୋରି କଲେ ମଧୁଦୈତ୍ୟ ହନ୍ତା ଦାଶରଥି ନାମରେ ପରିଚିତ ଅର୍ଥାତ୍ ଦଶରଥ ପୁତ୍ର ରାମରୂପରେ ଅବତୀର୍ଣ୍ଣ ବିଷ୍ଣୁ ମୋତେ ବଧ କରିବେ, ତାଙ୍କ ଛଡ଼ା ଏ ବ୍ରହ୍ମାଣ୍ଡରେ ମୋତେ ମାରିବାକୁ କେହି ସମର୍ଥ ହେବେ ନାହିଁ’- ଏହିପରି ପ୍ରତ୍ୟେକ କାନ୍ଥରେ ଲେଖା ହୋଇଥିବାର ଦେଖି ଓ ତାକୁ ପଢ଼ି ହନୁର ବିଚାରଶକ୍ତି ବୃଦ୍ଧି ହେବାରୁ ସେ ନିଶ୍ଚୟ କଲା, ‘ରାବଣ ପଶୁଜନ୍ମ ଲାଭ କରିଅଛି । ତେଣୁ ଜାଣୁ ଜାଣୁ ମରଣକୁ ଆହ୍ୱାନ କରୁଛି ।’

 

ବୃଦ୍ଧି ପରସନ୍ନ ହେବ ଦରଶନ ଲୋକଜନନୀର ଭାଳି ଯେ

ବିହରୁ ବିହରୁ ରାବଣ ଶୟନ ସଦନରେ ଯାଇଁ ମିଳି ଯେ

ବିଲୋକି ! ବରାଙ୍ଗନାଏ ତା କୋଳ ଯେ

ବାହୁକୁ ବାହୁ ସର୍ପେ ସର୍ପ ମୁଖକୁ ମୁଖରାହୁ-ଚନ୍ଦ୍ର ମେଳ ଯେ

।୩୬ ।

 

ବିରାଜୁଛି ବିଦ୍ୟୁବନେ କି ମାଂସଳ ମୀନ ସ୍ଥକିତ ମାଧୁରୀ ଯେ

ବୁଜିବା ନୟନ ଯୁଗଳ ଉରଜ ମଙ୍ଗଳକୁମ୍ଭ ଚାତୁରୀ ଯେ

ବିହିତ ।ବିଦ୍ୟ ଗୁବାକ ଚୁଚୁକ ଯେ

ବସନ୍ତଦ୍ରୁମ ଛଦନ ଆଚ୍ଛାଦନ କୁରଙ୍ଗମଦଚିତ୍ରକ ଯେ

।୩୭ ।

 

ବିଛନ୍ଦ ଉରୁ ଉରୁକୁ ଦିଗଦନ୍ତୀ କରେ କି କଦଳୀତରୁ ଯେ

ବିଚିତ୍ରକର୍ମା ବୋଲାଇ ଥିବ ବିଧି ନିର୍ମାଣ କରି ଏ ଭୀରୁ ଯେ

ବିଲୋକି ! ବାତସୂତ ବିଚାରିଲା ଯେ

ବତିଶଲକ୍ଷଣ ପୁରିତ ଏ ସୀତା ନିଶ୍ଚେଁ ନୀଚବୁଦ୍ଧି କଲା ଯେ

।୩୮ ।

 

ବିଧିପଦକୁ ଅବିଧି ସିଦ୍ଧି କଲା ଧାତା ଏ ବିଧାନ ରଚି ଯେ

ବିଶୁଦ୍ଧ ରାମସୁଧାପାନୀ ସୀତାକୁ କୋଚିଳାଶନ ରୁଚି ଯେ

ବାୟୁଜ ! ବହୁଦୀନ ହୋଇ ଧ୍ୟାୟି ଯେ

ବଦନମଧୂଗନ୍ଧରୁ ଜଣା ଅର୍ଥେ ଭୃଙ୍ଗ ହୋଇ ପାଶେ ଯାଇ ଯେ

।୩୯ ।

 

ବଣା ହେଲି ଆକ୍ଷି ଥାଉଁ ନ ରଖିଲି ହୀରକ ସ୍ଫଟିକ ହେଜ ଯେ

ବଣିକ ପରାୟେ ହୋଇଲି ସୁବର୍ଣ୍ଣ ତୁଳରେ ତୁଳିଲି ଗୁଞ୍ଜ ଯେ

ବିତୁଳ ! ବାତୁଳ ହୋଇଲି ମୁହିଁ ଯେ

ଚକ୍ର ମୃଣାଳଖଣ୍ଡକୁ ଏ ଦ୍ୱିତୀୟାଚାନ୍ଦ ବୋଲି ଦେଲି କହି ଯେ

।୪୦ ।

 

୩୬ଶ ପଦ :- ‘ଏଥର ଜଗତ୍‌ଜନନୀ ସୀତାଙ୍କ ଦର୍ଶନ ମିଳିବ,’ ଏହା ଭାବି ହନୁମାନ ଅତିଶୟ ଆନନ୍ଦିତ ହୋଇ ବୁଲୁ ବୁଲୁ ରାବଣର ଶୋଇବା ଘର ମଧ୍ୟକୁ ପ୍ରବେଶ କଲା । ସେଠାରେ ସେ ଦେଖିଲା, ଗୋଟିଏ ପରମାସୁନ୍ଦରୀ ରମଣୀ ସର୍ପରେ ସର୍ପ ଛନ୍ଦି ହେଲାପରି ରାବଣର ବାହୁରେ ନିଜର ବାହୁକୁ ଛନ୍ଦି, ତାର ମୁଖରେ ନିଜର ମୁଖକୁ ଲଗ୍ନ କରିବା ଦ୍ୱାରା ରାହୁଗ୍ରସ୍ତ ଚନ୍ଦ୍ରର ଶୋଭାକୁ ଧାରଣ କରି କୋଳରେ ଶୋଇଅଛି । (ରାବଣମୁଖ ରାହୁ ଓ ସ୍ତ୍ରୀ ମୁଖ ଚନ୍ଦ୍ର ସହ ଉପମିତ) ।

 

୩୭ଶ ପଦ :- ମାଂସଳ-ସ୍ଥୂଳ ଅର୍ଥାତ୍ ବିସ୍ତୃତ । ମାଧୁରୀ-ଶୋଭା । ଉରଜ-ସ୍ତନ । ଚୁଚୁକ-ସ୍ତନାଗ୍ର । ବସନ୍ତଦ୍ରୁମ-ଆମ୍ବଗଛ । ଛଦନ-ପତ୍ର । କୁରଙ୍ଗମଦଚିତ୍ରକ-କସ୍ତୁରିରେ ଲେଖାହୋଇଥିବା ମୀନ ମକରାଦିଙ୍କର ଚିତ୍ର ।

 

୩୭ଶ ପଦ :- ପୁନଶ୍ଚ ସେହି ଦୁହିଙ୍କୁ ଦେଖି ହନୁମାନ ମନେକଲା, ‘ମେଘରେ ବିଜୁଳି ସ୍ଥିର ହୋଇ ରହିଛି କି ? ଏବଂ ତାହାର ନିଦ୍ରା ମୁଦ୍ରିତ ନୟନଯୁଗଳ ନିରୀକ୍ଷଣ କରି ମନେକଲା, ‘ଏ ଦୁଇଟି ସ୍ଥିର ହୋଇ ରହିଥିବା ପୃଥୁଳ ରୋହିମାଛର ଶୋଭାକୁ ଧାରଣ କରିଅଛନ୍ତି ।’ ଆଉ ମଧ୍ୟ ସେହି ସ୍ତ୍ରୀର ସ୍ତନଯୁଗଳରେ ଲେଖା ହୋଇଥିବା କସ୍ତୁରୀ ଚିତ୍ରକମାନେ ଆମ୍ବପତ୍ରପରି ଓ ସ୍ତନର ଅଗ୍ରଭାଗ (ଚୁଚୁକ) ଗୁଆପରି ଦେଖା ଯାଉଥିବାରୁ ତାହା ପୂର୍ଣ୍ଣକୁମ୍ଭ ଶୋଭାକୁ ପ୍ରକାଶ କରୁଥିଲା ।

 

୩୮ଶ ପଦ :- ସେହି ରମଣୀ ରାବଣର ଜଙ୍ଘକୁ ଜଙ୍ଘ ଛନ୍ଦି ଶୋଇଥିବାର ଦେଖି ମନେହୁଏ, ‘ଐରାବତ ତାର ଶୁଣ୍ଢରେ କଦଳୀଗଛକୁ ଧରିଛି କି ? ବିଧାତା ବିଚିତ୍ରକର୍ମା ବୋଲାଇବା ପାଇଁ ଏହି ରମଣୀକୁ ନିର୍ମାଣ କରିଛି କି ?’ ସେ ସ୍ତ୍ରୀକୁ ଦେଖି ହନୁମାନ ଏହିପରି ବିଚାରି ଠିକ୍ କଲା, ‘ଏ ସ୍ତ୍ରୀ ବତିଶ ଲକ୍ଷଣରେ ଯୁକ୍ତ ହୋଇଅଛି, ଏଣୁ ଏ ନିଶ୍ଚୟ ସୀତା; ମନ୍ଦବୁଦ୍ଧି କରି ରାବଣର କୋଳରେ ଶୋଇଅଛି ।’’

 

୩୯ଶ ପଦ :- ‘ବିଧାତା ଏହି କାର୍ଯ୍ୟକୁ ରଚନା କରି ନିଜର ବିଧି ନାମକୁ ଅବିଧି ବୋଲି ସିଦ୍ଧ କଲା । (ଅର୍ଥାତ୍ ବିଧାତା ନିୟମାନୁସାରେ କାର୍ଯ୍ୟ କରୁଥିବାରୁ ବିଧି ନାମରେ ପ୍ରସିଦ୍ଧି ଲାଭ କରିଥିଲା, ବର୍ତ୍ତମାନ ରାବଣ ଓ ସୀତାଙ୍କର ମିଳନ ଭଳି ଅକାର୍ଯ୍ୟ କରିବାରୁ ‘ଅବଧି’ ଅନ୍ୟାୟକାରୀ ବୋଲି ଜଗତରେ ଖ୍ୟାତି ଲାଭ କରିବା । ) ଆହା ! ରାମଚନ୍ଦ୍ରଙ୍କର ପବିତ୍ର ପ୍ରେମାମୃତ ପାୟିନୀ ସୀତାଙ୍କୁ ଏହି କୋଚିଳାଫଳ ତୁଲ୍ୟ ରାବଣର ପ୍ରୀତି ବା କିପରି ରୁଚିଲା । ହନୁମାନ ଏହିପରି ଭାବି ଅତ୍ୟନ୍ତ ଦୁଃଖିତ ହେଲା । ମୁଖର ଗନ୍ଧରୁ ଏ ସୀତା କି ରାକ୍ଷସୀ ଏହା ବାରିବା ପାଇଁ ଭ୍ରମର ରୂପଧରି ସେହି ସ୍ତ୍ରୀର ନିକଟକୁ ଗଲା । ମାତ୍ର ତାର ମୁଖରୁ ମଦ୍ୟଗନ୍ଧ ବାହାରୁ ଥିବାରୁ ଏ ନିଶ୍ଚୟ ରାକ୍ଷସୀ ବୋଲି ସ୍ଥିରକଲା ।

 

୪୦ଶ ପଦ :- ଗୁଞ୍ଜ-କାଇଁଚ । ବିତୁଳ-ଅତୁଳନୀୟ । ମୃଣାଳଖଣ୍ଡକୁ-ପଦ୍ମନାଡ଼ ଖଣ୍ଡକୁ ।

 

୪୦ଶ ପଦ :- ସେହି ସ୍ତ୍ରୀକୁ ରାକ୍ଷସୀ ବୋଲି ଜାଣିବା ପରେ ହନୁ ମନରେ ଭାବିଲା ‘ମୁଁ କଣ ଭୁଲିଗଲି, ଆକ୍ଷି ଥାଉଁ ଥାଉଁ ହୀରା ଓ ସ୍ଫଟିକମଣି ମଧ୍ୟରେ ପ୍ରଭେଦ କଣ ଜାଣିପାରିଲି ନାହିଁ । ପୁଣି ବଣିଆଁ ସୁନା ସହ କାଇଁଚକୁ ସମାନ କରି ତୁଳିଲା ପରି ମୁଁ ତୁଳନାର ଅଯୋଗ୍ୟ ରାକ୍ଷସୀକୁ ସୀତାଙ୍କ ସହ ତୁଳନା କଲି । ଅଥବା ମୁଁ କଣ ପାଗଲ ହେଲି, ଯେହେତୁ ବଙ୍କା ପଦ୍ମନାଡ଼ ଖଣ୍ଡକୁ ଦ୍ୱିତୀୟାଚନ୍ଦ୍ର ବୋଲି କହିଲି ।’

 

ବହ୍ନି ସେନେହୀ ପତଙ୍ଗ ସିନା ହୋଇ ତହିଁ ବହ୍ନିଭାବ ଯେ

ବିବେଚନା କିପାଁ ଏତେକ ନ କଲି ପୋଡ଼ି ଯାନ୍ତା ଅବୟବ ଯେ

କୋଇଲି ! ବ୍ରହ୍ମକନ୍ୟାକୁ ମାତଙ୍ଗୀ ଯେ

ବୁଡ଼ି ମରିବି ସିନ୍ଧୁଜଳେ ଗଳେ ମୁଁ ଶିଳେ ବାନ୍ଧି ଏ ଆତଙ୍ଗୀ ଯେ

।୪୧ ।

 

ବିଚାରେ ଯେବେ ଶ୍ରୀରାମଙ୍କ କାର୍ଯ୍ୟ ତେବେ କରି ନ ପାରିଲି କିଛି ଯେ

ବୋଲିବା ଏମନ୍ତ ଦୋଷ ହେବ ସତ ଚିତ୍ର ସୁକୃତ ତ ଅଛି ଯେ

ବାହୁଡ଼ି ! ବୈଦେହୀ କହିଲା ବାଣୀ ଯେ

ବ୍ରହ୍ମପଦବୀକି ଭାବିଲେ ପାଇବି ରାଘବ ଛାମୁରେ ଭଣି ଯେ

।୪୨ ।

 

ବନୀଏ ଦେଖିଲା କେତେ ଦୂରେ ଯାଇ ସେହି ପୁର ସନ୍ନିକଟେ ଯେ

ବିଶୋକମନା ହୋଇ ତହିଁ ଗମନ ଜଗତୀ ତଥି ପ୍ରକଟେ ଯେ

ବେଷ୍ଟିତ ! ବିଶେଷ ହୋଇ ରାକ୍ଷସୀ ଯେ

ବାମ ହସ୍ତ ନ୍ୟସ୍ତ କପୋଳେ ଅବନୀ ଦୃଷ୍ଟିରେ ରାମାଏ ବସି ଯେ

।୪୩ ।

 

ବିଦ୍ରୁମ ମାଣିକ୍ୟ ମୁକୁତା ମର୍କତ ନୀଳମଣିରେ ରଚନା ଯେ

ବିନିତାରତନ ପଦ ତାକୁ ସାନ ହୋଇଛି ହିରାବିହୀନା ଯେ

ବିପୁଳ ! ବିରହଶାଣରେ ବସି ଯେ

ବିଶୀର୍ଣ୍ଣ ସମସ୍ତ ଶେଷ ହୋଇ ଏକ ଗଲା କି ଚିତ୍ତେ ଆଭାସି ଯେ

।୪୪ ।

 

ବନଜ ନିଉଁଛାଳି କରି ଖଞ୍ଜନ ନିଉଁଛାଳିବାରେ ନେତ୍ରେ ଯେ

ବିତର୍କ ପଦେ ପତନ କେ ଚଞ୍ଚଳ ସଦା କେ ବହିଛି ଗାତ୍ରେ ଯେ

ବହଇ ! ବାରି ଯା ଜନମି ତହୁଁ ଯେ

ବିଖନରେ ଧନ୍ୟ ଭାବି ଦ୍ରବୀଭୂତ ନୟନ ହୋଇଛି ଯହୁଁ ଯେ

।୪୫ ।

 

୪୧ଶ ପଦ :- ପତଙ୍ଗ ଅଗ୍ନିଠାରେ ସ୍ନେହ କରେ କିନ୍ତୁ ଅଗ୍ନି ପତଙ୍ଗଠାରେ ସ୍ନେହ କରେନାହିଁ । ମୁଁ ପୂର୍ବରୁ ଏହିକଥା କାହିଁକି ନ ବିଚାରିଲି ? ଅର୍ଥାତ୍ ସୀତା କେବେ ହେଲେ ରାବଣ ନିକଟକୁ ଯାଇନଥିବେ ) । ଯଦି ରାବଣ ବଳାତ୍କାରେ ତାଙ୍କୁ ଧରିଥାନ୍ତା, ତା ହେଲେ ତାହାର ହସ୍ତ ପଦାଦି ଅବୟବମାନେ ପୋଡ଼ି ଯାଇଥାନ୍ତେ । ମୁଁ ଋଷିକନ୍ୟାକୁ ଚାଣ୍ଡାଳୀ ବୋଲି କହିଲି, ‘ଏହି ଦୋଷରୁ ମୁକ୍ତ ହେବା ନିମିତ୍ତ ବେକରେ ପଥର ବାନ୍ଧି ସମୁଦ୍ର ଜଳରେ ବୁଡ଼ିମରିବି ।’

୪୨ଶ ପଦ :- ପୁଣି ଭାବିଲା, ‘ଯଦି ଏହିପରି ଆତ୍ମହତ୍ୟା କରି ମରିବି ତାହା ହେଲେ ରାମଚନ୍ଦ୍ରଙ୍କର କୌଣସି ମାତ୍ର କାର୍ଯ୍ୟ କରିପାରିବିନାହିଁ, କିନ୍ତୁ ସୀତାଙ୍କୁ ଚଣ୍ଡାଳୀ ବୋଲି କହିବା ଦୋଷ ନିଶ୍ଚୟ ମୋ ଉପରେ ପ୍ରବର୍ତ୍ତିବ (ଅର୍ଥାତ୍ ସେ ଦୋଷରେ ମୁଁ ନିଶ୍ଚୟ ଦୋଷୀ ହେବି) । ଏଠାରୁ ବାହୁଡ଼ି ଯାଇ ସୀତାଙ୍କର କଥା ରାମଙ୍କ ନିକଟରେ ପ୍ରକାଶ କଲେ, ବ୍ରହ୍ମପଦବୀକୁ ମଧ୍ୟ ପାଇ ପାରିବା ଭଳି ପୁଣ୍ୟ ମିଳିପାରେ । ଏଣୁ ସମୁଦ୍ରରେ ବୁଡ଼ି ମରିବା ଅନୁଚିତ ।’

୪୩ଶ ପଦ :- ବନୀ-ବନ ବା ବଗିଚା । ବିଶୋକମନା-ଶୋକାକୂଳ ଚିତ୍ତ । ଜଗତ-ଅଟ୍ଟାଳିକା । ଅବନୀଦୃଷ୍ଟି-ତଳକୁ ମୁହଁ ପୋତି ।

୪୩ଶ ପଦ :- ଏହିପରି ଭାବି ଯାଉଁ ଯାଉଁ ହନୁମାନ ସେହି ରାବଣ ପୁରୀର ନିକଟରେ ଗୋଟିଏ ଉପବନ ଦେଖିଲା । ସୀତାଙ୍କୁ ନ ଦେଖି ଶୋକାଭିଭୂତ ହୋଇ ସେହି ଉପବନ ମଧ୍ୟରେ ପ୍ରବେଶ କରି ଦେଖିଲା ଯେ, ସେହି ବନ ମଧ୍ୟବର୍ତ୍ତୀ ଏକ ଅଟ୍ଟାଳିକାରେ ଜଣେ ରମଣୀ ବାମ ହସ୍ତକୁ ଗଣ୍ଡରେ ଦେଇ ବିଷର୍ଣ୍ଣ ମନରେ ମୁଖକୁ ପୋତି ବସିଛି ଏବଂ ଅନେକ ଗୁଡ଼ିଏ ରାକ୍ଷସୀ ତାର ଚାରିପଟେ ଘେରି ବସିଛନ୍ତି ।

୪୪ଶ ପଦ :- ସେହି ସ୍ତ୍ରୀ ପୋହଳା, ମାଣିକ୍ୟ ପ୍ରଭୃତି ରତ୍ନମାନଙ୍କଦ୍ୱାରା ନିର୍ମିତ ହୋଇଥିବା ଗୋଟିଏ ପ୍ରତିମା ପରି ଦେଖାଯାଉଛି । କାରଣ ତାର କରତଳ ପୋହଳା, ଦାନ୍ତ ମୁକ୍ତା, ଅଧର ମାଣିକ୍ୟ, କେଶ ମରକତ ଓ ଡୋଳା ନୀଳମଣିର ଶୋଭା ଧାରଣ କରିଅଛି । ସେହି ସ୍ତ୍ରୀ ହୀରା ତୁଲ୍ୟ ଅତି ସ୍ୱଚ୍ଛ ହାସ ପ୍ରକାଶ କରୁନଥିଲେ ମଧ୍ୟ ତାକୁ ସ୍ତ୍ରୀରତ୍ନ ବୋଲି କହିଲେ ସୌନ୍ଦର୍ଯ୍ୟର ନ୍ୟୁନତା ସୁଚିତ ହେବନାହିଁ । ବିରହକ୍ଷୀଣା ହାସ୍ୟଶୂନ୍ୟା ସେହି ସ୍ତ୍ରୀଙ୍କୁ ଦେଖି ମନେହୁଏ, ସମସ୍ତ ରତ୍ନଶାଣରେ ବସି କ୍ଷୀଣ ହୋଇ ରହିଲେ ମାତ୍ର ହୀରା ନିଃଶେଷିତ ହୋଇଗଲା । (ବିରହରେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟ ଲୋପ ପାଇନଥିଲା, କିନ୍ତୁ ମୁଖ ହାସ୍ୟଶୂନ୍ୟ ହୋଇଥିଲା) ।

୪୫ଶ ପଦ :- ସେହି ସ୍ତ୍ରୀର ପଦ୍ମ ତୁଲ୍ୟ ରମଣୀୟ ପାଦ ଓ ଖଞ୍ଜନ ପକ୍ଷୀ ତୁଲ୍ୟ ଚଞ୍ଚଳ ନେତ୍ରକୁ ଦେଖି ହନୁମାନ ମନେକଲା, ‘ବିଧାତା ଏ ଦୁହିଁଙ୍କୁ ସୀତାଙ୍କ ସଙ୍ଗେ ସମାନ କରିବା ପାଇଁ ଇଚ୍ଛା କରି ତାଙ୍କର ନେତ୍ରକୁ ପଦ୍ମ ଦ୍ଵାରା ଓ ଖଞ୍ଜନ ଦ୍ୱାରା ବନ୍ଦାଇଲେ; କିନ୍ତୁ ଏ ଦୁହେଁ ନେତ୍ରଠାରୁ ପରାସ୍ତ ହେବାରୁ ପଦ୍ମ ବିନୀତ ହୋଇ ପାଦତଳେ ପଡ଼ିଛି ଓ ଖଞ୍ଜନ ଚକ୍ଷୁଠାରୁ ଚଞ୍ଚଳତାକୁ ଆଣି ଦେହରେ ରଖିଛି ।’ ତାଙ୍କର ଚକ୍ଷୁରୁ ଲୁହ ବହୁଥିବାର ଦେଖି ମନେକଲା, ପଦ୍ମ ଓ ଖଞ୍ଜନର ଦୁଃଖ ନେତ୍ରର ହୃଦୟ ବିଚଳିତ ହେଉଅଛି କି ? ଏଣୁ ମୁଁ ବିଧାତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି । କାରଣ ସେ ପଦ୍ମ ଓ ଖଞ୍ଜନ ସହ ନେତ୍ର ବନ୍ଦାଇବାରୁ ନେତ୍ରର ସେ ଦୁହିଙ୍କ ପାଇଁ ସିନା ହୃଦୟରେ ଦୟା ଜାତ ହେଲା ?’’

 

ବିକ୍ଷୋଜେ ପୁଣି ଅଶ୍ରୁ ଜଡ଼ି ପଡ଼ି ସେ ବେନି ଉପମା ସମ୍ଭବେ ଯେ

ବ୍ୟୋମ ହୃଦୟେ ରାମଚନ୍ଦ୍ର ଉଦୟେ ଚନ୍ଦ୍ରଶିଳ ଶୈଳଦ୍ରବେ ଯେ

ବିଦିତ ! ବେନି ଶାତକୁମ୍ଭ କୁମ୍ଭ ଯେ

ବିଭର୍ତ୍ତି ରାମ-ପ୍ରେମ ନୀର ବହୁତ ଉଚ୍ଛୁଳିବାର ଆରମ୍ଭ ଯେ

।୪୬ ।

 

ବଢ଼ି ଅଳକା ଭାଲ ଅର୍ଦ୍ଧ ଗ୍ରାସିକା ଏ ଲକ୍ଷରେ ଚିତ୍ତ ତ୍ୱରା ଯେ

ବିରୁପାକ୍ଷ-ଅରି ଜାତରୂପ ଫରି କଳଙ୍କି ଆସିଲା ପରା ଯେ

ବେଣୀର ! ବନ୍ଧା ଫିଟିବାର ନାହିଁ ଯେ

ବ୍ୟାକୋଷ ପୁଷ୍ପ ମଣ୍ଡନ କୋଷହୀନ ପଟ୍ଟିଶକି ଡେରା ହୋଇ ଯେ

।୪୭ ।

 

ବୀର ହନୁମାନ ମାନସେ ଭାବନ ଏହି କଥାମାନ କଲା ଯେ

ବାମ ହେଲେ ରାମ କାମରେ ପୁରୁଷ ପ୍ରଶଂସା ସଂସାରେ ଥିଲା ଯେ

ବନିତା ! ବର ହୋଇଥିଲା ରମ୍ଭା ଯେ

ବିଶେଷ ଶୋଭା ନଳିନୀ ନଳିନୀରେ ନଳିନୀ ପରି ଅରମ୍ଭା ଯେ

।୪୮ ।

 

ବାନ୍ଧବୀ ଏହି ସେ ରାମର ରାମର-ନିକେତନ କି ସଂଶୟ ଯେ

ବିରହୀ ବିରହିଣୀ ପରସ୍ପରରେ ହୋଇଛନ୍ତି ଅତିଶୟ ଯେ

ବିଲୋକି ! ବେନିଙ୍କି ଧନ୍ୟ ମୋ ନେତ୍ର ଯେ

ବାଣୀ ଶୁଣିଛି ତାଙ୍କର ଏହାଙ୍କର ବାଣୀ କି ଶୁଣିବ ଶୋତ୍ର ଯେ

।୪୯ ।

 

ବସୁଧା ଶିରୀ ଏ ଶିରୀ ଏ ଶିରୀକ୍ଷ ଅଙ୍ଗିନୀ ସନ୍ଦେହ ନାହିଁ ଯେ

ବିଶାଳ ନିତମ୍ବ ରୋମାବଳୀ ବ୍ୟାଜ ଚକ୍ର ଗଦା ଅଛି ଥୋଇ ଯେ

ବିଚ୍ଛେଦ ! ବିଧାନେ ଡରାଉ ଦୈତ୍ୟ ଯେ

ବିଶ୍ୱମ୍ଭରାପତି ଜାଣି ଦେଇଛନ୍ତି ଏ ମୂର୍ତ୍ତିରେ ନାହିଁ ହସ୍ତ ଯେ

।୫୦ ।

 

୪୬ଶ ପଦ :- ବକ୍ଷୋଜ-ସ୍ତନ । ବ୍ୟୋମ-ଆକାଶ । ରାମଚନ୍ଦ୍ର-ରମଣୀୟ ଚନ୍ଦ୍ର । ଚନ୍ଦ୍ରଶିଳଶୈଳ-ଚନ୍ଦ୍ରକାନ୍ତ ପର୍ବତ । ଶାତକୁମ୍ଭ କୁମ୍ଭ-ସୁବର୍ଣ୍ଣ କଳଶ ।

୪୬ଶ ପଦ :- ସେହି ସ୍ତ୍ରୀର ସ୍ତନ ଉପରେ ଅଶ୍ରୁ ବିନ୍ଦୁ ପଡ଼ି ଲାଗି ରହିଥିବାରୁ ପୁଣି ହନୁମାନ ଏହି ଉପମା ସମ୍ଭବ ହେବ ବୋଲି ମନେକଲା, ‘ହୃଦୟ ରୂପ ଆକାଶରେ ରାମଚନ୍ଦ୍ର ରୂପ ରମଣୀୟ ଚନ୍ଦ୍ର ଉଦୟ ହେବାରୁ ଚନ୍ଦ୍ରକାନ୍ତ ପର୍ବତ ରୂପ ସ୍ତନଦ୍ୱୟ ଦ୍ରବିଭୂତ ହେଉଅଛି କି ? କିମ୍ବା ଏହାଙ୍କର ସ୍ତନ ରୂପ ସୁବର୍ଣ୍ଣ କଳଶଦ୍ୱୟ ରାମଙ୍କର ପ୍ରେମନୀରରେ ପୂର୍ଣ୍ଣ ହୋଇଯିବାରୁ ସେହି ନୀର ଉଚ୍ଛୁଳି ପଡ଼ିବାକୁ ଆରମ୍ଭ କରୁଛି କି ?’

୪୭ଶ ପଦ :- ବିରପାକ୍ଷ ଅରି-କନ୍ଦର୍ପ । ଜାତରୂପ-ସୁବର୍ଣ୍ଣ । ପଟ୍ଟିଶ-ଅସ୍ତ୍ରବିଶେଷ (ଖଣ୍ଡା) । ବ୍ୟାକୋଷପୁଷ୍ପ-ପ୍ରସ୍ଫୁଟିତ ପୁଷ୍ପ ।

୪୭ଶ ପଦ :- ଆଉ ମଧ୍ୟ ସୀତାଙ୍କର ଚୂର୍ଣ୍ଣକୁନ୍ତଳ ବଢ଼ି ଭାଲ ଦେଶକୁ ଘୋଡ଼ାଇ ପକାଇ ଥିବାର ଦେଖି ମନେ କଲା, ‘କନ୍ଦର୍ପର ସୁବର୍ଣ୍ଣ ଫେରିରେ କଳଙ୍କ ଲାଗି ଆସୁଛି କି ?’ ତାଙ୍କର ବନ୍ଧନମୁକ୍ତ ହୋଇ ନ ଥିବା ବେଣୀକୁ ଦେଖି ମନେ କଲା, ‘କନ୍ଦର୍ପର ଖଣ୍ଡା ପ୍ରସ୍ଫୁଟିତ ପୁଷ୍ପ ରୂପ ଖୋଳରୁ ନିଷ୍କାସିତ ହୋଇ ଏଠାରେ ଡେରା ହୋଇଛି କି ?’

୪୮ଶ ପଦ :- ବନିତାର-ନାରୀଶ୍ରେଷ୍ଠ । ନଳିନୀ-ପଦ୍ମିନୀ, ପୁଷ୍କରିଣୀ, ପଦ୍ମ ।

୪୮ଶ ପଦ :- ‘ଏ ସଂସାରରେ ସୌନ୍ଦର୍ଯ୍ୟରେ କାମ ପୁରୁଷମାନଙ୍କ ମଧ୍ୟରେ ପ୍ରଶଂସା ଲାଭ କରିଥିଲା । ଅର୍ଥାତ୍ କନ୍ଦର୍ପ ସୁନ୍ଦର ପୁରୁଷ ବୋଲି ଖ୍ୟାତି ଲାଭ କରିଥିଲା । ବର୍ତ୍ତମାନ ରାମଚନ୍ଦ୍ର ତାହାର ଶତ୍ରୁ ହେଲେ (ସୁନ୍ଦର ବୋଲି ଖ୍ୟାତ ହେଲେ) । ସ୍ତ୍ରୀମାନଙ୍କ ମଧ୍ୟରେ ରମ୍ଭା ପରମା ସୁନ୍ଦରୀ ବୋଲି ଖ୍ୟାତି ଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ପଦ୍ମିନୀ ସୀତା ପୁଷ୍କରିଣୀରେ ପଦ୍ମଲତା ନିଜର ଶୋଭା ବିସ୍ତାର କଲା ପରି ସଂସାରରେ ସ୍ୱୀୟ ଶୋଭା ବିସ୍ତାର କରିବାରୁ ସେହି ରମ୍ଭା ‘ଅରମ୍ଭା’ ଅପ୍ରଶଂସା ହୋଇ ରହିଲାଣି।’ ହନୁମାନ ଏହିପରି ଭାବିବାକୁ ଲାଗିଲା ।

୪୯ଶ ପଦ :- ରାମର ନିକେତନ-ସୌନ୍ଦର୍ଯ୍ୟର ଗୃହସଦୃଶ । ଶ୍ରୋତ୍ର-ବର୍ଣ୍ଣ ।

୪୯ଶ ପଦ :- ହନୁମାନ ମନେ କଲା, ‘ଏହି ପରମାସୁନ୍ଦରୀ ନିଶ୍ଚୟ ରାମଚନ୍ଦ୍ରଙ୍କର ପ୍ରିୟା, ଏଥିରେ କିଛି ମାତ୍ର ସନ୍ଦେହ ନାହିଁ । ସେ ଦୁହେଁ ପରସ୍ପରଠାରୁ ଅନ୍ତର ହୋଇ ବିରୁହୀ ଓ ବିରହିଣୀ ହୋଇଛନ୍ତି । ଦୁହିଁଙ୍କୁ ଦେଖି ମୋର ଚକ୍ଷୁ ଧନ୍ୟ ହେଲା । ମୁଁ ରାମଚନ୍ଦ୍ରଙ୍କ କଥା ଶୁଣିଛି, ଆଉ ଏହାଙ୍କର କଥା ମୋ କାନ ଶୁଣିବ ବି ?’’

୫୦ଶ ପଦ :- ବସୁଧାଶ୍ରୀ-ଧରଣୀମଣ୍ଡନୀ । ଶ୍ରୀ-ଲକ୍ଷ୍ମୀ । ବିଧାନେ-ଚେଷ୍ଟାକରି । ବିଶ୍ୱମ୍ଭରାପତି-ନାରାୟଣ ।

୫୦ଶ ପଦ :- ଶେଷରେ ହନୁମାନ ମନେ ମନେ ଭାବିଲା, ‘ଏହି ମହୀମଣ୍ଡନା ଶିରୀଷକୋମଳାଙ୍ଗୀ ଲଳନା ନିଶ୍ଚୟ ଲକ୍ଷ୍ମୀ-ଏଥିରେ ସନ୍ଦେହ ନାହିଁ । ବୋଧହୁଏ ଏ ରମଣୀ ତାହାଙ୍କ ଦେହରେ ଉନ୍ନତ୍ତ ନିତମ୍ବ ଓ ରୋମରାଜିର ବ୍ୟାଜରେ ଗଦା ଓ ଚକ୍ରକୁ ଥୋଇ ଅଛନ୍ତି । ବିଯୋଗ ସମୟରେ ଅସୁରମାନେ ଚେଷ୍ଟାକରି ଏହାଙ୍କୁ ଡରାଇବେ, ଏହି କଥା ଜାଣି ଜଗତ୍‌ପାଳନ ନାରାୟଣ ସେହି ଗଦା ଓ ଚକ୍ରକୁ ଦେଇଛନ୍ତି; ଏଣୁ ଏହି ଅବତାରରେ ନିଜର ହାତରେ ସେ ଦୁହେଁ ନାହାନ୍ତି ।’

 

ବିରାଜମାନ ଦ୍ୱିଭୁଜ ଏହି ହେତୁ ଶାରଙ୍ଗ ଶର ବିଧୃତ ଯେ

ବ୍ୟାଜ ନାସିକା ଦେଖାଇ ଚଞ୍ଚୁ ଅଙ୍ଗେ ଖଗେଶ୍ୱରହିଁ ଗୁପତ ଯେ

ବାହାନ ! ବାରଣ ଗତିରେ ଥିବ ଯେ

ବାରିଜାସନୀ ସରୋଜପାଦ ବେନି ବାଞ୍ଛା ସିଦ୍ଧ ମୋ କରିବ ଯେ

।୫୧ ।

 

ବର୍ଷୁ ପୁଲକିତ ବିଚାରୁ ଏମନ୍ତ ପ୍ରିୟକ ପ୍ରିୟକ ଘେନି ଯେ

 

ବେଭାରେ ହୋଇଲା ପରାଏ ସନିଧି ସନ୍ନିଧି ଗମେ ପାବନୀ ଯେ

ବୁଝ ହେ ! ବୁଦ୍ଧି ଉତ୍ତମ କେ ବିଦ ହେ

ବାନପଦେ ଉପଇନ୍ଦ୍ର ଭଞ୍ଜ ବୀରବର ଶେଷ କରେ ଛାନ୍ଦ ଯେ

।୫୨ ।

 

୫୧ଶ ପଦ :- ଶାରଙ୍ଗ-ଧନୁ । ଖଗେଶ୍ୱର-ଗରୁଡ଼ । ଚଞ୍ଚୁ-ଥଣ୍ଟ । ବାରିଜାସନୀ-ପଦ୍ମାସନୀ (ଲକ୍ଷ୍ମୀ) । ସରୋଜ-ପଦ୍ମ ।

୫୧ଶ ପଦ :- ସେହି ହେତୁରୁ ଅର୍ଥାତ୍ ଗଦା ଓ ଚକ୍ର ଏହି ଲକ୍ଷ୍ମୀଙ୍କୁ ଦେଇ ପକାଇଥିବାରୁ ବର୍ତ୍ତମାନ ରାମାବତାରରେ ଦୁଇହାତରେ ଧନୁ ଓ ଶର ଧରି ବିରାଜିତ ହୋଇଅଛନ୍ତି । ଗରୁଡ଼ ଏହାଙ୍କ ଦେହରେ ଲୁଚିରହି, ନିଜର ଥଣ୍ଟକୁ ନାସିକା ଛଳରେ ପ୍ରକାଶ କରିଛି । ଲକ୍ଷ୍ମୀଙ୍କର ବାହାନ ହସ୍ତୀ ମଧ୍ୟ ଏହାଙ୍କର ଗତିକୁ ଆଶ୍ରୟ କରିଥିବ । ଲକ୍ଷ୍ମୀ ପଦ୍ମାସିନୀ, ସେଥିଯୋଗୁଁ ଏହାଙ୍କର ପଦଯୁଗଳ ପଦ୍ମପରି ଦେଖାଯାଉଛି । ଏହି ପାଦଦ୍ୱୟ ନିଶ୍ଚୟ ମୋର ମନବାଞ୍ଛା ପୂର୍ଣ୍ଣ କରିବ’ ।

୫୨ଶ ପଦ :- ପ୍ରିୟକ-ପ୍ରୀତିପ୍ରଦ, କଦମ୍ବଫୁଲ । ବର୍ଷୁ-ଦେହ । ପାବନୀ-ହନୁମାନ ।

୫୨ଶ ପଦ :- ଏହିପରି ପ୍ରୀତିପ୍ରଦ ବିଷୟମାନଙ୍କୁ ଭାବୁଭାବୁ ହନୁମାନର ଦେହ ପୁଲକିତ ହୋଇ କଦମ୍ବଫୁଲର ଶୋଭାକୁ ଧାରଣ କଲା । ବେପାରଦ୍ୱାରା ଉତ୍କୃଷ୍ଟ ରତ୍ନଲାଭ ହେଲାପରି ସେ ସୀତାଙ୍କର ସାମୀପ୍ୟକୁ ଲାଭ କଲା (ନିକଟବର୍ତ୍ତୀ ହେଲା) । ବୀରବର ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାଉନପଦରେ ଶେଷ କଲେ । ହେ ଉତ୍ତମ ବୁଦ୍ଧିମାନ୍ ପଣ୍ଡିତବୃନ୍ଦ ! ଏହାକୁ ଭଲକରି ବୁଝ ।

 

ପଞ୍ଚତ୍ରିଂଶ ଛାନ୍ଦ

ରାଗ-ଚିନ୍ତା ଭୈରବ

 

ବୁଧେ ଶୁଣିବା ହେଉ ସୁମତି

ବଇଶ୍ରବଣେ ଲଙ୍କ ଦେବତୀ

ବିହିଲା ସନ୍ଦେଶ ହେଲାଟି ଜୀବେଶ ବାର୍ତ୍ତା ପ୍ରବେଶ ଜାନକୀ କତି ରେ ।

ବିଂଶାକ୍ଷ ।୧ ।

ବସି ସ୍ୱପନ ଚେତି କମ୍ପନ

ବାହାରିଲା ସେ ଅଶୋକ ବନ

ବହୁତ ଦିହୁଡ଼ି ଅନ୍ଧାର ଘଉଡ଼ି ଶୁଭେ ମଣିମା ମଣିମା ସ୍ୱନ ସେ ।

ବୀଥିରେ ।୨ ।

ବୁଲାଉଛି ଚକ୍ର ପ୍ରାୟେ ନେତ୍ର

ବହି ଶୂଳଗଦା ଅସିପତ୍ର

ବିଂଶାର୍ଦ୍ଧ ଆନନ ଶୋଭା ଆନ-ଆନ ଆନନ ଲଙ୍ଘେ ଯା ଦେବଗୋତ୍ର ସେ ।

ବିଂଶାକ୍ଷ ।୩ ।

ବଡ଼ଭୀକି ଉଠି ଯାଉଁ ଦୁଷ୍ଟ

ବଡ଼ଭୀରେ ସୀତା କଲେ ପୃଷ୍ଠ

ବିଶୟମାନ ଅତିଶୟ ସଂଶୟ ନଷ୍ଟ ହେବ ଭାବି ହେଲା ହୁଷ୍ଟ ସେ ।

ବୀତଜ ।୪ ।

ବସେ ପାଶେ ହୋଇ ମଧୁ ବ୍ରତେ

ବାଣୀ ସରସ ଶର କି ଶ୍ରୁତେ

ବସଇ ଭାଷଇ ଦୈତ୍ୟ ନ ବସଇ କିପାଁ କୃପା ମୋହଠାରେ ଚିତ୍ତେ ରେ ।

ବରାଙ୍ଗି ।୫ ।

ବଇଶ୍ରବଣ-ରାବଣ । ସନ୍ଦେଶ-ଖବର । ଜୀବେଶ-ପ୍ରାଣପତି (ରାମଚନ୍ଦ୍ର) । ବିଂଶାକ୍ଷ-ରାବଣ ।

୧ମ ପଦ :- ହେ ବୁଦ୍ଧିମାନ ପଣ୍ଡିତବର୍ଗ ! ଶୁଣିବା ହୁଅନ୍ତୁ । ଲଙ୍କାଦେବୀ ସ୍ୱପ୍ନରେ ରାବଣକୁ ଏହି ସମ୍ବାଦ ଦେଲେ, ‘‘ରେ ରାବଣ ! ସୀତାଙ୍କ ନିକଟରେ ତାଙ୍କ ପତିଙ୍କର ବାର୍ତ୍ତା ପହଞ୍ଚିଲାଣି ।’’

୨ୟ ପଦ :- ବୀଥିରେ-ବାଟରେ ।

୨ୟ ପଦ :- ରାବଣ ଶଯ୍ୟାରୁ ଉଠି ଅଳ୍ପକ୍ଷଣ ବସି ସ୍ୱପ୍ନ ବିଷୟ ଚିନ୍ତା କରି କ୍ରୋଧକମ୍ପିତ କଳେବରରେ ଅଶୋକ ବନକୁ ଗମନ କଲା । ସେ ଯିବା ସମୟରେ ଅସଂଖ୍ୟ ଦିହୁଡ଼ି ଲାଗି ଅନ୍ଧକାରକୁ ଦୂରକରିବାକୁ ଲାଗିଲେ ଓ ବାଟରେ ମଣିମା ମଣିମା ଡାକ ଶୁଣାଗଲା ।

୩ୟ ପଦ :- ଅସିପତ୍ର-ଖଣ୍ଡା । ଆନ-ଆନ-ଆଉ ଆଉ ପ୍ରକାର । ଆନ-ରାଣ । ଦେବଗୋତ୍ର-ଦେବତାମାନେ ।

୩ୟ ପଦ :- ଯାହାର ରାଣକୁ ଦେବତାମାନେ ସୁଦ୍ଧା ଲଙ୍ଘନ କରନ୍ତି ନାହିଁ ଅର୍ଥାତ୍ ଦେବତାମାନେ ଯାହାର ଆଜ୍ଞାବହ, ସେହି ରାବଣ ଯିବା ସମୟରେ ଚକ୍ଷୁମାନଙ୍କୁ ଚକ୍ର ପରି ବୁଲାଉଥିଲା ଓ ହସ୍ତମାନଙ୍କରେ ଶୂଳ, ଗଦା ଓ ଖଣ୍ଡା ଧାରଣ କରିଥିଲା ଏବଂ ତାହାର ଦଶଗୋଟିଯାକ ମୁଖ ଭିନ୍ନ ଭିନ୍ନ ଶୋଭା ଧାରଣ କରିଥିଲେ ।

୪ର୍ଥ ପଦ :- ବଡ଼ଭୀ-ଅଟ୍ଟାଳିକା, ଅତି ଭୟ । ବାତଜ-ହନୁମାନ ।

୪ର୍ଥ ପଦ :- ଏହିପରି ଭାବରେ ଯାଇ ରାବଣ ଅଟ୍ଟାଳିକା ଉପରକୁ ଉଠିଯାନ୍ତେ ସୀତା ଅତିଶୟ ଭୟପାଇ ତା ଆଡ଼କୁ ପିଠି କରି ବସିଲେ । ‘ଅତିଶୟ ସନ୍ଦେହପୂର୍ଣ୍ଣ ବିଷୟମାନଙ୍କରୁ ସନ୍ଦେହ ସବୁ ନଷ୍ଟ ହେବ କି ? ଅର୍ଥାତ୍ ମୋର ସୀତାଙ୍କଠାରେ ଥିବା ସନ୍ଦେହ ତୁଟିଯିବ କି ? ଏହା ଭାବି ହନୁମାନ ଆନନ୍ଦିତ ହେବାକୁ ଲାଗିଲା ।

୫ମ ପଦ :- ରାବଣର କଥା ସୀତାଙ୍କୁ ଆନନ୍ଦ ପ୍ରଦାନ କରିବ ବା ଶରତୁଲ୍ୟ ଯନ୍ତ୍ରଣା ଦେବ, ଏହା ଜାଣିବା ପାଇଁ ହନୁମାନ ମହୁମାଛି ରୂପ ଧାରଣ କରି ସୀତାଙ୍କ ନିକଟରେ ବସିଲା । ଏହି ସମୟରେ ରାବଣ କହିଲା, ‘‘ରେ ବରାଙ୍ଗି ! ମୋ ପ୍ରତି ତୋ ହୃଦୟରେ କାହିଁକି ଟିକିଏ ହେଲେ ଦୟା ବସୁ ନାହିଁ ?’’

 

 

ବଦାନ୍ୟ ଯେ ଲୋକେ ହୋଇଥାଇ            ବୁଝ ତନୁ ଦାନ କି ନ ଦେଇ ।

ବିଧିରେ ତୁ ନିଧିରୂପା ରସନିଧି ମୁଁ ଯେ ତୋହର ସନ୍ନିଧିସ୍ଥାୟୀ ରେ ।

ବରାଙ୍ଗି ।୬ ।

ବିଭାକର ବଲ୍ଲଭୀ ପଦ୍ମିନୀ            ବିଳସଇ ସେ ମଧୁପ ଘେନି ।

ବିଭାକରବଂଶୀ ପ୍ରିୟା ତୁ ପଦ୍ମିନୀ ମୁଁ ମଧୁପ ହୁଅ ରସଦାନୀ ରେ ।

ବରାଙ୍ଗି ।୭ ।

ବାରି ପାଶକୁ ତୃଷାର୍ତ୍ତୀ ଯାଇ            ବିଚାର ତ କରେ ସେ କି ନାହିଁ ।

ବାରିଦବାରିରେ ଆଶାୟୀ ଚାତକ ତୃଷା ନିବାରେ ତୁଷାର ପିଇ ରେ ।

ବରାଙ୍ଗି ।୮ ।

ବହୁ ନାୟିକା ବଲ୍ଲଭ ଶଙ୍କା            ବହୁ ବିମୁଖ ପାଞ୍ଚି ରସିକା ।

ବିପ୍ରଲ୍‌ବଧା ସମ ସୁଷମ ସମସ୍ତେ ହେବେ ହେବୁ ସ୍ୱାଧୀନଭର୍ତ୍ତୃକା ରେ ।

ବରାଙ୍ଗି ।୯ ।

ବିଂଶ ସପ୍ତାଧିକ ତାରାପତି             ବିଧୁ ରୋହିଣୀ ତା ପ୍ରିୟବତୀ

ବିକୃତ ନୁହ ମୁଁ ସ୍ୱୀକୃତ କରୁଛି ତୋହ କୃତ ରସେ ମୋର ପ୍ରୀତି ରେ ।

ବରାଙ୍ଗି ।୧୦ ।

 

୬ଷ୍ଠ ପଦ :- ବଦାନ୍ୟ-ଦାତାଶ୍ରେଷ୍ଠ । ତନୁ-ଦେହ, ଅଳ୍ପ । ନିଧିରୂପା-ରତ୍ନସ୍ୱରୂପା । ରସନିଧି-ରସସମୁଦ୍ର ।

୬ଷ୍ଠ ପଦ :- ପୁନର୍ବାର କହିଲା, ‘‘ଥରେ ମାତ୍ର ବିଚାର କର, ଯେଉଁ ଲୋକ ବଡ଼ ଦାନୀ ହୋଇଥାଏ, ସେ କଣ ‘ତନୁ’ ଅଳ୍ପ ଦାନ (ଗୋଟିଏ ସାମାନ୍ୟ ଜିନିଷ ଦାନ) ଦିଏ ନାହିଁ ? (ନିଶ୍ଚୟ ଦିଏ) । ଅଥବା ଯେ ମହାଦାନୀ ସେ କଣ ‘ତନୁ’ ଦେହ ଦାନ ଦିଏ ନାହିଁ ? ‘ମୋ ନିକଟରେ କଣ ଅଛି ଯେ, ମୁଁ ଦେବି,- ଏହା କହିପାର, କିନ୍ତୁ ତୁମ୍ଭର ମୁଖ ପ୍ରଭୃତି ପଦ୍ମାଦି ନିଧିମାନଙ୍କ ସହ ସମାନ ହୋଇ ଥିବାରୁ ତୁ ନିଧିରୂପିଣୀ ଅଟୁ ଓ ଶୃଙ୍ଗାରରସର ମଧ୍ୟ ‘ନିଧି’ ସ୍ଥାନ ବା ସମୁଦ୍ର ଅଟୁ । ରେ ସୁନ୍ଦରୀ ! ମୁଁ ତୋ ନିକଟରେ ଭିକ୍ଷାର୍ଥୀ ହୋଇଅଛି ।’’

 

୭ମ ପଦ :- ମଧୁପ-ମଦ୍ୟପାୟୀ, ଭ୍ରମର । ବିଭାକ-ବଲ୍ଲରୀ-ସୂର୍ଯ୍ୟପ୍ରିୟା (ପଦ୍ମିନୀ) ।

୭ମ ପଦ :- ‘‘ତୁ ସୂର୍ଯ୍ୟବଂଶୀୟ ରାମଙ୍କର ପ୍ରିୟା ପଦ୍ମିନୀ (ସତୀ) ଅଟୁ । ମୁଁ ମଧ୍ୟ ‘ମଧୁପ’ ମଦୁଆ ଅଟେ । ‘ମଧୁପ’ ଭ୍ରମର ସୂର୍ଯ୍ୟଙ୍କର ପ୍ରିୟ । ପଦ୍ମିନୀକୁ ଘେନି କ୍ରୀଡ଼ା କରେ । ରେ ସୁନ୍ଦରୀ ! ଏଣୁ ତୁ ମଧ୍ୟ ତୁମ୍ଭ ବଂଶର ପଦ୍ମିନୀପରି ରସଦାନ କର (ପ୍ରୀତିଭିକ୍ଷା ଦେ) ।’’

 

୮ମ ପଦ :- ବାରି-ଜଳ । ତୃଷାର୍ତ୍ତୀ-ଶୋଷୀ । ବାରିଦ ବାରିରେ-ମେଘ ଜଳରେ । ତୁଷାର-କାକର ।

 

୮ମ ପଦ :- ‘‘ରେ ସୁନ୍ଦରୀ ! ତୁ ମନରେ ବିଚାର କର, ଜଳନିକଟକୁ ତୃଷାର୍ତ୍ତୀ ଲୋକ ଯଦି ଯାଏ ସେ କଣ ତାକୁ ନାହିଁକରେ? (ଅର୍ଥାତ୍ ନାହିଁ କରେନାହିଁ ) । ତା ହେଲେ ତୁ କାହିଁକି ନାହିଁ କରୁଛୁ । ତୁ କହିପାରୁ ‘ଯଦି ଆତୁର ହେଉଛ ତାହାହେଲେ ଅନ୍ୟ ସ୍ତ୍ରୀ ନିକଟକୁ ଯାଆ’ ମାତ୍ର ତା ହେବ ନାହିଁ । କାରଣ ମେଘଜଳପ୍ରତି ଆଶା କରିଥିବା ଚାତକ ତୁଷାର ପିଇ ତୃଷା ଶାନ୍ତି କରି ପାରେ କି ?’’

 

୯ମ ପଦ :- ବହୁ ନାୟିକାବଲ୍ଲଭ-ବହୁ ସ୍ତ୍ରୀଙ୍କର ପତି । ସୁଷମ-ସୁନ୍ଦରୀ । ବିପ୍ରଲବ୍‌ଧା ନାୟିକା-ବଞ୍ଚିତା ନାୟିକା ।

 

୯ମ ପଦ :- ‘‘ରେ ରସିକା ! ମୁଁ ବହୁ ରମଣୀର ପ୍ରିୟ ହୋଇଥିବାରୁ ତୁ ମୋଠାରେ ଶଙ୍କା କରି ବିମୁଖ ହେଉଛୁ କି ? (ଯାହାର ଏତେ ସ୍ତ୍ରୀ ସେ କଣ ଜଣକୁ ଭଲ ପାଇବ ?) ହେ ସୁନ୍ଦରୀ ! ତୋର ଏପରି ଶଙ୍କା କରିବା ଉଚିତ ନୁହେଁ । ମୋର ସମସ୍ତ ସ୍ତ୍ରୀ ବିପ୍ରଲବ୍‌ଧା ସ୍ତ୍ରୀର ଶୋଭାକୁ ଧାରଣ କରିବେ (ଅର୍ଥାତ୍ ସେମାନେ ବଞ୍ଚିତ ହୋଇ ରହିବେ ।) ତୁ ସ୍ୱାଧୀନଭର୍ତ୍ତୃକା ହେବୁ ମୁଁ ସର୍ବଦା ତୋର କଥା ମାନି ରହିବି ।’’

 

୧୦ମ ପଦ :- ‘‘ଚନ୍ଦ୍ର ସତାଇଶଗୋଟି ନକ୍ଷତ୍ରର ପତି ହେଲେ ସୁଦ୍ଧା ରୋହିଣୀ ତାଙ୍କର ପ୍ରିୟବତୀ ନାୟିକା ଅଟନ୍ତି । ସେହିପରି ମୋର ଅନେକ ସ୍ତ୍ରୀ ଥିଲେ ସୁଦ୍ଧା ତୁ ପ୍ରିୟବତୀ ରମଣୀ ହେବୁ । ରେ ସୁନ୍ଦରୀ ! ତୁ ବିମନା ହୁଅନାହିଁ । ମୁଁ ନିୟମ କରି କହୁଛି, ତୁ ଯାହା କରିବୁ ସେଥିରେ ମୋର ଆନନ୍ଦ ହେବ ।’’

 

ବାଣୀ ବାଣ ମୋହର ହୋଇଲା            ବ୍ୟଥା ସୀତାଙ୍କୁ ଦେଲା ଜାଣିଲା ।

ବେଦମତୀମତି ନ ପୁଣ ଯୁବତୀ ଶାପଦେବ ଏ ଭୟେ ଉଠିଲା ସେ ।

ବିଂଶାକ୍ଷ ।୧୧ ।

ବୋଇଲା ସେ ଏମାସେ ରମଣି            ବଲ୍ଲଭକୁ ନ ପାରିଲେ ଆଣି ।

ବିଧିବି ଅବଧି ଚନ୍ଦ୍ରହାସ ଘେନି ଚନ୍ଦ୍ରହାସଶୋଭି ଥାଅ ଜାଣି ରେ ।

ବରାଙ୍ଗି ।୧୩ ।

ବାହୁଡ଼ିଲା ଯେ ସକ୍ରୋଧ ହୋଇ            ବାଟେ ରାକ୍ଷସୀମାନଙ୍କୁ କହି ।

ବଶ ତ ନୋହିଲା ସ୍ନେହରେ କହନ୍ତେ ଏବେ ରହରେ ଭୟ ଦେଖାଇ ସେ ।

ବାମାକୁ ।୧୪ ।

ବୋଲୁଁ ବାହୁଡ଼ିଣ ନିଶାଚରୀ             ବେଢ଼ି ଭୟଙ୍କର ରୂପ ଧରି ।

ବାଣ୍ଟି ପଳ ପଳ କରି ଏହା ପଳ ଶିରେ ଉପଳ ତାଡ଼ ପ୍ରତାରି ସେ ।

ବାମାଏ ।୧୫ ।

 

୧୧ଶ ପଦ :- ‘ମୋର କଥା ଶର ପରି ସୀତାଙ୍କୁ କଷ୍ଟ ଦେଲା’ ରାବଣ ଏହା ଜାଣିପାରି କାଳେ ଏହି ଯୁବତୀ ବେଦମତୀ ପରି ପୁଣି ଶାପ ଦେବ ଏହା ଭାବି ଭୟରେ ଶୀଘ୍ର ଉଠିଗଲା ।

୧୨ଶ ପଦ :- ଚନ୍ଦ୍ରହସ-ଖଡ଼୍‌ଗ । ଚନ୍ଦ୍ରହାସଶୋଭା-ଶୁକ୍ଳ ହାସିନୀ ସୀତେ ।

୧୨ଶ ପଦ :- ସେ ଯିବା ସମୟରେ ଏହି ସବୁ କଥା କହିଗଲା । ‘‘ରେ ରମଣୀ ! ଏହି ମାସ ମଧ୍ୟରେ ଯଦି ତୋର ପତିକୁ ଆଣିନପାରିବୁ, ତାହା ହେଲେ ତୋତେ ନିଶ୍ଚୟ ଖଣ୍ଡା ଧରି ହାଣିବି । ରେ ଶୁଭ୍ରହାସିନୀ ସୁନ୍ଦରୀ ଏହା ଜାଣିଥା ।’’

୧୩ଶ ପଦ :- ‘‘ରେ ସୁନ୍ଦରୀ ! ଭିକ୍ଷୁକ ବହୁମୂଲ୍ୟ ମଣି ମାଣିକ୍ୟ ପ୍ରଭୃତି ଯଦି ହାତରେ ବାନ୍ଧି ନିଜ ନିକଟରେ ରଖିଥାଏ ଏବଂ ସେହି ରତ୍ନ ଯଦି ଚୋର ହାତରେ ପଡ଼େ, ତାହା ହେଲେ ସେହି ମଣି ମାଣିକ୍ୟକୁ ଭିକ୍ଷୁକର ତାଠାରୁ ବଳପୂର୍ବକ ଆଣିବାର ଶକ୍ତି ଥାଏ କି ? ସେହିପରି ରାମ ମୋଠାରୁ ତୋତେ ନେଇପାରିବ ନାହିଁ ।’’

୧୪ଶ ପଦ :- ରହରେ-ଏକାନ୍ତରେ । ବାମକୁ-ସ୍ତ୍ରୀକୁ (ସୀତାକୁ)

୧୪ଶ ପଦ :- ରାବଣ ଏପରି କହି କ୍ରୋଧରେ ଫେରି ଗଲାବେଳେ ବାଟରେ ରାକ୍ଷସୀମାନଙ୍କୁ କହିଲା, ‘‘ମୁଁ ସ୍ନେହରେ ଯେତେ କହିଲେ ସୁଦ୍ଧା ସେ ମୋ କଥା ମାନିଲା ନାହିଁ । ଏବେ ତୁମ୍ଭେମାନେ ଏକାନ୍ତରେ ଭୟ ଦେଖାଇ ସେହି ସୁନ୍ଦରୀକୁ ମୋର ବଶ କରାଅ । ଅଥବା ରେ ରାକ୍ଷସୀମାନେ ! ଏବେ ତାକୁ ଭୟ ଦେଖାଇ ସେଠାରେ ରହ ।’’

୧୫ଶ ପଦ :- ନିଶାଚରୀ-ରାକ୍ଷସୀମାନେ । ପଳ-ମାଂସ । ଉପଳ-ପଥର ।

୧୫ଶ ପଦ ;- ରାବଣ ଏପରି କହି ଚାଲିଯିବାରୁ ରାକ୍ଷସୀମାନେ ଭୟଙ୍କର ରୂପ ଧରି ସୀତାଙ୍କୁ ବେଢ଼ିଗଲେ । ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ‘‘ହେ ସ୍ତ୍ରୀମାନେ ! ମୁଣ୍ଡରେ ପଥର ଛେଚି ଏହାକୁ ମାରି ପକାଅ ଏବଂ ଏହା ମାଂସକୁ ପଳ ପଳ କରି ବାଣ୍ଟ ।’’

 

ବଶ ନୋହେ ଏ ରାଜାଧିରାଜେ             ବଡ଼ପଣ ଦେଖାଇଛି ଧୈର୍ଯ୍ୟେ

ବାୟସୀ ହଂସ ପ୍ରେୟସୀ ଯୋଗ କାହିଁ ବର୍ଣ୍ଣ ଅସିତ ସିତ କି ଭଜେ ଗୋ ।

ବାମାଏ ।୧୬ ।

 

 

ବ୍ୟବହାର ଏହା ଶୁକ ପରି             ବିଳସନ୍ତା ସୁବର୍ଣ୍ଣ ପଞ୍ଜରୀ

ବନ ଭବନ ଭାବନା ଏକା କରେ ଭଲା ପଢ଼ାଇଛି ଜଟାଧାରୀ ।

ଗୋ ବାମାଏ ।୧୭ ।

 

 

ବୋଲୁଅଛି ଏକା ରାମ ରାମ             ବନ୍ଦିମୋକ୍ଷଣେ ହେବ କି କ୍ଷମ

ବିବେକ ପ୍ରଚରୀ ପକ୍ଷୀ ବନଚାରୀ ବାଇ ପଶୁ ଚାରି ଏ ସୁଷମ ଗୋ ।

ବାନ୍ଧବୀ ।୧୮ ।

 

 

ବୋଧି ତ୍ରିଜଟା ତାହାଙ୍କ ରଖି             ବୋଲେ ସୀତା ସୀତାଂଶୁସୁମୁଖୀ

ବରୁଣଦିଗେ କି ତରୁଣ ଅରୁଣ ଉଦେ ହୋଇଛି କେ ଅଛ ଦେଖି ଗୋ ।

ବାମାଏ ।୧୯ ।

 

 

ବିକଶିଛି କି ଶିଖରିଶିଖେ             ବିନା ଜଳରେ ପଦ୍ମ ତା ସୁଖେ

ବନ୍ଧନ ଆଶାବନ୍ଧରେ କି କୁଞ୍ଜର ଶୁଣା ପ୍ରବନ୍ଧ କି ମୁର୍ଖମୁଖେ ଗୋ ।

ବାମାଏ ।୨୦ ।

 

 

 

୧୬ଶ ପଦ :- ରାଜାଧିରାଜ-ସମ୍ରାଟ । ବାୟସୀ-କାକସ୍ତ୍ରୀ । ଅସିତ-କଳା । ସିତ-ଧଳା ।

 

୧୬ଶ ପଦ :- ଅନ୍ୟ ଜଣେ କହିଲା, ‘‘ଏ ରାଜାଧିରାଜ ରାବଣେଶ୍ୱରଙ୍କର ବଶ ନ ହୋଇ ଧୈର୍ଯ୍ୟ ଧରି ବଡ଼ପଣ (ସତୀତ୍ୱର ଗର୍ବ) ଦେଖାଉଛି କିନ୍ତୁ କାକୀ କେବେହେଲେ ହଂସର ପ୍ରିୟା ହୋଇପାରେ କି ? ଅଥବା କଳାରଙ୍ଗ କେବେ ହେଲେ ଧଳା ହୋଇପାରେ କି ? ହେ ସୁନ୍ଦରୀମାନେ ! ଏ ସେହିପରି ରାବଣର ଭାର୍ଯ୍ୟା ହେବାର ଅଯୋଗ୍ୟ ।’’

 

୧୭ଶ ପଦ :- ଆଉ କେହି କହିଲା, ‘‘ଏହାର ବ୍ୟବହାର ଠିକ୍ ଶୁଆପରି ଅଟେ । ଶୁଆ ସୁବର୍ଣ୍ଣ ପିଞ୍ଜରାରେ ବିଳାସ କଲେ ମଧ୍ୟ ଯେପରି କେବଳ ମନ କଥା ଭାବି ହେଉଥାଏ, ସେପରି ଏ ସୀତା । ହେ ସୁନ୍ଦରୀମାନେ ! ଶୁଆ ପୋଷିବା ଲୋକେ ଦେଇଥିବା ଶିକ୍ଷାକୁ ଯେପରି ଶୁଆ ଘୋଷି ହେଉଥାଏ, ସେହିପରି ସେ ଜଟାଧାର ଏହାକୁ ଭଲ ଶିକ୍ଷା ଦେଇଛି ଯେ, ଏ ସବୁବେଳେ ତାହା ଘୋଷୁଅଛି ।’’

 

୧୮ଶ ପଦ :- ପୁଣି କହିଲା ‘‘ଏତ ସବୁବେଳେ ଶୁଆ ପରି ରାମ, ରାମ, ବୋଲୁଅଛି, ସେହି ରାମ କଣ ସତେ ଏହାକୁ ବନ୍ଦୀରୁ ମୁକ୍ତ କରିବାକୁ ସକ୍ଷମ ହେବ ? (ପିଞ୍ଜରା ବଦ୍ଧ ଶୁକ ରାମ ନାମ ଧରି କେବେ ହେଲେ ପିଞ୍ଜରାରୁ ମୁକ୍ତ ହେବାର ଦେଖା ନାହିଁ) । ମୋ ବିଚାରରେ ପକ୍ଷୀ, ବନବାସୀ, ପାଗଳ ଓ ପଶୁ ଏମାନେ ସମାନ (ଅର୍ଥାତ୍ ଏମାନଙ୍କର ଭଲ ମନ୍ଦ ବାରିବା ଶକ୍ତି ନାହିଁ) । ଏଣୁ ଏ ରାବଣକୁ ଛାଡ଼ି ରାମ ରାମ ଭଜୁଛି ।’’

 

୧୯ଶ ପଦ :- ରାକ୍ଷସୀମାନେ ଏହିପରି କହୁଥିବାର ଶୁଣି ତ୍ରିଜଟା ସେମାନଙ୍କୁ ବୁଝାଇ ତୁନି କରାଇଲା । ତତ୍ପରେ ଚନ୍ଦ୍ରମୁଖୀ ସୀତା କହିଲେ, ‘‘ଆଗୋ ସୁନ୍ଦରୀମାନେ ! କେବେହେଲେ ପଶ୍ଚିମ ଦିଗରେ ସୂର୍ଯ୍ୟ ଉଦୟ ହେବାର ଦେଖିଛ କି?’’

 

୨୦ଶ ପଦ :- ଶିଖରୀ ଶିଖେ - ପର୍ବତ ଶୃଙ୍ଗରେ । ଆଶାବନ୍ଧରେ-ବୁଢ଼ିଆଣୀ ସୂତାରେ । କୁଞ୍ଜର-ହସ୍ତୀ ।

୨୦ଶ ପଦ :- ‘‘ହେ ସୁନ୍ଦରୀମାନେ ! ଜଳବିନା ପର୍ବତ ଉପରେ ପଦ୍ମ କେବେ ହେଲେ ସ୍ୱଇଚ୍ଛାରେ ଫୁଟିଛି କି ? ବୁଢ଼ୀଆଣି ସୂତାରେ କେବେ ହସ୍ତୀ ବନ୍ଧା ଯାଇପାରେ କି ? ମୁର୍ଖ ଲୋକର ମୁଖରୁ କେବେ ହେଲେ ଶାସ୍ତ୍ର ଶୁଣାଯାଏ କି?

 

ବଳିପଡ଼ି ବା ଏମାନ ହେବ                   ବଇଦେହୀ ଚିତ୍ତ ନ ଟଳିବ

ବିନା ଶ୍ରୀରାମରେ କୋଟିଏ କାମରେ ଏ ତ ପାମରେ କି ସମ୍ଭବିବ ଗୋ ।

ବାମାଏ ।୨୧ ।

 

 

ବୋଲି ମଉନ ଜାନକୀ ହେଲେ            ବିଭାବରୀ ଶେଷ ଏହିକାଳେ

ବିରଞ୍ଚି ନାରଦ ତୁମ୍ବୁରୁ ଲଙ୍କାରେ ସେବା ବିରଚିବାକୁ ଆସିଲେ ସେ ।

ବେଗରେ ।୨୨ ।

 

 

ବେଦ ବୀଣା ସ୍ତୁତି ଆରମ୍ଭଣେ                  ବୋଲେ ଦ୍ୱାସ୍ଥ କେଉଁ ବଡ଼ପଣେ

ବିଷୟ ନ ଜାଣି ହୁଅ କଳକଳ ରହ ସକଳେ ମଉନେ କ୍ଷଣେ ହେ ।

ବିବୁଧେ ।୨୩ ।

 

 

ବିଷେ କି ବୋଲୁଁ ବୋଲେ ତ୍ୱରିତ            ବ୍ୟାଧି ରାଜା ଅନ୍ତର୍ଗତେ ଜାତ

ବୈଦେହୀ ପାଚନ ରସ ରତ୍ନାକର ବିରଚନକୁ ଅର୍ଚ୍ଚିତ ଚିତ୍ତ ହେ ।

ବିବୁଧେ ।୨୪ ।

 

 

ବ୍ରହ୍ମା ବୋଲେ ତେବେ ସନ୍ନିପାତ            ବିନାଶନେ ତେଜ ହୁଏ ସତ

ବିହିଲ ଭଙ୍ଗୀ ତ ନ ବୁଝି ଇଙ୍ଗୀତ ଜାଣ ପରା ସଙ୍ଗୀତ ସାହିତ୍ୟ ହେ ।

ବିଧାତା ।୨୫ ।

 

 

 

୨୧ଶ ପଦ :- ବଇଦେହୀ-ସୀତା । ପାମର-କୁତ୍ସିତ ।

୨୧ଶ ପଦ :- ‘‘ଆଗୋ ସୁନ୍ଦରୀଏ ! ଏହି ମୋର କହିଥିବା କଥାସବୁ ଅବା ସମ୍ଭବ ହୋଇପାରେ (ଅର୍ଥାତ୍ ମଣି, ମନ୍ତ୍ର ଓ ଔଷଧି ବଳରେ କିଏ କରି ଦେଇପାରେ) କିନ୍ତୁ ସୀତାର ଚିତ୍ତ ରାମଙ୍କ ବ୍ୟତୀତ କୋଟିଏ ସଂଖ୍ୟକ କନ୍ଦର୍ପମାନଙ୍କଠାରେ ଅର୍ଥାତ୍ କୋଟି କନ୍ଦର୍ପଜିତ ସୁନ୍ଦର ପୁରୁଷଠାରେ ମଧ୍ୟ ଭୁଲିବ ନାହିଁ । ତେବେ ଏହି ନୀଚଠାରେ ଭୁଲିଯିବାର ସମ୍ଭବ ହୋଇପାରେ କି ?’’

୨୨ଶ ପଦ :- ସୀତା ଏତିକି କହି ମଉନ ହେଲେ । ଏହି ସମୟରେ ରାତି ଶେଷ ହେବାରୁ ବ୍ରହ୍ମା, ନାରଦ ଓ ତୁମ୍ବ୍ରରୁ (ଗର୍ବେ ବାଦକ) ଏମାନେ ନିଜ ନିଜର ସେବାରେ ଯୋଗ ଦେବା ପାଇଁ ଲଙ୍କାକୁ ଆସିଲେ ।

୨୩ଶ ପଦ :- ଏମାନେ ରାଜଦ୍ୱାରରେ ଉପସ୍ଥିତ ହୋଇ ବେଦ ପାଠ, ବୀଣା ବାଦନ ଓ ସ୍ତୁତିଗାନ କରିବାକୁ ଆରମ୍ଭ କରନ୍ତେ ଦୌବାରିକ କହିଲା, ‘‘ହେ ଦେବତାମାନେ ! ତୁମ୍ଭେମାନେ ବର୍ତ୍ତମାନ ରାଜନବରର ହାଲ ଚାଲ ନ ଜାଣି କେଉଁ ବଡ଼ପଣ ବଳରେ କୋଳାହଳ କରୁଅଛ ? ସମସ୍ତେ କ୍ଷଣେ ତୁନି ହୋଇ ରହ ।’’

୨୪ଶ ପଦ :- ବୈଦେହୀ-ସୀତା, ପିପୁଳୀ ।

୨୪ଶ ପଦ :- ସେହି ଦେବତାମାନେ ଦ୍ୱାରୀ ଠାରୁ ଏହି କଥା ଶୁଣି କଥା କ’ଣ ବୋଲି ହଠାତ୍ ପଚାରିବାକୁ ସେ କହିଲା, ‘‘ହେ ଦେବତାମାନେ ! ରାଜାଙ୍କର ‘ଅନ୍ତବ୍ୟାଧି’ ପେଟଭିତରେ ରୋଗ ହେବାରୁ ସେ ‘ବୈଦେହୀ ପାଚନ’ ପିପ୍‌ଳୀ କ୍ୱାଥ ଏ ରସ ରତ୍ନାକର ନାମକ ଔଷଧ ପ୍ରସ୍ତୁତ କରି ଖାଇବା ପାଇଁ ମନରେ ଅନୁରାଗ ପ୍ରକାଶ କରୁଅଛନ୍ତି ।’’

ଇଙ୍ଗିତାର୍ଥ- ରାଜା କାମବ୍ୟାଧି ପ୍ରପୀଡ଼ିତ ହୋଇ ସୀତାଙ୍କଠାରୁ କିପରି ଅଧିକ ରତିସୁଖ ପାଇବେ ଏହା ଚିନ୍ତା କରୁଛନ୍ତି।

୨୫ଶ ପଦ :- ଏହା ଶୁଣି ବ୍ରହ୍ମା କହିଲେ, ‘‘ତେବେ ତାଙ୍କର ସନ୍ନିପାତ ରୋଗ ହେଲା । ଉପଯୁକ୍ତ ଔଷଧ ନ ଖାଇଲେ, ରୋଗର ତେଜ ବୃଦ୍ଧି ହୁଏ, ଏହା ସତ୍ୟ ।’’

ଇଙ୍ଗିତାର୍ଥ- ‘‘ତେବେ ତାଙ୍କର ‘ତେଜ’ ପ୍ରତାପ ଧ୍ୱଂସ ହେବାର ସମୟ ହେଲା । ପ୍ରତାପ କମିଲେ, ‘ସନ୍ନିପାତ’ ବଂଶ ନାଶ ହୁଏ, ଏହା ସତ୍ୟ ।’’

ବ୍ରହ୍ମାଙ୍କ କଥା ଶୁଣି ଦ୍ୱାରୀ କହିଲା, ‘‘ହେ ବିଧାତା ! ଆପଣ ପରା ସଙ୍ଗୀତ ଓ ସାହିତ୍ୟ ଜାଣନ୍ତି, ତାହା ହେଲେ ମୋର ଅଭିପ୍ରାୟ ନ ବୁଝି କାହିଁକି ଉପହାସ କଲେ ?’’ (ଏହି ଉକ୍ତିରୁ ଜଣାଗଲା ଯେ, ବ୍ରହ୍ମା ଦ୍ୱାରୀର ଅଭିପ୍ରାୟ ବୁଝିଲେ ମାତ୍ର ଦ୍ୱାରୀ ବ୍ରହ୍ମାଙ୍କର ଅଭିପ୍ରାୟ ବୁଝି ନ ପାରି ଏପରି କହିଲା) ।

 

ବିଧ୍ୱଂସନ ତମସ କ୍ରମଶେ            ବିକର୍ତ୍ତନ ଉଦେ ହୋଇ ଆସେ

ବିଶ୍ୱଚତୁରୀ ଉକୁଟାଇ କସ୍ତୁରୀ ଘେନେ କୁଙ୍କୁମ ଚାତୁରୀବଶେ ସେ ।

ବିଗ୍ରହେ ।୨୬ ।

ବୃଷା ବାହାର ଚଢ଼ି କୁଞ୍ଜର            ବ୍ୟକତ କି ତା ଶିର-ସିନ୍ଦୂର ।

ବହେ ରଙ୍ଗାମ୍ବର ଛତ୍ର ଆଡ଼ମ୍ବରେ ଅମ୍ବରେ କି ଦିଗପରିଚାର ସେ ।

ବିରାଜେ ।୨୭ ।

ବାହାରିଲେ ଐନ୍ଦ୍ରିୟେ ଆନନ୍ଦ            ବାଳେ ଦେବାଳୟେ ଶଙ୍ଖବୃନ୍ଦ ।

ବଞ୍ଚିଲେ କ୍ରୋଡ଼େ ଲୁଚିଲେ ରାତ୍ରିଚରେ ନ ମୁଞ୍ଚିରେ କଦା ଭୟ ହୃଦ ସେ ।

ବାସରେ ।୨୮ ।

ବୀକ୍ଷଣ ଏ ସମୟକୁ କଲେ            ବିଭକ୍ଷଣେ ମନ ବଳାଇଲେ ।

ବିଗତ କର୍ବୁରୀ ପୂଗତ ଜଗତରଞ୍ଜନୀର ପାରୁଶରୁ ହେଲେ ସେ ।

ବେଗରେ ।୨୯ ।

ବୃଦ୍ଧଗଣ୍ଡକୀ ନଦୀ ସ୍ନାନରେ            ବଳାଇଲେ ଚିତ୍ତ ତତ୍‌ପରେ ।

ବିଳମ୍ବ ଗମନ ପ୍ରଳମ୍ବକୁନ୍ତଳା ଅବଲମ୍ବ ଏହି ମନୋହରେ ସେ ।

ବୈଦେହୀ ।୩୦ ।

 

୨୬ଶ ପଦ :- ବିକର୍ତ୍ତନ-ସୂର୍ଯ୍ୟ । ତମସ-ଅନ୍ଧକାର । ବିଶ୍ୱ ଚତୁରୀ-ପୃଥିବୀରୂପା ସ୍ତ୍ରୀ । ବିଗ୍ରହେ-ଦେହରେ ।

୨୬ଶ ପଦ :- ଏହି ସମୟରେ ସୂର୍ଯ୍ୟ ଉଦୟ ହେବାରୁ ଅନ୍ଧାର ଆସ୍ତେ ଆସ୍ତେ ଲୋପ ପାଇଗଲା । ସେହି କାଳର ଦୃଶ୍ୟ ଦେଖି ମନେ ହେଲା, ସଂସାରରୂପା ଚତୁରୀ ରମଣୀ ଦେହରେ କସ୍ତୁରୀ ବୋଳି ହୋଇ ତାକୁ ଛଡ଼ାଇ ସାରି ଦେହରେ କାନ୍ତି ବର୍ଦ୍ଧନ କରିବା ନିମିତ୍ତ ଚତୁରତା ଦେଖାଇ କୁଙ୍କୁମ ଘେନୁଛି କି?

୨୭ଶ ପଦ :- ବୃଷା-ଇନ୍ଦ୍ର । କୁଞ୍ଜର - ହସ୍ତୀ (ଐରାବତ) ।

୨୭ଶ ପଦ :- ତତ୍ପରେ ସମ୍ପୂର୍ଣ୍ଣ ପ୍ରକାଶିତ ସୂର୍ଯ୍ୟମଣ୍ଡଳକୁ ଦେଖି ମନେ ହେଲା; ଇନ୍ଦ୍ର ହାତୀ ଉପରେ ଚଢ଼ି ବାହାରୁ ଥିବାରୁ ସେହି ହାତୀର ମୁଣ୍ଡରେ ଥିବା ସିନ୍ଦୁର ଦେଖାଯାଉଛି କି ? କିମ୍ବା ଇନ୍ଦ୍ର ବିଜେ କରୁଥବାରୁ ତାଙ୍କର ବିଜୟବାର୍ତ୍ତା ପ୍ରଚାରକ ଦିଗ ରୂପ ଭୃତ୍ୟ ରଙ୍ଗ ଲୁଗାନିର୍ମିତ ଛତ୍ରକୁ ଆଡ଼ମ୍ବର ପୂର୍ବକ ଆକାଶରେ ଧରିଛି କି ? ସେହିପରି ଦେଖା ଯାଉଛି ।

୨୮ଶ ପଦ :- ଐନ୍ଦ୍ରିଏ - କୁଆମାନେ । ଶଙ୍ଖବୃନ୍ଦ - ଶଙ୍ଖସମୂହ । ରାତ୍ରିଚରେ – ପେଚକାଦି ପକ୍ଷୀମାନେ । ବାସରେ - ଦିବସରେ, ବସାରେ ।

୨୮ଶ ପଦ :- ସୁର୍ଯ୍ୟୋଦୟ ହେବାରୁ କୁଆମାନେ ଆନନ୍ଦରେ ବାହାରିଲେ, ଦେବାଳୟମାନଙ୍କରେ ଶଙ୍ଖସବୁ ବାଜିଲା, ବୃକ୍ଷ କୋରଡ଼ରେ ପେଚାମାନେ ଲୁଚିଲେ ଏବଂ ଲୁଚି ରହିଲେ ସୁଦ୍ଧା ସେମାନଙ୍କଠାରୁ କେବେହେଲେ ଭୟ ତୁଟିଲା ନାହିଁ ।

୨୯ଶ ପଦ :- କର୍ବୁରୀପୁର - ରାକ୍ଷସୀମାନେ । ବୀକ୍ଷଣ - ଦେଖି । ବିଭକ୍ଷଣେ - ଖାଇବା ବିଷୟରେ । ଜଗତରଞ୍ଜନୀ - ଜଗନ୍ମୋହନୀ ।

୨୯ଶ ପଦ :- ଏହି ପ୍ରଭାତ ସମୟକୁ ଦେଖି ପକ୍ଷୀମାନେ ଖାଇବା ପାଇଁ ମନ ବଳାଇଲେ ଓ ଅସୁରୀମାନେ ଜଗନ୍ମୋହିନୀ ସୀତାଙ୍କ ନିକଟରୁ ଶୀଘ୍ର ଅନ୍ତର ହେଲେ ।

୩୦ଶ ପଦ :- ପ୍ରଳମ୍ବକୁନ୍ତଳା - ସୁଦୀର୍ଘକେଶୀ । ଅବଲମ୍ବ - ଧାରଣ ।

୩୦ଶ ପଦ :- ଦୀର୍ଘ କେଶୀ ସୀତା ସ୍ନାନ କରିବା ଇଚ୍ଛାରେ ବୃଦ୍ଧଗଣ୍ଡକୀ ନଦୀରେ ଧୀରେ ଧୀରେ ଗମନ କଲେ । ତାଙ୍କର ସେହି ଧୀର ଗତି ଏହି ଶୋଭାକୁ ଧାରଣ କଲା; -

 

ବିଶେଷିତ ଗର୍ଭାଳସୀ ହଂସୀ            ବନଜିନୀଦଳେ କି ବିଳସି ।

ବାହୁ ଲମ୍ବିତ କୁଚ ଚକ୍ର ଚୁମ୍ବିତ ମୃଣାଳକୁ ଏହି ଲକ୍ଷ ଆସି ସେ ।

ବୈଦେହୀ ।୩୧ ।

ବେଣୀ ଅଳପ ଚରମେ ଚଳେ।      ବସ ମୟୂରପୁଚ୍ଛ କି ଚାଳେ ।

ବେନି ଡୋଳା ହିଁ ନଚାହିଁଲା ଚାହିଁଲା କି ଶୋଇଲା ହୋଇ ଭୃଙ୍ଗ ଖେଳେ ସେ ।

ବାରିଜେ ।୩୨ ।

ବାର୍ଦ୍ଧିଜାତେ ଇନ୍ଦୁ ନିଷ୍କଲଙ୍କା            ବଦନରେ ଛାଡ଼ି କି ସେ ଶଙ୍କା

ବେଢ଼ିଲେ ଜଡ଼ିଲେ ଘୋଡ଼ିଲେ ଭାଲାର୍ଦ୍ଧ ବେଢ଼ି ଚକୋରପନ୍ତି ଅକାଳ ସେ ।

ବୈଦେହୀ ।୩୩ ।

ବିଚଳିତ ନାସା ଶ୍ୱାସ ବଳେ            ବସି ଉର୍ଦ୍ଧ୍ୱେକି ଶୁକ ଚଞ୍ଚଳେ

ବିମ୍ବାଧର ଶୁଷ୍କ ଧରଣୁ ଧରଷେ ନାହିଁ ଏହି ଉପଲକ୍ଷ ମିଳେ ସେ ।

ବୈଦେହୀ ।୩୪ ।

ବକ୍ଷୋଜ ତଳେ ରୋମାଳୀ ସାଧୁ            ବିଜନସ୍ଥାନ ହୃଦ ବିଶୁଦ୍ଧୁ

ବାହୁଡ଼େ ଶରଘା ଶରଧାରେ ଉରେ ସଞ୍ଚି ଅବା ରାମ-ପ୍ରେମ ମଧୁସେ ।

ବୈଦେହୀ ।୩୫ ।

 

୩୧ଶ ପଦ :- ବନଜିନୀଦଳେ - ପଦ୍ମ ପତ୍ରରେ । ମୃଣାଳ - ପଦ୍ମନାଡ଼ ।

୩୧ଶ ପଦ :- ଗର୍ଭ ଭାରରେ ଅତିଶୟ ବିଧୁରା ହୋଇଥିବା ହଂସୀ ପଦ୍ମପତ୍ରରେ କ୍ରୀଡ଼ା କରୁଛି କି ? ଏବଂ ତାଙ୍କର ବିଳମ୍ବିତ ବାହୁଦ୍ୱୟ ଓ ଉନ୍ନତ ସ୍ତନଦ୍ୱୟ ଦେଖି ମନେହେଲା, ଚକ୍ରବାକ ଓ ଚକ୍ରବାକୀ ମୁଖରେ ପଦ୍ମନାଡ଼ ଧରି ଅଛନ୍ତି କି ? (ଏଠାରେ ଚକ୍ରବାକ ଦମ୍ପତି ସହ ସ୍ତନ ଓ ମୃଣାଳ ସହ ବାହୁ ଉପମିତ ହେଲା) ।

 

୩୨ଶ ପଦ :- ଚରମେ - ପିଠିରେ । ଭୃଙ୍ଗ - ଭ୍ରମର । ବାରିଜେ - ପଦ୍ମଉପରେ ।

୩୨ଶ ପଦ :- ସୀତା ଚାଲୁଥିବା ବେଳେ ପୃଷ୍ଠଦେଶରେ ମନ୍ଦ ମନ୍ଦ ଦୋହଲୁଥିବା ବେଣୀକୁ ଦେଖି ମନେ ହେଲା, ମୟୁର ଏଠାରେ ବସି ତାର ଲମ୍ବ ପୃଚ୍ଛକୁ ଖେଳାଉଛି କି ? କେତେବେଳେ ଚାହିଁଲାପରି ଓ କେତେବେଳେ ନ ଚାହିଁଲା ପରି ଦେଖା ଯାଉଥିବା ଚକ୍ଷୁଦ୍ୱୟ ଦେଖି ମନେ ହେଲା, ଶୋଇଲାପରି ହୋଇଥିବା ଅର୍ଥାତ୍‌ ଅଳ୍ପ ଲଇଁ ପଡ଼ିଥିବା ପଦ୍ମ ଉପରେ ବସି ଭ୍ରମର କ୍ରୀଡ଼ା କରୁଛି କି ?

୩୩ଶ ପଦ :- ଇନ୍ଦୁ - ଚନ୍ଦ୍ର । ବାର୍ଦ୍ଧି - ସମୁଦ୍ର ।

୩୩ଶ ପଦ :- ଚୁର୍ଣ୍ଣକୁନ୍ତଳଦ୍ୱାରା ଘୋଡ଼ାଇ ହୋଇଥିବା ସୀତାଙ୍କର ଅର୍ଦ୍ଧାଂଶ ମୁଖମଣ୍ଡଳକୁ ଦେଖି ମନେ ହୁଏ, ଚନ୍ଦ୍ର ବର୍ତ୍ତମାନ କଳଙ୍କିତ ହୋଇଥିଲେ ସୁଦ୍ଧା ସମୁଦ୍ରର ଜନ୍ମ ହେବା ସମୟରେ ନିଷ୍କଳଙ୍କ ଥିଲେ । ଏହି କଥା ଚକୋରମାନେ ମନେ କରି, ସୀତାଙ୍କ ମୁଖକୁ ଦେଖି ଏହା ସେହି କଳଙ୍କଶୂନ୍ୟ ଚନ୍ଦ୍ର ବୋଲି ସ୍ଥିର କଲେ, ଏଣୁ ସେହି ଚକୋରମାନେ ଅଳକା ରୂପକୁ ଆଶ୍ରୟ କରି ଏହାଙ୍କ କପାଳର ଅର୍ଦ୍ଧଭାଗକୁ ଏକତ୍ରିତ ଆଚ୍ଛାଦନ କରି ରହିଅଛନ୍ତି କି?

୩୪ଶ ପଦ :- ସୀତା ଯାଉଥିବା ବେଳେ ପ୍ରଖର ନିଃଶ୍ୱାସ ବଶରୁ ତାଙ୍କର ନାକପୁଡ଼ା ଫୁଲି ଉଠୁଥିଲା ଏବଂ ଅଧର ଶୁଷ୍କ ହୋଇ ଯାଉଥିଲା; ଏଣୁ ତାହା ଦେଖି ଏହିପରି ଭାବନା ହେଲା, ଉପରେ ବସି ଶୂଆ ଆହାର ଇଚ୍ଛାରେ ଚଞ୍ଚଳ ହେଉଛି କି ? ଏବଂ ଅଧର ରୂପ ବିମ୍ବଫଳକୁ ଶୁଖିଲା ମନେ କରି ଥଣ୍ଟରେ ଧରିବାକୁ ଇଚ୍ଛା କରି ପୁଣି ପଶ୍ଚାତ୍‌ପଦ ହେଉଛି କି ?

୩୫ଶ ପଦ :- ବକ୍ଷୋଜ - ସ୍ତନ । ସାଧୁ - ମନୋହର । ଶରଘା - ମଧୁମକ୍ଷିକାସମୂହ ।

୩୫ଶ ପଦ :- ସୀତାଙ୍କର ସ୍ତନର ନିମ୍ନଦେଶରେ ଥିବା ମନୋହର ରୋମାବଳିକୁ ଦେଖି ମନେହୁଏ, ଏହାଙ୍କର ହୃଦୟକୁ ପରିଷ୍କୃତ ଓ ନିର୍ଜନ ଦେଖୀ ମହୁମାଛିମାନେ ରାମଚନ୍ଦ୍ରଙ୍କର ପ୍ରେମରୂପ ମହୁ ସଞ୍ଚିତ କରିବା ପାଇଁ ଆସି ଏଠାରେ ସ୍ତନରୂପ ମହୁଫେଣାକୁ ଶ୍ରଦ୍ଧାରେ ତିଆରି କରି ଫେରି ଯାଉଅଛନ୍ତି କି ?

ବିଲକ୍ଷି ଏମାନ ହନୁମାନ            ବିଚାରି ଏ ଅନୁମାନମାନ

ବିଶ୍ରମୁ ଏକ ତରୁତଳେ ତରୁଣୀ ଏଥି ଉତ୍ତାରୁ ଅମୃତ ପାନ ସେ ।

ବିହିଲେ ।୩୬ ।

ବୋଲେ ଦାଶରଥି ଚାପଧାରୀ             ବନ ଦଣ୍ଡକେ ପୁଣି ବିହରି

ବହେ ନାମ ରାମ ଶ୍ରୀରାମ ରାଘବ ରାମଚନ୍ଦ୍ର ରାମଭଦ୍ର କରି ସେ ।

ବିଧାତା ।୩୭ ।

ବନ୍ଧୁ ପ୍ରାଣର ପୃଥ୍ୱୀକୁମାରୀ            ବିସର୍ଜନ୍ତି କି ଦିବା ଶର୍ବରୀ

ବିଚକ୍ଷଣ ସେ ଲକ୍ଷଣରେ ରକ୍ଷଣ ଭ୍ରାତ ଲକ୍ଷ୍ମଣହିଁ ଅନୁସରି ହେ ।

ବିଧାତା ।୩୮ ।

ବାଳା ଗଳାମାଳା ହୋଇଥିଲା            ବିଚ୍ଛଦିଣ କେ ତା ଚୋରୀ କଲା

ବାରତା ଶ୍ରବଣ ରାବଣ ଦ୍ରବିଣ କ୍ରମେ ସୁଗ୍ରୀବ ସଂଯୋଗ ହେଲା ହେ ।

ବିଧାତା ।୩୯ ।

ବେନି ଚେତନକୁ ପ୍ରାଣ ଜାତ            ବିମଳିନେ ହୋଇଛି ମିଳିତ

ବୋଲନ୍ତି ତ ଜାଣୁ ରମଣୀମଣିକି ହୃଦେ ମଣି ଆଣିଲେ ଏ ସତ ହେ ।

ବିଧାତା ।୪୦ ।

 

୩୬ଶ ପଦ :- ହନୁମାନ ସୀତାଙ୍କର ଏହି ସବୁ ଅବୟବାଦିମାନଙ୍କୁ ଦେଖି ଅନୁମାନ ଦ୍ୱାରା ପୂର୍ବୋକ୍ତ ପ୍ରକାରେ ବିଚାରିଲା । ଯୁବତୀ ସୀତା ସ୍ନାନ ପରେ ଏକ ବୃକ୍ଷମୂଳରେ ବସି ହନୁ କହୁଥିବା ରାମକଥାମୃତ ପାନ କଲେ ।

 

୩୭ଶ ପଦ :- ହନୁମାନ କହିଲା, ‘‘ହେ ବିଧାତା ! ଯେ ଦଶରଥ ମହାରାଜାଙ୍କ ପୁତ୍ର, ଯେ ରାମ, ରାଘବ, ରାମଭଦ୍ର ଏହି ନାମମାନଙ୍କୁ ଧାରଣା କରି ଅଛନ୍ତି, ସେହି ରାମ ପୁଣି ଦଣ୍ଡକାରଣ୍ୟରେ ଧନୁଶର ଧରି ବୁଲୁଛନ୍ତି ।’’

 

୩୮ଶ ପଦ :- ‘‘ହେ ବିଧାତା ! ସୀତା ତାଙ୍କର ପ୍ରାଣେଶ୍ୱରୀ ଅଟନ୍ତି । ରାମ ତାଙ୍କୁ ଦିନ ରାତି କେତେବେଳେ ସୁଦ୍ଧା ନିକଟରୁ ଅନ୍ତର କରନ୍ତି ନାହିଁ । ଏକଦା ସେହି ରାମ ସର୍ବଲକ୍ଷଣରେ ମଣ୍ଡିତ ଭାଇ ଲକ୍ଷ୍ମଣଙ୍କର ଉପରେ ସୀତାଙ୍କର ରକ୍ଷାଭାର ଅର୍ପଣ କରି ମୃଗାନ୍ୱେଷଣରେ ବାହାରିଗଲେ ଏବଂ କିଛିକ୍ଷଣ ପରେ ଳକ୍ଷ୍ମଣ ମଧ୍ୟ ତାଙ୍କୁ ଅନୁସରଣ କଲେ ।’’

 

୩୯ଶ ପଦ :- ଦ୍ରବିଣ - ପରାକ୍ରମ, ସ୍ୱର୍ଣ୍ଣଦି ବିତ୍ତ ।

 

୩୯ଶ ପଦ :- ‘‘ହେ ବିଧାତା ! ସେହି ସୀତା ତାଙ୍କର ଗଳାମାଳା ହୋଇଥିଲେ । ଚୋର ଗଳାରୁ କାଟି ମାଳା ନେଲା ପରି କୌଣସି ଲୋକ ଏହି ସମୟରେ ବିଯୋଗ ଘଟାଇ ସୀତାଙ୍କୁ ଚୋରି କରି ନେଲା । ତାହା ପରେ ରାବଣ ଚୋରାଇ ନେଲା ଏହି ବାର୍ତ୍ତା ଶୁଣାଗଲା । କ୍ରମେ ସୁଗ୍ରୀବ ରାମଙ୍କୁ ‘ଦ୍ରବିଣ’ ସୀତା ପକାଇ ଦେଇଥିବା ଅଳଙ୍କାର ଦେଲା ଓ ନିଜେ ‘ଦ୍ରବିଣ’ ରାଜ ସମ୍ପତ୍ତି ପାଇଲା ।’’

 

୪୦ଶ ପଦ :- ‘‘ହେ ବିଧାତା ! ବର୍ତ୍ତମାନ ଏହି ଦୁହିଙ୍କୁ ନିର୍ମଳ ଭାବରେ ମିଳିତ କରାଇବା ନିମିତ୍ତ ‘ପ୍ରାଣଜାତ’ ବାୟୁପୁତ୍ର ଅର୍ଥାତ୍‌ ମୁଁ ‘ପ୍ରାଣଜାତ’ ପଞ୍ଚପ୍ରାଣ ପରି ଏଠାରେ ମିଳିତ ହୋଇଅଛି । (ଅର୍ଥାତ ବିଚ୍ଛେଦ ଯୋଗୁଁ ଏ ଦୁହେଁ କେହି କାହାରି କଥା ଜାଣି ନ ଥିବାରୁ ମୃତ ପରି କର୍ତ୍ତବ୍ୟଶୂନ୍ୟ ହୋଇ ରହିଛନ୍ତି, ମୁଁ ଏହାଙ୍କର ବାର୍ତ୍ତା ତାଙ୍କୁ ଓ ତାଙ୍କର ବାର୍ତ୍ତା ଏହାଙ୍କୁ ଦେଇ ପ୍ରାଣଯୁକ୍ତ କରାଇବି) ।’’ ଏ ସଂସାରରେ ରମଣୀମାନଙ୍କ ଯାହା ମଣି ବୋଲି କହନ୍ତି ତା ଠିକ୍‌ । କାରଣ ସୀତା ସ୍ତ୍ରୀ ଶ୍ରେଷ୍ଠା ହୋଇଥିବାରୁ ଏ କଥାକୁ ସତ ବୋଲି ମଣିଲେ (ଅର୍ଥାତ୍‌ ହନୁମାନର ଏହି ସବୁ କଥା ଶୁଣି ରାମଙ୍କ ନିକଟରୁ କିଏ ଆସିଲା ବୋଲି ଭାବିଲେ ) ।

 

ବାଳୀ ମୃତପିଣ୍ଡ ହୋଇଥିଲା            ବଚ ସଞ୍ଜୀବନୀମନ୍ତ୍ର ହେଲା

ବହିଲା ଜାଡ଼ୀ ଶୁକକଣ୍ଠେ ରହିଲା ନାହିଁ କହିବାର ଆରମ୍ଭିଲା ସେ ।

ବୈଦେହୀ ।୪୧ ।

ବାବୁ କେ ତୁମ୍ଭେ ପାଶକୁ ଆସ            ବେଗେ ପୂର୍ଣ୍ଣକର ମୋର ଆଶ

ବଚନ ସଳିଳ ସେଚନ ରଚନ ତାପ ମୋଚନକୁ ହେଲା ଲେଶ ସେ ।

ବିଶେଷ ।୪୨ ।

ବପୁବନ୍ତ ଦୁର୍ଲ୍ଲଭ ମର୍କଟ      ବିଲୋକିଣ ହୁଅନ୍ତେ ପ୍ରକଟ

ବିଚାରେ ଲମ୍ପଟ ଏ ନିଶ୍ଚେ କପଟ ବହେ ଅମୂଲ୍ୟ ପଟମୁକୁଟ ଏ ।

ବାନର ।୪୩ ।

ବହି ସ୍ଥକିତ ନ କହୁଁ ଗୀର        ବିଚାରିଲି ସେ ପାବନି ଧୀର

ବୋଲେ ସୁରରାମାଧିକ ସୁକୁମାରଅଙ୍ଗି ବାତକୁମର ମୁଁ ସୁର ଗୋ ।

ବୈଦେହୀ ।୪୪ ।

ବସନରେ ରଖିଥିଲା ମୁଦି       ବସ୍ତ୍ର ପାଞ୍ଚି ଫେଡ଼ି ଦେଲା ମୁଦୀ

ବେଗରେ ଅଦରେ ଶିରେ ଥୋଇ ଦରେ ଚୋରୀ କଲା ହୃଦୟରେ ସମ୍ପାଦି ସେ ।

ବୈଦେହୀ ।୪୫ ।

 

୪୧ଶ ପଦ :- ସୀତା ବିରହ ଯୋଗୁଁ ମୃତପିଣ୍ଡପରି ହୋଇଥିଲେ, ହନୁମାନ ପୂର୍ବୋକ୍ତ କଥା ସବୁ ଜୀବନ୍ୟାସ ମନ୍ତ୍ର ପରି ତାହାଙ୍କର ସେହି ପିଣ୍ଡରେ ଜୀବନସଞ୍ଚାର କଲା (ଅର୍ଥାତ୍‌ ହନୁର କଥା ଶୁଣି ସେ ସଚେତ ହେଲେ ) । ବିରହ ଯୋଗୁଁ ତାଙ୍କର କଣ୍ଠ ଶୁଷ୍କ ହୋଇ ଯେଉଁ ଜଡ଼ତାକୁ ଧରିଥିଲା, ତାହା ଦୂର ହେବାରୁ ସେ କଥା କହିବାକୁ ଆରମ୍ଭ କଲେ (ଅର୍ଥାତ୍‌ ହନୁମାନର କଥା ଶୁଣି ସେ ବିରହ ଦୁଃଖରୁ କିଛି ସମୟ ମୁକ୍ତି ଲାଭ କରିବାରୁ, ସେହି ବିରହଜନିତ ଜଡ଼ତା ବିଦୂରିତ ହେଲା; ଏଣୁ ସେ କଥା କହିବାକୁ ସମର୍ଥ ହେଲେ) ।

 

୪୨ଶ ପଦ :- ସୀତା ହନୁମାନଙ୍କ କହିଲେ, ‘‘ବାବୁ ! ତୁମ୍ଭେ କିଏ ? ମୋ ନିକଟକୁ ଆସ ଏବଂ ଶୀଘ୍ର ମୋର ଆଶା ପୂର୍ଣ୍ଣକର । ତୁମ୍ଭର କଥାସବୁ ଜଳ ସିଞ୍ଚିଲା ପରି ମୋ ହୃଦୟସ୍ଥ ଘୋର ତାପକୁ କିୟତ୍‌ ପରିମାଣରେ ଦୁର କରିଅଛି ।’

 

୪୩ଶ ପଦ :- ତତ୍ପରେ ହନୁମାନ ଗୋଟିଏ ପରମସୁନ୍ଦର ବାନରରୂପ ଧାରଣ କରିବାର ଦେଖି ସୀତା ବିଚାରିଲେ ‘‘ଏ ନିଶ୍ଚୟ କପଟବେଶଧାରୀ ଲମ୍ପଟି ରାବଣ, ନ ହେଲେ ବାନର କେବେ ବହୁ ମୂଲ୍ୟବାନ ପାଟ ନିର୍ମିତ ମୁକୁଟ ଧାରଣ କରିଥାଏ କି ?’’

୪୪ଶ ପଦ :- ଗିର - କଥା । ଧୀର - ପଣ୍ଡିତ । ପାବନି - ହନୁମାନ । ବାତକୁମର - ହନୁମାନ ।

 

୪୪ଶ ପଦ :- ଏହିପରି ଭାବି ସୀତା କିଛିମାତ୍ର ନ କହି ସ୍ଥିର ହୋଇ ରହିଲେ । ହନୁମାନ କହିଲା, ‘ହେ କନ୍ଦର୍ପ ପ୍ରିୟାଠାରୁ ଅଧିକ ସୁକୁମାରୀ ସୀତେ; ମୁଁ ପବନପୁତ୍ର ହନୁମାନ, ଜାଣ ।’

 

୪୫ଶ ପଦ :- ସୀତା ମୋତେ କିପରି ବିଶ୍ୱାସ କରିବେ ଏହି କ

ଥାକୁ ବିଚାରି ହନୁମାନ ଲୁଗାରେ ବାନ୍ଧି ରଖିଥିବା ମୁଦ୍ରିକାକୁ ଫିଟାଇ ତାଙ୍କୁ ଦେଲା । ସୀତା ସେହି ମୁଦ୍ରିକାକୁ ଆଦରର ସହିତ ଅତି ଶୀଘ୍ର ନେଇ ମୁଣ୍ଡରେ ଲଗାଇଲେ ଏବଂ ଭୟାତୁରା ହୋଇ ମନେ ମନେ ଭାବିଲେ, ‘‘ଏ କପଟୀ ବାନର ରୁପଧାରୀ ରାବଣ ମୁଦିଟିକି ଚୋରାଇ ଆଣିଲା କି ?’’

 

ବୋଲ ଦେଲା ତହିଁ ହନୁମନ୍ତ            ବିଖ୍ୟାତିବା କହିବା ଗୁପତ

ବିରସ ହରଷ ବିବାଦ ସାରସ ଆନନ୍ଦରେ କରାଇଲା ଜାତ ସେ ।

ବାତଜ ।୪୬ ।

ବାଦେ କ୍ରୀଡ଼ଁ ଚିତ୍ରକୂଟାଚଳେ            ବିହୁଁ ଗଇରିକେ ଚିତା ଭାଲେ

ବିଜନ୍ୟ ଭୟରେ କୀଶନିଚୟରେ ଲଗାଇଛ ପ୍ରିୟ ବକ୍ଷସ୍ଥଳେ ଗୋ ।

ବୈଦେହୀ ।୪୭ ।

ବାସକରେ ଅବନୀଶୋଭି            ବିଞ୍ଚି ଜଗିଥିଲି ମୃଗନାଭି

ବଳରେ ମିଥ୍ୟା କି କବଳ ଅର୍ଥରେ ବିମ୍ବାଧରେ କ୍ଷତ କଲା ଲୋଭୀ ସେ ।

ବାୟସ ।୪୮ ।

ବଲ୍ଲଭହିଁ କହିଛନ୍ତି କାହିଁ            ବିଘାତିକ ପଦ ହେଲା ଯହିଁ

ବୋଲ ମିଥ୍ୟା ଏ ସେ ଶବଦ ବଦନେ କହିବାକୁ ମୁଁ ସ୍ତବ୍‌ଦ ହୋଇ ଗୋ ।

ବୈଦେହୀ ।୪୯ ।

ବିଭା ଦିନାନ୍ତେ ମଧୁଶୟନେ            ବିଧନନ ନ ରଚୁଁ ସୁମନେ

ବିଧି କରିଛ ନବୀନା ରାମ ବିନା ବିନ୍ୟାସିବ ନାହିଁ ଚିତ୍ତ ଆନେ ଗୋ ।

ବୈଦେହୀ ।୫୦।

ବୋଲେ ନିଃସଂଶୟ ସୀତା ଗିର      ବିଶ୍ୱାସୀ ତୁ ବଡ଼ ପ୍ରଭୁଙ୍କର

ବୋଇଲୁ ନାହିଁ ତ ସେ କଥା ବିହିତ ସାକ୍ଷୀ ରହିତ କେ ସେ ସ୍ଥାନର ହେ ।

ବାତଜ ।୫୧।

 

୪୬ଶ ପଦ :- କୀଶନୀଚୟ - ମର୍କଟସମୂହ । ବିଜନ୍ୟ - ଜାତ ।

୪୬ଶ ପଦ :- ମୁଦି ଦେଖି ସୁଦ୍ଧା ସୀତାଙ୍କର ତା ଠାରେ ବିଶ୍ୱାସ ନ ଜନ୍ମିବାର ଜାଣିପାରି ହନୁମାନ କହିଲା, ‘‘ଆଚ୍ଛା ତୁମ୍ଭ ପତି ମୋ ଆଗରେ କହିଥିବା ସମସ୍ତ ଗୁପ୍ତକଥା ପ୍ରକାଶ କରିବି ।’’ ସେ ଏହା କହି ସୀତାଙ୍କ ପଦ୍ମ ମୁଖରେ ହସ ଓ ବିଷାଦର କାଳିମା ଜାତ କରାଇଲା । (ଗୁପ୍ତକଥା ଶୁଣିବା ପାଇଁ ସୀତା ଆନନ୍ଦିତା ହେଲେ ଓ ରାବଣ କାଳେ କପଟ କରିଥିବ ଭାବି ଦୁଃଖିତା ହେଲେ ) ।

୪୭ଶ ପଦ :- ତତ୍ପରେ ହନୁମାନ କହିଲା, ‘‘ହେ ସୀତେ ! ଏକଦା ଚିତ୍ରକୂଟରେ କ୍ରୀଡ଼ା କରୁଥିବା ସମୟରେ ରାମଚନ୍ଦ୍ର କୌତୁକ ବଶତଃ ତୁମ୍ଭର ଲଲାଟରେ ଗେରୁର ତିଳକ ଲେଖିଥିଲେ । ଏହି ସମୟରେ ତୁମ୍ଭେ ମାଙ୍କଡ଼ମାନଙ୍କ ଦ୍ୱାରା ଭୀତ ହୋଇ ତାଙ୍କ ବକ୍ଷସ୍ଥଳରେ ସେହି ତିଳକ ଲଗାଇ ଦେଇଥିଲ । ’’ ଅର୍ଥାତ୍‌ ତୁମ୍ଭେ ତାଙ୍କୁ ଆଲିଙ୍ଗନ କରିବାରୁ ତିଳକ ତାଙ୍କ ବକ୍ଷରେ ଲାଗିଗଲା।

୪୮ଶ ପଦ :- ‘‘ଗୋ ଧରାମଣ୍ଡନା ସୀତେ ! ଏକଦା ତୁମ୍ଭେ ଖରାରେ କସ୍ତୁରୀ ଶୁଖାଇ ତାକୁ ଜଗିଥିଲ । ଏହି ସମୟରେ ଗୋଟାଏ ଲୋଭି କୁଆ ବଳପୂର୍ବକ ଖାଇବା ଇଚ୍ଛାରେ ତୁମ୍ଭର ବିମ୍ବାଧରରେ ଆଘାତ କଲା; ଏକଥା ମିଥ୍ୟା କି ?’’

୪୯ଶ ପଦ :- ‘‘ଗୋ ବୈଦେହୀ ! ସେହି କୁଆ ତୁମ୍ଭର ଯେଉଁ ସ୍ଥାନରେ ପଦାଘାତ କଲା, ତାହା ମଧ୍ୟ ତୁମ୍ଭର ପ୍ରିୟ ମୋତେ କହିଅଛନ୍ତି । ମୁଁ ସେହି ସ୍ଥାନରେ ନାମ ମୁଖରେ କହିବାକୁ ଲଜ୍ଜିତ ହେଉଅଛି, ଏହା କଣ ମିଥ୍ୟା?’’

୫୦ଶ ପଦ :- ବିଧୁନନ – ରତିକ୍ରୀଡ଼ା ।

୫୦ଶ ପଦ :- ‘‘ହେ ବୈଦେହୀ ! ଆହୁରି ମଧ୍ୟ ତୁମ୍ଭେ ବିବାହ ଦିନ ରାତ୍ରିରେ ମଧୁଶଯ୍ୟାରେ ରତି ନ କରିବା ପୂର୍ବରୁ ନିର୍ମଳ ମନରେ ନିୟମ କରିଛ ଯେ; ରାମଙ୍କ ବ୍ୟତିତ ଅନ୍ୟଠାରେ ମନ ବଳାଇବ ନାହିଁ, ଏହା କଣ ମିଥ୍ୟା?’’

୫୧ଶ ପଦ :- ହନୁମାନ ଏହିପରି ସମସ୍ତ ଗୁପ୍ତକଥା କହିବାରୁ ସୀତା ମନରୁ ଶଙ୍କା ତେଜି କହିଲେ, ହେ ବାୟୁପୁତ୍ର ତୁ ନିଶ୍ଚୟ ପ୍ରଭୁଙ୍କର ବଡ଼ ବିଶ୍ୱାସୀ ଅଟୁ l ମାତ୍ର ମୁଁ ନିୟମ କଲାବେଳେ ସେ ସ୍ଥାନରେ କିଏ ଥିଲା, ଏହାତ କହିଲୁ ନାହିଁ l

 

ବିହେ ଉତ୍ତର ସେ ସତ୍ୟସନ୍ଧ            ବୋଇଲେ ସେ ନ ବୋଇଲେ ସିଦ୍ଧ

ବିଭ୍ରମ ଏଥି ତ ଦେଉଛ ବ୍ୟଥିତ ଦୀପ ସିନା ସ୍ଥିତ ପୁର ମଧ୍ୟ ଗୋ ।

ବୈଦେହୀ ।୫୨ ।

ବିଚ୍ଛେଦକୁ ତୁଳ ପାତ୍ର କରି            ବେନି ଦ୍ରବ୍ୟକୁ ତୁଳିଲେ ସରି

ବିଚାର ପ୍ରଚାରେ ପଚାରେ ଯାହାକୁ ଯେହୁ ଛିଡ଼ିଲା ସେ ଊଣା ପରି ଗୋ ।

ବୈଦେହୀ ।୫୩ ।

ବିନଶ୍ୟତି ହେବ ଏତେ କହି            ବିବେକୀରେ କି କହିବି ମୁହିଁ

ବିଜେକର ମୋର ସ୍କନ୍ଧରେ ହରିବ ତାପ ବିହରିବ ଭେଟ ହୋଇ ଗୋ ।

ବଲ୍ଲଭେ ।୫୪ ।

ବୋଲେ ଜାନକୀ ତୁମ୍ଭେ କି କହ      ବୃକ୍ଷେ ଡେଇଁଲା କପି ତ ନୁହ

ବଳତ୍କାରେ ବଳପ୍ରବଳ ଅବଳା ଆଣିଲାକୁ ଊଣା ସତ୍ୟ ସ୍ନେହ ହେ ।

ବାତଜ ।୫୫ ।

ବାଧ ପ୍ରଭୁବୀରଧୁକୁ ହେବ            ବେନି ବିଷୟ ଚଉର୍ଯ୍ୟେ ଯିବ

ବହି ରାମଚନ୍ଦ୍ର ଦୁର୍ବହ ସାଗର ତର ବହନ କୀରତି ଥିବ ହେ ।

ବାତଜ ।୫୬ ।

ବିକାଶଇ ନାହିଁ ପ୍ରତିଆଶା            ବେଢ଼ି ଦୁର୍ଦ୍ଦଶା ଅନ୍ଧାର ନିଶା ।

ବିଳସାଇଣ ପ୍ରତିପଦ ଆସ୍ପଦ ହେବ ଦ୍ୱିତୀୟା ଭାବ ସଦୃଶା ହେ ।

ବାତଜ ।୫୭ ।

ବଶ ମଧୁପ କାହୁଁ ଲଭିବ            ବୁଝ ଶିବରାତ୍ରି ସମ୍ବବିବ

ବିଭାତକୀ ହୋଇ ପାତକୀ କେତକୀ ସୁକାନ୍ତିରେ ଈଶ ଭୋଗ ହେବ ହେ ।

ବାତଜ ।୫୮ ।

ବଦୁଁ ତୁରିତେ ପାବନି କହି            ବେଦ ଶଙ୍ଖାସୁର ଯେ ଚୋରାଇ

ବଞ୍ଚାଇ ପାରିଲା ଲୁଚାଇ ସିନ୍ଧୁରେ ସୁଖ ରଚଇ ଧାତାରେ ସେହି ଗୋ ।

ବୈଦେହୀ ।୫୯ ।

ବିଧୁରତା ଯେତେ ଦିନ ଥିଲା            ବିଧିଠାରେ ପୁଣି ସମ୍ଭାଳିଲା

ବେନି ବେନି ଭାବ ପ୍ରଭାବ ସ୍ୱଭାବ ମୋକ୍ଷ କାହୁଁ ଆଶେ ନ ପାଇଲା ଗୋ ।

ବୈଦେହୀ ।୬୦ ।

 

୫୨ଶ ପଦ :- ସତ୍ୟବାଦୀ ହନୁମାନ କହିଲା, ‘‘ମୁଁ କଥା କହେ ବା ନ କହେ ସେ କଥା ଜଣାପଡ଼ିଛି । ତୁମ୍ଭେ ବୃଥାରେ ଏ ବିଷୟରେ ମତେ ବାଉଳା କରାଇ କଷ୍ଟ ଦେଉଛ କାହିଁକି ? ସେହି ଘର ମଧ୍ୟରେ ଦୀପସିନା ଥିଲା, ଆଉ କିଏ ଥାନ୍ତା ?’’

୫୩ଶ ପଦ :- ପୁଣି କହିଲା, ‘‘ଗୋ ସୀତେ ! ବିଯୋଗକୁ ନିକିତି କରି ସେଥିରେ ତୁମ୍ଭ ଦୁହିଁଙ୍କୁ ଦ୍ରବ୍ୟ କରି ତୁଳିଲେ ତୁମ୍ଭେ ଦୁହେଁ ସମାନ ହେବ । (ବିରହ ତୁମ୍ଭ ଦୁହିଁଙ୍କୁ ସମାନ ଭାବରେ ବାଧା ଦେଉଛି ଏବଂ ଏଥିରୁ ଜଣାଯାଉଛି ଯେ, ତୁମ୍ଭ ଦୁହିଁଙ୍କର ପରସ୍ପର ପ୍ରତି ସମାନ ସ୍ନେହ ଅଛି) କିନ୍ତୁ ତୁମ୍ଭ ଦୁହିଁଙ୍କ ମଧ୍ୟରେ କାହାର ସ୍ନେହ ଅଧିକ ଏହି କଥା ମୁଁ ଅନେକ ସମୟରେ ବିଚାରି ଅନ୍ୟମାନଙ୍କୁ ପଚାରିବାରେ ସେମାନେ କହିଲେ, ‘ଯେ ଯାହାକୁ ଛାଡ଼ିଲା, ତାର ସ୍ନେହ ଉଣା ପରି ଜଣାଯାଏ ।’

୫୪ଶ ପଦ :- ‘‘ତୁମ୍ଭେ ତ ବିଚାରନିପୁଣା, ମୁଁ ଅବା ଆଉ କଣ କହିବ ? ତଥାପି ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି । ତୁମ୍ଭେ ମୋର କାନ୍ଧରେ ବିଜେ କର, ତାହା ହେଲେ ତୁମ୍ଭର ପ୍ରିୟଙ୍କ ସହ ଭେଟ ହୋଇ ବିରହ ଦୁଃଖ ଦୂରହେବ ।’’

୫୫ଶ ପଦ :- ସୀତା କହିଲେ, ‘‘ହେ ହନୁମାନ ! ତୁମ୍ଭେ କଣ କହୁଛ ? ତୁମ୍ଭେ ତ ବୃକ୍ଷମାନଙ୍କରେ ଡ଼େଇଁ ବୁଲୁଥିବା ସାଧାରଣ ମାଙ୍କଡ଼ ନୁହେଁ (ଅର୍ଥାତ୍‌ ତୁମ୍ଭେ ଜ୍ଞାନହୀନ ପଶୁ ନୁହଁ) । ପ୍ରବଳ ପରାକ୍ରମୀ ରାବଣ ବଳାତ୍କାରେ ଆଣିବାରୁ ମୋତେ ‘ଅବଳା’ ଦୁର୍ବଳା ବା ସହାୟଶୂନ୍ୟ ବୋଲି ମନେ କରୁଛ କି ? ତା ନୁହେଁ, ରାମଙ୍କର ସ୍ନେହ ମୋଠାରୁ ଉଣା ହୋଇ ନାହିଁ (ତୁମ୍ଭେ ଜ୍ଞାନୀ ହୋଇ ମୋତେ ସାମାନ୍ୟ ସ୍ତ୍ରୀ ବୋଲି ଭାବି ଏପରି କହିବା ଉଚିତ ନୁହେଁ) ।’’

୫୬ଶ ପଦ :- ‘‘ହେ ବାୟୁପୁତ୍ର ! ତୁମ୍ଭ କହିବା ଅନୁସାରେ କାର୍ଯ୍ୟ କଲେ ରାମଚନ୍ଦ୍ରଙ୍କର ବୀରତ୍ୱର ନିନ୍ଦା ହେବ; କାରଣ ରାବଣ ଆଣିବା ଓ ତୁମ୍ଭେ ନେବା ଦୁଇଗୋଟି ଯାକ କାର୍ଯ୍ୟ ଚୋରୀରେ ଗଣ୍ୟ ହେବ । ଏଣୁ ତୁମ୍ଭେ ଏପରି ନ କହି ଦୁର୍ବହ ରାମଚନ୍ଦ୍ରଙ୍କୁ ସ୍କନ୍ଧରେ ବହି ସମୁଦ୍ର ଲଙ୍ଘନ ପୂର୍ବକ ଏଠାକୁ ଶୀଘ୍ର ଆସ, ତାହା ହେଲେ ତୁମ୍ଭ କୀର୍ତ୍ତି ଯୁଗେ ଯୁଗେ ଥିବ ।

୫୭ଶ ପଦ :- ପ୍ରତି ଆଶା - ପ୍ରତି ଦିଗ ।

୫୭ଶ ପଦ :- ‘‘ହେ ହନୁମାନ । ମୋର ଦୁର୍ଦ୍ଦଶାରୁପ ଅନ୍ଧାର ରାତି ଘୋଟି ରହିଥିବାରୁ ପ୍ରିୟପ୍ରାପ୍ତି ରୂପ ପ୍ରତିଆଶା ପ୍ରତିଦିଗ ପରି ପ୍ରକାଶିତ ହେଉ ନାହିଁ । ବର୍ତ୍ତମାନ ତୁମ୍ଭ କଥାରେ ପ୍ରତ୍ୟେକ ପଦ ଅର୍ଥାତ୍‌ତୁମ୍ଭେ ଯେଉଁ ସବୁ ଗୁପ୍ତକଥା କହିଲ ସେ ସବୁ କଥା ପ୍ରକାଶକ ବାକ୍ୟମାନଙ୍କରେ ଥିବା ପ୍ରତ୍ୟେକ ପଦ ମୋ ହୃଦୟରେ ସ୍ଥାନ ପାଇ ପ୍ରତିପଦା ତିଥିରେ ଚନ୍ଦ୍ର ପ୍ରକାଶିତ ହେଲା ପରି ମୋ ହୃଦୟରେ ରାମଙ୍କ ସହ ପୁନର୍ମିଳନ ଆଶା ପ୍ରକାଶିତ ହୋଇ ଦିତୀୟା ତିଥିରେ ଚନ୍ଦ୍ର କ୍ରମେ ବୃଦ୍ଧି ପାଇଲା ପରି ବୃଦ୍ଧି ହେବ । (ଅର୍ଥାତ୍‌ତୁମ୍ଭ କଥା ଶୁଣି ମନେ କରୁଛି, ତାଙ୍କ ସହ ଅଳ୍ପଦିନ ପରେ ମିଳନ ଘଟିବ ) ।’’

୫୮ଶ ପଦ :- ମଧୁପ - ମଦ୍ୟପାୟୀ । ସୁକାନ୍ତି - ସୁମନୋହର । ଈଶ - ମହାଦେବ । ବିଭାତକୀ - ନିର୍ଭୟରେ । ଶିବରାତ୍ରି- ମଙ୍ଗଳମୟୀ ରାତ୍ରି ।

୫୮ଶ ପଦ :- ପୁଣି କହିଲେ, ହେ ‘‘ବାୟୁପୁତ୍ର ! ତୁମ୍ଭେ ମନେ କରିପାର ମୁଁ ଏଠାରେ ବହୁଦିନ ରହିଲେ ମଦ୍ୟପ ରାବଣ ମତେ ବଶ କରିନେବ । ମାତ୍ର ଏହା ହୋଇନପାରେ । ତୁମ୍ଭେ ବୁଝ, ପାତକୀ କେତକୀ ଶିବରାତ୍ରି ଦିନ ନିଜର ମନୋହର ଶୋଭା ପ୍ରତି ଦୟା ନ ଦେଖାଇ ଅର୍ଥାତ୍‌ ଗଛରୁ ତୋଳି ହୋଇ ଆସିବାରୁ ଗଛକୁ ଅସୁନ୍ଦର କରି, ଅଥବା ତୋଳା ହୋଇଯିବାରୁ ଝାଉଁଳି ଯାଇ ମହାଦେବଙ୍କ ଭୋଗରେ ଲାଗେ । ମୁଁ ସେହିପରି ମଦୁଆ ରାବଣର ବଶତା ସ୍ୱୀକାର ପୂର୍ବକ କଳଙ୍କିନୀ ନ ହୋଇ ‘ଈଶ’ ସ୍ୱାମୀ ରାମଚନ୍ଦ୍ରଙ୍କ ସହ ସମ୍ଭୋଗରେ ଲାଗିବି ।’’

୫୯ଶ ପଦ :- ସୀତା ଏହିପରି କହିବାର ଶୁଣି ହନୁମାନ ହଠାତ୍‌ କହିଲା ‘‘ଗୋ ବୈଦେହୀ ‘ ଶଙ୍ଖାସୁର ବେଦକୁ ଚୋରାଇ ନେଇ ସମୁଦ୍ର ମଧ୍ୟରେ ଲୁଚାଇ ରଖିପାରିଲା କି ? ମୀନାବତାରରେ ରାମଚନ୍ଦ୍ର ତାକୁ ମାରି ବ୍ରହ୍ମାଙ୍କୁ ସୁଖୀ କଲେ । ରାମ ସେହିପରି ତୁମ୍ଭଙ୍କୁ ସୁଖୀ କରାଇବେ ।’’

୬୦ଶ ପଦ :- ବିଧୁରତା - ବିଚ୍ଛେଦ । ପ୍ରଭାବ - ଶକ୍ତି ।

୬୦ଶ ପଦ :- ପୁଣି କହିଲା, ‘‘ଗୋ ବୈଦେହୀ ! ବିଧାତାସହ ବେଦର ଯେତେଦିନ ବିଚ୍ଛେଦ ହେବାକୁ ଥିଲା ତାହା ହେଲା, କିନ୍ତୁ ସେହି ବେଦ ପୁଣି ବିଧାତାର ହସ୍ତଗତ ହେଲା । ସେହିପରି ତୁମ୍ଭ ଦୁହିଙ୍କର ଯେତେଦିନ ବିଚ୍ଛେଦ ଘଟିବାକୁ ଅଛି ଘଟିବ, ପୁଣି ତୁମ୍ଭେ ତାଙ୍କର ନିକଟକୁ ଯିବ । ବ୍ରହ୍ମା ଓ ବେଦର ଏବଂ ରାମଚନ୍ଦ୍ର ଓ ତୁମ୍ଭର ଚେଷ୍ଟା ଶକ୍ତି ଓ ପ୍ରକୃତି ସମାନ ଅଟେ । ଅତଏବ ସେ ଦୁହିଁଙ୍କର ବିଚ୍ଛେଦ ଲୁପ୍ତ ହେଲା ପରି ତୁମ୍ଭ ବିଚ୍ଛେଦ ନିଶ୍ଚୟ ଲୋପ ହେବ ।’’    

 

ବେନିଜନଙ୍କର ଚେଷ୍ଟା ତୁମ୍ଭର            ବୁଝି କରୁଛି ଏହି ବିଚାର

ବିଧାତା ସଂସାରସାର ପ୍ରଶଂସାର ବିହି ବସିଲା ଏକ ଶରୀର ଗୋ ।

ବୈଦେହୀ ।୬୧ ।

ବିଚାରିଲା ପୁରୁଷେ କରିବି            ବାମା ଏପରି କାହୁଁ ଆଣିବି

ବେଭାରେ ଶୋଭାରେ ପ୍ରଭାରେ ସ୍ନେହରେ ଗୁଣେ ଦ୍ୱିମୂର୍ତ୍ତି କଲା କି ଭାବି ଗୋ ।

ବୈଦେହୀ ।୬୨ ।

ବପୁଁ ବିଚାରେ ଚାହିଁ ତୁମ୍ଭର            ବିରହ ଯେ ଠକ ବଣିଜାର

ବେଗେ ରୁପ୍ୟ ଦେଇ ଜାତରୁପ ନେଇ ଘୋଟୁଁ ସ୍ୱରୂପ କାମ ଅନ୍ଧାର ଗୋ ।

ବୈଦେହୀ ।୬୩ ।

ବିକରତୁଁ ତବ ଧବ ଚିତ୍ତ             ବର୍ଣ୍ଣ ପାଲଟ ଅତି ଦୁଃଖିତ

ବ୍ୟକତ କରି ସ୍ଫଟିକ ମରକତ ନେଲା ଅଶକତ ଅତିଅନ୍ତ ଗୋ ।

ବୈଦେହୀ ।୬୪ ।

ବେନି ବର୍ଣ୍ଣ ଅମୂଲ୍ୟ ପଦାର୍ଥ            ବ୍ୟାପି ପରସ୍ପରେ ହୃଦପଥ

ବିହି ରତନ ସ୍ୱର୍ଣ୍ଣମାଳା ସତନ ତନମନ ଯେଣେ ମନୋରଥ ଗୋ ।

ବୈଦେହୀ ।୬୫ ।

 

୬୧ଶ ପଦ :- ବିହି - ନିର୍ମାଣ କରି ।

୬୧ଶ ପଦ :- ‘‘ଗୋ ବୈଦେହୀ ! ତୁମ୍ଭ ଦୁହିଙ୍କର ଗଠନ ଦେଖି ମୁଁ ଏହି ବିଚାର କରୁଛି, ବିଧାତା ପ୍ରଶଂସାଯୋଗ୍ୟ ସଂସାରସାର ବସ୍ତୁମାନଙ୍କଦ୍ୱାରା ଏକ ଶରୀର ନିର୍ମାଣ କରିବାକୁ ଇଚ୍ଛା କଲା ।’’

୬୨ଶ ପଦ :- ‘‘ଗୋ ବୈଦେହୀ ! ସମସ୍ତ ଉକ୍ତୃଷ୍ଟ ବସ୍ତୁର ସାର ସଂଗ୍ରହ କରି ବିଧାତା ଭାବିଲା; ଯଦି ଗୋଟିଏ ପୁରୁଷ ନିର୍ମାଣ କରିବ, ତାହାହେଲେ ଏହାପରି ଗୋଟିଏ ସ୍ତ୍ରୀ କାହୁଁ ଆଣିବି ? ସୁତରାଂ ସେ ବ୍ୟବହାର, ଶୋଭା, ପ୍ରଭାବ, ସ୍ନେହ, ଗୁଣରେ ସମାନ କରି ଭାବି ଭାବି ଦୁଇଗୋଟି ମୂର୍ତ୍ତି (ତୁମ୍ଭ ଦୁହିଙ୍କୁ) ନିର୍ମାଣ କଲା ।’’

୬୩ଶ ପଦ :- ରୁପ୍ୟ - ରୁପା । ଜାତରୂପ - ସୁବର୍ଣ୍ଣ ।

୬୩ଶ ପଦ :- ‘‘ଗୋ ବୈଦେହୀ ‘ ତୁମ୍ଭ ଦୁହିଙ୍କର ଦେହକୁ ଦେଖି ମୁଁ ଏପରି ବିଚାର କରୁଛି, ତୁମ୍ଭର ଯେ ବିରହ ସେ ଠକ ବେପାରୀ ଅଟେ । କାରଣ ଅନ୍ଧାର ଘୋଟିଲେ ଯେପରି ଠକ ବେପାରୀମାନେ ହଠାତ୍‌ ରୁପା ଦେଇ ସୁନା ନେଇଯାନ୍ତି ସେହିପରି କାମରୂପୀ ଅନ୍ଧକାର ଘୋଟିବାରୁ ଠକ ବିରହ ତୁମ୍ଭଙ୍କୁ ରୁପାର ବର୍ଣ୍ଣତୁଲ୍ୟ ପାଣ୍ଡୁର ବର୍ଣ୍ଣ ଦେଇ ତୁମ୍ଭଠାରୁ ସୁବର୍ଣ୍ଣ ତୁଲ୍ୟ କାନ୍ତିକୁ ଠକି ନେଇଯାଇଅଛି ଅର୍ଥାତ୍‌ ବିରହ ଯୋଗୁଁ ତୁମ୍ଭର ସବୁର୍ଣ୍ଣ ତୁଲ୍ୟ କାନ୍ତି ପାଣ୍ଡୁରତା ଧାରଣ କରିଅଛି ।’’

୬୪ଶ ପଦ :- ଧବ - ସ୍ୱାମୀ ।

୬୪ଶ ପଦ :- ‘‘ଗୋ ବୈଦେହୀ ! ସେହି ବିରହ ଠକ ତୁମ୍ଭ ପ୍ରିୟଙ୍କ ମନରେ ବିରକ୍ତ ଜାତ କରାଇ, ତାହାଙ୍କୁ ଅତିଶୟ ଦୁଃଖିତ ଓ ବିବର୍ଣ୍ଣ କରିଅଛି । ଏବଂ ତାହାଙ୍କୁ ଅତ୍ୟନ୍ତ ଦୁର୍ବଳ କରି ଇନ୍ଦ୍ରମାଳମଣିର କାନ୍ତି ସଦୃଶ ଦେହର କାନ୍ତିକୁ ଅପହରଣ କରି, ସ୍ଫଟିକ ତୁଲ୍ୟ ଶୁକ୍ଳକାନ୍ତିକୁ ତାଙ୍କ ଦେହରେ ପ୍ରକାଶିତ କରିଅଛି ।’’

୬୫ଶ ପଦ :- ‘‘ତୁମ୍ଭ ଦୁହିଁଙ୍କର ଦେହରେ କାନ୍ତି ଅମୂଲ୍ୟ ପଦାର୍ଥ ଅଟେ । (ସୁନା ଓ ଇନ୍ଦ୍ରନୀଳମଣି ପରି ହୋଇଥିବାରୁ) । ତାହା ମଧ୍ୟ ଦୁହିଁଙ୍କର ହୃଦୟ ପଥରେ ବ୍ୟାପ୍ତ ହୋଇଅଛି । ଅର୍ଥାତ ସେ ତୁମ୍ଭଙ୍କୁ ସୁବର୍ଣ୍ଣବର୍ଣ୍ଣା ଓ ତୁମ୍ଭେ ତାଙ୍କୁ ନୀଳମଣି ବର୍ଣ୍ଣ ବୋଲି ମନେ କରୁଛ, ଏଣୁ ତୁମ୍ଭେ ତାଙ୍କୁ ରତ୍ନମାଳାପରି ଓ ସେ ତୁମ୍ଭଙ୍କୁ ସୁବର୍ଣ୍ଣମାଳା ପରି ଯତ୍ନପୂର୍ବକ ଆଦର କରୁଛ । ଗୋ ବୈଦେହୀ ! ମୁଁ ତୁମ୍ଭ ମନକଥା ଜାଣେ ।’’

 

ବୋଲେ ଜାନକୀ ତା ବାଣୀ ଶୁଣି            ବିଖ୍ୟାତ ହୋ ଆଣି ରାମ ଆଣି

ବଳିଲେ କଣ୍ଟ ବଳିଷ୍ଠ ରକ୍ଷନାଥ ବଳିବତ କରିବଟି ପୁଣି ହେ ।

ବାତଜ ।୬୬ ।

ବେଦନାକୁ କି କହିବି ଦେଖ            ବନ୍ଧୁ ଦୀନବନ୍ଧୁ ମୁଁ ନୀରକ୍ଷ

ବୋଲି ରମଣୀଶିରୋମଣି ତା ଶିରୋମଣି ଦେଇ ଭାଷେ ରଖ ରଖ ହେ ।

ବାତଜ ।୬୭ ।

ବନ୍ଦାଇଲେ ଏ ରତ୍ନ ଶ୍ୱଶୁରେ            ବିଦ୍ୟମାନ ପଦାର୍ଥ ଏ ସୁରେ

ବସନସ୍ଥିତ ଶ୍ୱସନସୁତ କଲା ସୁପ୍ରସନ୍ନବଦନୀ ଦେବାରେ ସେ ।

ବହନେ ।୬୮ ।

ବୋଲେ ମେଲାଣି ହୋଇଲି ମୁହିଁ      ବ୍ୟଥା ତେଜ ସୁଧାକର ମୁହିଁ

ବିଦିତ କଥା କାଳକାଳ ହୋଇବ କାଳକାଳ ଏକା ଥାଅ ଧ୍ୟାୟି ଗୋ ।

ବୈଦେହୀ ।୬୯ ।

ବୋଇଲେ ଯେ ଜନକକୁମାରୀ      ବୃକ୍ଷାଂଜନ ଯାରେ ଅନୁସରି

ବନ୍ଦୀ ମୁଁ ତାରେ ବନ୍ଦୀ ପରକାରେ ବନ୍ଦିଲେ ସେ ପାରିଲେ ନିସ୍ତାରି ହେ ।

ବାତଜ ।୭୦ ।

ବିଧାତାର ହିଁ ନାହିଁ ଆୟତ୍ତ            ବେଦ ପଢ଼େ ଅନୁସରି ନିତ୍ୟ

ବିଷ୍ଣୁ ମାତର କାତର ନୋହିଛନ୍ତି କଷ୍ଟ ଅନନ୍ତରକୁ ଧ୍ୟାୟି ଚିତ୍ତ ହେ ।

ବାତଜ ।୭୧ ।

ବାତାମ୍ବକ ସତ୍ୟ ବୋଲି ଯାଇ            ବୀରବର ଉପଇନ୍ଦ୍ର କହି

ବାସ୍ତରିପଦ ଛାନ୍ଦ ବୁଧସମ୍ପଦ ମୁର୍ଖ ବିପଦକାରକ ଏହି ହେ ।

ବିସ୍ତିର୍ଣ୍ଣେ ।୭୨ ।

 

୬୬ଶ ପଦ :- ହନୁମାନଠାରୁ ଏପରି କଥା ଶୁଣି ଜାନକୀ କହିଲେ, ‘‘ହେ ବାୟୁପୁତ୍ର ! ତୁମ୍ଭେ ରାମଚନ୍ଦ୍ରଙ୍କୁ ଏଠାକୁ ଆଣି ନିଜର ସମ୍ମାନ ସହିତ ଖ୍ୟାତିଲାଭ କର । କାରଣ କଣ୍ଟ ବଳିଗଲେ ବଳିଷ୍ଠ ରାବଣ ମୋତେ ଦେବୀମାନଙ୍କ ନିକଟରେ ଛାଗ ବଳି ଦେଲାପରି ବଳି ଦେବ ।’’


      ୬୬ଶ ପଦ :- ଆଣି - ଟେକି । ରକ୍ଷାନାଥ - ରାବଣ । ବଳିବତ - ପଶୁପରି ।

୬୭ଶ ପଦ :- ‘‘ହେ ବାୟୁପୁତ୍ର ! ମୋର ଦୁଃଖର କଥା ମୁଁ କଣ କହିବି, ତୁମ୍ଭେ ନିଜେ ଦେଖ । ମୋର ବନ୍ଧୁ (ସ୍ୱାମୀ) ଦୀନବନ୍ଧୁ ବୋଲି ଜଗତରେ ଖ୍ୟାତିଲାଭ କରିଅଛନ୍ତି; ମାତ୍ର ମୁଁ ‘ଅକ୍ଷର’ ବନ୍ଧୁହୀନ ହୋଇ ଏଠାରେ ପଡ଼ିଛି ।’’ ରମଣୀମଣି ସୀତା ଏହାକହି ନିଜର ମଥାମଣିଟିକୁ କାଢ଼ି ହନୁମାନକୁ ଦେଇ କହିଲେ, ‘‘ତୁମ୍ଭେ ଏହାକୁ ରଖ ।’’

 

୬୮ଶ ପଦ :- ବିଦ୍ୟମାନ - ଥାଏ । ସୁରେ - ଦେବତାମାନଙ୍କଠାରେ । ଶ୍ୱାନସୁତ - ହନୁମାନ ।

 

୬୮ଶ ପଦ :- ପୁଣି ସୀତା କହିଲେ, ‘‘ଏହି ମଥାମଣିଟିକୁ ମତେ ଶ୍ୱଶୁର ବନ୍ଦାଇ ଥିଲେ । ଏହି ପଦାର୍ଥ (ମଥାମଣି) କୁ ଦେବତାମାନେ ଜାଣନ୍ତି । (ଏହା ଦେବଯୋଗ୍ୟ ପ୍ରସିଦ୍ଧ ରତ୍ନ ଅଟେ ।’’ ସୀତା ଏପରି କହି ସେହି ମଥାମଣିକୁ ଦେବାରୁ ହନୁମାନ ତାହାକୁ ଲୁଗାରେ ବାନ୍ଧି ରଖିଲା ।

 

୬୯ଶ ପଦ :- ତତ୍ପରେ ହନୁମାନ କହିଲା, ‘‘ମୁଁ ମେଲାଣି ହେଉଛି । ହେ ଚନ୍ଦ୍ରମୁଖି ସୀତେ ! ମନରୁ ଚିନ୍ତା ଦୂର କର । ଏ କଥା ବହୁକାଳ ପର୍ଯ୍ୟନ୍ତ ଲୋକରେ ପ୍ରସିଦ୍ଧ ଲାଭ କରିବ । ତୁମ୍ଭେ ଏହି ଦୁଃଖରୁ ପରିତ୍ରାଣ ହେବା ପାଇଁ ‘କାଳକାଳ’ ମହାଦେବଙ୍କୁ ଧ୍ୟାନ କରୁଥାଅ ।’’

 

୭୦ଶ ପଦ :- ଏହା ଶୁଣି ସୀତା କହିଲେ, ହେ ବାୟୁପତ୍ର ! ମହାଦେବ ଯେଉଁ ରାବଣକୁ ଅନୁସରଣ କରି ଅଛନ୍ତି, ମୁଁ ସେହି ରାବଣ ଦ୍ୱାରା ବନ୍ଦୀ ହୋଇଅଛି । ସୁତରାଂ ମୁଁ ତାଙ୍କୁ ଭାଟପରି ସ୍ତୁତି କଲେ, ସେ କଣ ମୋତେ ଉଦ୍ଧାର କରିବେ ?’’

 

୭୧ଶ ପଦ :- ‘‘ହେ ବାୟୁ ପୁତ୍ର । ମୋତେ ଏହି ଦୁଃଖରୁ ପରିତ୍ରାଣ କରିବା ପାଇଁ ବିଧାତାର ମଧ୍ୟ ଶକ୍ତି ନାହିଁ । ଯେ ହେତୁ ସେ ମଧ୍ୟ ରାବଣକୁ ଅନୁସରଣ କରି ପ୍ରତିଦିନ ବେଦପାଠ କରୁଅଛନ୍ତି । ମାତ୍ର ବିଷ୍ଣୁ ତାକୁ ଭୟ କରନ୍ତି ନାହିଁ । ଏଣୁ ମୋର ଦୁଃଖକୁ ଦୂର କରିବା ପାଇଁ କେବଳ ତାଙ୍କୁ ଧ୍ୟାନ କରୁଛି ।’’

 

୭୨ଶ ପଦ :- ସୀତା ଏହିପରି କହିବାରୁ ହନୁମାନ ଏହା ସତ୍ୟ ବୋଲି କହି ଚାଲିଗଲା । ପଣ୍ଡିତମାନଙ୍କର ଆନନ୍ଦଦାୟକ ଓ ମୂର୍ଖମାନଙ୍କର ବିପତ୍ତିଦାୟକ ଏହି ଛାନ୍ଦକୁ ବୀରବର ଉପେନ୍ଦ୍ର ବାସ୍ତରୀ ପଦରେ କହିଲେ ।

 

Unknown

ଷଟ୍‌ତ୍ରିଂଶ ଛାନ୍ଦ

ରାଗ-ବସନ୍ତ

 

ବସତି ସେ ବସନ୍ତର ସକଳ କାଳରେ ।

ବିଖନେ ନାମେ ଲେଖନ ମଧୁବନ କରେ ଯେ ।

ବିବିଧ ତରୁଣ ତରୁ ଲତା ଚାରୁ ଅତି ।

ବିନ୍ଧ୍ୟା ନାହିଁ ସର୍ବେ ଫଳବନ୍ତ ପୁଷ୍ପବତୀ ଯେ ।

ବିଭାବସୁଅଂଶୁ ପଶୁ ନାହିଁ ପତ୍ରଘଞ୍ଚେ ।

ବିହର ବିହଗେ ପଞ୍ଜରୀସ୍ଥ ଶୋଭା ରତେ ଯେ ।୧ ।

 

ବିଜ୍ୱଳିତ ଯହିଁ ନାନାରତ୍ନ ଆଳବାଳ ।

ବାସର ରଜନୀ ମେଳ ପ୍ରଭା ମହୋଜ୍ୱଳ ଯେ ।

ବାସ୍ତୋଷ୍ପତି ଧନପତି ସେବେ ଲଙ୍କାନାଥ ।

ବିନତି ସେ ବନରେ ନନ୍ଦନ ଚୈତ୍ରରଥ ଯେ ।

ବିହନ୍ତି ଅମୃତତୁଲ୍ୟ ଶୀତଳ ଅମୃତ ।

ବଢ଼ାନ୍ତି ଚାରି ଜୀମୁତେ ବାଦ କରି ନିତ୍ୟ ଯେ ।୨ ।

 

ବିଦିତ ଚନ୍ଦନଗନ୍ଧ ଗନ୍ଧ ବହ ବହି ।

ବାଲୁକା ବ୍ୟାଜରେ ହିମବାଲୁକା ସଞ୍ଚଇ ଯେ ।

ବିହନ୍ତି ବାଦ ଆରମ୍ଭ ଗନ୍ଧର୍ବ ପଦକୁ ।

ବିଞ୍ଚନ୍ତି କୁରଙ୍ଗ ଖତ କରି ତା ମଦକୁ ଯେ ।

ବନପ୍ରିୟ ପଞ୍ଚମସ୍ୱରକୁ ଗୀତାରମ୍ଭେ ।

ବହିଛୁଁ ଗନ୍ଧର୍ବ ପଦ ଛଡ଼ାଇଣ ଆମ୍ଭେ ଯେ ।୩ ।

 

ବସୁମତୀ ଦେବ ଧର୍ମେ ନ ଛୁଉଁ ଚରଣେ ।

ବୋଲାଉଛ ଗନ୍ଧର୍ବ କେବଣ ସୁଲକ୍ଷଣେ ଯେ ।

ବୀଣା ବଡ଼ପଣ ଛଡ଼ାଇଣ ନାରଦର ।

ବିନା ବାଦନେ ଝିଲ୍ଲିକା ଝର୍ଝର ସୁସ୍ୱର ଯେ ।

ବିଅର୍ଥ ଏ ଅନୁମାନ ମାନହିଁ ନୁହଁଇ ।

ବଳେ ଯକ୍ଷୁଁ ରକ୍ଷେ ପୁଣ୍ୟଜନପଦ ନେଇ ଯେ ।୪ ।

 

ବଳେ ଯେବେ ନ ନେଲେ ପାତକୀ ପୁଣ୍ୟଜନ ।

ବୋଲାଇଲେ କେଉଁ ଅର୍ଥେ ସର୍ବେ ମନେ ଘେନ ଯେ ।

ବନ ଦେଖି ମହାତୋଷ ହନୁମାନ ପାଞ୍ଚି ।

ବାଦକାଳେ ଚୋର ପ୍ରାୟେ ଯିବା କିଁପା ଲୁଚି ଯେ ।

ବଳହୀନ ନୋହେ ଯିବି ହୋଇ କ୍ଷୁଧାତୁର ।

ବୃକ୍ଷ ଉପାଡ଼ି ସେ ଫଳ ଝାଡ଼ିଲା ମୁଖର ଯେ ।୫ ।

 

୧ମ ପଦ :- ବିଖାନ - ବିଧାତା । ଗୁରୁ - ମନୋହର । ପତ୍ରଘଞ୍ଚେ - ପତ୍ର ଗହଳରେ । ବିଭାବସୁଅଂଶୁ - ସୂର୍ଯ୍ୟକିରଣ। ବିହଗେ - ପକ୍ଷୀମାନେ ।

୧ମ ପଦ :- ବସନ୍ତକାଳ ସର୍ବଦା ସେହି ଅଶୋକବନରେ ବାସ କରି ରହିଥିବାରୁ, ବିଧାତା ତାହାର ନାମ ମଧୁବନ ଦେଇଅଛନ୍ତି । ସେହି ବନ ନାନାବିଧ ତରୁଣ ବୃକ୍ଷ ଓ ଅତି ସୁନ୍ଦର ଲତାମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଅଛି । ଗୋଟିଏ ସୁଦ୍ଧା ଅଫଳନ୍ତି ବୃକ୍ଷ ବା ଲତା ସେଠାରେ ନାହାଁନ୍ତି । ସମସ୍ତେ ଫଳ ପୁଷ୍ପରେ ବିମଣ୍ଡିତ ହୋଇଅଛନ୍ତି । ବୃକ୍ଷ ଲତାମାନଙ୍କର ସାନ୍ଦ୍ର ପତ୍ରରାଶି ଯୋଗୁଁ ସୂର୍ଯ୍ୟକିରଣ ସେଠାରେ ପ୍ରବେଶ କରିପାରୁନାହିଁ । ପକ୍ଷୀମାନେ ସେଠାରେ ରହି କ୍ରୀଡ଼ା କରୁଥିବାରୁ ସେହି ବନ ଗୋଟିଏ ମନୋହର ପିଞ୍ଜରା ପରି ଦେଖାଯାଉଛି ।

୨ୟ ପଦ :- ବିଜ୍ଜ୍ୱଳିତ - ସମୁଜ୍ଜ୍ୱଳ । ଆଳବାଳ - ବୃକ୍ଷମାନଙ୍କ ମୂଳରେ ଥିବା ମନ୍ଦା । ଧନପତି - କୁବେର । ନନ୍ଦନ - ଇନ୍ଦ୍ରଙ୍କର ଉଦ୍ୟାନ । ଚୈତ୍ରରଥ - କୁବେରଙ୍କର ଉଦ୍ୟାନ । ଅମୃତ - ଜଳ । ଜୀମୂତ - ମେଘ ।

୨ୟ ପଦ :- ସେହି ବନରେ ଥିବା ବୃକ୍ଷ, ଲତାମାନଙ୍କର ମୂଳରେ ନାନାରତ୍ନମାନଙ୍କ ଦ୍ୱାରା ମନ୍ଦା ନିର୍ମିତ ହୋଇଅଛି । ସେହି ମନ୍ଦାମାନଙ୍କରେ ଥିବା ରତ୍ନମାନ କିରଣଦ୍ୱାରା ବନଦେଶ ଆଲୋକିତ ହେଉଅଛି । ଏଣୁ ତାହା ଦେଖିଲେ ମନେ ହେଉଛି, ଦିନ ଓ ରାତ୍ର ଦୁହେଁ ଏଠାରେ ଏକତ୍ରିତ ହୋଇ ନିଜ ନିଜର ଅତି ଉଜ୍ଜ୍ୱଳ ତେଜପୁଞ୍ଜକୁ ବିସ୍ତାର କରୁଅଛନ୍ତି କି ? (ବନ ପତ୍ରଗହଳ ଯୋଗୁଁ ଅନ୍ଧାକାରଚ୍ଛନ୍ନ ଓ ରତ୍ନ କୁବେର ଦୁହେଁ ରାବଣକୁ ସେବା କରୁଥିବାରୁ ଇନ୍ଦ୍ରଙ୍କର ଉପବନ ନନ୍ଦନ ଓ କୁବେରଙ୍କର ଉପବନ ଚୈତ୍ରରଥ ଏ ଦୁହେଁ ଏଠାକୁ ଆସି ରାବଣର ଏହି ମଧୁବନକୁ ପ୍ରାର୍ଥନା କରୁଅଛନ୍ତି କି ? ଆଉ ମଧ୍ୟ ସମ୍ବର୍ତ୍ତକାଦି ଚାରିମେଘ ପରସ୍ପର ମଧ୍ୟରେ ବିବାଦ କରି ଅମୃତତୁଲ୍ୟ ହିତକର ଶୀତଳ ଜଳ ବୃଷ୍ଟି କରୁଥିବାରୁ ବୃକ୍ଷ ଲତାମାନେ ବଢ଼ୁଛନ୍ତି ।

୩ୟ ପଦ :- ବିବୃତ - ବେଷ୍ଟିତ, କୁଞ୍ଜକାର । ଗନ୍ଧବହ - ପବନ । ହିମବାଲୁକା - କର୍ପୁରରଜ । ବନପ୍ରିୟ - କୋକିଳ । ମଦ – କସ୍ତୁରୀ ।

୩ୟ ପଦ :- ସେହି ବନରେ ଅତି ଉତ୍କଟ ଚନ୍ଦନସୁଗନ୍ଧ ଧାରଣ କରି ବାୟୁ ବାଲି ବିଞ୍ଚିବା ଛଳରେ କର୍ପୂର ଗୁଣ୍ଡା ବିଞ୍ଚୁଛି କି ? ମୃଗମାନଙ୍କର ନାମ ଗନ୍ଧର୍ବ ହୋଇଥିବାରୁ ସେମାନେ ନନ୍ଦନବନ ଓ ଚୈତ୍ରୋଦ୍ୟାନରେ କାର୍ଯ୍ୟ କରୁଥିବା ଗନ୍ଧର୍ବମାନଙ୍କ ସହ ବିବାଦ କରି ସେହି ମଧୁବନରେ କସ୍ତୁରୀକୁ ଖତ କରି ବିଞ୍ଚୁଛନ୍ତି । ନନ୍ଦନ ଓ ଚୈତ୍ରୋଦ୍ୟାନରେ ଗନ୍ଧର୍ବମାନେ କାର୍ଯ୍ୟ କଲାବେଳେ ଗାନ କରୁଥାନ୍ତି । ଏହି ବନରେ କୋକିଳମାନେ ପଞ୍ଚମତାନରେ ଗାନ କରି ‘ଆମ୍ଭେମାନେ ଗନ୍ଧର୍ବମାନଙ୍କଠାରୁ ଗନ୍ଧର୍ବ ପଦ ଛଡ଼ାଇ ଆଣିଛୁ’ ବୋଲି ପ୍ରକାଶ କରୁଛନ୍ତି ।

୪ର୍ଥ ପଦ :- ବସୁମତୀ - ପୃଥିବୀ । ଝିଲ୍ଲିକ- ଝିଙ୍କାରୀ । ପୁଣ୍ୟଜନ ପଦ - ରାକ୍ଷସପଦବୀ ।

୪ର୍ଥ ପଦ :- କୋକିଳମାନେ ଗନ୍ଧର୍ବମାନଙ୍କୁ ଗାନ ଛଳରେ ପୁନଶ୍ଚ କହୁଛନ୍ତି, ‘‘ହେ ଗନ୍ଧର୍ବମାନେ ! ତୁମ୍ଭେମାନେ ଯେପରି ‘ଦେବଧର୍ମେ’ ଦେବତାମାନଙ୍କ ପରି ଆଚରଣ କରୁଥିବାରୁ ଅର୍ଥାତ୍‌ ସ୍ୱର୍ଗରେ ରହିଥିବା ହେତୁରୁ ପାଦରେ ପୃଥିବୀକୁ ସ୍ପର୍ଶ କରୁନାହିଁ, ଆମ୍ଭେମାନେ ମଧ୍ୟ ସେହିପରି ‘ଦେବ ଧର୍ମରେ’ ଆକାଶରେ ବିହାର କରୁଥିବାରୁ ପୃଥିବୀକୁ ପାଦରେ ସ୍ପର୍ଶ କରୁନାହୁଁ । ଆଉ କେଉଁ ଉତ୍ତମ ଲକ୍ଷଣ ଥିବାରୁ ତୁମ୍ଭେମାନେ ଗନ୍ଧର୍ବ ବୋଲାଉଛ ? ନାରଦଙ୍କର ବୀଣା ବଜାଇବାରେ ବଡ଼ପଣ (ଉଚ୍ଚଆସନ) ଥିଲା, କିନ୍ତୁ ଏହି ବନରେ ବିନା ବୀଣା ସାହାଯ୍ୟରେ ଝିଙ୍କାରିମାନେ ଝିଂଝିଂସ୍ୱର ପ୍ରକାଶ କରୁଛନ୍ତି । ଏଣୁ ତୁମ୍ଭେମାନେ ‘ଆମ୍ଭେ ବୀଣା ବଜାଇ ଭଲ ଗାନ କରୁ ବୋଲି ଗନ୍ଧର୍ବ ପଦରେ ଅଭିହିତ ହେବାର ଉପଯୁକ୍ତ’ ବୋଲି ଯଦି କହ, ତା ବୃଥା, କାରଣ ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ସେ ପଦ ଛଡ଼ାଇ ନେଲୁଣି । ଆମ୍ଭେ ଯେଉଁ ସବୁ ଆନୁମାନିକ କଥା କହିଗଲୁ ସେହି କଥାମାନଙ୍କରେ ଥିବା ଅନୁମାନଗୁଡ଼ିକ ବୃଥା ନୁହଁନ୍ତି । ଦେଖ, ରାକ୍ଷସମାନେ ବଳପୂର୍ବକ ଯକ୍ଷମାନଙ୍କଠାରୁ ପୁଣ୍ୟଜନପଦକୁ କିପରି ନେଇଛନ୍ତି ।’’ (ସ୍ୱର୍ଗାୟକ; କୋକିଳ ମୃଗ ଏମାନଙ୍କୁ ଏବଂ ଗନ୍ଧର୍ବ, ଯକ୍ଷ ଓ ରାକ୍ଷସମାନଙ୍କୁ ପୁଣ୍ୟଜନ ବୋଲାଯାଏ ) ।    

୫ମ ପଦ :- ‘‘ଯେବେ ରାକ୍ଷସମାନେ ବଳପୂର୍ବକ ପୁଣ୍ୟଜନପଦ ନ ନେଲେ, ତାହାହେଲେ ସେମାନେ ପାପୀ ହୋଇ କେଉଁ ହେତୁରୁ ପୁଣ୍ୟଜନ ବୋଲାଇଲେ, ସମସ୍ତେ ମନରେ ଏହା ବିଚାର କର ।’’ ହନୁମାନ ସେହି ବନକୁ ଦେଖି ଅତିଶୟ ସନ୍ତୁଷ୍ଟ ହୋଇ ମନେ ମନେ ଭାବିଲା, ‘ମୁଁ ବିବାଦ ସମୟରେ ଚୋର ପରି ଲୁଚି ଲୁଚି ଏଠାରୁ କାହିଁକି ଯିବି? ମୁଁ ତ ଦୁର୍ବଳ ନୁହେଁ, କ୍ଷୁଧାର୍ତ୍ତ ହୋଇ କାହିଁକି ବା ଯିବି?’ ଏହିପରି ଭାବି ସେ ବୃକ୍ଷମାନଙ୍କୁ ଓପାଡ଼ି ପାଟିରେ ଫଳମାନଙ୍କୁ ଝାଡ଼ିଲା ।

 

ବାହାସ୍ଫୋଟ ବିହିଲା ଉଦରଶାନ୍ତି ଅନ୍ତେ ।

ବିମର୍ଦ୍ଦିଲା ପାଦେ ପୁଷ୍ପ ଛଦନ ସହିତେ ଯେ ।

ବିଚାରନ୍ତି ରକ୍ଷୀରାକ୍ଷସୀ ଏ କି ଉତ୍ପାତ ?

ବତାସ ବିହୀନେ ତ କାନନ ହେଲା ହତ ଯେ ।

ବ୍ରହ୍ମର ଅର୍ଦ୍ଧ ବୟସ ପ୍ରଳୟ ତ ଦୂରେ ।

ବିଂଶଭୁଜେ ନ ଡରି କେ ଅଛି ଏ ସଂସାରେ ଯେ ।୬ ।

 

ବାଳୀ ଭାଳିଲେ ବାନର ଦେଖି ବାଳି ଏହି ।

ବାର୍ତ୍ତା କହିବାର ଭୂପେ ନଦୀପ୍ରାୟେ ବିହି ଯେ ।

ବିଭରଣ ରୋଦନ ଭୟଦ ଧ୍ୱନି ମେଳ ।

ବର୍ଷ୍ମରୁ ଗଳିତ ଘର୍ମ ଉଲ୍ଲୋଳ କଲ୍ଲୋଳ ଯେ ।

ବାଳ ଫିଟି ଲୋଟି ଶଇବାଳଚୟ କି ସେ ।

ବାହୁ ଉରୁ ତରୁ କି ଉପୁଡ଼ି ଭାସି ଆସେ ଯେ ।୭ ।

 

ବରଷାସୂଚକ ଏ କାଳକୁ ସଭାସ୍ଥାନ ।

ବିସ୍ତାର ଘନ ରାବଣ ପ୍ରତିଭା ନିଃସ୍ୱନ ଯେ ।

ବିଧି ବାତ ମେଳ ଯନ୍ତ୍ର ବାଜିବାରୁ ତହିଁ ।

ବରୁଣ ଶକ୍ରାଦି ସୁମନସ ସ୍ଫୁଟ ଯହିଁ ଯେ ।

ବିରଳରେ ନୀଳକଣ୍ଠ ନୃତ୍ୟେ ଶ୍ରଦ୍ଧାପର ।

ବିହୁଁ ହରି ରୀତି ଘୋଟି ମୋହିତ ଅନ୍ଧାର ଯେ ।୮ ।

 

ବିକାଶ ଚଞ୍ଚଳା ଅତି ସେ ଅନ୍ତେ ଶରଦ ।

ବଚ ଚନ୍ଦ୍ରୋଦୟ କଲା ପୁଷ୍କର ସୁହୃଦ ଯେ ।

ବିବେକ ପ୍ରସରି ହେତୁହୀନ ହେଲା ଆସି ।

ବିଭୀଷଣ ଅରିଷ୍ଟ ମସୃଣ ଶୁକେ ଭାଷି ଯେ ।

ବନରକ୍ଷ ବାଣୀ ନ୍ୟାସେ ପୁନଃ ଜଡ଼କୃତ ।

ବିଶେଷିତେ ଚିତ୍ତେ ଗଲ ପ୍ରବର୍ତ୍ତି ଶୀ (ସୀ)ତାର୍ତ୍ତ ଯେ ।୯ ।

 

ବସନ୍ତେ ଭାଳିତା କିଂସୁ (ଶୁ) କର ପ୍ରକାଶିତ ।

ବିନାଶ ହୋଇବ ଗରୀଷମକାଳ ପ୍ରାନ୍ତ ଯେ ।

ବ୍ରହ୍ମାଙ୍କ ପୁଚ୍ଛିଲା ଶାଖାମୃଗେ କାହୁଁ ଆସ ।

ବିଭୀତରେ ମୃଗରାଜ କାନନେ ବିଳସ ଯେ ।

ବୋଲେ ସେ ହେବ ସୁଗ୍ରୀବ ଅବା ଅନୁମାନ ।

ବାଳି ବୋଲନ୍ତାଇଁ ରାମବାଣେ ସେ ନିଧନ ଯେ ।୧୦ ।

 

୬ଷ୍ଠ ପଦ :- ଛଦନ - ପତ୍ର । ରକ୍ଷୀ - ରାକ୍ଷସୀ ବନ ରକ୍ଷାକାରିଣୀ - ରାକ୍ଷସୀମାନେ ।

୬ଷ୍ଠ ପଦ :- ତାହାର ଉଦର ବାଧା ଶାନ୍ତି ଲାଭ କରିବା ଉତ୍ତାରୁ ଅର୍ଥାତ୍‌ ପେଟ ପୂରିଯିବା ଉତ୍ତାରୁ ସେ ବାହୁରେ ହାତ ମାରି ବୃକ୍ଷ, ଲତାମାନଙ୍କ ପତ୍ର ଓ ଫୁଲ ସହିତ ପାଦରେ ଦଳି ପକାଇଲା । ସେ ବନରେ ଥିବା ବନରକ୍ଷିକ ରାକ୍ଷସୀମାନେ ଏହା ଦେଖି ବିଚାରିଲେ, ‘ଏ କି ଉତ୍ପାତ ? ବିନା ବତାସରେ ଏହି ଉଦ୍ୟାନଟି ନଷ୍ଟ ହେଲା କିପରି ? ବ୍ରହ୍ମାଙ୍କର ବୟସତ ବର୍ତ୍ତମାନ ଅଧେ (୫୦ ବର୍ଷ ମାତ୍ର) ହୋଇଅଛି । ଏଣୁ ପ୍ରଳୟ ବହୁତ ଦୂରରେ ଅଛି । (ବର୍ତ୍ତମାନ ଏପରି ହେଲା କାହିଁକି ?) ଏହି ସଂସାରରେ ରାବଣକୁ ନ ଡରି କିଏ ବା ଅଛି ?’

୭ମ ପଦ :- ବାଳୀ - ରକ୍ଷାକାରିଣୀ ରାକ୍ଷସୀଗଣ । ବିଭରଣ - ପୂର୍ଣ୍ଣ । ବର୍ଷ୍ମରୁ - ଦେହରୁ । ଉଲ୍ଲୋଳ - ଚଞ୍ଚଳ । କଲ୍ଲୋଳ- ଲହରୀ । ଶୈବାଳଚୟ - ଶୀଉଳିସମୂହ ।

୭ମ ପଦ :- ସେହି ବନରକ୍ଷିକା ରମଣୀମାନେ ଗୋଟିଏ ବାନର ଦେଖି ଭାବିଲେ, ‘ଏ ନିଶ୍ଚୟ ବାଳ ( କପିରାଜା’)। ଏଣୁ ରାଜାଙ୍କୁ ସେମାନେ ଏହି ବାର୍ତ୍ତା କହିବା ପାଇଁ ନଦୀ ପରି ବୋହିଗଲେ, ଅର୍ଥାତ୍‌ ଜଣକ ପଛେ ଜଣେ ଦୌଡ଼ିବାକୁ ଲାଗିଲେ।

୮ମ ପଦ :- ଘନ - ମେଘ । ପ୍ରତିଭା - ଦୀପ୍ତି । ନିଃସ୍ୱନ - ଶବ୍ଦ । ବିଧି - ନିୟମ, ବିଧାତା । ବାତ - ବାୟୁ । ବରୁଣ - ସ୍ୱନାମପ୍ରସିଦ୍ଧ ବୃକ୍ଷ ବିଶେଷ, ବରୁଣଦେବ ବା ସମୁଦ୍ର । ଶତ୍ରାଦି - ପିତାକୋରୁଆ, ବଣମଲ୍ଲୀ, ଅର୍ଜ୍ଜୁନବୃକ୍ଷ । ପ୍ରଭୃତି, ଇନ୍ଦ୍ରାଦି । ସୁମନସ - ଦେବତା, ଫୁଲ । ସ୍ଫୁଟ – ଫୁଟିବା, ପ୍ରକାଶିତ ହେବା । ବିରଳରେ - ନିର୍ମଳଭାବରେ । ନୀଳକଣ୍ଠ - ମୟୁର, ମହାଦେବ। ବାଜିବାର - ପକ୍ଷୀସମୂହ, ବାଜିବା । ହରି - ରଜନୀ, ବିଷ୍ଣୁ ।

୮ମ ପଦ :- ଏହି ରାକ୍ଷସୀମାନେ ରାବଣର ନିକଟରେ ଉପସ୍ଥିତ ହେବା ବେଳକୁ ସଭାସ୍ଥଳ ବର୍ଷାକାଳର ସୂଚନା ଦେଉଥିଲେ । କାରଣ ବର୍ଷାକାଳୀନ ମେଘ ଆକାଶକୁ ଆବୃତ କଲା ପରି ରାବଣ ତାର ‘ଘନ’ କୃଷ୍ଣବର୍ଣ୍ଣ (କାଳିଆ) ‘ପ୍ରତିଭା’ ଶାରୀରିକ ତେଜକୁ ବିସ୍ତାର କରି ସଭାସ୍ଥଳକୁ ଆବୃତ କରିଥିଲା ଏବଂ ତାର ଶବ୍ଦ (ଉଚ୍ଚଭାଷଣ) ମେଘର ଶବ୍ଦ ପରି ଶୁଣା ଯାଉଥିଲା । ବର୍ଷା କାଳରେ ବିଧାତାର ନିୟମାନୁସାରେ ମେଘ ସହିତ ପବନର ମିଳନ, ପକ୍ଷୀମାନଙ୍କର ନିୟନ୍ତ୍ରଣ ଓ ବରୁଣ, ଗରିମଲ୍ଲିକା ପ୍ରଭୃତି ବୃକ୍ଷମାନେ ପୁଷ୍ପିତ ହେଲାପରି, ସେହି ସଭାରେ ବ୍ରହ୍ମା ଓ ପବନ ମିଳିତ ହୋଇଥିଲେ, ଯନ୍ତ୍ର ବାଦ୍ୟ ବାଜୁଥିଲା ଓ ଇନ୍ଦ୍ର ବରୁଣ ପ୍ରଭୃତି ଦେବତାମାନେ ଏକତ୍ରିତ ହୋଇଥିଲେ । ବର୍ଷାକାଳରେ ମୟୁରମାନେ ଶ୍ରଦ୍ଧାଯୁକ୍ତ ହୋଇ ନିର୍ଜନ ସ୍ଥାନରେ ନୃତ୍ୟ କରୁଥାନ୍ତି ଏବଂ ‘ହରିରାତି’ ରାତ୍ରିର ଆଚରଣ ବିଧାନ କରୁଥିବାରୁ (ଅର୍ଥାତ୍‌ ରାତ୍ରିରେ ସୂର୍ଯ୍ୟ ଦେଖା ନ ଦେଲା ପରି ବର୍ଷା ସମୟରେ ଦିନବେଳେ ସୂର୍ଯ୍ୟ ମେଘଦ୍ୱାରା ଆବୃତ ହୋଇ ରହିବାରୁ ଦିନ ମଧ୍ୟ ରାତିପରି ଆଚରଣ କରିଥାଏ) ଅନ୍ଧକାର ବ୍ୟାପ୍ତ ହୋଇ ଲୋକମାନଙ୍କୁ ମୋହିତ କରେ, ସେହିପରି ଏ ସଭାରେ ମହାଦେବ ‘ବିରଳେ’ କେତେବେଳେ କେତବେଳେ ଅଥବା ପରିଷ୍କାର ଭାବରେ ନୃତ୍ୟ କରୁଥିଲେ ଓ ‘ହରିରାତି’ ବାନରର ଆଚରଣ ସେହି ସ୍ଥାନରେ ଘୋଟି (ପ୍ରଚାରିତ ହୋଇ) ରାବଣକୁ କର୍ତ୍ତବ୍ୟଶୂନ୍ୟ ଓ ମୋହିତ କରିଥିଲା । (ଲଙ୍କଦେବୀ ସ୍ୱପ୍ନରେ କହିଥିବା କଥା ରାବଣ ବସି ବିଚାର କରୁ କରୁ ଏପରି ହେଲା ) ।

୯ମ ପଦ :- ଚଞ୍ଚଳା - ବିଦ୍ୟୁତ୍‌ । ବଚ - କଥା । ପୁଷ୍କର - ଆକାଶ, ଜଳ । ଅରିଷ୍ଟ - କାକ, ଅଶୁଭ କଥା । ମସୃଣ - ଚିକ୍‌କଣ, ତୁନି ତୁନି କହିବା

୯ମ ପଦ :- ବର୍ଷା କାଳରେ ବିଜୁଳି ଯେପରି ଅତିଶୀଘ୍ର ପ୍ରକାଶିତ ହୁଏ, ସେହିପରି ରାବଣ ମୋହ ହୋଇ ଯିବାରୁ ସଭାସଦମାନେ ଅତିଶୟ ଚଞ୍ଚଳ ହେଲେ । ବର୍ଷାକାଳ ପରେ ଶରତ୍‌ ପ୍ରବେଶ ହେଲେ ଯେପରି ଆକାଶରେ ନିର୍ମଳଚନ୍ଦ୍ର ଉଦୟ ହୁଏ, ସେହିପରି ଚଞ୍ଚଳମନା ପ୍ରିୟ ସଭାସଦସମୂହ ଜଳ ଓ କର୍ପୂର ସେଠାରେ ଯୋଗାଇଲେ ଅର୍ଥାତ୍‌ ରାବଣ ଦେହରେ ଜଳ ସିଞ୍ଚି କର୍ପୂର ଘଷିଲେ । ଏହିପରି କରିବାରୁ ରାବଣର ଜ୍ଞାନ ହେଲା । ଶରତ୍‌ ପରେ ହେମନ୍ତ କାଳ ଉପସ୍ଥିତ ହେଲା । ତେଣୁ ଅତି ଭୟଙ୍କର କୁଆମାନେ ଚିକ୍‌କଣ ଦେଖାଗଲେ । ଶୁକପକ୍ଷୀମାନେ ପଡ଼ିଲେ । ଏହି ସମୟରେ ବିଭୀଷଣ ଆସି ‘କଣ ରାଜା ହେତୁହୀନ ହେଲେ ? ଏହା ଅଶୁଭ ହେଲା’ ବୋଲି ଗୁପ୍ତକରି ଶୁକ ନାମକ ମନ୍ତ୍ରୀକୁ କହିଲେ । ଏହି ସମୟରେ ବନରକ୍ଷିକମାନେ ବନଭଗ୍ନ କଥା କହିବାରୁ ହେମନ୍ତ ପରେ ଶିଶିର ଆସିଲେ କାକର ଲାଗି ଦେହ ଯେପରି ଜଡ଼ ହୋଇଯାଏ, ରାବଣ ସେହିପରି ଜଡ଼ ହୋଇଗଲା । ଶିଶିର ପରେ ଶୀତ ୠତୁରେ ଯେପରି ‘ଶୀତାର୍ତ୍ତ’ ଶୀତ ଯୋଗୁଁ ଦୁଃଖ ଅନୁଭବ କରିବାକୁ ହୁଏ, ସେହିପରି ରାବଣର ଚିତ୍ତରେ ପ୍ରବଳ ଭାବରେ ‘ସୀତାର୍ତ୍ତ’ ସୀତାଙ୍କ ହେତୁରୁ ଭୟ ଜାତ ହେଲା ।

୧୦ମ ପଦ :- ଚନ୍ଦ୍ର-ଚନ୍ଦ୍ର, କର୍ପୂର । ଶୁକ - ଶୁଆପକ୍ଷୀ, ଶୁକ ନାମକ ମନ୍ତ୍ରୀ । ବାଣୀନ୍ୟାସ-କହିବା ।

୧୦ମ ପଦ :- ରାବଣ ମୋହ ତ୍ୟାଗ କରି ବସନ୍ତେ ‘ଏ କଣ ହେଲା’ ଏତିକି ମାତ୍ର କହି ଭାଳିବାକୁ ଲାଗିଲା । ଯାହା ଭାବିବାକୁ ଲାଗିଲା ତାହାତ ଅନାୟସରେ ପ୍ରକାଶିତ ହେଉଛି, ଆଉ କଣ କହିବା ? ବର୍ତ୍ତମାନ ବସନ୍ତକାଳର ବିଷୟ ଭାବନା କରିବା କି ? କାରଣ ଏହି ସମୟରେ କିଂସୁକର’ ପଳାଶ ଫୁଲର ପ୍ରକାଶ ହେଲାପରି ‘କିଂ’ କିଞ୍ଚିତ ଶୁକ ନାମକ ମନ୍ତ୍ରୀଙ୍କର ମନରେ ଆନନ୍ଦ ପ୍ରକାଶିତ ହେଲା । ତେଣୁ ସେ କହିଲେ, ‘‘ଏହି ସମୟର ଶେଷକୁ ଅର୍ଥାତ୍‌ ମହାରାଜଙ୍କର ଏହି ଚିନ୍ତିତ ଅବସ୍ଥା ପରେ ଅଥବା ଏହିପରି ବନ ଭଙ୍ଗ ପ୍ରଭୃତି କିଛି କାର୍ଯ୍ୟ କରି ସାରିବା ପରେ ସେହି ରାମଦୂତ ‘କାଳପ୍ରାନ୍ତ’ ବସନ୍ତର ଶେଷ ସମୟ ଉପସ୍ଥିତ ହେଲେ ଅର୍ଥାତ୍‌ ଗ୍ରୀଷ୍ମ ଆସିଲେ (ଗିରିସମ) ପର୍ବତପରି ବିନାଶ ହେବ (ପୋଡ଼ିହୋଇ ମରିବ) । ଆଉ ମଧ୍ୟ ଗ୍ରୀଷ୍ମକାଳ ଓ ତତ୍ପରବର୍ତ୍ତୀ କାଳମାନ ଏହିପରି ଆସି ବିନାଶ ହେବେ ଅର୍ଥାତ୍‌ ଏମାନଙ୍କୁ କେତେ ବର୍ଣ୍ଣନା କରିବା ?’’ ଏହା ପରେ ରାବଣ ବ୍ରହ୍ମାଙ୍କୁ ପଚାରିଲା, ‘‘ହେ ବ୍ରହ୍ମା ! ମାଙ୍କଡ଼ଟାଏ କେଉଁଠାରୁ ଆସି ସିଂହର ବଗିଚାରେ (ମୋର ଅଶୋକ ବନରେ ) ନିର୍ଭୟ ଚିତ୍ତରେ କ୍ରୀଡ଼ା କରୁଅଛି ?’’ ବ୍ରହ୍ମା କହିଲେ, ‘‘ସୁଗ୍ରୀବ କିମ୍ୱା ହନୁମାନ ହେବ । ବାଳି ବୋଲି ଅବା କହନ୍ତି, ମାତ୍ର ସେ ରାମଚନ୍ଦ୍ରଙ୍କ ଶରାଘାତରେ ପ୍ରାଣତ୍ୟାଗ କରିଅଛି ।’’

 

ବିସ୍ମୟ ହରଷ ଶୁଣି ବହୁ ସୈନ୍ୟ ପେଷି ।

ବାନ୍ଧି ଆଣିବଟି ନ ବିନାଶି ଏହା ଭାଷି ଯେ ।

ବିଭୁ ହୋଇ ସେ କିଙ୍କରଗଣ-ଦଣ୍ଡଦାନୀ ।

ବାହୁ ମୋଡ଼ି କେଶ ଧରି ପ୍ରାଣ-କର ଘେନି ଯେ ।

ବିଭଞ୍ଜନ ଶାଳକାରେ ପବନଜନିତ ।

ବଧି ଶାର୍ଦ୍ଦୁଳାଦି ପାଞ୍ଚ ସେ କେଶରୀସୁତ ଯେ ।୧୧ ।

 

ବହି ମୃତ୍ୟୁମୂର୍ତ୍ତି ଜମ୍ବୁମାଳୀ ଅନନ୍ତମାଳୀ ।

ବିଲମ୍ବାଇ ଗଳେ ପ୍ରଶସ୍ତର ଗର୍ବ ଦଳି ସେ ।

ବଳପୂଚ୍ଛୁଁ ବୋଲେ ତବ ପ୍ରାଣସରି ଯୋଖ ।

ବିଗ୍ରହ ତ ଉଦୟାଦି ବାଳଭାନୁ ମୁଖ ଯେ ।

ବିଭୂଷା ମୁକୁଟ ଉର୍ଦ୍ଧ୍ୱମୁଖ କିରଣ କି ?

ବିଳସେ ତହିଁ ଲାଙ୍ଗୁଳ ଆସି କି ବାସୁକି ଯେ ? ।୧୨ ।

 

ବିଧ୍ୱଂସ ତମସ ଦମ୍ଭ ସେ ପ୍ରଭା ଅନାଇଁ ।

ବଡ଼ଧର୍ମେ ଦୂର ମୁଁ ଦର୍ଦ୍ଦୁର ପରା ହୋଇ ଯେ ।

ବଇଶ୍ରବଣ ଶ୍ରବଣେ ପେଷିଲା ଅକ୍ଷୟ ।

ବିଚାରିଲା ନାହିଁ ବଧ ବୋଲି ନିଃସଂଶୟ ଯେ ।

ବ୍ୟାଧ ଅହଙ୍କାର ଶାଖାମୃଗ ବୁଦ୍ଧି କରି ।

ବେଢ଼ାଇ ସେ ସୈନ୍ୟଜାଳ କଳମ୍ବ ପ୍ରହାରି ଯେ ।୧୩ ।

 

ବଳିମୁଖବଳୀ ଶଲ୍ୟ ଝଳିକି ବହିଲା ? ।

ବିମାନ ଭଗନେ ଚକ୍ରଧର ସେ ହୋଇଲା ଯେ ।

ବାନର ମଧ୍ୟରେ ସ୍ୱତଃ ମୁହିଁ ହନୁମାନ ।

ବିଜୟରେ ବିଭୂତିରେ କରିବେ କଥନ ଯେ ।

ବହି ଖଡ଼୍‌ଗଫଳକ ଅସୁର ଭୈରବ ।

ବହୁତ ପ୍ରକାରେ ହେଲା ସଂଗ୍ରାମ ସମ୍ଭବ ଯେ ।୧୪ ।

 

ବାଜି ବେନି ଶିରେ ବେନି ଆୟୁଧହିଁ ହତ ।

ବିଗ୍ରହକୁ ବିଗ୍ରହରେ ବିଗ୍ରହେ ଜଡ଼ିତ ଯେ ।

ବିନତାନନ୍ଦନ ଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ କଲା ପ୍ରାୟେ ।

ବେପଥୁ ବହ ବହନ ବିଶ୍ୱମ୍ବରା ହୋଏ ଯେ ।

ବିଘାତ ଖରନଖର ଖର ରକ୍ତ ସ୍ରବି ।

ବିକଶି ନଦରେ କୋକନଦ କ୍ଷ୍ମାତ ଭାବି ଯେ ।୧୫ ।

 

 

୧୧ଶ ପଦ :- ବାଳିର ମରଣ ବୃତ୍ତାନ୍ତ ବ୍ରହ୍ମାଙ୍କଠାରୁ ଶୁଣି ରାବଣ ଯୁଗପତ୍‌ହର୍ଷ ଓ ବିସ୍ମୟରେ ନିମଗ୍ନ ହେଲା । (ଶତ୍ରୁ ମରିବାରୁ ଆନନ୍ଦିତ ଓ ରାମଦ୍ୱାରା ନିଜଠାରୁ ପରାକ୍ରମଶାଳୀ ବାଳିର ମରଣ ଏହା ଭାବି ବିସ୍ମିତ ହେଲା) ବାଳି ମରି ଯାଇଥିବାରୁ ଭୟଶୂନ୍ୟ ହୋଇ ‘ଏହିବାନରକୁ ନ ମାରି ବାନ୍ଧିଆଣ’ ବୋଲି କହି ବହୁତ ସୈନ୍ୟ ପଠାଇଲା । ହନୁମାନ ସେହି ବନରେ ରାଜତ୍ୱ ବିସ୍ତାର କରି, ରାଜାମାନେ ଚାକରମାନଙ୍କୁ ଦଣ୍ଡ ଦେଲାପରି, ସେହି ସୈନ୍ୟମାନଙ୍କର ବାହୁ ମୋଡ଼ି ଚୁଟି ଭିଡ଼ି, ପ୍ରାଣ ରୂପ ରାଜସ୍ୱ ଗ୍ରହଣ କଲା (ମାରି ପକାଇଲା) । ପବନ ଯୋଗୁଁ ଶାଳବୃକ୍ଷମାନେ ଯେପରି ଭାଙ୍ଗି ପଡ଼ନ୍ତି ସେହିପରି ପବନପୁତ୍ର ହନୁମାନ ରାବଣର ଶଳାମାନଙ୍କୁ ବିନାଶ କଲା ଏବଂ ସିଂହ ଶିଶୁ ଯେପରି ବ୍ୟାଘ୍ରମାନଙ୍କୁ ନାଶ କରେ, ସେହିପରି କେଶରୀ ନାମକ ବାନରର ସୁତ ହନୁମାନ ଶାର୍ଦ୍ଦୁଳାଦି ପାଞ୍ଚବୀରଙ୍କୁ ନାଶ କଲା ।

୧୨ଶ ପଦ :- ମୃତ୍ୟୁମୂର୍ତ୍ତି-ଯମ । ବାଳଭାନୁ-ପ୍ରାତଃକାଳର ସୂର୍ଯ୍ୟ । ଉଦାୟାଦ୍ରି-ଉଦାୟାଚଳ ।

୧୨ଶ ପଦ :- ତତ୍ପରେ ହନୁମାନ ଭୀଷଣମୂର୍ତ୍ତି ଧାରଣ କରି ଜମ୍ୱୁମାଳି ଅସୁରର ଅନ୍ତକୁ ବାହାର କରି ମାଳାପରି ବେକରେ ଲମ୍ୱାଇଲା ଏବଂ ପ୍ରଶସ୍ତର ଖର୍ବକୁ ଚୂନା କରି ଦେଲା । ପ୍ରଶସ୍ତ ପରାସ୍ତ ହୋଇ ଯାଇ ରାବଣ ନିକଟରେ ସମସ୍ତ ବୃତ୍ତାନ୍ତ କହି ସାରିବା ପରେ ରାବଣ ତାକୁ ପଚାରିଲା, ‘‘ତାର ବଳ କେତେ ?’’ ସେ କହିଲା, ତାର ବଳ ଆପଣଙ୍କ ‘ପ୍ରାଣସରି’ ବଳର ସହିତ ସମାନ ହେବ । ତାର ଦେହ ଉଦୟ ପର୍ବତପରି ଓ ମୁଖ ବାଳସୂର୍ଯ୍ୟ ପରି ଦେଖାଯାଉଛି ଏବଂ ତାର ଶିରୋଭୂଷଣ ମୁକୁଟକୁ ଦେଖିଲେ ମନେ ହେଉଛି, ଏହା ଉର୍ଦ୍ଧଗାମୀ ସୂର୍ଯ୍ୟକିରଣ କି ? ସେହିପରି ଲାଙ୍ଗୁଳକୁ ଦେଖି ମନେ ହେଉଛି, ବାସୁକି ଆସି ତା ଦେହରେ ଲାଙ୍ଗୁଳ ରୂପରେ ଲାଗି ରହି ଶୋଭା ପ୍ରକାଶ କରୁଛି କି ?’’

୧୩ଶ ପଦ :- ତମସ-ଅନ୍ଧକାର । ଦର୍ଦ୍ଦୁର-ଭେକ । ବୈଶ୍ରବଣ-ରାବଣ । ଶାଖାମୃଗ-ମର୍କଟ । ବ୍ୟାଧ--ବାଣୁଆ । କଳମ୍ୱ-ଶର ।

୧୩ଶ ପଦ :- ସୂର୍ଯ୍ୟାଦୟରେ ଅନ୍ଧକାର ନଷ୍ଟ ହେଲାପରି ତା ମୁଖର ତେଜକୁ ଦେଖି ମୋର ଧୈର୍ଯ୍ୟରୂପ ଅନ୍ଧକାର ଧ୍ୱଂସ ହୋଇଗଲା । ମୋର ଅତିଶୟ ଧର୍ମବଳ ଥିବାରୁ ମୁଁ ତାର ବାସୁକି ପ୍ରାୟ ଲାଙ୍ଗୁଳକୁ ଦେଖି ବେଙ୍ଗପରି କୁଦାମାରି ପଳାଇ ଆସିଲି ।’’ ରାବଣ ଏହା ଶୁଣି ଅକ୍ଷୟକୁ ପଠାଇଲା । କାରଣ ସେ ମନେ କରିଥିଲା ଯେ, ଏହାର କେବେ ହେଲେ ‘କ୍ଷୟ’ ମୃତ୍ୟୁ ହେବ ନାହିଁ, ଏହା ସତ୍ୟ । ଅକ୍ଷୟ ଅହଂକାର ବଶତଃ ନିଜକୁ ବ୍ୟାଧ ଓ ହନୁମାନକୁ ‘ଶାଖାମୃଗ’’ ଡାଳଖିଆ ହରିଣ ମନେ କରି ତାର ଚାରିଆଡ଼େ ସୈନ୍ୟମାନଙ୍କୁ ଜାଲପରି ଘେରାଇ ଶର ବିନ୍ଧିଲା ।

୧୪ଶ ପଦ :- ବଳିମୁଖବଳୀ-ମର୍କଟବୀର ହନୁମାନ । ଶଲ୍ୟ-ଝିଙ୍କପକ୍ଷୀ । ବିମାନ ଭଗନେ - ଗର୍ବ ଚୂର୍ଣ୍ଣ କରିବାପାଇଁ । ବିମାନ-ରଥ । ବିଜୟରେ-ଅର୍ଜୁନଙ୍କୁ ।

୧୪ଶ ପଦ :- ବାନରବୀର ହନୁମାନ ଝିଙ୍କ ପକ୍ଷୀର ଶୋଭାକୁ ଧାରଣ କଲା । (ଅକ୍ଷୟର ଶରସବୁ ତା ଦେହରେ ଫୋଡ଼ିହୋଇ ଲାଗି ରହିବାରୁ ସେ ଏପରି ଦେଖାଗଲା ) । ତତ୍ପରେ ସେ ଅକ୍ଷୟର ରଥକୁ ଭାଙ୍ଗି ତାର ଚକକୁ ଧରିବାରୁ ଚକ୍ରଧର’ ବିଷ୍ଣୁଙ୍କ ପରି ଦେଖାଗଲା । ଏହି ସମୟରେ ସେ କହିଲା, ‘‘ବାନରମାନଙ୍କ ମଧ୍ୟରେ ମୁଁ ଶ୍ରେଷ୍ଠ, ମୋର ନାମ ହନୁମାନ । ଏହି ବିଷୟ ଗୀତର ବିଭୂତି ଅଧ୍ୟାୟରେ ଭଗବାନ ନିଜେ ଅର୍ଜୁନଙ୍କୁ କହିବେ ।’’ ଏହା ଶୁଣି ଅକ୍ଷୟ ଖଣ୍ଡା ଧରି ଭୟଙ୍କର ମୂର୍ତ୍ତି ପ୍ରକାଶ କଲା । ତତ୍ପରେ ସେ ଦୁହିଁଙ୍କ ମଧ୍ୟରେ ଅନେକ ପ୍ରକାର ଯୁଦ୍ଧ ଲାଗିଲା ।

୧୫ଶ ପଦ :- ବିଗ୍ରହ-ଦେହ । ଦ୍ୱନ୍ଦ୍ୱ-ଯୁଦ୍ଧ । ବିଗ୍ରହ-ମଲ୍ଲଯୁଦ୍ଧ । ବିଶ୍ୱମ୍ୱରା-ପୃଥିବୀ । ଖରନଖ-ତୀକ୍ଷ୍‌ଣ ନଖ । ଖର-ପ୍ରବଳବେଗରେ । କୋକନଦ-ରକ୍ତପଦ୍ମ । ବେପଥୁ-କମ୍ପନ ।

୧୫ଶ ପଦ :- ଦୁହିଁଙ୍କର ଅସ୍ତ୍ର ଶସ୍ତ୍ର ଦୁହିଁଙ୍କ ମୁଣ୍ଡରେ ବାଜି ଚୂର୍ଣ୍ଣ ହୋଇଗଲା । ଏଣୁ ଦୁହେଁ ବିନତାଙ୍କ ପୁତ୍ର (ଗରୁଡ଼ ଓ ଅରୁଣ) ଦେହରେ ଦେହକୁ ଜଡ଼ାଇ ଯୁଦ୍ଧ କଲାପରି ମାଲଯୁଦ୍ଧ କଲେ । ଏହି ଯୁଦ୍ଧ ଯୋଗୁଁ ପୃଥିବୀ ହଠାତ୍‌ କମ୍ପିବାକୁ ଲାଗିଲା ଏବଂ ଦୁହିଁଙ୍କର ତୀକ୍ଷ୍‌ଣ ନଖ ଦୁହିଁଙ୍କର ଦେହରେ ବାଜି କ୍ଷତ ହେବାରୁ ରକ୍ତ ପ୍ରବଳବେଗରେ ଝରିଲା । ସେହି ରକ୍ତ ପଡ଼ିବାରୁ ‘କ୍ଷ୍ମା’ ପୃଥିବୀ ପ୍ରସ୍ଫୁଟିତ ରକ୍ତକୁମୁଦମଣ୍ଡିତା ନଦୀ ପରି ଦେଖାଗଲା ।

 

ବରଷା ଗ୍ରୀଷମ ନଦୀ ମାରୁତି ଅକ୍ଷୟ ।

ବୃଦ୍ଧି ହେଲା ସଲୀଳ ଜୀବନ ହେଲା କ୍ଷୟ ଯେ ।

ବ୍ୟୁହବ୍ୟୁହ ସୈନ୍ୟ ମୀନ ସଙ୍ଗୀ ନାଶ ପୁଣ ।

ବିହେ ଆର୍ତ୍ତସ୍ୱର ଚାରଗଣ ପଳାଇଣ ଯେ ।

ବିଚିତ୍ର କର୍ମ ଶ୍ରବଣେ ଇନ୍ଦ୍ରଜିତ ପୋଷି ।

ବିମାନ ଆରୋହି ମାନମାନସେ ସେ ଆସି ଯେ ।୧୬ । 

 

ବିପିନରେ ଦୀପ୍ତ ନୋହି ଛପି ଦ୍ୱୀପୀପରି ।

ବୁଲି ତ୍ରବ୍ୟାଦେ ଖୋଜନ୍ତି ରାଜାଜ୍ଞାକୁ ଡରି ଯେ ।

ବାଜୀ ଚଢ଼ ଇନ୍ଦ୍ରଜିତ ଭ୍ରମେ ଉଚ୍ଚେ ଡାକି ।

ବନ୍ଦି କହେ ବନ୍ଦୀ କପିଇନ୍ଦ୍ର ଗଲା ଶଙ୍କି ଯେ ।

ବୃକ୍ଷେ ଗୁପ୍ତେ ଥିଲା ରେ ରେ କାରେ କରି ରଡ଼ି ।

ବଜରବେ କାକପ୍ରାୟେ ସୈନ୍ୟଗର୍ବ ଛାଡ଼ି ଯେ ।୧୭ ।

 

ବସି ସୁରଭିବରେ ସେ ଶିବ ଅଛି ହୋଇ ।

ବିଶାଖା ଶକ୍ରାରି କରୁଁ ବାଣକୁ ବଞ୍ଚାଇ ଯେ ।

ବିଭୂଷି ସ୍ଥାଣୁ ଶିରକୁ ଇନ୍ଦ୍ରପ୍ରଭା ଖ୍ୟାତେ ।

ବିନ୍ଧ ବୋଲେ ଗୁରୁଶିକ୍ଷା ଶର ଅଛି ଯେତେ ରେ ।

ବଡ଼ାଇ କୃତେ ଭୁଜଙ୍ଗ ପ୍ରୟୋଗ ସେ କଲା ।

ବନ୍ଧା କି ସେ ସୁରମଣି ସେ ପାଶେ ହୋଇଲା ଯେ ।୧୮ ।

 

ବଳୀବର୍ଦ୍ଦେ କାଷ୍ଠ ପରି ନେବା ମଲ୍ଲେ ବୋଲେ ।

ବାହୁ ରଜ୍ଜୁ ଲଗାଇଲେ ସ୍ୱଇଚ୍ଛାରେ ଚାଲେ ଯେ ।

ବିଷବୈଦ୍ୟ ଯଥା ସର୍ପଭୂଷଣରେ ଆସେ ।

ବଳଦନ ବଡ଼ ଦେଖିଲାର ଜନ ଭାଷେ ଯେ ।

ବେଢ଼ିଛନ୍ତି ଯାତୁଧାନ ମଧ୍ୟେ ହନୁମାନ ।

ବନ୍ଧନ କରି ତସ୍କର ଆଣିଲା ବିଧାନ ଯେ ।୧୯ ।

 

ବିଚିତ୍ର କପି ଦେଖିବା ବୋଲି ଲଙ୍କବାସୀ ।

ବାଳ ବୃଦ୍ଧ ଯୁବା ସ୍ତିରୀ ପୁଂସ ମିଶାମିଶି ଯେ ।

ବୋଲଇ କେ ବିନାଶିଲା ମୋ ଭ୍ରାତ ଜନକ ।

ବଧ କଲା ମୋ ଧବ ବୋଲି କେ କରେ ଶୋକ ଯେ ।

ବୋଲେ କେ ରଖିଛ କୀଶ ସଜୀବେ ନଗରେ ।

ବେଗରେ ଗର୍ତ୍ତେ ପକାଇ ପୋତିବା ନଗରେ ଯେ ।୨୦ ।

 

୧୬ଶ ପଦ :- ତତ୍ପରେ ହନୁମାନ ଓ ଅକ୍ଷୟ ଦୁହେଁ ଯଥାକ୍ରମେ ବର୍ଷା ଓ ଗ୍ରୀଷ୍ମକାଳୀନ ନଦୀ ପରି ଦେଖାଗଲେ କାରଣ ବର୍ଷାକାଳରେ ନଦୀ ଜଳ ବୃଦ୍ଧିଲାଭ କଲାପରି, ହନୁମାନ ସେହିଯୁଦ୍ଧରେ ‘ସଲୀଳ’ କୌତୁକର ସହିତ ନିଜର ଦେହ ବଢ଼ାଇବାକୁ ଲାଗିଲା ଏବଂ ଗ୍ରୀଷ୍ମକାଳରେ ନଦୀର ‘ଜୀବନ’ ଜଳ ଶୁଷ୍କ ହେଲା ପରି ଯୁଦ୍ଧରେ ଅକ୍ଷୟର ‘ଜୀବନ’ ପ୍ରାଣ କ୍ଷୟ ହେଲା (ସେ ମଲା) । ଯେପରି ନଦୀରୁ ଜଳ ଶୁଷ୍କ ହୋଇଗଲେ ଦଳ ଦଳ ହୋଇ ମାଛମାନେ ମରି ପଡ଼ନ୍ତି, ସେହିପରି ଅକ୍ଷୟର ସୈନ୍ୟମାନେ ଦଳ ଦଳ ହୋଇ ମରି ପଡ଼ିଲେ । ଏହା ଦେଖି ଦୂତମାନେ ପଳାଇଯାଇ କାତର ସ୍ୱରରେ ରାବଣ ନିକଟରେ ସମସ୍ତ କଥା ଜଣାଇଲେ । ରାବଣ ସେମାନଙ୍କଠାରୁ ହନୁମାନର ଏହି ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଶୁଣି ଇନ୍ଦ୍ରଜିତକୁ ପଠାଇଲା । ଇନ୍ଦ୍ରଜିତ ରଥରେ ବସି ଗର୍ବର ସହିତ ହନୁମାନର ନିକଟକୁ ଗମନ କଲା ।

୧୭ଶ ପଦ :- ଦ୍ୱୀପୀ-ବ୍ୟାଘ୍ର । କ୍ରବ୍ୟାଦେ-ରାକ୍ଷସମାନେ । ବାଜୀ-ଅଶ୍ୱ । ବନ୍ଦି-ଭାଟ । କ୍ଷ୍ମା-ପୃଥିବୀ ।

୧୭ଶ ପଦ :- ହନୁମାନ ଇନ୍ଦ୍ରଜିତକୁ ଦେଖା ନ ଦେଇ ବ୍ୟାଘ୍ର ପରି ସେହି ବନରେ ଛପି ରହିଲା । ରାକ୍ଷସମାନେ ରାଜାର ଆଜ୍ଞାକୁ ଡରି ବୁଲି ବୁଲି ତାକୁ ଖୋଜିବାକୁ ଲାଗିଲେ । ଇନ୍ଦ୍ରଜିତ ମଧ୍ୟ ଅଶ୍ୱାରୋହଣ ପୂର୍ବକ ଚାରିଆଡ଼େ ବୁଲି ବଡ଼ ପାଟିରେ ଡାକିବାକୁ ଲାଗିଲା । ଏହି ସମୟରେ ଇନ୍ଦ୍ରଜିତ ସ୍ତୁତି କରୁଥିବା ଲୋକମାନେ ବା ଭାଟମାନେ ସ୍ତୁତି କରି କହିଲେ ‘‘କପିନ୍ଦ୍ର ଆପଣଙ୍କୁ ଦେଖି ଡରିଗଲା ।’’ ଏହିକଥା ଶୁଣି ବୃକ୍ଷରେ ଲୁଚି ରହିଥିବା ହନୁମାନ ରେ ରେ କାର ରଡ଼ି କରିବାରୁ ବାଜପକ୍ଷୀର ଶବ୍ଦ ଶୁଣି କୁଆମାନେ ଉଡ଼ି ପଳାଇଲା ପରି ସୈନ୍ୟମାନେ ଗର୍ବ ଛାଡ଼ି ପଳାଇଲେ ।

୧୮ଶ ପଦ :- ସୁରଭିବର-ବୃଷଭ, ଜାଇଫଳ ବୃକ୍ଷ । ବିଶାଖା-ଶାଖାଶୂନ୍ୟ ବା ଅସହାୟ । ଶକ୍ର-ବିଷ୍ଣୁ । ଅରି-ଚକ୍ର ।       ସ୍ଥାଣୁ-ମହାଦେବ; ଲଣ୍ଡା ବୃକ୍ଷ । ଶକ୍ରାର-ଇନ୍ଦ୍ରଜିତ ।

୧୮ଶ ପଦ :- ଏହି ସମୟରେ ହନୁମାନ ମହାଦେବଙ୍କ ପରି ଦେଖାଯାଉଥିଲା । କାରଣ ଶିବ ‘ସୁରଭିବରେ’ ବୃଷଭ ଉପରେ ବସିଲା ପରି ଏ ‘ସୁନ୍ଦଭିବରେ’ ଯାଇଫଳ ଗଛ ଉପରେ ବସିଅଛି । ‘ଶକ୍ରାରି’ ଯାମଳାର୍ଜ୍ଜୁନ ଭଞ୍ଜନକାରୀ କୃଷ୍ଣ ବାଣାସୁରର ସମୁଦାୟ ହସ୍ତ ଚ୍ଛେଦନ କରିବାକୁ ଉଦ୍ୟତ ହୁଅନ୍ତେ ଶିବ ଯେପରି ତାକୁ ରକ୍ଷା କରିଥିଲେ, ସେହିପରି ଇନ୍ଦ୍ରଜିତ ଯାଇଫଳ ବୃକ୍ଷକୁ ଡାଳଶୂନ୍ୟ କରିବାକୁ ଉଦ୍ୟତ ହୁଅନ୍ତେ, ହନୁମାନ ସେହି ଇନ୍ଦ୍ରଜିତ ମାରୁଥିବା ଶରମାନଙ୍କୁ ପ୍ରତାରିତ କଲା ଅର୍ଥାତ୍‌ ସେ ଆଡ଼ ହୋଇ ଯିବାରୁ ଶରସବୁ ତା ଦେହରେ ବାଜିନଥିଲା । ତତ୍ପରେ ଇନ୍ଦ୍ରଜିତ ଶର ମାରି ସେହି ବୃକ୍ଷର ଡାଳମାନଙ୍କୁ କାଟି ପକାଇବାରୁ ହନୁମାନ ଚନ୍ଦ୍ରଙ୍କ ପରି ଦେଖାଗଲା । କାରଣ ଚନ୍ଦ୍ର ଯେପରି ଶିବଙ୍କର ମୁଣ୍ଡକୁ ନିଜର କିରଣ ଦ୍ୱାରା ମଣ୍ଡିତ କରିଥାଏ, ଏ ସେହିପରି ନିଜର ବୀରତେଜ ଦ୍ୱାରା ସେହି ଲଣ୍ଡା ବୃକ୍ଷକୁ ମଣ୍ଡିତ କରିଥିଲା । ସେହି ବୃକ୍ଷ ଉପରେ ଥାଇ ହନୁମାନ ଇନ୍ଦ୍ରଜିତକୁ କହିଲା, ‘‘ରେ ଇନ୍ଦ୍ରଜିତ ? ତୁ ତୋର ଗୁରୁଙ୍କଠାରୁ ଯେତେ ଶର ପ୍ରୟୋଗ କରିବାର ଶିଖିଅଛୁ ସେ ସବୁ ମାର ।’’ ହନୁମାନ ଗର୍ବକରି ଏପରି କହିବାରୁ, ଇନ୍ଦ୍ରଜିତ ନାଗଫାଶ ନାମକ ଶର ପ୍ରୟୋଗ କଲା । ବୀରଶ୍ରେଷ୍ଠ ହନୁମାନ ସେହି ନାଗଫାଶରେ ବନ୍ଧା ହେଲା । ତାହା ଦେଖି ମନେହେଲା ‘ସୁରମଣି’ ସୂର୍ଯ୍ୟ ନାଗଫାଶରେ ବନ୍ଧା ହେଲେ କି ?

      ୧୯ଶ ପଦ :- ବିଷବୈଦ୍ୟ-ସାପୁଆ କେଳା । ତସ୍କର-ଚୋର । ଯାତୁଧାନ-ରାକ୍ଷସ ।

୧୯ଶ ପଦ :- ହନୁମାନ ଫାଶରେ ବନ୍ଧା ହେବାରୁ ମଲ୍ଲମାନେ କହିଲେ, ‘‘ବଳଦମାନେ କାଠ ନେଲାପରି ଏହାକୁ ନେବା (ଅର୍ଥାତ୍‌ ଏହାକୁ ଘୋଷାରି ଘୋଷାରି ନେବା । ବଳଦମାନେ ଜଙ୍ଗଲ ମଧ୍ୟରୁ କାଠ ଘୋଷାରି ଘୋଷରି ଆଣନ୍ତି କାରଣ ସେ ସ୍ଥାନକୁ ଶଗଡ଼ ଯାଇପାରେ ନାହିଁ )’’ । କିନ୍ତୁ ତାର ବାହୁରେ ଦଉଡ଼ି ବାନ୍ଧିବାରୁ ସେ ନିଜ ଇଚ୍ଛାରେ ଚାଲିବାକୁ ଲାଗିଲା । ଅର୍ଥାତ୍‌ ମଲ୍ଲମାନଙ୍କ ବିଚାର ବୃଥା ହେଲା । କାରଣ ବଳଦ ହଳୁଆ ବା ଶଗଡ଼ିଆର ଇଚ୍ଛା ଅନୁସାରେ ଚାଲେ) । ସାପୁଆକେଳା ବା ଗୁଣିଆ ଯେପରି ଦେହରେ ସାପଗୁଡ଼ାଇ ହୋଇ ଆସୁଥାଏ । ହନୁମାନ ସେହିପରି ଆସୁଥିଲା । ଦର୍ଶକମାନେ ତାକୁ ଦେଖି, ‘ଏ ବଡ଼ ବଳବାନ୍‌’ ବୋଲି କହିଲେ । ରକ୍ଷିମାନେ ଚୋରକୁ ବାନ୍ଧି ତାର ଚାରିପଟରେ ଘେରି ଆସିଲା ପରି ରାକ୍ଷସମାନେ ହନୁମାନକୁ ବାନ୍ଧି ମଧ୍ୟରେ ରଖି ଆଣିଲେ ।

୨୦ଶ ପଦ :- ଜନକ-ପିତା । ଧବ-ପତି । କୀଶ-ବାନର । ନଗରରେ-ନଗର ମଧ୍ୟରେ, ପର୍ବତରେ ।

୨୦ଶ ପଦ :- ଏହି ଅଦ୍ଭୁତ ମାଙ୍କଡ଼କୁ ଦେଖିବା ପାଇଁ ଲଙ୍କା ପୁରବାସୀ ବାଳ, ବୃଦ୍ଧା, ଯୁବକ, ଯୁବତୀମାନେ ଏକତ୍ରିତ ହେଲେ । ସେମାନଙ୍କ ମଧ୍ୟରୁ କେହି କହିଲା, ‘‘ଏ ମୋର ଭାଇଙ୍କି ବିନାଶ କଲା ।’’ କିଏ କହିଲା ‘‘ମୋର ପିତାଙ୍କୁ ବଧକଲା ।’’ ସେହିପରି କୌଣସି ସ୍ତ୍ରୀଲୋକ ମଧ୍ୟ ‘‘ମୋର ବରକୁ ନାଶ କଲା’’ ବୋଲି କହି କାନ୍ଦିବାକୁ ଲାଗିଲା । ଅନ୍ୟ କେହି କହିଲା, ‘ଏହି ମାଙ୍କଡ଼ଟାକୁ ଜୀବିତ ରଖି ନଗରକୁ ଆଣୁଛ ! ଚାଲ; ଶୀଘ୍ର ଏହାକୁ ଗାତରେ ପକାଇ ପର୍ବତ ମଡ଼ାଇ ପୋତି ଦେବା ।’

 

ବିଜେ ଯେ ସଭାରେ ରାକ୍ଷସେନ୍ଦ୍ର ସେ ଚତ୍ୱରେ ।

ବନ୍ଦୀ ପରିବେଶ କରୁଁ ଅନାଇ ସତ୍ୱରେ ଯେ ।

ବୋଲେ ରେ କପି ଆସିଲୁଁ ଏଥେଁ ମରିବାକୁ ।

ବୋଲିବା ଆଦ୍ୟରେ ଦିଅ ବୋଲେ ଆକାରକୁ ଯେ ।

ବଦନ ହଲାଇ କହେ କି ବଳିଷ୍ଠ ତୁହି ।

ବାଳୁତ ବାନ୍ଧି ଆଣିଲା କହୁଛୁ ବଢ଼ାଇ ଯେ ।୨୧ ।

ବାଣୀ ନ୍ୟାସ କରେ ଜନ୍ମି କ୍ଷୁଧାତୁର ହୋଇ ।

ବିମ୍ବ ବୋଲି ବାଳକକୁ ଜନନୀ ଦେଖାଇ ଯେ ।

ବାନ୍ଧିଲି ଲାଙ୍ଗୁଳେ ଭାନୁ ସେ ଦୋଷରୁ ବନ୍ଧା ।

ବିଧ୍ୱଂସିବି ଲଙ୍କା ଏହିକ୍ଷଣି ଦଶମୂର୍ଦ୍ଧାରେ ।

ବିଶ୍ରବାନନ୍ଦନ ବୋଲେ ଅମର କିନ୍ନର ।

ବିନୟ ସେ ହାରି କିସ କରିବୁ ବାନର ରେ ।୨୨ ।

ବାନରପ୍ରାଭବ ମନୁ ଗଲା କି ପାଶୋର ?

ବାଳୀଶରେ ବାଳି ଯାହା କରିଛି ବିଚାର ଯେ ।

ବାଣକେ ସେ ବାଳିକି ନାଶିଲେ ରଘୁବୀର ।

ବଲ୍ଲଭୀ ଆଣିଛୁ ତାଙ୍କ କାହିଁ ରକ୍ଷା ତୋର ରେ ।

ବନ୍ଧାଇ ହୋଇ ସୁଗ୍ରୀବେ ମିତ୍ର ବଳ ସାଜି ।

ବାରିଧି ପଲ୍ଲ୍ୱଳ ଡ଼େଇଁ ଆସିଛି ମୁଁ ଖୋଜି ଯେ ।୨୩ ।

ବୋଲୁଁ ମାରୁତି ବୋଇଲା ଦଶଗ୍ରୀବ ହସି ।

ବ୍ୟାଧ ଜଳଘାଟ ଜଗି ଶାର୍ଦ୍ଦୂଳ ବିନାଶି ଯେ ।

ବନୌକା ସଙ୍ଗେ ବନୌକା ନୁହନ୍ତି କି ମିତ ?

ବୁଡ଼ିଥିଲା ପଙ୍କେ ମୁଁ ମାଣିକ୍ୟ ଉଦ୍ଧରିତ ଯେ ।

ବରହି ମୃଗ ପଛରେ ପୁଚ୍ଛକୁ ଲୁଚାଇ ।

ବସୁଧାପତି ନେଇ ତା ମସ୍ତକେ ଚଳାଇ ଯେ ।୨୪ ।

ବାରିଧି ଡେଇଁ ଆସିବା ବଡ଼ାଇ କି ଭାବୁ ।

ବତାସ ଯୋଗରେ ଯୋଗେ ଉଡ଼ି ପଡ଼ିଥିବୁ ରେ ।

ବଇଶ୍ରବଣ ବଚନେ ବୋଇଲା ସେ ପୁଣ ।

ବୀରପଣ ମୋହର ଜାଣନ୍ତୁ ଏହିକ୍ଷଣ ରେ ।

ବାହୁଯାକ ଉପାଡ଼ି ମୋଡ଼ନ୍ତି ଶିର ଦଶ ।

ବୁଜିନୀ ତୁ ପତିତପାବନ ତୋରେ ବଶ ଯେ ।୨୫ ।

 

୨୧ଶ ପଦ :- ରାକ୍ଷସେନ୍ଦ୍ର-ରାକ୍ଷସାଧିପତି । ଚତ୍ୱର-ଅଗଣା ।

 

୨୧ଶ ପଦ :- ରାବଣ ଯେଉଁ ଗୃହରେ ସଭାକରି ବସିଥିଲା, ସେହି ସଭାଗୃହରେ ଅଗଣାରେ ବନ୍ଦୀ ହନୁମାନ ପ୍ରବେଶ କରିବାରୁ ରାବଣ ତା ଆଡ଼କୁ ଶୀଘ୍ର ଅନାଇଁ କହିଲା, ‘‘ରେ ବାନର ! ତୁ ମରିବାକୁ ଏଠାକୁ ଆସିଲୁ ?’’ ସେ ଏହିପରି କହିବାରୁ, ହନୁମାନ କହିଲା, ‘‘ତୁମ୍ଭ କହିବାର କଥା ଆଦ୍ୟ ଅକ୍ଷରରେ ଆକାରକୁ ଦିଅ ।’’ (ଅର୍ଥାତ୍‌ ମୁଁ ମରିବାକୁ ଆସି ନାହିଁ ଯେ ତୁମ୍ଭଙ୍କୁ ମାରିବାକୁ ଆସିଛି ବୋଲି ଜାଣ) ଏହା ଶୁଣି ରାବଣ ମୁହଁ ହଲାଇ କହିଲା, ‘‘ତୋର ବଳ କେତେ? ପିଲାଟିଏ ତୋତେ ବାନ୍ଧି ଆଣିଲା, ତୁ ପୁଣି ଗର୍ବ କରୁଛୁ ?’’

 

୨୨ଶ ପଦ :- ହନୁମାନ କହିଲା, ‘‘ମୁଁ ଜନ୍ମହେବା ସଙ୍ଗେ ସଙ୍ଗେ କ୍ଷୁଧାପୀଡ଼ିତ ହେବାରୁ, ମୋର ମା(ଅଞ୍ଜନା)ବାଳ ସୂର୍ଯ୍ୟଙ୍କ ବିମ୍ୱଫଳ ବୋଲି କହି ମୋତେ ଦେଖାଇ ଦେଲେ । ତହୁଁ ମୁଁ ଡେଇଁଯାଇ ସୂର୍ଯ୍ୟଙ୍କୁ ଲାଙ୍ଗୁଳରେ ବାନ୍ଧିଥିଲି । ବର୍ତ୍ତମାନ ସେହି ଦୋଷରୁ ମୁଁ ବନ୍ଧା ହୋଇଅଛି । ରେ ଦଶମୁଖ ! ଦେଖ୍‌, ଏହିକ୍ଷଣି ଲଙ୍କା ବିଧ୍ୱଂସ କରିବି ।’’ ରାବଣ କହିଲା, ରେ ‘‘ବାନର! ଦେବତା ଓ କିନ୍ନରମାନେ ମୋ ନିକଟରେ ପରାସ୍ତ ହୋଇ ବିନତି କରୁଛନ୍ତି, ତୁ ବା କଣ କରିବୁ?’’

 

୨୩ଶ ପଦ :- ବାନରପ୍ରାଭବ-ମର୍କଟକୃତ ତିରସ୍କାର । ବାଳୀଶ-ମୂର୍ଖ । ରଘୁବୀର-ରାମଚନ୍ଦ୍ର । ବଲ୍ଲଭୀ - ପ୍ରିୟା ବା ପତ୍ନୀ । ବାରିଧି-ସମୁଦ୍ର । ପଲ୍ୱଳ-କ୍ଷୁଦ୍ରପୁଷ୍କରଣୀ ।

 

୨୩ଶ ପଦ :- ହନୁମାନ କହିଲା, ‘‘ବାନରଠାରୁ ପାଇଥିବା ଅପମାନ ତୋ ମନରୁ ପାଶୋର ହୋଇଗଲାଣି କି ? ରେ ମୂର୍ଖ ! ତୋତେ ବାଳି ଯାହା କରିଛି, ସେ କଥା ସ୍ମରଣ କର । ରାମଚନ୍ଦ୍ର ସେହି ବାଳିକୁ ଏକାଶରକେ ବିନାଶ କଲେ । (ସେ ସୁଗ୍ରୀବର ସ୍ତ୍ରୀକୁ ହରଣ କରିଥିଲା ବୋଲି) । ତୁ ତାଙ୍କର ସ୍ତ୍ରୀକୁ ଆଣିଛୁ, ତୋର ରକ୍ଷା କାହିଁ ? ଅର୍ଥାତ୍‌ ତୁ ଯେଉଁ ସ୍ଥାନରେ ଲୁଚିଲେ କିମ୍ୱା ଯେ କୌଣସି ଦେବତାର ଶରଣ ନେଲେ ସୁଦ୍ଧା ବଞ୍ଚି ପାରିବୁ ନାହିଁ । ରାମଚନ୍ଦ୍ର ସୁଗ୍ରୀବର ସହିତ ମିତ୍ରତା ସୁତ୍ରରେ ବନ୍ଧନ ହେବାରୁ ମିତ୍ର ସୁଗ୍ରୀବ ସୈନ୍ୟ ସଜ୍ଜିତ କରୁଅଛନ୍ତି । ମୁଁ ସମୁଦ୍ରକୁ କ୍ଷୁଦ୍ର ପୁଷ୍କରିଣୀ ପରି ଡେଇଁ ସୀତାଙ୍କୁ ଖୋଜିବାକୁ ଆସିଅଛି ।

 

୨୪ଶ ପଦ :- ହନୁମାନ ଏହିପରି କହିବାରୁ ରାବଣ ହାସ୍ୟ ପ୍ରକାଶ କରି କହିଲା, ‘‘ବ୍ୟାଧ ପାଣିଘାଟ ଜଗି ବ୍ୟାଘ୍ରକୁ ମାରିଲାପରି ରାମ ବାଳିକୁ ଲୁଚି କରି ମାଇଲା । (ଏହାଦ୍ୱାରା କଣ ତାର ବୀରତ୍ୱ ପ୍ରକାଶ ପାଇଲା) ? ବନବାସୀମାନେ ବନବାସୀମାନଙ୍କ ସହିତ ମିତ୍ର ହୁଅନ୍ତି ନାହିଁକି ? ଅତଏବ ଏହା କିଛି ଗୋଟାଏ ଆଶ୍ଚର୍ଯ୍ୟ କଥା ନୁହେଁ । ମାଣିକ୍ୟ ପଙ୍କରେ ପଡ଼ି ବୁଡ଼ି ଯାଇଥିଲେ, ଲୋକମାନେ ଯେପରି ତାକୁ ସେହି ପଙ୍କରୁ ଉଦ୍ଧାର କରନ୍ତି, ମୁଁ ସେହିପରି ପଙ୍କ ତୁଲ୍ୟ କଦର୍ଯ୍ୟ ବନ ମଧ୍ୟରେ ଲୁଚି ରହିଥିବା ସ୍ତ୍ରୀରତ୍ନ ସୀତାଙ୍କୁ ଉଦ୍ଧାର କରିଅଛି ଏବଂ ମୃଗ ଓ ମୟୁର ନିଜ ନିଜର ପୁଚ୍ଛକୁ ପଛରେ ଲୁଚାଇଥିଲେ ସୁଦ୍ଧା ରାଜାମାନେ ତାକୁ ଆଣି ଯେପରି ମୁଣ୍ଡ ଉପରେ ସଂଚାଳିତ କରୁଥାନ୍ତି (ଚାମର ଓ ପଙ୍ଖା ଭାବରେ ), ସେହିପରି ରାମଚନ୍ଦ୍ର ବନରେ ଲୁଚାଇ ରଖିଥିବା ସୀତାଙ୍କୁ ମୁଁ ଆଣି ରାଜ ଗୃହରେ ଚଳାଉଛି ।’’

 

୨୫ଶ ପଦ :- ବାରିଧି-ସମୁଦ୍ର । ବୃଜିନୀ-ପାପୀ । ପତିତପାବନ-ପାପୀମାନଙ୍କର ତ୍ରାଣକର୍ତ୍ତା ।

 

୨୫ଶ ପଦ :-‘‘ତୁ କଣ ସମୁଦ୍ରକୁ ଡେଇଁ ଆସିବା କଥାଟାକୁ ଗୋଟାଏ ଗର୍ବର ବିଷୟ ବୋଲି ଭାବୁଛୁ ? ଏଥିରେ ଗର୍ବ କରିବାର କିଛି ନାହିଁ, ବୋଧହୁଏ ପ୍ରଚଣ୍ଡ ପବନଯୋଗେ ଉଡ଼ିଆସି ତୁ ଏଠାରେ ପଡ଼ିଥିବୁ ।’’ ରାବଣ ଏହିପରି କହିବାରୁ ପୁଣି ହନୁମାନ କହିଲା, ‘‘ରେ ରାବଣ ! ତୁ ମୋର ବୀରପଣ ଜାଣନ୍ତୁ ଯଦି ମୁଁ ତୋର ଏହିକ୍ଷଣି କୋଡ଼ିଏଟି ଯାକ ବାହୁ ଓପାଡ଼ି ଦଶୋଟିଯାକ ମୁଣ୍ଡ ମୋଡ଼ିପକାନ୍ତି । କିନ୍ତୁ ତୁ ପାତକୀ ଥିବାରୁ ପତିତପାବନ ରାମ ତୋଠାରେ ବଶୀଭୂତ ହୋଇଅଛନ୍ତି । (ଅର୍ଥାତ୍‌ ତୋତେ ସ୍ୱହସ୍ତରେ ମାରି ଉଦ୍ଧାର କରିବାକୁ ଇଚ୍ଛା କରିଛନ୍ତି) ।’’

 

ବୋଲିଛନ୍ତି ମୁଁ ମାରିବି ଧନୁଶର ଛୁଇଁ ।

ବିଭୁ ଆଜ୍ଞା ଭାଙ୍ଗିବି କି କରି ଭୃତ୍ୟ ହୋଇ ଯେ ।

ବିଂଶଲୋଚନ ଏ ବଚନରେ କୋପୀ ଜବ ।

ବଡ଼ାଇ ନ ଛାଡ଼େ କପି ବଧ କେ ରଖିବ ଯେ ?

ବୋଲେ ଖଡ଼ଗ ପ୍ରହାରୁଁ ଖଡ଼ଗ ପରାୟେ ।

ବିଶ୍ୱାଏ ନ ଭେଦି ଦେହେଁ ବିକମ୍ପିତ ହୋଏ ଯେ ।୨୬ ।

ବିଘାତ ମୃଦ୍‌ଗର ଅନ୍ୟ ଶସ୍ତ୍ରମାନଙ୍କର ।

ବର୍ଷୋତ୍ପଳ ବୃଷ୍ଟି ପରା ମହୀଧର ଶିର ଯେ ।

ବିକୋଷକ ଛୁରୀକ ଭଲ୍ଲକ ଯେବେ ମାରି ।

ବିକାଶଇ ଆଚ୍ଛୁ ରିତକକୁ ଭଲ କରି ଯେ ।

ବିଚାରିଲେ ଟାଣ କହୁଥିଲେ ନାଗପାଶ ।

ବିବନ୍ଧୁ ମୁକ୍ତ ନୋହିବ ପୂର୍ବକର୍ମ ଦୋଷ ଯେ ।୨୭ ।

ବୋଇଲା ବଧରେ ମୋର ଇଚ୍ଛା କଲୁ ଯେବେ ।

ବଚନକୁ ମୋର ସତ୍ୟକରି ପାଳ ତେବେ ରେ ।

ବସ୍ତ୍ର ବେଢ଼ାଇ ଲାଙ୍ଗୁଳେ ଜଡ଼ଇ ତଇଳେ ।

ବହ୍ନି ଜାଳିଦେଲେ ନାଶ ଅଛି ଶାପବଳେ ଯେ ।

ବୋଲୁଁ ବୋଲେ ରାମଦୂତ ସତ୍ୟ ଏ କହିଲା ।

ବପ୍ତା ବୋଲେ ଇନ୍ଦ୍ରଜିତ ଶସ୍ତ୍ର ସଂହାରିଲା ଯେ ।୨୮ ।

ବାର୍ତ୍ତା ପାଇ ଅଶୋକକଳିକା ସୀତା ଗ୍ରାସି ।

ବନ୍ଧା ଫିଟୁ ହନୁମାନ ମାନସେ ମନାସି ଯେ ।

ବଞ୍ଜୁଳେ ଅଶୋକ ନାମ ପ୍ରସିଦ୍ଧେ ରହିଲା ।

ବିଭୀଷଣ ଏହି କାଳେ ଲଙ୍କେଶେ କହିଲା ଯେ ।

ବଧ୍ୟ ନୁହଁଇଟି ଚାର କରିବା ବିବେକ ।

ବିଂଶବାହୁ ଭାଷେ ଚୋର ଚାରେ କି ପାତକ ଯେ ?୨୯ ।

ବଧି ଧନଦ ଚାରକୁ ପୁଷ୍ପକେ ବିଳସି ।

ବୈଦେହୀ ଭୋଗ କରିବି ଏହାକୁ ବିନାଶି ଯେ ।

ବାରିଧିକି ସରିତସରି ଲଙ୍ଘନ ହୋଇ ?

ବିଭୀଷଣ ମଉନ ହୋଇଲା ଏତେ କହି ଯେ ।

ବିତର୍କି ଶୁକ ବୋଇଲା ଶଙ୍କା ଏଥେ ଅଛି ।

ବିନାଶ ହେତୁ ତ କେ କାହାକୁ ନ କହିଛି ଯେ ।୩୦ ।

୨୬ଶ ପଦ :- ଖଡ଼୍‌ଗ-ଶସ୍ତ୍ରବିଶେଷ, ଗଣ୍ଡାପଶୁ । ବିକମ୍ପିତ-କମ୍ପିତ ନ ହୋଇ ଅର୍ଥାତ୍‌ ସ୍ଥିର ଭାବରେ ।

୨୬ଶ ପଦ :- ‘‘ରାମଚନ୍ଦ୍ର ଧନୁଶର ଛୁଇଁ ନିୟମ କରି କହିଛନ୍ତି ଯେ, ମୁଁ ରାବଣକୁ ମାରିବି । ଏଣୁ ଚାକର ହୋଇ ମୁଁ କିପରି ପ୍ରଭୃଙ୍କର ଆଦେଶ ଭଙ୍ଗ କରିବି ? ଏହିକଥା ଶୁଣି ରାବଣ ହଠାତ୍‌ କୁପିତ ହୋଇ କହିଲା, ‘‘ଏହି ମାଙ୍କଡ଼ ଗର୍ବ ତ୍ୟାଗ କରୁ ନାହିଁ; ସୁତରାଂ ଏହାକୁ ବଧକର, କିଏ ରକ୍ଷା କରିବ ଦେଖିବା ।’’ ରାବଣର ଏହି ଆଦେଶ ଶୁଣି, ଅସୁରମାନେ ଖଣ୍ଡାଦ୍ୱାରା ହାଣିବାରୁ ଗଣ୍ଡା ଦେହରେ ଅସ୍ତ୍ର ନ ଭେଦିଲାପରି ହନୁମାନ ଦେହରେ ବିଶ୍ୱାଏ ମାତ୍ର ଖଣ୍ଡା ଭେଦ କଲା ନାହିଁ କି ସେ ଟିକିଏ ସୁଦ୍ଧା ବିଚଳିତ ହେଲା ନାହିଁ ।

୨୭ଶ ପଦ :- ବର୍ଷୋତ୍ପଳ-କୁଆପଥର । ମହୀଧର ଶିର-ପର୍ବତଶୃଙ୍ଗ । ଆଚ୍ଛୁରିତକ-ଅଟ୍ଟହାସ୍ୟ ।

୨୭ଶ ପଦ :- ତତ୍ପରେ ଗଦା, ମୁଦ୍‌ଗର ପ୍ରଭୃତି ଅନ୍ୟାନ୍ୟ ଶସ୍ତ୍ରମାନଙ୍କଦ୍ୱାରା ତାର ମୁଣ୍ଡକୁ ପିଟିବାକୁ ଲାଗିଲେ । ପର୍ବତର ଶିଖରଦେଶରେ କୁଆପଥର ବୃଷ୍ଟି ହେଲେ ଯେପରି ପର୍ବତ ଶିଖରର କିଛିମାତ୍ର କ୍ଷତି ହୁଏ ନାହିଁ, ସେହିପରି ଏହି ସବୁ ଶସ୍ତ୍ର ହନୁମାନର ମୁଣ୍ଡରେ ବାଜି କିଛିମାତ୍ର କ୍ଷତି କରି ପାରିନଥିଲା । ଏହିପରି କରିବାଦ୍ୱାରା ହନୁମାନ ନ ମରିବାରୁ, ଅସୁରମାନେ ଛୁରା ଓ ଭଲ୍ଲ ପ୍ରଭୃତି ଅସ୍ତ୍ର ଖାପରୁ ବାହାର କରି ତାକୁ ମାରିବାକୁ ଲାଗିଲେ । ଏହି ସମୟରେ ହନୁମାନ ଉଚ୍ଚହାସ୍ୟ ପ୍ରକାଶ କଲା । ତତ୍ପରେ ହାସ୍ୟ ସମ୍ବରଣ କରି ସେ ମନେ ମନେ ଭାବିଲା, ମୁଁ ଏହିପରି ଟାଣ କହୁଥିଲେ ଅର୍ଥାତ୍‌ ଗର୍ବ କରୁଥିଲେ, ନାଗପାଶ ବନ୍ଧନରୁ ମୁକ୍ତ ହୋଇପାରିବି ନାହିଁ । ଯେହେତୁ ମୁଁ ମୋର ପୂର୍ବକର୍ମ ଦୋଷରୁ ଏଥିରେ ବନ୍ଧା ହୋଇଅଛି ।’

୨୮ଶ ପଦ :- ବପ୍ତା-ପିତା । ସଂହରିଲା-ନିବାରଣ କଲା ।

୨୮ଶ ପଦ :- ଏହିପରି ବିଚାରି ସେ ରାବଣକୁ କହିଲା, ‘‘ରେ ରାବଣ ! ଯଦି ମୋତେ ମାରିବାକୁ ଇଚ୍ଛା କରୁଅଛ, ତାହା ହେଲେ ମୁଁ ଯାହା କହୁଛି ତାହାକୁ ସତ୍ୟ ମନେକରି ପାଳନ କର । ମୋର ଲାଙ୍ଗୁଳରେ ଲୁଗା ଗୁଡ଼ାଇ ସେହି ଲୁଗାମାନଙ୍କୁ ତେଲରେ ଭିଜାଇ ନିଆଁ ଲଗାଇ ଜାଳି ଦେଲେ, ମୋର ବିନାଶ ହେବ । ମତେ ଏହିପରି ମରିବାକୁ ପୂର୍ବରୁ ଶାପ ଅଛି । ଏହା ଶୁଣି ରାବଣ କହିଲା, ‘‘ଏ ରାମର ଦୂତ, ତେଣୁ ଯାହା କହିଲା ତାହା ସତ୍ୟ ଅଟେ ।’’ ତତ୍ପରେ ପିତାଙ୍କର ଆଦେଶରେ ଇନ୍ଦ୍ରଜିତ ଶସ୍ତ୍ର ପ୍ରହାରରୁ ନିବୃତ୍ତ ହେଲା ।

୨୯ଶ ପଦ :- ବଞ୍ଜୁଳ-ଅଶୋକବନ ।

୨୯ଶ ପଦ :- ହନୁମାନ ବନ୍ଧନରେ ପଡ଼ିଅଛି,-ସୀତା ଏହି ବାର୍ତ୍ତା ପାଇ ହନୁମାନ ବନ୍ଧନରୁ ଫିଟୁ ଏହି କଥା ମନରେ ମନାସି ଅଶୋକ କଢି ଭକ୍ଷଣ କଲେ । ସେହିଦିନଠାରୁ ବଞ୍ଜୁଳ ବୃକ୍ଷ ଅଶୋକ ନାମରେ ପରିଚିତ ହେଲା । ଏହି ସମୟରେ ବିଭୀଷଣ ରାବଣକୁ କହିଲା, ‘‘ଦୂତ କୌଣସି ସମୟରେ (ଯେତେ ଅନ୍ୟାୟ କଲେ କଲେ ସୁଦ୍ଧା) ବଧ ଯୋଗ୍ୟ ନୁହେଁ,- ଏ କଥା ମନରେ ବିଚାର କରନ୍ତୁ ।’’ ରାବଣ କହିଲା, ‘‘ଏପରି ଚୋର ଦୂତକୁ ମାଇଲେ ପାପ ନାହିଁ ।’’

୩୦ଶ ପଦ :- ଧନଦ-କୁବେର । ସରିତ-ନଦୀ । ବିତକ-ବିଶେଷ ଭାବେ ଅନୁମାନକରି ।

୩୦ଶ ପଦ :- ‘‘ମୁଁ ଯେପରି କୁବେରର ଦୂତକୁ ମାରି ପୁଷ୍ପକଯାନରେ ବିହାର କରୁଅଛି, ସେହିପରି ଏହାକୁ ମାରି ସୀତାକୁ ଭୋଗ କରିବି ।’’ ‘‘ସମୁଦ୍ରକୁ କିଏ କଣ ନଦୀ ପରି ଲଙ୍ଘନ କରିଥାଏ କି ।’’ ଏତିକି ମାତ୍ର କହି ବିଭୀଷଣ ତତ୍ପରେ ନୀରବ ହେଲା । ବିଭୀଷଣର କଥା ଶୁଣି ଶୁକମନ୍ତ୍ରୀ ଯୁକ୍ତି କରି କହିଲା, ‘‘ଏହାଙ୍କର କଥାରେ ସନ୍ଦେହ ହେଉଅଛି । କେହି ତ କାହାକୁ ମୃତ୍ୟୁ ଭେଦ କହେ ନାହିଁ ।’’

 

ବିଳମ୍ବ ନ କର ଉତେ ହନୁମାନ ଭାଷି ।

ବ୍ୟାଧିରୂପେ ସଲାଙ୍ଗୁଳ ପରକଟ ଆସି ଯେ ।

ବାସପିଧାନରେ ପୁଚ୍ଛ ଦିବ୍ୟ କନ୍ୟାପରି ।

ବିଶେଷତ ଦୟିତ ତହିଁରେ ସ୍ନେହଭରି ଯେ ।

ବିଭାବଶୁ ଯୋଗକୃତେ ପାଦକୁ ବଢ଼ାଇ ।

ବସିଲା ମଣ୍ଡପପରେ ଜ୍ୟୋତିମନ୍ତ ହୋଇ ଯେ ।୩୧ ।

ବୋଇଲା ସେ ଦୀର୍ଘକରି ଆତେ ଦଶଗ୍ରୀବ ।

ବୁଦ୍ଧି ବଳ ତୋହର କଳନା କଲି ସର୍ବ ଯେ ।

ବଡ଼ କରି ଲଙ୍କେଶ୍ୱର କଲା ପ୍ରତ୍ୟୁତ୍ତର ।

ବୈଶ୍ୱାନର ଘେନି ନ ଉଡ଼ନ୍ତି କି ଚକୋର ଯେ ।

ବରହବାନପଦଦୀ ତର୍ଜ୍ଜନରେ ଲିଭି ।

ବ୍ରହ୍ମାଗ୍ନି କପୋଳୁଁ ଜାତ କଲା ବର ଭାବି ଯେ ।୩୨ ।

ବିଚିତ୍ରକର୍ମା ତ କପି ବୋଇଲା ପ୍ରଶସ୍ତ ।

ବଞ୍ଚକ ଅଗ୍ନି ଦେଖାଇ ମୁଖୁଁ କି ବିଚିତ୍ର ଯେ ।

ବୋଲୁଁ ରାବଣ ଜ୍ୱଳିତ ହୋଇଲା ନଗର ।

ବାହାରିଲେ ସୁକର କଣ୍ଢାଇ ପରକାର ଯେ ।

ବହି କକ୍ଷେ କରେ ଧରି ଶିଶୁ ବାମାବର ।

ବୋଲନ୍ତି ଅଘରବଶୁଁ ହୋଇଲୁ ଅଘର ଯେ ।୩୩ ।

ବଳିଗଲା ଶିଖିଶଖା ଧ୍ରୂବମଣ୍ଡଳକୁ ।

ବିଳେ ପଶି ଧୂମ ପୂର୍ଣ୍ଣ କଲା ପାତାଳକୁ ଯେ ।

ବାସୁକି ନୟନ ସେହିକାଳେ ଜଳସ୍ଥାନ ।

ବୈନତେୟ ଭାଳେ ଭଲା ସ୍ଫୁଟ ଜବା ମନ ଯେ ।

ବିହିଲା ଉତ୍ତରେ ରଥ ଭାସ୍କର ଉତ୍ତରେ ।

ବଡ଼ବାନଳ ନିଉନ ଭଜେ ପାରାବାରେ ଯେ ।୩୪ ।

ବଞ୍ଚିବା ଭରସା ଅପସରସାସାଏ ତେଜି ।

ବେହରଣେ ଯେଣୁ ତା ନୃତ୍ୟରେ ଥିଲେ ମଜ୍ଜି ଯେ ।

ବିଷମୃତ୍ୟୁ ବଂଶ ସତୀ ଯିବା ପ୍ରାୟେ ବୁଲି ।

ବିଚଳିତ ଅର୍ଚ୍ଚି ରୁଚି ଖେଳେ କି ବିଜୁଳୀ ଯେ ।

ବାହୁଡ଼ନ୍ତି ଆଳୀ ପ୍ରାୟେ ମିଳିଣ ସାରଙ୍ଗେ ।

ବିଦଗ୍‌ଧ କାଳବଶରେ ପୁରବର ରଙ୍ଗେ ଯେ ।୩୫ ।

 

୩୧ଶ ପଦ :- ପିଧାନ-ବସ୍ତ୍ର । ଦୟିତ-ନାୟକ, ଅସୁର । ସ୍ନେହ-ତୈଳ । ବିଭାବଶୁଁ-ବିବାହ ହେବା ନିମିତ୍ତ । ବିଭାବସୁ-ଅଗ୍ନି ।

୩୧ଶ ପଦ :- ଏହି ସମୟରେ ହନୁମାନ ବଡ଼ପାଟି କରି କହିଲା, ‘‘ଆଉ ଡେରି କରନାହିଁ । ମୋର ଦେହରେ ଲାଗିଥିବା ଲାଙ୍ଗୁଳ ମୋତେ କଷ୍ଟଦାୟକ ବ୍ୟାଧି ପରି ବୋଧ ହେଲାଣି ।’’ ସେ ସମୟରେ ତାର ଲାଙ୍ଗୁଳ ଲୁଗା ପିନ୍ଧିବାରୁ ସୁନ୍ଦରୀ କନ୍ୟାପରି ଦେଖା ଯାଉଥିଲା । ସୁନ୍ଦରୀ କନ୍ୟା ପ୍ରତି ବର ଅତିଶୟ ସ୍ନେହୀ ହେଲାପରି ସେହି ଲାଙ୍ଗୁଳକୁ ଅସୁରମାନେ ତେଲରେ ପୂର୍ଣ୍ଣ କଲେ । କନ୍ୟା ବିଭା ହେଉଥିବାରୁ ଶୁଭଯୋଗ ନିର୍ଦ୍ଧାରିତ ହୋଇଥିବା ସମୟରେ ପାଦକୁ ବଢ଼ାଇ ମଣ୍ଡପ ଉପରେ ସୁସଜ୍ଜିତ ହୋଇ ବସିଲାପରି ଲାଙ୍ଗୁଳରେ ରାକ୍ଷସମାନେ ନିଆଁ ଲଗାଇ ଦେବାରୁ ହନୁମାନ ପାଦକୁ ବଢ଼ାଇ ତେଜୋମୟ ମୂର୍ତ୍ତି ଧାରଣ ପୂର୍ବକ ମଣ୍ଡପ ଉପରେ ବସିଲା ।

୩୨ଶ ପାଦ :- ବୈଶ୍ୱାନର-ଅଗ୍ନି । ବର୍ହବାନ-ଶିଖାବାନ୍‌ ।

୩୨ଶ ପାଦ :- ହନୁମାନ ମଣ୍ଡପଉପରେ ବସି ବଡ଼ପାଟି କରି କହିଲା, ‘‘ଆରେ ରାବଣ ମୁଁ ଏବେ ତୋର ବୁଦ୍ଧି, ବଳ ପ୍ରଭୃତି କଳନା କଲି ।’’ ରାବଣ ମଧ୍ୟ ସେହିପରି କହିଲା, ‘‘ଚକୋରପକ୍ଷୀ ନିଆଁକୁ ଧରି ଉଡ଼େ ନାହିଁକି ? (ତୁ ଆଉ ଅଧିକ କଣ କଲୁ) ।’’ ଏହି ସମୟରେ ହନୁମାନର ଲାଙ୍ଗୁଳରେ ଶିଖା ଟେକି ଜଳୁଥିବା ଅଗ୍ନି ରାବଣର ଭୟରେ ଲିଭିଗଲା । ଏହା ଦେଖି ସେ ପୂର୍ବେ ପାଇଥିବା ବରକୁ ସ୍ମରଣ କରି ନିଜର କପାଳରୁ ବ୍ରହ୍ମଅଗ୍ନି ବାହାରକଲା ।

୩୩ଶ ପଦ :- ବିଚିତ୍ରକର୍ମା-ଅଦ୍ଭୁତ କାର୍ଯ୍ୟକାରୀ । ବଞ୍ଚକ-ବିଲୁଆ । ସୁକର-ମନୋହର । ବାମାବାର-ସ୍ତ୍ରୀ ସମୂହ(ରାକ୍ଷସୀମାନେ) । ଅଘର-ପାପ ଯୋଗୁଁ । ଅଘୋର-ଗୃହଶୂନ୍ୟ ।

୩୩ଶ ପଦ :- ତହୁଁ ପ୍ରଶସ୍ତ କହିଲା, ‘‘ଏହି ବାନର ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରେ !’’ ରାବଣ କହିଲା, ‘‘ବିଲୁଆ ତ ମୁହଁରୁ ନିଆଁ ବାହାର କରିବାର ଦେଖି ଆଶ୍ଚର୍ଯ୍ୟ ହେଉଛ କାହିଁକି ?’’ ରାବଣ ଏହି କଥା କହୁ କହୁ ନଗର ଜଳିଉଠିଲା । ଲୋକମାନେ ଅନାୟସରେ କଣ୍ଢେଇସବୁ ହାତରେ ଧରି ନେଇଗଲା ପରି ସ୍ତ୍ରୀମାନେ ପିଲାମାନଙ୍କୁ କାଖେଇ କାହାକୁ ବା ହାତରେ ଧରି ଘରୁ ବାହାର ହେଲେ । ଏହି ସମୟରେ ସେମାନେ ବିକଳ ହୋଇ କହିଲେ, ‘‘ରାଜାଙ୍କର ପରସ୍ତ୍ରୀ ହରଣ ପାପରୁ ଆମ୍ଭେମାନେ ଗୃହଶୂନ୍ୟ ହେଲୁଁ ।’’

୩୪ଶ ପଦ :- ଏହି ସମୟ ମଧ୍ୟରେ ଅଗ୍ନି ଶିଖା ଧ୍ରୁବ ମଣ୍ଡଳକୁ ଅତିକ୍ରମ କରି ଉପରକୁ ଉଠିଲା । ଧୂଆଁ ସବୁ ଗାତ ଭିତର ଦେଇ ପାତାଳ ପୁରରେ ପ୍ରବେଶ କରିବାରୁ, ପାତାଳପୁର ଧୂଆଁରେ ପୂର୍ଣ୍ଣ ହେଲା । ଏଣୁ ବାସୁକିଙ୍କ ଆକ୍ଷି ଲୋତକ ପୂର୍ଣ୍ଣ ହେଲା । ଏହି ସମୟରେ ଅରୁଣ ଲଙ୍କାକୁ ଦେଖି ମନେ କଲେ, ଲଙ୍କାରେ କଣ ବହୁତ ଗୁଡ଼ିଏ ମନ୍ଦାର ଫୁଲ ଫୁଟିଛି କି? ନଚେତ୍‌ ଏପରି ଦେଖା ଯାଉଛି କାହିଁକି ? ତତ୍ପରେ ଅରୁଣ ସୂର୍ଯ୍ୟଙ୍କ ଆଦେଶାନୁସାରେ ରଥକୁ ଉତ୍ତର ଦିଗକୁ ନେବାକୁ ଲାଗିଲେ । ସେହି ଅଗ୍ନି ଶିଖାର ତେଜରେ ସମୁଦ୍ର ମଧ୍ୟରେ ଥିବା ବଡ଼ବାଗ୍ନି ନିସ୍ତେଜ ହୋଇଗଲେ ।

୩୫ଶ ପଦ :- ବେହରଣ-ସଭାମଣ୍ଡପ । ବିଚଳିତ-ଅଚ୍ଚ-ରୁଚି-ଚଞ୍ଚଳ ଅଗ୍ନିଶିଖା କାନ୍ତି । ସାରଙ୍ଗେ-ଚାତକସମୂହ । ଆଳୀ-ସଖୀ । ପୁରବର-ପୁରଶ୍ରେଷ୍ଠ ।

୩୫ଶ ପଦ :- ସଭାମଣ୍ଡପରେ ରାବଣର ଆଗରେ ନୃତ୍ୟ କରୁଥିବା ସ୍ୱର୍ଗବେଶ୍ୟାମାନେ ସେହି ଦିଗନ୍ତ ବ୍ୟାପି ଅଗ୍ନିକୁ ଦେଖି, ବଞ୍ଚିବା ଆଶା ପରିତ୍ୟାଗ କଲେ । ସତୀ ସ୍ତ୍ରୀ ଶ୍ମଶାନଅଗ୍ନିରେ ପ୍ରବେଶ କରିବାକୁ ଯିବା ସମୟରେ ତାହାର ଚାରି ଆଡ଼ରେ ବୁଲିଲାପରି ଚକୋରମାନେ ସେହି ଅଗ୍ନିର ଚାରିଆଡ଼େ ବୁଲିବାକୁ ଲାଗିଲେ (ଅର୍ଥାତ୍‌ ଚକୋରମାନେ ରଡ଼ନିଆଁ ଖାଇବା ପାଇଁ ସେଠାରେ ବୁଲିଲେ) । ସତୀ ସ୍ୱାମୀର ଚିତାନଳରେ ପ୍ରବେଶକରି ସାରିବା ପରେ ତାହାର ଅନୁଗାମିନୀ ସଖିମାନେ ଏକତ୍ରିତ ହୋଇ ଫେରି ଆସିଲାପରି, ଚକୋରମାନଙ୍କ ପରେ ଅତି ଚଞ୍ଚଳ ଅଗ୍ନି ଶିଖାକୁ ବିଜୁଳି ମନେ କରି, ତାର ନିକଟକୁ ଉଡ଼ି ଯାଇଥିବା ଚାତକମାନେ ଏକତ୍ରିତ ହୋଇ ଫେରି ଆସିଲେ । କାଳବଶରେ ପୁରଶ୍ରେଷ୍ଠ ଲଙ୍କା ଆଶ୍ଚର୍ଯ୍ୟ ଭାବରେ ଦଗ୍‌ଧ ହେବାକୁ ଲାଗିଲା।

 

ବିଧି ବାକ୍ୟେ ପୁଷ୍ପକରେ ସକୁଟୁମ୍ବେ ବସି ।

ବୋଧ ମାରୁତି ବୋଲି ରାବଣ ଧାତା ପେଷି ଯେ ।

ବିବୁଧାଳୟେ ଚଳନ୍ତେ ଯଥା ପାବନିରେ ।

ବୋଲେ ସେ ସୁଦୟା କର ରାମଭାବିନୀରେ ଯେ ।

ବାଧ ନ କରୁ ରାକ୍ଷସ ପ୍ରଚଣ୍ଡ ତପନ ।

ବଇଦେହୀ ନାମ ରମ୍ୟ ସରରୁ ଜୀବନ ଯେ ।୩୭ ।

ବିଧାତା କଥିତ ଚନ୍ଦ୍ର ସ୍ୱରୂପ ରମ୍ଭୋରୁ ।

ବେଳେ ଅସୁର ରାହୁର ସ୍ପରଶ ପୂର୍ବରୁ ଯେ ।

ବର୍ତ୍ତମାନ ସେ ଯୋଗ ଏ ସମ୍ବତ୍ସରେ ନାହିଁ ।

ବହନ ତୁ ରାମ ଆଣି ସନ୍ଦେଶକୁ କହି ଯେ ।

ବିଭୀଷଣ କୁମ୍ଭକର୍ଣ୍ଣ ମନ୍ଦିର ନ ନାଶି ।

ବଟ ମାର୍କଣ୍ଡେୟ କରି ପ୍ରଳୟ ସଦୃଶି ଯେ ।୩୭ ।

ବାୟୁଜ ଶାନ୍ତିକି ଭଜି ଅଗ୍ନିକି ସଂହରି ।

ବିଦେହଭୁପଜା ଭେଟି ତ୍ରିଜଟା ତିଆରି ଯେ ।

ବସୁମତୀ ଦୁହିତା ହିତରେ ଥିବୁ ତୁହି ।

ବୀରେନ୍ଦ୍ର ଶ୍ରୀରାମଚନ୍ଦ୍ର ଛାମୁରେ ଜଣାଇଁ ଯେ ।

ବିଭୀଷଣେ କରାଇବି ଲଙ୍କାରେ ଅଧିପ ।

ବୈବସ୍ୱତପୁରେ ଯିବେ ଦୁଷ୍ଟ କଉଣପ ଯେ ।୩୮ ।

ବକ୍ତବିକୃତରେ ପୁଣ ରାକ୍ଷସୀଙ୍କି ବଦେ ।

ବନ୍ଦୁଥିବ ଭଲଯୋଗ ଥିଲେ ସୀତା ପାଦେ ଯେ ।

ବଦନ୍ତେ ମଣି ବିଷୟ ଫେଡ଼ି ଦେଖାଇଲା ।

ବସନାଞ୍ଚଳରେ ପୁଣି ଗଣ୍ଠିରେ ରଖିଲା ଯେ ।

ବାହୁ ବିସ୍ତାରି ଗଗନେ ଗଲା ଯେ ସୁବଳେ ।

ବିଂଶପାଣି ଦଗ୍‌ଧଶେଷ ଦ୍ରବ୍ୟ ଆୟ କଲେ ଯେ ।୩୯ ।

ବିର ହରି ଲଙ୍କା ପୋଡ଼ି ଧୂମସ୍ତୋମ କି ସେ ।

ବିହରି ସେ ହରି ସନ୍ଧ୍ୟା ହୋଇ କି ଆକାଶେ ଯେ ।

ବୁଝ ରକ୍ତବର୍ଣ୍ଣ ବହ୍ନି ଜ୍ୟୋତ୍ସ୍ନା ଘେନିଅଛି ।

ବିହରିବା ନିଶାଚରଙ୍କର ପ୍ରଚାରୁଛି ଯେ ।

ବିଦିତ ହୋଇବେ ରାମ ଲକ୍ଷ୍ମଣ ସେ ଅନ୍ତେ ।

ବିଶ୍ୱକର୍ମା ଶେଷେ ଧାତା ଲଙ୍କାକୁ ତ୍ୱରିତେ ଯେ ।୪୦ ।

 

୩୬ଶ ପଦ :- ଏହି ସମୟରେ ବ୍ରହ୍ମାଙ୍କ କଥା ଅନୁସାରେ ରାବଣ ନିଜର ବଂଶୀୟମାନଙ୍କ ସହ ପୁଷ୍ପକ ଯାନରେ ବସି ରକ୍ଷା ପାଇଲା ଏବଂ ହନୁମାନକୁ ବୁଝାଇବା ପାଇଁ ବ୍ରହ୍ମାଙ୍କୁ ତା ନିକଟକୁ ପଠାଇଲା । ବ୍ରହ୍ମା ସ୍ୱର୍ଗକୁ ଯାଉଥିବା ବାଟରେ ହନୁମାନ ବ୍ରହ୍ମାଙ୍କୁ କହିଲା, ‘‘ଗ୍ରୀଷ୍ମକାଳୀନ ସୂର୍ଯ୍ୟ ମନୋହର ପୁଷ୍କରିଣୀମାନଙ୍କରୁ ଜଳ ନଷ୍ଟ କଲାପରି, ପ୍ରଚଣ୍ଡ ରାକ୍ଷସରୂପ ସୂର୍ଯ୍ୟ ବୈଦେହୀ ନାମ୍ନୀ ମନୋହର ପୁଷ୍କରିଣୀର ‘ଜୀବନ’ ପ୍ରାଣ ନାଶ ନ କରୁ । ଆପଣ ରାମଙ୍କ ସ୍ତ୍ରୀ ସୀତାଙ୍କଠାରେ କୃପା ପ୍ରକାଶ କରନ୍ତୁ ।’’

୩୬ଶ ପଦ :- ବ୍ରହ୍ମା କହିଲେ, ‘‘ସୀତା ଏହି ଜଗତରେ ଥିବା ସ୍ତ୍ରୀମାନଙ୍କ ମଧ୍ୟରେ ଚନ୍ଦ୍ରପରି ଅଟନ୍ତି । କାଳର ଗତି ଅନୁସାରେ ପୂର୍ବରୁ ଅସୁର ରାହୁ ଚନ୍ଦ୍ରକୁ ସ୍ପର୍ଶ କରି ଆସୁଅଛି । କୌଣସି କୌଣସି ପାଠକ ‘ପୂର୍ବରୁ’ ଏହି ପଦ ସ୍ଥାନରେ ପୂର୍ବରୁ ଏହି ପଦ ରଖି ଅର୍ଥ କରନ୍ତି, ଯଥା-‘ପୂର୍ବରୁ’ ପ୍ରତିପଦ ଓ ପୂର୍ଣ୍ଣିମାର ସନ୍ଧିରୁ ଅଥବା ପ୍ରସ୍ତାବ ବଶରୁ ଅସୁର ରାହୁ ଥରେ ମାତ୍ର ଚନ୍ଦ୍ରକୁ ସ୍ପର୍ଶ କରୁଅଛି । ସେହିପରି କାଳର ଗତି ଅନୁସାରେ ଅଥବା ପୂର୍ବରୁ ହୋଇଥିବା ଶାପରୂପ ପ୍ରସ୍ତାବ ଅନୁସାରେ ଅସୁର ରାବଣ ସୀତାଙ୍କୁ ଥରେ ମାତ୍ର ସ୍ପର୍ଶ କରିଅଛି । ବର୍ତ୍ତମାନ ସେ ଯୋଗ ଏ ବର୍ଷ ନାହିଁ । ତୁ ଶୀଘ୍ର ଏ ଖବର ରାମଙ୍କୁ କହି ଏଠାକୁ ଆଣ ।’’ ପ୍ରଳୟକାଳ ବଟ ଓ ମାର୍କଣ୍ଡେୟଙ୍କୁ ଛାଡ଼ି ସମଗ୍ର ଜଗତ ଧ୍ୱସଂ କଲା ପରି ଲଙ୍କାପୁରର ପ୍ରଳୟ କାଳ ତୁଲ୍ୟ ହନୁମାନ ବିଭୀଷଣ ଓ କୁମ୍ଭକର୍ଣ୍ଣର ଗୃହକୁ ଛାଡ଼ି ସମସ୍ତ ଧ୍ୱଂସ କଲା ।

୩୮ଶ ପଦ :- ବାୟୁଜ-ହନୁମାନ । ସଂହରି-ନିର୍ବାପିତ କରି । ବିଦେହଭୂପଜା-ସୀତା । ବସୁମତୀ ଦୁହିତା-ସୀତା । ଅଧିପ-ରାଜା । ବୈବସ୍ୱତପୁର-ଯମପୁର । କଉଣପ-ରାକ୍ଷସ ।

୩୮ଶ ପଦ :- ତତ୍ପରେ ହନୁମାନ ଶାନ୍ତି ହୋଇ ନିଜ କପାଳରୁ ବାହାରୁଥିବା ବ୍ରହ୍ମାଗ୍ନିକୁ ବନ୍ଦ କରିଦେଲା ଓ ସୀତାଙ୍କ ସହିତ ଭେଟ ହୋଇ ତ୍ରିଜଟାକୁ ବୁଝାଇବାକୁ ଲାଗିଲା । ସେ କହିଲା, ‘‘ହେ ତ୍ରିଜଟା ! ତୁ ବସୁଧାପୁତ୍ରି ସୀତାଙ୍କର ହିତରେ ସର୍ବଦା ନିଯୁକ୍ତ ଥିବୁ । ମୁଁ ବୀରବର ରାମଚନ୍ଦ୍ରଙ୍କ ନିକଟରେ ତୋ କଥା ଜଣାଇଁ ବିଭୀଷଣକୁ ଲଙ୍କାରେ ରାଜା କରାଇବି । ଏହି ଦୁଷ୍ଟ ରାକ୍ଷସଗୁଡ଼ାକ ଯମପୁରକୁ ଯିବେ (ମରିବେ) ।’’

୩୯ଶ ପଦ :- ବକ୍ର ବିକୃତରେ-ମୁଖ ବିକୃତିରେ । ବସ୍ତ୍ରାଞ୍ଚଳେ-କାନିରେ ।

୩୯ଶ ପଦ :- ପୁଣି ହନୁମାନ ମୁଖକୁ ବିକୃତ କରି ରାକ୍ଷସୀମାନଙ୍କୁ କହିଲା, ‘ତୁମ୍ଭମାନଙ୍କୁ ଭଲ ଯୋଗଥିଲେ ସୀତାଙ୍କର ପାଦ ପୂଜା କରୁଥିବ ।’ ଏହି ସମୟରେ ସୀତା ମଥାମଣିର କଥା ପଚାରିବାରୁ ହନୁମାନ ତାହା କାନିରୁ ଫିଟାଇ ଦେଖାଇଲା ଏବଂ ପୂର୍ବପରି କାନିରେ ଗଣ୍ଠି ଦେଇ ବାନ୍ଧିରଖିଲା । ତତ୍ପରେ ସେ ବାହୁ ବିସ୍ତାର କରି ଆକାଶ ମାର୍ଗରେ ସୁବଳ ପର୍ବତକୁ ଗଲା । ଏଣେ ରାବଣ ପୋଡ଼ି ନ ଯାଇଥିବା ଦ୍ରବ୍ୟମାନଙ୍କୁ ଆଦାୟ କରିବାରେ ଲାଗିଲେ ।

୪୦ଶ ପଦ :- ବିହରି-ନାଶ କଞ୍ଚ । ଧୂମସ୍ତୋମ - ଧୂମରାଶି । ହରି-ସୂର୍ଯ୍ୟ । ନିଶାଚର-ପେଚକ, ରାକ୍ଷସ ।

୪୦ଶ ପଦ :- ବୀର ହନୁମାନ ଲଙ୍କା ପୋଡ଼ି ଦେବାରୁ ଉଠିଥିବା ଧୁଆଁ ସବୁ ଆକାଶରେ ବ୍ୟାପ୍ତ ହାଇ ସୂର୍ଯ୍ୟଙ୍କର ଶୋଭାକୁ ହରଣ କଲା କି ? ଏହିଭ୍ରମ ଜନ୍ମାଇଁ ସନ୍ଧ୍ୟା ପ୍ରକାଶିତ ହେଲା । ହେ ପାଠକମାନେ ! କାହିଁକି ଏପରି ଭ୍ରମ ହେଲା ତାହା ବୁଝ । କାରଣ ଲଙ୍କା ପୋଡ଼ିବାବେଳେ ଆକାଶ ଯେପରି ଅଗ୍ନିର ତେଜରେ ରକ୍ତବର୍ଣ୍ଣ ଦେଖା ଯାଉଥିଲା, ଏହି ସମୟରେ ମଧ୍ୟ ସେହିପରି ଦେଖା ଯାଉଥିଲା । ସେ ସମୟରେ ପୋଡ଼ିଯିବା ଭୟରେ ରାତ୍ରିଚର ପକ୍ଷୀମାନେ ବସାରୁ ଓ ରାକ୍ଷସମାନେ ଘରୁ ବାହାରି ବୁଲୁଥିଲେ, ଏହି ସମୟରେ ମଧ୍ୟ ସେହିପରି ବୁଲୁଥିଲେ । ଏଣୁ କାହାରି ମନରେ ସନ୍ଧ୍ୟା ହେଲାଣି ବୋଲି ଧାରଣା ହେଉ ନ ଥିଲା । (ରାବଣ ରାଜତ୍ୱର ସନ୍ଧ୍ୟାକାଳ ଉପସ୍ଥିତ ହେଲାଣି ଏହି କଥା କେହି ଜାଣିପାରୁନଥିଲେ ) । କିନ୍ତୁ ସନ୍ଧ୍ୟା ପରେ ଚନ୍ଦ୍ର ଆକାଶରେ ପ୍ରକାଶିତ ହେଲା ପରି ଏହି ସନ୍ଧ୍ୟାର ଶେଷରେ ଅର୍ଥାତ୍‌ ରାବଣ ରାଜତ୍ୱର ଶେଷରେ ରାମ ଓ ଲକ୍ଷ୍ମଣ ଏଠାରେ ପ୍ରକାଶିତ ହେବେ । ବ୍ରହ୍ମା ଏହି ରାବଣ ରାଜତ୍ୱର ସନ୍ଧ୍ୟା ସମୟରେ ବିଶ୍ୱକର୍ମାଙ୍କୁ ଅତିଶୀଘ୍ର ଲଙ୍କାକୁ ପଠାଇଲେ ।

୪୧ଶ ପଦ :- ବିଶ୍ରବାନନ୍ଦନ-ରାବଣ । ବିସ୍ରବାଇ-ତରଳାଇଁ । ମନୋରମ-ସୌନ୍ଦର୍ଯ୍ୟ ।

୪୧ଶ ପଦ :- ବିଶ୍ୱକର୍ମା ରାବଣର ନିକଟରେ ପ୍ରବେଶ ହୋଇ ଅମୋହ ମଣି ଦେବାଦ୍ୱାରା ତାହାର ଚିତ୍ତକୁ ତରଳାଇ ଆନନ୍ଦିତ କରାଇଲା । ସେ ନିର୍ଜ୍ଜନରେ ବସି ଲଙ୍କାପୁରକୁ ନିର୍ମାଣ କଲା । ସେହି ନବନିର୍ମିତ ପୁର ଏପରି ମନୋହର ହୋଇଥିଲା ଯେ, ତାହା ବର୍ଣ୍ଣନା କରି ହେଉନଥିଲା । ଏହି ପୁର ପୋଡ଼ି ଯାଇଥିଲା, ଏ କଥା ଶୁଣି ଲୋକେ କହୁଥିଲେ, ‘‘ଏହା ସତ୍ୟ ନା ସ୍ୱପ୍ନ । କେହି କେହି କହୁଥିଲେ, ଆଉ କେହି ଏ ପୁରକୁ ପୋଡ଼ିବା ପାଇଁ ସମର୍ଥ ହେବେନାହିଁ ।’’

୪୨ଶ ପଦ :- ବିବୁଧେ-ଦେବତାମାନେ । ସାଧୁମତି-ପଣ୍ଡିତ ।

୪୨ଶ ପଦ :- କେହି କେହି କହିଲେ, ‘‘ରାବଣର ‘ବଡ଼ାଇ’ ବୀରତ ଧନ୍ୟ ଅଟେ । ଯେ ହେତୁ ଲଙ୍କାପୁର ପୋଡ଼ି ଯାଇଛି, ଏହା ଜାଣି ଦେବତାମାନେ ବିଶ୍ୱକର୍ମା ଦ୍ୱାରା ତାହାକୁ ଗଢ଼ାଇଦେଲେ ।’’ କେହି କହିଲା, ‘‘ମୟ ମାହାସୁର ଯାହାର ଶ୍ୱଶୁର ତାର ଏପରି ମନୋରମ ପୁର ତିଆରି ହେବାରେ ଆଶ୍ଚର୍ଯ୍ୟ କଣ ଅଛି । ଆଦ୍ୟରେ ବକାର ରଖି ବୟାଳିଶ ପଦରେ ଉପେନ୍ଦ୍ରଭଞ୍ଜଙ୍କ ଦ୍ୱାରା ରଚିତ ହୋଇଥିବା ଏହି ଛାନ୍ଦ ସାଧୁଲୋକମାନଙ୍କର ମନକୁ ମୋହୁ ।

 

ସପ୍ତତ୍ରିଂଶ ଛାନ୍ଦ

ରାଗ-ନଳିନୀଗୌଡ଼ା

 

ବୁଧେ ଶୁଣ ଏକ ଲୟେ

ବାତସୁତ ସୁବଳୟେ ।

ବଞ୍ଚିଲା ସୁଖେ ତାମସୀ

ବାସର ପ୍ରବେଶ ଆସି ।୧ ।

ବିବସ୍ୱାନ ଉଦେ ଚାହିଁ

ବାହାର ଓଳଗ ବିହି ।

ବିୟଦ୍‌ଗତି ହନୁମାନ

ବୋଲାବୋଲି ଦେଖି ଜନ ।୨ ।

ବିନିଦ୍ର ହେଉ ଧୁର୍ଜଟୀ

ବେନି ନେତ୍ର ଅଛି ଫୁଟି ।

ବୁଜିଛି ନୟନ ସତ

ବିଶେଷିତ ଅଳସିତ ।୩ ।

ବିଚିତ୍ର ପ୍ରଭାତ ଆଜ

ବିଦିତ ତ ବେନି ସୂର୍ଯ୍ୟ ।

ବିମାନୁ ଭାନୁର ଡେଇଁ

ବିନତ ସୁତ କି ଯାଇ ।୪ ।

ବୋଧ କେ ତହିଁରେ ସ୍ଥାପି

ବିଧ୍ୱଂସିଲା ଲଙ୍କା କପି ।

ବ୍ୟୋମମାର୍ଗେ ଯିବା ଚାହିଁ

ବ୍ୟେମ-ଭଗ୍ନୀପତି କହି ।୫ ।

ବାହିନୀ ବେହି ପ୍ଳଗବ

ବଧି ଦିଅନ୍ତା ମୋ ଆଗ ।

ବିଳସନ୍ତା ସେହି ଯୋଦ୍ଧା

ବଧାଇ ପାଇ ଅଯୋଧ୍ୟା ।୬ ।

ବିଭୀଷଣ ଭାଷେ ଗିର

ବାମନ ବଢ଼ାଇ କର ।

ବିଧୁ ଧରିବାକୁ ମନ

ବିନ୍ୟାସ କରେ ଯେସନ ।୭ ।

ବିଲଙ୍ଘି ପଲ୍ୱଳ ଯେହି

ବିଧିରେ ନ ପାରେ ସେହି ।

ବାରିଧି ତରିବା ଚିତ୍ତ

ବିଚାରିବା ସେହି ମତ ।୮ ।

ବିଦୀପ୍ତ ଦୀପ ଯେମନ୍ତ

ବିନା ତୈଳେ ହୋଇ ହତ ।

ବିଂଶାର୍ଦ୍ଧମୁଖ ତେମନ୍ତ

ବିହାୟସେ ହନୁମନ୍ତ ।୯ ।

ବିନ୍ଧ୍ୟ ପର୍ବତେ ପ୍ରବେଶ

ବହିଲା ପରା ବତାସ ।

ବିହି ଜାମ୍ବବେ ଓଳଗ

ବସି ବାଳିସୁତ ଆଗ ।୧୦ ।

 

୧ମ ପଦ :- ବୁଧ-ପଣ୍ଡିତ । ବାତସୁତ-ହନୁମାନ । ତାମସୀ-ରାତ୍ରି । ବାସର-ଦିବସ ।

୧ମ ପଦ :- ହେ ପଣ୍ଡିତମାନେ ! ଏକଚିତ୍ତରେ ଶୁଣିବା ହୁଅନ୍ତୁ । ହନୁମାନ ସୁବଳ ପର୍ବତରେ ରହି ସୁଖରେ ରାତ୍ରି ଯାପନ କଲା । ରାତ୍ରି ଶେଷ ହେବାରୁ ଦିନ ଆସି ପ୍ରବେଶ ହେଲା ।

୨ୟ ପଦ :- ବିବସ୍ୱାସ-ସୂର୍ଯ୍ୟ । ବିୟଦ୍‌ଗତି-ଆକାଶ ସଂଚାରୀ ।

୨ୟ ପଦ :- ସୂର୍ଯ୍ୟ ଉଦୟ ହେଉଥିବାର ଦେଖି, ସେ ତାଙ୍କୁ ପ୍ରଣାମ କରି ସେଠାରୁ ବାହାରିଲା । ଆକାଶମାର୍ଗରେ ଯାଉଥିବା ହନୁମାନଙ୍କୁ ଦେଖି ଲୋକମାନେ କଥାବାର୍ତ୍ତା ହେଲେ ।

୩ୟ ପଦ :- ‘‘ମହାଦେବଙ୍କର ନିଦ ଭାଙ୍ଗିବାରୁ ତାଙ୍କର ସୂର୍ଯ୍ୟ ଓ ଅଗ୍ନିରୂପ ଦୁଇଗୋଟି ଚକ୍ଷୁ ଫିଟିଛିକି ? ବୋଧହୁଏ ଅତିଶୟ ଆଳସ୍ୟବଶରୁ ସେ ଚନ୍ଦ୍ରରୂପ ଚକ୍ଷୁକୁ ମୁଦି ଅଛନ୍ତି, ଏହା ସତ୍ୟ ଅଟେ ।’’

୪ର୍ଥ ପଦ :- ବିନତାସୁତ-ଅରୁଣ(ସୂର୍ଯ୍ୟସାରଥି) । ଭାନୁ ବିମାନୁଁ-ସୂର୍ଯ୍ୟଙ୍କ ରଥରୁ ।

୪ର୍ଥ ପଦ :- ‘‘ଆଜିକାର ସକାଳ ଆଶ୍ଚର୍ଯ୍ୟ ଦାୟକ ଅଟେ । ଯେହେତୁ ଏକ ସମୟରେ ଦୁଇଗୋଟି ସୂର୍ଯ୍ୟ ପ୍ରକାଶିତ ହୋଇଅଛନ୍ତି । ଯଦି ଏହା ନୁହେଁ, ତାହା ହେଲେ ଅରୁଣ ସୂର୍ଯ୍ୟଙ୍କର ରଥରୁ ଡେଇଁ ପଳାଉଛନ୍ତି କି ?’’

୫ମ ପଦ :- ସେମାନଙ୍କ ମଧ୍ୟରୁ କେହି ଜଣେ ଲୋକ ବୁଝାଇ କହିଲା, ‘‘ ଏ ସେହି ଲଙ୍କା ପୋଡ଼ା ବାନର ।’’ ଏହି ସମୟରେ ‘ବ୍ୟୋମ ଭଗ୍ନୀପତି’ ବ୍ୟୋମା, ସୁରର ଭିଣୋଇ (ରାବଣ) ଆକାଶମାର୍ଗରେ ହନୁମାନ ଯାଉଥିବାର ଦେଖି କହିଲା ।

୬ଷ୍ଠ ପଦ :- ବାହିନୀ-ସେନା । ପ୍ଳବଗ-ବାନର । ବଧାଇ-ପୁରସ୍କାର ।

୬ଷ୍ଠ ପଦ :- ‘‘ଯଦି କେହି ଯୋଦ୍ଧା ଏହି ମାଙ୍କଡ଼କୁ ମାରି ମୋ ଆଗରେ ଦିଅନ୍ତା, ତାହା ହେଲେ ସେ ଅଯୋଧ୍ୟା ପୁରକୁ ପୁରସ୍କାର ରୂପେ ପାଇ ସେଠାରେ କ୍ରୀଡ଼ା କରନ୍ତା ।’’

୭ମ ପଦ :- ବାମନ-ଖର୍ବାକୃତି ବା ଗେଡ଼ା ମନୁଷ୍ୟ ।

୮ମ ପଦ :- ପଲ୍ୱଳ-କ୍ଷୁଦ୍ର ପୁଷ୍କରିଣୀ । ବାରିଧି- ସମୁଦ୍ର ।

୭ମ ଓ ୮ମ ପଦ :- ଏହା ଶୁଣି ବିଭୀଷଣ କହିଲା, ‘‘ବାମନ ହାତ ବଡ଼ାଇ ଚନ୍ଦ୍ରର ଧରିବା ପାଇଁ ଯେପରି ଇଚ୍ଛା ପ୍ରକାଶ କରେ ଏବଂ ଯେଉଁ ଲୋକ ଛୋଟିଆ ପୋଖରୀକୁ ଡେଇଁନପାରେ, ସେ ଯେପରି ସମୁଦ୍ରକୁ ଡେଇଁବା ପାଇଁ ମନରେ ବିଚାର କରେ, ଏହି ବିଚାର ସେହିପରି ଅଟେ ।’’

୯ମ ଓ ୧୦ମ ପଦ :- ଜଳୁଥିବା ଦୀପ ତେଲ ଶେଷ ହେଲେ ଯେପରି ଲିଭିଯାଏ, ବିଭୀଷଣର କଥା ଶୁଣି ରାବଣର ମୁଖ ସେହିପରି ମଳିନ ହୋଇଗଲା । ହନୁମାନ ପବନ ବେଗରେ ଗତି କରି ବିନ୍ଧ୍ୟ ପର୍ବତରେ ଉପସ୍ଥିତ ହେଲା ଏବଂ ଜାମ୍ବବଙ୍କୁ ନମସ୍କାର କରି, ଅଙ୍ଗଦର ଆଗରେ ବସିଲା ।

 

ବିନାଶ ସନ୍ଧ୍ୟାସମୟ

ବିୟତ ଶୋଭା ଉଦୟ ।

ବାନରସଭା ହୋଇଲା

ବିଧାନ ଶ୍ଲେଷ ବହିଲା ।୧୧ ।

ବିକାଶି ନୀଳ ପ୍ରଭାତ

ବିଶେଷ ତାରାଜନିତ ।

ବିଦିତ ଯେ ଋକ୍ଷବର

ବିଦ୍ୟ ମଙ୍ଗଳ ସଞ୍ଚାର ।୧୨ ।

ବାର୍ତ୍ତା ହନୁମନ୍ତ କହି

ବାରାଂନିଧି ଯାଉ ଡେଇଁ ।

ବିଘ୍ନ କରି ଗିଳିଦେଲା

ବିଧୁନ୍ତୁଦମାତା ମଲା ।୧୩ ।

ବିରୋଧି ହୋଇ ସୁରସା

ବଳିଲା ନାହିଁ ଭରସା ।

ବୋଧି ଆସି ମଇନାକ

ବୁଡ଼ିଲା ସିନ୍ଧୁ ଉଦକ ।୧୪ ।

ବେଳାସ୍ତେ ସୁବେଳ ହୋଇ

ବିକ୍ରମି ଲଙ୍କାକୁ ଯାଇ ।

ବିଧା ଲଙ୍କିନୀ ପାଇଲ

ବୈଦେହୀ ଥିଲା କହିଲା ।୧୫ ।

ବିଚିତ୍ର ହୋଇ ସେ ପୁର

ବେଭାରେ ସବିତ୍ର ସାର ।

ବିଶାଳ ମୋ ଭୁରିଶାଳ

ବିଲୋକ ଲୋକରେ ମେଳ ।୧୬ ।

ବହୁ ଜଗତିରେ ନାହିଁ

ବହୁ ଜଗତୀରେ ଶୋହି ।

ବିହୀନ ପୁଣ୍ୟଜନରେ

ବ୍ୟାପିତ ପୁଣ୍ୟ ଜନରେ ।୧୭ ।

ବଜ୍ର ପ୍ରଭାରେ ଜ୍ୱଳିତ

ବଜ୍ର ପ୍ରଭା ଅବିହିତ ।

ବୁଲି ଏମନ୍ତ କଟକେ

ବାସ ନ ଛାଡ଼ି ଝଟକେ ।୧୮ ।

ବିଂଶକର ଅନ୍ତଃପୁରେ

ବୁଲି ଖୋଜିଲା ଉତ୍ତାରେ ।

ବନାଏ ଅଶୋକ ନାମା

ବଡ଼ ରମ୍ୟ କି ଉପମା ।୧୯ ।

ବିରାଜେ ମଧ୍ୟେ ଜଗତୀ

ବିଜେ ଜନକ ଦୁହିତୀ ।

ବିଜୁଳିଝଟକ ମାତ୍ର

ବୁଜି ହୋଇ ଯଥା ନେତ୍ର ।୨୦ ।

 

୧୧ଶ ପଦ :- ଏହି ସମୟକୁ ସନ୍ଧ୍ୟା ଶେଷ ହୋଇ ଯିବାରୁ ଆକାଶ ଯେପରି ଶୋଭା ଧାରଣା କଲା, ହନୁମାନ ପ୍ରବେଶ ହେବାରୁ ବାନରମାନଙ୍କର ଯେଉଁ ସଭା ହେଲା, ସେ ମଧ୍ୟ ସେହିପରି ଶୋଭାକୁ ଧାରଣ କଲା, ଏଣୁ ଏଠାରେ ରାତ୍ରି ବର୍ଣ୍ଣନା ଓ ସଭା ବର୍ଣ୍ଣନା ଶ୍ଳେଷାଳଙ୍କାରରେ କରାଗଲା ।

୧୨ଶ ପଦ :- ପ୍ରଭା-କାନ୍ତି । ତାରାଜନିତ-ଅଙ୍ଗଦ । ଋକ୍ଷବର-ଚନ୍ଦ୍ର ।

୧୨ଶ ପଦ :- ରାତ୍ରି ହେବାରୁ ନୀଳବର୍ଣ୍ଣ ପ୍ରଭା ପ୍ରକାଶିତ ହେଲା ( ଅର୍ଥାତ୍ ଚାରିଆଡେ ଅନ୍ଧକାର ଘୋଟିଗଲା ) । ଆକାଶରେ ଅନେକ ତାରା ଦେଖା ଦେଲେ, ଚନ୍ଦ୍ର ଉଦୟ ହେଲେ ଓ ମଙ୍ଗଳ ଗ୍ରହର ଗତି ଦେଖାଗଲା । ସେହିପରି ସଭାରେ ନୀଳ ସେନାପତିଙ୍କର ତେଜ ପ୍ରକାଶିତ ହେଲା, ‘ତାରାଜନିତ’ ତାରା ପୁତ୍ର ଅଙ୍ଗଦ ସମ୍ମାନର ସହିତ ଆସି ଉପସ୍ଥିତ ହେଲେ ଓ ‘ଋକ୍ଷବର’ ବିଖ୍ୟାତ ବୀର ଭାଲୁଶ୍ରେଷ୍ଠ ଜାମ୍ବବାନ ମଧ୍ୟ ଆଗମନ କଲେ ଏବଂ ସେହି ସମୟରେ ସମସ୍ତ ଶୁଭ ଖବର ପ୍ରକାଶିତ ହେଲା ।

୧୩ଶ ପଦ :- ବାରାଂନିଧି-ସମୁଦ୍ର । ବିଧୁନ୍ତୁଦମାତା-ରାହୁମାତା ( ସିଂହିକା ) ।

୧୩ଶ ପଦ :- ହନୁମାନ କହିଲା, ‘‘ସମୁଦ୍ରକୁ ଡେଇଁ ଯାଉଥିବା ସମୟରେ ମୋର ଅନିଷ୍ଟ ଇଚ୍ଛା କରି ରାହୁର ମାତା ( ସଂହିକା ) ମୋତେ ଗିଳି ଦେଲା । ମାତ୍ର ସେ ମୋ ଦ୍ୱାରା ମଲା ।’’

୧୪ଶ ପଦ :- ସୁରସା-ନାଗମାତା ।

୧୪ଶ ପଦ :- ‘‘ତତ୍ପରେ ସୁରସା ମୋର ଅନିଷ୍ଟ କରିବା ପାଇଁ ଉପସ୍ଥିତ ହେଲା କିନ୍ତୁ ତାହାର ସାହାସ ପାଇଲା ନାହିଁ । ମୈନାକ ପର୍ବତ ମଧ୍ୟ ମୋତେ ପ୍ରବୋଧ ଦେବା ନିମିତ୍ତ ଆସିଲା ଓ କିଛିକ୍ଷଣ ପରେ ସମୁଦ୍ର ଜଳରେ ବୁଡ଼ି ଗଲା ।’’

୧୫ଶ ପଦ :- ବେଳାସ୍ତେ-ବେଳ ଅସ୍ତହେବା ସମୟରେ ଅର୍ଥାତ୍ ସନ୍ଧ୍ୟାବେଳେ । ସୁବେଳ - ସୁବଳପର୍ବତ । ଲଙ୍କିନୀ-ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ।

୧୫ଶ ପଦ :- ‘‘ସୂର୍ଯ୍ୟାସ୍ତ ହେବା ସମୟରେ ମୁଁ ସୁବେଳ ପର୍ବତରେ ଯାଇ ପହଞ୍ଚିଲି । ସେଠାରୁ ଡେଇଁ ଲଙ୍କାକୁ ଗଲି । ଲଙ୍କାଦେବୀ ମୋଠାରୁ ବିଧାଏ ପାଇବାରୁ ସୀତା ଏଠାରେ ଅଛି ବୋଲି ମୋତେ କହିଲା ।’’

୧୬ଶ ପଦ :- ବିରୋଧାର୍ଥ- ସେହି ଲଙ୍କାପୁର ‘ବିଚିତ୍ର’ ଚିତ୍ରଶୂନ୍ୟ ହୋଇଥିଲେ ସୁଦ୍ଧା ପ୍ରକୃତରେ ଉତ୍ତମ ଚିତ୍ରମାନଙ୍କ ଦ୍ୱାରା ଚିତ୍ରିତ ହୋଇଅଛି । ‘ବିଶାଳ’ ଗୋଟିଏ ସୁଦ୍ଧା ଶାଳବୃକ୍ଷ ସେଠାରେ ନ ଥିଲେ ମଧ୍ୟ ଅନେକ ଶାଳ ବୃକ୍ଷରେ ପୂର୍ଣ୍ଣ ହୋଇଅଛି ଏବଂ ଜଣେ ସୁଦ୍ଧା ଲୋକ ସେଠାରେ ନ ଥିଲେ ମଧ୍ୟ ବହୁତ ଲୋକ ସେଠାରେ ମିଳିତ ହୋଇ ଅଛନ୍ତି ।

ପ୍ରକୃତାର୍ଥ- ‘‘ସେହି ପୁର ଉତ୍କଷ୍ଟ ଚିତ୍ରମାନଙ୍କଦ୍ୱାରା ଚିତ୍ରିତ ହୋଇଥିବାରୁ ଦର୍ଶକର ମନରେ ଆଶ୍ଚର୍ଯ୍ୟ ଉତ୍ପାଦନ କରୁଅଛି । ବହୁ ସଂଖ୍ୟକ ଗୃହରେ ପୂର୍ଣ୍ଣ ହୋଇ ବହୁଦୂର ପର୍ଯ୍ୟନ୍ତ ବିସ୍ତୁତ ହୋଇଅଛି ଏବଂ ଗାଢ଼ ଦୃଷ୍ଟି ନିଷେପ କରି ଦେଖିଲେ ସେହି ପୁରରେ ବହୁତ ଲୋକ ଥିବାର ଜଣାଯାଉଛି । ଅଥବା ବହୁତ ‘ବିଲୋକ’ ଦର୍ଶନ ଲୋକ ସେଠାରେ ଏକତ୍ରିତ ହୋଇଥିବା ପରି ଜଣାଯାଉଛି ।’’

୧୭ଶ ପଦ :- ପୃଣ୍ୟଜନ-ରାକ୍ଷସ । ଧାମକ-ଲୋକ ।

୧୭ଶ ପଦ :- ବିରୋଧାର୍ଥ- ସେଠାରେ ମୋଟେ ପକ୍‌କା ଘର ନାହିଁ ବହୁତ ପକ୍‌କା ଘରରେ ସେହି ପୁର ମନୋହର ଦେଖାଯାଉଛି । ଜଣେ ସୁଦ୍ଧା ଧାର୍ମିକ ଲୋକ ସେଠାରେ ନାହାଁନ୍ତି କିନ୍ତୁ ଧାମକମାନେ ସେହି ପୁରରେ ଭର୍ତ୍ତି ହୋଇରହିଛନ୍ତି ।’’

ପ୍ରକୃତାର୍ଥ- ‘‘ଚତୁର୍ଦ୍ଦଶ ଭୁବନରେ ଏପରି ପୁର ନାହିଁ ସେହି ପୁର ପକ୍‌କା ଘରମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଅଛି । ସେଠାରେ ଜଣେ ହେଲେ ଧାର୍ମିକ ଲୋକ ନାହାନ୍ତି କିନ୍ତୁ ରାକ୍ଷସମାନେ ପୂର୍ଣ୍ଣ ହୋଇ ରହିଅଛନ୍ତି ।’’

୧୮ଶ ପଦ :- ବଜ୍ର-ହୀରକ, ଅସ୍ତ୍ର ବିଶେଷ ।

୧୮ଶ ପଦ :- ବିରୋଧାର୍ଥ- ତାହା ବଜ୍ରର ତେଜରେ ପ୍ରକାଶିତ ଓ ବଜ୍ରର ତେଜରେ ଅପ୍ରକାଶିତ ହୋଇ ରହିଅଛି ।’’

ପ୍ରକୃତାର୍ଥ- ‘‘ ସେହି ପୁର ହୀରାମାନଙ୍କର ତେଜରେ ଆଲୋକିତ ହୋଇଅଛି । ସେଠାରେ ବଜ୍ରଘାତ ମୋଟେ ହେଉନାହିଁ । ଏହିପରି ସୌନ୍ଦର୍ଯ୍ୟଶାଳୀ ପୁରରେ ଥିବା ପ୍ରତ୍ୟେକ ଘର ଅଳ୍ପ ସମୟ ମଧ୍ୟରେ ବୁଲି ଶେଷ କଲି ।’’

୧୯ଶ ପଦ :- ବମାଏ-ବନ ବା ଉପବନ । ରମ୍ୟ-ସୁନ୍ଦର ।

୧୯ଶ ପଦ :- ତୟରେ ରାବଣର ଅନ୍ତଃପୁର ମଧ୍ୟରେ ପଶି ଖୋଜି ସାରିବା ପରେ ଅଶୋକ ନାମକ ଏକ ବନ ଦେଖିଲି । ସେହି ବନ ଏଡ଼େ ସୁନ୍ଦର ଯେ, ତାହାର ଉପମା କଣ ମୁଁ ଦେଇ ପାରିବି ।’’

୨୦ଶ ପଦ :- ଜଗତୀ-ଅଟ୍ଟାଳିକା । ଜନକଦୁହିତୀ-ସୀତା ।

୨୦ଶ ପଦ :- ‘‘ସେହି ବନ ମଧ୍ୟରେ ଗୋଟିଏ ଅତି ସୁନ୍ଦର କୋଠାଘର ଅଛି । ସେହି କୋଠାରେ ସୀତା ବିଜେ କରି ଅଛନ୍ତି । ବିଜୁଳି ଝଟକିବା ମାତ୍ରେ ଯେପରି ଆକ୍ଷି ମୁଦି ହୋଇଯାଏ, ତାଙ୍କୁ ଦେଖିବା ମାତ୍ରେ ସେହିପରି ମୋର ଆକ୍ଷି ମୁଦି ହୋଇଗଲା ।’’

 

ବିଲୋକି ଉତ୍ତମ କରି

ବିଧିରେ ମୁଁ ଯେ ନ ପାରି ।

ବଇକୁଣ୍ଠ ଶିରୀ ଶିରୀ

ବିସ୍ତାରିଥିଲାର ପରି ।୨୧ ।

ବିଚାର ଶୋଭାସାଗର

ବିଧାତା ମନ୍ଥୁ ବାହାର ।

ବାରିଧିରୁ ଯେତେ ଦ୍ରବ୍ୟ

ବିଜନ୍ୟ ସେ ଏକଠାବ ।୨୨ ।

ବିଚାରେ ଅଧିକ ଏହି

ବୁଧେ ତାଙ୍କୁ ଧିକ କହି ।

ବଦନ ସର୍ବଦା ପୂର୍ଣ୍ଣ

ବିଧୁ କଳଙ୍କବିହୀନ ।୨୩ ।

ବୋଲିବ ଏମନ୍ତ ବିଧୂ

ବିଭାବରୀରେ ସେ ସାଧୁ ।

ବିଭାବରୁ ନିଶାକର

ବୋଲିଅଛି ବେଦବର ।୨୪ ।

ବାସର ନିଶାରେ ସରି

ବାଳା ଆନନ୍ଦ ମାଧୁରୀ ।

ବିମଳ ହାସ କରଣ

ବିଧାନ ସେ ଅନୁକ୍ଷଣ ।୨୫ ।

ବିଭୁଷା ତ୍ରିନେତ୍ର ସେହି

ବହୁ ନେତ୍ରଭୂଷା ଏହି ।

ବିଦ୍ରବାଇ ସେ ଶିଳାଏ

ବହୁ ଶୀଳା ଏ ଦୃବାଏ ।୨୬ ।

ବିଦ୍ୟୁତ ସେ କ୍ଷଣପ୍ରଭା

ବାମାକାନ୍ତି ଚିରଶୋଭା ।

ବଞ୍ଚି ଲଚି ସ୍ୱର୍ଗେ ଧିକ

ବାସକୁ ପାରିଜାତକ ।୨୭ ।

ବଡ଼ ସୁନ୍ଦରୀ ରମ୍ଭା ଯେ

ବପୁରେ ଶରଣ ଭଜେ ।

ବାରଣେନ୍ଦ୍ର ମନ୍ଥେ ଗତି

ବାସବେ ସେହି ବିନତି ।୨୮ ।

ବିଷ୍ଣୁ ମୋହିନୀ ହୋଇବା

ବୁଝ କେତେ ଲକ୍ଷ ଦେବା ।

ବିପୁଳ ପୀୟୁଷକୁମ୍ଭ

ବକ୍ଷୋରୁହେ ସେ ଆରମ୍ଭ ।୨୯ ।

ବଇଶ୍ରବଣ ଆସିଲା

ବସି ବିନୟ ଭାଷିଲା ।

ବିଅର୍ଥ ଅଜ୍ଞ ବଚନ

ବିଜ୍ଞଜନରେ ଯେସନ ।୩୦ ।

 

୨୧ଶ ପଦ :- ‘‘ଏଣୁ ମୁଁ ତାଙ୍କୁ ଭଲକରି ଦେଖି ପାରିଲିନାହିଁ । ଲକ୍ଷ୍ମୀଦେବୀ ବୈକୁଣ୍ଠ ପୁରରେ ଶୋଭା ବିସ୍ତାର କଲାପରି ସୀତା ସେଠାରେ ଶୋଭା ବିସ୍ତାର କରିଅଛନ୍ତି ( ସୀତା ଲକ୍ଷ୍ମୀଙ୍କପରି ଦେଖା ଯାଉ ଅଛନ୍ତି ) ।’’

୨୨ଶ ପଦ :- ବିଜନ୍ୟ-ଜାତ ।

୨୩ଶ ପଦ :- ବୁଧେ-ପଣ୍ଡିତମାନେ ।

୨୨ଶ -୨୪ଶ ପଦ :- ମୁଁ ତାଙ୍କୁ ଦେଖି ବିଚାରିଲି, ବିଧାତା ଶୋଭା ସମୁଦ୍ରକୁ ମନ୍ଥନ କରିବାକୁ ଏହି ସୀତା ବାହାର ହେଲେ କି ? ଯେତେ ଦ୍ରବ୍ୟ ସମୁଦ୍ରରୁ ବାହାରି ଥିଲା ସେ ସବୁକୁ ଏକତ୍ର କରି ବିଚାର କଲେ, ସେହି ବିଚାରରେ ପଣ୍ଡିତମାନେ ଏହାକୁ ଅଧିକ ଓ ଅନ୍ୟମାନଙ୍କୁ ଧିକ୍ ବୋଲି କହିବେ । କାରଣ ସୀତାଙ୍କର ମୁଖଚନ୍ଦ୍ର ସବୁବେଳେ ନିଷ୍କଳଙ୍କ ଓ ପୂର୍ଣ୍ଣ ଅଟେ । ତୁମ୍ଭେମାନେ କହିପାର, ରାତ୍ରିରେ ଚନ୍ଦ୍ର ଠିକ୍ ଏହିପରି ମନୋହର ଦେଖାଯାନ୍ତି । ଦିବସରେ ତାଙ୍କ କିରଣର ଅଭାବ ଘଟୁ ଥିବାରୁ ବ୍ରହ୍ମା ତାଙ୍କୁ ନିଶାକର ନାମ ଦେଇଅଛି ।’

୨୫ଶ ପଦ :- ଆନନମାଧୁରୀ-ମୁଖଶୋଭା । ବାସର ନିଶାରେ - ଦିନ ଓ ରାତିରେ । ଅନୁକ୍ଷଣ-ସର୍ବଦା ।

୨୫ଶ ପଦ :- ‘‘ସୀତାଙ୍କର ମୁଖଶୋଭା ଦିନ ଓ ରାତ୍ରିରେ ସମାନ ଅଟେ । ତହିଁରେ ନିର୍ମଳ ହାସରୂପ କିରଣ ସବୁବେଳେ ପ୍ରକାଶିତ ହେଉଅଛି ।’’

୨୬ଶ ପଦ :- ତ୍ରିନେତ୍ର-ମହାଦେବ । ଚନ୍ଦ୍ରଶିଳାଏ-ଚନ୍ଦ୍ରକାନ୍ତମଣି । ଶୀଳ-ସ୍ୱଭାବ ।

୨୬ଶ ପଦ :- ‘‘ଚନ୍ଦ୍ର କେବଳ ମହାଦେବଙ୍କର ଶିରୋଭୂଷଣ ଅଟେ । ମାତ୍ର ସୀତାଙ୍କ ମୁଖଚନ୍ଦ୍ର ବହୁତ ଲୋକମାନଙ୍କର ନୟନର ଭୂଷଣ ଅଟେ । ଚନ୍ଦ୍ର ଏକମାତ୍ର ଚନ୍ଦ୍ରକାନ୍ତ ମଣିକୁ ତରଳାଇ ଦିଏ । କିନ୍ତୁ ସୀତାଙ୍କର ମୁଖଚନ୍ଦ୍ର ଅନେକ ସଚ୍ଚରିତ୍ର ଲୋକଙ୍କର ଚିତ୍ତକୁ ତରଳାଇ ଦିଏ ।’’

୨୭ଶ ପଦ :- ‘‘ବିଜୁଳୀ ଅଳ୍ପ ସମୟରେ ଲୀନ ହୋଇଯାଏ, କିନ୍ତୁ ଏହି ସୁନ୍ଦରୀ ସୀତାଙ୍କର ଶୋଭା ବହୁକାଳ ସ୍ଥାୟୀ । ପାରିଜାତ ପୁଷ୍ପ ସୀତାଙ୍କର ଅଙ୍ଗଗନ୍ଧଠାରୁ ହାରି ଯାଇ ସ୍ୱର୍ଗରେ ଲୁଚି ବଞ୍ଚି ରହିଛି, ଏଣୁ ତାକୁ ଧିକ୍ ।’’

୨୮ଶ ପଦ :- ବପୁ-ଶରୀର ବା ଦେହ । ବାଇଣେନ୍ଦ୍ର-ଗଜରାଜ (ଐରାବତ) । ବାସବ-ଇନ୍ଦ୍ର ।

୨୮ଶ ପଦ :- ‘‘ଯେଉଁ ରମ୍ଭା (ଅପ୍‌ସରା) ବଡ଼ ସୁନ୍ଦରୀ ବୋଲି ବିଖ୍ୟାତ, ସେ ସୀତାଙ୍କ ଦେହରେ ଶରଣ ପଶିଛି ( ଅର୍ଥାତ୍ ସୀତା ରମ୍ଭୋରୁ ଅଟନ୍ତି ) ଏବଂ ତାଙ୍କର ଗମନ ଐରାବତର ଗମନକୁ ଦଳି ଦେବାରୁ ( ଅର୍ଥାତ୍ ଐରାବତ ଗମନରେ ପରାସ୍ତ ହେବାରୁ ) ସେ ଇନ୍ଦ୍ରଙ୍କୁ ପ୍ରାର୍ଥନା କରୁଅଛି ( ସୀତା ଗଜଗମନୀ ଅଟନ୍ତି ) ।’’

୨୯ଶ ପଦ :- ‘‘ଆପଣମାନେ ଏହି କଥାରୁ ସବୁ ବୁଝି ନିଅନ୍ତୁ, ଅଧିକ ଉପମା ଦେଇ କହିବା ନିଷ୍ପ୍ରୟୋଜନ । ବିଷ୍ଣୁ ମୋହିନୀରୂପ ଧାରଣ କରିଥିବା ସମୟରେ ଅତି ଉନ୍ନତ ଅମୃତ ମାଠିଆକୁ ଛାତିର ନିକଟରେ ରଖିଥିଲାପରି ସେହି ସୀତା ‘ମୁଁ ବିଷ୍ଣୁଙ୍କୁ ମୋହିତ କରିବି’ ଏହି ଇଚ୍ଛାରେ ଅମୃତକୁମ୍ଭ ତୁଲ୍ୟ ଅତି ଉନ୍ନତ ଦୁଇଗୋଟି ସ୍ତନ ପ୍ରକାଶିତ କରି ଅଛନ୍ତି । ଅଥବା ସେ ବିଷ୍ଣୁ ମୋହିନୀ ହେବା ଆଶାରେ ସ୍ତନଦ୍ୱୟରେ ପୃଥଳ ଅମୃତ କୁମ୍ଭର ଶୋଭାକୁ ଧାରଣା କରିଅଛନ୍ତି ।’’

୩୦ଶ ପଦ :- ବଇଶ୍ରବଣ-ରାବଣ । ବିଅର୍ଥ-ବୃଥା । ଅଜ୍ଞ-ମୁର୍ଖ ବିଜ୍ଞଜନରେ-ପଣ୍ଡିତଲୋକଠାରେ ।

୩୦ଶ ପଦ :- ‘‘ଏହି ସମୟରେ ରାବଣ ସେଠାକୁ ଆସି ସୀତାଙ୍କ ନିକଟରେ ବସି ବିନୟ ବାକ୍ୟମାନ କହିଲା । ମାତ୍ର ମୁର୍ଖମାନଙ୍କର କଥା ପଣ୍ଡିତମାନଙ୍କ ଦ୍ୱାରା ଯେପରି ଅନାଦୃତ ହୋଇଥାଏ, ତାହା ସେହିପରି ହୋଇଥିଲା ( ସୀତା ତାହାର ବିନୟ ବାକ୍ୟ ପ୍ରତି ଅନାଦର ପ୍ରକାଶ କରିଥିଲେ ) ।’’

 

ବିନାୟକ ଜନ୍ମଦିନ-

ବିଧୂକୃତ ତା ବଦନ ।

ବୋଧକର ବିନା ଦାନେ

ବାହୁଡ଼ିଲାର ସମାନେ ।୩୧ ।

ବଦନ ତେଜି ନନ୍ଦନ

ବିହି ଗଲା ଦଶାନନ ।

ବିଯୋଗ ହେଉଁ ତାମସୀ

ବିଗତ ପାଶୁଁ ରାକ୍ଷସୀ ।୩୨ ।

ବାର୍ତ୍ତା କହି ଦେଲି ମୁଦି

ବାଳିକାମଣି ପ୍ରମୋଦୀ ।

ବିନୟ ପୁଣି ତ ଭଣି

ବଲ୍ଲଭ ଛାମୁକୁ ମଣି ।୩୩ ।

ବୈଦେହୀ କେଉଁ ଆସିଲି

ବନୀସାର ଭଗ୍ନ କଲି ।

ବାଦାରମ୍ଭେ ନିଶାଚର

ବଧ ମୁଁ କଲି ଅପାର ।୩୪ ।

ବୈଶ୍ରବଣ ଏକ ସୁତ

ବିଦାରଣେ ସେ କୋପିତ ।

ବାସବାରି ବରଗିଲା

ବିଳେଶୟେ ବାନ୍ଧିନେଲା ।୩୫ ।

ବିବିଧ ଦଣ୍ଡ ବିହିତ

ବାଣୀ ପରୁଷ ରଚିତ ।

ବଡ଼ାଇ ମୁଁ ନ ଛାଡ଼ିଲି

ବାହୁ ମୋଡ଼ିବି ବୋଇଲି ।୩୭ ।

ବାସ ଲାଙ୍ଗୁଡ଼େ ବେଢ଼ାଇ

ବହ୍ନିରେ ଦେଲା ପୋଡ଼ାଇ ।

ବିଧ୍ୱଂସି ତହିଁ ନଗର

ବୋଧ ଘେନି ଦେବଙ୍କର ।୩୭ ।

ବିଚାର ପାରଇଁ ଯେତେ

ବଳବଶେ କଲି ତୋତେ ।

ବୋଲୁଁ ବୋଲେ ବଳିସୁତ

ବଧାଇ ମାଗ ତ୍ୱରିତ ।୩୮ ।

ବତାତ୍ମଜ ତହୁଁ ଭାଷି

ବହୁଦିନୁ ଉପବାସୀ ।

ବାଟିକା କିଷ୍କିନ୍ଧ୍ୟା ଅଛି

ବିବିଧ ଫଳେ ଶୋଭିଛି ।୩୯ ।

ବୋଧ କରିବା ଉଦର

ବଦିବା ରାମଛାମୁର ।

ବିଚାର ସର୍ବେ ଯୋଗାଇ

ବାୟୁରୁ ସତ୍ୱରେ ଯାଇ ।୪୦ ।

 

୩୧ଶ ପଦ :- ବିନାୟକ ଜନ୍ମଦିନ ବିଧୁକୃତ-ହରିତାଳିମା ଦିନର ଚନ୍ଦ୍ରପରି । ବୋଧକର-ଭାଟ ।

 

୩୧ଶ ଓ ୩୨ଶ ପଦ :- ସୀତା ସେହି ସମୟରେ ରାବଣର ମୁଖକୁ ଗଣେଶଚତୁର୍ଥୀ ଦିନ ଚନ୍ଦ୍ରପରି କରିଥିଲେ ( ଅର୍ଥାତ୍ ତାର ମୁଖକୁ ଚାହିଁନଥିଲେ ) । ଭାଟମାନଙ୍କୁ କିଛି ନ ଦେଲେ ଯେପରି ସେମାନେ ସ୍ତୁତିତ୍ୟାଗ ପୂର୍ବକ ନିନ୍ଦା କରି ଫେରିଯାନ୍ତି ସେହିପରି ରାବଣ ସ୍ତୁତି ପରିତ୍ୟାଗ ପୂର୍ବକ ନିନ୍ଦା କରି ତାଙ୍କ ନିକଟରୁ ବାହାରିଗଲେ ।’’ ତତ୍ପରେ ରାତ୍ରି ପାହି ଯିବାରୁ ରାକ୍ଷସୀମାନେ ତାଙ୍କ ନିକଟରୁ ବାହାରିଗଲେ ।

୩୩ଶ ପଦ :- ବାଳିକାମଣି-ସୀତା । ପ୍ରମୋଦି-ଆନନ୍ଦିତ ହୋଇ । ମଣି-ମଥାମଣି ।

୩୪ଶ ପଦ :- ବନୀସାର-ଶ୍ରେଷ୍ଠବନ ( ମଧୁବନ) । ବାଦାରମ୍ଭେ-ଯୁଦ୍ଧରେ । ନିଶାଚର-ରାକ୍ଷସ । ଅପାର-ଅପରିମିତ ବା ବହୁତ ।

୩୩ଶ ଓ ୩୪ଶ ପଦ :- ‘‘ଏହି ସମୟରେ ମୁଁ ସମସ୍ତ କଥା କହି ମୁଦିଟି ଦେଲି ତାକୁ ପାଇ ସେହି ଯୁବତୀ (ସୀତା) ଅତିଶୟ ଆନନ୍ଦିତ ହେଲେ, ପୁଣି ବିନୀତା ହୋଇ କେତେ କଥା କହିଲେ । ସେହି ବୈଦେହୀ ପ୍ରିୟ ରାମଙ୍କ ନିକଟକୁ ନେବା ପାଇଁ ମଣିଟି ମୋତେ ଦିଅନ୍ତେ, ମୁଁ ଆସି ମଧୁବନକୁ ଭାଙ୍ଗିଲି । ରାକ୍ଷସମାନେ ଆସି ଯୁଦ୍ଧ ଆରମ୍ଭ କରିବାରୁ ମୁଁ ଅନେକ ଅସୁର ମାଇଲି ।’’

୩୫ଶ ପଦ :- ବାସବାରି-ଇନ୍ଦ୍ରଜିତ । ବିଳେଶ୍ୱୟେ-ନାଗପାଶରେ ।

୩୫ଶ ପଦ :- ମୁଁ ରାବଣର ଗୋଟିଏ ପୁଅକୁ ବିଦାରି ମାରି ପକାଇବାରୁ ସେ କ୍ରୁଦ୍ଧ ହୋଇ ଇନ୍ଦ୍ରଜିତକୁ ପଠାଇଲା । ସେ ଆସି ମୋତେ ନାଗଫାଶରେ ବାନ୍ଧି ନେଲା ।’’

୩୬ଶ ପଦ :- ପରୁଷବାଣୀ-କଟୁକଥା ।

୩୬ଶ ପଦ :- ‘‘ତତ୍ପରେ ମୋତେ ନାନାପ୍ରକାର ଦଣ୍ଡ ଦେଇ ଭର୍ତ୍ସନା ଦେବାକୁ ଲାଗିଲେ । ତଥାପି ମୁଁ ମୋର ବଡ଼ାଇ ନ ଛାଡ଼ି, ତୋର ବାହୁମାନଙ୍କୁ ମୋଡ଼ି ଛିଣ୍ଡାଇ ଦେବି ବୋଲି ରାବଣକୁ କହିଲି ।’’

୩୭ଶ ପଦ :- ବହ୍ନିରେ-ନିଆଁରେ । ବିଧ୍ୱଂସି - ପୋଡ଼ି ।

୩୭ଶ ପଦ :- ‘‘ସର୍ବଶେଷରେ ରାବଣ ମୋର ଲାଙ୍ଗୁଳରେ ଲୁଗା ଗୁଡ଼ାଇ ନିଆଁ ଲଗାଇ ପୋଡ଼ିଦେଲା । ମୁଁ ସେ ନିଆଁରେ ତାର ନଗରକୁ ପୋଡ଼ିଦେଲି । ତତ୍ପରେ ଦେବତାମାନେ ମୋତେ ବୁଝାଇବାରୁ ଆଉ ଅଧିକ ପୋଡ଼ାପୋଡ଼ି ନ କରି ଚାଲି ଆସିଲି ।’’

୩୮ଶ ପଦ :- ‘‘ତୁମ୍ଭେମାନେ ଯାହା ବିଚାରିବ ବିଚାର, ମାତ୍ର ମୁଁ ମୋର ବଳକୁ ଦେଖି ଯେତେ କରିବାର କଥା ତେତେ କଲି ।’’ ହନୁମାନ ଏହା କହିବାରୁ ଅଙ୍ଗଦ କହିଲା, ତୁମ୍ଭେ ମୋଠାରୁ କି ପୁରସ୍କାର ପାଇବାକୁ ଇଚ୍ଛା କର ତାହା ଶୀଘ୍ର ମାଗ ।’’

୩୯ଶ ପଦ :- ଏହା ଶୁଣି ହନୁମାନ କହିଲା, ଆମ୍ଭେମାନେ ବହୁତ ଦିନରୁ ଉପବାସରେ ରହିଥାଇଁ, କିସ୍କିନ୍ଧ୍ୟାରେ ନାନାବିଧ ଫଳପୂର୍ଣ୍ଣ ମଧୁବନନାମକ ବଗିଚା ଅଛି, ସେହି ବଗିଚାକୁ ପାଇ ଫଳମାନଙ୍କ ଦ୍ୱାରା ପେଟ ପୂର୍ଣ୍ଣ କରିସାରିବା ପରେ ରାମଚନ୍ଦ୍ରଙ୍କ ନିକଟକୁ ଯାଇ ସମସ୍ତ ବାର୍ତ୍ତା ଜଣାଇବା ।’’ ଏହିକଥା ସମସ୍ତଙ୍କ ବିଚାରକୁ ଆସିବାରୁ ଅଧିକ ବେଗରେ ଯାଇ ସମସ୍ତେ ସେ ସ୍ଥାନରେ ଉପସ୍ଥିତ ହେଲେ ।

 

ବିଧିରେ ବୋଲନ୍ତି ହରି

ବଳେ ମଧୁ ନାଶ କରି ।

ବୃକ୍ଷମାନ ମନୋରମ

ବହି କଳ୍ପଦ୍ରୁମ ସମ ।୪୧ ।

ବାଞ୍ଛିତ ଫଳ ପ୍ରଦାନ

ବିରଚନେ ସୁରଞ୍ଜନ ।

ବାରିଧିଜର ପରା କେତେ

ବିରାଜେ ଅପୂର୍ବ ଚ୍ୟୁତେ ।୪୨ ।

ବଶ ରମ୍ଭାରେ ତରକି

ବିଦ୍ୟ ନଳକୁବର କି ?

ବାହାସ୍ଫୋଟମାନ କରେ

ବିନ୍ଧାଣ ମଲ୍ଲପ୍ରକାରେ ।୪୩ ।

ବିହରିଲେ ପୁଷ୍ପକରେ

ବଇଶ୍ରବଣ ସମରେ ।

ବହିଣ ରାଜନ ଯୋଖ

ବଶ ଦଣ୍ଡେ ଦଧିମୁଖ ।୪୪ ।

ବନରଇନ୍ଦ୍ରେ ଗୁହାରି

ବିହି ଓଜଗ ସେ କରି ।

ବନ କଲେ ଶୀର୍ଣ୍ଣ ଶୋଭା

ବହି ଗ୍ରୀଷ୍ମସୂର୍ଯ୍ୟ ପ୍ରଭା ।୪୫ ।

ବାହୁଡ଼ି ଦକ୍ଷିଣ ଦୂତେ

ବ୍ୟବହାର ଅଦଭୁତେ ।

ବିନାଶ ଜୀବେ କରୁଣା

ବହୁତ ପ୍ରକାରେ ଊଣା ।୪୭ ।

ବିବସ୍ୱାନ ସୁତ ଶୁଣି

ବହେ ହରଷ ସେକ୍ଷଣି ।

ବିବେକ ତା ହୃଦୟରେ

ବିପିନ ଭଗ୍ନ ପ୍ରଚାରେ ।୪୭ ।

ବ୍ୟବହାରୁ ମନେ ହେଜି

ବୈଦେହୀ ପାଇଲେ ଖୋଜି

ବେଶ ହେଲା ଏହା ଭାଳି

ବପୁରେ ଚନ୍ଦନ ବୋଳି ।୪୮ ।

ବନ୍ଧାଇ ଫୁଲେ ଉଷ୍ଣୀଷ

ବିଭାଜ କଲା ସେ ଶୀର୍ଷ ।

ବିଶଦ ପଟ୍ଟ ଅମ୍ବର

ବେଡ଼ାଣ ପିନ୍ଧା ସତ୍ୱର ।୪୯ ।

ବେଦନ କର୍ପୂରେ ପୂରି

ବନୌକାପତି ବାହାରି ।

ବିମଳ ଶ୍ୱେତ ଚାମର

ବିନୋଦୀ ସେ ପରିକର ।୫୦ ।

 

୪୧ଶ ପଦ :- ‘ବିଧିରେ’ ଶବ୍ଦଶାସ୍ତ୍ରର ନିୟମାନୁସାରେ ବାନରମାନଙ୍କୁ ଓ ଭଗବାନଙ୍କୁ ହରି ବୋଲାଯାଏ, ସୁତରାଂ ଭଗବାନ ଯେପରି ମଧୁଦୈତ୍ୟକୁ ବଳପୂର୍ବକ ବିନାଶ କରିଥିଲେ, ଏମାନେ ମଧ୍ୟ ସେହିପରି ମଧୁବନକୁ ନାଶକଲେ । ସେହି ମଧୁବନରେ ଥିବା ବୃକ୍ଷମାନେ କଳ୍ପବୃକ୍ଷପରି ମନୋହର ଦେଖା ଯାଉଥିଲେ ।

୪୨ଶ ପଦ :- କଳ୍ପବୃକ୍ଷ ଯେପରି ଇପ୍ସିତ ଫଳ ପ୍ରାର୍ଥନାକାରୀ ଲୋକମାନଙ୍କୁ ଦେବା ନିମିତ୍ତ ଆଦରଯୁକ୍ତ ହୋଇଥାଏ (ଅର୍ଥାତ୍ ଯେ ଯାହା ମାଗେ ତାକୁ ତାହା ଆଦର ପୂର୍ବକ), ସେହିପରି ଏହି ବନର ବୃକ୍ଷମାନେ ବାନରମାନଙ୍କୁ ମନୋମତ୍ତ ଫଳ ଦେବାପାଇଁ ନିଜ ନିଜର ଶୋଭାକୁ ବିସ୍ତାର କରିଥିଲେ । ଅପୂର୍ବ ଚ୍ୟୁତେ ଅର୍ଥାତ୍ ‘ଅଚ୍ୟୁତେ’ ବିଷ୍ଣୁଙ୍କ କୋଳରେ ଲକ୍ଷ୍ମୀ ବିରାଜିତ ହୋଇଥିଲା ପରି ଆମ୍ବ ବୃକ୍ଷମାନଙ୍କର ମନୋହର ଆମ୍ବସବୁ ବିରାଜୁଥିଲେ । (ଅର୍ଥାତ୍ ବାନରମାନେ ପ୍ରଥମେ ଆମ୍ବ ଖାଇଲେ)।

୪୩ଶ ପଦ :- ରମ୍ଭା-କଦଳୀ, ସ୍ତ୍ରୀବେଶ୍ୟା । ନଳକୁବର-କୁବେରଙ୍କ ପୁତ୍ର ।

୪୩ଶ ପଦ :- ସେମାନେ କଦଳୀ ଖାଇବାର ଦେଖି ମନେ ହେଲା, ଏମାନେ କୁବେର ପୁତ୍ର ନଳକୁବର କି ? (ନଳକୁବର ରମ୍ଭାବେଶ୍ୟାସକ୍ତ ଅଟନ୍ତି) । କଦଳୀ ଖାଇସାରି ସେମାନେ ବାହାସ୍ଫୋଟ ମାରି ମାଲମାନଙ୍କପରି ଯୁଦ୍ଧ କ୍ରୀଡ଼ା ଆରମ୍ଭ କଲେ ।

୪୪ଶ ପଦ :- କୁବେର ଯେପରି ପୁଷ୍ପକ ବିମାନରେ ବସି କ୍ରୀଡ଼ା କରନ୍ତି, ଯୁଦ୍ଧ କ୍ରୀଡ଼ା ପରେ ସେମାନେ ସେହିପରି ଫୁଲପେଣ୍ଡା ସବୁ ହାତରେ ଧରି କ୍ରୀଡ଼ା କରିବାକୁ ଲାଗିଲେ । ତତ୍ପରେ ରାଜାମାନେ ଦଣ୍ଡଧାରଣ କରି ସେହି ଦଣ୍ଡଯୋଗେ ପ୍ରଜାମାନଙ୍କୁ ବଶ କଲାପରି ସେମାନେ ‘ଦଣ୍ଡେ’ ସେହି ବନରେ ପଡ଼ିଥିବା କାଠଖଣ୍ଡମାନଙ୍କଦ୍ୱାରା ପ୍ରହାର କରି ଦଧିମୁଖ ନାମକ ବାନର ରକ୍ଷକକୁ ବଶକଲେ ।

୪୫ ଓ ୪୬ଶ ପଦ :- ଦଧିମୁଖ ସେଠାରୁ ଯାଇ ସୁଗ୍ରୀବଙ୍କୁ ପ୍ରଣାମ ପୂର୍ବକ ଜଣାଇଲା, ‘‘ପ୍ରଭୋ ! ଦକ୍ଷିଣଦିଗରୁ ବାହୁଡ଼ିଥିବା ସୈନ୍ୟମାନେ ଗ୍ରୀଷ୍ମକାଳୀନ ସୂର୍ଯ୍ୟକିରଣ ପରି ଉଗ୍ରପ୍ରଭାବ ଧାରଣ କରି ବନର ଶୋଭା ନଷ୍ଟକଲେ । ତାଙ୍କର ଜୀବ ପ୍ରତି ଲେଶମାତ୍ର ଦୟାନାହିଁ l ଏହା ଅତି ଆଶ୍ଚର୍ଯ୍ୟ ଅଟେ ।’’

୪୭ଶ ପଦ :- ବିବୟାନ ସୁତ-ସୂର୍ଯ୍ୟପୁତ୍ର ( ସୁଗ୍ରୀବ ) । ବିପିନ-ବନ ( ମଧୁବନ ) ।

୪୮ଶ ପଦ :- ବସୁରେ-ଦେହରେ ।

୪୯ଶ ପଦ :- ଉଷ୍ଣୀଷ-ପଗଡ଼ି । ବିଭ୍ରାଜ-ଅତି ସୁନ୍ଦର ବା ଚକଚକିଆ । ଶୀର୍ଷ-ମସ୍ତକ । ବିଶଦ-ଶୁକ୍ଳ । ପଟ୍ଟ ଅମ୍ବର-ପଟ୍ଟବସ୍ତ୍ର ।

୫୦ଶ ପଦ :- ବନୋକାପତି-ସୁଗ୍ରୀବ । ପରିକର-ଚାକର ।

୫୧ଶ ପଦ :- ବିଧୁ-ଚନ୍ଦ୍ର । ବାର୍ତ୍ତିକ-ଦୁତ ( ଦକ୍ଷିଣଦିଗରେ ) ।

୪୭ଶ ଠାରୁ ୫୧ ଶ ପଦ :- ଏହି କଥା ଶୁଣିବା ସଙ୍ଗେ ସଙ୍ଗେ ସୁଗ୍ରୀବ ଆନନ୍ଦିତ ହେଲା । କାରଣ ତାର ‘ବିବେକ’ ସଦସତ୍ ବିବେଚନକାରିଣୀ ବୁଦ୍ଧି ମଧୁବନ ଭାଙ୍ଗିବା କଥା ହୃଦୟରେ ପ୍ରଚାର କରିବାକୁ ( ଅର୍ଥାତ୍ ଯେଉଁ ବନରେ ପ୍ରବେଶ କରିବାକୁ ମନା, ତାକୁ ଏମାନେ ଜାଣିଶୁଣି ଭାଙ୍ଗିଲେ କାହିଁକି ? । ଏହି କଥା ବାରମ୍ବାର ମନରେ ବିଚାର ) ସ୍ଥିର କଲେ ଯେ, ଏମାନେ ସୀତାଙ୍କୁ ଖୋଜି ପାଇଲେ । ଏଣୁ ଆନନ୍ଦ ସମୟରେ ରାଜଭଣ୍ଡାର ତୁଲ୍ୟ ମଧୁବନକୁ ଲୁଟି କଲେ ) । ଏଣୁ ଆନନ୍ଦିତ ହୋଇ ଦେହରେ ଚନ୍ଦନ ବୋଳି ମୁଣ୍ଡରେ ମନୋହର ଫୁଲମାନଙ୍କ ଦ୍ୱାରା ନିର୍ମିତ ପଗଡ଼ି ବନ୍ଧାଇ, ଅତି ଶୁକ୍ଳ ପାଟ ପିନ୍ଧି ଓ ଚଦର ଶୀଘ୍ର ପିନ୍ଧି, ମୁହଁରେ କର୍ପୂରକୁ ପୁରାଇ ( ଅର୍ଥାତ୍ କର୍ପୂରକୁ କଳରେ ଯାକି ) ବାନର ରାଜ ସୁଗ୍ରୀବ ବାହାର ହେଲା । ଏହି ସମୟରେ ତାର ଆନନ୍ଦ ବର୍ଦ୍ଧନକାରୀ ଚାକରମାନେ ଅତି ଶୁକ୍ଳ ଚାମର ଓ ଚନ୍ଦ୍ର ତୁଲ୍ୟ ଶୁଭ୍ର ଛତିକୁ ତାର ନିକଟରେ ଧାରଣ କରିବା ଦ୍ୱାରା ସୌନ୍ଦର୍ଯ୍ୟକୁ ବଢ଼ାଇ ନାନାପ୍ରକାର ବାଜା ବଜାଇଲେ । ସୁଗ୍ରୀବ ଦଧିମୁଖ ପ୍ରଭୃତି ସୈନ୍ୟମାନଙ୍କ ଦ୍ୱାରା ବେଷ୍ଟିତ ହୋଇ ରାଜସମାରୋହରେ ସେହି ଦକ୍ଷିଣ ଦିଗର ଚାରମାନଙ୍କ ନିକଟକୁ ଗମନ କଲା ।

 

ବିଧୁସମ ଛତ୍ର ଶୋହି

ବିବିଧ ବାଦ୍ୟ ବାଜଇ ।

ବେଢ଼ି ଦଧିମୁଖ ସୈନ୍ୟ

କାର୍ତ୍ତିକ ପାଶେ ଗମନ ।୫୧ ।

ବାନ୍ଧି ଦଧିମୁଖେ ଶାଢ଼ୀ

ବିମନକୁ ଦେଇ ଛାଡ଼ି ।

ବୀରବର ଉପଇନ୍ଦ୍ର,

ବିରଚେ ଏ ବାନ ପଦ ।୫୨ ।

 

୫୨ଶ ପଦ :- ବିମନ-ଦୁଃଖ ବା ମନୋବେଦନା ।

୫୨ଶ ପଦ :- ସେହିଠାରେ ଦଧିମୁଖ ମୁଣ୍ଡରେ ଶାଢ଼ୀ ବାନ୍ଧି ଦେବାରୁ ସେ ମନଦୁଃଖ ଛାଡ଼ି ଆନନ୍ଦିତ ହେଲା । ବୀରବର ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାଉନ ପଦରେ ରଚନା କଲେ ।

 

Unknown

ଅଷ୍ଟତ୍ରିଂଶ ଛାନ୍ଦ

ରାଗ-କଳହଂସ କେଦାର

 

ବଦନ ପୂରିଅଛି ହା ସହରଷେ ।

ବିକର୍ତ୍ତନଜ ଯାଇ ଶ୍ରୀରାମ ପାଶେ ଯେ ।

ବିକର୍ତ୍ତନ ସନ୍ତାପ ହେଲା ପ୍ରଭୁର ।

ବାହୁଡ଼େ କାର୍ଯ୍ୟ କରି ଦକ୍ଷିଣଚାର ଯେ ।୧ ।

ବୋଲୁଁ ବୋଇଲେ ରାମ ହେ ମିତ୍ର ବସ ।

ବଡ଼ ମଙ୍ଗଳଯୁକ୍ତ ଭାଷ ତ ଭାଷ ଯେ ।

ବଧର ବ୍ୟାଧି ସତେ ଶ୍ରୁତିରୁ ଯିବ ।

ବୈଦ୍ୟଦୁତ ଉଦନ୍ତ ଔଷଧ ଦେବ ଯେ ।୨ ।

ବିଳମ୍ବ କୁ ମହାପିପାସୀ ସହି ।

ବାରିପୂର୍ଣ୍ଣ କାସାର ଦେଖାଅ କାହିଁ ଯେ ।

ବୃହସ୍ପତି ଚଳନେ ବରଷେ ଘନ ।

ବିଚାରେ ତଥା ଧ୍ୱସ୍ତ କଲେ ମୋ ବନ ଯେ ।୩ ।

ବୋଲୁଁ ସୁଗ୍ରୀବ ସତ କରୁ ରାଘବ ।

ବୀର ଅଷ୍ଟ ଅଗ୍ରତେ ପ୍ରବେଶ ଜବ ଯେ ।

ବିନୟରେ ତାଙ୍କର ଲୟ ନ ରଖି ।

ବକ୍ର ହରଷେ ମାତ୍ର ନୟନେ ରଖି ଯେ ।୪ ।

ବାଳିନନ୍ଦନ ରାମ-ହୃଦୟ ମଣି ।

ବୋଲେ ଖୋଜିଲା ତବ ହୃଦୟମଣି ଯେ ।

ବିବର୍ଦ୍ଧନ କେଶରୀପାଳନେ ଯେହି ।

ବିଭେଦିତ ସିନ୍ଧୂର ହୋଇଲା ସେହି ଯେ ।୫ ।

 

୧ମ ପଦ :- ବିକର୍ତ୍ତନଜ-ସୁଗ୍ରୀବ । ବିକର୍ତ୍ତନ-ଛିନ୍ନ ।

୧ମ ପଦ :- ଏହା ପରେ ସୁଗ୍ରୀବ ଯାହାଙ୍କର ମୁଖ ‘ହା’ ଏହି ବିସ୍ମୟ ସୂଚକ ଶବ୍ଦରେ ପୂର୍ଣ୍ଣ ହୋଇଅଛି, ସେହି ଶ୍ରୀରାମଙ୍କ ନିକଟକୁ ଯାଇ ଆନନ୍ଦର ସହିତ କହିଲା, ‘‘ପ୍ରଭୁଙ୍କର ଦୁଃଖ ଦୂର ହେଲା, କାରଣ ଦକ୍ଷିଣ ଦିଗର ଦୂତମାନେ କାର୍ଯ୍ୟ କରି ଫେରିଲେ।’’

୨ୟ ପଦ :- ଉଦନ୍ତ-ସମ୍ବାଦ ବା ଖବର । ଶ୍ରୁତି-କର୍ଣ୍ଣ ।

୨ୟ ପଦ :- ସୁଗ୍ରୀବ ଏହିପରି କହିବାରୁ ରାମଚନ୍ଦ୍ର କହିଲେ, ‘‘ହେ ମିତ୍ର ! ବସ, ଅତି ମଙ୍ଗଳଯୁକ୍ତ କଥା ତ କହୁଛ । ଦକ୍ଷିଣ ଦିଗରେ ଦୂତରୂପୀ ବୈଦ୍ୟ ସୀତାଙ୍କ ସମ୍ବାଦ ରୂପ ଔଷଧ ମୋତେ ଦେବ ? ଯାହାଦ୍ୱାରା କି ମୋର କାନରୁ କାଲ ଦୋଷ ଯିବ । ଏହା କଣ ସତ୍ୟ ?’’

୩ୟ ପଦ :- କାସାର-ପୁଷ୍କରିଣୀ ।

୩ୟ ପଦ :- ‘‘ହେ ମିତ୍ର ! ଅତି ତୃଷାର୍ତ୍ତ ଲୋକ ବିଳମ୍ବ ସହିପାରେ କି ? ସହିପାରେ ନାହିଁ । ( ସେହିପରି ମୁଁ ସୀତା ବାର୍ତ୍ତା ଶ୍ରବଣରୂପ ଜଳପାନ କରିବାରେ ଯେଉଁ ବିଳମ୍ବ ଘଟୁଛି ତାହା ସହିବାକୁ ଅକ୍ଷମ) ଏଣୁ ତୃଷାର୍ତ୍ତକୁ କୌଣସି ସ୍ଥାନରେ ଥିବା ଜଳପୂର୍ଣ୍ଣ ପୁଷ୍କରିଣୀ ଦେଖାଇଲା ପରି ସୀତାଙ୍କଠାରୁ ଯେଉଁ ଲୋକ ସମ୍ବାଦ ଆଣିଅଛି, ସେ କେଉଁଠାରେ ଅଛି, ତାକୁ ଡାକି ଶୀଘ୍ର ମତେ ଦେଖାଅ ।’’ ଏହା ଶୁଣି ସୁଗ୍ରୀବ କହିଲେ, ‘‘ଯେପରି ଲୋକମାନେ ବୃହସ୍ପତି ଚଳନ ହେଲେ ମେଘ ବର୍ଷିବ ବୋଲି ବିଚାରନ୍ତି, ସେହିପରି ଦକ୍ଷିଣ ଦିଗ ଦୂତମାନେ ମୋର ବନକୁ ବିନାଶ କରିବାରୁ ମୁଁ ବିଚାରୁଛି, ସେମାନେ ଏଠାକୁ ଆସି ସୀତାଙ୍କ ସମ୍ବାଦରୂପ ଜଳ ଆପଣଙ୍କୁ ଦେଇ ସନ୍ତୋଷ କରିବେ ।’’

୪ର୍ଥ ପଦ :- ସୁଗ୍ରୀବ ଏହି କଥା କହିବାରୁ ରାମଚନ୍ଦ୍ର ସତ୍ୟ ମନେ କଲେ । ଏହି ସମୟରେ ଜାମ୍ବବ ପ୍ରଭୃତି ଆଠଜଣ ଯାକ ବୀର ହଠାତ୍ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହୋଇ ନମସ୍କାର କଲେ କିନ୍ତୁ ରାମଚନ୍ଦ୍ର ତାଙ୍କର ଏହି ବିନୟ ସୂଚକ ବ୍ୟବହାର ପ୍ରତି ଦୃଷ୍ଟି ନ ଦେଇ କେବଳ ତାଙ୍କର ହର୍ଷୋତ୍‌ଫୁଲ ମୁଖକୁ ଦେଖିବାକୁ ଲାଗିଲେ ।

୫ମ ପଦ :- ସିନ୍ଧୁର-ହସ୍ତୀ, ସମୁଦ୍ରର । ବିରେଦିତ-ବିଦାରଣ ।

୫ମ ପଦ :- ଅଙ୍ଗଦ ରାମଙ୍କ ହୃଦୟର ଭାବ ଜାଣିପାରି କହିଲା, ‘‘ସିଂହଦ୍ୱାରା ପାଳିତ ହୋଇ ବଢ଼ିଥିବା ସିଂହ ଶିଶୁ ଯେପରି ହସ୍ତୀକୁ ବିଦାରଣ କରିଥାଏ, ସେହିପରି କେଶରୀ ନାମକ ବାନର ଦ୍ୱାରା ପାଳିତ ଓ ବର୍ଦ୍ଧିତ ହନୁମାନ ସମୁଦ୍ରକୁ ଡେଇଁ ଆପଣଙ୍କର ହୃଦୟମଣି ସୀତାଙ୍କୁ ଖୋଜି ବାହାର କରିଅଛି ।’’

 

ବ୍ୟକ୍ତ କରି ଅଞ୍ଜନା-ରଞ୍ଜିତ ସିଦ୍ଧି ।

ବିପଥ ଦୃଶ୍ୟତମ ଜନିତା ବଧି ଯେ ।

ବିହରିତ ଲଙ୍କାରେ ସ୍ୱଭାବବଶେ ।

ବନ୍ଧନ ପାଏ ରକ୍ଷ-ଚଉରବାସେ ଯେ ।୬ ।

ବୋଲେ ମୁଁ ଦାଶରଥି ସେ ସୀ(ଶୀ) ତା ପୁଣି ।

ବାର୍ତ୍ତା କହ ପଡ଼ିବା ଯୋଗ ବାରୁଣୀ ଯେ ।

ବୋଲାଉ ତୁ ପାବନି ପାବନ କର ।

ବିଧିରେ ତୋ ମଜ୍ଜନେ ମୁଁ ତତ୍‌ପର ଯେ ।୭ ।

ବେଗରେ ହନୁମାନ କଥନ ଚାରୁ ।

ବରତରୁଣୀ ବାସେ ଚନ୍ଦନତରୁ ଯେ ।

ବେଷ୍ଟିତ ନିଶାଚରୀ ନାଗାବଳୀରେ ।

ବିଲୋକିଲି ଅତ୍ୟନ୍ତ ରମ୍ୟ ବନରେ ଯେ ।୮ ।

ବିଶ୍ୱଜନକ ଚିତ୍ତହରିଣୀ ତହିଁ ।

ବିଭ୍ରମ ହେଲା ନିଶ୍ଚେ ହରିଣୀ ଏହି ଯେ ।

ବିରହ ସତ ଯୋଗ ସତ ସୂରୁପା ।

ବାମକର କପୋଳେ ଚଣ୍ଡୀସ୍ୱରୂପା ଯେ ।୯ ।

ବିଷମଶର ବ୍ୟାଧ ହରିଣୀ କରି ।

ବିଚ୍ଛେଦ ଘାଟ ଜଗି ବାଣ ପ୍ରହାରି ଯେ ।

ବିଶେଷେ ପୁଙ୍ଖବ୍ୟକ୍ତ ଛବିକି କହି ।

ବହିବାର କ୍ଷତଜଟି ନୀର ହୋଇ ଯେ ।୧୦ ।

୬ଷ୍ଠ ପଦ :- ଆଞ୍ଜନ ଆରଞ୍ଜିତ - ଅଞ୍ଜନ ( ନେତ୍ରୌଷଧି ) ଲଗାଇଲେ । ତମଜନିତା - ଅନ୍ଧରକଣା, ରାହୁମାତା । ବି-ପଅ - ଅପଥ, ଆକାଶ ମାର୍ଗ । ଅଞ୍ଜନାରଞ୍ଜିତ - ଅଞ୍ଜନାପାଳିତା । ଲଙ୍କା - ଗଛଡାଳ, ଲଙ୍କାପୁର, ବିଟପୀ ସ୍ତ୍ରୀ । ଚଉରବାସ - ବନ୍ଦୀଘର ।

୬ଷ୍ଠ ପଦ :- ‘‘ଚକ୍ଷୁରେ ପରିଣାମାଦି ସିଦ୍ଧ ଅଥବା ସିଦ୍ଧମନ୍ତ୍ରରେ ଅଭିମନ୍ତ୍ରିତ ଅଞ୍ଜନ ଲଗାଇଲେ, ସେହି ଅଞ୍ଜନ ଯେପରି ଅନ୍ଧୋକାରୋତ୍ପନ୍ନ ଅଦୃଶ୍ୟତା ଦୋଷକୁ ( ଅନ୍ଧାରକଣା ରୋଗକୁ ) ନାଶ କରେ, ସେହିପରି ଅଞ୍ଜନା ନନ୍ଦନ ‘ସିଦ୍ଧି’ ସ୍ୱନାମ ଧନ୍ୟ ହନୁମାନ ଆକାଶ ମାର୍ଗରେ ଲଙ୍କାକୁ ଯିବା ସମୟରେ ରାହୁର ମାତାକୁ ଦେଖି ବଧ କଲା । ଯେଉଁ ବ୍ୟକ୍ତି ନିଜର ସ୍ୱଭାବବଶରୁ ବ୍ୟଭିଚାରିଣୀ ସ୍ତ୍ରୀ ସହିତ କ୍ରୀଡ଼ା କରେ, ସେ ଯେପରି ଗୋଡ଼କଡ଼ି ପିନ୍ଧି ବନ୍ଦୀଘରେ ରହେ, ସେହିପରି ହନୁମାନ ନିଜର ସ୍ୱଭାବବଶରୁ ଲଙ୍କାରେ ମଧୁବନରୁ ଡାଳ ଭାଙ୍ଗି ରାକ୍ଷସମାନଙ୍କର ବନ୍ଦୀଘରେ ଗୋଡ଼କଡ଼ି ପିନ୍ଧି ରହିଲା ।’’

୭ମ ପଦ :- ଅଙ୍ଗଦଠାରୁ ସମସ୍ତ କଥା ଶୁଣି ସାରିବା ପରେ ରାମଚନ୍ଦ୍ର ହନୁମାନଙ୍କୁ କହିଲେ, ହେ ହନୁମାନ ! ‘‘ମୁଁ ଦାଶରଥି ଅର୍ଥାତ୍ ସୀତାଙ୍କର ଶ୍ରେଷ୍ଠ ସେବକ ବା ଭକ୍ତ । ସେହି ସୀତା ତ ‘ଶୀତା’ ଗଙ୍ଗା । ଗଙ୍ଗାରେ ବାରୁଣୀଯୋଗ ପଡ଼ିଲା ପରି ତୋର ଓ ତାଙ୍କର ହୋଇଥିବା କଥାବାର୍ତ୍ତା ମୋତେ କହ । କାରଣ ସେହି କଥା ମୋ ପକ୍ଷରେ ବାରୁଣୀ ଯୋଗ ଅଟେ । ବାରୁଣୀଯୋଗ ଲୋକମାନଙ୍କୁ ପବିତ୍ର କଲାପରି ତୁ ମୋତେ ପବିତ୍ର କର । ଯେହେତୁ ତୁ ‘ପାବନି’ ପବନ ପୁତ୍ର ବା ପବିତ୍ରକାରୀ ଏହି ନାମ ଧାରଣ କରିଅଛୁ । ମୁଁ ମଧ୍ୟ ‘ବିଧିରେ’ ପବନ ଧୀର ସ୍ଥିର ଭାବରେ ତୋର କଥାରୂପ ଗଙ୍ଗାବାରୁଣୀଯୋଗରେ ମଜ୍ଜିବା ପାଇଁ ( ଅର୍ଥାତ୍ ତୋର ଓ ସୀତାଙ୍କର ହୋଇଥିବା ସମୁଦାୟ କଥା ମନ ଦେଇ ଶୁଣିବାପାଇଁ ) ଉତ୍କଣ୍ଠିତ ହେଉଅଛି ।’’

୮ମ ପଦ :- ଗୁରୁ - ମନୋହର । ନାଗାବଳୀ - ସର୍ପସମୂହ । ନିଶାଚରୀ - ରାକ୍ଷସୀ ।

୮ମ ପଦ :- ଏହା ଶୁଣି, ହନୁମାନ କଥାକୁ ସଜାଇ ଅତିଶୀଘ୍ର କହିଲା, ‘ମଳୟ ପର୍ବତ ନିକଟବର୍ତ୍ତୀ ଅତ୍ୟନ୍ତ ରମଣୀୟ ବନରେ ସର୍ପ ବେଷ୍ଟିତ ହୋଇ ଚନ୍ଦନ ବୃକ୍ଷ ରହିଲା ପରି ସେହି ରମଣୀମଣି ସୀତା ଲଙ୍କାସ୍ଥ ମନୋହର ବନମଧ୍ୟରେ ରାକ୍ଷସୀ ପରିବେଷ୍ଟିତ ହୋଇ ବାସ କରୁଅଛନ୍ତି ।’’

୯ମ ପଦ :- ବିଶ୍ୱଜନ ଚିତ୍ତ ହରିଣୀ - ଜଗଜ୍ଜନ ମନ ମୋହିନୀ । ହରିଣୀ - ସୂବର୍ଣ୍ଣ ପ୍ରତିମା । ସୁତ - ପାରଦ । ଚଣ୍ଡୀ - ମାନିନୀ ସ୍ତ୍ରୀ । ସ୍ୱରୂପା - ଉତ୍ତମା ରୂପା ।

୯ମ ପଦ :- ‘‘ଜଗଜ୍ଜନମୋହିନୀ ସୀତାଙ୍କୁ ସେହି ବନମଧ୍ୟରେ ଦେଖି, ‘ଏହା ନିଶ୍ଚୟ ଗୋଟିଏ ସୁବର୍ଣ୍ଣ ପ୍ରତିମା’ ଏହି ଭ୍ରମ ଧାରଣା ମୋର ମନରେ ଜାତ ହେଲା, କିନ୍ତୁ ବିରହ ପାରଦର ସଂଯୋଗରୁ ସେ ଉତ୍ତମ ରୂପା ପରି ଦେଖାଯାଉ ଥିଲେ । ବାମ ହସ୍ତକୁ ଗଣ୍ଡଦେଶରେ ସ୍ଥାପନ କରି ବସିଥିବାରୁ କୋପନା ସ୍ତ୍ରୀ ପରି ମଧ୍ୟ ଦେଖାଯାଉଥିଲା ।’’

୧୦ମ ପଦ :- ବିଷମଶର-କନ୍ଦର୍ପ । ବ୍ୟାଧ-ବାଣୁଆ । ପୃଙ୍ଖ-ଶରର ପଶ୍ଚଭାଗସ୍ଥ ପକ୍ଷଯୁକ୍ତ ଅଂଶ । କ୍ଷତକ-ରକ୍ତ ।

୧୦ମ ପଦ :- ‘ବଣୁଆଁ ଜଳଘାଟରେ ଜଗି ହରିଣୀକୁ ଶର ମାରିଲାପରି ବାଣୁଆଁ କନ୍ଦର୍ପ ତାହାଙ୍କର ବିଯୋଗରୂପ ଛିଦ୍ରକୁ ଉଣ୍ଡି ଶର ପ୍ରହାର କରୁଥିଲା । ବାଣୁଆର ଶର ମୃଗ ଦେହରେ ଗଳିଗଲେ ସେପରି ସେହି ଶରର ପଶ୍ଚାଭାଗସ୍ଥ ପକ୍ଷଯୁକ୍ତ ଅଂଶ ଦେଖାଯାଉଥାଏ ଏବଂ ସେହି ସ୍ଥାନରୁ ରକ୍ତ ବହୁଥାଏ, ତାଙ୍କର ଲୋତକ ଜର୍ଜ୍ଜରିତ ଉତ୍ପକ୍ଷ୍ମ ଲୋଚନ ଦୁଇଟି ସେହିପରି ଦେଖାଯାଉଥିଲା ।’’

 

ବିଚାରିଲି ଏ ଚିତ୍ରପ୍ରତିମା ପୁନଃ ।

ବିଧାତା କେତେ କଳ୍ପି କଲା ଲେଖନ ଯେ ।

ବାୟୁସଂଯୋଗେ ସାର୍ଥ ପ୍ରଦ୍ମିନୀପଦ ।

ବିତରଣ କୁସୁମ ସ୍ୱେଦ ମରନ୍ଦ ଯେ ।୧୧ ।

 

ବଚନେ ଆଣେ ଅବା ଈଶ ସେ ଈଶୀ ।

ବାରି ନୁହଇ ଯେଣୁ ବିଗତ ଶଶୀ ଯେ ।

ବିହରୁଅଛି ଭିନ୍ନରୂପେ ପ୍ରଳୟ ।

ବାଧିବାରୁ ସାର୍ତ୍ତ୍ୱିକ ସେ କ୍ଷୀଣକାୟ ଯେ ।୧୨ ।

 

ବିରହିଣୀ ଏ ପୁରେ ଆଉ ସେ ବିନା ।

ବାମା କିପାଇଁ ଥିବ କଲି କଳ୍ପନା ଯେ ।

ବିରହିଣୀ ବା ଥିବ ଏ ଶୋଭା ପରି ।

ବାର ବେନି ଭୁବନେ କାହିଁ ସୁନ୍ଦରୀ ଯେ ।୧୩ ।

 

ବିଂଶତି ପାଣି ମିଳି ଏହି ସମୟ !

ବିଚ୍ଛେଦନ କଲା ମୋ ଚିତ୍ତୁ ସଂଶୟ ଯେ ।

ବିନତି ବିରଚନ ଉନ୍ନତି ତେଜି ।

ବଧିରା ପରା ଧୀରା କଦା ନ ମଜ୍ଜି ଯେ ।୧୪ ।

 

ବିହିଗଲା ସେ କଣ୍ଟ ମାସକେ ତୋର ।

ବଲ୍ଲଭକୁ ଦେଖାଅ ନୋହିଲେ ମୋର ଯେ ।

ବଲ୍ଲଭୀ ହେବୁ ଏଥି ସଂଶୟ ନାହିଁ ।

ବ୍ରହ୍ମାଣ୍ଡେ ଅଧିକାରୀ ଅଟଇ ମୁହିଁ ଯେ ।୧୫ ।

 

୧୧ଶ ପଦ :- ମରନ୍ଦ ପୁଷ୍କରସ - ମକରନ୍ଦ । ସ୍ୱେଦ -ଝାଳ ।

୧୧ଶ ପଦ :- ‘‘ମୁଁ ତାଙ୍କୁ ଦେଖି ପୁଣି ବିଚାରିଲି, ‘ଏ ଗୋଟିଏ ଚିତ୍ର ପ୍ରତିମା,’ ଏହାକୁ ବିଧାତା କେତେ ଯୁଗ କଳ୍ପନା କରି ଲେଖିଅଛି । ଅଥବା କେତେଜଣ ବିଧାତା ଏକତ୍ରିତ ହୋଇ କଳ୍ପନା କରି ଏହାକୁ ଲେଖିଅଛନ୍ତି । ପଦ୍ମଲତାକୁ ବାୟୁ ସ୍ପର୍ଶ କରି ଯେପରି ତାର ଫୁଲମାନଙ୍କୁ ସଞ୍ଚାଳିତ ଓ ସେହି ସେହି ପୁଷ୍ପସ୍ଥିତ ମକରନ୍ଦମାନଙ୍କୁ ଚତୁର୍ଦ୍ଦିଗରେ ବିକ୍ଷିପ୍ତ କରେ, ସେହିପରି ତାକୁ ଅସ୍ଥିର ଓ ଅଶ୍ରୁ ବିସର୍ଜନ କରୁଥିବାର ଦେଖି ଏ ଗୋଟିଏ ପଦ୍ମିନୀ ( ନାୟିକା ) ବୋଲି ସ୍ଥିର କଲି ।’’

୧୨ଶ ପଦ :- ‘‘ସୀତା ସେହି ସମୟରେ ‘ଇଶ’ ସ୍ୱାମୀଙ୍କ ନାମ ଉଚ୍ଚାରଣ କରୁଥିଲେ କି ଦୁଃଖହେତୁ ବସି ଇଶୀ ବୋଲି କହୁଥିଲେ, ତାହା ବୁଝା ପଡ଼ୁନଥିଲା । କାରଣ ତାଙ୍କ ଉଚ୍ଚାରିତ ଶବ୍ଦର ଶେଷ ବର୍ଣ୍ଣ ପରିଷ୍କାର ରୂପେ ବ୍ୟକ୍ତ ହେଉନଥିଲା । ପ୍ରଳୟ କାଳରେ ଚନ୍ଦ୍ର ଯେପରି ବିନାଶ ହୁଅନ୍ତି, ସେହିପରି ସେ କହୁଥିବା ଶବ୍ଦର ଶେଷ ଅକ୍ଷର ବିନାଶ ପ୍ରାପ୍ତ ହେବା ଦ୍ୱାରା ତାଙ୍କର କାମବିକାର ଜନିତ ପ୍ରଳୟାବସ୍ଥା ପ୍ରକାଶିତ ହେଉଥିଲା । ଅନବରତ କାମପୀଡ଼ାରେ ଜର୍ଜ୍ଜରିତ ହେଉଥିବାରୁ ତାଙ୍କ ଦେହ ଅତିଶୟ କ୍ଷୀଣ ହୋଇଥିଲା ।’’

୧୩ଶ ପଦ :- ବାରବେନିଭୁବନ - ଚତୁର୍ଦ୍ଦଶ ଭୁବନ ।

୧୩ଶ ପଦ :- ‘‘ମୁଁ ତାଙ୍କୁ ଦେଖି ଭାବିଲି, ଏହି ଲଙ୍କାପୁରରେ ସୀତାଙ୍କ ଭିନ୍ନ ଅନ୍ୟ ସ୍ତ୍ରୀ କାହିଁକି ବିରହିଣୀ ହୋଇଥିବ ? ବିରହିଣୀ ଅବା ଥାଇପାରନ୍ତି କିନ୍ତୁ ଏପରି ସୁନ୍ଦରୀ ତ ଚଉଦଭୁବନରେ ନ ଥିବେ, ଏଣୁ ଏହି ଶ୍ରେଷ୍ଠା ରମଣୀ ନିଶ୍ଚୟ ସୀତା ।’’

୧୪ଶ ପଦ :- ବଲ୍ଲଭ-ସ୍ୱାମୀ । ଉନ୍ନତି-ଗର୍ବ ।

୧୪ଶ ପଦ :- ‘‘ଏହି ସମୟରେ ରାବଣ ତାଙ୍କ ନିକଟରେ ଉପସ୍ଥିତ ହେବାରୁ ମୋର ସନ୍ଦେହ ତୁଟିଲା । କାରଣ ସେ ସ୍ୱୀୟଗର୍ବ ପରିତ୍ୟାଗ ପୂର୍ବକ ତାଙ୍କୁ ବିନୀତ ଭାବରେ ପ୍ରାର୍ଥନା କରିବାକୁ ଲାଗିଲା । ମାତ୍ର ସୀତା ତାହାର କଥା ଶୁଣି କାଲପରି ରହିଲେ ।’’

୧୫ଶ ପଦ :- ବଲ୍ଲଭ-ସ୍ୱାମୀ । ବଲ୍ଲଭୀ-ସ୍ତ୍ରୀ ।

୧୫ଶ ପଦ :- ସୀତା ରାବଣର କଥାରେ ଆଦର ପ୍ରକାଶ ନ କରିବାରୁ ସେ କଣ୍ଟ ଦେଇ କହିଲା, ଯଦି ଆଜିଠାରୁ ମାସକ ମଧ୍ୟରେ ତୋର ସ୍ୱାମୀକୁ ନ ଦେଖାଇବୁ ତାହା ହେଲେ ମୋର ସ୍ତ୍ରୀ ହେବୁ, ଏଥିରେ କିଛିମାତ୍ର ସନ୍ଦେହ ନାହିଁ । କାରଣ ମୁଁ ଜଗତର ପତିଅଟେ ତୋର ବା ପତି ନ ହେବି କାହିଁକି ?’’

 

ବ୍ରହ୍ମାଦି କେ ରଖିବ ଦେଖିବା ଦେଖି ।

ବୋଇଲେ ଏତେ ନ ସହି ତା ସୁମୁଖୀ ଯେ ।

ବଜ୍ରପାତକୁ ଡର କରି ଶାରଙ୍ଗ ।

ବାରିଧର ଆଶାକୁ ଛାଡ଼ିଛି ଅଜ୍ଞାରେ ? ।୧୬ ।

 

ବିହଗ କେତେ ନାହିଁ କେ ପାରେ ଭକ୍ଷି ।

ବହ୍ନିକଣକୁ ଯଥା ଚକୋର ପକ୍ଷୀ ଯେ ।

ବଧିବି ନିଶ୍ଚେ ଥାଅ ଅଳ୍ପ ଦିବସ ।

ବୀରକେଶ ଆଉଁଷି ଗଲା ରାକ୍ଷସ ଯେ ।୧୭ ।

 

ବିସ୍ମୟ ଶୁଣି ରାମ ଶ୍ୱାସ ପକାଇ ।

ବୋଇଲେ ମୁଁ ସୁଧାଂଶୁ ହୃଦୟସ୍ଥାୟୀ ଯେ ।

ବୋଧକର ଆସର ରାମାରେ ହେଲା ।

ବିହି ଜୀବନେ ଥାଉଁ କି ଶୁଣାଇଲା ଯେ ? ।୧୮ ।

 

ବାଞ୍ଛା ନତାନଚ ସରଣୀ ଧୀବର ।

ବେଗେ ହେବାକୁ ଦୀପ୍ତି କରି ମୟୂର ଯେ ।

ବସି ମଧ୍ୟେ ଗ୍ରୀଷମ ରଚନାବଳେ ।

ବରଦ ଗାତ୍ରପାତ ସ୍ୱନାମେ କଲେ ଯେ ।୧୯ ।

 

ବିଳସେ ହାସ ମାନସରେ ଯେସନ ।

ବିରଚି କରିଥିଲି ସିନା ପ୍ରସନ୍ନ ଯେ ।

ବାଟତ ଦେଖାଇଲୁ ଏଥି ଉତ୍ତାରୁ ।

ବିଧାନ କହ କି କହିଛି ରମ୍ବୋରୁ ଯେ ।୨୦ ।

 

୧୬ଶ ପଦ :- ଶାରଙ୍ଗ - ଚାତକ । ବାରିଧର - ମେଘ । ଅଜ୍ଞ - ମୁର୍ଖ ।

୧୬ଶ ପଦ :- ‘‘ଦେଖିବା, ବ୍ରହ୍ମା ପ୍ରଭୃତି ଦେବତାମାନଙ୍କ ମଧ୍ୟରୁ କେଉଁ ଦେବତା ତୋତେ ରକ୍ଷା କରିବ । ରାବଣର ଏହିସବୁ କଥା ସହିନପାରି ସୁବଦନୀ ସୀତା କହିଲେ, ‘ରେ ଦୁର୍ବୁଦ୍ଧି ! ଚାତକପକ୍ଷୀ ବଜ୍ରପାତକୁ ଡରି କେବେ ହେଲେ ମେଘଠାରୁ ଆଶା ତ୍ୟାଗ କରିଛି କି’ ? ( ସେହିପରି ମୁଁ ତୋତେ ଡରି ରାମଙ୍କଠାରୁ ଆଶା ତ୍ୟାଗ କରିନପାରେ ) ।’’

୧୭ଶ ପଦ :- ବିହଗ - ପକ୍ଷୀ । ବହ୍ନିକଣ - ଅଗ୍ନିକଣା । ବୀରକେଶ - ନିଶ ।

 

୧୭ଶ ପଦ :- ‘‘ଏହି ଜଗତରେ କେତେ ବା ପକ୍ଷୀ ନାହାଁନ୍ତି; କିନ୍ତୁ ଚକୋର ଯେପରି ଅଗ୍ନିକଣାକୁ ଭକ୍ଷଣ କରେ ସେହିପରି ଅନ୍ୟ କୌଣସି ପକ୍ଷୀ କରିପାରେ କି ? ରାମଙ୍କ ବ୍ୟତୀତ ସୀତା ଅନ୍ୟର ଭୋଗ୍ୟ ହୋଇନପାରେ ।’’ ସୀତାଙ୍କଠାରୁ ଏହି କଥାଶୁଣି, ଆଉ ଅଳ୍ପଦିନ ରହ ମୁଁ ନିଶ୍ଚୟ ତୋତେ ବଧ କରିବି । ଏହିକଥା ରାବଣ କହି ନିଶ ଆଉଁଷି ବାହାରିଗଲା ।’’

୧୮ଶ ପଦ :- ସୁଧାଂଶୁ-ଚନ୍ଦ୍ର । ବୋଧକର-ଚାଟୁକାର । ଆସର-ରାକ୍ଷସ ।

୧୮ଶ ପଦ :- ରାମଚନ୍ଦ୍ର ହନୁମାନଠାରୁ ଏହିସବୁ କଥା ଶୁଣି ବିସ୍ମିତ ହୋଇ ଦୀର୍ଘନିଶ୍ୱାସ ପରିତ୍ୟାଗ ପୂର୍ବକ କହିଲେ, ‘‘ମୁଁ ଚନ୍ଦ୍ରଙ୍କର ହୃଦୟ ସ୍ଥିତ କଳଙ୍କ ପରି ସୂର୍ଯ୍ୟବଂଶର ଏକମାତ୍ର କୁଳକଳଙ୍କ ଅଟେ । କାରଣ ମୁଁ ଜୀବନରେ ଥାଉଁ ଥାଉଁ ନଗଣ୍ୟ ରାକ୍ଷସ ମୋର ସ୍ତ୍ରୀ ନିକଟରେ ପ୍ରଣୟ ପ୍ରାର୍ଥନା କରୁଅଛି । ଆହା ! ବିଧାତା ମୋତେ କଣ ନ ଶୁଣାଗଲା ।’’

୧୯ଶ ପଦ :- ନତାନତ-ବନ୍ଧୁର, ଅର୍ଥାତ୍ ବିପଦସଂକୁଳ । ସରଣୀ-ମାର୍ଗ । ଧୀବର-ବୁଦ୍ଧିମାନ୍ । ଗାତ୍ର-ଦେହ । ମୟୂର-ସୂର୍ଯ୍ୟ କିରଣର ।

୧୯ଶ ପଦ :- ବୁଦ୍ଧିମାନ ଲୋକ ବିପଦସଂକୁଳ ସଂସାର ପଥକୁ ଅତିକ୍ରମ କରିବା ଆଶାରେ ଇଚ୍ଛାନୁସାରେ ଅତିଶୀଘ୍ର ଚତୁର୍ଦିଗରେ ପ୍ରଜ୍ୱଳିତ ଅଗ୍ନି ସ୍ଥାପନ ପୂର୍ବକ ମଧ୍ୟରେ ବସି ତପସ୍ୟା କଲାପରି, ବୁଦ୍ଧିମାନ ରାମଚନ୍ଦ୍ର ପ୍ରିୟା ରହିଥିବା ସ୍ଥାନ ପ୍ରତି ପଡ଼ିଥିବା ବିପଦସଂକୁଳ ମାର୍ଗକୁ ଅତିଶୀଘ୍ର ଅତିକ୍ରମ କରିବା ଇଚ୍ଛାପୋଷଣ ପୂର୍ବକ ଗ୍ରୀଷ୍ମକାଳୀନ ସୂର୍ଯ୍ୟ କିରଣ ତୁଲ୍ୟ ତେଜସ୍ୱୀ ସେନାପତିମାନଙ୍କ ମଧ୍ୟରେ ବସି ମନେ ମନେ ପ୍ରତିଜ୍ଞା କଲେ, ମୁଁ ନିଜର ଚାତୁରୀ ବଳରେ ସୀତାଙ୍କୁ ଉଦ୍ଧାର କରିବି ନଚେତ୍ ତାଙ୍କ ନାମ ଗୁଣି ଗୁଣି ମରିବି ।’

୨୦ଶ ପଦ :- ମନେ ମନେ ଏହିପରି ପ୍ରତିଜ୍ଞା କରିସାରି ରାମଚନ୍ଦ୍ର କହିଲେ, ‘‘ହେ ହନୁମାନ ! ହଂସ ଯେପରି ମାନସରୋବରରେ କ୍ରୀଡ଼ା କରି ଆନନ୍ଦିତ ହେଉଥାଏ, ମୁଁ ସେହିପରି ମନେ ମନେ ସୀତାଙ୍କର ସେବା କରି ଆନନ୍ଦିତ ହେଉଥିଲି । ବର୍ତ୍ତମାନ ତୁ ତ ତାଙ୍କ ନିକଟକୁ ଯାଇ ସେବା କରିବାକୁ ବାଟ ଦେଖାଇଲୁଣି । ଆଉ ସେହି ମାନସିକ ସେବା କାହିଁକି କରିବି ? ତାଙ୍କ ନିକଟକୁ ଯିବାକୁ ହେଲେ ମୋତେ କଣ କଣ କରିବାକୁ ହେବ ବୋଲି ସେହି ସୀତା କହିଛନ୍ତି, ତାହା ପ୍ରକାଶ କର ।’’

 

ବୋଲେ କର କୋରକ କରି ମାରୁତି ।

ବିନାଶ ହେଲା ଏହି ସମୟେ ରାତି ଯେ ।

ବୃଦ୍ଧଗଣ୍ଡୁକୀସ୍ମାନେ ଏକା ସଞ୍ଚରି ।

ବେଶ ମହିଳାମଣି ମହୀକି କରି ଯେ ।୨୧ ।

 

ବକ୍ଷକୁ ଅଶ୍ରୁଧାରା ହାରକୁ ଦେଇ ।

ବାନ୍ଧି ଜବାଚରଣେ ଗଭାକୁ ନେଇ ଯେ ।

ବିଳସେ ଫାଶ ଭୃଙ୍ଗ ଭୃଙ୍ଗୀନିକର ।

ବାଜେଣୀବଳା ପରଦାନ ପ୍ରକାର ଯେ ।୨୨ ।

 

ବିଶ୍ରାମୁଁ କୃଷ୍ଣସାର ତଳରେ ଲେକ୍ଷେ ।

ବାଳକ କୃଷ୍ଣସାର ତଳର ନେତ୍ରା ଅବଶେ ଯେ ।

ବିସ୍ତାରୁ ତବ ନାମ ଥାଇ ନଗର

ବିନ୍ଧିଲା ପ୍ରାୟ କୃଷ୍ଣ ସାର ସଶର ଯେ ।୨୩ ।

 

ବିସୋଉଁ ଯେ ସାରଙ୍ଗ ଯଥା କମଳେ ।

ବିଳସାଇଲେ ଦୃଷ୍ଟି ନଭେ ଚଞ୍ଚଳେ ଯେ ।

ବଚନ ରଚନ କେ ସୁଧା ସିଞ୍ଚିଲା ।

ବନପ୍ରିୟ ତା ଶୁଣି ଧ୍ୱନି ମୁଞ୍ଚିଲା ଯେ ।୨୪ ।

 

ବ୍ୟକ୍ତ ପରତେ ଦୃଶ୍ୟ ମୁକୁଟ କୂଟ

ବିଚାରି ନ ପଚାରି ବାର୍ତ୍ତ ପ୍ରକଟ ଯେ ।

ବ୍ୟବହାର ନ କରୁଁ ଦେଲି ମୁଁ ମୁଦି ।

ବିଧୁ ହୋଇ ଫୁଟାଇ କୁମୁଦହୁଦି ଯେ ।୨୫ ।

 

୨୧ଶ ପଦ :- କର କୋରକ କରି - ହାତ ଯୋଡ଼ି ବା କୃତାଞ୍ଜଳି ପୁଟରେ । ମାରୁତି - ହନୁମାନ । ସଞ୍ଚରି - ଯାଇ । ମହୀଳାମଣି - ନାରୀରତ୍ନ ସୀତା । ମହୀକି - ପୃଥିବୀକୁ ।

୨୧ ଓ ୨୨ ପଦ :- ହନୁମାନ ହାତ ଯୋଡ଼ି କହିଲା, ‘‘ଏହି ସମୟରେ ରାତି ପାହି ଯିବାରୁ ସୀତା ସ୍ନାନ କରିବା ପାଇଁ ବୃଦ୍ଧଗଣ୍ଡକୀ ନଦୀକୁ ଏକାକିନୀ ଗମନ କଲେ । ତାଙ୍କ ଗମନରେ ପୃଥିବୀ ସୁବେଶ ହେଲା ପରି ଦେଖାଗଲେ । କାରଣ ସୀତା ତାହାଙ୍କର ଅନବରତ ପ୍ରବାହିତ ଅଶ୍ରୁଧାରା ରୂପ ମୁକ୍ତାମାଳାକୁ ପୃଥିବୀ ଦେବୀଙ୍କର ବକ୍ଷରେ ଲମ୍ବାଇ ଦେଲେ ଓ ସ୍ୱୀୟ ବରଣ ରୂପ ସୀତାଙ୍କର ଅଙ୍ଗ ଗନ୍ଧ ଲୋଭରେ ନିକଟକୁ ଆସି ଗୁଣୁ ଗୁଣୁ ଶବ୍ଦ ପ୍ରକାଶ କରି ଘୁରୁଥିବା ଭ୍ରମରମାନଙ୍କୁ ବାଜେଣୀ ବଳା କର ପୃଥିବୀ ଦେବଙ୍କୁ ଅର୍ପଣ କଲେ । ( ଅର୍ଥାତ୍ ସ୍ନାନ କରିବାକୁ ଗଲାବେଳେ ମଧ୍ୟ ସେ କାନ୍ଦୁ ଥିଲେ ) ।’’

୨୩ଶ ପଦ :- ବାଳକକୃଷ୍ଣ ସାରନେତ୍ରା - ଶିଶୁ କୁରଙ୍ଗୀନୟନା । ଅବଶେ - ଦୁର୍ବଳତା ହେତୁ । କୃଷ୍ଣସାର - ଶିଂଶୁପାବୃକ୍ଷ। ନଗ - ବୃକ୍ଷ । କୃଷ୍ଣ - କନ୍ଦର୍ପ । ସାରସଶର - ପଦ୍ମପୁଷ୍ପ ଶର ।

୨୩ଶ ପଦ :- ‘‘ସେହି ବାଳମୃଗାକ୍ଷୀ ସୀତା ଶିଂଶୁପାବୃକ୍ଷ ମୂଳରେ କିଛିକ୍ଷଣ ଦୁର୍ବଳତା ହେତୁ ବିଶ୍ରାମ କରନ୍ତେ ମୁଁ ସେହି ବୃକ୍ଷ ଉପରେ ଥାଇ ତୁମ୍ଭର ନାମ ଉଚ୍ଚାରଣ କଲି । ସେ ତାହା ଶୁଣି କନ୍ଦର୍ପର ପଦ୍ମଶର ଦ୍ୱାରା ବିଦ୍ଧ ହେଲାପରି ଛନ୍ନ ଛନ୍ନ ହୋଇ ଉଠିଲେ ।’’

୨୪ଶ ପଦ:- ସାରଙ୍ଗ- ଭ୍ରମରମାନେ । କମଳେ – ପଦ୍ମରେ । ନଭେ -ଆକଶରେ । ସୁଧା – ଅମୃତ । ବନପ୍ରିୟ କୋକିଳ ।

୨୪ଶ ପଦ:- ‘‘ଭ୍ରମର ପଦ୍ମ ମଧ୍ୟରେ ବିଶ୍ରାମ କଲେ ପଦ୍ମ ଯେଉଁ ଶୋଭାକୁ ଧାରଣ କରେ, ସୀତା ସେହିପରି ନିଜର ନେତ୍ର ଦୁଇଟିକୁ ଆକାଶରେ ଖେଳାଇଲେ ଏବଂ କହିଲେ, ‘କିଏ ମୋ କାନରେ ଅମୃତ ଢାଳିଲା ?’ ତାଙ୍କର ସେହି କଥା ଶୁଣି କୋକିଳ ତାର ରାବ ବନ୍ଦ କରି ଦେଲା ।’’

୨୫ଶ ପଦ :- ‘‘ମୁଁ ତାଙ୍କୁ ଦେଖା ଦିଅନ୍ତେ ସେ ମୋର ମୁକୁଟକୁ ଦେଖି ‘ଏ ସେହି ପ୍ରତାରକ ରାବଣ’ ବୋଲି ବିଚାରି ମୋତେ କୌଣସି କଥା ପ୍ରକାଶ୍ୟ ଭାବରେ ପଚାରିନଥିଲେ । ମୁଁ ତାଙ୍କ ମନରୁ ସେହି ସନ୍ଦେହକୁ ଦୂର ନ କରି ହଠାତ୍ ଆପଣ ଦେଇଥିବା ସେହି ମୁଦ୍ରିକାଟି ପ୍ରଦାନ କରିଥିଲି । ଚନ୍ଦ୍ର କୁମୁଦକୁ ପ୍ରଷ୍ଫୁଟିତ କଲାପରି ସେହି ମୁଦି ତାଙ୍କରି ହୃଦୟ କୁମୁଦକୁ ପ୍ରଷ୍ଫୁଟିତ କଲା ଅର୍ଥାତ୍ ମୁଦିଟି ପାଇ ସେ ଅତିଶୟ ଆନନ୍ଦିତା ହେଲେ ।’’

 

ବିନ୍ଧ୍ୟଶୃଙ୍ଗ ଉଦୟ ତରଣି ପରି ।

ବକ୍ଷୋଜ ପରେ ଆଗ କରି ତା ଧରି ଯେ ।

ବୋଲି ଦେଲେ ସୁମୁହୀଁ ଅନ୍ତର ମୁହିଁ ।

ବିଭୁ ଶ୍ରୀକର କିପାଁ ଛାଡ଼ିଲୁ ତୁହି ରେ ।୨୬ ।

 

ବାରିପୂର୍ଣ୍ଣତା କୁମ୍ଭେ ଇଚ୍ଛି ତ୍ୱରିତ ।

ବୋଇଲେ କହ କି କଥନ ଗୁପତ ଯେ ।

ବ୍ୟାଖ୍ୟାନ କଲି ମୁହିଁ ଦ୍ରୋଣ ଚରିତ ।

ବନାଲକ୍ତକ ଚିତ୍ର ଭାବ ଯେମନ୍ତ ଯେ ।୨୭ ।

 

ବରଚତୁରୀ ଭାଷେ ଯେ ପ୍ରଭୁ ରୂପ ।

ବିଶେଷରେ ଧ୍ୱଂସିଲା ମୁନିଙ୍କ ତପ ଯେ ।

ବରଦ ହେଲେ ଜନ୍ମାନ୍ତରେ ସଙ୍ଗତି ।

ବିଜନ୍ୟ ଭାବ ମୋର କେଡ଼େ ପୀରତି ଯେ ।୨୮ ।

 

ବିସର୍ଜି ନାହିଁ ପ୍ରାଣ ଏହି ମୋ କାମ ।

ବ୍ୟର୍ଥ ନୋହିବ ମଧୁଶଯ୍ୟା ନିୟମ ଯେ ।

ବୋଲିବ ମନ ମୋର ସେହି ମୋହନେ ।

ବଶ ହୋଇଛି ଏକା ରଜନୀ ଦିନେ ଯେ ।୨୯ ।

ବିବୁଧ ନୋହେ ପାନ କରି ପୀୟୂଷ ।

ବିଭୋଗେ ଇକ୍ଷୁରସେ ହେବାକୁ ବଶ ଯେ ।

ବନଜିନୀ ବୋଲାଇ ସେ ରାତି ନାହିଁ ।

ବିଭାବସୁରେ ପ୍ରୀତି ମଧୁପେ ସ୍ନେହୀ ଯେ ।୩୦ ।

 

୨୬ଶ ପଦ :- ‘‘ସୀତା ସଙ୍ଗେ ସଙ୍ଗେ ମୁଦିକୁ ଧରି ସ୍ତନର ଉପରିଭାଗକୁ ଉଠାଇ ନେଲେ । ସୂର୍ଯ୍ୟ ଉଦୟ ହୋଇ ବିନ୍ଧ୍ୟ ପର୍ବତର ସଙ୍ଗକୁ ଆଶ୍ରୟ କଲେ, ଯେପରି ଶୋଭା ପ୍ରକାଶିତ ହୁଏ, ସେହି ମୁଦି ତାଙ୍କର ସ୍ତନ ଉପରେ ରହି ସେହିପରି ଶୋଭା ପ୍ରକାଶିତ କରାଇଲା । ସୁବଦନା ସୀତା ସେହି ମୁଦିକୁ ଚାହିଁ କହିଲେ, ‘ମୁଁ ସିନା ମୋର ନିଜ ଦୋଷରୁ ପ୍ରଭୁଙ୍କଠାରୁ ଅନ୍ତର ହେଲି, ତୁ କାହିଁକି ତାଙ୍କର ଶ୍ରୀକର ଛାଡ଼ି ଆସିଲୁ ?’’

୨୬ଶ ପଦ :- ଦ୍ରୋଣଚରିତ - କାକ ଚରିତ । ବନା ଲକ୍ତକ ଚିତ୍ର - ଗେରୁଚିତ୍ର ।

୨୬ଶ ପଦ :- ‘‘ଲୋକମାନେ ଶୁଭ ପ୍ରଶ୍ନ କରିବା ସମୟରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରିଥାନ୍ତି । ସୀତା ସେହି ପୁର୍ଣ୍ଣକୁମ୍ଭ ସ୍ଥାପନ କରିବା ଇଚ୍ଛାରେ ତାଙ୍କର ସ୍ତନରୂପ କୁମ୍ଭଦ୍ୱୟକୁ ହଠାତ୍ ଅଶ୍ରୁ ଜର୍ଜରିତ କରି ମୋତେ କହିଲେ, ‘ପ୍ରଭୁ କି ଗୁପ୍ତ କଥା କହିଛନ୍ତି କହ ।’ ତହୁଁ ମୁଁ ସେହି କୁଆର ବିଷୟ ବର୍ଣ୍ଣନା କଲି ଏବଂ ସେହି ଗୈରିକ ଚିତ୍ରକୁ ଦେଖି ଯେଉଁ ଭାବ ତୁମ୍ଭ ଦୁହିଁଙ୍କର ଜନ୍ମିଥିଲା ତାକୁ ମଧ୍ୟ ବର୍ଣ୍ଣନା କଲି ।’’

୨୮ଶ ପଦ :- ‘‘ଚତୁରୀ ସୀତା କହିଲେ, ପ୍ରଭୁ ରାମଚନ୍ଦ୍ରଙ୍କର ରୂପକୁ ଦେଖି ମୁନିମାନଙ୍କର ତପସ୍ୟା ଭଗ୍ନ ହେବାରୁ, ରାମଚନ୍ଦ୍ର ସେମାନଙ୍କୁ ବରପ୍ରଦାନ କରି କହିଥିଲେ କି, ଅନ୍ୟ ଜନ୍ମରେ ତୁମ୍ଭମାନଙ୍କର ମୋ ସହିତ ମିଳନ ହେବ । କିନ୍ତୁ ମୋ ସହିତ ଏହି ଜନ୍ମରେ ପୁନର୍ବାର ମିଳନ ହେବ ବୋଲି ଯାହା ଇଚ୍ଛା ପ୍ରକାଶ କରିଅଛନ୍ତି, ତାହାହିଁ ମୋର ଅତିଶୟ ଭାଗ୍ୟର ବିଷୟ ।’’

୨୯ଶ ପଦ :- ‘‘ପୁନର୍ବାର କହିଲେ, ସେ ମଧୁଶଯ୍ୟା ଗୃହରେ କରିଥିବା ନିୟମ କଦାପି ବ୍ୟର୍ଥ ହେବ ନାହିଁ, ଏହି କଥା ମୋର ମନରେ ନିଶ୍ଚୟ କରି ମୁଁ ଏ ପର୍ଯ୍ୟନ୍ତ ପ୍ରାଣତ୍ୟାଗ କରି ନାହିଁ । (ସେ ନିୟମ କରିଥିଲେ ଯେ, ମୋ ବ୍ୟତୀତ ଅନ୍ୟ ସ୍ତ୍ରୀ ମୁଖ ଚାହିଁବେ ନାହିଁ । ମୁଁ ମଲେ ସେ ଏହି ନିୟମ ପାଳିବା ଦ୍ୱାରା ବଡ଼ କଷ୍ଟ ପାଇବେ) । ହେ ହନୁମାନ ! ତୁମ୍ଭେ ମୋହନ ରାମଚନ୍ଦ୍ରଙ୍କୁ କହିବ, ମୋର ମନ ଦିନ ରାତି (ସବୁବେଳେ) ତାଙ୍କର ଅଧିନ ହୋଇ ରହିଛି ।’’

୩୦ଶ ପଦ :- ବିବୁଧ - ଦେବତା । ପୀୟୁଷ - ଅମୃତ । ବନଜିନୀ - ପଦ୍ମିନୀ । ବିଭାବସୁ - ସୂର୍ଯ୍ୟ । ମଧୁପ - ଭ୍ରମର, ମଦ୍ୟପାୟୀ ।

୩୦ଶ ପଦ :- ‘‘ଦେବତାମାନେ ଅମୃତ ପାନ କଲା ପରେ ଆଖୁରସ ପାନ କରିବାରେ ଆସକ୍ତ ହୋଇଥାନ୍ତି, ମାତ୍ର ମୁଁ ସେ ଦେବତାମାନଙ୍କ ପରି ନୁହେଁ ଯେ, ରାମଚନ୍ଦ୍ରଙ୍କୁ ପରିତ୍ୟାଗ କରି ଅନ୍ୟ ଲୋକପ୍ରତି ଆସକ୍ତ ହେବାକୁ ଇଚ୍ଛୁକ ହେବି । ପଦ୍ମିନୀ ସୂର୍ଯ୍ୟଙ୍କ ସହିତ ରତି କରି ସୁଦ୍ଧା ଭ୍ରମର ପ୍ରତି ଆକୃଷ୍ଟ ହୋଇଥାଏ, ମାତ୍ର ମୁଁ ପଦ୍ମିନୀ ଜାତୀୟା ସ୍ତ୍ରୀ ହେଲେ ସୁଦ୍ଧା ସେପରି ଆଚରଣକୁ ପସନ୍ଦ କରେନାହିଁ । ଏଣୁ ସୂର୍ଯ୍ୟବଂଶୀୟ ରାମଙ୍କ ସହ ପ୍ରୀତି କରି ‘ମଧୁପ’ ମଦୁଆ ରାବଣପ୍ରତି କଦାପି ଆକୃଷ୍ଟ ହେବି ନାହିଁ ।’’

 

ବୁଝାଇ ଏହା ଘେନିଆସ ଝଟତି ।

ବୀର ବିରୋଧି ବଧି ରଖନ୍ତୁ କୀର୍ତ୍ତି ଯେ ।

ବିକଳ୍ପ ଥିଲେ ଦେବି ଅନଳେ ଝାସ ।

ବିହନ୍ତି ଜନେ ଝାସ ଲାଗନ୍ତେ ଦୋଷ ଯେ ।୩୧ ।

 

ବେଦନା ନିବେଦନା କଲେ ଯେତେକ ।

ବେଦପରାୟେ ହେବ କହୁଁ ରାସ୍ତକ ଯେ ।

ବୋଲି ସେ ଶିରୋମଣି ଦେଲେ ମୋ କରେ ।

ବାସାଞ୍ଚଳୁ ଫିଟାଇ ଦେଲା ସତ୍ୱରେ ଯେ ।୩୨ ।

 

ବକ୍ଷେ ଥୋଇଲେ ଘେନି ମଣିଯନ୍ତ୍ରକୁ ।

ବିଧିରେ ଜପୁଥିଲେ ନାମ ମନ୍ତ୍ରକୁ ଯେ ।

ବାର୍ତ୍ତା-ଔଷଧ ଶ୍ରୁତି-ମୁଖରେ ପିଇ ।

ବେଗେ ଚିନ୍ତାଜ୍ୱରକୁ ଶାନ୍ତି କରାଇ ଯେ ।୩୩ ।

 

ବାଳୀ ନାମବାଳୀକି ସରାଗ ରଜ୍ଜୁ ।

ବଶେ ଗୁନ୍ଥି ବଚନେ ସେକାଳେ ମଞ୍ଜୁ ଯେ ।

ବାରିଜମୁଖୀ ନୀଳୋତ୍ପଳ ଇକ୍ଷଣା ।

ବନ୍ଧୁକ ଅଧରୀ ପାଟଳୀଶ୍ରବଣା ଯେ ।୩୪ ।

ବିମଳତିଳ ଫୁଲନାସା ଶୋଭିନୀ ।

ବର୍ଣ୍ଣ ଚମ୍ପା ଶିରୀଷ ମୃଦୁଅଙ୍ଗିନୀ ଯେ ।

ବଞ୍ଜୁଳାଙ୍ଗୁଳି ଜାତି ନଖତୀକ୍ଷଣା ।

ବଚ ଉତ୍ପଳବାସୀ ଜବାଚରଣା ଯେ ।୩୫ ।

 

୩୧ଶ ପଦ :- ‘‘ହେ ହନୁମାନ । ତୁମ୍ଭେ ରାମଚନ୍ଦ୍ରଙ୍କୁ ଏହିସବୁ କଥା ବୁଝାଇ ଏଠାକୁ ଶୀଘ୍ର ଘେନିଆସ । ବୀର ରାମଚନ୍ଦ୍ର ତାଙ୍କର ଶତ୍ରୁ ରାବଣକୁ ମାରି କୀର୍ତ୍ତି ରଖନ୍ତୁ । ମୋର ସତୀତ୍ୱରେ ତାଙ୍କର ସନ୍ଦେହ ଥିଲେ, ମୁଁ ଅଗ୍ନିରେ ପ୍ରବେଶ କରି ସେ ସନ୍ଦେହ ମୋଚନ କରିବି । କାରଣ ଦୋଷୀ ଲୋକମାନେ ଅଗ୍ନିରେ ପ୍ରବେଶ କରି ପ୍ରାଣ ବିସର୍ଜନ କରନ୍ତି ।’’

୩୨ଶ ପଦ :- ବାସାଞ୍ଚଳୁ - ଲୁଗାକାନିରୁ ।

୩୨ଶ ପଦ :- ‘‘ସୀତା ଏହିପରି ତାଙ୍କର ଯେତେ ମନୋବେଦନା ପ୍ରକାଶ କଲେ, ସେ ସମସ୍ତ ଲେଖିଲେ ବେଦପରି ଖଣ୍ଡିଏ ପୁସ୍ତକ ହେବ । ସେ ସମସ୍ତ କଥା କହିସାରିବା ପରେ ଏହି ମଥାମଣିଟି ମୋ ହସ୍ତରେ ଦେଲେ ।’’ ଏହା କହି ହନୁମାନ ମଥାମଣିଟି ଲୁଗା କାନିରୁ ଫିଟାଇ ସଙ୍ଗେ ସଙ୍ଗେ ରାମଚନ୍ଦ୍ରଙ୍କ ହସ୍ତରେ ଦେଲା ।

୩୩ଶ ପଦ :- ବ୍ୟାଧିଗ୍ରସ୍ତ ଲୋକ ଯେପରି ମନ୍ତ୍ର, ଯନ୍ତ୍ର, ଔଷଧ ଏହି ତିନିପ୍ରକାର ଉପାୟରେ ରୋଗ ଶାନ୍ତି କରାଏ, ରାମଚନ୍ଦ୍ର ସେହିପରି ଆଗରୁ ତ ସୀତାଙ୍କର ନାମକୁ ଜପୁଥିଲେ, ବର୍ତ୍ତମାନ ସେହି ମଥାମଣିକୁ ଯନ୍ତ୍ର ମନେକରି ବକ୍ଷସ୍ଥଳରେ ସ୍ଥାପନ ପୂର୍ବକ ଏବଂ ହନୁମାନଠାରୁ ତାଙ୍କର ବାର୍ତ୍ତାରୂପ ଔଷଧକୁ କାନରୂପ ମୁଖରେ ପାନ କରି କଷ୍ଟଦାୟକ ଚିନ୍ତା ଜ୍ୱରକୁ ଶାନ୍ତି କଲେ ।

୩୪ଶ ୩୫ଶ ପଦ :- ଯେପରି ମାଳୀ, ଆଦର ସହିତ ପଦ୍ମ, ନୀଳକଇଁ ବଧୁଲୀ, ପାଟଳୀ, ରାଶିଫୁଲ, ଚମ୍ପା, ଶିରୀଷ, ଅଶୋକ, ଜାଈ, କଇଁ ବା ପଦ୍ମ, ମନ୍ଦାର ପ୍ରଭୃତି ଫୁଲମାନଙ୍କୁ ଅତି ସୁନ୍ଦର ଭାବରେ ସୂତାରେ ଗୁନ୍ଥେ, ସୀତାଙ୍କର ସମସ୍ତ ବାର୍ତ୍ତା ଶୁଣି ଶାନ୍ତ ହେଲାପରେ ରାମଚନ୍ଦ୍ର ସେହିପରି ବନ୍ଧୁକ ଅଧୁରା ପ୍ରଭୃତି ନାମମାନଙ୍କୁ ଉଚ୍ଚାରଣ କରି ନିଜର ସ୍ନେହରୂପ ସୂତାରେ ଗୁନ୍ଥିଲେ, ଏଣୁ ମନେହୁଏ ସେ କଣ ଜଣେ ମାଳୀ କି ? ।

 

ବିଷାଦେ ହର ହର ଶୁଣି ଉଚ୍ଚାରି ।

ବପୁରେ ଗଲା ରୋମ ଅଙ୍କୁର ପୂରି ଯେ ।

ବିଶେଷ ସ୍ନେହ ପୁନଃ ହୋଇଲେ କହି ।

ବରସୁନ୍ଦରୀ ଥିଲି କି ଯୋଗେ ପାଇ ଯେ ।୩୬ ।

 

ବାଳାହିଁ ଗୁରୁସ୍ନେହୀ ଝୀନବସନେ ।

ବିଦୁର କରୁଥାଇ ମୋ ଆଲିଙ୍ଗନେ ଯେ ।

ବାରିରେ ବାରି ପରି ମୋ ଅଙ୍ଗେ ମିଶି ।

ବୋଳି ହେଲା କୁସୁମ ପ୍ରାୟ ମୁଁ ଦିଶି ଯେ ।୩୭ ।

 

ବର୍ଣ୍ଣକେ ସିନା ମାତ୍ର ରହଇ ଭେଦ ।

ରସିବା କାଳେ କାଳେ ଶିବସମ୍ପଦ ଯେ ।

ବିଭେଦ ନ ଥାଇ ତ ବିଷ୍ଣୁ ଶିରୀରେ ।

ବିଭୋଗୀ ହୋଇଥିଲି ବେନି ପରିରେ ଯେ ।୩୮ ।

 

ବାଳା ଅନୁସରଣେ ସ୍ୱତଃ ମୁଁ ଛାଇ ।

ବକ୍ର ପଦ ଚୁମ୍ବନେ ଭ୍ରମର ହୋଇ ଯେ ।

ବ୍ରହ୍ମାନିଶା ଅଭାଗ୍ୟ କାହୁଁ ଘୋଟିଲା ।

ବେନି କଥା ଏ ଘେନି ଅନ୍ତର ହେଲା ଯେ ।୩୯ ।

 

ବ୍ରହ୍ମା ହେଲୁ ତୁ ଭାଗ୍ୟ ଭାନୁ ଉଦିତେ ।

ବିଧାନ ହେବ ପ୍ରେମ ସୃଷ୍ଟି ତେମନ୍ତେ ଯେ ।

ବୋଇଲା ହନୁମାନ ଅଶ୍ରୁ ପ୍ରଳୟ ।

ବିଶୀର୍ଣ୍ଣ ହେଲା ଏବେ ତେଜ ସଂଶୟ ଯେ ।୪୦ ।

 

ବରାହବର ଯୋଗେ ଧରାସୁନ୍ଦରୀ ।

ବଳେ ବାରୀଶସ୍ଥଳୁଁ ଆଣି ଉଦ୍ଧରି ଯେ ।

ବରଣ ଥିଲା ପୁରେ କେଳି ରଚିବ ।

ବିଜୟ ଦୈତ୍ୟ ସ୍ୱତଃ କାହୁଁ ବଞ୍ଚିବ ଯେ ।୪୧ ।

 

ବୟାଳିଶ ପଦରେ ଏ ଚମତ୍କାର ।

ବୁଧେ ହେଳା ନ କରି ମନେ ବିଚାର ଯେ ।

ବୋଲଇ ଉପଇନ୍ଦ୍ର ଭଞ୍ଜ ଏ ଗୀତ ।

ବୈଦେହୀଶବିଳାସ ନାମ ଉଦିତ ଯେ । ୪୨।

୩୬ଶ ପଦ :- ବିଷାଦ - ଦୁଃଖ । ବପୁ - ଦେହ ।

୩୬ଶ ପଦ :- ତତ୍ପରେ ‘ହେ ଶିବ ମୋର ଦୁଃଖ ହରଣ କର’ ଏହି ବାକ୍ୟ ଉଚ୍ଚାରଣ କରୁ କରୁ ତାଙ୍କର ଦେହର ଲୋମ ଟାଙ୍କୁରି ଉଠିଲା । ଏହି ସାତ୍ତ୍ୱିକ ବିକାର ଜାତ ହେବାରୁ ରାମଚନ୍ଦ୍ର ଅତିଶୟ ସ୍ନେହବଶତଃ ପୁନର୍ବାର କହିଲେ, ‘‘ମୁଁ କେଉଁ ପୁଣ୍ୟବଶରୁ ସେହି ସୁନ୍ଦରୀଶ୍ରେଷ୍ଠାକୁ ପାଇଥିଲି ?’’

୩୭ଶ ପଦ :- ଗୁରୁସ୍ନେହୀ - ଅତି ସ୍ନେହୀ ବା ଅତି ଅନୁରାଗବତୀ । ଝୀନ ବସନେ - ସୂକ୍ଷ୍ମ ବସ୍ତ୍ରରେ ବା ପତଳା ଲୁଗାରେ।

୩୭ଶ ପଦ :- ‘‘ପ୍ରିୟା ପାତଳ ଲୁଗାକୁ ଅତିଶୟ ଆଦର କଲେ, କିନ୍ତୁ ମୁଁ ତାକୁ ଆଲିଙ୍ଗନ କଲେ, ସେହି ଆଦରଣୀୟ ଲୁଗାକୁ ମଧ୍ୟ ଦେହରୁ ଅନ୍ତର କରେ । ଜଳରେ ଜଳ ମିଶିଗଲା ପରି ମୋର ଦେହରେ ତାର ଦେହ ମିଶିଯାଏ । ଏଣୁ ସେହି ସମୟରେ ମୁଁ କୁଙ୍କୁମ ବୋଳି ହେଲା ପରି ଦିଶେ ।’’

୩୮ଶ ପଦ :- ‘‘ପ୍ରିୟା ମୋ କୋଳରେ ବସିବା ସମୟରେ ଆମ୍ଭ ଦୁହିଁଙ୍କର ଶୋଭା ଶିବ ପାର୍ବତୀଙ୍କର ଶୋଭାର ସହିତ ସମାନ ଦେଖାଯାଏ । କେବଳ ଏକମାତ୍ର ମୋର ବର୍ଣ୍ଣରେ ପ୍ରଭେଦ ରହିଯାଏ । (କାରଣ ମୁଁ ଦୁର୍ବାଦଳ ଶ୍ୟାମଳ, ଶିବ ରଜତ ଗୌର ଅଟନ୍ତି) । କିନ୍ତୁ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଯୁଗଳ ଶୋଭା ସହିତ ଆମ୍ଭ ଶୋଭାର କୌଣସି ମାତ୍ର ପ୍ରଭେଦ ଦେଖାଯାଏ ନାହିଁ । (କାରଣ ବିଷ୍ଣୁ ଓ ମୁଁ ଦୁହେଁ ଶ୍ୟାମଳ ବର୍ଣ୍ଣ ଅଟୁଁ) । ଅତଏବ ପାର୍ବତୀ ଓ ଲକ୍ଷ୍ମୀଙ୍କର ସମାନ ବର୍ଣ୍ଣା ସୀତାଙ୍କୁ ପାଇ ମୁଁ ଶିବ ଓ ବିଷ୍ଣୁଙ୍କ ପରି ଭୋଗୀ ହୋଇଥିଲି ।’’

୩୯ଶ ପଦ :- ‘‘ମୁଁ ମୋର ପ୍ରିୟାକୁ ଛାଇ ପରି ଅନୁସରଣ କରୁଥିଲି ଓ ତାର ମୁଖପଦ୍ମକୁ ଭ୍ରମର ପରି ଚୁମ୍ବନ କରୁଥିଲି, କିନ୍ତୁ ମୋର ଅଭାଗ୍ୟ ରୂପ ବ୍ରହ୍ମରାତ୍ରି କାହୁଁ ଘୋଟି ଆସି ସେହି ଦୁଇଗୋଟି କଥା ମୋଠାରୁ ଛଡ଼ାଇ ନେଲା ।’’

୪୦ଶ ପଦ :- ଭାନୁ-ସୂର୍ଯ୍ୟ । ଭାନୁଉଦିତ-ସୁଗ୍ରୀବ । ଅଶ୍ରୁ-ଲୋତକ ।

୪୦ଶ ପଦ :- ଏହି ସବୁ ଭାବନା ଶେଷ କରି ରାମଚନ୍ଦ୍ର କହିଲେ ‘‘ହେ ହନୁମାନ ! ବ୍ରହ୍ମରାତ୍ର ଶେଷ ହେଲେ ବ୍ରହ୍ମା ନିଦ୍ରା ତ୍ୟାଗକରି ସ୍ୱୀୟ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ହୁଅନ୍ତି, ସେହିପରି ମୋର ଦୁର୍ଭାଗ୍ୟ ରାତ୍ରି ଶେଷ ହେବାରୁ ତୁ ବ୍ରହ୍ମାଙ୍କ ପରି ଏଠାରେ ଉପସ୍ଥିତ ହୋଇଅଛୁ ଏବଂ ବ୍ରହ୍ମଦିବସର ପ୍ରଭାତରେ ସୂର୍ଯ୍ୟ ଉଦୟ ହେଲାପରି, ମୋର ସୌଭାଗ୍ୟ ସୂଚକ ସୂର୍ଯ୍ୟ ତୁଲ୍ୟ ‘ଭାନୁ’ ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବ ପ୍ରକାଶିତ ହୋଇଅଛନ୍ତି । କାର୍ଯ୍ୟକ୍ଷେତ୍ରରେ ପ୍ରବିଷ୍ଟବ୍ରହ୍ମା ପୁନର୍ବାର ସ୍ୱୀୟ କାର୍ଯ୍ୟ ସୃଷ୍ଟିକୁ ଆରମ୍ଭ କଲା ପରି ତୁମ୍ଭେ ଦୁହେଁ ଆମ୍ଭ ଦୁହିଁଙ୍କର ପୁନର୍ବାର ପ୍ରେମ ସୃଷ୍ଟିହେବା ନିମିତ୍ତ କାର୍ଯ୍ୟାରମ୍ଭ କର ।’’ ଏହା ଶୁଣି ହନୁମାନ କହିଲା, ଆଜିଠାରୁ ଆପଣଙ୍କର ‘‘ଅଶ୍ରୁ ପ୍ରଳୟ’’ ପ୍ରଳୟକାଳୀନ ଜଳ ପରି ସନ୍ତତି ପରିବର୍ଦ୍ଧିତ ଲୋତକଧାରା କ୍ଷୟପ୍ରାପ୍ତ ହେଲା । ସୁତରାଂ ମନରୁ ସନ୍ଦେହ ଦୂର କରନ୍ତୁ ।’’

୪୧ଶ ପଦ :- ବରାହବର - ଶ୍ରେଷ୍ଠ ବରାହ । ଧରାସୁନ୍ଦରୀ - ମନୋହାରିଣୀ ପୃଥ୍ୱୀଦେବୀ । ବାରୀଶସ୍ଥଳୁଁ - ବରୁଣ ପୁରରୁ ଅର୍ଥାତ୍ ସମୁଦ୍ର ଜଳରୁ, ଲଙ୍କାପୁରରୁ । ବରାହବ-ବଡ଼ଯୁଦ୍ଧ । ବରଣ-ପ୍ରାଚୀର ।

୪୧ଶ ପଦ :- ‘‘ଆପଣ ଶ୍ରେଷ୍ଠ ବରାହ ଅବତାରରେ ଯେପରି ପୃଥିବୀ ଦେବୀଙ୍କୁ ଜଳମଧ୍ୟରୁ ବଳପୂର୍ବକ ଉଦ୍ଧାର କରିଥିଲେ, ସେହିପରି ଏହି ଅବତାରରେ ପୃଥିବୀ ପୁତ୍ରୀ ସୀତାଙ୍କୁ ଯୁଦ୍ଧଦ୍ୱାରା ସମୁଦ୍ର ଜଳ ପରିବେଷ୍ଟିତ ଲଙ୍କାପୁରରୁ ବଳପୂର୍ବକ ଉଦ୍ଧାର କରି ପ୍ରାଚୀର ବେଷ୍ଟିତ ସେହି ଲଙ୍କାପୁରରେ କ୍ରୀଡ଼ା କରିବେ । ଆପଣ ସେଠାରେ କ୍ରୀଡ଼ା କଲେ ଦୁର୍ଜ୍ଜୟ ରାବଣ ବଞ୍ଚି ରହିବ କି ? ଅର୍ଥାତ୍ ସେ ବଞ୍ଚି ପାରିବ ନାହିଁ ।’’

୪୨ଶ ପଦ :- ରୁଧେ-ପଣ୍ଡିତମାନେ ।

୪୨ଶ ପଦ :- ହେ ପଣ୍ଡିତମାନେ ଏହି ଛାନ୍ଦ ବୟାଳିଶ ଗୋଟି ପଦରେ ଅତି ଚମତ୍କାର ହୋଇଅଛି । ଏଣୁ ଏହିସବୁ ପଦଗୁଡ଼ିକୁ ହେୟ ମନେ ନ କରି ବିଚାର କର । ବୈଦେହୀଶବିଳାସ ନାମରେ ପ୍ରକାଶିତ ଏହି ଗୀତକୁ ଉପେନ୍ଦ୍ର ଭଞ୍ଜ ରଚନା କରି ଅଛନ୍ତି ।

 

ଉନଚତ୍ୱାରିଂଶ ଛାନ୍ଦ

ରାଗ-ମଙ୍ଗଳ

 

ବାତସୁତ ଶୁଭ୍ରପକ୍ଷ ଉତ୍ତର

ବିବୃଦ୍ଧି କଲା ରାମଚନ୍ଦ୍ରର

।୧ ।

ବିରାଜି ଧନୁରେ ମଣ୍ଡଳ ରଚି

ବିହିତ କର ଶରରେ ରୁଚି

।୨ ।

ବିସ୍ତାର କରେ କୁମୁଦ ପ୍ରସିଦ୍ଧ

ବିହିତ ପଦ୍ମପରରେ କ୍ରୋଧ

।୩ ।

ବିଧିରେ ଉଦୟ ଗିରି ଉପର

ବିହାରକାରୀ କଉଶିକର

।୪ ।

ବୋଇଲେ ଯିବା ଏହି ଅନୁକୂଳେ

ବନିତା ଅଙ୍ଗେ ଶୁଭ ଦିଶିଲେ

।୫ ।

ବିଶେଷ ଲାବଣ୍ୟ ଲକ୍ଷ୍ମୀର ପୁର

ବିଦିତ ମଧ୍ୟେ ସିଂହବତାର

।୬ ।

ବିଦ୍ୟ ପାରାବତ ହୁଁ ହୁଁ ଆରମ୍ଭି

ବେଭାରେ ଦ୍ୱୀଜ ସମ୍ମତି ଲଭି

।୭ ।

ବାର ଲଗ୍ନ ଯୋଗ ଜାମ୍ବବ ହେଜି

ବହନ ବନ୍ଦାପନା ସରଜି

।୮ ।

ବନପ୍ରିୟ ଗାନ ଗୀତ ମଙ୍ଗଳେ

ବିୟତେ ରାଜହଂସ ମିଳିଲେ

।୯ ।

ବାମେ ଶିବା ଗତ ଶବ ଘେନିଣ

ବାହାର ହେଲେ ରାମ ଲକ୍ଷ୍ମଣ

।୧୦ ।

 

୧ମ ପଦ :- ବାତସୁତ-ହନୁମାନ । ଶୁଭ୍ରପକ୍ଷ-ଶୁକ୍ଳପକ୍ଷ । ରାମଚନ୍ଦ୍ର-ରମଣୀୟ ଚନ୍ଦ୍ର ।

୧ମ ପଦ :- ଶୁକ୍ଳପକ୍ଷରେ ଚନ୍ଦ୍ର ବୃଦ୍ଧି ପ୍ରାପ୍ତ ହେଲାପରି ହନୁମାନର ନିଷ୍କପଟ ଉତ୍ତରରେ ରାମଚନ୍ଦ୍ରଙ୍କର ଆନନ୍ଦ ବୃଦ୍ଧି ପ୍ରାପ୍ତ ହେଲା ।

୨ୟ ପଦ :- ଧନୁରେ-ଧନୁରାଶିରେ । ମଣ୍ଡଳ-ଗୋଲାକାର । କର-ହସ୍ତ, କିରଣ । ରୁଚିର-ମନୋହର ।

୨ୟ ପଦ :- ଚନ୍ଦ୍ର ଯେପରି ଧନୁରାଶିରେ ଅବସ୍ଥାନ କରି ଗୋଲାକାର ଧାରଣ ପୂର୍ବକ ମନୋହର କିରଣପୁଞ୍ଜଦ୍ୱାରା ସ୍ୱୀୟ ସୌନ୍ଦର୍ଯ୍ୟକୁ ପ୍ରକାଶିତ କରନ୍ତି, ରାମଚନ୍ଦ୍ର ସେହିପରି ବାମ ହସ୍ତରେ ଧନୁ ଧରି ତାର ଗୁଣକୁ ଶରଧାରୀ ଦକ୍ଷିଣ ହସ୍ତରେ କାନ ପର୍ଯ୍ୟନ୍ତ ଟାଣି ମଣ୍ଡଳାକାର କରି ଦେବା ଦ୍ୱାରା ନିଜର ଶୋଭାକୁ ବିସ୍ତାରିତ କଲେ ।

୩ୟ ପଦ :- କୁମୁଦ-କଇଁ ଫୁଲ, ପୃଥିବୀର ଆନନ୍ଦ । ପର-ଶତ୍ରୁ, ଉତ୍କୃଷ୍ଟ ।

୩ୟ ପଦ :- ଚନ୍ଦ୍ର ଯେପରି କଇଁଫୁଲକୁ ପ୍ରଷ୍ଫୁଟିତ କରି ପଦ୍ମକୁ ମୁଦ୍ରିତ କରନ୍ତି, ସେହିପରି ରାମଚନ୍ଦ୍ର ପୃଥିବୀକୁ ଆନନ୍ଦିତ କରି ଶତ୍ରୁମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ ।

୪ର୍ଥ ପଦ :- କୌଶିକ-ପେଚକ, ଇନ୍ଦ୍ର ।

୪ର୍ଥ ପଦ :- ଚନ୍ଦ୍ର ଯେପରି ନିୟମାନୁସାରେ ଉଦୟ ପର୍ବତର ଶିଖର ଦେଶରେ ଉଦୟ ହୋଇ ପେଚାମାନଙ୍କୁ ନିର୍ବାଧରେ କ୍ରୀଡ଼ା କରିବା ପାଇଁ ସୁଯୋଗ ପ୍ରଦାନ କରନ୍ତି, ରାମଚନ୍ଦ୍ର ସେହିପରି ନିୟମାନୁସାରେ ଯୁଦ୍ଧଯାତ୍ରା କରିବା ନିମିତ୍ତ ମାଲ୍ୟବନ୍ତ ଗିରିର ଉପରିଭାଗରେ ପ୍ରକାଶିତ ହୋଇ ଇନ୍ଦ୍ରଙ୍କୁ କ୍ରୀଡ଼ା କରିବାକୁ ସୁଯୋଗ ପ୍ରଦାନ କଲେ ।

୫ମ ପଦ :- ଯୁଦ୍ଧଯାତ୍ରା କରିବାର ମନେ ମନେ ନିଶ୍ଚୟ କରି ରାମଚନ୍ଦ୍ର କହିଲେ, ‘‘ବର୍ତ୍ତମାନ ଅନୁକୂଳ କରି ଲଙ୍କାକୁ ଯିବା; କାରଣ ପ୍ରିୟା ଅଙ୍ଗରେ ଥିବା ଶୁଭଲକ୍ଷଣମାନ ମୋତେ ଦେଖା ଦେଉଅଛନ୍ତି । ଅର୍ଥାତ୍ ଭାବନା କରିବା ଦ୍ୱାରା ସୀତାଙ୍କର ରୂପ ମୋତେ ଦେଖାଯାଉଛି ।’’

୬ଷ୍ଠ ପଦ :- ‘‘ପ୍ରିୟା ଲାବଣ୍ୟରୂପା ଲକ୍ଷ୍ମୀଙ୍କର ବାସସ୍ଥାନ ଅଟେ ଏବଂ ତାହାର କଟୀ ପ୍ରଦେଶ ନୃସିଂହାବତାର ପରି ଦେଖାଯାଏ । ଅର୍ଥାତ୍ ମୁଁ ଭାବନାରେ ପ୍ରିୟାକୁ ଦେଖି ତାର ସୌନ୍ଦର୍ଯ୍ୟକୁ ଲକ୍ଷ୍ମୀ ଓ ତାର ସିଂହକଟୀ ତୁଲ୍ୟ କଟୀଦେଶକୁ ନୃସିଂହ ବୋଲି ମନେ କରୁଛି । (ଲୋକମାନେ ଲକ୍ଷ୍ମୀ ନୃସିଂହକୁ ସ୍ମରଣ କରି ଅନୁକୂଳ କରନ୍ତି କିନ୍ତୁ ସେହି ଲକ୍ଷ୍ମୀ ନୃସିଂହ ସ୍ୱତଃ ମୋ ମନରେ ପ୍ରକାଶିତ ହେଉ ଅଛନ୍ତି ଏଣୁ ଅନୁକୂଳ କରିବାର ଏ ଯଥାର୍ଥ ସମୟ) ।

୭ମ ପଦ :- ଦ୍ୱିଜ-ବ୍ରାହ୍ମଣ, ପକ୍ଷୀ ।

୭ମ ପଦ :- ‘‘ଅନୁକୂଳ କରିବାକୁ ହେଲେ ବ୍ରାହ୍ମଣଙ୍କଠାରୁ ଆଦେଶ ଗ୍ରହଣ କରିବା ଦରକାର । ବର୍ତ୍ତମାନ ଲୋକମାନଙ୍କର ବା ଶବ୍ଦଶାସ୍ତ୍ରର ବ୍ୟବହାର ଅନୁସାରେ ଦ୍ୱିଜ ନାମରେ ପରିଚିତ ମନୋହର କପୋତ ପକ୍ଷୀମାନେ ହୁଁ ହୁଁ ଶବ୍ଦ ଆରମ୍ଭ କରି ଅନୁକୂଳ କରିବାପାଇଁ ଏହା ଉପଯୁକ୍ତ ସମୟ ବୋଲି ଆମ୍ଭମାନଙ୍କୁ ସମ୍ମତି ପ୍ରଦାନ କରୁଅଛନ୍ତି ।’’

୮ମ ପଦ :- ରାମଚନ୍ଦ୍ର ଏହିପରି କହିବାରୁ ଜାମ୍ବବାନ ବାର, ଲଗ୍ନ ଓ ଯୋଗ ପ୍ରଭୃତି ‘ବିଚାର କରି ଅତିଶୀଘ୍ର ବନ୍ଦାପନାର ଆୟୋଜନ କଲେ ।

୯ମ ପଦ :- ବନପ୍ରିୟଗାନ-କୋକିଳ ସ୍ୱର । ବିୟତେ-ଆକାଶରେ ।

୯ମ ପଦ :- ଅନୁକୂଳ କରିବା ସମୟରେ ମଙ୍ଗଳାଷ୍ଟକ ପାଠ ହୁଏ । ମାତ୍ର ଏହି ଅନୁକୂଳ ସମୟରେ ସ୍ୱନ ଶୁଣା ଯିବାରୁ ତାହା ମଙ୍ଗଳାଷ୍ଟକ ଗାନର ସ୍ଥାନ ଅଧିକାର କଲା ଏବଂ ଏହି ସମୟରେ ଆକାଶରେ ଉଡ଼ୁଥିବା ହଂସମାନେ ମଙ୍ଗଳସୂଚକ ହୋଇ ଦେଖାଦେଲେ ।

୧୦ମ ପଦ :- ଶିବା-ଶୃଗାଳ ।

୧୦ମ ପଦ :- ଏହି ସମୟରେ ବାମ ଦିଗରେ ବିଲୁଆ ମୃତଜୀବକୁ ନେଇ ଯାଉଥିବାର ଦେଖି ରାମ ଲକ୍ଷ୍ମଣ ଦୁହେଁ ଯାତ୍ରା କରି ବାହାରିଲେ ।

 

ବିଜୟ ମାରୁତି ଅଙ୍ଗଦ ସ୍କନ୍ଧେ

ବିନୟେ ସଙ୍ଗେ ସୁଗ୍ରୀବ ବୋଧେ

।୧୧ ।

ବେନିଭ୍ରାତ ବେନିଭ୍ରାତେ ରୁଚିର

ବିପତ୍ତି ବୃଷ କି ହରି ହର

।୧୨ ।

ବୁଜାଇ ନୟନ ରଜନିକରେ

ବଳରେ ସୃଷ୍ଟି କବଳ କରେ

।୧୩ ।

ବ୍ୟାମଗଙ୍ଗାରେ ସ୍ୱେଦ - ନଦୀ ବାଦୀ

ବିଗ୍ରହେ ସନ୍ଧି ଯେ ନ ସମ୍ପାଦି

।୧୪ ।

ବାସୁକି ସମାନ ସୋଦର ଡାକି

ବସୁଧା ଥିବା ସଙ୍ଗତେ ଟେକି

।୧୫ ।

ବଲ୍ଲଭ ସଙ୍ଗ ମାନବ ଯୁବତୀ

ବହିଲା ସେହି ଉପମା କ୍ଷିତି

।୧୬ ।

ବ୍ୟଥା ପାଇଲେ ତାହା ନ ଗଣିଲା

ବିବେକ ଚିରସଂତାପ ଗଲା

।୧୭ ।

ବିକଳ କେତକୀରେ ଭୃଙ୍ଗ ପ୍ରାୟେ

ବହିବା ମାର୍ଗ ବାୟୁ ନ ପାଏ

।୧୮ ।

ବଜ୍ରପାତ ଘୋଷା ନିଷାଦ ରବେ

ବିଷାଦ ବଳି ଜାତ ସ୍ୱଭାବେ

।୧୯ ।

ବାରାନିଧିକି କେତେ ଦିନେ ଭେଟି

ବୀଚି ତା ଅଧିକରେ ପ୍ରକଟି

।୨୦ ।

 

୧୧ଶ ପଦ :- ତତ୍ପରେ ସୁଗ୍ରୀବ ବିନୟ ପୂର୍ବକ ଅନୁରୋଧ କରି କହିଲେ, ‘‘ହେ ଦେବ ! ଆପଣ ଦୁହେଁ ହନୁମାନ ଓ ଅଙ୍ଗଦ ଏହି ଦୁହିଁଙ୍କର ସ୍କନ୍ଧରେ ବିଜେ କରନ୍ତୁ ।’’

 

୧୨ଶ ପଦ :- ତହୁଁ ରାମ, ଲକ୍ଷ୍ମଣ ଦୁଇଭାଇ ହନୁମାନ ଓ ଲକ୍ଷ୍ମଣ ଏହି ଦୁଇ ଭାଇଙ୍କ ସ୍କନ୍ଧରେ ବସି ଗରୁଡ଼ ଓ ବୃଷଭ ଉପରେ ବିଜେ କରିଥିବା ବିଷ୍ଣୁ ଓ ଶିବଙ୍କ ପରି ଦେଖାଗଲେ ।

୧୩ଶ ପଦ :- ରଜନିକରେ-ଧୂଳିପଟଳ ଦ୍ୱାରା । କବଳ-ଗ୍ରାସ ।

୧୩ଶ ପଦ :- ଏହି ଯାତ୍ରା ସମୟରେ ସୈନ୍ୟମାନଙ୍କ ପଦାଘାତଦ୍ୱାରା ଉଡ଼ୁଥିବା ଧୂଳିସମୁହରେ ଲୋକମାନଙ୍କ ଚକ୍ଷୁ ବୁଜି ହୋଇଗଲା । ସୈନ୍ୟମାନେ ସ୍ୱୀୟ ବଳରେ ସୃଷ୍ଟିକୁ ଆକ୍ରମଣ କରିବାକୁ ଲାଗିଲେ । ଏହା ଦେଖି ଦର୍ଶକମାନେ ମନେ କଲେ, ସେହି ହରିହର ଦୁହିଁଙ୍କ ମଧ୍ୟରୁ ହରି ଚକ୍ଷୁ ବୁଜି ରାତ୍ରିକୁ ପ୍ରକାଶିତ କଲେ କି ? ଏବଂ ହର ନିଜର ବଳରେ ସୃଷ୍ଟିକୁ ନାଶ କରିବାକୁ ଇଚ୍ଛା ପ୍ରକାଶ କଲେ କି ? (ଅର୍ଥାତ୍ ପ୍ରଳୟକାଳ ଉପସ୍ଥିତ ହେଲା କି) ?’

୧୪ଶ ପଦ :- ସ୍ୱେଦ-ଝାଳ । ବ୍ୟୋମଗଙ୍ଗା-ଆକାଶ ଗଙ୍ଗା । ବିଗ୍ରହ-ଦେହ ।

୧୪ଶ ପଦ :- ଏହି ସମୟରେ ସୈନ୍ୟମାନଙ୍କ ଦେହରୁ ବହୁଥିବା ଝାଳ ନଦୀ ରୂପରେ ପରିଣତ ହୋଇ ସ୍ୱର୍ଗଗଙ୍ଗା ସହିତ ସମାନ ହେବାରୁ ଇଚ୍ଛା କଲା, ତେଣୁ ଗଙ୍ଗା ଯେପରି ନିଜ ଦେହରେ ଜଳଶୂନ୍ୟ ସ୍ଥାନ ନ ରଖି ଅର୍ଥାତ୍ ଉଭୟ ତଟକୁ ପୂର୍ଣ୍ଣକରି ପ୍ରବାହିତ ହୁଅନ୍ତି, ଏହି ଝାଳ ନଦୀ ସେହିପରି ହେବାକୁ ଲାଗିଲା । (ସୈନ୍ୟମାନେ ଲଗା ଲାଗି ହୋଇ ଯାଉଥିବାରୁ ତାଙ୍କର ଦେହରୁ ନିର୍ଗତ ସ୍ୱେଦରାଶି ଏକର ଦେହରୁ ଅନ୍ୟର ଦେହରେ ଲାଗି ଆକାଶବାହିନୀ ଗଙ୍ଗାର ଶୋଭାକୁ ପ୍ରକାଶ କରୁଥିଲା) ।

୧୫ଶ ପଦ :- ଏହି ସମୟରେ ପୃଥିବୀ ଭାରବତୀ ବୋଧ ହେବାରୁ ବାସୁକି ଆପଣା ସମାନ ବଳବାନ ଭାଇମାନଙ୍କୁ ଡାକି କହିଲା, ‘‘ହେ ଭାଇମାନେ ଆସ, ଆମ୍ଭେମାନେ ଏକତ୍ରିତ ହୋଇ ପୃଥିବୀକୁ ଟେକି ରଖିବା ।’’

୧୬ଶ ପଦ :- କ୍ଷିତି-ପୃଥିବୀ ।

୧୬ଶ ପଦ :- ନୂତନ ଯୁବତୀମାନେ ଯେପରି ନିଜ ସ୍ୱାମୀଙ୍କ ସଙ୍ଗ ପାଇଲେ ଆନନ୍ଦିତା ହୁଅନ୍ତି, ପୃଥିବୀ ସେହିପରି ଆନନ୍ଦିତା ହେଲେ ।

୧୭ଶ ପଦ :- ରାମଚନ୍ଦ୍ରଙ୍କ ସୈନ୍ୟମାନେ ଯିବା ଦ୍ୱାରା ଯେଉଁ କଷ୍ଟ ଅନୁଭବ କରିବାକୁ ହେଉଥିଲା, ପୃଥିବୀ ତାହାକୁ ଗଣନା କରିନଥିଲେ । କାରଣ ସେ ସ୍ଥିର କଲେ ଯେ, ବହୁକାଳ ହେଲା ରାବଣଠାରୁ ଯେଉଁ ଦୁଃଖ ଭୋଗ କରିବାକୁ ହେଉଥିଲା, ତାହା ଆଜିଠାରୁ ଗଲା ।

୧୮ଶ ପଦ :- ଭ୍ରମର କେତକୀ ଫୁଲରେ ବସିଲେ ଯେପରି ବିକଳ ହୁଏ ସେହିପରି ପବନ ଜଗତକୁ ସୈନ୍ୟସଂକୂଳ ଦେଖି କେଉଁ ଦିଗରେ ପ୍ରବାହିତ ହେବ ସ୍ଥିର କରିନପାରି ବିକଳ ହେବାକୁ ଲାଗିଲା ।

୧୯ଶ ପଦ :- ସେହି ସୈନ୍ୟମାନଙ୍କର ବଜ୍ରନାଦ ତୁଲ୍ୟ ଅତି ଭୀଷଣ ଶବ୍ଦ ଶୁଣି ବଳି ରାଜାଙ୍କ ମନରେ ଦୁଃଖ ଜାତ ହେଲା ।

୨୦ଶ ପଦ :- ବାରାନିଧି-ସମୁଦ୍ର । ବୀଚି-ଲହରୀ ।

୨୦ଶ ପଦ :- ଏହିପରି ଯାଉ ଯାଉ ସେହି ସୈନ୍ୟମାନେ କେତେ ଦିନପରେ ସମୁଦ୍ର କୂଳରେ ପହଞ୍ଚିଲେ । ଏହି ସୈନ୍ୟମାନଙ୍କୁ ଦେଖି ସମୁଦ୍ରର ଲହରୀ ଭୀଷଣ ଆକାର ଧାରଣ କଲା ।

 

ବୀଣାପୁଞ୍ଜ ପ୍ରାୟେ ବହୁ ପ୍ରବାଳେ

ବିରାଜି ଖ୍ୟାତି ଇକ୍ଷ୍ୱାକୁକୁଳେ

।୨୧ ।

ବୃନ୍ଦ ବୃନ୍ଦ ଯହିଁ କଚ୍ଛପଯୁକ୍ତ

ବିଶିଷ୍ଟ ସାରଗୁଣାହିଁ ବ୍ୟକ୍ତ

।୨୨ ।

ବିପିନ ପ୍ରାୟେ ପଲାଶୀରେ ମେଳ

ବିହାରୀ ବନେ ଲଭ୍ୟ ସୁଫଳ

।୨୩ ।

ବିଳସନ୍ତି ପରିଭୃତି ଭ୍ରମରେ

ବରହୀ ସ୍ଥିତ ଯହିଁ ମଧ୍ୟରେ

।୨୪ ।

ବିକୁକ୍ଷିବଂଶୀ ସିନ୍ଧୁକୂଳେ ସ୍ଥିତ

ବ୍ୟୁହକୁ କପିସୈନ୍ୟେ ରଚିତ

।୨୫ ।

ବାର୍ତ୍ତାବହ ଲଙ୍କେଶ୍ୱରେ କହିଲା

ବାହୁଡ଼ିର ପୂର୍ବପଦ ଅଇଲା

।୨୬ ।

ବାନର ୠକ୍ଷ କେତେ ରାଜା ପୁଚ୍ଛେ

ବାରିଧି ଲଙ୍ଘନରେ କି ଇଚ୍ଛେ

।୨୭ ।

ବୋଲେ ଚାରକି ପଚାର ସେ ସୈନ୍ୟ

ବାରିଧି ବେନି ଭେଟ ରଞ୍ଜନ

।୨୮ ।

ବୋଲନ୍ତି ପିଇଲା ଅଗସ୍ତି ଏକ

ବହୁତ ଗ୍ରାସେ କେତେ ଉଦକ ?

୨୯ ।

ବିନାଶରେ ପୂର୍ବପୁରୁଷ କୀର୍ତ୍ତି

ବୁଝିବା ବୋଲି ରାମ ବୋଲନ୍ତି

।୩୦ ।

 

୨୧ଶ ପଦ :- ପୂବାଳ-ବୀଣାଦଣ୍ଡ, ପୋହଳା । ଇକ୍ଷ୍ୱାକୁକୁଳେ-ଲାଉତୁମ୍ବାମାନଙ୍କରେ, ସୂର୍ଯ୍ୟ ବଂଶରେ ।

୨୧ଶ ପଦ :- ସେହି ସମୟରେ ସମୁଦ୍ର ବୀଣାସମୂହ ପ୍ରାୟ ପରିଲକ୍ଷିତ ହେଲା । କାରଣ ବୀଣାସମୂହ ଯେପରି ବହୁତ ଦଣ୍ଡ ଓ ଲାଉତୁମ୍ବାରେ ସୁଶୋଭିତ ହୋଇଥାଏ, ସେହିପରି ସମୁଦ୍ରକୂଳ ବହୁସଂଖ୍ୟକ ପୋହଳା ଓ ଇକ୍ଷ୍ୱାକୁବଂଶୀୟ ଖ୍ୟାତନାମା ରାମଚନ୍ଦ୍ରଙ୍କ ଦ୍ୱାରା ସୁଶୋଭିତ ହୋଇଥିଲା ।

୨୨ଶ ପଦ :- କଚ୍ଛପ-ବୀଣାପୀଠ, କଇଁଛ । ସାରଗୁଣା-ଉତ୍କୃଷ୍ଟ ତାରମାନ; ଉତ୍କୃଷ୍ଟଗୁଣ ବିଶିଷ୍ଟ ।

୨୨ଶ ପଦ :- ଯେପରି ବୀଣାସମୂହରେ ଅସଂଖ୍ୟ ଅଂଶ ସଂଯୋଗ କରାଯାଇଥାଏ ଏବଂ ସେହି ଅଂଶମାନଙ୍କ ମଧ୍ୟରେ ପ୍ରଧାନ ଗୁଣ (ବୀଣାତାର) ସବୁ ପରିସ୍କାରଭାବରେ ଦେଖା ଯାଉଥାନ୍ତି ସେହିପରି ସମୁଦ୍ର ଅସଂଖ୍ୟ କଇଁଛ, ଅପରିମିତ ଜଳ ଓ ସ୍ୱୀୟ ଲୁଣିଆଁ ଗୁଣରେ ବା ନାନାବିଧ ରତ୍ନରେ ପ୍ରକାଶିତ ହୋଇଅଛି ।

୨୩ଶ ପଦ :- ବିପିନ-ବନ । ପଲଶୀ-ବୃକ୍ଷ, ମାଂସାଶୀ ।

୨୩ଶ ପଦ :- ଆଉ ମଧ୍ୟ ସେହି ସମୁଦ୍ର ଗୋଟିଏ ଅରଣ୍ୟପରି ଦେଖାଯାଉଥିଲା । କାରଣ ଅରଣ୍ୟ ଯେପରି ନାନାବିଧ ବୃକ୍ଷରେ ପୂର୍ଣ୍ଣ ହୋଇ ଭ୍ରମଣକାରୀମାନଙ୍କୁ ଉତ୍ତମ ଫଳ ପ୍ରଦାନ କରେ, ସେହିପରି ସମୁଦ୍ର କୁମ୍ଭୀର ପ୍ରଭୃତି ନାନାବିଧ ମାଂସାଶୀ ପ୍ରାଣୀରେ ପୂର୍ଣ୍ଣହୋଇ ମଧ୍ୟ ସମୁଦ୍ରସ୍ନାନକାରୀ ଲୋକମାନଙ୍କୁ ଉତ୍ତମ ଫଳ (ତୀର୍ଥରାଜ ହେତୁ ପୁଣ୍ୟ) ପ୍ରଦାନ କରୁଅଛି । ଅଥବା ତାହାର ଜଳରେ ସଂଚାର କରୁଥିବା ମୁକ୍ତା ସଂଗ୍ରହକାରୀ ବା ପୋତ ବଣିକମାନଙ୍କୁ ପ୍ରଚୁର ରତ୍ନ ପ୍ରଦାନ କରୁଅଛି ।

୨୪ଶ ପଦ :- ପରଭୃତି-କୋକିଳ, ଉତ୍କୃଷ୍ଟ ଜଳଭଉଁରୀମାନ । ବର୍ହୀ-ମୟୂର, ବଡ଼ବାଗ୍ନି ।

୨୪ଶ ପଦ :- ବନରେ ଯେପରି କୋକିଳମାନେ ଏବଂ ଭ୍ରମରମାନେ ବିହାର କରୁଥାନ୍ତି ସମୁଦ୍ରରେ ସେହିପରି ବଡ଼ ବଡ଼ ଭଅଁର (ଭଉଁରୀ) ମାନେ ଦେଖାଯାଉ ଅଛନ୍ତି । ବନରେ ମୟୂରମାନେ ରହିଥାଆନ୍ତି, ସମୁଦ୍ରରେ ମଧ୍ୟ ବଡ଼ବାଗ୍ନି ରହିଅଛି ।

୨୫ଶ ପଦ :- ରାମଚନ୍ଦ୍ର ସମୁଦ୍ର କୂଳରେ ରହି ବାନର ସୈନ୍ୟମାନଙ୍କ ଦ୍ୱାରା ବ୍ୟୁହ ରଚନା କଲେ ଅର୍ଥାତ୍ ଯୁଦ୍ଧ ନିମିତ୍ତ ସୈନ୍ୟମାନଙ୍କୁ ଶ୍ରେଣୀବଦ୍ଧ କରି ରଖିଲେ ।

୨୬ଶ ପଦ :- ବାର୍ତ୍ତାବହ-ଦୂତ ।

୨୬ଶ ପଦ :- ଏହି ସମୟରେ ଜଣେ ଦୂତ ରାବଣକୁ କହିଲା । ଦୂତ ରାବଣକୁ ଯାହା କହିଲା, ତାହା ଜାଣିବା ପାଇଁ ପଚିଶ ଅର୍ଥକୁ ଏହି ଛବିଶ ପଦର ଅର୍ଥ ସ୍ଥାନରେ ଯୋଗ କରିବାକୁ ହେଲା । ଅର୍ଥାତ୍ ଦୂତ କହିଲା, ‘‘ରାମଚନ୍ଦ୍ର ସମୁଦ୍ର କୂଳରେ ରହି ବାନର ସୈନ୍ୟମାନଙ୍କ ଦ୍ୱାରା ବ୍ୟୁହ ରଚନା କଲେ ।’’

୨୭ଶ ପଦ :- ଋକ୍ଷ-ଭଲ୍ଲୁକ । ବାରିଧି-ସମୁଦ୍ର ।

୨୭ଶ ପଦ :- ଦୂତଠାରୁ ଏହା ଶୁଣି ରାବଣ ତାକୁ ପଚାରିଲା, ‘‘ମର୍କଟ ଓ ଭାଲୁ ସୈନ୍ୟଙ୍କ ସଂଖ୍ୟା କେତେ ହେବ? ଏବଂ ସେମାନେ ସମୁଦ୍ର ପାର ହେବାପାଇଁ କି ଉପାୟ ଅବଲମ୍ବନ କରୁଅଛନ୍ତି ?’’

୨୮ଶ ପଦ :- ଦୂତ କହିଲା, ‘‘ସେହି ସୈନ୍ୟମାନଙ୍କ ସଂଖ୍ୟା କଣ ପଚାରୁଛନ୍ତି ? ଅର୍ଥାତ୍ ସେମାନଙ୍କୁ ଗଣନା କରିହେବ ନାହିଁ । ସମୁଦ୍ରତୀରରେ ଥିବା ସେହି ସୈନ୍ୟମାନଙ୍କୁ ଦେଖିଲେ ମନେ ହେଉଛି, ଏଠାରେ ଦୁଇଗୋଟି ସମୁଦ୍ର ମିଳିତ ହୋଇ ଶୋଭା ପ୍ରକାଶ କରୁଅଛନ୍ତି କି ?’’

୨୯ଶ ୩୦ଶ ପଦ :- ‘‘ସେହି ସୈନ୍ୟମାନେ କହୁଛନ୍ତି, ଅଗସ୍ତ୍ୟ ଋଷି ଏକାକୀ ସମୁଦ୍ର ଜଳକୁ ପାନ କରିଥିଲେ । ଆମ୍ଭେମାନେ ବହୁସଂଖ୍ୟକ, ସୁତରାଂ ସମସ୍ତେ ପାନ କଲେ ସମୁଦ୍ର ଜଳ କେତେ କି ? କିନ୍ତୁ ପୂର୍ବପୁରୁଷମାନଙ୍କର କୀର୍ତ୍ତି ନଷ୍ଟ ହୋଇଯିବ-ଏହା ବିଚାରି ରାମଚନ୍ଦ୍ର ସୈନିକମାନଙ୍କୁ କହୁଛନ୍ତି, ଅପେକ୍ଷା କର ଆମ୍ଭେ ସେ ବିଷୟ ବୁଝିବୁ ।’’

 

ବକ୍ରବିକାରେ କହେ ଲଙ୍କେଶ୍ୱର

ବାରତାଯାକ ମିଥ୍ୟା ତୋହର

। ୩୧ ।

ବ୍ରହ୍ମାଣ୍ଡରେ ଏତେ ବାନର କାହିଁ

ବଶ ସେ ପୁଣ ମନୁଷ୍ୟେ ହୋଇ

। ୩୨ ।

ବିଭୀଷଣ ଶୁଣି ଯୋଡ଼ିଲା କର

ବୋଇଲା ସତ କହୁଛି ଚାର

। ୩୩ ।

ବଣା ହେଉ ହନୁମାନ ଆସିବା

ବାଳିକି ବିନାଶିବା ଭାଷିବା

। ୩୪ ।

ବୋଲେ ରାବଣ ବଧ ବିଚାରିଲେ

ବୃକ୍ରାରି ତ୍ରିପୁରାରି କି କଲେ

। ୩୫ ।

ବସାଇ ଦ୍ୱାସ୍ଥ ପାଶରେ ନର୍ତ୍ତନ

ବିରଚବୋଲୁଁ ଲଙ୍ଘିଲେ କୋଳ

। ୩୬ ।

ବଜ୍ର ଶୂଳ ଲୋକ ବକ୍ର ନ କରି

ବାନର ନର କି କରି ପାରି

। ୩୭ ।

ବିଭୀଷଣ କଲା ପ୍ରତିଉତ୍ତର

ବିବେକ କର ଚିତ୍ତେ ତୋହର

। ୩୮ ।

ବହି ନ ପାରିଲୁ ପଶାକାଠିକି

ବୃଷାଙ୍କ ଗିରି ଥିଲୁ ଯେ ଟେକି

। ୩୯ ।

ବଜ୍ରରେ ନମୁଚି ଦୈତ୍ୟ ନ ମଲା

ବାରିର ଫେନେ ବଧ ହୋଇଲା

। ୪୦ ।

 

୩୧ଶ ପଦ :- ବକ୍ରବିକାରେ-ବିକୃତ ମୁଖରେ ।

୩୧ଶ ଓ ୩୨ଶ ପଦ :- ଏହା ଶୁଣି ରାବଣ ମୁଖକୁ ବିକୃତ କରି କହିଲା, ‘‘ରେ ଦୂତ ! ତୁ ଯାହା କହୁଛୁ ସେହି ସମସ୍ତ କଥା ମିଥ୍ୟା ଅଟେ । ଏହି ପୃଥିବୀରେ ଏତେ ମାଙ୍କଡ଼ କେଉଁଠାରେ ଅଛନ୍ତି ? ପୁଣି ସେମାନେ ମନୁଷ୍ୟର ଅଧୀନତା ସ୍ୱୀକାର କଲେ କିପରି ?’’

୩୩ଶ - ୩୪ଶ ପଦ :- ରାବଣର କଥା ଶୁଣି ବିଭୀଷଣ ହାତଯୋଡ଼ି କହିଲା, ‘‘ଦୂତ ଯାହା କହୁଅଛି ତାହା ସତ୍ୟ ଅଟେ। ହନୁମାନ ସମୁଦ୍ର ଲଙ୍ଘି ଏଠାକୁ ଆସିଲା ଏବଂ ରାମଚନ୍ଦ୍ର ବାଳିକୁ ବଧ କରିବା କଥା କହିଗଲା । ଏହା ଦେଖି ଓ ଶୁଣି ତଥାପି ତୁମ୍ଭେ ଭ୍ରମରେ ପଡ଼ୁଅଛ କାହିଁକି ?’’

୩୫ଶ ପଦ :- ବୃତ୍ରାରି-ଇନ୍ଦ୍ର । ତ୍ରିପୁରାରି-ମହାଦେବ ।

 

୩୫ଶ ପଦ :- ରାବଣ କହିଲା, ‘‘ଇନ୍ଦ୍ର ଓ ମହାଦେବ ମୋତେ ମାରିବାକୁ ଇଚ୍ଛା କରିଥିଲେ, କିନ୍ତୁ ମୋର କିଛି କରିପାରିଲେ ନାହିଁ, (ସେହିପରି ରାମ ମୋର କଣ କରିବ ?’’ )

      ୩୬ଶ ପଦ :- ‘‘ମୁଁ ଇନ୍ଦ୍ରକୁ ହାରୀ ପାଖରେ ବସାଇ ଶିବଙ୍କୁ ନାଚିବା ପାଇଁ ଆଦେଶ ଦେଇଥିଲି । ସେ ଦୁହେଁ ମୋର ଆଦେଶ ଲଙ୍ଘନ କରିଥିଲେ କି ?’’

୩୭ଶ ପଦ :- ରାବଣ କହିଲା, ‘‘ଇନ୍ଦ୍ର ଓ ଶିବ ଯଥାକ୍ରମେ ବଜ୍ର ଓ ଶୂଳ ମାରି ମୋର ଲୋମ ସୁଦ୍ଧା ବଙ୍କା କରି ପାରିନଥିଲେ । ଏହି ମନୁଷ୍ୟ ଓ ମାଙ୍କଡ଼ ବା ମୋର କଣ କରିବେ ?’’

୩୮ଶ-୪୦ଶ ପଦ :- ରାବଣର ଏହିପରି ହେୟତା ପ୍ରକାଶକ କଥାର ଉତ୍ତମ ସ୍ୱରୂପ ବିଭୀଷଣ କହିଲା, ‘‘ତୁ ତ ମହାଦେବଙ୍କର କୈଳାସ ପର୍ବତକୁ ଟେକିଥିଲୁ, ମାତ୍ର ପାତାଳ ବୈକୁଣ୍ଠରେ ପଶାକାଠି ଟେକି ପାରିଲୁନାହିଁ । ଇନ୍ଦ୍ରଙ୍କ ବଜ୍ରରେ ନମୁଚି ଦୈତ୍ୟ ନ ମରି ସାମାନ୍ୟ ଜଳ ଫେଣରେ ମଧ୍ୟ ମରିଥିଲା । ଏହି ସବୁ ବିଷୟ କିପରି ଆଶ୍ଚର୍ଯ୍ୟକର । ହେ ରାବଣ ! ଟିକିଏ ମନରେ ବିଚାର କର । (ଏଣୁ ଇନ୍ଦ୍ର ଓ ଶିବଙ୍କ ଦ୍ୱାରା ତୁ ମଲୁ ନାହିଁ ବୋଲି ଯେ, ରାମ ତୋର କିଛି କରି ପାରିବେ ନାହିଁ, ଏ କଥା ଭାବିବା ଠିକ୍ ନୁହେଁ) । ’’

 

ବୋଇଲା ଲଙ୍କେଶ ସକ୍ରୋଧ ହୋଇ

ବରଜୁ ପର ଦର୍ପ ଦେଖାଇ

। ୪୧ ।

ବସୁଧାଯୁକ୍ତ ସୁନାମକୁ କହି

ବାହାର କରି ଲଙ୍କାରୁ ଦେଇ

। ୪୨ ।

ବିବିଧ ଆଦି ଚାରି ମନ୍ତ୍ରୀ ସଙ୍ଗେ

ବିହଗଗତି ନଭରେ ରଙ୍ଗେ

। ୪୩ ।

ବଳାହକ ପ୍ରାୟେ ଦିଶେ ଦିଶନ୍ତି

ବେଢ଼ାଣ ବାସ ସେ ବକପନ୍ତି

। ୪୪ ।

ବହେ ସ୍ୱେଦଜଳ ବିନ୍ଦୁ ପ୍ରକଟ

ବାସବ ଧନୁ ପରି ମୁକୁଟ

। ୪୫ ।

ବହଇ ଶ୍ୱାସଝଞ୍ଜାନିଳ ବତ

ବଚନ ଘୋଷ କରି ଜନିତ

। ୪୬ ।

ବନୌକାପତି ମହୀଧର ତୁଳା

ବିଳାସ ଆସି ତା ପାଶେ କଲା

। ୪୭ ।

ବଟସୁବେଳେ ରାମ ବିଷ୍ଣୁ ସ୍ଥିତେ

ବିହିବ ରକ୍ଷପ୍ରଳୟ ସତେ

। ୪୮ ।

ବାର୍ତ୍ତା ପାଇ ରାମ ରାଜା ପ୍ରେଷଣ

ବହନେ ଜ୍ୟୋତିର୍ବିଦ ଲକ୍ଷ୍ମଣ

। ୪୯ ।

ବୁଡ଼ାଇମାନପାତ୍ର କରି ଜଳେ

ବୁଝିଲେ ଶୁଭ ଅଶୁଭ ବେଳେ

। ୫୦ ।

 

୪୧ଶ ଓ ୪୨ଶ ପଦ :- ଏହା ଶୁଣି ରାବଣ କ୍ରୋଧାନ୍ୱିତ ହୋଇ କହିଲା, ‘‘ତୁ ମୋତେ ଶତ୍ରୁର ଗର୍ବ ଦେଖାଇ ନିବର୍ତ୍ତାଉଅଛୁ । ’’ ଏହା କହି ‘ବସୁଧାଯୁକ୍ତ ସ୍ୱନାମକୁ’ ମହୀରାବଣକୁ ଆଦେଶ ଦେଇ ବିଭୀଷଣକୁ’ ଲଙ୍କାରୁ ବାହାର କରିଦେଲା।

୪୩ଶ ପଦ :- ବିହଗ-ପକ୍ଷୀ । ନଭରେ-ଆକାଶରେ ।

୪୩ଶ ପଦ :- ତତ୍ପରେ ବିଭୀଷଣ ବିବିଧ ପ୍ରଭୃତି ଚାରି ମନ୍ତ୍ରୀଙ୍କୁ ସଙ୍ଗରେ ନେଇ ଆନନ୍ଦ ମନରେ ପକ୍ଷୀମାନଙ୍କ ପରି ଆକାଶରେ ଗମନ କଲା ।

 

୪୪ଶ ପଦ :- ବଳାହକ-ମେଘ । ଦିଶେ-(ଦକ୍ଷିଣ) ଦିଗରେ ।

୪୪ଶ ପଦ :- ରାକ୍ଷସମାନେ ସ୍ୱଭାବତଃ କୃଷ୍ଣକାୟ, ଏଣୁ ସେମାନେ ଉଡ଼ିଲାବେଳେ ଦକ୍ଷିଣ ଦିଗରୁ ମାଡ଼ି ଆସୁଥିବା ମେଘ ପରି ଦେଖାଯାଉଥିଲେ ଓ ସେମାନେ ପିନ୍ଧିଥିବା ଲୁଗା ମେଘାଗମ ଦେଖି ଆନନ୍ଦରେ ଉଡ଼ୁଥିବା ବକପଂକ୍ତି ପରି ଦେଖାଯାଉଥିଲା ।

୪୫ଶ ପଦ :- ସ୍ୱେଦ-ଝାଳ । ବାସବଧନୁ-ଇନ୍ଦ୍ରଧନୁ ।

୪୫ଶ ପଦ :- ସେମାନେ ଆସୁଥିବାବେଳେ ସେମାନଙ୍କ ଦେହରୁ ବିନ୍ଦୁ ବିନ୍ଦୁ ହୋଇ ପଡ଼ୁଥିବା ଝାଳ ଟୋପା ଟୋପା ହୋଇ ପଡ଼ୁଥିବା ବର୍ଷାଜଳର ଭ୍ରମକୁ ଜନ୍ମାଉଥିଲା ଏବଂ ସେମାନଙ୍କର ମୁକୁଟ ଇନ୍ଦ୍ରଧନୁ ପରି ଦେଖାଯାଉଥିଲା ।

୪୬ଶ ପଦ :- ସେମାନଙ୍କର ନିଶ୍ୱାସ ପବନ ବର୍ଷାକାଳୀନ ପ୍ରବଳ ପବନ ପରି ପ୍ରବାହିତ ହେଉଥିଲା ଏବଂ ବିଭୀଷଣର କଥା ବଜ୍ରନାଦ କରି ପ୍ରତୀୟମାନ ହେଉଥିଲା ।

୪୭ଶ ପଦ :- ମହୀଧର-ପର୍ବତ । ବନୌକାପତି-ସୁଗ୍ରୀବ ।

୪୭ଶ ପଦ :- ମେଘମାନେ ପର୍ବତରେ ବିହାର କଲାପରି ମେଘତୁଲ୍ୟ ରୂପଧାରୀ ବିଭୀଷଣ ପର୍ବତୋପମ ସୁଗ୍ରୀବଙ୍କ ନିକଟରେ ବିହାର କଲା ଅର୍ଥାତ୍ ବିଭୀଷଣ ସୁଗ୍ରୀବଙ୍କ ନିକଟରେ ଉପସ୍ଥିତ ହେଲା) ।

୪୮ଶ ପଦ :- ବିଷ୍ଣୁ ବଟପୁଟରେ ରହି ଜଗତକୁ ନାଶ କଲାପରି ରାମଚନ୍ଦ୍ର ସୁବେଳ ପର୍ବତ ଉପରେ ରହି ରାକ୍ଷସ-ଜଗତକୁ ନାଶ କରିବେ,-ଏହା ସତ୍ୟ ଅଟେ ।

୪୯ଶ ପଦ :- ରାମଚନ୍ଦ୍ର ରାଜା ସୁଗ୍ରୀବଙ୍କଠାରୁ ବିଭୀଷଣକୁ ଆସିବା ସମ୍ବାଦ ପାଇ ଜ୍ୟୋତିଷ ବିଦ୍ୟାରେ ନିପୁଣ ଲକ୍ଷ୍ମଣଙ୍କୁ ତାର ନିକଟକୁ ପଠାଇଲେ ।

୫୦ଶ ପଦ :- ଜ୍ୟୋତିଷମାନେ ଘାଟୀଯନ୍ତ୍ରକୁ ପାଣିରେ ବୁଡ଼ାଇ ଶୁଭାଶଭ ଜାଣିପାରିଲା ପରି, ଲକ୍ଷ୍ମଣ ବିଭୀଷଣକୁ ପାଣିରେ ବୁଢ଼ାଇ ଅର୍ଥାତ୍ ଜଳଦିବ୍ୟ କରାଇ ଶୁଭାଶୁଭ ବୁଝି ନେଲେ, (ଏ ଅବିଶ୍ୱାସୀ ନୁହେଁ ବୋଲି ବୁଝି ନେଲେ ) ।

 

ହରି ହରି ସଙ୍ଗେ ହରି ହେଲା

ବିଲୋକ ରାମ ରାମ ପଠିଲା

। ୫୧ ।

ବିସ୍ତାର ଖର ତେଜ ଆହାଲାଦ

ବିଚାରେ ହରି କରି ତା ହୃଦ

। ୫୨ ।

ବିଶ୍ୱ - ଆତ୍ମା - ରୂପ ସୁମନା ମୁଦେ

ବିଚାରେ ହରି କରି ତା ହୃଦେ

। ୫୩ ।

ବିଲକ୍ଷ ଏତେ ହରି ବନ୍ଦେ ପାଦେ

ବିଚାରେ ହରି କରି ତା ହୃଦେ

। ୫୪ ।

ବାରେ ସଂଶୟ ଦଣ୍ଡକ ରଭସେ

ବୈକୁଣ୍ଠମୂର୍ତ୍ତି ଦଣ୍ଡକ ଦିଶେ

। ୫୫ ।

ବସୁଧାପାତ ଦଣ୍ଡକ ସଦୃଶୀ

ବୋଇଲେ ଉଠ ଦଣ୍ଡକ ବାସୀ

। ୫୬ ।

ବିନ୍ୟସ୍ତ କର କକ୍ଷେ ଉଭା ହୋଇ

ବସାଇ ତାର ଚିତ୍ତ ରସାଇ

। ୫୭ ।

ବିଶ୍ୱରେ ରାମ ରାମ ଥିବା ଯାକ

ବିଗ୍ରହେ ଥିବୁ ବରଦାୟକ

। ୫୮ ।

ବାହାର କରି ଯମଦାଢ଼ୁ ବାସ

ବାନ୍ଧିଲେ ଶାଢ଼ୀ ହେଲୁ ଲଙ୍କେଶ

। ୫୯।

ବ୍ୟବସ୍ଥିତେ ରାମ ପଚାରୁ ତହିଁ

ବ୍ୟବସ୍ଥା ସର୍ବ ଲଙ୍କାର କହି

। ୬୦ ।

 

୫୧ଶ ପଦ :- ହରି-ସୁଗ୍ରୀବ, ଶୁକପକ୍ଷୀ । ହରିସଙ୍ଗେ-ମର୍କଟମାନଙ୍କ ସଙ୍ଗେ ।

 

୫୧ଶ ପଦ :- ବିଭୀଷଣ ସେହିଦିନଠାରୁ ସୁଗ୍ରୀବାଦିମାନଙ୍କ ସହ ଏକତ୍ର ବାସକରି ସର୍ବଦା ରାମଙ୍କର ଦର୍ଶନ ଓ ସ୍ତୁତିପଠନରେ ନିଯୁକ୍ତ ହେଲା ।

୫୨ଶ ପଦ :- ଖର-ପ୍ରଚଣ୍ଡ । ହରି-ସୂର୍ଯ୍ୟ, ଚନ୍ଦ୍ର ।

୫୨ଶ ପଦ :- ରାମଚନ୍ଦ୍ରଙ୍କ ଦେହରୁ ପ୍ରଚଣ୍ଡ କିରଣ ବାହାରି ଚତୁର୍ଦ୍ଦିଗରେ ବିସ୍ତୃତ ହେଉଅଛି । ଏହା ଦେଖୀ ବିଭୀଷଣ ତାଙ୍କୁ ସୂର୍ଯ୍ୟ ବୋଲି ମନେ କଲା ଏବଂ ରାମଙ୍କୁ ଦେଖି ହୃଦୟ ଆନନ୍ଦପୂର୍ଣ୍ଣ ହେଉଥିବାରୁ ନିଜକୁ ଚନ୍ଦ୍ର ବୋଲି ମନେ କଲା ।

୫୩ଶ ପଦ :- ବିଶ୍ୱାତ୍ମା-ବିଷ୍ଣୁ । ସୁମନା-ଦେବତାମାନଙ୍କୁ । ହରି-ଭଗବାନ ।

୫୩ଶ ପଦ :- ପୁନଶ୍ଚ ବିଭୀଷଣ ମନେ ମନେ ଭାବିଲା, ‘ଏ ସଂସାରର ଆତ୍ମାରୂପୀ ବିଷ୍ଣୁ ଦେବତାମାନଙ୍କୁ ଆନନ୍ଦିତ କରିବାପାଇଁ ଦେହଧାରଣ କରି ଅଛନ୍ତି । ’

୫୪ଶ ପଦ :- ହରି-ମର୍କଟ । ଅଲକ୍ଷ-ଅନୁପମ ।

୫୪ଶ ପଦ :- ବିଭୀଷଣ ଏହିପରି ମନରେ ଭାବି ଭାବି ଶେଷରେ ସ୍ଥିର କଲା ଯେ, ‘ଏ ନିଶ୍ଚୟ ବିଷ୍ଣୁ । ଯେହେତୁ ଏହି ଅସଂଖ୍ୟ ବାନର ଏହାଙ୍କର ପାଦ ବନ୍ଦନା କରୁଅଛନ୍ତି । ’

୫୫ଶ ପଦ :- ରଭସେ-ତତ୍‌କ୍ଷଣାତ୍‌ । ବୈକୁଣ୍ଠମୂର୍ତ୍ତି-ନାରାୟଣରୂପ । ଦଣ୍ଡକ-ଯମ, ମୁହୂର୍ତ୍ତକ ।

୫୫ଶ ପଦ :- ତତ୍ପରେ ସେ ରାମଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଏ ଯମ ବୋଲି ସନ୍ଦେହ କଲା, କିନ୍ତୁ ରାମଙ୍କର ବିଷ୍ଣୁ ମୂର୍ତ୍ତି ଦେଖି ତାର ସେହି ସନ୍ଦେହ ଅଳ୍ପକ୍ଷଣ ମଧ୍ୟରେ ନାଶ ହୋଇଗଲା ।

୫୬ଶ ପଦ :- ବିଭୀଷଣ ବିଷ୍ଣୁ ମୂର୍ତ୍ତି ଦେଖିଯିବାରୁ ସେ ଦଣ୍ଡ ପ୍ରଣାମ କରି ଭୂମିରେ ପଡ଼ି ରହିଲା । ଏହା ଦେଖି ଦଣ୍ଡକାରଣ୍ୟବାସୀ ରାମଚନ୍ଦ୍ର ତାକୁ ଉଠ ବୋଲି କହିଲେ ।

୫୭ଶ ପଦ :- ତହୁଁ ବିଭୀଷଣ ଉଠି ଦୁଇ ହାତକୁ କାଖ ସନ୍ଧିରେ ରଖି ଠିଆ ହେଲା । ତତ୍ପରେ ରାମଚନ୍ଦ୍ର ତାକୁ ନିକଟରେ ବସାଇ ତାର ଚିତ୍ତରେ ଆନନ୍ଦ ଜନ୍ମାଇ କହିଲେ-

୫୮ଶ ପଦ :- ବିଗ୍ରହ-ଦେହ ।

୫୮ଶ ପଦ :- ‘‘ଏ ଜଗତରେ ଯେତେକାଳ ପର୍ଯ୍ୟନ୍ତ ରାମ ନାମ ଥିବ, ତୁମ୍ଭେ ସେତେକାଳ ପର୍ଯ୍ୟନ୍ତ ଏହି ଦେହ ଧାରଣ କରି ଥିବ ଅର୍ଥାତ୍ ଅମର ହୋଇ ରହିଥିବ । ମୁଁ ତୁମ୍ଭଙ୍କୁ ଏହି ବର ପ୍ରଦାନ କଲି । ’’

୫୯ଶ ପଦ :- ଯମଦାଢ଼ୁ-କଟାରୀ ଶସ୍ତ୍ରରୁ ।

୫୯ଶ ପଦ :- ରାମଚନ୍ଦ୍ର ଏହି ବର ଦେବା ପରେ କଟାରୀ ଶସ୍ତ୍ରରୁ ଓ ଶାଢ଼ୀ ବାହାର କରି ତାହା ବିଭୀଷଣର ମୁଣ୍ଡରେ ବାନ୍ଧି କହିଲେ, ‘‘ତୁମ୍ଭେ ଆଜିଠାରୁ ଲଙ୍କାର ରାଜା ହେଲ । ’’

୬୦ଶ ଓ ୬୧ଶ ପଦ :- ତତ୍ପରେ ରାମଚନ୍ଦ୍ର ତାକୁ ଲଙ୍କାର ସମସ୍ତ ବିବରଣ ପଚାରିବାରୁ ବିଭୀଷଣ କହିଲା, ‘‘ରାବଣ ବିରଜା ମଣ୍ଡଳରେ ତପସ୍ୟା କରି ବ୍ରହ୍ମାଙ୍କ ବର ପ୍ରଭାବରେ ଜଗତକୁ ଜୟ କରିଅଛି । ’’

୬୨ଶ ପଦ :- ଏହି ଛାନ୍ଦକୁ ଉପେନ୍ଦ୍ର ଭଞ୍ଜ ବାଷଠି ପଦରେ ରଚନା କରିଅଛନ୍ତି । ହେ ସାଧୁବୃନ୍ଦ-ଏହାକୁ ଭଲ ଭାବରେ ବିଚାର କର ।